ସ୍ୱାସ୍ଥ୍ୟ ବିଭାଗରେ ପାଉସେରି ହେତୁ ଶୁଦ୍ଧ ରକ୍ତ ପାଇବାରେ ସଙ୍କଟ ଉପୁଜିବା ଆଶଙ୍କା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାରେ ଶୁଦ୍ଧ ରକ୍ତ ଅଭିଯାନ ଆରମ୍ଭ ହୋଇଥିଲା ୨୦୧୨ ମସିହାର ଜୁଲାଇ ୮ ତାରିଖରେ ଯେଉଁଦିନ ଓଡ଼ିଶାରେ ଏଡ୍ସ (AIDS) ବ୍ୟାପିବାରେ ରାଜ୍ୟ ସରକାର ସାହାଯ୍ୟ କରୁଥିବା ସପ୍ରମାଣ ମୁଁ ପ୍ରକାଶ କରିଥିଲି । ଶୀର୍ଷକ ଥିଲା  “Shocking Reality: AIDS Being Aided By Government of Orissa”, ଯାହା ତତ୍କାଳୀନ ବିରୋଧୀ ଦଳର ମୁଖ୍ୟଛାଟିଆ ପ୍ରସାଦ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏକ ମୁଲତବୀ ପ୍ରସ୍ତାବ ଆଗତ କରି ୧.୯.୨୦୧୨ ତାରିଖରେ ସେ ବିଧାନସଭାରେ ଘମାଘୋଟ ଆଲୋଚନା କଲେ, ଯାହା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବାଧ୍ୟ କରିଥିଲା ଘୋଷଣା କରିବାକୁ ଯେ, ମୁଁ ସୂଚାଇଥିବା ହାଇକୋର୍ଟ ଆଦେଶକୁ ରାଜ୍ୟ ସରକାର ନିଶ୍ଚୟ କାର୍ଯ୍ୟକାରୀ କରିବେ । ମାତ୍ର ସେଦିନଠୁ ଏଇ ୧୧ ବର୍ଷ ଭିତରେ ସରକାର କେବଳ ୧୧ଟି ରକ୍ତ ସଂଗ୍ରହ କେନ୍ଦ୍ରରେ ଏହି ବ୍ୟବସ୍ଥା ଖଞ୍ଜିଛନ୍ତି ।

ତେଣୁ, କଳା ପତାକା ଅଭିଯାନରେ ମୋର ଘନିଷ୍ଠ ସହକର୍ମୀ ଥିବା ଯୁବ ସମାଜସେବୀ ଶ୍ରୀମାନ୍ ଅମିତ ଅଭିଜିତ ସାମଲ ଶୁଦ୍ଧ ରକ୍ତ ଯୋଗାଣରେ ଟାଳଟୁଳ କରି ଓଡ଼ିଆ ଲୋକଙ୍କ ଜୀବନ ନେଇ ଖେଳ ଖେଳିବାରୁ ଓଡ଼ିଶା ସରକାରଙ୍କୁ ଆଇନତଃ ନିବୃତ୍ତ କରାଯାଉ ଓ ସମସ୍ତ ରକ୍ତଭଣ୍ଡାର/ ରକ୍ତ ସଂଗ୍ରହ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଚ୍ଚନ୍ୟାୟାଳୟଙ୍କ ଦ୍ଵାରା ଆଦ୍ଦିଷ୍ଟ ବୈଷୟିକ ଜ୍ଞାନକୌଶଳ – ନାଟ୍ ପିସିଆର୍ (NAT PCR) ମାଧ୍ୟମରେ ରକ୍ତ ପରୀକ୍ଷା ପାଇଁ ଆଦେଶ ଦିଆଯାଉ ବୋଲି ଏକ ଜନସ୍ଵାର୍ଥ ମାମଲା ଦାଏର କଲେ । ନ୍ୟାୟଳୟ ଏହି ପ୍ରାର୍ଥନା ମଞ୍ଜୁର କରିବା ପରେ ଏହାର ଫାଇଦା ନେବା ପାଇଁ ଏକ ଛଦ୍ମ ବ୍ୟବସାୟୀ ସଂସ୍ଥା ଲାଗି ପଡ଼ିଛି ଓ ସ୍ୱାସ୍ଥ୍ୟ ବିଭାଗର କେତେକ ବଡ଼ପଣ୍ଡା କେବଳ ସେହି ବ୍ୟବସାୟୀଙ୍କୁ ସୁହାଇବା ପରି ସର୍ତ୍ତ ଥିବା ଟେଣ୍ଡର ନୋଟିସ୍ ପ୍ରସ୍ତୁତ କରିଛନ୍ତି । ଏହାର ସବିଶେଷ ତଥ୍ୟ Predator in the Health Deptt; blood safety may face a mess ଶୀର୍ଷକରେ ମୁଁ ଉପସ୍ଥାପିତ କରିଛି ।

ଓଡ଼ିଶାରେ ରକ୍ତ ସଂଗ୍ରହ ଅଭିଯାନର ନୂଆ ଯୁଗ ସୃଷ୍ଟି କରିଥିବା ‘ଆମ ଓଡ଼ିଶା’ ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ସମ୍ବାଦ’ ଆଜିର ରାଜ୍ୟ ସଂସ୍କରଣରେ ଯାହା ଲେଖିଛି ତାହା ମୁଁ ଏଠାରେ ଅବିକଳ ସଂଯୁକ୍ତ କରୁଛି :

ଅତଏବ ପାଉସେରି ପାଇଁ ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ ପଦାଧିକାରୀ ଶୁଦ୍ଧ ରକ୍ତ ପାଇବାରେ ସଙ୍କଟ ଉପୁଜାଇବାର ଆଶଙ୍କା ବଳବତ୍ତର ହୋଇଛି ।

ଗଭୀର ବୈଷୟିକ ବିଶ୍ଳେଷଣ ଦ୍ଵାରା ପୂର୍ବରୁ ନିୟୋଜିତ ନାଟ୍ ପିସିଆର୍ (NAT PCR) ଜ୍ଞାନକୌଶଳକୁ ନୂଆ ଟେଣ୍ଡର ସର୍ତ୍ତରୁ ବାଦ ଦେଇ ପ୍ରତ୍ୟକ୍ଷ ଅନୁଭୂତିକୁ ଆସିନଥିବା କୌଣସି ଏକ ଅଜ୍ଞାତ ବ୍ୟବସାୟୀକୁ ସୁହାଇବା ପରି ସର୍ତ୍ତ ସହ ବିଜ୍ଞପ୍ତି ପ୍ରକାଶନ ପାଇଁ  ଶୁଦ୍ଧରକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାହିଁକି ବ୍ୟଗ୍ର ,ତହିଁ ଉପରେ ତଦନ୍ତ ହେବାର ଆବଶ୍ୟକତା ଅଛି ।

ଏକ ନିର୍ଦ୍ଦିଷ୍ଟ (ଏଯାଏଁ ଅଜ୍ଞାତ) ବ୍ୟବସାୟୀଙ୍କୁ ଟେଣ୍ଡରରେ ଅଂଶ ଗ୍ରହଣର ସାମର୍ଥ୍ୟ ପ୍ରଦାନ ପାଇଁ ଯେଉଁ ଚିଠା ଟେଣ୍ଡର ନୋଟିସ୍ ପ୍ରସ୍ତୁତ ହୋଇଛି ତାକୁ ତୁରନ୍ତ ବାତିଲ କରି ଏଥିରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ ସମସ୍ତଙ୍କ ପାଇଁ ମୁକ୍ତ ସୁଯୋଗ ରଖି  ସାନି ଟେଣ୍ଡର ନୋଟିସ ପ୍ରସ୍ତୁତ ହେବା ଦରକାର ଓ ଟେଣ୍ଡର ବିଚାରରୁ ବର୍ତ୍ତମାନର ଶୁଦ୍ଧ ରକ୍ତ (blood safety) ନିର୍ଦ୍ଦେଶକଙ୍କୁ ବାଦ ଦିଆଯିବା ଦରକାର ।

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

Leave a comment