Saubhasya

Official Website of Sri Subhas Chandra Pattanayak of Tigiria

Category: Public Issues

ଭାଷା ଆନ୍ଦୋଳନ ଛାତିରେ ଛୁରା

by Subhas Chandra Pattanayak

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଦୁଷ୍ଟବୁଦ୍ଧିସମ୍ପନ୍ନ ଲୋକଙ୍କ ସହ ସମ୍ପର୍କ ରଖିଲେ ଯେ ସେମାନଙ୍କଠାରୁ ମରଣାନ୍ତକ ଆଘାତ ମିଳିପାରେ ତାହା ମୁଁ ଗତକାଲି ଜୁଲାଇ ୧୬ ସନ୍ଧ୍ୟାରେ ହିଁ ରେ ଜାଣିଲି । ମୋ ପରିବାରର ସଦସ୍ୟମାନେ ଓ ମୋର ଖାସ୍ ନିଜ ଲୋକେ ଯେଉଁମାନେ ଏହି ପୃଷ୍ଠାକୁ ଆସନ୍ତି କେବଳ ସେହିମାନଙ୍କୁ ଜଣାଇବା ପାଇଁ ଯେ, ସାପ ସହ ବାସ କରିବା ନିରାପଦ ନୁହେଁ, ମୁଁ ଭାଷା ଆନ୍ଦୋଳନର ଜୀବନରେ କାଲି ଯାହା ଘଟିଲା ତାହା ଦୁଃଖର ସହ ଏଠି ରଖୁଛି ।

ଜୁଲାଇ ୧୬ରେ କଳାପତାକା ଅଭିଯାନର ନୂଆ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଆମେ ଆଗରୁ ଘୋଷଣା କରିଥିଲୁ । ତଦନୁଯାୟୀ ବିଧାନସଭା ସମ୍ମୁଖରେ ଅପରାହ୍ନ ସାଢ଼େ ଚାରିଟାରେ ମୁଁ ପହଞ୍ଚିଲି । ପତାକା ଓ ଦାବିଫଳକ ଧରିବାକୁ ସାଥୀମାନେ ପହଞ୍ଚି ଥିଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ନ ଥିଲେ । ଦିନଟି ଗୁରୁତ୍ବପୂର୍ଣ ହୋଇଥିବାରୁ ସେମାନଙ୍କ ଅନୁପସ୍ଥିତି ଅଡୁଆ ଲାଗୁଥିଲା । କଳାପତାକା ଅଭିଯାନ ଶେଷରେ ପବିତ୍ର ହିସାବ ଦେବାର ଥିଲା । କାରଣ ଭାଷା ଆନ୍ଦୋଳନର ପାଣ୍ଠି ସେ ତୋଷରପାତ କରିଥିବା ଜଣା ପଡିଲା ପରେ ମୁଁ ତାଙ୍କୁ କୈଫିୟତ ମାଗିଥିଲି ଓ  ଜୁଲାଇ ୧୬ରେ ଯେହେତୁ ସକ୍ରିୟ ସାଥୀମାନେ ଏକାଠି ହେବା ସୁନିଶ୍ଚିତ ସେହେତୁ ସେହିଦିନ ସମସ୍ତଙ୍କ ଆଗରେ ହିସାବ ରଖିବାକୁ ତାକୁ ସମୟ ଦେବାକୁ ମୋତେ ପ୍ରଦ୍ୟୁମ୍ନ ଶତପଥୀ  ପୂର୍ବରୁ ଅନୁରୋଧ କରିଥିଲେ । ଏପରି ଅବସ୍ଥାରେ ଦିଜଣ ଯାକଙ୍କ  ଅନୁପସ୍ଥିତି ମୋତେ ଅସ୍ବଭାବିକ ଲାଗିଥିଲା । ସେମାନେ କହନ୍ତି ବୋଲି ମୁଁ ପଚାରିଲି । ପ୍ରଦ୍ୟୁମ୍ନ ବାବୁଙ୍କ ଘନିଷ୍ଠ ବନ୍ଧୁ ଚକ୍ରଧର ମହନ୍ତ ମୋତେ କହିଲେ କି , କିଛି ଗୋଟେ ଜରୁରୀ କାମରେ ସେମାନେ ବାହାରିଯାଇଛନ୍ତି ଓ ଫେରିବାକୁ ସାମାନ୍ୟ ବିଳମ୍ବ ହୋଇପାରେ । ତେଣୁ ୫ଟାରେ ଯଥା ପୂର୍ବ ମୁଁ  ପତାକା ଧରାଇଲି ଓ ଅଭିଯାନ ମଧୁବାବୁଙ୍କ ପାଖକୁ ଆସି ସମାପ୍ତ ହେଲା ।

ସେଠାରୁ ଆମେ ଫେରିବାକୁ ବସିଥିବା ବେଳେ ଦିଜଣଯାକ ଆସି ପହଁଚିଲେ । ପ୍ରଦ୍ୟୁମ୍ନ ଶତପଥୀ ପ୍ରଥମେ ମୋତେ ଅଭିନନ୍ଦନ ଜଣାଇ କହିଲେ କି, “ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲିଖିତ ସମସ୍ତ ଦାବି ପାଳନ କରି  ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନର ସଂଶୋଧନ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଲେ ଓ ପ୍ରତିଦାନରେ କଳାପତାକା ଅଭିଯାନ ସେଯାଏଁ ସ୍ଥଗିତ ରଖିବାକୁ ଆମେ ତାଙ୍କୁ ପ୍ରତିଶ୍ରୁତି ଦେଇଦେଲୁ ।”

“ଆପଣ ଏହା କାହିଁକି କଲେ ଓ କାହାକୁ କିଛି ନ କହି ଏପରି ଏକ  ପ୍ରତିଶୃତି ଦେବାକୁ କେଉଁଠୁ ଆପଣ ଅଧିକାର ପାଇଲେ?” ବୋଲି ମୁଁ ପଚାରିଲି । “ଆପଣ ଯାହା ଯେତେବେଳେ କହିଛନ୍ତି ଆମେ ଆଜିଯାଏଁ ତାହା ମାନି ଆସିଛୁ, ଆମର ଆଜିର ଏହି ଗୋଟିଏ କଥାକୁ ଆପଣ ମାନନ୍ତୁ ବୋଲି ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି”, କହିଲେ ପ୍ରଦ୍ୟୁମ୍ନ ବାବୁ । “ସରକାରଙ୍କ ପାଖରୁ ବା ଅର୍ଥମନ୍ତ୍ରୀଙ୍କ ପାଖରୁ କିଛି ନିମନ୍ତ୍ରଣ ଆସିଥିଲା କି?” – ମୁଁ ପଚାରିଲି । “ନାଁ , କେବଳ ଫୋନ ଆସିଥିଲା” ସେ କହିଲେ । “ମୋତେ କହିଲେନି?” – ମୁଁ ପଚାରିଲି । “ଆପଣଙ୍କୁ ଫୋନ କଲି, ଆପଣ ଧରିଲେନି” –  ଏହା ହିଁ ଥିଲା ତାଙ୍କର ଉତ୍ତର । “ଯଦି ସରକାର ଆମ ଦାବି ମାନିନେଇ ତଦନୁଯାୟୀ ଆଇନ ସଂଶୋଧନ କରିବାକୁ ରାଜି, ତେବେ ବିଧାନସଭାକୁ ଅପେକ୍ଷା ନ କରି ଅଧ୍ୟାଦେଶ ଜାରି କରିବାକୁ ତାଙ୍କୁ କହିଲେ ନି ?” – ମୁଁ କହିଲି । “ମୁଖ୍ୟମନ୍ତ୍ରୀ ନଥିଲେ ଅଧ୍ୟାଦେଶ କିପରି ହେବ?” – ସେ କହିଲେ । ଏବଂ ସେ ଯାହା କହୁଛନ୍ତି ସତ୍ୟ କହୁଛନ୍ତି ବୋଲି ଆଉ ଦି ଜଣଙ୍କୁ ସାକ୍ଷୀ ଭାବେ ଦେଖେଇଲେ । ମୁଁ କହିଲି , “ହେଉ, ମନ୍ତ୍ରୀଙ୍କୁ କୁହାଯାଉ, ତୁରନ୍ତ ଏ ସମ୍ପର୍କରେ ଏକ ପ୍ରେସ ଵିଜ୍ଞପ୍ତି ଜାରିକରିବାକୁ ; ତାହାକୁ ଅନୁଧ୍ୟାନ କରି ଆସନ୍ତା କଲି ସକାଳେ ଆମେ ସମସ୍ତେ ବସି ଯାହା ନିଷ୍ପତ୍ତି ନେବା ।”

ପ୍ରଦ୍ୟୁମ୍ନ ଶତପଥୀ ମନ୍ତ୍ରୀଙ୍କୁ ଫୋନ କରୁଥିଲେ (ଏହା ହିଁ ସେ କହିଥିଲେ), ମୁଁ ଘରକୁ ଆସିଲି । ପବିତ୍ର ମହାରଥା ଭାଷା ଆନ୍ଦୋଳନର ହିସାବ ଦେବା ପରିବେଶ ଆଉ ନଥିଲା । ପ୍ରାୟ ଘଂଟାଏ ପରେ ସେ ଗଣମାଧ୍ୟମରେ ଘୋଷଣା କଲେ କି ,  ଭାଷା ଆନ୍ଦୋଳନର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୬ରେ ଆରମ୍ଭ ହେବାକୁଥିବା କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଛି ।

ସେ ଜାରିକରିଥିବା ଏହି ପ୍ରେସ ଵିଜ୍ଞପ୍ତି ଦେଖାଯାଉ ।  ଭାଷା ଆନ୍ଦୋଳନର ଏପରି କୌଣସି ପ୍ରସ୍ତାବ ଏଥିରେ ସନ୍ନିହିତ ନୁହେଁ । କାରଣ ଭାଷା ଆନ୍ଦୋଳନ ଏପରି କୌଣସି ପ୍ରସ୍ତାବ ଗ୍ରହଣ କରିନାହିଁ । ଭାଷା ଆନ୍ଦୋଳନ ଏକ ସଂଗଠିତ କି ପଂଜିକୃତ ସଂଗଠନ ନୁହେଁ । ମନ୍ତ୍ରୀସ୍ତରୀୟ କମିଟି ଅପ୍ରାସଙ୍ଗିକ ହୋଇଗଲା ପରେ ମୁଁ ନିଜ ମାତୃଭାଷା ପ୍ରତି ସୃଷ୍ଟି ହୋଇଥିବା ବିପତ୍ତି ସମ୍ପର୍କରେ ଜନଜାଗୃତି ପାଇଁ ମୋ ପରିସୃଷ୍ଟ ନିରବ କଳାପତାକା ଅଭିଯାନ ପଦ୍ଦତ୍ତିରେ ଏ ଆନ୍ଦୋଳନ ସୃଷ୍ଟି କରିଥିଲି । ଏଥିପାଇଁ ମନସ୍ଥିର କରିବା ପୂର୍ବରୁ, ୨୦୧୬ ଏପ୍ରିଲ ପହିଲାରେ ମୁଁ ପ୍ରଥମେ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଏକ ନିବେଦନ ରଖି ଓଡ଼ିଶାର ଜନସାଧାରଣଙ୍କ ମତ ଲୋଡ଼ିଥିଲି ।

ପ୍ରଥମ ମତ ଆସିଥିଲା ଆମରଣ ଅନଶନ କରି ଭାଷା ସଚେତନତାର ଏକ ନୂଆ ଯୁଗକୁ ଜନ୍ମ ଦେଇଥିବା ଭାଷା ତପସ୍ବୀ ଗଜାନନ ମିଶ୍ରଙ୍କ ଠାରୁ  ମୋ ଫେସ୍ ବୁକ୍ ଆବେଦନ ପରେ ପରେ ସେହି ୨୦୧୬ ଏପ୍ରିଲ ପହିଲାରେ । 

ଏଥିରେ ମୋ ପ୍ରସ୍ତାବିତ ନୂଆ ଆନ୍ଦୋଳନ ପାଇଁ ପୁର୍ଣ ସମର୍ଥନ ଥିବା ସଂଗେ ସଂଗେ ଇଂରାଜୀ ଭାଷାକୁ ଅସହଯୋଗ କରିବାର ପ୍ରସ୍ତାବ ଥିଲା । କିନ୍ତୁ ପ୍ରଥମ ପଥଦର୍ଶୀ ପ୍ରସ୍ତାବ ପାଇଲି ଓଡ଼ିଶାର ବିଖ୍ୟାତ ପରିବେଶବିତ , ବନ୍ୟଜନ୍ତୁମାନଙ୍କ  ଅଧିକାର କ୍ଷେତ୍ରରେ ବିଶ୍ଵବିଦିତ  ବନ୍ଧୁ , ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ଠାରୁ ତହିଁ ପରଦିନ ୨୦୧୬ ଏପ୍ରିଲ ୨ ତାରିଖରେ ।

ସେ ୭ଟି ମୁଖ୍ୟ ଯୋଜନା ଓ ୯ଟି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଥିଲେ । ଅବସରପ୍ରାପ୍ତ ଏଇ.ଏ.ଏସ ଅଫିସର ପ୍ରମୋଦ ପଟ୍ଟନାୟକ , ପ୍ରଫେସର କମଳା ପ୍ରସାଦ ମହାପାତ୍ର ଆଦି ବହୁ ବନ୍ଧୁଙ୍କ ଠାରୁ ନାନା ଗୁରୁତ୍ବପୂର୍ଣ ପ୍ରସ୍ତାବମାନ ଆସିଲା । ଏଗୁଡ଼ିକ ଅନୁଧ୍ୟାନ କରି ମୋର ବିଶ୍ଵାସ ଦୃଢ଼ ହେଲା ଯେ, ମୋ ପଦ୍ଧତ୍ତିରେ ମୁଁ ଯଦି ଆନ୍ଦୋଳନ ଚଳାଏ ତେବେ ତାହା ସାର୍ବଜନୀନ ସମର୍ଥନ ପାଇବା ସମ୍ଭବ ହେବ । ଏହି ପଦ୍ଧତ୍ତି ଉଣେଇଶ ଅଶୀ ଦଶକରେ ମୁଖ୍ୟମନ୍ତ୍ରୀ ଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିରୁଦ୍ଧରେ ଜନଜାଗୃତି ପାଇଁ ମୁଁ ଆଠଗଡ଼ରେ ଉଦ୍ଭାବନ ଓ ପ୍ରୟୋଗ କରିଥିଲି । ବିଧାନସଭା ସମ୍ମୁଖରୁ କଳାପତାକା ଧରି ନୀରବରେ ପ୍ରତିଦିନ  ଅପରାହ୍ନ ପାଞ୍ଚଟା ପରି ଏକ ନିର୍ଦ୍ଦିଷ୍ଟ ସମୟରେ  ଯିବି ଓ ଯେହେତୁ ଏତଦ୍ଦ୍ଵାରା କୌଣସି ଆଇନ ଭଙ୍ଗ ହେବ ନାହିଁ ସରକାର କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରିପାରିବେ ନାହିଁ । ଫଳରେ ଧୀରପାଣି ପଥର କାଟିବା ପରି ଏହା ଲୋକଙ୍କ ନିଦ ଭାଙ୍ଗିଦେବ ଓ ସରକାର ବାଧ୍ୟ ହେବେ ଭାଷା ଆଇନ ସଂଶୋଧନ ପାଇଁ ମୁଁ ମନ୍ତ୍ରୀସ୍ତରୀୟ କମିଟିରେ ଦେଇଥିବା ପ୍ରସ୍ତାବ ଗ୍ରହଣ କରିବାକୁ ।

ମୋ ପାଖକୁ ସେତେବେଳେ ବରାବର ଆସୁଥିବା ପବିତ୍ର ମହାରଥା ମୋ ପ୍ରସ୍ତାବରେ ରାଜି ହେଲେ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ହଳେଇଲେ । ଏ ପଦ୍ଧତ୍ତି କିପରି ନିରାପଦ ଓ ସରକାର ଅଡୁଆରେ ପଡିବେ ସିନା , ଆମକୁ ଅଟକାଇ ପାରିବେ ନାହିଁ – ଏହା ମୁଁ ତାଙ୍କୁ ବୁଝାଇବାକୁ ଏକାଧିକ ଦିନ ଲାଗିଗଲା । ଶେଷରେ ସେ ରାଜିହେଲେ ଓ ପ୍ରତ୍ୟହ କେତେ ଲୋକ ଆବଶ୍ୟକ ହେବେ ବୋଲି ପଚାରିଲେ । “ସର୍ବୋଚ୍ଚ ଚାରିଜଣ” ମୁଁ କହିଥିଲି ।

କିଛିଦିନ ଆନ୍ଦୋଳନ ଚାଲିଲା ପରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କୁ ଲଗାଇ ଆମ ଉପରେ ସାମାଜିକ ଗଣମାଧ୍ୟମରେ ଆକ୍ରମଣ ହେଲା । ଭାଷା ଆନ୍ଦୋଳନରେ ଜଣେ ଅଧ୍ୟକ୍ଷ ଥିବା ବେଳେ ପୁଣି ଜଣେ ସଭାପତି କାହିଁକି ଓ ଏହାର ପ୍ରକୃତ ନେତା କିଏ ବୋଲି ବି ପ୍ରଶ୍ନ ଉଠାଇଲେ ଜଣେ ବ୍ୟକ୍ତି ଯାହାଙ୍କୁ ପ୍ରଦ୍ୟୁମ୍ନ ଶତପଥୀ ହିଁ ଆମ ଆନ୍ଦୋଳନ ଭିତରକୁ ଆଣିଥିଲେ । ଅପରପକ୍ଷେ ଅତୀତର ଜଣେ ବିଶିଷ୍ଟ ଛାତ୍ରନେତା କଳାପତାକା ଅଭିଯାନରେ ସକ୍ରିୟ ଭୂମିକା ନିର୍ବାହ କରି ଅଭିଯାତ୍ରୀମାନଙ୍କ ମଧ୍ୟରେ ଅଧିକ ଦୃଷ୍ଟି ଆକର୍ଷକ ହେବାରୁ ପବିତ୍ର ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ ଓ ନିଜର ଆବାହକ ପଦମର୍ଯ୍ୟାଦା ହାଂକି ସେ ଯାହା କରିବେ ତାଙ୍କୁ ପଚାରି କରିବେ ବୋଲି କହିଥିଲେ । ଏହା ଛାତ୍ରନେତାମାନଙ୍କ ମହଲରେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ତେଣୁ ଏ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରି ପ୍ରଦ୍ୟୁମ୍ନ ବାବୁ ତାଙ୍କ ଫେସ୍ ବୁକ୍ ପୃଷ୍ଠାରେ ୧୧.୫.୨୦୧୬ ତାରିଖରେ ଲେଖିଥିଲେ :

“ବରେଣ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପରିପକ୍ଵ ପ୍ରଜ୍ଞାଜ ଏହି ଦର୍ଶନର  ଆମେ ସମସ୍ତେ ସଞ୍ଚାଳକ, କୌଣସି ବ୍ୟକ୍ତିବିଶେଷ ନୁହନ୍ତି । ” 

ବସ୍ତୁତଃ ସେ ଏତଦ୍ଦ୍ଵାରା କୌଣସି ଅତିରଂଜିତ କଥା କହିନଥିଲେ । ଏହି ଆନ୍ଦୋଳନ ସୃଷ୍ଟି କରି ଜନ ଅନ୍ଦୋଳନକୁ  ମୁଁ ଏକ ସମ୍ପୂର୍ଣ ଅଭିନବ ଦର୍ଶନାତତ୍ତ୍ଵ ଦେଇଥିଲି । ମହାତ୍ମା ଗାନ୍ଧୀ, ମାର୍ଟିନ ଲୁଥର କିଙ୍ଗ (କନିଷ୍ଠ), ନେଲସନ ମଣ୍ଡେଲା ଓ ମାଲକମ ଏକ୍ସ ପ୍ରଭୃତିଙ୍କ ପଦ୍ଧତ୍ତି ଫେଣ୍ଟାଫେଣ୍ଟି କରି ତହିଁରେ ମୋ ନିଜସ୍ଵ ପ୍ରଜ୍ଞା ମିଶାଇ , କୌଣସି ସରକାରୀ ଆଇନ ଅମାନ୍ୟ ନ କରି ଏକ ଜନବିରୋଧୀ ସରକାରୀ ଆଚରଣକୁ ବଦଳାଇବାକୁ କିପରି ଏକ ଅହଙ୍କାରୀ ସରକାରଙ୍କୁ ବାଧ୍ୟ କରାଯାଇପାରେ ତାହାର ପଦ୍ଧତ୍ତି ମୁଁ ସୃଷ୍ଟି କରିଥିଲି  । ଏହା ଥିଲା ନିରବ ଆନ୍ଦୋଳନ କିପରି ଏକ ଭୟଙ୍କର ବିସ୍ଫୋରକ ତୁଣ୍ଡ ବାଇଦ ସୃଷ୍ଟି କରି ଶୋଇଥିବା ଏକ ଜାତିକୁ ନିଦରୁ ଉଠାଇଦେଇପାରେ ତାହାର ଏକ ପରୀକ୍ଷଣ । ଯେପରି ପୂର୍ବରୁ କହିଛି, ଉଣେଇଶ ଅଶୀ ଦଶକରେ ତଦାନୀନ୍ତନ ପ୍ରବଳ ପରାକ୍ରମୀ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼ରେ ମୁଁ ଏହି ପଦ୍ଧତ୍ତିକୁ ସଫଳତାର ସହ ପ୍ରୟୋଗ କରିଥିଲି । ଭାଷା ଆନ୍ଦୋଳନ ବ୍ୟାପାରରେ ଏହି ସତ୍ୟକୁ ସେଦିନ ଉପରୋକ୍ତ ମତେ ସ୍ବୀକାର କରିଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ସ୍ବୀକାର କରିଥିଲେ ଯେ, ମୋ ପ୍ରଜ୍ଞା ପ୍ରସୂତ ଏହି ଆନ୍ଦୋଳନରେ ସେ ଓ ପବିତ୍ର ପ୍ରଭୃତି ଥିଲେ ସଂଚାଳକ ।  କେବଳ ୧୧.୫.୨୦୧୬ ତାରିଖରେ ନୁହଁ, ବହୁବାର ମଧ୍ୟ ତାଙ୍କ ଫେସ୍ ବୁକ୍ ପୃଷ୍ଠାରେ ପ୍ରଦ୍ୟୁମ୍ନ ବାବୁ ଏହି ଏକା  କଥା କହିଛନ୍ତି । ଡାହାଣପଟେ ଥିବା ତାଙ୍କ ଫେସ୍ ବୁକ୍ ଉଲ୍ଳେଖନର ଫଟୋଚିତ୍ରରେ ଏହି ଉଦ୍ଧୃତ ସ୍ବୀକାରୋକ୍ତି ରହିଛି । 

ଏକଥା ମୁଁ ଏଠି ଏଇଥିପାଇଁ କହୁଛି ଯେ, ବରଂ କହିବାକୁ ବାଧ୍ୟ ହେଉଛି ଯେ, ମୋ ଆନ୍ଦୋଳନର ଏହି ସ୍ଵୟଂସ୍ବୀକୃତ “ସଞ୍ଚାଳକ” ପ୍ରଦ୍ୟୁମ୍ନ ଶତପଥୀ ଅର୍ଥନୈତିକ ଅପରାଧ ହେତୁ ଧରା ପଡିଥିବା  ପବିତ୍ର ମହାରଥାଙ୍କ ସହ ମିଶି ଜୁଲାଇ ୧୬ ତାରିଖରେ ମୋ ଅଜଣାରେ ସରକାରଙ୍କ ସହ ହାତ ମିଳାଇ ଅତି ଅନଧିକୃତ ଭାବେ ଘୋଷଣା କରିଛନ୍ତି କି, ଏହି ଦିନ ଠାରୁ କଳାପତାକା ଅଭିଯାନ ବିଧାନସଭା ଅବଧି ଶେଷ ଯାଏଁ , ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ , ବନ୍ଦ ହୋଇଗଲା ! ମୋ ପ୍ରତିଷ୍ଠିତ ଆନ୍ଦୋଳନର ଏହି ସବୁ “ସଞ୍ଚାଳକ”ଙ୍କୁ ଏହି ଅଧିକାର ଦେଲା କିଏ ? ସେ ଓ ପବିତ୍ର ଏବଂ ତାଙ୍କ ଗୋଷ୍ଠୀ ମୋ ଆନ୍ଦୋଳନକୁ ସଞ୍ଚାଳିତ କରୁଥିଲେ ବା ସହଯୋଗ କରୁଥିଲେ । ଏଥିରୁ ଓହରିଯିବା ତାଙ୍କର ସମ୍ପୂର୍ଣ ଇଚ୍ଛାଧୀନ ; କିନ୍ତୁ ଏହାକୁ ବନ୍ଦ କରିଦେବା ଅଧିକାର ସେ ବା ସେମାନେ କେଉଁଠୁ ପାଇଲେ ?

ମୁଁ ଯେତେବେଳେ ଏହି ଆନ୍ଦୋଳନଟି ଆରମ୍ଭ କରିଥିଲି ସେତେବେଳେ ମୁଁ ହୁଏତ ଏକା ଥିଲି ଓ ପ୍ରଦ୍ୟୁମ୍ନ ବାବୁ ଏବଂ ପବିତ୍ର ଏହା ସହ ସମ୍ପୃକ୍ତ ହୋଇ ଏହାକୁ ପରିବ୍ୟାପ୍ତ କରିଥିଲେ ।  କିନ୍ତୁ ଏହି ଆନ୍ଦୋଳନ ଆଜି ମୋ ଆନ୍ଦୋଳନ ହୋଇ ରହିନାହିଁ କି ଏଥିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥିବା ଲୋକଙ୍କ ଭିତରେ ଏହା ଆଉ ସୀମିତ ହୋଇରହିନାହିଁ । ଏହି ନିରବ ଆନ୍ଦୋଳନ ପଦ୍ଧତ୍ତିରେ ଜନଜାଗରଣ ପାଇଁ ମୁଁ ଯେଉଁ ଯୋଜନା କରିଥିଲି ତାହା ସଫଳ ହୋଇଛି ଓ ସମଗ୍ର ଓଡ଼ିଆ ଜାତି ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଏହାକୁ ନିଜ ଆନ୍ଦୋଳନ ବୋଲି ମନେ କରୁଛି ଓ ଭାଷା ଅଧିକାର ପାଇଁ ଜାଗିଉଠିଛି । ଏତିକିବେଳେ ଏମାନେ ସରକାରଙ୍କୁ ଆପ୍ୟାୟିତ କରିବାକୁ ଯାଇ ଆନ୍ଦୋଳନ ସ୍ଥଗିତ ହୋଇଗଲା ବୋଲି ଗତକାଲି ଯେଉଁ ଘୋଷଣା କରିଛନ୍ତି ତାହା ଆମ ଜାତି ବିରୁଦ୍ଧରେ ଏକ ଅପରାଧ ।

ପ୍ରତି ଅପରାଧ ମୂଳରେ ଅପରାଧିକ ଅଭିସନ୍ଧି ଥାଏ ।

ଏମାନଙ୍କ ଅପରାଧିକ ଅଭିସନ୍ଧି କଣ ହୋଇଥାଇପାରେ ? ହୁଏତ (୧) ପବିତ୍ରଙ୍କ ଅର୍ଥନୈତିକ ଅପରାଧ ବିରୁଦ୍ଧରେ ମୁଁ ରାଜଧାନୀ ପୋଲିସ ଷ୍ଟେସନରେ ଏତଲା ଦେଇଥିବା ହେତୁ ମନ୍ତ୍ରୀଙ୍କ ଶରଣାପନ୍ନ ହୋଇ ପୋଲିସ କାର୍ଯ୍ୟନୁଷ୍ଠାନରୁ ବର୍ତ୍ତି ଯିବା ପାଇଁ ଚେଷ୍ଟା ବା (୨) ଅର୍ଥମନ୍ତ୍ରୀଙ୍କ ମାଧ୍ୟମରେ ସ୍ଵାର୍ଥ ହାସଲର ଲୋଭ  ।

ଜଣେ ବରିଷ୍ଠ ସରକାରୀ ଅଫିସରଙ୍କ ଠାରୁ ଜାଣିଲି ଯେ ଏହି ଉଭୟେ ଜୁଲାଇ ୧୪ ତାରିଖ ସକାଳେ ଅର୍ଥମନ୍ତ୍ରୀଙ୍କ ଘରକୁ ଯାଇଥିଲେ  । କମ୍ମ୍ୟୁନିଷ୍ଟ ଗୋଷ୍ଠୀରୁ ଆସି ବିଜେଡିରେ ନେତା ବନିଥିବା ସୁବାସ ସିଂହଙ୍କ ମଧ୍ୟସ୍ଥତାରେ ସୁପାରୀ ପରିମାଣ ପକ୍କା ହୋଇଥିଲା  । ଉଭୟଙ୍କୁ ସମାନ ପରିମାଣର ସୁପାରୀ ଦିଆ ହୋଇଥିବା ବେଳେ ପ୍ରଦ୍ୟୁମ୍ନ ଶତପଥୀ ବୋନସ ଭାବେ ଏକ ସରକାରୀ ଘର ତାଙ୍କ କାଗଜ ନାମରେ ନେବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ଏହା ସତ କି ମିଛ ମୁଁ କହିପାରିବି ନାହିଁ । ଯଦି ସତ ହୋଇଥାଏ, ୧୬ ତାରିଖରେ ଦି ଜଣ ବ୍ୟକ୍ତିଙ୍କୁ ସାଙ୍ଗରେ ଧରି ଅର୍ଥମନ୍ତ୍ରୀଙ୍କୁ ଭେଟି ତାଙ୍କ ପ୍ରତିଶ୍ରୁତି ଉପରେ କଳାପତାକା ଅଭିଯାନ ବନ୍ଦ ରଖିବାକୁ ପାଲଟା ପ୍ରତିଶ୍ରୁତି ଦେବା କେବଳ “ଦାରୀ ସାକ୍ଷୀ ମାଦଳ” (alibi) ସୃଷ୍ଟିର ନାଟକବାଜି ଛଡ଼ା କିଛି ବି ହୋଇନପାରେ ।   

ଏହି ପ୍ରେକ୍ଷାପଟରେ ଏକ କୌତୁହଳୋଦ୍ଦୀପକ କଥା ଉଲ୍ଲେଖ କରାଯାଇପାରେ  । ଆଜି ସକାଳେ , ଏଇ ଘଣ୍ଟେ ପୂର୍ବରୁ , ଭାଷା ଆନ୍ଦୋଳନ ସମ୍ପର୍କରେ ଟୁଇଟ କରିଆସିଥିବା ଇଂ.ଚକ୍ରଧର ମହନ୍ତ ଆସିଥିଲେ । କଳାପତାକା ଅଭିଯାନ ବନ୍ଦ ରଖିବାକୁ ପ୍ରଦ୍ୟୁମ୍ନ ଶତପଥୀଙ୍କ ମୁହଁରୁ ଶୁଣି ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ସେ ଖୁବ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ଓ ପଳାଇଥିଲେ । କିନ୍ତୁ ଆଜି ସକାଳେ ଆସି ମୋତେ କହିଲେ, “ସାର୍ ! ମୁଁ ସେମାନଙ୍କୁ ଆଦୌ ସମର୍ଥନ ନ କରୁଥିଲେ ମଧ୍ୟ ସେମାନଙ୍କ ସହ ରହିବାକୁ ବାଧ୍ୟ ।” ମୁଁ କାରଣ ପଚାରିଲି । ସେ ଦୁଇଟି କାରଣ କହିଲେ । ପ୍ରଥମତଃ , ପ୍ରାୟ ବର୍ଷକ ତଳେ ପବିତ୍ର ତାଙ୍କଠାରୁ ପୈଂତ୍ରିଶ ହଜାର ଟଙ୍କା ଧାର ସୂତ୍ରରେ ନେଇ ସୁଝି ନାହାନ୍ତି ଓ ତାଙ୍କଠୁ ଦୂରେଇଗଲେ ସେ ଟଙ୍କା ଫେରିପାଇବା ଆଉ ସମ୍ଭବ ହେବନାହିଁ ; ଦ୍ବିତୀୟତଃ , ଚାକିରୀରେ ଥିବାବେଳେ ତାଙ୍କ ବିରୁଦ୍ଧରେ ଏକ ଭିଜିଲାନ୍ସ କେଶ ହୋଇଥିଲା , ଯାହା ଚାପି ହୋଇ ରହିଛି ; ଯେହେତୁ ପବିତ୍ର ଓ ପ୍ରଦ୍ୟୁମ୍ନ ବାବୁ ସରକାରଙ୍କ ସହ ହାତ ମିଳାଇଛନ୍ତି, ସେମାନଙ୍କ ସହ ରହିଲେ, ସରକାରଙ୍କୁ କହି ସେମାନେ ତାଙ୍କୁ ଭିଜିଲାନ୍ସ କବଳରୁ ଖସାଇଦେଇପାରନ୍ତି ।

ଏହା ଜାଣିବା ମୋ ପାଇଁ ଯେତିକି ଆକସ୍ମିକ ଥିଲା, ସେତିକି ଦୁଃଖଦାୟକ ଥିଲା । ସେ କହିଲେ, “ସାର୍ ! ମୋ ମନର ଦୁଃଖ ମୁଁ କଲି ଟ୍ୱିଟରେ ଲିପିବଦ୍ଧ କରିଛି ଓ ଆପଣ ଦେଖିବେ, ମୁଁ ତାଙ୍କ ପ୍ରେସ କନ୍ଫରେନ୍ସକୁ କାଲି ସନ୍ଧ୍ୟାରେ ଯାଇନାହିଁ କି  ତାଙ୍କ କାଗଜରେ ସ୍ଵାକ୍ଷର କରିନାହିଁ  ।”

ମୁଁ କିଛି କହିଲିନାହିଁ । ସେ ବିଦାୟ ନେଲାପରେ ତାଙ୍କ ଟ୍ୱିଟ ଦେଖିଲି । ପ୍ରକୃତରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ଆଚରଣକୁ ସେ ଏକପ୍ରକାର ଭର୍ତ୍ସନା କରିଛନ୍ତି ଓ କଳାପତାକା ଅଭିଯାନ ସ୍ଥଗିତ ହେବା ଓଡ଼ିଆ ଜାତିପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ତଳେ ତାର ଫଟୋଚିତ୍ର ରହିଲା । ମୋ ହାତରୁ କଳାପତାକା ଧରି ସେ, ଡମ୍ବରୁଧର ହରଣ ସିଂ, ପଙ୍କଜ ପୃଷ୍ଟି ଓ ଅସିତ ଦାସ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖକୁ ଆସିଥିବା ଓ ସେଠାରେ ମୋ ସହ ସେମାନେ ଓ ଅନ୍ୟମାନେ ଠିଆ ହୋଇଥିବାର ଦୃଶ୍ୟ ଏଥିରେ ଅଛି ଓ ଅଛି ମଧ୍ୟ ସେହି ଏକ ସନ୍ଧ୍ୟାରେ ସେଦିନ କଳାପତାକା ବନ୍ଦ ଥିବାର ଆସ୍ଫାଳନ ଯାହା ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଗୋଷ୍ଠୀ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ । ଏହାକୁ ବିଚକ୍ରଧର ବାବୁ ଯଦି ଟ୍ୱିଟ କରିନଥାନ୍ତେ ତେବେ ଏହି ଗ୍ୟାଙ୍ଗର ବିଶ୍ଵାସଘାତକତାର ଚିତ୍ର ଆଉ ମିଳିପାରିନଥାନ୍ତା ।

 

 

Advertisements

ରହସ୍ୟ ପେଟି ସନ୍ଧାନରେ ରତ୍ନ ଭଣ୍ଡାର ପୁନଶ୍ଚ ଖୋଲୁ

by Subhas Chandra Pattanayak

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି କୌଣସି ଧର୍ତ୍ତବ୍ୟ ଅପରାଧର ପ୍ରମାଣ ତା ଭିତରେ ଛପି ନଥାଏ ଏତେ ଗୋପନୀୟତା କାହିଁକି ? ବୋଲି ମୁଁ ଯେଉଁ ପ୍ରଶ୍ନ କରିଥିଲି ତାହାର ଗୁରୁତ୍ବ ଅଧିକ ସ୍ପଷ୍ଟ ହୋଇଛି ପୁରୀ ଜିଲ୍ଲାପାଳଙ୍କ ସ୍ପଷ୍ଟୋକ୍ତିରୁ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ଜିଲ୍ଲା କୋଷାଗାରରେ ନାହିଁ ବୋଲି ସେ କହିଛନ୍ତି ।

କୋଷାଗାରରେ ଯାହା ରହେ ତାହାର ଟିକିନିଖି ବିବରଣୀ ବି ରହେ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି କିଛି ସାଧାରଣ ଦ୍ରବ୍ୟ ନୁହେଁ । ଏହାର ସ୍ଥିତିସ୍ଥାପକତାର ଟିକିନିଖି ବିବରଣୀ ଜିଲ୍ଲାପାଳଙ୍କ ଦପ୍ତରରେ ରହିବାକୁ ବାଧ୍ୟ । ତେଣୁ ସେ ନିଜ ଦପ୍ତରର ନିଜାରତ ଅଫିସର ଓ ଟ୍ରେଜେରୀ ଅଫିସରଙ୍କ ଠାରୁ ଏହି ଚାବିର ବିବରଣୀ ଅବିଳମ୍ବେ ସଂଗ୍ରହ କରନ୍ତୁ ଓ ଏହି ଚାବିର ଶେଷ ସଂରକ୍ଷଣ ବେଳେ କେଉଁ ବ୍ୟକ୍ତି ସେଠାରେ ଟ୍ରେଜେରୀ ଅଫିସର ଥିଲେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଜେରା କରାଯାଉ । ସରକାରୀ ହେପାଜତରେ ଥିବା ଚାବି ହାତେଇ ଅବଶିଷ୍ଟ ଦୁଇ ଚାବିର ଦାୟିତ୍ଵରେ ଥିବା ବ୍ୟକ୍ତି ରତ୍ନ ଭଣ୍ଡାର ଲୁଟ କରିଛନ୍ତି କି ନାହିଁ ତାହା ତୁରନ୍ତ ତଦନ୍ତଭୁକ୍ତ ହେଉ ।

ଏ ସମ୍ପର୍କରେ ମୁଁ ପ୍ରଥମେ ଆଲୋଚନା କଲା ପରେ କେତେକ ଗଣମାଧ୍ୟମ ବି ସମତୁଲ ସନ୍ଦେହ ପ୍ରକଟ କଲେଣି । ମାତ୍ର ଜଗନ୍ନାଥଙ୍କ ସମସ୍ତ ରତ୍ନ-ସମ୍ପତ୍ତି ସମେତ ଗଜପତି ତଥା ଜଗନ୍ନାଥଙ୍କ ସମସ୍ତ ସେବକଙ୍କ ସମ୍ପତ୍ତି ତାଲିକା ହାସଲ କରାଯିବା ଓ ତହିଁର ଯାଞ୍ଚ କରାଯିବା ଏବଂ ସେସବୁର ପରିମାଣ ଓ ସଂଗ୍ରହ ସୂତ୍ର ସଠିକ ଭାବେ ନଥିଭୁକ୍ତ କରାଯିବା ଉପରେ ମୁଁ ଯେଉଁ ଗୁରୁତ୍ବ ଦେଇଥିଲି ତାହା ଏଯାଏଁ କାହା ଦ୍ଵାରା ସମର୍ଥିତ ହୋଇନାହିଁ । ଏହାର ମାନେ ନୁହେଁ ଯେ, ମୁଁ ଯେଉଁ ସନ୍ଦେହ ପ୍ରକଟ କରିଛି ତାହା ଅସାର ।

ଜିଲ୍ଲା କୋଷାଗାରରୁ ରତ୍ନ ଭଣ୍ଡାରର ଚାବି ଗାଏବ ହୋଇଯିବା ମୋ ସନ୍ଦେହକୁ ଘନୀଭୂତ କରୁଛି । ଅବିଳମ୍ବେ ସଘନ ତଦନ୍ତ ଆବଶ୍ୟକ ।

ରତ୍ନ ଭଣ୍ଡାରର ଟିକିନିଖି ଯାଞ୍ଚ ଅପରିହାର୍ଯ୍ୟ । ଏ ଯାଞ୍ଚ କେବଳ ଯେ ଜଗନ୍ନାଥଙ୍କ ରତ୍ନ-ସମ୍ପତ୍ତିର ପଞ୍ଜିକରଣରେ ସହାୟକ ହେବ ତା ନୁହେଁ, ଓଡିଶା ଇତିହାସର କେତେକ ଗୁରୁତ୍ବପୂର୍ଣ ଗୁପ୍ତ ଘଟଣା ଉପରେ ଦୃଷ୍ଟିପାତ ପାଇଁ ଏହା ହୁଏତ ସହାୟକ ବି ହେବ ।

ଶ୍ରୀ ଜଗନ୍ନାଥଙ୍କ ପରିଧିରେ ବୌଦ୍ଧ ଲୋକାୟତିକବାଦ ଓ ବ୍ରାହ୍ମଣ୍ୟବାଦ ଭିତରେ ଯେଉଁ ଭୟାନକ ସଂଘର୍ଷ ଚାଲିଥିଲା, ସେଥିରେ ଅତି ରହସ୍ୟଜନକ ଭାବେ ବଳିପଡ଼ିଯାଇଥିଲେ କପିଳେନ୍ଦ୍ର ଦେବ ଓ ନିଶ୍ଚିହ୍ନ ହୋଇଯାଇଥିଲେ ତାଙ୍କ ସୁଯୋଗ୍ୟ ଜ୍ୟେଷ୍ଠ ପୁତ୍ର ହମ୍ବୀର ଏବଂ ନିଶ୍ଚିହ୍ନ ମଧ୍ୟ ହୋଇଯାଇଥିଲେ ଚୈତନ୍ୟ । ହୁଏତ ରତ୍ନ ଭଣ୍ଡାରରେ ଏହି ରହସ୍ୟ ଲୁକ୍କାୟିତ । ସବୁ କଥା ତୁରନ୍ତ ପଦାକୁ ଆସିବା ଦରକାର ।