ଅକର୍ମଣ୍ୟ ବିଧାନସଭା: ଓଡ଼ିଆ ଜାତିର ଜାତୀୟ ଲଜ୍ଜା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ବିଧାନସଭା ପୂର୍ବ ନିର୍ଦ୍ଧାରିତ କର୍ମନିର୍ଘଣ୍ଟ ନାଟକୀୟ ଶୈଳୀରେ ଉଜେଇଁ ଦେଇ ଉପଯୁକ୍ତ ବିଧାୟକୀୟ ବିଜ୍ଞତା ବିନା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରିଛି । ଯେପରିଭାବେ ଏହି ଅଧିବେଶନ ଚାଲିଥିଲା ତାହା ଏହି ବିଧାନସଭାର ଅକର୍ମଣ୍ୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ଓଡ଼ିଆ ଜାତିର ଜାତୀୟ ଲଜ୍ଜା ସତେ ଅବା ଆଉ ଅନୁଭବ୍ୟ ନୁହେଁ । ଶାସକ ଦଳ ଯଦି ବିଧାନସଭାକୁ କହେ – ଆଲୋଚନା ପାଇଁ ଆଉ କୌଣସି ପ୍ରସଙ୍ଗ ନାହିଁ , ତେବେ କି ଶାସନ ଚାଲିଛି? 

ବିରୋଧୀ ଦଳମାନେ ଯଦି ଆଲୋଚନାରେ ସହଯୋଗ ନ କଲେ, ଶାସକ ଦଳର ସଭ୍ୟମାନେ ଆଲୋଚନା କରିବାରେ କିଛି ବାଧା ଥିଲା? ଗୃହ ଚଳାଇବାରେ ବାଚସ୍ପତିଙ୍କ କର୍ତ୍ତବ୍ୟ ଆଉ କେହି ତୁଲାଇବ କି? ବାଚସ୍ପତି ଆତ୍ମସମୀକ୍ଷା କରନ୍ତୁ । ସେ ତାଙ୍କ କର୍ତ୍ତବ୍ୟ ପାଳନ ନ କରିବା ଯେ ଏହି ଅଧିବେଶନ କାଳରେ ବିଧାନସଭା ଅକର୍ମଣ୍ୟ ହୋଇଯିବାର ଏକ ମୁଖ୍ୟ କାରଣ , ଏହା ହୃଦ୍ବୋଧ ହେବାର ଆବଶ୍ୟକତା ଅଛି । 

ପରିସ୍ଥିତି ଯାହା ବି ହେଉ , ବିଧାୟକୀୟ ବିଜ୍ଞତା ଦ୍ଵାରା ବିଧାନସଭା ଚାଲିବା ଆବଶ୍ୟକ ।  ଏହା ନ ହେଲେ ଓଡ଼ିଶା ବିଧାନସଭା ଅପ୍ରାସଙ୍ଗିକ ହୋଇଯିବ । ଏହା ହେବ ଆମ ଜାତିର ଜାତୀୟ ଲଜ୍ଜା ।  

କୃଷକର ସିଂହରଡ଼ି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯାଜପୁରର ଖଟିଖିଆ କୃଷକ ରବୀନ୍ଦ୍ରନାଥ ସାହୁ ଏ ଗୀତଟି ଲେଖୁଥିବା ବେଳେ ମୁଁ ଲକ୍ଷ କରୁଥିଲି । ମୋ ଅନୁରୋଧକ୍ରମେ ସେ ଏହା ଗାଇଥିଲେ ।

ନିମ୍ନସ୍ଥ ସଂଯୋଗ (link) ସହାୟତାରେ ସଂଗ୍ରାମରତ କୃଷକର ଏହି ସିଂହରଡ଼ି  ଶୁଣନ୍ତୁ । କୃଷକ ବିରୋଧୀ ସରକାରୀ ନିଷ୍ପତ୍ତି ଦିନେ ଯେଉଁ ଅବସ୍ଥା ସୃଷ୍ଟିକରିପାରେ ତାହାର ଏକ ଝଲକ ଏଥିରେ ଅନୁଭବ କରିହେବ । 


https://soundcloud.com/orissamatters/song-for-tomorrow-sung-from-the-farmers-heart

 

ପରୀର ହତ୍ୟା : ମୁଖ୍ୟମନ୍ତ୍ରୀ ହିଁ ଉତ୍ତରଦାୟୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆଏ ଯଦି ନିଜକୁ ଏକ ପରିବାର ବୋଲି ଭାବୁଥାଉଁ , ତେବେ ଯେଉଁ ପ୍ରଶ୍ନ ଉପରେ ଆମେ ଏବେ ଗୁରୁତ୍ଵ ଦେବା ଆବଶ୍ୟକ, ତାହା ହେଲା: ପରୀ ହତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରଦାୟୀ କି ନୁହଁ ? ମୋ ବିଚାରରେ ସେ ହିଁ ଉତ୍ତରଦାୟୀ । କାହିଁକି, ମୁଁ ତାହା କହିବି । 

ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ୫ ବର୍ଷିୟା ଝିଅଟି ଗାଁ ଦାଣ୍ଡରେ ଖେଳୁଥିଲା ; କିନ୍ତୁ ଖୋଜିଲେ ମିଳୁନି ବୋଲି ଅଭିଯୋଗ ପାଇଲା ପରେ ପୋଲିସ ଯଦି ତାକୁ ଖୋଜିବାକୁ ତତ୍ପରତା ପ୍ରକାଶ କରିଥାନ୍ତା, ହୁଏତ ସେ ହତ୍ୟାର ଶିକାର ହୋଇନଥାନ୍ତା । ପୋଲିସ କାହିଁକି ଖୋଜିଲାନାହିଁ ତାର ଉତ୍ତର ଆମେ ପୋଲିସ-ମନ୍ତ୍ରୀଙ୍କଠାରୁ ପାଇବା ଆବଶ୍ୟକ । ପୋଲିସ-ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ।

ବସ୍ତାରେ ବନ୍ଧା ଗଳିତ ଶବ ରାଜ୍ୟ ଅପରାଧ ଅନୁସନ୍ଧାନ ପ୍ରୟୋଗଶାଳା ଦ୍ଵାରା ପରୀର ଶବ ବୋଲି ସାବ୍ୟସ୍ତ ହୋଇସାରିବା ପରେ ତା ପାଇଁ ପଞ୍ଜୀକୃତ ଘଟଣାକୁ ହତ୍ୟାକାଣ୍ଡକୁ ପରିବର୍ତ୍ତିତ କରିସାରିବା ପରେ ସମ୍ପୃକ୍ତ ପୋଲିସ ଆତତାୟୀକୁ ଧରିବା ପାଇଁ ଯେଉଁ ତତ୍ପରତା ପ୍ରକାଶ କରିବା କଥା ତାହା କଲା ନାହିଁ । କାହିଁକି କଳା ନାହିଁ? ଏହାର ଉତ୍ତର ଆମେ ପୋଲିସ-ମନ୍ତ୍ରୀଙ୍କଠାରୁ ପାଇବା ଆବଶ୍ୟକ । ପୋଲିସ-ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ।

ପୋଲିସର ଏହି ରହସ୍ୟଜନକ ନିଷ୍କ୍ରିୟତା ବିରୁଦ୍ଧରେ ନୟାଗଡ଼ଜିଲ୍ଲାର ଦୁଇ ବିବେକରକ୍ଷକ ଭୁବନ ଚାନ୍ଦ ହାତୀ ଓ ଶାନ୍ତନୁ ବିଷୋଇ ୧୯.୧୦. ୨୦୨୦ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଜଣାଇଲେ କି, ଯଦି ଏହି ମର୍ମନ୍ତୁଦ ହତ୍ୟାର ଅପରାଧୀକୁ ସପ୍ତାହକ ଭିତରେ ଧରା ନ ଯାଏ, ପରୀ ପାଇଁ ନ୍ୟାୟ ଦାବିରେ ସେମାନେ ଅନଶନ ଧର୍ମଘଟ କରିବେ । ଏହା ତ ମୁଖ୍ୟମନ୍ତ୍ରୀଙ୍କ ଅବଗତିକୁ ତତ୍କାଳ ଆସିବାକୁ ବାଧ୍ୟ; କାରଣ ଏହା ହିଁ ପ୍ରଶାସନିକ ବ୍ୟବସ୍ଥା । ଜିଲ୍ଲା ପ୍ରଶାସନ କାହିଁକି ନୀରବ ରହିଲା? ଏହାର ଉତ୍ତର ଆମେ ସାଧାରଣ ପ୍ରଶାସନ ଓ ପୋଲିସ-ମନ୍ତ୍ରୀଙ୍କଠାରୁ ପାଇବା ଆବଶ୍ୟକ । କାରଣ, ଏହି ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ।

କେବଳ ଏତିକି ନୁହଁ, ସେମାନେ “ମିସନ୍ ପରୀ” (Mission Pari ) ନାମକ ଏକ ନଭମଞ୍ଚ ସ୍ଥାପନ କରି ସାମାଜିକ ଗଣମାଧ୍ୟମରେ ଏହି ଦୁଃଖଦ ଦୃଶ୍ୟପଟ ରଖିଥିଲେ । ଏତଦ୍ଦ୍ବାରା ସମଗ୍ର ଓଡ଼ିଶା ଏହା ଅବଗତ ହୋଇଥିଲା । ନୟାଗଡ଼ ପ୍ରଶାସନ ଓ ପୋଲିସ କଣ କଲେ? ଏହାର ଉତ୍ତର ଆମେ ସାଧାରଣ ପ୍ରଶାସନ ଓ ପୋଲିସ-ମନ୍ତ୍ରୀଙ୍କଠାରୁ ପାଇବା ଆବଶ୍ୟକ । ଏହି ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ।

ଘୋଷଣା ମୁତାବକ ଆମରଣ ଅନଶନ ଆରମ୍ଭ କଲେ ଭୁବନ ଓ ଶାନ୍ତନୁ ୨୮.୧୦.୨୦୨୦ ତାରିଖରେ । ପରୀର ହତ୍ୟାକାରୀକୁ ଧରିବା କ୍ଷେତ୍ରରେ ନିଷ୍କ୍ରିୟ ଥିବା ସ୍ଥାନୀୟ ପୋଲିସ ଅନଶନକାରୀଙ୍କ ବିରୁଦ୍ଧରେ ସକ୍ରିୟ ଉଠିଲା । ଅନଶନ ଭାଙ୍ଗିବାକୁ ବଳ ପ୍ରୟୋଗ କଲା । ଥାନା ଇନ୍ସପେକ୍ଟର ସେମାନଙ୍କୁ ୨୯.୧୦.୨୦୨୦ ତାରିଖ ରାତିରେ ଉଠାଇ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ୱାସ୍ଥ୍ୟଭଗ୍ନ ଆଳରେ । ପରୀକ୍ଷାରେ ଦେଖାଗଲା, ସେମାନେ ସଂପୂର୍ଣ୍ଣ ସୁସ୍ଥ । କୋବିଦ ପରୀକ୍ଷା ବି ହେଲା । ସଂକ୍ରମଣ ନଥିଲା । ସେହି ଡାକ୍ତରଖାନାରେ ସେମାନେ ସେହିପରି ଆମରଣ ଅନଶନରେ ରହିଲେ । ନଭେମ୍ବର ୨ ତାରିଖରେ ଜିଲ୍ଲା ପୋଲିସ ମୁଖ୍ୟ ଓ ଉପଜିଲ୍ଲାପାଳ ପହଞ୍ଚି ପରୀ ହତ୍ୟାକାରୀକୁ ଧରିବା ପାଇଁ ସମସ୍ତ ଉଦ୍ୟମ ହେବ ବୋଲି ଘୋଷଣା କଲା ପରେ ଅନଶନ ଭାଙ୍ଗିଲା । ଏହି ସାମାଜିକ ଉଦ୍ବେଳନର ପ୍ରତିସ୍ତରର ଟିକିନିଖି ଖବର ରାଜ୍ୟ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅବଗତିକୁ ଯାଉଥିଲା । ତା ପରେ କଣ ହେଉଥିଲା? ଏହାର ଉତ୍ତର ଆମେ ସାଧାରଣ ପ୍ରଶାସନ ଓ ପୋଲିସ-ମନ୍ତ୍ରୀଙ୍କଠାରୁ ପାଇବା ଆବଶ୍ୟକ । ଏହି ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ।

ପରୀ ପାଇଁ ସାଧାରଣ ଲୋକଙ୍କ ଅନଶନ ଭାଙ୍ଗିଗଲା ପରେ ସଂପୂର୍ଣ୍ଣ ହତାଶ ହୋଇପଡ଼ିଥିବା ତାର ବାପା ମା ବସିଥିବା ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବାକୁ ବସିବାରୁ ପୋଲିସ ଯେପରି ସେମାନଙ୍କ ଉପରେ ଝାମ୍ପି ପଡ଼ିଲା, ତାହା ଟିଭି ପ୍ରସାରଣରେ ଦେଖି ବିଧାନସଭା ପଡ଼ିଲାଉଠିଲା । କେନ୍ଦ୍ରୀୟ ଅପରାଧ ତଦନ୍ତ ସଂସ୍ଥା (CBI) ଦ୍ଵାରା ତଦନ୍ତର ଦାବି ଜୋର ଧରିଲା । ସରକାର ନିଜ ପୋଲିସର ଅପରାଧ ତଦନ୍ତ ଶାଖା ଦ୍ଵାରା ତଦନ୍ତ କରିବାକୁ ଘୋଷଣା କଲେ । ସେ ଚାଲ୍ ନ ଚଳିବାରୁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ହେଲେ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଗଠନର ସୁରାକ ଦେଇଛନ୍ତି ଏଇ ଗତ ୨୭ ତାରିଖରେ । ଏହାର ଗଠନ ନିର୍ଭର କରୁଛି ଓଡ଼ିଶା ହାଇ କୋର୍ଟଙ୍କ ଉପରେ ।  ପରୀର ବାପା ମା ଯଦି ବସିଥିବା ବିଧାନସଭା ସାମ୍ନାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିନଥାନ୍ତେ ଓ ତଦ୍ଦ୍ଵାରା ବିଧାନସଭା ଦୁଲୁକି ନଥାନ୍ତା , ସ୍ଵତନ୍ତ୍ର ଅନୁସନ୍ଧାନ କଥା ମୁଖ୍ୟମନ୍ତ୍ରୀ କହିଥାନ୍ତେ କି? ଏହାର ଉତ୍ତର ଆମେ ତାଙ୍କରିଠାରୁ ପାଇବା ଆବଶ୍ୟକ ।

ସ୍ଵତନ୍ତ୍ର ତଦନ୍ତ ପାଇଁ ରାଜିହେବା ଯାଏଁ ମୁଖ୍ୟମନ୍ତ୍ରୀ ଗଲେଣି । କିନ୍ତୁ ୧୪.୭.୨୦୨୦ରେ ପରୀ ନିଖୋଜ ହୋଇଥିବା ଏତଲା ପାଇ ଓ ୨୮.୭.୨୦୨୦ ତାରିଖରେ ରାଜ୍ୟ ଅପରାଧ ଅନୁସନ୍ଧାନ ପ୍ରୟୋଗଶାଳା ଦ୍ଵାରା ତାହା ପରୀର ଶବ ବୋଲି ନିଶ୍ଚିତ ହୋଇ ୨୭.୧୧.୨୦୨୦ ତାରିଖ ଯାଏଁ କୌଣସି ବିଶ୍ଵସନୀୟ ପଦକ୍ଷେପ ନନେଇଥିବା ସ୍ଥାନୀୟ ପୋଲିସ ଓ ଜିଲ୍ଲା ପୋଲିସମୁଖ୍ୟଙ୍କ ବିରୁଦ୍ଧରେ କି ପଦକ୍ଷେପ ନିଆ ଯାଇଛି? ଏହାର ଉତ୍ତର ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପାଇବା ଆବଶ୍ୟକ । କାରଣ, ସେ ହିଁ ଏ ଉତ୍ତରର ଆଇନ ସମ୍ମତ ଅଧିକାରୀ ।

ଭୁବନଚାନ୍ଦ ହାତୀ ଓ ଶାନ୍ତନୁ ବିଷୋଇ ଆଇନ ସମ୍ମତ ଆନ୍ଦୋଳନ ଚଳାଇଥିବା ବେଳେ ଓ ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଜବରଦସ୍ତି ଭର୍ତ୍ତି କରି ସେହି ନିଷ୍ପାପ ସାମାଜିକ ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ପୋଲିସ କାହିଁକି ଅପଚେଷ୍ଟା କରିଥିଲା? ଏହାର ଉତ୍ତର ଆମେ ପୋଲିସ-ମନ୍ତ୍ରୀଙ୍କଠାରୁ ପାଇବା ଆବଶ୍ୟକ । ପୋଲିସ-ମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ନଭେମ୍ବର ୨୭ ତାରିଖରେ ତାଙ୍କ ସମ୍ପାଦିତ ସମ୍ବାଦରେ ଏକ ଅଗ୍ରଲେଖ ଲେଖି ନବୀନବାବୁଙ୍କୁ ତାଙ୍କ ଶାସନରେ ଓଡ଼ିଶାର ଯେଉଁ ଭୟଙ୍କର ଅଧୋପତନ ଘଟିଛି ତାହା କହିବାକୁ କୁଣ୍ଠିତ ହୋଇନାହାନ୍ତି । ସେ କହିଛନ୍ତି ଏହି ଶାସନ ସମୟରେ “ପ୍ରଶାସକମାନେ କେବଳ ଅହଙ୍କାରୀ ହୋଇନାହାନ୍ତି, ଉତ୍ତରଦାୟିତ୍ଵ କଥାଟିକୁ ମଧ୍ୟ ସଂପୂର୍ଣ୍ଣ ଭୁଲିଯାଇଛନ୍ତି ।“ ଏହା ଉପରେ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ତାଙ୍କ ପ୍ରତ୍ୟଭିମତ ପାଇବା ଆବଶ୍ୟକ । କାରଣ, ସେ ହିଁ ତାଙ୍କ ସହଯୋଗୀଙ୍କ ଅଭିମତର ପ୍ରତ୍ୟଭିମତ ଦେବାକୁ ସମର୍ଥ । ତାଙ୍କ ଶାସନକୁ ତାଙ୍କରି ଜଣେ ସହଯୋଗୀ ଯେତେବେଳେ ଏସନ ଅପଶାସନର ଚରିତ୍ରପ୍ରମାଣପତ୍ର ଦେଇଛନ୍ତି, ସେତେବେଳେ ସେ ହିଁ ମୁଖ୍ୟମନ୍ତ୍ରୀ ଭାବେ ତହିଁ ଉପରେ ପ୍ରତିକ୍ରିୟା ରଖିବା ବିଧେୟ ।

ତତ୍ରସ୍ଥ ପୋଲିସ ଯଦି ଅଭିସନ୍ଧିମୂଳକ ଭାବେ ଏହି ଅପରାଧ ତଦନ୍ତରେ ଅବହେଳା କରିନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭାବୁଥାନ୍ତି, ତେବେ ସେ କାହିଁକି ସେପରି ଭାବୁଛନ୍ତି ତାହା ଅବିଳମ୍ବେ ଓଡ଼ିଶାର ଜନସାଧାରଣଙ୍କୁ କହିବା ବି ଦରକାର । ତା ନହେଲେ, ସ୍ପଷ୍ଟ ହୋଇଯିବ ଯେ, ହତ୍ୟା ଘଟଣାକୁ ବାଏଁ ବାଏଁ ଉଡ଼େଇ ଦେବାକୁ ପୋଲିସ ଷଡ଼ଯନ୍ତ୍ର ଚଳାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀ ସହ ସଲାସୁତରାରେ ଥିବା ପୋଲିସ ବିରୁଦ୍ଧରେ ସେ କି କାର୍ଯ୍ୟାନୁଷ୍ଠାନ କରିଛନ୍ତି ବା କରିବାକୁ ଯାଉଛନ୍ତି ତାହା ତୁରନ୍ତ ସ୍ପଷ୍ଟ କରନ୍ତୁ । କାରଣ ପୋଲିସ ଓ ପ୍ରଶାସନର ମନ୍ତ୍ରୀ ଭାବେ ସେ ହିଁ ପରୀ ହତ୍ୟାକାରୀ ଏଯାଏଁ ଧରା ନା ହୋଇଥିବା ପାଇଁ ତଥା ଉପରେ ଆଲୋଚିତ ପୋଲିସ ଚରିତ୍ର ପାଇଁ ଉତ୍ତରଦାୟୀ ।


ବୁଦ୍ଧ ଯେ ଜଗନ୍ନାଥ, ନାଗାର୍ଜୁନ ବେଶ ତାର ସଂକେତ ଦିଏ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।

ନାଗାର୍ଜୁନ କିଏ?

ବୁଦ୍ଧଙ୍କ ତିରୋଧାନ ପରେ ବୌଦ୍ଧ ଧର୍ମକୁ ଯିଏ ସମ୍ଭାଳିଥିଲେ ସେ ହେଲେ ନାଗାର୍ଜୁନ । ବୁଦ୍ଧଙ୍କର ମୃତ୍ୟୁ ହୋଇନି , ଶୂନ୍ୟତାକୁ ଘଟାନ୍ତର ହୋଇଛି ବୋଲି କହି ଯିଏ ଶୂନ୍ୟବାଦ ପ୍ରତିଷ୍ଠା କରିଥିଲେ ସେ ହେଲେ ନାଗାର୍ଜୁନ । ତାଙ୍କ ହେତୁ ବୁଦ୍ଧ ହୋଇଯାଇଥିଲେ ମହାଶୂନ୍ୟବ୍ୟାପୀ ଗୁରୁ ।

ବେଦବାଦୀମାନଙ୍କ କବଳରୁ ବୌଦ୍ଧଧର୍ମକୁ ରକ୍ଷା କରିବା ପାଇଁ ଏହା ହିଁ ଥିଲା ତତ୍କାଳୀନ ଶ୍ରେଷ୍ଠ ପନ୍ଥା । ସେଥିପାଇଁ ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାରେ ଶୂନ୍ୟବାଦର ଏତେ ଆଦର । ଓଡ଼ିଶାର ସର୍ବତ୍ର ଶୂନ୍ୟ ଆକାଶ ତଳେ ବୁଦ୍ଧୀୟ ମାତୃତତ୍ତ୍ଵର ପୂଜା । ଠାକୁର ନଥାଇ ପାରନ୍ତି ଓଡ଼ିଶାର କୌଣସି ଗାଁରେ, କିନ୍ତୁ ଗ୍ରାମ ଦେବତୀ ନଥାଇ କୌଣସି ଗାଁ ନାହିଁ । ସବୁ ଗ୍ରାମ ଦେବତୀ ଶୂନ୍ୟ ଆକାଶ ତଳେ, ଗଛ ମୂଳେ । ତାଙ୍କୁଇ କେନ୍ଦ୍ର କରି ଚାଲିଥାଏ ଗାଁର ଜୀବନ । ବୁଦ୍ଧ ଆଦିତ୍ୟ । ଆଦିତ୍ୟ ଗୋତ୍ରରେ ତାଙ୍କ ଜନ୍ମ (ଆଦିଚାନାମା ଗୋତ୍ତେନ) ବୋଲି ସେ ନିଜର ପରିଚୟ ଦେଲାବେଳେ କହିଥିଲେ ବିମ୍ବିସାରଙ୍କୁ । ତେଣୁ ସେ ସୂର୍ଯ୍ୟ । ସୂର୍ଯ୍ୟଙ୍କ ନିବାସ ଶୂନ୍ୟରେ । ତେଣୁ କାୟାତ୍ୟାଗ ପରେ ବୁଦ୍ଧଙ୍କ ଆସ୍ଥାନ ଶୂନ୍ୟରେ । ଏହା ହିଁ ଥିଲା ନାଗାର୍ଜୁନଙ୍କ ବୁଦ୍ଧୋତ୍ତର ବୌଦ୍ଧଦର୍ଶନ – ଶୂନ୍ୟତା ।

ଓଡ଼ିଶା ହୋଇଉଠିଥିଲା ଏହି ଶୂନ୍ୟ ଦର୍ଶନର ପବନ ପୀଠ । ତା ସତ୍ତ୍ୱେ ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାମାଟିରେ ବୌଦ୍ଧ ଧର୍ମ ସଙ୍କୁଚିତ ହୋଇ ଚାଲିଥିଲା ; କାରଣ ବେଦବାଦୀମାନେ ମଣିଷର ସବୁ ଆବଶ୍ୟକତା ପାଇଁ ଗୋଟେ ଗୋଟେ ଦେବତା ବାଢୁଥିଲେ । ସେ ଦେବତାମାନଙ୍କୁ ଲୋକେ ପୂଜା କରୁଥିଲେ । ଏହି ପରିସ୍ଥିତିରେ ସମ୍ବଲପୁର (ସମ୍ବଳକ)ର ଦାର୍ଶନିକ ଅଧିପତି ବୌଦ୍ଧାଚାର୍ଯ୍ୟ ଇନ୍ଦ୍ରଭୂତି ନାଗାର୍ଜୁନଙ୍କ ଶୂନ୍ୟତା ତତ୍ତ୍ଵକୁ ଟାଣି ଆଣି ଏକ ପୂଜନୀୟ ବିଗ୍ରହରେ ପରିଣତ କଲେ ଓ ତାର ନାମ ଦେଲେ ଜଗନ୍ନାଥ । ତାଙ୍କ ଜ୍ଞାନସିଦ୍ଧି ଗ୍ରନ୍ଥର ପ୍ରଥମ ଶ୍ଳୋକଟି ଗଗନୋପମ ଗୁରୁ (ଶୂନ୍ୟଦେହୀ ଗୁରୁ) ବୁଦ୍ଧଙ୍କୁ ଜଗନ୍ନାଥ ରୂପେ ଉପସ୍ଥାପିତ କରି ପୂଜନୀୟ କରାଇଛି ; ଯଥା-
ପ୍ରଣିପତ୍ୟ ଜଗନ୍ନାଥଂ ସର୍ବାଜିନବରାର୍ଚ୍ଚିତମ୍
ସର୍ବବୁଦ୍ଧମୟଂ ସିଦ୍ଧିବ୍ୟାପିନଂ ଗଗନୋପମମ୍ ।। ୧॥

ଏପରିଭାବେ ବୁଦ୍ଧ ଜଗନ୍ନାଥହୋଇ ବୌଦ୍ଧତନ୍ତ୍ର (ବଜ୍ରଯାନ)ର ହେଲେ ପୂଜନୀୟ ବିଗ୍ରହ ।

ଏହି ଇନ୍ଦ୍ରଭୂତିଙ୍କ ଭଉଣୀ ଓ ଶିଷ୍ୟା ଲକ୍ଷ୍ମୀଙ୍କରା ଥିଲେ ସୋନପୁରର ଅଧିଶ୍ଵରୀ । ସେ ତାଙ୍କ ଭାଇଙ୍କ ବଜ୍ରଯାନ ତତ୍ତ୍ଵକୁ ଆହୁରି ପ୍ରାଞ୍ଜଳ କରି ସୃଷ୍ଟିକଲେ ସହଜଯାନ, ଯାହା ବେଦର କର୍ତ୍ତୃବାଦ ବିପକ୍ଷରେ ସୃଷ୍ଟିକଲା ଓଡ଼ିଶାର ମୈଥୁନବାଦ । ଏହି ସହଜଯାନ ତତ୍ତ୍ଵରେ ଜଗନ୍ନାଥଙ୍କ ବଜ୍ରଯାନୀୟ ତତ୍ତ୍ଵ ଫେଣ୍ଟି ହୋଇ ଜଗନ୍ନାଥ ତତ୍ତ୍ଵ (Cult of Jagannatha) ମୈଥୁନବାଦ ଆଧାରିତ ହେବା ପର୍ଯ୍ୟନ୍ତ ଇନ୍ଦ୍ରଭୂତି ସୃଷ୍ଟିକରିଥିବା ଜଗନ୍ନାଥ ଦର୍ଶନ ଯେଉଁ ସମୟ ନେଇଥିଲା ସେହି ସମୟ ହେଉଛି ସୋନପୁରରେ ଜଗନ୍ନାଥ “ପାତାଳୀ” ହୋଇଥିବାର ସମୟ ।

ବେଦର କର୍ତ୍ତୃବାଦ ବିରୁଦ୍ଧରେ ଓଡ଼ିଶାର ମୈଥୁନବାଦ ଏକ ଅପରାଜେୟ ଦର୍ଶନ ତତ୍ତ୍ଵ ହୋଇ ଠିଆ ହୋଇଥିଲା । ଏହି ତତ୍ତ୍ଵ ବିକଶିତ ହୋଇପାରିନଥାନ୍ତା ଯଦି ବୁଦ୍ଧଙ୍କ ତିରୋଧାନ ପରେ ନାଗାର୍ଜୁନ ଶୂନ୍ୟବାଦ ସୃଷ୍ଟି କରି ବୁଦ୍ଧଙ୍କୁ ଗଗନୋପମ କରିଦେଇନଥାନ୍ତେ । ସୁତରାଂ କୃତଜ୍ଞ ଓଡ଼ିଆ ଜାତି ନାଗାର୍ଜୁନଙ୍କୁ ବୌଦ୍ଧ ଦର୍ଶନର ପ୍ରଥମ ବୁଦ୍ଧୋତ୍ତର ରକ୍ଷାକାରୀ ଭାବେ ଗ୍ରହଣକରି ଶ୍ରୀ ବୁଦ୍ଧ-ଜଗନ୍ନାଥଙ୍କୁ ନାଗାର୍ଜୁନ ରୂପରେ ଦେଖେ । ତା ଆଖିରେ ନାଗାର୍ଜୁନଙ୍କ ଶୂନ୍ୟତାର ସ୍ଥୂଳ ରୂପ ହେଲେ ଶୂନ୍ୟଦେହୀ ଦୟାଳୁ ବୁଦ୍ଧଙ୍କ ପୂଜନୀୟ ବିଗ୍ରହ ଶ୍ରୀ ଜଗନ୍ନାଥ । ସେଥିପାଇଁ ଶୂନ୍ୟ ସଂହିତାରେ କୁହା ହୋଇଛି:
“ଶୂନ୍ୟ ପୁରୁଷ ଦୟାଳୁ ଅଟଇ / ଶୂନ୍ୟ ପୁରୁଷ ସର୍ବଘଟେ ରହି //“
ପୁନଶ୍ଚ କୁହା ହୋଇଛି :
ବୁଦ୍ଧ ରୂପେ ମହୋଦଧି କୂଳେ / ଭୋଗ ବିଳସିବୁ ତୁ ସେତେବେଳେ //”

ଶ୍ରୀ ଜଗନ୍ନାଥଙ୍କୁ ଯେଉଁମାନେ ବୁଦ୍ଧରୁ ବିଷ୍ଣୁ ବନେଇବା ଅଭିସନ୍ଧିରେ ଇନ୍ଦ୍ରଭୂତିଙ୍କୁ ଇନ୍ଦ୍ରଦ୍ୟୁମ୍ନରେ ରୂପାନ୍ତରିତ କରିଛନ୍ତି ମିଥ୍ୟା କିମ୍ବଦନ୍ତୀ ତିଆରିକରି, ସେହି ଗୋଷ୍ଠୀ ଜଗନ୍ନାଥଙ୍କ ନାଗାର୍ଜୁନରୂପକୁ ବିକୃତ ରୂପେ ଉପସ୍ଥାପିତ କରୁଛନ୍ତି, ବାସ୍ତବତା ବିରୁଦ୍ଧରେ ଅବାସ୍ତବ କିମ୍ବଦନ୍ତୀର ଜୟଜୟକାର କରି ।

ତଥାକଥିତ ଜଗନ୍ନାଥଭକ୍ତମାନଙ୍କ କବଳରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷା କରିହେଲେ ଓଡ଼ିଆ ଜାତିର ମୌଳିକ ବୈଶିଷ୍ଟ୍ୟ ପୁନଃ ପ୍ରତିଷ୍ଠିତ ହୋଇପାରନ୍ତା ।






ବାଜପେୟୀଙ୍କ ହାତରେ ଗଣତନ୍ତ୍ର-ମାରଣର ହତିଆର ଥିଲେ ଅର୍ଣ୍ଣବ, ବିଜେପି ହାତରେ ଏବେ ବି ; ତେଣୁ ଧନତନ୍ତ୍ରରେ ଝଡ଼

ସୁଭାଷ ଚନ୍ଦ୍ର ପଟ୍ଟନାୟକ


ମଣିଷ ମାରଣ ଅପରାଧରେ ଅଭିଯୁକ୍ତ ଅର୍ଣ୍ଣବ ଗୋସ୍ଵାମୀଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ନାମଜାଦା ନେତାଏ ଯେଉଁ ଅଶାଳୀନ ସମର୍ଥନ ପ୍ରଦର୍ଶନ କରିଚାଲିଛନ୍ତି ତାହା ଆକସ୍ମିକ ନୁହେଁ , ଅଭ୍ୟାସଗତ । ଯାହାଙ୍କ ହେତୁ ବିଜେପି ଭାରତୀୟ ବ୍ୟବସ୍ଥାରେ କ୍ଷମତା ମଦ ପ୍ରଥମେ ପିଇପାରିଲା, ସେହି ଅଟଳ ବିହାରୀ ବାଜପେୟୀ କ୍ଷମତାରେ ରହିବାକୁ ଯେତେବେଳେ ଗଣତନ୍ତ୍ର ମାରଣ ଷଡ଼ଯନ୍ତ୍ର ଆରମ୍ଭ କଲେ, ଧୂର୍ତ୍ତ ଅର୍ଣ୍ଣବ ଗୋସ୍ଵାମୀ ଥିଲେ ତାଙ୍କ ମୁଖ୍ୟ ହତିଆର । ତେଣୁ ତାଙ୍କ ଗିରଫଦାରୀ ଧନତନ୍ତ୍ରରେ ଝଡ଼ ଉପୁଯାଇଛି । ଏଥିରେ କୌଣସି ଅସ୍ଵାଭାବିକତା ନାହିଁ ।

କଥାଟିକୁ ପୂର୍ଣ୍ଣତଃ ବୁଝିବାକୁ ହେଲେ ଆମକୁ ଯିବାକୁ ହେବ ୨୦୦୩ ଶେଷଭାଗକୁ । ଛତିଶଗଡ଼ , ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀ – ଏହି ଚାରି ରାଜ୍ୟର ବିଧାନସଭାକୁ ନିର୍ବାଚନ ସରିଲା ସେ ବର୍ଷ ଡିସେମ୍ବର ପହିଲାରେ । ଭାରତର ସମସ୍ତ ପ୍ରବୀଣ ଭୋଟ ଆକଳକବୃନ୍ଦ ପୂର୍ବାନୁମାନ କରିଥିଲେ ଯେ, ଏ ସମସ୍ତ ରାଜ୍ୟରେ କଂଗ୍ରେସ ସୁନିଶ୍ଚିତ ଜିତିବ, ଯଦିଓ କେବଳ ମଧ୍ୟପ୍ରଦେଶରେ ହିଁ କିଛି ଆଖିଦୃଶିଆ ଆସନ ପାଇବାକୁ ବିଜେପି ସମର୍ଥ ହୋଇପାରେ । ଲୋକସଭାକୁ ଓ ଅନ୍ୟ ବିଧାନସଭାମାନଙ୍କୁ ସାଧାରଣ ନିର୍ବାଚନ ଥାଏ ୨୦୦୪ରେ । ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଛାତିରେ ଛନକା ପଶିଲା । ସେତେବେଳକୁ ରାମାୟଣ ମହାଭାରତ ପରି ଲୋକପ୍ରିୟ ଧାରାବାହିକ ହେତୁ ଟିଭି ପ୍ରଭାବ ସାରା ଭାରତରେ କାୟା ବିସ୍ତାର କରିଥାଏ । ସରଦେଶାଇ ଓ ଅର୍ଣ୍ଣବ ଖବର ପରିବେଷଣ କ୍ଷେତ୍ରରେ ପାରଗ ଓ ପ୍ରଭାବଶାଳୀ ହୋଇଉଠିଥାନ୍ତି । ବାଜପେୟୀ ଏହି ଦୁଇଜଣଙ୍କୁ ଧରିଲେ । ଏମାନେ ଏପରିଭାବେ ବିଭ୍ରାନ୍ତିକର ପ୍ରଚାର ଚଳାଇଲେ ଯେ, କେବଳ ଦିଲ୍ଲୀ ଛଡ଼ା ଅବଶିଷ୍ଟ ୩ ପ୍ରଦେଶରେ ଜିତିଗଲା ବିଜେପି । ଦିଲ୍ଲୀରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅଧିକ ଥିବା ହେତୁ ଏହି ଦୁଇ ଟିଭି କଳାମେଣ୍ଢାଙ୍କ କିମିଆ ସେଠାରେ କାମ କରିନଥିଲା । ଟିଭି ସମ୍ବାଦିକଙ୍କୁ ଧରି ଭାରତକୁ ବୋକା ବନେଇ ହେବ ଓ କ୍ଷମତା ଅକ୍ତିଆର କରିହେବ – ଏହି ନବ ଅବଧାରଣା ନେଇ ବାଜପେୟୀ ଲୋକସଭା ନିର୍ବାଚନ ଆଗୁଆ କରିବାକୁ ଆଗେଇ ଆସିଲେ ଓ ବେଳହୁଁ ଆଗୁ ଲୋକସଭା ଭଙ୍ଗାଇଦେଲେ ।

ଏଇଠୁ ଆରମ୍ଭହେଲା ଏହି ଦୁଇ ମେଡିଆ କଳାମେଣ୍ଢାଙ୍କୁ ହତିଆର କରି ଭାରତର ଗଣତନ୍ତ୍ରକୁ ମାରି ଧନତନ୍ତ୍ର ବନାଇବାକୁ ବାଜପେୟୀଙ୍କ ଧୂର୍ତ୍ତ ଅଭିଯାନ । ଏହି ଅଭିଯାନର ମୁଖ୍ୟ ହତିଆର ଥିଲେ ସରଦେଶାଇ ଓ ଅର୍ଣ୍ଣବ ଗୋସ୍ଵାମୀ ଯୋଡ଼ି । ଏମାନଙ୍କ ମାଧ୍ୟମରେ ଲୋକଙ୍କ ଭେଜା ବିଧୌତିକରଣ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୪୫୦ କୋଟି ଟଙ୍କା । ବାଜପେୟୀଙ୍କ ପ୍ରଚାରକବର୍ଗ “ଭାରତ ଉଦୟ” ନାମରେ ବିଭ୍ରାନ୍ତିର ଏପରି କୁଝ୍ଝଟିକା ସୃଷ୍ଟି କଲେ ଓ ତାର ବିସ୍ତୃତିରେ ସରଦେଶାଇ ଓ ଅର୍ଣ୍ଣବ ଯୋଡ଼ି ଏପରି ଲାଗିପଡ଼ିଥିଲେ ଯେ, ସେହି ତଥାକଥିତ “ଭରତ ଉଦୟ” ପ୍ରଜ୍ଞାପନ ଫଳକ ଉପରେ କଳାକନା ଢାଙ୍କିବାକୁ ସର୍ବୋଚ୍ଚ ଅଦାଲତଙ୍କୁ ଆଦେଶ ଦେବାକୁ ପଡ଼ିଥିଲା । ବାଜପେୟୀଙ୍କ ଗଣତନ୍ତ୍ର-ମାରଣ ଷଡ଼ଯନ୍ତ୍ରକୁ ଭାରତର ଲୋକେ କିନ୍ତୁ ପ୍ରତ୍ୟାଖ୍ୟାନ କଲେ । ହାରିଲେ ବାଜପେୟୀ , ଜିତିଲା ଭରତ । ଅବସ୍ଥା ଏପରିଥିଲା ଯେ, ଧନତନ୍ତ୍ରର ଅନ୍ୟତମ ସେବାକାରୀ ଇଣ୍ଡିଆନ ଏକ୍ସପ୍ରେସର ତଦାନୀନ୍ତନ ସମ୍ପାଦକ ଶେଖର ଗୁପ୍ତା ସେହି କାଗଜରେ ଏକ ସ୍ଵାକ୍ଷରିତ ଅଗ୍ରଲେଖରେ ସ୍ଵୀକାର କରିଥିଲେ, “ ବସ୍ତୁତଃ, ଏ ନିର୍ବାଚନ ଯୁଦ୍ଧରେ ବାଜପେୟୀଙ୍କ ଏନଡିଏକୁ କୋଳରେ ଧରି ଗୋଟେ ପଟେ (ବୈଦ୍ୟୁତିକ ଓ ମୁଖ୍ୟ) ଗଣମାଧ୍ୟମ ଓ ଆର ପଟେ ଭାରତର ଜନ ସାଧାରଣ ଲଢେଇ କରୁଥିଲେ । ଏହା ଥିଲା ଗଣମାଧ୍ୟମ ବନାମ ଜନଗଣଙ୍କ ଲଢେଇ (“In reality, the battle was fought between the media with NDA in its lap at one side and the people of India at the other. It was a Press versus the people situation.” [ମଇ ୦୮ , ୨୦୦୪) । ସେ ସେହି ଜଘନ୍ୟ ଦୃଶ୍ୟପଟର ପ୍ରାମାଣିକ ଆଲୋଚନା କରି କହିଥିଲେ, ବାଜପେୟୀଙ୍କ ଅପଶାସନକୁ ଭଲ ଶାସନ ବୋଲି ଭାବିବାକୁ ଲୋକମାନଙ୍କ ବୁଦ୍ଧି-ଧୌତିକରଣ ପାଇଁ (ଅର୍ଣ୍ଣବ ଅଧ୍ୟୁଷିତ) ଗଣମାଧ୍ୟମକୁ ଯେଉଁ ବିଭ୍ରାନ୍ତି-ସୌଦାଗରମାନେ କିଣିନେଇଥିଲେ ସେହି ବିଭ୍ରାନ୍ତି-ସୌଦାଗରମାନଙ୍କ ସପକ୍ଷରେ ଭୋଟ ଦେବାକୁ ଗଣମାଧ୍ୟମ ମାଲିକମାନେ ପ୍ରେସ-ସ୍ଵାଧୀନତାର ଦୁରୁପଯୋଗ କରିବାରେ ଲାଗିଥିଲେ , ତହିଁର ଅଧିକ ପ୍ରମାଣ ଆଉ କଣ ଦରକାର? ( “What more proof one needs to see that the media was bought over by the ‘feel-good’ merchants and the media owners were misusing freedom of press to make ‘noise’ to prod people to vote for those merchants?”) ଏଯନ । ଅର୍ଣ୍ଣବ ଓଗେର “ଓପିନିଅନ ପୋଲ” ଆଳରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ନୂଆ କାଇଦା ବ୍ୟବହାର କରିଥିଲେ ତହିଁ ଉପରେ ତଦନ୍ତ ହେବା ଆବଶ୍ୟକ ବୋଲି କହିଥିଲେ କୁଳଦୀପ ନାୟାର (Marketing the Coalition )।

ବାଜପାୟୀଙ୍କ ପାଇଁ ୨୦୦୩-୦୪ରେ ଯେମିତି, ମୋଦିଙ୍କ ପାଇଁ ୨୦୧୪ରେ ସେମିତି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଅର୍ଣ୍ଣବ ଅତ୍ୟନ୍ତ ଗର୍ହିତ ଅପବ୍ୟବହାର କରିଥିଲେ ପ୍ରେସ ସ୍ଵାଧୀନତାର । ମାର୍ଚ୍ଚ ୧୬, ୨୦୧୪ରେ ମୁଁ ଲେଖିଥିଲି “Conduct of Arnab Goswami and Times Now reminds of the TV journalists’ foul play in 2004 election॰“ ଏହି ଚ୍ୟାନ୍ନେଲ ଛାଡ଼ି ଏହାପରେ ଅର୍ଣ୍ଣବ ଗଢିଲେ ତାଙ୍କ ନିଜସ୍ଵ ସାମ୍ରାଜ୍ୟ – ରିପବ୍ଲିକ ଟିଭି, ଯାହା ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଦଳ ବିଜେପିର ସ୍ଵାର୍ଥର ପ୍ରହରୀ ଭାବେ କାମ କରୁଥିବା ଏବଂ ଏହି ଉତ୍ତେଜନାରେ ଟିଭି ପର୍ଦ୍ଦାରେ ଆବଶ୍ୟକୀୟ ସମ୍ବାଦିକୀୟ ଶାଳୀନତାର ନିତ୍ୟ ନୈମିତିକ ହନନ ଚଳାଇଥିବା କୌଣସି ପ୍ରମାଣର ଅପେକ୍ଷା ରଖେନାହିଁ ।

କ୍ଷମତାଲୋଭୀ ବାଜପେୟୀ ନିଜକୁ କ୍ଷମତାରେ ରଖିବା ପାଇଁ ଯଦି ୨୦୦୩-୦୪ରେ ୪୫୦ କୋଟି ଟଙ୍କା ବିନିମୟରେ ନିଜ ପ୍ରଚାର ପାଇଁ ଗଣମାଧ୍ୟମର ଦୁରୁପଯୋଗ କରିନଥାନ୍ତେ ତେବେ ହୁଏତ ପ୍ରେସ ସ୍ଵାଧୀନତାର ଟେଷ୍ଟ ଟ୍ୟୁବରେ ଅର୍ଣ୍ଣବଙ୍କ ପରି ଲୋଭାସକ୍ତଙ୍କ ରୂପ ପରିଗ୍ରହଣ ସମ୍ଭବ ହୋଇନଥାନ୍ତା କି ଲୋକଙ୍କୁ ବିଭ୍ରାନ୍ତ କରିବା କୌଶଳ ସମ୍ବାଦିକତାର ପ୍ରଭାବଶାଳୀ ପରିଚୟ ବୋଲି ଏକ ଭ୍ରମାତ୍ମକ ସଜ୍ଞା ପାଇପାରିନଥାନ୍ତା ।

ଯାହା ହେଉ, ତାଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖୁଥିବା ଅଣବିଜେପି ବୁଦ୍ଧିଜୀବୀ ଓ ବୃତ୍ତିଜୀବୀ ସାମ୍ବାଦିକମାନଙ୍କ ଭିତରୁ ପ୍ରାୟତଃ ସମସ୍ତେ ତାଙ୍କ ଆସ୍ଫାଳନସର୍ବସ୍ଵ ଓ ଶାଳୀନତାବିବର୍ଜିତ ମତଲବୀ ସାମ୍ବାଦିକୀୟ ଆଚରଣ ସମ୍ପର୍କରେ ନିଜ ନିଜର କ୍ଷୋଭ ପ୍ରକଟ କରୁଛନ୍ତି , ଯେତେବେଳେ କି ଯେଉଁ ଶୈଳୀରେ ତାଙ୍କୁ ଗିରଫ କରାଯାଇଛି ତାହା ପ୍ରତି ସେମାନଙ୍କର ସମ ପରିମାଣର ନାପସନ୍ଦ ବି ରହିଛି । କିନ୍ତୁ ଏ କଥା ଉଲ୍ଲେଖଯୋଗ୍ୟ ଯେ , ତାଙ୍କ ଗିରଫଦାରୀର ଶୈଳୀକୁ ନିନ୍ଦା କରିଥିବା କେହି ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ଗିରଫଦାରୀର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇ ନାହାନ୍ତି । ଏହା ହୁଏତ ସାମାଜିକ ସଚେତନତାର ଭିନ୍ନ ଏକ ରୂପ ।

ଏହି ବାସ୍ତବତା ବିଜେପି ପାଇଁ ବୋଧଗମ୍ୟ ନୁହେଁ । ତେଣୁ ତାଙ୍କ ଗିରଫଦାରୀକୁ ନେଇ ଧନତନ୍ତ୍ରରେ ଝଡ଼ ଉଠିଛି । ବନ୍ଧ୍ୟା ଝଡ଼ ।