ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାଯକ
ଓଡ଼ିଶାରେ ସରକାର ଓ ସାମ୍ବାଦିକ ମୁହାଁମୁହିଁ ହେବା ଏହା ପୂର୍ବରୁ କେବେ ଘଟି ନ ଥିଲା । ମାତ୍ର ଏବେ ଏହା ଘଟୁଛି; କାରଣ, ଗଣତନ୍ତ୍ରର ଗଳରୋଧକୁ ସାମ୍ବାଦିକମାନେ ବିରୋଧ କରୁଛନ୍ତି ।
ନବୀନ ପଟ୍ଟନାୟକଙ୍କ ସରକାର ନିଜ ଅପଶାସନକୁ ଘୋଡ଼ାଇବା ପାଇଁ ଯେଉଁ ସବୁ ପଦ୍ଧତ୍ତି ଆପଣାଇଛନ୍ତି ତହିଁରେ ମୁଖ୍ୟ ହେଉଛି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମନରେ ଭୟ ସୃଷ୍ଟିକରି ତଥ୍ୟ ପ୍ରକଟନରୁ ସେମାନଙ୍କୁ ନିବୃତ୍ତ କରାଇବାର ଅପଚେଷ୍ଟା । ଫଳରେ ପ୍ରେସ୍ ସ୍ବାଧୀନତା ବିପନ୍ନ ହୋଇଛି ପ୍ରଚଣ୍ଡ ଭାବେ, ଯହିଁର ନିରାକରଣ ପାଇଁ ଓଡ଼ିଶାର ସାମ୍ବାଦିକମାନେ ମିଡ଼ିଆ ୟୁନିଟି ଫର ଫ୍ରିଡ଼ମ୍ ଅଫ୍ ପ୍ରେସ୍ (Media Unity for Freedom of Press, ସଂକ୍ଷେପରେ MUFP) ନାମକ ଏକ ଐକ୍ୟ ମଞ୍ଚ (ଏହାପରଠୁଁ ଐକ୍ୟ ମଞ୍ଚ) ଗଠନ କରି ନିର୍ଯ୍ୟାତିତ ସାମ୍ବାଦିକମାନଙ୍କ ମନୋବଳ ବଢ଼ାଉଛନ୍ତି ଓ ସରକାରୀ ଜୁଲୁମ ବିରୁଦ୍ଧରେ ଜନମତ ଜାଗ୍ରତ କରାଇ ଚାଲିଛନ୍ତି । ଏହି ଐକ୍ୟ ମଞ୍ଚର ଡାକରାରେ ଓଡ଼ିଶାର ସମସ୍ତ ବିରୋଧୀ ଦଳ, ଏପରିକି ପରସ୍ପରର ଘୋର ବିରୋଧୀ ବି.ଜେ.ପି. ଓ ବାମପନ୍ଥୀ ଦଳଗୁଡ଼ିକ ନିଜ ନିଜ ଦଳୀୟ ପାତାକା ନ ନେଇ ଏକାଠି ହେବା ଓ ଏହି ପ୍ରକ୍ରିୟାରେ ଓଡ଼ିଶା ଗଣ ସମାଜ ପରି ବୃହତ୍ତର ଜନ ମଞ୍ଚ ଜନ୍ମ ନେବା ସରକାରଙ୍କ ମୁଣ୍ଡବଥା ବଢ଼ାଇଦେଇଛି । ଅଥଚ, ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସରକାର ଅଧିକରୁ ଅଧିକ ଜୁଲୁମ ଚଳାଇଚାଲିଛନ୍ତି ସାମ୍ବାଦିକମାନଙ୍କ ଉପରେ
ନିକଟତମ କାଳରେ ଢେଙ୍କାନାଳ ଜିଲ୍ଲାରେ ଏପରି ଘଟଣା ଘଟିଛି । ସେଠାରେ ଶୋଷଣର ଯନ୍ତା ସାଜିଥିବା ଭୂଷଣ ଲୁହା କାରଖାନାରେ ଶ୍ରମିକ ଧର୍ମଘଟର ଖବର ପାଇ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ଦୁଇଜଣ ସାମ୍ବାଦିକ – ପ୍ରଦୀପ ସେନାପତି (ଇଟିଭି) ଓ ଜୟନ୍ତ ନାଥ (ସମ୍ବାଦ) – କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ସଲାସୁତରାରେ ମିଛ ମକଦ୍ଦମାରେ ଫସିଛନ୍ତି । ଏହି ଦୁଇ ସାମ୍ବାଦିକ ଶ୍ରମିକମାନଙ୍କୁ ଉସୁକାଇ ଧର୍ମଘଟ କରାଇଛନ୍ତି ବୋଲି କାରଖାନା କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ହେତୁ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଋଜୁ ହୋଇଥିବା ପୋଲିସ କହୁଛି । ଶ୍ରମ ଆଇନ ଉଲଂଘନ କରିଚାଲିଥିବା ଏକ କାରଖାନାର କର୍ତ୍ତୃପକ୍ଷଙ୍କ କଥା ପୋଲିସପାଇଁ ବେଦର ଗାର ହୋଇଥିବାବେଳେ ଦୁଇ ସମ୍ବାଦିକଙ୍କ କଥା କାହିଁକି ଗ୍ରହଣଯୋଗ୍ୟ ହୋଇନାହିଁ, ତହିଁର ତର୍ଜମା କଲେ ସନ୍ଦେହ ଘନିଭୁତ ହୁଏ ଯେ, ସମ୍ବାଦିକମାନଙ୍କୁ ଭୟଭୀତ କରାଇ ରଖିବାକୁ ସରକାର ଚଳାଇଥିବା କ୍ରମାଗତ ଷଡ଼ଯନ୍ତ୍ରର ଏହା ଏକ ଅଂଶବିଶେଷ ମାତ୍ର ।
କ୍ରମାଗତ ଷଡ଼ଯନ୍ତ୍ର
ଅନୁପମ ଭାରତର କାଶୀପୁର ପ୍ରତିନିଧି ଶ୍ରୀ କୀତ୍ତିର୍ ଚନ୍ଦ୍ର ସାହୁଙ୍କୁ ଦେଶଦ୍ରୋହ ଅଭିଯୋଗରେ ପୋଲିସ ଫସାଇବା ଦିନରୁ ଏ ଷଡ଼ଯନ୍ତ୍ରର ଧାରା ଧରା ପଡ଼ିଛି । ୨୦୦୪ ଫେବୃୟାରୀ ମାସରେ ତାଙ୍କୁ ଗିରଫ କରି ସେ ନକ୍ସଲପନ୍ଥୀଙ୍କ ସହ ସମ୍ପୃକ୍ତ ଥିବା ଦର୍ଶାଇ ଦୌରା ସୁପର୍ଦ୍ଦ କରାୟାଇଥିଲା । କିନ୍ତୁ ଆଦିତ୍ୟ ବିର୍ଲା ଶିଳ୍ପ ଗୋଷ୍ଠୀର ଉତ୍କଳ ଆଲୁମିନା ପ୍ଳାଣ୍ଟ୍ ଦ୍ବାରା କ୍ଷତିଗ୍ରସ୍ତ ଆଦିବାସୀମାନଙ୍କ ଦୁରାବସ୍ଥା ସମ୍ପର୍କରେ ସମ୍ବାଦ ପରିବେଷଣ କରୁଥିବା ହେତୁ ତାଙ୍କୁ ଏପରି ମିଛ ମକଦ୍ଦମାରେ ଫସା ୟାଇଥିବା ସ୍ଥାନୀୟ ଲୋକେ ଜାଣନ୍ତି ।
ଖତୁରାମ ସୁନାନି ଓ ମେଘନାଦ ଖର୍ସେଲ୍
ଅନାହାର କ୍ଳିଷ୍ଟ ସିନାପାଲି ବ୍ଳକ୍ । ସେଠି ପେଟ ବିକଳରେ ଲୋକେ ଝିଙ୍କିରି ନାମକ ଏକ ପ୍ରକାରର କଅଁଳିଆ ପଥର ଖାଉଥିବା ଦେଖି ସେହି ହୃଦୟବିଦାରକ ଦୃଶ୍ୟର ଚିତ୍ରୋତ୍ତଳନ କରିଥିଲେ ଏହି ଦୁଇ ସାମ୍ବାଦିକ ଓ ଏପରିଭାବେ ଭୋକ ଦାଉ ସହିଯାଉଥିବାଥିବା ଗ୍ରାମବାସୀମାନଙ୍କ ଦୁଃଖର ସବିଶେଷ ବିବରଣୀ ବି ସଂଗ୍ରହ କରିଥିଲେ। ଗଣମାଧ୍ୟମରେ ତାହା ପ୍ରସାରିତ ହେବା ପରେ ପରେ ସମ୍ପୃକ୍ତ ଗାଁରେ ରାତି ଅଧିଆ ଖାଦ୍ୟଦ୍ରବ୍ୟ ରଖି ଓ ନଳକୂପ ଖୋଳି ସରକାର ନିଜ ଚର୍ମରକ୍ଷାପାଇଁ ତ ଚେଷ୍ଟା କଲେ; କିନ୍ତୁ ଏହି ଉଭୟ ସାମ୍ବାଦିକଙ୍କ ବିରୁଦ୍ଧରେ ଅବିଳମ୍ବେ ଆରମ୍ଭ ହେଲା ଦେଶଦ୍ରୋହ ଅଭିଯୋଗରେ ମକଦ୍ଦମା, ୨୦୦୭ ମଇ ମାସରେ ପୋଲିସ ସେମାନଙ୍କୁ ଗିରଫ କଲା ପରେ ।
ଲେନିନ୍ ରାୟ
ଓଡ଼ିଆ ପତ୍ରିକା ‘ନିଶାନ’ର ସମ୍ପାଦକ । ସରକାରୀ ଦୁରାଚାର ଉପରେ ଆଲୋକପାତ କରୁଥିବା ହେତୁ ତାଙ୍କୁ ସାବାଡ଼ କରିବାକୁ ମସୁଧା ଚାଲିଥିଲା । ଯୋଗକୁ, କନ୍ଧମାଳରେ ଧର୍ମ ନାମରେ ଘଟିଥିବା ରକ୍ତକ୍ଷୟକୁ ସମାଲୋଚନା କରି ସେ ଏକ ଲେଖା ପ୍ରକାଶ କଲେ। ପୋଲିସ ଆଖିରେ ସେ ବନିଗଲେ ମାଓବାଦୀ ଓ ୨୦୦୮ ଡିସେମ୍ବର ୮ରେ ଗିରଫ ହୋଇ ନିର୍ଯ୍ୟାତିତ ହେଲେ, ହାଜତରେ ସଢ଼ିଲେ ।
ଲକ୍ଷ୍ମଣ ଚୌଧୁରୀ
ସରକାରଙ୍କ ଗେହ୍ଲାପୁଅ ବନି ମୋହନା ଥାନାର ଭାରପ୍ରାପ୍ତ ଅଧିକାରୀ ଚୋରା ଗଞ୍ଜେଇ କାରବାର ଚଳାଇଥିଲେ । ସମ୍ବାଦର ସ୍ଥାନୀଯ ପ୍ରତିନିଧି ଭାବେ ଚୌଧୁରୀ ଏହି ଅପରାଧର ଚିତ୍ର ପରିବେଷଣ କରି ତାଙ୍କୁ ଓ ଶାସକ ଦଳକୁ ଅଡୁଆରେ ପକାଇଦେଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ୨୦୦୯ ସେପ୍ଟେମ୍ବର ୨୦ରେ ଗିରଫ କରାଯାଇ ହାଜତକୁ ପଠାଗଲା । MUFP ଏହାର ଦୃଢ଼ ପ୍ରତିବାଦ କରିବା ଫଳରେ ଭିଜିଲାନ୍ସ ପୋଲିସ ଥାନା ଅଧିକାରୀଙ୍କ ଉପରେ ନଜର ରଖି ଗଞ୍ଜେଇ କାରବାର ବେଳେ ଘଟଣାସ୍ଥଳରୁ ତାଙ୍କୁ ଧରିଲେ। MUFP ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇ ଚୌଧୁରୀଙ୍କୁ ମିଥ୍ୟା ମକଦ୍ଦମା କବଳରୁ ଉଦ୍ଧାର କରିବାକୁ ଯେତେ ନିବେଦନ କଲେ ବି ସେ ନ ଶୁଣି ସାବ୍ୟସ୍ତ କରିଦେଲେ କି, ତାଙ୍କ ଦଳର ସଲାସୁତରାରେ ଚାଲିଥିବା ଚୋରା ଗଞ୍ଜେଇ କାରବାରକୁ ଧରାପକାଇଥିବାରୁ ସାମ୍ବାଦିକଜଣକ ଯଦି ଦେଶଦ୍ରୋହ କରିଥିବା ପୋଲିସ ଭାବିଲା, ତେବେ ତାହାହିଁ ନିଶ୍ଚୟ ଠିକ୍ । ଓଡ଼ିଶା ହାଇକୋଟର୍ ଏଥିରେ ହସ୍ତକ୍ଷେପ କରିଛନ୍ତି।
ଶ୍ବେତ ପତ୍ର
ସାମ୍ବାଦିକମାନଙ୍କ ଉପରେ ବଢ଼ିଚାଲିଥିବା ନିର୍ଯ୍ୟାତନାରେ ଅତିଷ୍ଠ ହୋଇ MUFP ଏକ ଶ୍ବେତ ପତ୍ର ପ୍ରକାଶ କରିଛି ଗତ ବର୍ଷ ମାଚ୍ଚର୍ ମାସରେ । ଗୋଟିଏ ଗଣତନ୍ତ୍ରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସଚରାଚର ସମ୍ମାନିତ ସାମ୍ବାଦିକମାନଙ୍କ ଐକ୍ୟ ମଞ୍ଚର ଏପରି ଏକ ଶ୍ବେତ ପତ୍ର ସରକାରଙ୍କୁ ନିଶ୍ଚୟ ତାଙ୍କ ଭୁଲ୍ ସୁଧାରିବାକୁ ପ୍ରଚୋଦିତ କରିଥାନ୍ତା । ଏବଂ ଏହା ପରେ ହୁଏତ ଏହିପରି ଭୁଲ୍ ୟେପରି ନ ହୁଏ ସରକାର ନିଶ୍ଚିତ କରିଥାନ୍ତେ। ମାତ୍ର ଓଡ଼ିଶାରେ ଏପରି ଏକ ସରକାର ଚାଲିଛି ଯେ ଏହି ଶ୍ବେତ ପତ୍ରର ବି କୌଣସି ପ୍ରଭାବ ପଡ଼ିନାହିଁ ତାଙ୍କ ଉପରେ।
ବିଦେଶୀ କବଳରୁ ଭାରତ ମୁକ୍ତ ହେବାର ସାମ୍ବତ୍ସରିକ ଉତ୍ସବ ମାତ୍ର ୧୪ ଦିନ ବାକି ଥିବାବେଳେ, ୨୦୧୧ ଅଗଷ୍ଟ ୧ ତାରିଖରେ ହିଁ ଜୁନାଗଡ଼ର ଚାଷୀମାନଙ୍କ ଉପରେ ଚାଲିଥିବା ନିର୍ଯ୍ୟାତନାର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ପୋଲିସର ନିର୍ମମ ଲାଠିମାଡ଼ ଏହାର ପ୍ରମାଣ ଦିଏ ।
ନୂଆବର୍ଷରେ ବି ସେହି ପୁରୁଣା ଆଚରଣ
ପୁରୁଣା ବର୍ଷ ବଦଳି ନୂଆ ବର୍ଷ ୨୦୧୨ ଆସି ସାରିଛି। ମାତ୍ର ଓଡ଼ିଶା ସରକାରଙ୍କ ସାମ୍ବାଦିକ ବିରୋଧୀ ମତଲବ ଓ ଆଚରଣ ବଦଳି ନାହିଁ। ଢେଙ୍କାନାଳରେ କାରଖାନା ଖୋଲିଥିବା ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ଶୋଷଣାଭ୍ୟାସ ବିରୁଦ୍ଧରେ ସୃଷ୍ଟି ହୋଇଥିବା ଶ୍ରମିକ ଅଶାନ୍ତିର ଖବର ନେବାକୁ ଯାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ବିରୁଦ୍ଧରେ ଶ୍ରମିକ ଧର୍ମଘଟକୁ ପ୍ରୋତ୍ସାହିତ କରୁଥିବା ପରି ମିଥ୍ୟା ଅଭିଯୋଗରେ ଗତ ୩ ତାରିଖରେ ପୋଲିସ ଯେପରି ମାମଲା ଋଜୁ କରିଛି ଏବଂ ସେମାନଙ୍କୁ ଗିରଫ କରିବାକୁ ସଜବାଜ ହେଉଛି ତାହାହିଁ ତହିଁର ପ୍ରମାଣ । ଏହି ମାମଲା ପଞ୍ଜିକରଣ ପଛରେ ଯଦି ସରକାରୀ ଷଡ଼ଯନ୍ତ୍ର ନ ଥାନ୍ତା ତେବେ ଦୁଇ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମିଛ ମକଦ୍ଦମାରେ ଫସାଇବାକୁ ଉଦ୍ୟମ କରିଥିବା ଅପରାଧରେ ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ହିଁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରନ୍ତାଣି ।
ଓଡ଼ିଶାରେ ଗଣତନ୍ତ୍ରର ଏପରି ଭୟଙ୍କର ଗଳ ରୋଧ କେବେ ବି ଘଟି ନ ଥିଲା ।