ସବୁ ଦୁଃଖ ସହିହୁଏନାହିଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 
ଏଇ ରାତିରେ ଚାଲିଗଲେ କୁମ ଅପା (Major Kumudini Barai ), ଓଡ଼ିଶାର ପ୍ରଖ୍ୟାତ ଶିକ୍ଷାପ୍ରଶାସିକା, ଓଡ଼ିଶାର ଗ୍ୟାର୍ଲ୍ସ ବାଟାଲିଅନ ଏନ୍ ସି ସି ର ପୂର୍ବତନ ପୂର୍ଣ୍ଣକାଳୀନ ମୁଖ୍ୟ, Role of Women in the History of Orissa ସମେତ ପଚାଶରୁ ଅଧିକ ବହିର ସ୍ଵନାମଧନ୍ୟ ଲେଖିକା, ବିଶିଷ୍ଟ ଅନୁବାଦିକା, ବନ୍ଧୁବତ୍ସଳା, ବିଦ୍ୟାର୍ଥୀବତ୍ସଳା ଶିକ୍ଷାବିତ୍, ଯାହାଙ୍କ ତୁଳନା ନାହିଁ ।


ଶ୍ରଦ୍ଧାଞ୍ଜଳି କୁମ ଅପା, ଶ୍ରଦ୍ଧାଞ୍ଜଳି ; ହୃଦୟର ଗଭୀରତମ ପ୍ରଦେଶରୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି, ଲୁହଭିଜା ଶ୍ରଦ୍ଧାଞ୍ଜଳି ।


ମୁଁ ଏଯାଏଁ ସବିତାରାଣୀଙ୍କୁ ଏକଥା କହିନାହିଁ , କହିନାହିଁ ଯେ, ସେ ତମକୁ ଆଉ ଦେଖିପାରିବନାହିଁ । ଚରମ ଦୁଃଖ ସହିବାକୁ ମାନସିକ ସ୍ତରରେ ତାକୁ ପ୍ରସ୍ତୁତ କଲା ପରେ କହିବି ।


ସେ ଓ ମୁଁ ବୟସ ଓ ସ୍ୱାସ୍ଥ୍ୟର ଯେଉଁ ସନ୍ଧିକ୍ଷଣରେ ପହଞ୍ଚିଛୁ, ସବୁ ଲୁହ ପିଇବାକୁ ଆଉ ଓଠ ସକ୍ଷମ ହେଉନି କୁମଅପା । ବିଦାୟ ।

ପ୍ରଭା ରାୟ ଚାଲିଗଲେ, ସରିଗଲା ଢେଙ୍କାନାଳଜନ୍ମିତା ଏକ ସୁଧାମୟ ଜୀବନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଢେଙ୍କାନାଳର ସୁବିଦିତ ବ୍ୟକ୍ତି ଗିରୀଶ ଚନ୍ଦ୍ର ସିଂହଙ୍କ ଘରକୁ ମୁଁ ଯେତେବେଳେ ଘନ ଘନ ଯାଉଥିଲି, ସେତେବେଳେ ତାଙ୍କ ସାନ ଭାଇ ଶିରୀଶ ଚନ୍ଦ୍ରଙ୍କ ଝିଅ ପ୍ରଭା ଯେ ମୋର ଦିନେ ସମୁଦୁଣୀ ହେବେ ତାହା ମୋତେ ଜଣା ନଥିଲା । ଆମେରିକାର ନ୍ୟୁଜର୍ଜୀ ସହରରେ ତାଙ୍କରି ଓ ତାଙ୍କ ସ୍ଵାମୀ ରବୀନ୍ଦ୍ର କୁମାର ରାୟଙ୍କ ଆଶୀର୍ବାଦର କିରୀଟ ପରିଧାନ କରି ଅମୃତା ମୋର ବୋହୁ ହେଲା ପରେ ହିଁ ମୁଁ ଜାଣିଲି ଯେ, ସେ ଗିରୀଶବାବୁଙ୍କ ସାନଭାଇଙ୍କ ଝିଅ ।

ସୁଧାମୟ ଜୀବନର ଅଧିକାରିଣୀ ଥିଲେ ପ୍ରଭା ରାୟ , ଶ୍ରଦ୍ଧା ନାମ ‘ଗୁନୀ’ । ଦୀର୍ଘ ୧୨ ବର୍ଷ ତଳର ଏହି ଛବିରେ ସେ ନିଜ ତନୟ ଓ ଜୀବନସାଥୀଙ୍କ ମଝିରେ, କଡ଼ରେ ଝିଅ ରଶ୍ମୀ ।  

ସ୍ନେହ ଯଦି ହଠାତ୍ ଏକ ମଣିଷ ରୂପ ଧାରଣ କରନ୍ତା ଯାହା ହୁଆନ୍ତା, ତାହା ଥିଲେ ଗୁନୀ ସମୁଦୁଣୀ । ଆମ ଗଡ଼ଜାତିଆ ଚରିତ୍ର ତାଙ୍କଠି ଭରପୁର ହୋଇ ରହିଥିଲା । ଜୀବନ୍ମୟତା ହେଉଛି ଗଡ଼ଜାତିଆ ଚରିତ୍ରର ବୈଶିଷ୍ଟ୍ୟ । ଜୀବନ ଯେପରି ଆସେ ସେପରି ତାକୁ ଗ୍ରହଣ କରିବା, ମଥା ନତ ନକରି ସମୟକୁ ସାମ୍ନା କରିବା ଏହି ବୈଶିଷ୍ଟ୍ୟର କେନ୍ଦ୍ରବିନ୍ଦୁ । ତେଣୁ କର୍କଟକୁ ଥରେ ପରାଜିତ କରି ଦୀର୍ଘ ବ୍ୟବଧାନରେ ଆଊ ଥରେ ସାମ୍ନା କଲାବେଳେ ଯୁଦ୍ଧରତ ଥାଇ ସେ ଗତକାଲି ଆଖିବୁଜିଦେଲେ । 

ତାଙ୍କ ପ୍ରାଣଧନ ରବୀନ୍ଦ୍ର କୁମାର ରାୟ , ପୁଅ ରଞ୍ଜନ (ବବି) ଓ ଝିଅ ରଶ୍ମୀ ଯେଉଁ ଅସହ୍ୟ ଦୁଃଖରେ ଥିବେ ତାହା ମୁଁ ଏତେଦୂରରୁ ବି ଅନୁଭବ କରୁଛି । ସେମାନଙ୍କ ସମେତ ମୋ ବୋହୁ ଅମୃତା ଓ ପୁଅ ଶାଶ୍ଵତକୁ ମୁଁ ସାନ୍ତ୍ଵନା ଦେବାର ସାମର୍ଥ୍ୟ ନାହିଁ, ସମବେଦନା ଜଣାଉଛି । ମୋ ସମୁଦି ଅଶୋକବାବୁଙ୍କର ଢେଙ୍କାନାଳ ମାଟିଜା ଭାବେ ତଥା ତାଙ୍କ ବାପାଙ୍କ ସାଙ୍ଗ ଗିରୀଶବାବୁଙ୍କ ଝିଆରୀ ଭାବେ ସେ ଭଉଣୀ ଥିଲେ, ବିବାହ କରିଥିଲେ ତାଙ୍କ ସାଙ୍ଗ ରବୀନ୍ଦ୍ର କୁମାର ରାୟଙ୍କୁ । ତେଣୁ ଅଶୋକବାବୁ ଓ ତାଙ୍କ ପରିବାରକୁ ମଧ୍ୟ ମୁଁ ସମବେଦନା ଜଣାଉଛି । 

ତାଙ୍କ ତିରୋଧନରେ ଆମ ଗହଣରୁ ଅନ୍ତର୍ହିତ ହୋଇଯାଇଛନ୍ତି ନିଶ୍ଚୟ ଜଣେ ଅତ୍ୟନ୍ତ ଭଲମଣିଷ, ବିରଳ ମଣିଷ । 

ସସ୍ନେହ ଶ୍ରଦ୍ଧାଞ୍ଜଳି । 

ଓଃ! କି ମୁଖ୍ୟମନ୍ତ୍ରୀ!

ସୁଭଷ ଚନ୍ଦ୍ର ପଟ୍ଟନାୟକ
ଗତ ୨୧ ତାରିଖରେ ଯାହା ହେଲା, ଓଡ଼ିଶାରେ ପୂର୍ବରୁ ସେପରି କେବେ ବି ହୋଇନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଶୋରି ପକାଇଥିବା ହେତୁ ତାଙ୍କୁ ତାହା ମନେପକାଇଦେବା ପାଇଁ ଓ ତାହା ପରିପାଳିତ ହେଲେ ସେହି ଲୌହ ସହରର କି ଉପକାର ହେବ ତହିଁର “ମଡ଼େଲ” ସହାୟତାରେ ତାଙ୍କୁ ଅବଗତ କରାଇବା ପାଇଁ ସେଠିକାର ସୁବିଦିତ ଯୁବସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳ ନଭେମ୍ବର ୧୫ ତାରିଖରୁ ୫୦୦ କିଲୋମିଟର ପାଦରେ ଚାଲି ଚାଲି ଡିସେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଅନୁମତି ଦେଲେନାହିଁ ତାଙ୍କୁ ଭେଟିବାକୁ; ତାଙ୍କ କଥା ଶୁଣିବା ଓ ସେ କାନ୍ଧରେ ଭାର କରି ବୋହି ବୋହି ଆଣିଥିବା “ମଡ଼େଲ” ଅନୁଧ୍ୟାନ କରିବା ତ ବହୁଦୂରର କଥା । 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ଶିଶୁଭାବନ ଛକରେ ରାସ୍ତା କଡ଼ରେ ଡେରା ପକାଇ ଶୀତକକାରରେ ଓ ମଶଙ୍କ ମେଳରେ ୨୧ ତାରିଖଯାଏଁ ପଡ଼ି ରହିଲା ପରେ ଅତ୍ୟନ୍ତ ହତାଶାଜର୍ଜରିତ ହୋଇ ନିକଟରେ ଥିବା ଏକ ସୁଉଚ୍ଚ ପ୍ରଜ୍ଞପନ ମଞ୍ଚ ଉପରକୁ ଚଢିଗଲେ ସେଇଠି ସର୍ବସମକ୍ଷରେ ପୋଡ଼ି ହୋଇ ପ୍ରାଣତ୍ୟାଗ କରିବା ପାଇଁ । ପ୍ରାୟ ପାଞ୍ଚଘଣ୍ଟା କାଳ ପ୍ରବଳ ପରିଶ୍ରମ କରି ଓ ବୁଦ୍ଧିଖଟାଇ ଅଗ୍ନିଶମ ବିଭାଗର ଏକ ଅଭିଜ୍ଞ ଗୋଷ୍ଠୀ ତାଙ୍କୁ ଉଦ୍ଧାର କଲା ପରେ ତାଙ୍କ ସ୍ଵସ୍ଥ୍ୟାବସ୍ଥା ତନଖିବା ଆଳରେ ରାଜଧାନୀ ଡାକ୍ତରଖାନାର ଏକ ନିବୁଜ କୋଠରୀରେ ବଖରାବନ୍ଦୀ କରିରଖାଯାଇଛି । ତାଙ୍କୁ ଦେଖା କରିବାକୁ ତାଙ୍କ ଭାଇଙ୍କୁ ମଧ୍ୟ ଛଡ଼ାଯାଉନି ; ଆହୋରାତ୍ର ପୋଲିସ ଜଗିଛି ।  

ଓଡ଼ିଶାରେ ଏକ ନାହିଁନଥିବା ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ଆସନରେ ଆସୀନ ନବୀନ ପଟ୍ଟନାୟକ ନିଜକୁ ଓଡ଼ିଶାବାସୀଙ୍କ ନିର୍ବାଚିତ ସେବକ ବୋଲି ନ ମାନି ଭୁଖଣ୍ଡେଶ୍ବର ବୋଲି ଭାବନ୍ତି । ଲୋକଙ୍କ ଭାଷା କହନ୍ତିନାହିଁ , ଓଡ଼ିଆ ଜାତିର ଜାତୀୟ ଅସ୍ମିତା ପ୍ରତି କୌଣସି ସମ୍ମାନ ପ୍ରଦର୍ଶନ କରନ୍ତିନାହିଁ । ଓଡ଼ିଆ ଜାତିର ଅସ୍ମିତା ପ୍ରତି ତାଙ୍କ ବୀତସ୍ପୃହତା ଏତେ ତୀବ୍ର ଯେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ  ଅକର୍ମଣ୍ୟ କରିଦେବା ପାଇଁ ମନ୍ତ୍ରୀମଣ୍ଡଳ ଅନୁମୋଦିତ ସଂଶୋଧନ-ବିଧେୟକକୁ ଗୋପନରେ ବଦଳେଇ ଦେଇ ସେ ଜାଲ୍ ବିଧେୟକକୁ ବିଧିରୂପ ଦେଇଥିବା ଧରାପଡ଼ିସାରିଥିବା ସତ୍ତ୍ୱେ ସେ ରାଜ୍ୟରେ ଜନବିରୋଧୀ ଇଂରାଜୀଶାସନ ଚଳାଇଛନ୍ତି, ସାଧାରଣଲୋକଙ୍କୁ ଅନ୍ଧକାରରେ ରଖି । 

ମଦବନ୍ୟାରେ ଉବୁଟୁବୁ ଭୋଟରମାନଙ୍କ ନାଗରିକୀୟଚେତନା ଏହି କାଳଖଣ୍ଡରେ ଏପରି ଅବକ୍ଷୟିତ ଯେ, ସେମାନଙ୍କ ଦ୍ଵାରା ନିର୍ବାଚିତ ବିଧାୟକମାନେ ଓଡ଼ିଆ ଭାଷା ଆଇନରେ ହୋଇଥିବା ଜାଲିଆତି ଜାଣି ମଧ୍ୟ ପ୍ରତିବାଦ କରିପାରୁନାହାନ୍ତି , ପ୍ରତିକାର ତ ବହୁ ଦୂର ! ଜନପ୍ରତିନିଧିମାନଙ୍କ କ୍ରୀତଦାସମାନସିକତା ନବୀନବାବୁଙ୍କ ଗଉଁ ଏପରି ବଢେଇଦେଇଛି ଯେ, ସେ ନିଜକୁ ଓଡ଼ିଶାର ସମ୍ରାଟ ଭାବେ ଜାରି କରୁଛନ୍ତି ଓ ଯଦ୍ଦୃଚ୍ଛା ଆଚରଣ ପ୍ରଦର୍ଶନ କରୁଛନ୍ତି । ଫଳରେ, ଯେକୌଣସି ଦୃଷ୍ଟିରୁ ବିଚାରିଲେ ମଧ୍ୟ ବିପଦରେ ପଡ଼ିଛି ଓଡ଼ିଶା । ଅଗ୍ନିଶମ ବିଭାଗର ଅଭିଜ୍ଞ ଲୋକେ ମୁକ୍ତିକାନ୍ତଙ୍କ ଜୀବନ ବଞ୍ଚାଇଥିବା ବେଳେ, ମୁକ୍ତିକାନ୍ତଙ୍କ ପାଇଁ ତାଙ୍କ ମାନସିକ ଘୃଣା ଓଡ଼ିଶା କି କିସମର ମୁଖ୍ୟମନ୍ତ୍ରୀଙ୍କ ହାତରେ ପଡ଼ିଛି ତାହା ଆକଳନ କରିବାକୁ ଆହ୍ଵାନ ଦେଉଛି ।   

କି ମୁଖ୍ୟମନ୍ତ୍ରୀଙ୍କ ହାତରେ ନ ପଡ଼ିଛି ସତେ ଓଡ଼ିଶା ! 

ନବୀନଙ୍କ ନାକ ତଳେ ବଟି କାରବାର ହେତୁ ମଶା କବଳରେ ଭୁବନେଶ୍ୱର: ଏକ ପ୍ରାମାଣିକ ବିଶ୍ଳେଷଣ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟମୁର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ଏକ ବେସରକାରୀ ସଙ୍ଗଠନରୁ ପ୍ରାୟ ଦୁଇ ମାସ ତଳେ ଜୀବନବ୍ୟାପୀ ସିଦ୍ଧି ସମ୍ମାନ (Lifetime achievement award ) ସଂଗ୍ରହ କରି ତମାମ ଓଡ଼ିଶାରୁ ଠୁଳ କରାହୋଇଥିବା ଅନୁଗତମାନଙ୍କ ଜୟଜୟକାରରେ ଭୁଇଁରୁ ଆକାଶ ଏକ କରିଦେଇଥିବା ବାବୁ ନବୀନ ପଟ୍ଟନାୟକଙ୍କ ଗାଦୀ-ସହର ଭୁବନେଶ୍ଵରରେ ମଶାକାମୁଡ଼ାଜନିତ ରୋଗ ଏବେ ଅତ୍ୟନ୍ତ ଉତ୍କଟ  । ଏହାଙ୍କୁ ଏପରି ସମ୍ମାନ ଦେଇ ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିଥିବା ନ୍ୟାୟମୁର୍ତ୍ତି ଅନଙ୍ଗ ପଟ୍ଟନାୟକ ଏହି ପ୍ରେକ୍ଷାପଟରେ ନିଜ ଆତ୍ମସମୀକ୍ଷା କରିବା ଉଚିତ କି ନାହିଁ  ତାହା ତାଙ୍କ ଅଭ୍ୟାସଗତ ନ୍ୟାୟିକ ସଚେତନତା ଉପରେ ନିର୍ଭର କରେ । ମାତ୍ର ନବୀନବାବୁଙ୍କ ନାକ ତଳେ ବଟି କାରବାର ହେତୁ ମଶାମାନଙ୍କ ବଂଶ ବିସ୍ତାର ଅବ୍ୟାହତ ରହି ଅବସ୍ଥା ଅସମ୍ଭାଳ ହୋଇଥିଲେ ମଧ୍ୟ, ମଶାବଂଶ ବିସ୍ତାର କରାଉଥିବା ବ୍ୟକ୍ତିମାନଙ୍କୁ ପୂର୍ଣ୍ଣ ନିରାପତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି) ମାଧ୍ୟମରେ ଏହି ସହରର ଆବାଳବୃଦ୍ଧବନିତା ବାସିନ୍ଦାମାନଙ୍କ  ଉପରେ ବିଷ ବର୍ଷଣର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ତାହା ଅବିଳମ୍ବେ ବନ୍ଦ ହେବା ଦରକାର  । 

“ମାଆ ଧନକୁଟି ପୁଅ ନାଗର” ବୋଲି ଓଡ଼ିଶାରେ ଏକ ବୋଲି ଅଛି । ରାଜ୍ୟକୁ ଋଣଭାରରେ ଅଣନିଃଶ୍ଵାସୀ କରିପକାଇଥିବା ନବୀନ ପଟ୍ଟନାୟକ ବିଶ୍ଵ ହକିର ପୃଷ୍ଠପୋଷକ ସାଜିଛନ୍ତି , ଯାହା ଫଳରେ ଋଣଯନ୍ତାରେ ଛଟପଟ ହେଉଥିବା ଆମ ରାଜକୋଷ ଅଧିକ ସଂକଟାପନ୍ନ  ହେବାକୁ ଯାଉଛି  । ବାବୁଙ୍କର କ’ଣ ଅଛି? ଅଣଓଡ଼ିଆଙ୍କୁ ଖଣି ବିକିଦିଅ, ନବାବଙ୍କ ପରି ଖର୍ଚ୍ଚ କର  । ଉଡ଼ା ଚଡ଼େଇ, ଡକା ହୋଇ ଆସିଥିଲେ, ଯିବେ ପଳେଇ । ଆମେ ଭୂମିଜ ଓଡ଼ିଆଏ ତ ଖଣିହରା ହେଲୁ ନାଁ! ଏ ବାବୁ ନାଁ କମେଇବେ ।  ଓଡ଼ିଶା ଦେବାଳିଆ ହେବ ।  ତେଣୁ ଏହି ମାସରେ ବିଦେଶରୁ ହକି ଖେଳାଳିମାନେ ଓଡ଼ିଶା  ଆସିବେ । ସେ ସମସ୍ତଙ୍କୁ ସମ୍ରାଟସମ ଆତିଥ୍ୟ ଦିଆଯିବ  ଆମ ପଇସାରୁ ।  ଯଦି ସେମାନଙ୍କ ଭିତରୁ କାହାକୁ ଭୁବନେଶ୍ଵରବାସୀଙ୍କ ରକ୍ତ ପିଉଥିବା କୌଣସି ମଶା କାମୁଡ଼ି ଦିଏ ? ବାବୁଙ୍କ ହକି ପୃଷ୍ଠପୋଷକୀୟା ଔଜଲ୍ୟ ଚହଲିଯିବ । ତେଣୁ ହଠାତ୍ ବାବୁଙ୍କର ମୁଣ୍ଡରେ ଢୁକିଛି ମଶା ବଂଶ ଲୋପ କରିବାର ନିଶା । ଆକାଶରେ ଡ୍ରୋନ୍ ଉଡ଼ାଇ ତା ମାଧ୍ୟମରେ ବିଷ ବର୍ଷଣ କରି ମଶାମାରଣ କାମ ଆରମ୍ଭ ହୋଇଛି ।  ଆକାଶମାର୍ଗରୁ ବିଷବର୍ଷଣ ଦ୍ଵାରା ଆମେ ସାଧାରଣ ଓଡ଼ିଆ କେଉଁ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବୁ ତାହା ଅନୁଧ୍ୟାନ କରାଯାଇନାହିଁ , ଆକାଶରୁ ବିଷ ବର୍ଷଣ ହେତୁ ପରବେଶ କିପରି ପ୍ରଦୂଷିତ ହେବ, ତାହାର ଆକଳନ ହୋଇନାହିଁ ଓ ତହିଁର ଉପଚାର କ’ଣ ତାହା ନିରୂପିତ ହୋଇନାହିଁ  । ଅଥଚ, ହକି ଖେଳାଳୀଙ୍କୁ ମଶା କାମୁଡ଼ିବେନି, ସେଥିପାଇଁ ଭୁବନେଶ୍ଵରର ସବୁ ବାସିନ୍ଦାଙ୍କ ଉପରେ ବିଷ ବର୍ଷଣ ହେବ ।  ଯଦି ନବୀନ ପଟ୍ଟନାୟକ ଅଭ୍ୟାସଗତ ଆଇନ ଅବମାନନାକାରୀ ନହୋଇଥାନ୍ତେ , ତେବେ ଏହି ବିଷାକ୍ତ ଅବସ୍ଥା ଉପୁଜି ନଥାନ୍ତା । 

ଭୁବନେଶ୍ଵରକୁ  ମଶାମୁକ୍ତ କରିବା ପାଇଁ ୨୦୦୩ରେ ଏକ ଆଇନଗତ ବ୍ୟବସ୍ଥା ହୋଇଥିଲା । ନବୀନବାବୁ ସେ ଆଇନକୁ ଅଚଳ କରିରଖିଦେଲେ, କାରଣ ସେ ଆଇନ କାର୍ଯ୍ୟକାରୀ ହୋଇଥିଲେ ଯେଉଁମାନଙ୍କ ବେପାର ଅଡୁଆରେ ପଡ଼ିଥାନ୍ତା , ସେମାନେ ଜଣକେ ୪୦୦୦ ଟଙ୍କା ଲେଖାଏଁ ମାସକୁ ପ୍ରାୟ କୋଟିଏ ଷାଠିଏ ଲକ୍ଷ ବଟି ଦିଅନ୍ତି ପ୍ରତିମାସରେ  । ଏହା  ସତ କି ମିଛ ମୁଁ ଜାଣେନି । ପ୍ରକୃତ କଥା କ’ଣ ତାହା କେବଳ ନବୀନ ବାବୁ ହିଁ କହିପାରିବେ । କାରଣ ସରକାର ତାଙ୍କର ଓ ସେ ହିଁ ଉତ୍ତରଦାୟୀ । ମୁଁ ଏହି ବଟି କାରବାରର ଉଡ଼ା ଖବର ପାଇ ମୋ ନଭମଞ୍ଚ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଥିଲି, କେବଳ ନୀରବତା ହିଁ ମିଳିଲା ।   ଫଳରେ ମଶାନିୟନ୍ତ୍ରଣ ସମ୍ଭବ ହୋଇନାହିଁ  ।  

ଅଲୋଚନାକୁ ଆସିବା । 

ବିଧାନସଭାର ବଜେଟ ଅଧିବେଶନ ଚାଲିଥାଏ । ଜଗାରଖା ପାଇଁ ବାହାରୁ ମଧ୍ୟ ପୋଲିସ ଲୋକେ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କର୍ତ୍ତବ୍ୟରତ ତିନିଜଣ ପୋଲିସ ବ୍ରେନ୍ ମ୍ୟାଲେରିଆ ରୋଗରେ ପଡ଼ି ହଠାତ୍ ମରିଗଲେ । ବିଧାନସଭା ତଡ଼ିତ୍ ବେଗରେ ତାର କାରଣ ଅନୁଧ୍ୟାନ କଲା । ଭୁବନେଶ୍ଵରରେ  ମଶା ଏପରି ପ୍ରବଳ ହେବାର କାରଣ କ’ଣ – ଏହା ଥିଲା ପ୍ରଶ୍ନ । ଉତ୍ତର ଆସିଲା – ଏକମାତ୍ର କାରଣ ଗୋଶାଳା । ସହର ଭିତରେ ପ୍ରାୟ ୪୦୦୦ ଗଉଡ଼ ବିଭିନ୍ନ ସରକାରୀ ସ୍ଥାନ ଜବରଦଖଲ କରି ଗାଈ ମଇଁଷି ରଖିଛନ୍ତି ଓ ଅନେକ ସ୍ଥାୟୀ ବାସିନ୍ଦା ନିଜ ନିଜ ହତାରେ ଓ ଅନେକ କର୍ମଚାରୀ ନିଜ ନିଜ ସରକାରୀ ବାସଗୃହରେ ମଧ୍ୟ ଗୋରୁ ରଖିଛନ୍ତି । ସେହି ସବୁ ଗୁହାଳ ପାଣିରେ ମଶା ବଂଶ ବିସ୍ତାର ଲାଭ କରୁଛି । ତେଣୁ ତୁରନ୍ତ ବିଏମସି ଆଇନ -୨୦୦୩ ପ୍ରଣୀତ ଓ ପ୍ରବର୍ତ୍ତିତ ହେଲା, ଯେଉଁଥିରେ ଭୁବନେଶ୍ବର ସହରାଞ୍ଚଳରେ ଗୋରୁ ରଖିବା ନିଷିଦ୍ଧ ହେଲା । 

ଏହି ଆଇନ ଗଉଡ଼ମାନଙ୍କ ଜୀବନଜୀବିକା ଉପରେ ଆଞ୍ଚ ଆଣୁଥିବା ଦର୍ଶାଇ ଗଉଡ଼ ସଂଘ (Orissa Milk Producers Association ) ଓଡ଼ିଶା ଉଚ୍ଚ ଅଦାଲତରେ ମକଦ୍ଦମା କଲେ । ହାରିଲେ ।  ସେମାନେ ଭାରତର ସର୍ବ୍ବୋଚ୍ଚ ଅଦାଲତରେ ଅପିଲ କଲେ ।  ହାରିଲେ । ଉଭୟ ଅଦାଲତରେ ନବୀନ ବାବୁଙ୍କ ସରକାର ନିଜ ଆଇନକୁ ରକ୍ଷା କରିବାକୁ ଯେଉଁ ନିଷ୍ଠା ପ୍ରଦର୍ଶନ କରିବା ଆବଶ୍ୟକ ଥିଲା ତାହା ଦେଖାଯାଇନଥିଲା । ତା ସତ୍ତ୍ୱେ ସରକାର ଜିତିଳେ ଓ ଗଉଡ଼ସଂଘ ହାରିଲା । କାରଣ , ଏହି ଦୁଇ ଅଦାଲତଙ୍କ ବିଚାରରେ ଭୁବନେଶ୍ଵରରେ ମଶା ଓ ପ୍ରଦୂଷଣମୁକ୍ତ ପରିସର ସୁନିଶ୍ଚିତ କରାଯିବା ଅପରିହାର୍ଯ୍ୟ  ଥିଲା। 

ଗଉଡ଼ସଂଘ ଦର୍ଶାଇଥିଲା ଯେ, ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେମାନଙ୍କୁ ଦୁଗ୍ଧ ବ୍ୟବସାୟ କରିବା ପାଇଁ ଭୁବନେଶ୍ଵରରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେମାନଙ୍କୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କ ବ୍ୟବସାୟ ଚାଲିବା ପାଇଁ ବିଜୁ ପଟ୍ଟନାୟକଙ୍କ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ ନବୀନବାବୁଙ୍କ ସରକାର ଜମି ଯୋଗାଇ ଦିଅନ୍ତୁ  । ସର୍ବୋଚ୍ଚ ଅଦାଲତ ଏହାକୁ  ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଥିଲେ, ଜନସାଧାରଣଙ୍କ ଜୀବନର ସୁରକ୍ଷା ସବୁ ସରକାରୀ ପ୍ରତିଶ୍ରୁତିଠାରୁ ଅଧିକ ମୁଲ୍ୟବାନ  (“ the doctrine of Promissory Estoppels will have no application”) ।. ଗଉଡ଼ମାନଙ୍କୁ ଭୁବନେଶ୍ଵର ସହର ସମେତ ସହର ସନ୍ନିକଟରୁ ନିକାଲି ଦେବା  ଓଡ଼ିଶା ସରକାରଙ୍କ ପାଇଁ ବାଧ୍ୟତାମୂଳକ  (the milkmen must be evicted from the limits of BMC and must not be rehabilitated anywhere in the City and its periphery, as “Right to environment being a fundamental right, it is the duty of the State to make it sure that people get a pollution free surrounding” ) ବୋଲି ସର୍ବୋଚ୍ଚ ଅଦାଲତ ଆଦେଶ ଜାରି କରିଥିଲେ  ।  ଏହି ଐତିହାସିକ  ନ୍ୟାୟିକ ଆଦେଶ (judgment) ୨.୨.୨୦୦୬ରେ ପ୍ରଦତ୍ତ ହୋଇଥିଲା ଓ (2006) 3 Supreme Court Cases 229 ରେ ପ୍ରକାଶ ପାଇଛି । 

ଅଥଚ ନବୀନ ପଟ୍ଟନାୟକ ସର୍ବୋଚ୍ଚ ଅଦାଲତ ଦ୍ଵାରା ସଂପୂର୍ଣ୍ଣ ସମର୍ଥିତ ଏହି ଆଇନକୁ କାର୍ଯ୍ୟକାରୀ କଲେନାହିଁ ଓ ଭୁବନେଶ୍ଵର ମଶାମୁକ୍ତ ହେବାର କୌଣସି ପରିସର ବି ରହିଲା ନାହିଁ  ।  ଫଳରେ ଆଜି ଏହି ଅବସ୍ଥା ଉପୁଜିଛି । 

ଲୋକଙ୍କୁ ଭୁଆଁ ବୁଲେଇବାକୁ ଗୋଟେ ଆଇନ କରିଦିଅ ଓ ତାହାକୁ ଅମାନ୍ୟ କର – ଏହା ହେଉଛି ନବୀନ ପଟ୍ଟନାୟକଙ୍କ ପୁରୁଣା ଅଭ୍ୟାସ । ଆଇନ ବିରୋଧୀ ଆଚରଣ ଓ ନବୀନ ଶାସନ – ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ଏହା ନହୋଇଥିଲେ, ଭୁବନେଶ୍ଵରରେ ଆଜି ମଶା ନଥାନ୍ତେ । 

ଡ୍ରୋନ୍ ମାଧ୍ୟମରେ ବିଷ ବର୍ଷଣ କରି ମଶାମାରଣ ପାଇଁ ବିଏମସି ମାଧ୍ୟମରେ ବାବୁ ନବୀନ ଯେଉଁ ନୂଆ ନାଟକ ଆରମ୍ଭ କରିଛନ୍ତି ତାହା ମଶା ବଂଶ ବିସ୍ତାର କରାଉଥିବା ଗଉଡ଼ମାନଙ୍କୁ ଭୁବନେଶ୍ଵରର ଗୁରୁତ୍ୱପୂର୍ଣ୍ଣ ସ୍ନାୟୁକେନ୍ଦ୍ରମାନଙ୍କରେ ସରକାରୀ ସ୍ଥାନରେ ଗୁହାଳ ରଖି ନିରାପଦରେ ଦୁଗ୍ଧ ବ୍ୟବସାୟ କରିବାରେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ।  ତାର କାରଣ,ଯାହା ମୁଁ ଶୁଣିଛି ଓ orissamatters. comରେ ପ୍ରକାଶ କରି ନବୀନଙ୍କ ସରକାରକୁ ସାମ୍ନାସାମ୍ନୀ କରାଇଛି, ତାହାକୁ ନବୀନବାବୁଙ୍କ ଦପ୍ତର ବା ବିଏମସି – କେହି ଏଯାଏଁ ଖଣ୍ଡନ କରିନାହାନ୍ତି ।  ବାରମ୍ବାର ମୁଁ ଏହା ଉପରେ ଆଲୋଚନା କରିଛି । ବଟି କାରବାର ଯଦି କ୍ଷମତାର ସର୍ବୋଚ୍ଚସ୍ତରକୁ ନିରସ୍ତ କରାଇନଥାନ୍ତା, ନିଜ ସପକ୍ଷରେ ସର୍ବୋଚ୍ଚ ନ୍ୟାୟଳୟର ସ୍ପଷ୍ଟ ନିର୍ଣ୍ଣୟ ସତ୍ତ୍ୱେ, ମଶା ଉତ୍ପାଦନକାରୀ ଗୋରୁ ଗୁହାଳ ଭୁବନେଶ୍ବର ତମାମ ଛାଇ ହୋଇ ରହିନଥାନ୍ତା । ଏଠାରେ ଥିବା ୪୦୦୦ ଗଉଡ଼ ସହରର ବିଭିନ୍ନ ସ୍ଥାନରେ ଗୋରୁ ରଖି ଦୁଗ୍ଧ ବ୍ୟବସାୟ କରୁଛନ୍ତି ଓ ସରକାରୀ ସୁରକ୍ଷା ଉପଭୋଗ କରିବା ପାଇଁ ପ୍ରତି ମାସରେ ଜଣକେ ଅନ୍ୟୁନ୍ୟ ୪୦୦୦ ଟଙ୍କା ବଟି ଦେଉଛନ୍ତି । ଅର୍ଥାତ୍ ମାସକୁ ଅବୈଧ ଭାବେ  କୋଟିଏ ଷାଠିଏ ଲକ୍ଷ ଟଙ୍କା  ବଟି ଆଦାୟ ହେତୁ ମଶା ବଂଶ ବିସ୍ତାରର ବ୍ୟବସ୍ଥା କାଏମ ରଖିବାକୁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶକୁ ମଧ୍ୟ ଅବଜ୍ଞା କରାହୋଇଆସିଛି  ।ଏକଥା  ମୁଁ ୨୬.୯.୨୦୧୫ରେ ପ୍ରକାଶ କରିଥିଲି, ଏବକୁ କେତେ ବଢିଲାଣି ତାହା ଏକ ବିଧିବଦ୍ଧ ତଦନ୍ତ ହେଲେ ଜଣା ପଡ଼ନ୍ତା  । 

ନବୀନ ପଟ୍ଟନାୟକ ତୁରନ୍ତ ଏହି ବଟି କାରବାର ବନ୍ଦ କରନ୍ତୁ , ନିଜ ପ୍ରଣୀତ ବିଏମସି ଆଇନ ୨୦୦୩ ଅନୁଯାୟୀ ଭୁବନେଶ୍ଵର ସହର ଓ ଆଖପାଖରେ ଥିବା ସମସ୍ତ ଗୁହାଳ ଅପସାରିତ କରି ମଶା ବଂଶ ବିସ୍ତାରର ବାସ୍ତବ ନିରାକରଣ କରନ୍ତୁ । ସେ ଚାହିଁଲେ ସପ୍ତାହକ ଭିତରେ ଏହା ହୋଇପାରିବ ଓ ରାଜଧାନୀ ଭୁବନେଶ୍ବର ସବୁଦିନ ପାଇଁ ମଶାମୁକ୍ତ ହେବ । ଯଦି ବଟି ଆଦାୟ ଭିତିରି  ଅଭିପ୍ରାୟ ହୋଇ ନଥାଏ, ତେବେ ସେ ଅବିଳମ୍ବେ ଏହା ଆରମ୍ଭ କରନ୍ତୁ ;  ଆକାଶମାର୍ଗରୁ ବିଷ ବର୍ଷଣ କରି ସାଧାରଣ ଲୋକଙ୍କ ଜୀବନ ସହ ଖେଳ ନଖେଳନ୍ତୁ  । 

ପଦ୍ମପୁରରେ ବିଜେପିର ପରାଜୟ ଓଡ଼ିଆ ଜାତିର ମାଟିମମତାର ବିଜୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପଦ୍ମପୁର ଉପନିର୍ବାଚନର ଔପଚାରିକ ଫଳ ଘୋଷଣା ଯଥାସମୟରେ ହେବ, ମାତ୍ର ଏହା ସ୍ପଷ୍ଟ ହୋଇସାରିଛି ଯେ, ସେଠାରେ ବିଜୟଟୀକା ନାଇବାକୁ ସଜବାଜ ହୋଇଥିବା ବିଜେପି ପରାଜୟ ଭୋଗିଛି, ବିଜୟ ଲାଭ କରିଛନ୍ତି ବିଜେଡ଼ିର ପ୍ରାର୍ଥିନୀ ।

ବିଧାନସଭାକୁ ଲୋକେ ଯାହାଙ୍କୁ ପଠାନ୍ତି, ତାଙ୍କର ମୁଖ୍ୟ କାମ ବିଧାନ ପ୍ରଣୟନ,  ରାଜ୍ୟ ପରିଚାଳନା ପାଇଁ ସରକାରଙ୍କୁ ଅର୍ଥ ପ୍ରଦାନ ଓ ବ୍ୟୟ ଅନୁମୋଦନ, ଦୃଶ୍ୟମାନ ଅପଶାସନ ଉପରେ ଆଲୋଚନା ଓ ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ, ଜନସାଧାରଣଙ୍କ ସ୍ଵାର୍ଥ ସେବା ପାଇଁ ପ୍ରଶାସନିକ ପରିବେଶ  ସଂସ୍ଥାପନ ଏବଂ ରାଜ୍ୟ ଶାସନରେ ଗଣତାନ୍ତ୍ରିକ ଚଳଣିର ସଂରକ୍ଷଣ ଓ ଅଗଣତାନ୍ତ୍ରିକ ଆଚରଣର ମୂଳୋତ୍ପାଟନ  ଏବଂ ଏଥିପାଇଁ ବିଧାୟକୀୟ ବ୍ୟବସ୍ଥା ଅବଲମ୍ବନ । 

ଏତଦ୍ଦୃଷ୍ଟିରୁ ଦେଖିଲେ, କୌଣସି ଅଭିଜ୍ଞତା ନଥିବା ନବଗତା ବିଜେଡି ପ୍ରାର୍ଥିନୀଙ୍କ ଅପେକ୍ଷା ପଦ୍ମପୁରର ସଚେତନ ଭୋଟରମାନେ ପ୍ରଚୁର ବିଧାୟକୀୟ ଅଭିଜ୍ଞତାସମ୍ପନ୍ନ  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ  ବହୁ ଅଧିକ ପରିମାଣରେ ସମର୍ଥନ କରିବା କଥା । ମାତ୍ର ସେ ହାରିଗଲେ କାହିଁକି? 

ହରିଗଲେ; କାରଣ, ମା ଓଡ଼ିଶାକୁ ହାଣିବା ପାଇଁ ଯେଉଁ ବିଚ୍ଛିନ୍ନତାବାଦୀ ସ୍ଵର ଓଡ଼ିଆ ଜାତିକୁ ଦୁଃଖରେ ଭିଜାଉଛି, ସେହି  ହୀନ ଚକ୍ରାନ୍ତର ଜନକ ହେଉଛି ବିଜେପି । କ୍ଷମତାଲିପ୍ସୁ ଅଟଳ ବିହାରୀ ବାଜପାୟୀ ଅଣଓଡ଼ିଆ ବେପାରୀମାନଙ୍କ ସହଯୋଗରେ ପଶ୍ଚିମ ଓଡ଼ିଶାରେ ଅଧିକ ଭୋଟ ପାଇବା ବିଶ୍ଵାସ କରି ତାହାକୁ ଏକ ସ୍ଵତନ୍ତ୍ର ରାଜ୍ୟ କରିବାର ବିଷ ମଞ୍ଜି  ପ୍ରଥମେ ବୁଣିଥିଲେ । ତହିଁ ଉପରେ ଆବଶ୍ୟକୀୟ ଆଲୋକପାତ କରି ୨୫.୩.୧୯୯୮ରେ ‘ସମ୍ବାଦ’ କାଗଜରେ ମୁଁ ଯେଉଁ ଚର୍ଚ୍ଚା ରଖିଥିଲି ତହିଁର ଶୀର୍ଷକ ଥିଲା ‘ଓଡ଼ିଶାପାଇଁ ବିଜେପି ବିପତ୍ତି’ । ଆଜିକୁ ୧୨ ବର୍ଷ ତଳେ କଟକର ‘ଭାରତ ଭାରତୀ’ ଦ୍ଵାରା ପ୍ରକାଶିତ ମୋର ସ୍ତମ୍ଭସଂହିତା  ‘ସିଂହାବଲୋକନ’ର ୩୩୦- ୩୫ ପୃଷ୍ଠାଚୟରେ ତାହା ସ୍ଥାନିତ ହୋଇଛି । ପଦ୍ମପୁରରେ ନିର୍ବାଚନ ଆସନ୍ନ ଜାଣି ଭୋଟ ହାସଲ ପାଇଁ ଲୋକଙ୍କୁ ବିଚ୍ଛିନ୍ନତାବାଦୀ ନିଶା ପିଆଇବାକୁ ବିଜେପି ସମର୍ଥକ ଗୋଷ୍ଠୀ ଯେଉଁ ଉଦ୍ୟମ କରିଥିଲେ ତାହା ନିଜ ମାଟିମାଆକୁ ଭଲ ପାଉଥିବା ଓଡ଼ିଆ ଭାଷା ଜାତୀୟତାର ପବନ ପୀଠ ପଶ୍ଚିମ ଓଡ଼ିଶାରେ ସଂଖ୍ୟା ଗରିଷ୍ଠ ଓଡ଼ିଆଙ୍କୁ ଗଭୀର ମାନସିକ ଯନ୍ତ୍ରଣା ଦେଇଥିଲା । ସେମାନେ ଏହି ଉପନିର୍ବାଚନରେ  ନୀରବରେ ନିଜର ରୋଷ ପ୍ରକଟ କରିଛନ୍ତି ବିଜେପି ବିରୁଦ୍ଧରେ । 

ଆମେରିକାନ ସ୍ଵାର୍ଥସେବା ପାଇଁ ମନମୋହନ ସିଂହ , ପ୍ରଣବ ମୁଖାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ଦେଶଦ୍ରୋହୀ ଆଚରଣ ହେତୁ କଂଗ୍ରେସକୁ ଲୋକେ ଯେଉଁ ଦଣ୍ଡ ଦେଇଛନ୍ତି ତାହା ସେମାନଙ୍କୁ ମଗରଗରୁ ଆଣି କାନ୍ତାରରେ  ପକାଇଥିଲେ ମଧ୍ୟ ଓଡ଼ିଶାର ଲୋକେ ସେହି ଦଳ ପ୍ରତି କୌଣସି କରୁଣା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ନୁହନ୍ତି । 

ଏହି ପରିସ୍ଥିତି  ହିଁ ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ , ଅପାରଗ, ଓଡ଼ିଆଦ୍ରୋହୀ  ପ୍ରବଞ୍ଚକ ନବୀନ ପଟ୍ଟନାୟକଙ୍କ ପ୍ରତି ହୃଦୟରେ ପ୍ରବଳ ବିତୃଷ୍ଣା ଓ ଘୃଣା ସତ୍ତ୍ୱେ ମାଟିର ନିଷ୍କଳଙ୍କ ଝିଅ ବର୍ଷା ସିଂ ବରିହାଙ୍କ ମଥା ଉପରେ ପଦ୍ମପୁରବାସୀଙ୍କ ଭୋଟ ବର୍ଷା କରାଇଛି । ପୋଷାମନା ମିଡ଼ିଆ ଏହାକୁ ନବୀନଙ୍କ ଜନପ୍ରିୟତାର ପ୍ରମାଣ ବୋଲି ପ୍ରଚାର କରିବା ସ୍ଵାଭାବିକ । ମାତ୍ର ନବୀନଙ୍କ ପ୍ରତି ସାଧାରଣ ଲୋକଙ୍କ ରୋଷ ଯଦି ପ୍ରବଳ ନଥାନ୍ତା ତେବେ ପ୍ରଦୀପ ପୁରୋହିତ କେବଳ ଅଣଓଡ଼ିଆ ଲାଭଖୋର ବେପାରୀଙ୍କ ପ୍ରଚୋଦନାରେ ଚାଲିଥିବା ବିଚ୍ଛିନ୍ନତାବାଦୀମାନଙ୍କ ନଗଣ୍ୟ ଭୋଟ ପାଇଥାନ୍ତେ, ୭୮୧୨୮ ଭୋଟ ପାଇପାରିନଥାନ୍ତେ; କାରଣ, କଂଗ୍ରେସର ସତ୍ୟ ଭୂଷଣ ସାହୁ ମଧ୍ୟ ବିଧାୟକୀୟ ଦକ୍ଷତାରେ ପୁରୋହିତଙ୍କ ପରି ଜଣାଶୁଣା ।

ବସ୍ତୁତଃ, ମନମୋହନ ସିଂହ , ପ୍ରଣବ ମୁଖାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ଅପକର୍ମ ହେତୁ ସୃଷ୍ଟି ହୋଇଥିବା ରୋଷ ଶାନ୍ତ ହୋଇନଥିବା ହେତୁ, କଂଗ୍ରେସର ପାରମ୍ପରିକ ସମର୍ଥକମାନେ ସେମାନଙ୍କ ଭୋଟ ନିଜ ଦଳୀୟ ପ୍ରାର୍ଥୀଙ୍କୁ ନଦେଇ ପୁରୋହିତଙ୍କୁ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି । ଏହା ସତ୍ତ୍ୱେ ଯେ ପୁରୋହିତ ହାରିଛନ୍ତି, ତାହା ତାଙ୍କ ଦୋଷରୁ ନୁହେଁ, ବରଂ ଓଡ଼ିଶାକୁ ଖଣ୍ଡ ବିଖଣ୍ଡ କରି ଅଣଓଡ଼ିଆଙ୍କୁ ଖୁସି କରାଇବାକୁ ଚାହୁଁଥିବା ବିଜେପି ଦୋଷରୁ ହାରିଛନ୍ତି । 

ଏହି ପ୍ରେକ୍ଷାପଟରେ ଏହା ହିଁ କୁହାଯାଇପାରେ ଯେ, ବର୍ଷାଙ୍କ ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ ନୁହେଁ , ପଶିମ ଓଡ଼ିଶାର ଅଣଓଡ଼ିଆ ବେପାରୀ ସଞ୍ଚଳିତ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ଓଡ଼ିଆ ଜାତିର ମାଟିମମତାର ବିଜୟ ।

ବିଚ୍ଛିନ୍ନତାବାଦୀ ବିଷବାହକ ବିଜେପିକୁ ଆଗାମୀ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ପରାଜିତ ହେବାକୁ ହେବ।

ହେତୁବାଦୀ ବନାମ ବ୍ରାହ୍ମଣ୍ୟବାଦୀ: ଏବଠୁ ଅତୀତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ହେତୁବାଦୀ ଓ ବ୍ରାହ୍ମଣ୍ୟବାଦୀମାନଙ୍କ ମଧ୍ୟରେ ଏକ ନୂଆ ବିବାଦ ଘଟି ଓଡ଼ିଶା ଏବେ ଅଶାନ୍ତି ଭୋଗୁଛି । ଅକ୍ଟୋବର ୨୫ରେ  ରାହୁଗ୍ରସ୍ତ ସୂର୍ଯ୍ୟପରାଗ ଓ ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହୋଇଥିଲା । ଏହି ଉଭୟ ଦିନକୁ ବ୍ରାହ୍ମଣ୍ୟବାଦୀମାନେ  ହାଣ୍ଡିଛାଡ଼ ଦିବସ ଅର୍ଥାତ୍, ଉପବାସ ଦିବସ ଭାବେ ପାଳନ କରିଥିଲେ । କିନ୍ତୁ ହେତୁବାଦୀମାନେ ଉପବାସ ପାଳନ ନକରି ଅଭ୍ୟାସଗତ ଭୋଜନ କରିଥିଲେ । ସେମାନଙ୍କ ଭିତରୁ କେହି କେହି ଅଭ୍ୟାସବଶତଃ ନିରାମିଷ ଭୋଜନ କରିଥିଲେ ; କେହି ବି ମାଂସମିଶା ଭାତ (ବିରିୟାନୀ) ଖାଇଥିଲେ । ଏହାକୁ ହିନ୍ଦୁ ଧର୍ମର  ଅବମାନନା ବୋଲି କହି ବ୍ରାହ୍ମଣ୍ୟବାଦୀମାନଙ୍କ ଭିତରୁ କେତେକ ବ୍ୟକ୍ତି , ଯେଉଁମାନେ କି ରାଜନୈତିକ ଚେତନାରେ ବିଜେପି ସହ ସମ୍ପୃକ୍ତ, ହେତୁବାଦୀମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକାରୀମାନଙ୍କ ସମର୍ଥକମାନେ ସାମାଜିକ ଗଣମାଧ୍ୟମରେ ହେତୁବାଦୀମାନଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳୀଳ ଶବ୍ଦବାଣ ପ୍ରହାର କରିବାରେ ଲାଗିଛନ୍ତି । ସେମାନଙ୍କ ମତ ହେଲା, ହେତୁବାଦୀମାନଙ୍କ ହେତୁ ହିନ୍ଦୁ ପରମ୍ପରା ଆକ୍ରାନ୍ତ ହୋଇଛି । ପରମ୍ପରା ଅର୍ଥ, ଯାହା ଅତୀତରୁ ଚାଲିଆସିଛି । ହିନ୍ଦୁ ନାମକ କୌଣସି ଧର୍ମ ଆଦିମ ଅତୀତରେ ନଥାଇ ମଧ୍ୟ ଯେତେବେଳେ ଆଧୁନିକ ଭାରତରେ ତାହା ଏକ ସ୍ୱୀକୃତ ଧର୍ମ , ସେହେତୁ ଏହି ଆଲୋଚନାରେ ହେତୁବାଦୀ ବନାମ ବ୍ରାହ୍ମଣ୍ୟବାଦୀ ବିଭାବନାକୁ ଅତୀତର ଆବର୍ତ୍ତରେ ଦେଖିବାକୁ ଚେଷ୍ଟା କରିବା । 

ବ୍ରାହ୍ମଣ୍ୟବାଦୀମାନେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଦେବତା ଏବଂ ରାହୁ ଓ କେତୁଙ୍କୁ ଅସୁର ବୋଲି ମାନନ୍ତି  । ଏହି ଅସୁରମାନେ ସେହି ଦେବତାମାନଙ୍କୁ ସୁବିଧାଜନକ ଅମାବାଶ୍ୟା ଓ ପୂର୍ଣ୍ଣମୀରେ ଗ୍ରାସ କରନ୍ତି । ଅସୁର କବଳରେ ଏହି ଦୁଇ ଦେବତା କଷ୍ଟ ଭୋଗୁଥିବା ବେଳେ, କୌଣସି ହିନ୍ଦୁ ଖିଆପିଆ କରିବା ସେହି ଦୁଇ ଦେବତାଙ୍କ ଅପମାନ । ଏହା କହନ୍ତି ବ୍ରାହ୍ମଣ୍ୟବାଦୀମାନେ । 

ହେତୁବାଦୀମାନଙ୍କ ପାଇଁ ସୂର୍ଯ୍ୟ ଓ ଚନ୍ଦ୍ର କୌଣସି ଦେବତା ନୁହନ୍ତି; ସେମାନେ ଯଥାକ୍ରମେ ସୌରମଣ୍ଡଳର ନକ୍ଷତ୍ର ଓ ପୃଥିବୀର ଉପଗ୍ରହ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ରର ଉପସ୍ଥିତି ହେତୁ ସୂର୍ଯ୍ୟପରାଗ ହେଉଥିବା ବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀର ଅବସ୍ଥିତି ହେତୁ ଚନ୍ଦ୍ର ଗ୍ରହଣ ହୋଇଥାଏ ।  ଏହି ହେତୁ ଏହି ଉଭୟ ସମୟରେ ହାଣ୍ଡିଛାଡ଼ ଓ ଖାଦ୍ୟ ତ୍ୟାଗ ଅନାବଶ୍ୟକ ବୋଲି ଯୁକ୍ତିଯୁକ୍ତ ମତ ରଖିବା ଥିଲା ହେତୁବାଦୀମାନଙ୍କ ପାଇଁ ସ୍ଵାଭାବିକ । 

ହିନ୍ଦୁ ଧର୍ମର ଏହା ଘୋର ଅବମାନନା ବୋଲି କହି ବ୍ରାହ୍ମଣ୍ୟବାଦୀମାନଙ୍କ ଭିତରୁ କେତେକ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଯଦିଓ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି, ତଥାପି ସାମାଜିକ ଗଣମାଧ୍ୟମ, ବିଶେଷତଃ ଫେସବୁକରେ, ଅତ୍ୟନ୍ତ ଅଶ୍ଳୀଳ ଶୈଳୀରେ ହେତୁବାଦୀମାନଙ୍କ ଉପରେ ଗାଳିବର୍ଷଣ ଚାଲିଛି । ମନେହୁଏ, ଯେକୌଣସି ପ୍ରକାରେ ସେମାନଙ୍କ ନୈତିକ ବଳ ଧ୍ଵଂସ କରିବା ହେଉଛି ବ୍ରାହ୍ମଣ୍ୟବାଦୀମାନଙ୍କ ଉଦ୍ଦେଶ୍ୟ । 

ଭାରତରେ ହେତୁବାଦୀମାନଙ୍କ ଉପରେ ଏପରି ଆକ୍ରମଣ ନୂଆ ନୁହେଁ ।

ହେତୁବାଦର ପ୍ରାଚୀନତା 

ପ୍ରାଚୀନତମ ସମୟରେ ଅରଣ୍ୟ ନିବାସୀ ଆଦିମ ଭାରତୀୟ ନାରୀ ଲକ୍ଷ୍ୟ କରିଥିଲା ଯେ, ଉପଯୁକ୍ତ ପରିମାଣର ପାଣି, ପବନ ଓ ସୂର୍ଯ୍ୟକିରଣ ପାଇଲେ ମାଟିରେ ପଡିଥିବା ଶୁଖିଲା ମଞ୍ଜିର ଅଙ୍କୁରୋଦ୍ଗମ ହୋଇ  ତାହା ଯେଉଁ ଗଛର ମଞ୍ଜି ସେହି ଗଛ ସୃଷ୍ଟି ହେଉଛି ଓ ତହିଁରୁ ସେହି ଫଳ, ସେହି ମଞ୍ଜି ଉତ୍ପନ୍ନ ହେଉଛି । କେଉଁ ପରିବେଶ ହେତୁ ଗଛରୁ ମିଳୁଥିବା ଫଳର ମଞ୍ଜି ସେହି ପ୍ରକାରର ଗଛ ସୃଷ୍ଟି କରେ ଓ ସେହି ଗଛରେ ସେହି ପ୍ରକାରର ଫଳ ଫଳି ତହିଁରୁ ପୁଣି ସେହି ପ୍ରକାରର ମଞ୍ଜି ବାହାରେ ତାହା ସେ ଅନୁଧ୍ୟାନ କରିଥିଲା ଓ  ସେହି ପରିବେଶ ଆପଣାଇ  ଶସ୍ୟ ଉତ୍ପନ୍ନ କରି ନିଜ ସନ୍ତାନର ଲାଳନପାଳନ କରୁଥିଲା । ଏହା ହିଁ ଆମ ଦେଶରେ ହେତୁବାଦର ପ୍ରାରମ୍ଭିକ ପ୍ରୟୋଗ  । ପରିବାର ଥିଲା ମାତୃକୈନ୍ଦ୍ରିକ । 

ବହିରାଗତଙ୍କ କର୍ତ୍ତୃବାଦ  

ଏହି ପ୍ରାକୃତିକ ଭୂଖଣ୍ଡକୁ ବାହାରୁ ଆସିଥିବା ଲୋକେ ଥିଲେ ଗୋପାଳକ । ସେମାନେ କୃଷିଜୀବୀ ନଥିଲେ । କିନ୍ତୁ ଆମ ଭୂଖଣ୍ଡର ଆଦିବାସୀ ମାଆମାନେ ମଞ୍ଜିରୁ ଗଛ ଓ ଗଛରୁ ମଞ୍ଜି ଉତ୍ପାଦନର ପଦ୍ଧତ୍ତି ଜାଣିଥିବା ହେତୁ, ଯେଉଁ ଶସ୍ୟ ଅମଳ କରୁଥିଲେ ତାହା ସେମାନେ ବଳ ପ୍ରୟୋଗ କରି ଲୁଣ୍ଠନ କରୁଥିଲେ । ସେମାନେ ନିଜକୁ ଆର୍ଯ୍ୟ ବୋଲି କହି ଆମ ମାଟିର ଆଦିମ ଅଧିବାସୀଙ୍କୁ ଅନାର୍ଯ୍ୟ ବୋଲି କହୁଥିଲେ । ଅନାର୍ଯ୍ୟମାନଙ୍କ  କଷ୍ଟୋପାର୍ଜିତ ଶସ୍ୟକୁ  ନିଜ ଅଧିକାରଭୁକ୍ତ କରିବା ପାଇଁ ସେହି ଆର୍ଯ୍ୟମାନେ ତାଙ୍କ ନିଜ ଭାଷାରେ ଆଇନ ପ୍ରବର୍ତ୍ତନ କରିଥିଲେ, ଯାହାକୁ  ସେମାନେ ବେଦବିଧାନ ବୋଲି କହୁଥିଲେ ।  ତଦନୁଯାୟୀ ମାଆମାନେ ଉତ୍ପାଦନ କରୁଥିବା ଶସ୍ୟ ସେମାନଙ୍କର ନୁହେଁ, ଅଦୃଶ୍ୟ କର୍ତ୍ତା ବ୍ରହ୍ମଙ୍କର ଯେ କି ବେଦବିଧାନର ବି ସୃଷ୍ଟିକର୍ତ୍ତା ବୋଲି ଘୋଷଣା କରୁଥିଲେ ସେମାନେ । ଯେହେତୁ ସେମାନେ ସେହି  ସୃଷ୍ଟିକର୍ତ୍ତାଙ୍କ ସନ୍ତାନ, ସେହେତୁ ଯେ କେହି ବି ଶସ୍ୟ ଉତ୍ପାଦନ କରିଥାଉ, ତହିଁର ପ୍ରକୃତ ମାଲିକ ହେଉଛନ୍ତି ସେହିମାନେ ହିଁ – ଏହା ଥିଲା ସମାନଙ୍କ ଦାବି । ସେମାନେ ତାଙ୍କ ସମାଜକୁ ବୈଦିକ ସମାଜ ବୋଲି ଆଖ୍ୟାୟିତ କରିଥିଲେ ଓ ବ୍ରହ୍ମଙ୍କ ସନ୍ତାନ ଭାବେ ବ୍ରାହ୍ମଣ ସାଜି ଆଦିମ ଅଧିବାସୀମାନଙ୍କ ଉପରେ ନିଜ କର୍ତ୍ତୃତ୍ଵ ଜାରି କରୁଥିଲେ । 

ଅବୋଧ୍ୟ ଶାସ୍ତ୍ର 

ଆମ ଓଡ଼ିଆ ଜାତିର ଅଙ୍ଗେ ନିଭା ଅନୁଭୂତି ହେଲା ବିଦେଶରୁ ଆସିଥିବା ବିଲାତି ବେପାରୀମାନେ ତାଙ୍କ ଭାଷାରେ ଆଇନ କରି ଆମ ଉପରେ ଆଧିପତ୍ୟ ଜାରି କରିଥିଲେ । ତହିଁରୁ ଗୋଟେ ଥିଲା ସୂର୍ଯ୍ୟାସ୍ତ ଆଇନ (Sun set Law) ଯେଉଁଥିରେ ଆମ ଜମିକୁ ତାଙ୍କ ନିଜ ଜମି ବୋଲି କହି ସେମାନେ ନିଲାମ କରୁଥିଲେ ।  ନିଲାମ ନେଇଥିବା ଲୋକ ଜମିଦାର ବୋଲାଉଥିଲା ଓ ସେମାନେ ଚାହିଁବା ପରିମାଣର ଖଜଣା ବି ସେମାନଙ୍କୁ ଦେଉଥିଲା । ଏପରି ଜମିଦାରଙ୍କ ଉପରେ ଧାର୍ଯ୍ୟ ଖଜଣାର ପରିମାଣ  ସେମାନେ ମନଇଚ୍ଛା ବଢାଇ ବି ଦେଉଥିଲେ ଓ କୌଣସି ଏକ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ ଯଦି ସେହି ଜମିଦାର ବର୍ଦ୍ଧିତ ଖଜଣା ଦାଖଲ କରୁନଥିଲା, ତେବେ ତାକୁ ସାନି ନିଲାମ ଡାକି ଅନ୍ୟକୁ ପ୍ରଦାନ କରୁଥିଲେ । 

ଏହା ଯେପରି, ଠିକ୍ ସେହିପରି ମଧ୍ୟ ସେହି ଆଦିମ ସମୟରେ କର୍ତ୍ତୃବାଦୀ ଆର୍ଯ୍ୟମାନେ ଅବୋଧ୍ୟ ଭାଷାରେ ମନ୍ତ୍ର ରଚନା କରି  ତଦନୁଯାୟୀ ଆମ ଆଦିବାସୀମାନଙ୍କ ସମସ୍ତ ସମ୍ପତ୍ତି ଉପରେ ନିଜ ଆଧିପତ୍ୟ ଜାରି କରିଥିଲେ । 

ଏଥିପାଇଁ ସେମାନେ ନିଜ ମୁହଁରୁ ଯାହା ବାହାରିଲା ତାକୁ ବେଦ ବୋଲି କହି ତାହା ବିଧାତା ପ୍ରଦତ୍ତ ବୋଲି କହୁଥିଲେ ଓ ତାହାକୁ ଯିଏ ନମାନିଲା  ତାକୁ ମ୍ଳେଚ୍ଛ ବୋଲି କହି ମୃତ୍ୟୁ ଦଣ୍ଡ ବି ଦେଉଥିଲେ  । ଯେହେତୁ ସେମାନେ ବିଧାତା ବ୍ରହ୍ମାଙ୍କ ମୁଖନିସୃତ ବେଦର ଅଧିକାରୀ ସେହେତୁ ନିଜ ନିଜକୁ ବ୍ରାହ୍ମଣ ବୋଲି କହୁଥିଲେ । 

ଶୋଷୋଣଚକ୍ର 

ଏହି ବ୍ରାହ୍ମଣମାନଙ୍କ ନିଷ୍ପତ୍ତି କ୍ରମେ ଆର୍ଯ୍ୟ ଗୋଷ୍ଠୀର ସବୁଠୁ ବଳୁଆ ଲୋକ ରାଜା ହେଉଥିଲା ଓ ଆଉ ଥୋଡ଼େ ବଳୁଆ ଲୋକ ତାର ସୈନ୍ୟ ସାଜି ସେମାନଙ୍କ ଅବୋଧ୍ୟ ଶାସ୍ତ୍ର ଆଧାରରେ ସଂତ୍ରାସ ସୃଷ୍ଟି କରୁଥିଲେ  । ଏପରି ଶାସ୍ତ୍ରୀୟ ସଂତ୍ରାସ ଚଳାଇଥିବା ବେଦଜ୍ଞ ବ୍ରାହ୍ମଣମାନେ  ବାହୁବଳୀମାନଙ୍କର ସହାୟତାରେ ଭାରତର ଅରଣ୍ୟମାନଙ୍କରେ କୃଷିଭିତ୍ତିକ ମାତୃପ୍ରଧାନ ସମାଜ ପ୍ରତିଷ୍ଠା କରିଥିବା ଆଦିମ ଜନଜାତି ଉପରେ କିପରି ଅତ୍ୟାଚାର ଚଳାଇଥିଲେ ତାହାର ଦୀର୍ଘ ତାଲିକାରୁ ରାମାୟଣରେ ବର୍ଣ୍ଣିତ ଗୋଟିଏ ଘଟଣାକୁ  ଦୃଷ୍ଟାନ୍ତ ଭାବେ ନିଆଯାଇପାରେ । ଋଷି ବିଶ୍ଵାମିତ୍ରଙ୍କ ଆଖି ପଡ଼ିଥିଲା ଆଦିବାସୀ ମହିଳା ତାଡ଼କାଙ୍କ ନଦୀକୂଳବର୍ତ୍ତୀ ଉର୍ବର ଭୁଇଁଖଣ୍ଡିକ ଉପରେ । ରାଜା ଦଶରଥଙ୍କ ପୁଅ ରାମଚନ୍ଦ୍ରଙ୍କ ହାତରେ ସେ ତାକୁ ହତ୍ୟା କରାଇଥିଲେ । ଏହି ଘଟଣାର ସମାଜତାତ୍ତ୍ଵିକ ବିଶ୍ଳେଷଣ ହୋଇନାହିଁ ; କାରଣ ରାମଙ୍କୁ ଭଗବାନ ସଜାଇ ତାଙ୍କ ଆଚରଣକୁ ପ୍ରଶ୍ନାତୀତ କରାଯାଇଛି ।  

ଏପରି ପ୍ରଚଣ୍ଡ ଅତ୍ୟାଚାର ଚଳାଇଥିବା ସେହି ଆର୍ଯ୍ୟମାନେ ଆମ ଆଦିମ ଅଧିବାସୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅବୋଧ୍ୟ ଭାଷାରେ ଯେଉଁ ଶାସ୍ତ୍ର  ପ୍ରବର୍ତ୍ତନ କରିଥିଲେ, ତହିଁର ଉଦ୍ଘୋଷଣ ହେଲା:  ପରମବ୍ରହ୍ମ ସାରା ସଂସାରକୁ ସୃଷ୍ଟି କରିଛନ୍ତି ଏବଂ ତଦନୁଯାୟୀ ସଂସାର ଚଳାଇବା ପାଇଁ ସେମାନଙ୍କୁ  ବେଦ ପ୍ରଦାନ କରିଛନ୍ତି  । ସେହି ପରମବ୍ରହ୍ମ ଯେହେତୁ ସେମାନଙ୍କୁ  ବେଦମନ୍ତ୍ର ଓ ତା’ର ପ୍ରୟୋଗ ଅଧିକାର ଦେଇଛନ୍ତି, ସେହେତୁ  ସଂସାର ଚଳାଇବା ପାଇଁ ସେମାନଙ୍କ କର୍ତ୍ତୃତ୍ତ୍ଵକୁ ଅନ୍ୟମାନେ ମାନିବା ଦରକାର ।

ଚତୁର୍ବର୍ଣ୍ଣ ତିଆରି ଓ ବ୍ରାହ୍ମଣ୍ୟବାଦର ଉଦ୍ଭବ 

ଏହି କର୍ତ୍ତୃତ୍ଵ  କାର୍ଯ୍ୟକାରୀ କରିବା ପାଇଁ  ସେମାନେ ପ୍ରଥମେ ବାହୁବଳେନ୍ଦ୍ରମାନଙ୍କୁ କିପରି ନିଜ ସପକ୍ଷକୁ ଆଣି  ଅନ୍ୟକୁ କ୍ଷତବିକ୍ଷତ କରି କ୍ଷତି ପହଞ୍ଚାଇବାର ମାନସିକତା ଓ ସାମର୍ଥ୍ୟ  ଥିବା ହେତୁ ସେମାନଙ୍କୁ କ୍ଷତ୍ରିୟ ବୋଲି ଆଖ୍ୟାୟିତ କରିଥିଲେ ଓ ସେମାନଙ୍କ ଭିତରୁ ସବୁଠୁ ବଳୁଆ ଓ ନୃଶଂସ ବ୍ୟକ୍ତିକୁ ରାଜା ବନାଇ ତା ସହାୟତାରେ ସମସ୍ତଙ୍କ ଉପରେ ଆଧିପତ୍ୟ ଚଳାଇଥିଲେ ତାହା ପୂର୍ବରୁ ସୂଚିତ ହୋଇଛି । ଏହିପରି ଭାବେ ବ୍ରାହ୍ମଣ ଓ କ୍ଷତ୍ରିୟ – ଦୁଇ ବର୍ଣ୍ଣ ପ୍ରତିଷ୍ଠିତ ହୋଇଗଲା ପରେ ଧନ ଆୟରେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଲୋକ ଖୋଜାପଡ଼ିଲେ । ବଳରେ ଊଣା କିନ୍ତୁ ବୁଦ୍ଧିରେ ପ୍ରଖର ଥିବା ଥୋଡ଼େ ଲୋକ ଏମାନଙ୍କ ବଶ୍ୟତା ସ୍ଵୀକାର କରି ଏମାନଙ୍କ ପାଇଁ ଧନ ଅର୍ଜନ କରିବାକୁ  ସମ୍ମତ ହେବାରୁ ସେମାନଙ୍କୁ  ବୈଶ୍ୟ ବୋଲି ଆଖ୍ୟାୟିତ କରି ଅବଶିଷ୍ଟ ସମଗ୍ର ମାତୃପ୍ରଧାନ ଆଦିମ ଅଧିବାସୀମାନଙ୍କୁ ଶୂଦ୍ର ତାଲିକାରେ ରଖିଥିଲେ ସେହି କର୍ତ୍ତୃବାଦୀ ବ୍ରାହ୍ମଣମାନେ ଓ ବିଭିନ୍ନ ଦେବତା ସୃଷ୍ଟି କରି ସାଧାରଣ ମଣିଷ ପାଇଁ ଅବୋଧ୍ୟ ବେଦମନ୍ତ୍ର ସହାୟତାରେ ସେମାନଙ୍କ ପୂଜାର୍ଚ୍ଚନା ଚଳାଇ ସମାଜର ସର୍ବୋଚ୍ଚ ନିୟନ୍ତ୍ରକ ଭାବେ ନିଜକୁ ଜାରିକରିଥିଲେ  ।  ଅବଲୀଳାକ୍ରମେ ଏହି ବ୍ରାହ୍ମଣମାନଙ୍କ ମଧ୍ୟରୁ ବ୍ରାହ୍ମଣ୍ୟବାଦୀ ବାହାରିଲେ, ଯେଉଁମାନେ ନିଜନିଜକୁ ଦେବତା ବୋଲି ବି କହିଲେ । ଏବେ ବି ଗାଁଗହଳରେ “ବ୍ରାହ୍ମଣଦେବତା” ଶବ୍ଦ ଶୁଣିବାକୁ ମିଳେ । 

ସେମାନଙ୍କ ଆସ୍ଫାଳନ ଅନୁଧ୍ୟାନ କରିବାକୁ ଗୋଟିଏ ଶ୍ଳୋକ ଯଥେଷ୍ଟ । ତାହା ହେଲା- 

ଦୈବାୟତଂ ଜଗତ୍ସର୍ବଂ   ମନ୍ତ୍ରାଧୀନଂ  ତତ୍ ଦୈବତମ୍ 

ତତ୍   ମନ୍ତ୍ରଂ ବ୍ରାହ୍ମଣାଧୀନା  ତସ୍ମାତ୍ ବ୍ରାହ୍ମଣ ଦୈବତମ୍ ॥  

ଅର୍ଥାତ୍ ସମଗ୍ର ଜଗତ ଦୈବର ଅଧୀନ , ଦୈବ ମନ୍ତ୍ରର ଅଧୀନ, ମନ୍ତ୍ର ବ୍ରାହ୍ମଣର ଅଧୀନ , ତେଣୁ ବ୍ରାହ୍ମଣ ହିଁ  ଦୈବ ସମ ସମଗ୍ର ସଂସାରର ଅଧିପତି  । ସୁତରାଂ ବ୍ରାହ୍ମଣ ଶ୍ରମ ନକରନ୍ତି । ବ୍ରାହ୍ମଣେତର ବ୍ୟକ୍ତିମାନେ ନିଜେ ପରିଶ୍ରମ କରି ଯାହା ଉତ୍ପାଦନ ବା ଆହରଣ କରିବେ ତାହା ବ୍ରାହଣମାନଙ୍କ ରୁଚି ଅନୁସାରେ ସେମାନଙ୍କୁ ଦେଇ ପୋଷିବେ । 

ଏହାକୁ କ’ଣ ଆଦିମ ଭାରତୀୟମାନେ, ଯେଉଁମାନେ କୌଣସି ଅଦୃଶ୍ୟ କର୍ତ୍ତାକୁ  ଗ୍ରହଣ କରୁନଥିଲେ, ଓ ଯାହା କିଛି ଘଟେ ତାହା ନିର୍ଦ୍ଦିଷ୍ଟ କାରଣ ହେତୁ ଘଟେ ବୋଲି ନିଃସନ୍ଦେହ ଥିଲେ, ମାନି ନେଇଥିଲେ? 

ନା । 

ଧ୍ଵସ୍ତପ୍ରଜ୍ଞ

ସେମାନଙ୍କ ମତରେ ଏପରି ଆସ୍ଫାଳନକାରୀମାନେ ଥିଲେ ଧ୍ଵସ୍ତପ୍ରଜ୍ଞ । ଯଥା-

ବେଦଂ  ପ୍ରାମାଣ୍ୟଂ କସ୍ୟଚିତ୍ କର୍ତ୍ତୃବାଦଃ

ସ୍ନାନେ ଧର୍ମେଚ୍ଛା ଜାତିବାଦବଲେପଃ

ସନ୍ତାପାରାମ୍ଭଃ ପାପହାନାୟଚେତି

ଧ୍ଵସ୍ତ ପ୍ରଜ୍ଞାନାଂ ପଞ୍ଚଲିଙ୍ଗାନିଜାଡ୍ୟେ ॥ 

ଅର୍ଥାତ୍, ବେଦକୁ  ଅଲଙ୍ଘ୍ୟ ମନେକରିବା , ଯାହାକିଛି ହେଉଛି ତାହା ଜଣେ ଅଦୃଶ୍ୟ କର୍ତ୍ତାଙ୍କ ଦ୍ଵାରା ହେଉଛି ବୋଲି ବିଶ୍ଵାସ କରିବା ,  ଧର୍ମ ଅର୍ଜନ ପାଇଁ ପାଣିରେ ବୁଡ଼ଦେବା , ଜାତିବାଦରେ ଜଡ଼ିତହେବା  ଓ ପାପ ବିମୋଚନ ପାଇଁ  ଓଷାଉପବାସ କରିବା – ଧ୍ଵସ୍ତପ୍ରଜ୍ଞ ବା ବୁଦ୍ଧିଭ୍ରଷ୍ଟ ହୋଇଥିବା ଲୋକର ଏ ପାଞ୍ଚ ଲକ୍ଷଣ । 

ଅତଏବ, କେବଳ ଏବେ ନୁହଁ , ସୁପ୍ରାଚୀନ ଅତୀତରେ ମଧ୍ୟ ହେତୁବାଦୀ ଓ ବ୍ରାହ୍ମଣ୍ୟବାଦୀଙ୍କ ମଧ୍ୟରେ ବାସ୍ତବତା ଓ ଅନ୍ଧବିଶ୍ଵାସକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା ।