କରୋନା କବଳରେ ଆମକୁ ପକେଇଦେଇଛନ୍ତି ନରେନ୍ଦ୍ର ମୋଦୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ମେ ୪, ୨୦୨୦ରେ orissamatters.comରେ ମୋ ଲେଖାର ଶୀର୍ଷକ ଥିଲା : Corona Quagmire// Country Now a Lab of Death

ମେ 5, 2020ରେ ସୁରତରୁ ମିଳିଥିବା ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସହ ମୁଁ ଲେଖିଥିଲି Modi has made our land a lab of death

ବର୍ତ୍ତମାନ ମୁଁ ଦେଖୁଛି ନ୍ୟୁୟର୍କ ଟାଇମ୍ସର ଏକ ଆଲୋଚନାରେ ଏହି ଏକ କଥା କୁହା ହୋଇଛି ।

ଏହାକୁ ଦେଖନ୍ତୁ –

ମନେପଡ଼େ ସେଇ ରାତି ସେଇ ସକାଳ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବର୍ଷର ପ୍ରଥମ ବର୍ଷା କଟକ ସହରକୁ ଭିଜାଇଦେଇଥାଏ । ହଠାତ୍ ମନେ ହେଉଥାଏ ଗରମ ଯେମିତି କେବେ ବି ନଥିଲା । ସନ ୧୯୭୭ । ପହିଲି ରଜ । ଜୁନ ୧୩ । ରାତି ୧୨ । କଟକ ବଡ଼ ଡାକ୍ତରଖାନାର ପ୍ରସୂତି ବିଭାଗ ନର୍ସିଙ୍ଗ ହୋମ । ସବିତାରାଣୀ ଧୀରେ ଧୀରେ ଡାକିଲେ –
ଶୁଣୁଛ, ‘ସିଷ୍ଟର’ଙ୍କୁ ଡାକିବ ?
କାହିଁକି?
ଭାବୁଛି, ବଥା ହେଲାଣି ।
ସିଷ୍ଟରଙ୍କୁ ଡାକିଲି । କେରଳୀ ନର୍ସ । ସଦା କର୍ମ ତତ୍ପର । ସ୍ନେହୀ । ନିରଳସ । ପ୍ରାଥମିକ ଯାଞ୍ଚ ସରିଲା । ଡାକ୍ତରଙ୍କୁ ଡାକିବା କାମ ।

ଡାକ୍ତର ସୁଜାତା ମହାନ୍ତି, ସୁଖ୍ୟାତିସମ୍ପନ୍ନା ପ୍ରସୂତିବିଦ୍ୟା ବିଶେଷଜ୍ଞା, ସମ୍ପର୍କରେ ସବିତାରାଣୀଙ୍କ ଭଉଣୀ, ଡଲୀ ଅପା । ତାଙ୍କରି ତତ୍ତ୍ୱାବଧାନରେ ଇଏ ଆରମ୍ଭରୁ । ତାଙ୍କ ନଣନ୍ଦ ମେଡ଼ିକାଲ କଲେଜର ମୁଖ୍ୟ ମାଟ୍ରନ , ବିଦେଶପଢୁଆ ବୁଢୀଅପା (ବିଷ୍ଣୁପ୍ରିୟା ମହାନ୍ତି) ସତ୍ୟସାଇଙ୍କ ଭକ୍ତ । ସପ୍ତାହେ ତଳେ ପଟାପୂର୍ତ୍ତି ଗଲାବେଳେ ସାଙ୍ଗରେ ନିଜ ଭାଉଜଙ୍କୁ ନେଇଗଲେ । କଟକ ଛାଡ଼ିବା ପୂର୍ବରୁ ଦୁହେଁ ଆସି ସବିତାରଣୀଙ୍କୁ ପରୀକ୍ଷା ନିରୀକ୍ଷା କରି କହିଥିଲେ EDD (ସମ୍ଭାବ୍ୟ ପ୍ରସବ ଦିବସ) ତ ୧୭ ତାରିଖ । ଚିନ୍ତା ନାହିଁ । ସେ ଆସି ୧୫ ରାତିରେ ପହଞ୍ଚିବେ । ମୋତେ କହିଥାନ୍ତି, ଯଦି ଦରକାର ପଡ଼ିବ , ପ୍ରମିଳାକୁ ଡାକିଦେବ ।

ଡାକ୍ତର ପ୍ରମିଳା ମହାନ୍ତି । ମେଡ଼ିକାଲ କଲେଜରେ ଡଲୀ ଅପାଙ୍କ କନିଷ୍ଠ ସହଯୋଗୀ । ରହନ୍ତି ଚଣ୍ଡୀଛକରେ , ଏକ ବିଶାଳ ଛଣଛପର ଚାଳ ବଙ୍ଗ୍ଲୋରେ । ଚଣ୍ଡୀ ଛକରୁ କନିକା ଛକ ଆଡ଼େ ଯାଇଥିବା ରାସ୍ତାର ଆରମ୍ଭରେ ଡାହାଣପଟେ ସେହି ବଙ୍ଗ୍ଲୋଟି । ଚାରିପଟେ ପ୍ରାଚୀର ।

କାଳେ କେତେବେଳେ ଦରକାର ହେବ, ସେଥିପାଇଁ ଜଣେ କଟକବାସୀ ସମ୍ପର୍କୀୟଙ୍କଠାରୁ ମାଗି ଆଣିଥାଏ ସାଇକଲ । ସେଯାଏଁ କିଛି କାମରେ ଲାଗିନଥିଲା, ଏବେ ଲାଗିଲା । ସେଇଥିରେ ବାହାରିଲି ପ୍ରମିଳା ମହାନ୍ତିଙ୍କ ଘରକୁ ।

ସେବର କଟକ ସହରର ରାସ୍ତା ସମ୍ପର୍କରେ ନକହିବା ଭଲ । ଅଜାଡ଼ି ହୋଇ ପଡୁଥାଏ ତୁହାକୁ ତୁହା ବର୍ଷା ; ବର୍ଷର ପ୍ରଥମ ଦିନର ବର୍ଷା । ବିଜୁଳି ଲିଭିଯାଇଥାଏ , ଅନ୍ଧାରଭରା ରାସ୍ତା । ଆଖି ଅନ୍ଧାରସୁହା ହୋଇଯାଇଥିବାରୁ ଅଳ୍ପ ଆଗରେ କଣ ଅଛି ବାରି ହେଉଥାଏ ।

ଚଣ୍ଡୀଛକ ପାଖେଇ ଆସୁଥାଏ । ଲୋକେ କହୁଥାନ୍ତି ଯେ, ନିଶାର୍ଦ୍ଧ ପରେ ଅଶରୀରୀମାନେ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସନ୍ତି । ମାଡ଼ିମାଡ଼ି ପଡୁଥାଏ । ଯନ୍ତ୍ରଚାଳିତବତ୍ ପ୍ରମିଳା ମହାନ୍ତିଙ୍କ ବଙ୍ଗ୍ଲୋ ଦୂଆରେ ପହଞ୍ଚିଲି ।

ଯେତେ ଯୋର ଶବ୍ଦ କଲେ ବି କେହି ଶୁଣିବାର ନଥିଲା । ଚଣ୍ଡୀଙ୍କ ଆଡୁ ଟର୍ଚ ପକାଇ କେହି ଜଣେ ଆସିଲେ । କର୍ତ୍ତବ୍ୟରତ କନଷ୍ଟେବଲ । ମୋ ଠୁ ସବୁ ଶୁଣିଲେ । କହିଲେ , ଠିକ ଅଛି, ମୁଁ ଏଇଠି ଠିଆ ହୋଇଛି । ତମେ ଗେଟ ଡେଇଁ ଭିତରେ ପଶ । ଯଦି କେହି କିଛି କହେ , ମୁଁ ତମ ସାକ୍ଷୀ ରହିବି । କାଳେ କୁକୁର ଥିବ? ସେ କହିଲେ – ନଥିବ ; ଥିଲେ ତ ଭୁକୁ ଥାନ୍ତା ।

ମୁଁ ଗେଟ ଡେଇଁ ଭିତରକୁ ପଶିଲି । କେତେ ସମୟ ଖଟଖଟେଇଲା ପରେ କେହି ଜଣେ ପୁରୁଷ ପଚାରିଲେ – କିଏ? ମୁଁ କହିଲି, ମୁଁ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ଭିତରୁ ଶୁଭିଲା – ଯାଉଛି, ଯାଉଛି । ନାରୀ କଣ୍ଠ । ଆଶ୍ଵସ୍ତ ହେଲି ।

ଟର୍ଚ ଚିପି କବାଟ ଫିଟାଇଲେ ଡାକ୍ତର ପ୍ରମିଳା ମହାନ୍ତି । ସବୁକଥା ଶୁଣିଲେ । ମୋତେ କହିଲେ , ସିଷ୍ଟରଙ୍କୁ କହନ୍ତୁ ଡେଲିଭରି ରୁମକୁ ନେଇଯିବା ପାଇଁ । ମୁଁ ଯାଉଛି ।

ମୁଁ କହିଲି, ବିକଳରେ ମୁଁ ଗେଟ ଡେଇଁ ପଶିଥିଲି ଜଣେ ପୋଲିସ ବନ୍ଧୁଙ୍କ ସହାୟତାରେ ; ତାଲା ଫିଟିଲେ ବାହାରିବି । ତାଙ୍କ ମୁଖମଣ୍ଡଳରେ କି ପ୍ରତିକ୍ରିୟା ଫୁଟିଉଠିଥିଲା, ଅନ୍ଧାର ହେତୁ ଜାଣିବା ମୋ ପାଇଁ ସମ୍ଭବ ନଥିଲା । ସେ ଚାବିଧରି ନିଜେ ଆସି ଗେଟ ଫିଟାଇଲେ । ସେଠାରେ ଠିଆ ହୋଇରହିଥିବା ପୋଲିସ ବନ୍ଧୁ ତାଙ୍କୁ କହିଲେ, ମ୍ୟାଡ଼ାମ, ମୁଁ ତାଙ୍କୁ ଗେଟ ଡେଇଁବାକୁ କହିଥିଲି । ଡାକ୍ତର ମହାନ୍ତି ତାଙ୍କୁ ଧନ୍ୟବାଦ ଦେଲେ ଓ ମୋତେ କହିଲେ ୟୁନିଟ ମୁଖ୍ୟ ଡାକ୍ତର ନିଶମଣି ପଣ୍ଡାଙ୍କୁ ଦେଖା କରିବାକୁ ।

ମୁଁ ସେହି କନଷ୍ଟେବଲଙ୍କ ଆଡ଼େ ଦୁଇ ହାତ ପ୍ରସାରିଲି । ସେ ପାଖେଇ ଆସିଲେ । ତାଙ୍କୁ ଆଲିଙ୍ଗନ କଲାବେଳେ ମନେ ହେଲା , ଆମେ ନଜାଣିଥିବା ମଣିଷ ଭିତରେ ଛପି ନଥାଏ ସତେ କେତେ ମଣିଷପଣିଆ !

କିନ୍ତୁ ମୋ ଏହି ଧାରଣା ସଂଶୋଧନ ମାଗିଲା, ଯେତେବେଳେ ମୁଁ ଡାକ୍ତର ନିଶାମଣି ପଣ୍ଡାଙ୍କୁ ଭେଟିଲି । ଡାକ୍ତର ସୁଜାତା ମହାନ୍ତି ଯେଉଁ ୟୁନିଟରେ ଆସୋସିଏଟ ପ୍ରଫେସର , ଡାକ୍ତର ପଣ୍ଡା ସେହି ୟୁନିଟରେ ପ୍ରଫେସର । ତେଣୁ ସେ ଚାହିଁଲେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ଟିମ ଯୋଗାଡ଼ କରିପାରିବେ । ସବିତାରାଣୀଙ୍କ ପାଇଁ ସିଜେରିଆନ ଅସ୍ତ୍ରୋପଚାର ଜରୁରୀ ବୋଲି କହିଥିଲେ ମୋତେ ଡାକ୍ତର ପ୍ରମିଳା ମହାନ୍ତି ।

ରଜ ହେତୁ ଛୁଟି । କୌଣସି ପ୍ରଫେସର ଆସିବାର ନଥାଏ ।  ପ୍ରଫେସରଙ୍କ ବିନା ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ଟିମ ଗଠନ ଅସମ୍ଭବ । ଡାକ୍ତର ପ୍ରମିଳା ମହାନ୍ତି ହୁଏତ ଥିଲେ ପିଜି ଛାତ୍ରୀ ବା କ୍ଲିନିକାଲ ଟ୍ୟୁଟର । ତାଙ୍କ ଦ୍ଵାରା ଅସ୍ତ୍ରୋପଚାର ପାଇଁ ଟିମ ଗଠନ ଅସମ୍ଭବ । ସେ ତ ନିଜେ ଅସ୍ତ୍ରୋପଚାର କରି ନପାରନ୍ତି । କରିବ କିଏ ? ତେଣୁ ୟୁନିଟ ମୁଖ୍ୟ  ଡାକ୍ତର ପଣ୍ଡା ହିଁ ଭରସା । ତାଙ୍କୁ ତାଙ୍କ ବାସଘରେ ଭେଟିଲି । ସେ ଋକ୍ଷ କଣ୍ଠରେ ମୋ “ପ୍ରାର୍ଥନା” ପ୍ରତ୍ୟାଖ୍ୟାନ କଲେ । ସେତେବେଳେ ଘରୋଇ ଚିକିତ୍ସାକୁ କେନ୍ଦ୍ର କରି ଡାକ୍ତରମାନଙ୍କ ଭିତରେ ଇର୍ଷାର ରାଜୁତି ।

ପ୍ରସୂତିବିଦ୍ୟା ବିଭାଗର ମୁଖ୍ୟ ଥାନ୍ତି ପ୍ରଫେସର ସୂର୍ଯ୍ୟମଣି ମିତ୍ର । ତାଙ୍କୁ ଭେଟିଲି । ଏକା କଥା ।

ମନେହେଲା , ସରିଯାଇଥିବା ରାତିରେ ସେହି ଅଜଣା କନଷ୍ଟେବଲଙ୍କ ଆଚରଣରେ ମୁଗ୍ଧ ହୋଇ ଆମେ ଜାଣିନଥିବା ମଣିଷମାନଙ୍କ ଭିତରେ ମଣିଷପଣିଆ ଲୁଚିଥାଏ ବୋଲି ମୁଁ ଯେଉଁ ସାଧାରଣ ଧାରଣା ଧାରଣ କରିଥିଲି ତାହା ଭୁଲ । ଅସାଧାରଣ ମଣିଷ ଭିତରେ ମଣିଷପଣିଆ ଥାଏ । ସେ କନଷ୍ଟେବଲ ନିଶ୍ଚୟ ଥିଲେ ଅସାଧାରଣ ।

ତାଙ୍କ କଥା ଭାବୁ ଭାବୁ ନୈରାଶ୍ୟ ଭିତରେ ଅଶାର ଧାରେ ଆଲୋକ ଦିଶିଲା । ଅଳ୍ପ ଦୂରରେ ଡି. ଆଇ. ଜି. ଦୂର୍ଗା ମାଧବ ମିଶ୍ରଙ୍କ କୋଠି । ସେ ମୋ ଗାଁ ତିଗିରିଆର ବୈରାଗୀ ମିଶ୍ରଙ୍କ ନିକଟସମ୍ପର୍କୀୟ । ତେଣୁ ମୁଁ ତାଙ୍କୁ ଭାଇନା ବୋଲି ଡାକେ । ତାଙ୍କ ପାଖରେ ପହଞ୍ଚିଲି । ସକାଳର ଖବରକାଗଜ ପଢୁଥିଲେ । ମୋ ଅସ୍ତବ୍ୟସ୍ତ ପୋଷାକ ଦେଖି ସେ ଜାଣିଗଲେ ଯେ ମୁଁ ନିଶ୍ଚୟ କିଛି ଅସୁବିଧାରେ ଅଛି ।

“କଥା କ’ଣ?” ବୋଲି ପଚାରିଲେ । ମୁଁ ସବୁକଥା କହି ସେ ମୋତେ ତୁରନ୍ତ ସାହାଯ୍ୟ କରନ୍ତୁ ବୋଲି କହିଲି । ସେ କହିଲେ, “ଭାଇ , ଏ ତ ଅସମ୍ଭବ କଥା ।  ଡାକ୍ତରଖାନା ବ୍ୟାପାରରେ ମୁଁ କଣ କରିପାରିବି ?” ମୁଁ କହିଲି, “ଘରୋଇ ଚିକିତ୍ସାଜନିତ ଈର୍ଷା ହେତୁ ସେମାନେ ମୋ ସ୍ତ୍ରୀକୁ ମାରିଦେବାକୁ ବସିଛନ୍ତି । ମାରିଦେଲେ ପୋଲିସ ହସ୍ତକ୍ଷେପ କରିବ, ମାରିବା ପୂର୍ବରୁ ନୁହେଁ ?”

ଦୂର୍ଗା ଭାଇନା ଗମ୍ଭୀର ହୋଇଗଲେ , ତା ପରେ ଟିକେ ହସିଲେ । କହିଲେ, ଚା’ ଖା । ଦେଖେ, କ’ଣ କରିହେଉଛି ।”

ଯାହାଙ୍କୁ ଡାକିଲେ, ସେ ଜଣେ ଇନ୍ସପେକ୍ଟର । କହିଲେ, “ଡାକ୍ତର ସୁକୁମାର ମିତ୍ରଙ୍କ ଘରକୁ ଯାଅ , କହ ଯେ, ସବିତାରଣୀ କାନୁନଗୋଙ୍କର ଯଦି କିଛି କ୍ଷତି ହୁଏ, ବିଭାଗୀୟ ମୁଖ୍ୟ ଭାବେ ଶ୍ରୀମତୀ ମିତ୍ର ଭୀଷଣ ଅଡୁଆରେ ପଡ଼ିବେ । ପୋଲିସ ପାଖରେ ଅଭିଯୋଗ ପହଞ୍ଚିଛି କି, ଘରୋଇ ଚିକିତ୍ସାଜନିତ ଈର୍ଷା ହେତୁ ବିଭାଗୀୟ ମୁଖ୍ୟ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି । ତେଣୁ ତାଙ୍କ ଚିକିତ୍ସା ନିହାତି ନିର୍ଭୁଲ ଭାବେ ହେବା ଦରକାର ଓ ସେ ନିରାପଦ ରହିବା ଦରକାର ।”

ଦୂର୍ଗା ଭାଇନାଙ୍କ ଘରୁ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଡାକ୍ତର ମିତ୍ର ପହଞ୍ଚି ସାରିଥିଲେ ଏବଂ ଆବଶ୍ୟକୀୟ ଟିମ ସଂଗଠିତ ହୋଇସାରିଥିଲା, ସବିତାରାଣୀ ଅପରେସନ ଥିଏଟର ଭିତରକୁ ଯାଇ ସାରିଥିଲେ । ସଫଳ ଅସ୍ତ୍ରୋପଚାର ବଳରେ ଯିଏ ଧରାକୁ ଆସିଲା, ସେ “ପୁଅଟିଏ” ବୋଲି ମୋ ପାଖକୁ ଝପଟି ଆସି ନର୍ସ ଯେତେବେଳେ କହିଲେ, ପ୍ରାଣର ଅବେଗରେ ତାଙ୍କୁ କୁଣ୍ଢେଇପକାଇବାକୁ ବସିଥିଲି । ନିଜକୁ ନିଜେ ସମ୍ଭାଳିଗଲି ।

ରଜ ପର୍ବରେ ଧରଣୀ ବୁକୁକୁ ଆସିଥିବା ହେତୁ ତାକୁ ଡାକିଲି ‘ରଜା’ ।
ସଂସାର ପାଇଁ ସେ ଶାଶ୍ଵତ । ଶାଶ୍ଵତ ପଟ୍ଟନାୟକ ।

ସଂସାର ବଦଳିଗଲାଣି । ଚଣ୍ଡୀଛକର ସେଇ ଚାଳ ମଣ୍ଡିତ ବଙ୍ଗ୍ଲୋ କେବେଠୁ ଅନ୍ତର୍ଦ୍ଧାନ ହୋଇଗଲାଣି ଆଧୁନିକ ହର୍ମ୍ୟମାଳାର ଚାକଚକ୍ୟମୟ ଆବର୍ତ୍ତରେ । ମୋ ପୁଅ ରଜା କେବଠୁ ଛାଡ଼ିଲାଣି ଜନ୍ମଭୂମି , ନିଜ ପାଇଁ ନିଜର ପରିଚୟ ତିଆରି କଲାଣି ଆମେରିକାରେ ।

କିନ୍ତୁ ସେହି ରାତିର ସେହି କରୁଣାମୟୀ ଡାକ୍ତର ପ୍ରମିଳା ମହାନ୍ତି, ନାମ ଭୁଲିଯାଇଥିବା ସେହି କେରଳୀ ନର୍ସ , ନାମ ପଚାରିପାରିନଥିବା  ଅଜଣା ସେହି କନଷ୍ଟେବଲ ଏବଂ ସକାଳର ସେହି ଦୁର୍ଗମାଧବ ମିଶ୍ର ମୋ ଛାତି ଭିତରେ ସେହିପରି ଅଛନ୍ତି, ବଦଳି ନାହାନ୍ତି । ବଦଳିବେ ନାହିଁ ବି ।

ସମୟ ବଦଳି ଯାଉଥିବ , କିନ୍ତୁ ସେଇ ରାତି, ସେଇ ସକାଳ ମନ ଭିତରେ ସେହିପରି ରହିଥିବ ଚିରକାଳ ।

(ରଜ, ୨୦୨୧)

ପ୍ରଚ୍ଛନ୍ନ ସାମ୍ୟବାଦୀ ଶଶି ଭୂଷଣ ମହାନ୍ତି ଆଉ ନାହାନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବହୁ ଦଶନ୍ଧି ତଳର ସେହି ଦିନ ସେହି ବାର ଆଉ ମନେନାହିଁ ; କିନ୍ତୁ ମନେ ଅଛନ୍ତି ଶଶିଭୂଷଣ ମହାନ୍ତି , ଯିଏ ଆଉ ନାହାନ୍ତି , କରୋନା କବଳରେ ଗତକାଲି ବୁଜି ଦେଇଛନ୍ତି ଆଖି ।

କଟକ ବଡ଼ ଡାକ୍ତରଖାନା ପରିସରରେ ଥିବା କନିକା କଟେଜ ଭାଙ୍ଗିନଥିଲା । ବନ୍ଦୀ ଜୀବନ ଯାପନ କରୁଥିବା ଚିରସ୍ମରଣୀୟ କମ୍ୟୁନିଷ୍ଟ ନେତା ନାଗଭୂଷଣ ପଟ୍ଟନାୟକ ସେଇଠି ରହି ଚିକିତ୍ସିତ ହେଉଥିଲେ । ସଶସ୍ତ୍ର ପୋଲିସ ଘେରି ରହିଥିଲେ ଚାରିଆଡେ । ସେଇଠୁ ମୁଁ ଫେରୁଥିଲି ; ଦେଖିଲି, ମୋ ସମବୟସର ଜଣେ ବ୍ୟକ୍ତି ପୋଲିସ ସହ ଝଗଡ଼ାରେ ଲିପ୍ତ । ପୋଲିସ କହୁଛି ନାଗଭୂଷଣଙ୍କୁ ଦେଖା କରିବାକୁ ତାଙ୍କୁ ଛଡ଼ାଯାଇପାରିବନି । ତାଙ୍କର ଏକା ଯିଦ , ସେ ନିଶ୍ଚୟ ଦେଖାକରିବେ । ହୋଇପାରନ୍ତି ସେ ନକ୍ସଲପନ୍ଥୀ , କିନ୍ତୁ ସାଧାରଣ ମଣିଷ ପାଇଁ ଜୀବନ ବାଜି ଲଗାଇଦେଇଥିବା ସେ ଜଣେ ଆଗ୍ନେୟ ତପସ୍ଵୀ । ସେ ତାଙ୍କ ପାଖକୁ ଯିବେ, ପ୍ରଣାମ କରିବେ, ଫେରି ଆସିବେ । ସେ ପୋଲିସକୁ କହୁଥାନ୍ତି, ନାଗ ଭୂଷଣଙ୍କର ସେ କୌଣସି ରାଜନୈତିକ ସମର୍ଥକ ନୁହନ୍ତି । ମାତ୍ର ନିଜର ସ୍ଵର ନଥିବା ଖଟିଖିଆ ମଣିଷ ପାଇଁ ଲଢୁଥିବା ଲୋକଙ୍କ ଭିତରେ ନାଗ ଭୂଷଣ ଜଣେ । ତେଣୁ ସେ ଯାଇ ନୀରବରେ ତାଙ୍କୁ ପ୍ରଣାମ କରିବେ , ନୀରବରେ ଜଣାଇ ଦେବେ ଯେ, ମଣିଷ ପାଇଁ କଷ୍ଟ ଭୋଗୁଥିବା ମଣିଷକୁ ମଣିଷ ପୂଜା କରେ । ମୁଁ ଚମତ୍କୃତ ହୋଇ ତାଙ୍କ ବ୍ୟାକୁଳ ଯୁକ୍ତି ଶୁଣୁଥିଲି । ପୋଲିସ ଅଫିସର କଣ ଭାବିଲେ କେଜାଣି, କହିଲେ- ହେଉ ଯାଆନ୍ତୁ , କେବଳ ଦେଖିବେ, ଚାଲି ଆସିବେ ।

ତାର ଦୀର୍ଘ କେଇ ବର୍ଷ ପରେ , ଇମର୍ଜେନ୍ସି କାଳରେ ହରାଇଥିବା ସାମ୍ବାଦିକ ପଦରେ ଓଡ଼ିଶା ଲେବର କୋର୍ଟ ତଥା ହାଇ କୋର୍ଟଙ୍କ ଆଦେଶ ବଳରେ ପୁନର୍ନିଯୁକ୍ତି ପାଇ ଜୟଦେବ ବିହାରରେ ଏକ ଡି ଟାଇପ୍ ଘରେ ଆବାସ ପାଇଲି । ଗୋଟିଏ ଛାତ ତଳେ ଛଅଟି ଘର । ମୁଁ ତହିଁର ବାସିନ୍ଦା ହେବା ପୂର୍ବରୁ ସେଇଠି ରହୁଥିଲେ ଅଧ୍ୟାପକ ଜୟନ୍ତ ବିଶ୍ଵାଳ, ଅଧ୍ୟାପକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେହନୁର), ଇଞ୍ଜିନିୟର ବେଜ , ଅପନ୍ନା ନାୟକ, ଶଶି ଭୂଷଣ ମହାନ୍ତି । ପାଖରେ ରହୁଥିଲେ ଅଧ୍ୟାପକ ପ୍ରମୋଦ ମହାନ୍ତି , ଅଧ୍ୟାପକ ଏସ୍ . ଏନ୍. ପାତ୍ର । ପ୍ରମୋଦ ବାବୁଙ୍କ ପୁଅ ମିଟୁନା , ପାତ୍ର ବାବୁଙ୍କ ପୁଅ ଶ୍ରବଣ, ଜିତୁବାବୁଙ୍କ ପୁଅ ଜଜି, ଜୟନ୍ତବାବୁଙ୍କ ପୁଅ ମୁନ୍ଳୁ , ଶଶିବାବୁଙ୍କ ପୁଅ ବୁଲୁ ଆଦିଙ୍କ ସହ ମୋ ପୁଅ ରଜା ନିମିଷକେ ସାଙ୍ଗ ହୋଇଗଲା ଯେମିତି ପାଣିରେ ପାଣି ମିଶିଯାଏ । ଦି ଦିନ ପରେ ଶଶିବାବୁ ଗସ୍ତରୁ ଫେରି ମୋ ବସାକୁ ଆସିଲେ ମୁଁ ନୂଆ କରି ତାଙ୍କ ମେଳକୁ ଆସିଥିବାରୁ ମୋତେ ସ୍ଵାଗତ ଜଣାଇବା ପାଇଁ । ପରସ୍ପର କିଛି ସମୟ ପରସ୍ପରକୁ ଚାହିଁ ରହିଲୁ । କେଉଁଠି ଦେଖିବା ଦେଖିବା ପରି ଲାଗୁଥିଲା । ଧୀରେ ଧୀରେ ମୋର ମନେ ପଡ଼ିଲା । ପଚାରିଲି, ଆପଣ କେବେ କଟକ ବଢ଼ ଡାକ୍ତରଖାନାର କନିକା କଟେଜରେ ଚିକିତ୍ସିତ ହେଉଥିବା ନାଗ ଭୂଷଣ ପଟ୍ଟନାୟକଙ୍କୁ ଦେଖିବାକୁ ଯାଇଥିଲେ ? ସେ ଚମକି ପଡ଼ିଲେ । କହିଲେ , ଆପଣ ତେବେ ସେଇ, ଯିଏ ମୋ ପାଇଁ ପୋଲିସ ସହ ଯୁକ୍ତି ବି କରିଥିଲେ? ପରସ୍ପରକୁ କୋଳେଇ ନେଲୁ ।

ପରସ୍ପର ପରିଚିତ ହେବାକୁ ବସିଲାରୁ ଦେଖାଗଲା ସେ ମୋ ପିଉସାଶ୍ଵଶୁର କେନ୍ଦ୍ରାପଡ଼ା ନିବାସୀ କିଶୋରୀ ଚରଣ ମହାନ୍ତିଙ୍କ ସମ୍ପର୍କୀୟ ଏବଂ ମୁଁ ତାଙ୍କ ସାନ ସଡୂ ସୁଧୀରର ସମ୍ପର୍କୀୟ । ସେ କହିଲେ, ଆପଣଙ୍କ ସହ ଭାବ ଜଗତରେ ମୋର ନିବିଡ ସମ୍ପର୍କ ଅଛି । ମୁଁ ପଚାରିଲି , କିପରି? ସେ କହିଲେ, ନୂଆପାଟଣା ସୁତାକଳ ଶ୍ରମିକ ଯୁନିୟନ ସଭାପତିଙ୍କୁ କେ ଅବା ନ ଜାଣେ ! ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥାଇ ବି ଓ ସୁତାକଳ ପ୍ରତିଷ୍ଠା କରି ସବୁ ଶ୍ରମିକଙ୍କୁ ନିଯୁକ୍ତି ଦେଇ ବି କଂଗ୍ରେସ ସେଠାରେ ଜଣେ ଶ୍ରମିକ ପାଇଲାନି ଯୁନିୟନ ଗଢିବାକୁ , ସବୁ ଶ୍ରମିକଙ୍କୁ ଆପଣ ସି ପି ଆଇ ଶିବିରକୁ ନେଇଆସିଥିଲେ ! ମୁଁ ପଚାରିଲି, ଆପଣ କିପରି ଜାଣିଲେ ? ସେଇଠୁ ଜାଣିଲି ଯେ ସେ ସେତେବେଳେ କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ଥିଲେ ଓ ନୂଆପାଟଣା ସୂତା କଳକୁ ଯେଉଁ କପା ଆସୁଥିଲା ତାର ଗୁଣ ଯାଞ୍ଚ କରିବାକୁ ସେହି ସୂତା କଳକୁ ନିୟମିତ ଗସ୍ତ କରୁଥିଲେ ।

ସରକାରୀ କର୍ମଚାରୀ ଭାବେ ସେ ଥିଲେ ଯେତିକି କର୍ତ୍ତବ୍ୟନିଷ୍ଠ ସେତିକି ବେସାଲିସ୍ । ଦୁଇଟି ଦୃଷ୍ଟାନ୍ତ ଦେବି । କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ପଦାଧିକାର ବଳରେ ସେ ଏକ ସରକାରୀ ଜିପ୍ ପାଇଥିଲେ । ସବୁ ସରକାରୀ ଅଫିସରଙ୍କ ଘରକୁ ସରକାରୀ ଗାଡି ଆସେ ଓ ନିଆ ଅଣା କରେ । ଶଶିବାବୁ ନିଆରା । ସେ ନିଜର ଏକ ମୋପେଡ ରଖିଥାନ୍ତି । ସେଥିରେ ଯିବା ଆସିବା କରନ୍ତି । କାରଣ, ସେ ଭାବୁଥିଲେ , ଅଫିସକୁ ଯିବା ଅଫିସରଙ୍କର ନିଜ ଦାୟିତ୍ଵ । ସେଥିପାଇଁ ସରକାରୀ ଗାଡି କାହିଁକି ବ୍ୟବହୃତ ହେବ? ମୁଁ ଦେଖେ, ଯଦି ସରକାରୀ ଗସ୍ତ ଅଛି, ଭୁବନେଶ୍ଵର ବାହାରକୁ ଯିବାକୁ ହେବ, କେବଳ ସେହି କ୍ଷେତ୍ରରେ ହିଁ ତାଙ୍କୁ ଦିଆହୋଇଥିବା ସରକାରୀ ଗାଡି ସେ ବ୍ୟବହାର କରୁଥିଲେ ।
ଦ୍ଵିତୀୟ ଦୃଷ୍ଟାନ୍ତ ଅତ୍ୟନ୍ତ ଲୋମହର୍ଷଣକାରୀ । ଭୁବନେଶ୍ଵରରୁ ବଦଳି ହୋଇ ସେ ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥାନ୍ତି । କୃଷି ବିଭାଗର ସର୍ବୋଚ୍ଚ ଦାୟିତ୍ବରେ ଥାନ୍ତି ଶ୍ରୀନିବାସ ରଥ । ଥରେ ସେ କୋଣସି କାମରେ ଅନୁଗୁଳ ଗଲେ ଓ ବିଭାଗୀୟ ଗେଷ୍ଟ ହାଉସରେ ତିନିଦିନ ରହିଲେ । ତାଙ୍କ ଘରୋଇ ସଚିବଙ୍କ ନିର୍ଦ୍ଦେଶରେ “ସାହେବ”ଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପ୍ରଥମ ରାତ୍ରିରେ ଶଶିବାବୁଙ୍କୁ ଦେବାକୁ ପଡିଥିଲା । ସେହି ସମାନ ସାମଗ୍ରୀ ଦେବାକୁ ତହିଁ ପରଦିନ ରଥଙ୍କ ଘରୋଇ ସଚିବ ଯେତେବେଳେ ତଲବ କଲେ, ଶଶିବାବୁ ପଚାରିଲେ , କାଲି ପରା ଦେଇଥିଲି? ଉତ୍ତର ମିଳିଲା – ସାହେବ ଥରେ ବ୍ୟବହାର କରିଥିବା ଦ୍ରବ୍ୟ ଦ୍ଵିତୀୟ ଥର ବ୍ୟବହାର କରନ୍ତିନି । ଶଶିବାବୁ ପ୍ରତିବାଦ ନ କରି ପରବର୍ତ୍ତୀ ଦୁଇଦିନ ଦୁଇ ସେଟ୍ ସାମଗ୍ରୀ ପଠାଇଲେ ଏବଂ ଶେଷ ଦିନ ତହିଁର ଦାମ୍ ଦାଖଲ କରିବାକୁ ଦୋକାନ ରସିଦ ସହ ଘରୋଇ ସଚିବଙ୍କୁ ଚିଠି କଲେ । ଘରୋଇ ସଚିବ ରାଗରେ ଲାଲ୍ ହୋଇଗଲେ । ସେଠାରେ ଉପସ୍ଥିତ ଥିବା କୃଷି ଭିଭାଗୀୟ ଉପନିର୍ଦ୍ଦେଶକ ନିଜ ଆଡୁ ସେ ଟଙ୍କା ଦାଖଲ କରି ପରିସ୍ଥିତି ସମ୍ଭାଳି ନେଇଥିଲେ । ଅଳ୍ପ କେଇଦିନ ପରେ ଶଶିବାବୁଙ୍କର କଳାହାଣ୍ଡି ବଦଳି ହୋଇଥିଲା । ସେଠାରେ କେତେବର୍ଷ ଧରି ବିକ୍ରି ହୋଇପାରିନଥିବା ବାଦାମ ବିହନ ପାଇଁ ଶଶିବାବୁଙ୍କୁ ଦାୟୀ କରି ତାଙ୍କ ବେତନ ବନ୍ଦ କରାଗଲା । ଶଶିବାବୁ ତା ବିରୁଦ୍ଧରେ ସରକାରଙ୍କୁ ପ୍ରତିବାଦ ପତ୍ର ପଠାଇଲେ । ସେତେବେଳକୁ କୃଷି ଉତ୍ପାଦନ କମିଶନର ହୋଇଥାନ୍ତି ଶ୍ରୀମତୀ ସି ନାରାୟଣାସ୍ଵାମୀ । ନଥିଟି ତାଙ୍କ ସମ୍ମୁଖରେ ପହଞ୍ଚିଲା ବେଳକୁ ସେଠାରେ ବସିଥିଲେ ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ମହେଶ୍ଵର ପଟ୍ଟନାୟକ । ନାରାୟଣାସ୍ଵାମୀ ତାଙ୍କଠୁ ଜାଣିବାକୁ ଚାହିଁଲେ ଶଶି ଭୂଷଣ ମହାନ୍ତି କିପରି ଲୋକ । ସେ କହିଲେ – ସେ ତ ମୋର ଛାତ୍ର ଥିଲା, ପରେ ମୋର ସହକର୍ମୀ ହେଲା । ମୋ ବିଚାରରେ ତା’ଠୁ ବଳି ସଚ୍ଚୋଟ, ସତ୍ ସାହସୀ , ସ୍ପଷ୍ଟବାଦୀ କର୍ମଚାରୀ କୃଷି ବିଭାଗରେ ନାହାନ୍ତି । ଶଶିବାବୁଙ୍କ ଉପରେ ଜାରି ହୋଇଥିବା ବେତନ ବନ୍ଦ ଆଦେଶ ତୁରନ୍ତ ବାତିଲ ହେଲା ଓ ତାଙ୍କ ପ୍ରମୋଶନର ପଥ ପରିଷ୍କାର ହେଲା ।

ତାଙ୍କ ତିରୋଧାନରେ ମୁଁ ଏହା ହିଁ କହିପାରେ ଯେ, ସରକାରୀ ଚାକିରିରେ ଥାଇ ମଧ୍ୟ ହୃଦୟରେ ସାମ୍ୟବାଦ ପ୍ରତି ଅନୁରକ୍ତି ରଖିଥିବା ଜଣେ ପ୍ରଚ୍ଛନ୍ନ କମ୍ୟୁନିଷ୍ଟ ଆଖି ବୁଜିଦେଲେ ।



କୋଭିଦ୍ ଚିକିତ୍ସାଳୟକୁ ରୋଗୀର ତଥ୍ୟ ଇଣ୍ଟର୍ନେଟରେ ରଖିବାକୁ ବାଧ୍ୟ କରାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଜଣେ ବନ୍ଧୁଙ୍କ ଫୋନ ଆସିଲା । “ପୁଅଟି କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛି କୋଭିଦ୍ ଚିକିତ୍ସା ପାଇଁ, ଖବର କିଛି ପାଉନି ; ସାହାଯ୍ୟ କରିବ ।” ଗତ ଦୁଇଦିନ ଧରି ଚେଷ୍ଟା କରି ମୁଁ ତାର କୌଣସି ଖବର ପାଉନି ସେହି ଡାକ୍ତରଖାନାରୁ । ଯେହେତୁ ତାର କୋଭିଦ୍ ଚିକିତ୍ସା ଚାଲିଛି ତା ସହ ରହିବା ପାଇଁ କୌଣସି ସମ୍ପର୍କୀୟ ବା ସହାୟକଙ୍କୁ ଅନୁମତି ନାହିଁ । ପରିବାର ଲୋକେ ଜାଣିବେ କିପରି?

ଚିକିତ୍ସାରେ ଅବହେଳା ଓ ଅବ୍ୟବସ୍ଥା ନେଇ ଉଠୁଥିବା ଅଭିଯୋଗ ଆକାଶଛୁଆଁ । ଚିକିତ୍ସାରତ ରୋଗୀ ସମ୍ପର୍କରେ ତାଙ୍କ ପରିବାରକୁ ଅନ୍ଧକାରରେ ରଖିବା ସମ୍ପୃକ୍ତ ଚିକିତ୍ସାଳୟର ଧର୍ତ୍ତବ୍ୟ ଅପରାଧ । ରାଜ୍ୟରେ ଯେଉଁ ଅରାଜକତା ଚାଲିଛି ସେଥିରେ ଏ ଅପରାଧ ଧରିବ କିଏ?

ଏ ମହାମାରୀ ସାରା ବିଶ୍ଵକୁ ଚହଲାଇ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମ ରାଜ୍ୟ ଏହାକୁ ସାମ୍ନା କରୁଛି । ଏ କ୍ଷେତ୍ରରେ ପ୍ରଶାସନିକ ଭୁଲଭଟକାଠୁ ଭଲ ଅଧିକ ଓ ଏଥିପାଇଁ ଆମ ମୁଖ୍ୟମନ୍ତ୍ରୀ ନିଶ୍ଚୟ ପ୍ରଶଂସନୀୟ । ମାତ୍ର ଡାକ୍ତରଖାନାମାନଙ୍କରେ ଚିକିତ୍ସାଧୀନ ଅନ୍ତେବାସୀ ରୋଗୀ (indoor patient)ମାନଙ୍କ ସମ୍ପର୍କରେ ପରିବାରବର୍ଗଙ୍କୁ ଯେପରି ଅନ୍ଧକାରରେ ରଖାଯାଉଛି ତାହା “ବାପା ପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା” ଅବସ୍ଥା ସୃଷ୍ଟି କଲାଣି ।

ଏହାର ନିରାକରଣ ପାଇଁ ପ୍ରତ୍ୟେକ ଚିକିତ୍ସାଧୀନ ଅନ୍ତେବାସୀ ରୋଗୀର ଖବର ଇଣ୍ଟର୍ନେଟରେ ଉପଲଭ୍ୟ ହେବା ଆବଶ୍ୟକ । କୋଭିଦ୍ ହସ୍ପିଟାଲମାନେ ଚିକିତ୍ସା ପାଇଁ ପ୍ରଚୁର ଲାଭ ପାଉଛନ୍ତି । ସେମାନଙ୍କୁ ବାଧ୍ୟ କରାଯାଉ ନିଜସ୍ଵ ୱେବସାଇଟ ସ୍ଥାପନ କରି ତହିଁରେ ଅନ୍ତେବାସୀ ରୋଗୀମାନଙ୍କ ସ୍ବାସ୍ଥ୍ୟବସ୍ଥା ନିୟମିତ ପ୍ରକାଶ କରିବା ଓ ତାହାକୁ ଶେଷପର୍ଯ୍ୟନ୍ତ ଅଦ୍ୟତନ କରିବା ପାଇଁ । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ତ୍ଵରାନ୍ଵିତ କରାଯାଉ ।

ହୋରୀ // ରଙ୍ଗର ନୁହଁ , ରକ୍ତର

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ହୋରୀ ରଙ୍ଗର ଖେଳ ନୁହେଁ, ରକ୍ତର ଖେଳ । ଶୋଷକର ରକ୍ତରେ ପିଚ୍କାରୀ ଖେଳିଥିଲେ ଷୋଳସହସ୍ର ନାରୀ ଯାହାର ବର୍ଣ୍ଣନା ଅଛି ମହାଭାରତର ସଭାପର୍ବରେ । ମଣିପର୍ବତରେ ଏକ ଦୁର୍ଭେଦ୍ୟ ଦୁର୍ଗ ତିଆରିକରି ଯୌନପିଶାଚ ଭୌମାସୁର ସେଠାରେ ଷୋଳସହସ୍ର ଯୁବତୀଙ୍କୁ ବନ୍ଦୀ କରି ରଖି ଯଦ୍ଦୃଛା ସଂଭୋଗ କରୁଥିଲା । ତାର ସହଯୋଗୀ ମୁରାସୁର ସେହି ଦୁର୍ଗ ଚାରିପଟେ ୬୦୦୦ ଫାଶ ଲଗାଇଥିଲା , ଯହିଁରେ ଖଞ୍ଜା ଥିଲା ଏପରି ସୁତୀକ୍ଷ୍ନ ଛୁରି ଯେ, ଯେ ବି ସେ ଦୁର୍ଗ ପାଖକୁ ଯାଉଥିଲା, ଫାଶରେ ଛନ୍ଦିହୋଇ ଛୁରୀରେ କଟି ପ୍ରାଣତ୍ୟାଗ କରୁଥିଲା । ତ୍ଵଷ୍ଟାଙ୍କ ଝିଅ କଶେରୁଙ୍କୁ ଭୌମସୁର ଅପହରଣ କରି ସେହି ଦୁର୍ଗକୁ ନେଇଗଲା । ଶ୍ରୀକୃଷ୍ଣ ନିଜ ଚକ୍ରରେ ସେହି ଫାଶଗୁଡ଼ିକୁ କାଟି କଶେରୁ ସମେତ ସେହି ୧୬୦୦୦ ବନ୍ଦିନୀଙ୍କୁ ଯୌନ ଶୋଷଣରୁ ମୁକ୍ତ କରିଥିଲେ ଓ ସେହି ଅତ୍ୟାଚାରୀମାନଙ୍କୁ ହତ୍ୟା କରିଥିଲେ । ପିଚ୍କାରୀ କରି ସେହି ଅତ୍ୟାଚାରୀମାନଙ୍କ ରକ୍ତରେ ହୋରୀ ଖେଳିଥିଲେ ଅତ୍ୟାଚାରିତା ନାରୀମାନେ । ଅତ୍ୟାଚାରୀ ବିରୁଦ୍ଧରେ ସଂଗ୍ରାମ କଲାବେଳେ ଆମେ ଓଡ଼ିଆଏଁ ପ୍ରାୟତଃ କହିଥାଊଁ , “ରକ୍ତରେ ହୋରୀ ଖେଳିବି, ମନେ ରଖ୍ ।”

ଶୋଷକ-ସାମ୍ରାଜ୍ୟର ବ୍ୟାଧମାନେ ହୋରୀକୁ ରଙ୍ଗର ପର୍ବ ବୋଲି କହି ଏହି ଲୋକପର୍ବର ଐତିହ୍ୟଠାରୁ ଆମକୁ ଦୂରେଇ ରଖିଛନ୍ତି ; କାରଣ, ଶୋଷଣର ଶେଷ ପାଇଁ ଦିନେ ଯେ  ଖେଳା ହେବ ଅସଲ ହୋରୀ – ରକ୍ତର ହୋରୀ  – ହୁଏତ ଏହି ଆଶଙ୍କା ସେମାନଙ୍କ ମନରେ ଅଛି । 

orissamattersରେ ୨୦୧୪ ମାର୍ଚ୍ଚ ୧୭ରେ ମୁଁ ଲେଖିଥିଲି

Holi is not a festival of color; by origin, it is celebration of squirting in blood of the oppressor

ବହିର ବାସ୍ନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପୁରୁଣା ଫଟୋ ଖୋଜୁ ଖୋଜୁ ଏଇଟି ମିଳିଗଲା ।

ବହିଗୁଡ଼ିକର ବାସ୍ନାରେ ଯେଉଁ ରୋମାଞ୍ଚ ଭରିହୋଇଥାଏ, ତାହା ଅଧିକ ମଧୁମୟ ହୋଇଉଠେ ସେଗୁଡ଼ିକୁ ଭଲ ପାଉଥିବା କେହି ଜଣେ ପାଖରେ ଥିଲେ । ସବିତାରାଣୀ ଓ ମୋ ଭିତରେ ଫରକ ହେଲା, ବହିଟିଏ ପାଇଲେ ମୁଁ ତା ଉପରେ ଆଖିଗଡ଼େଇ ରଖିଦିଏ; ପରେ ସମୟ କରି ମନଦେଇ ପଢେ । ସବିତାରାଣୀ ଏକା ଲୟରେ ଶେଷଯାଏଁ ପଢନ୍ତି । ବେଳେବେଳେ ସେ ହିଁ ମୋତେ ବତାଇ ଦିଅନ୍ତି କେଉଁ ବହିରେ କେଉଁ କଥାଟି କେଉଁଠି ଅଛି ।

ଏ ଫଟୋଟି ମହାବାତ୍ୟା ପୂର୍ବର । କାରଣ ମହାବାତ୍ୟା ପରେ ମୋ ପଢାଘରର ବହିଥାକ ବଦଳିଯାଇଛି । ମହାବାତ୍ୟା ପରେ କାଗଜକଲମରେ ଲେଖା ସମ୍ବାଦିକତା ଛାଡ଼ି  orissamatters.com ପ୍ରତିଷ୍ଠା କରି ମୁଁ ଆମ ରାଜ୍ୟରେ କମ୍ପ୍ୟୁଟର ଆଧାରିତ ସମ୍ବାଦିକତାକୁ ଜନ୍ମଦେଇଛି ଓ ତଦ୍ଦ୍ଵାରା ଏକ ନୂଆ ସାମ୍ବାଦିକୀୟ ଯୁଗ ସୃଷ୍ଟି କରିଛି । କିନ୍ତୁ ବହିର ବାସ୍ନା ମୋତେ ଏବେ ବି ରୋମାଞ୍ଚିତ କରୁଛି ଓ ସବିତାରାଣୀ ଏବେ ବି ମୋର ପାଠକୀୟତାର ଶକ୍ତି ହୋଇ ରହିଛନ୍ତି ।

ବିଧାନସଭା ପରିସର କୌଣସି ରଙ୍ଗଶାଳା ନୁହେଁ, ସିକନ୍ଦର ଆଲାମଙ୍କ ପ୍ରତିମୂର୍ତ୍ତି ହଟାଯିବା ଦରକାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କରୋନା କବଳରେ ଲୋକେ ଯେତେବେଳେ ଅଭୂତପୂର୍ବ ସରକାରୀ ଜୁଲୁମର ଶିକାର ହୋଇଚାଲିଥିଲେ, ନବୀନବାବୁଙ୍କ ଗୋଡ଼ାଣିଆମାନଙ୍କର ଏପରି ଡେଣା ଲାଗିଯାଇଥିଲା ଯେ, ଓଡ଼ିଶା ବିଧାନସଭାର ପବିତ୍ର ପରିସର ମଧ୍ୟ ସେମାନଙ୍କ ଶକ୍ତିବଳରେ ରଙ୍ଗଶାଳା ପାଲଟିଗଲା । ଏହି ପରିସରରେ କଣ୍ଠଶିଳ୍ପୀ ସିକନ୍ଦର ଆଲାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏହା ହିଁ ସୂଚାଉଛି ।

ବର୍ତ୍ତମାନର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକଦା ଗର୍ବର ସହ ନିଜକୁ ନବୀନ ପଟ୍ଟନାୟକଙ୍କ ଚାକର ବୋଲି ଘୋଷଣା କରିଥିଲେ । ଏହି ଚାକରାମୀ କାଏମ ରଖିବା ପାଇଁ ନିଜ ଆଡୁ କିମ୍ବା ନବୀନବାବୁଙ୍କ ଆଦେଶରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଇଛନ୍ତି ତାହା ସେ ନିଜେ ପ୍ରକାଶ କରିବା ଉଚିତ ।

ଆମ ଗଣତନ୍ତ୍ରର ପାବନପୀଠ ଆମ ବିଧାନସଭା । ଯେଉଁ ମୂର୍ତ୍ତି ରଙ୍ଗଶାଳାର ଶୋଭାବର୍ଦ୍ଧନ କରିପାରନ୍ତା ତାକୁ ଏହି ପୀଠର ରାଜନୈତିକ ବୈଶିଷ୍ଟ୍ୟ ବିନାଶରେ ବ୍ୟବହାର କରାଯିବା ଆମ ରାଜନୈତିକ ସାର୍ବଭୌମତା ପ୍ରତି ଜଘନ୍ୟ ଅପମାନ ।

ମୁଁ ଓ ମୋର ପରିବାର ସିକନ୍ଦର ଆଲାମଙ୍କ ସଙ୍ଗୀତ ପ୍ରତି ଅନୁରକ୍ତ, ଯେମିତି ଅନୁରକ୍ତ ତାଙ୍କ ସମସାମୟିକ ଚିତ୍ତ ଜେନା, ଅକ୍ଷୟ ମହାନ୍ତି , ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ଶ୍ୟାମାମଣି ପଟ୍ଟନାୟକଙ୍କ ପାଇଁ । କିନ୍ତୁ ଏହାର ଅର୍ଥ ନୁହଁ ଯେ, ଏମାନଙ୍କ ଭିତରୁ ଯିଏ ଯେତେବେଳେ ଆଖିବୁଜିବେ, ତାଙ୍କ ପ୍ରତିମୂର୍ତ୍ତି ବିଧାନସଭାରେ ସ୍ଥାପିତ ହେବ ।

ନିଜ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଓଡ଼ିଶା ପ୍ରଦେଶ ସୃଷ୍ଟି ସକାଶେ ପ୍ରଥମ ସ୍ଵର ତୋଳିଥିଲେ ଘୁମୁସରର ଦୀନବନ୍ଧୁ ପଟ୍ଟନାୟକ । ଯଦି ବିଧାନସଭା ପରିସରରେ ବିଧାୟକ ଓ ମନ୍ତ୍ରୀମାନେ ମୁଣ୍ଡିଆ ମାରିବା ପାଇଁ କାହାର ପ୍ରତିମୂର୍ତ୍ତି ସ୍ଥାପନ ଆବଶ୍ୟକ ଥିଲା, ଉଚିତ ଥିଲା ଦୀନବନ୍ଧୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ।

ଦେଶ ସ୍ଵାଧୀନ ହେବା ପରେ ଓଡ଼ିଶାର ପରିଚାଳନା ସକାଶେ ଓଡ଼ିଆ  ଭାଷାକୁ ସରକାରୀ ଭାଷା କରିବାକୁ ଆଇନ ପ୍ରଣଯନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ବରଗଡ଼ (ପୁର୍ବ)ର ପ୍ରତିନିଧି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର । ଯଦି ବିଧାନସଭା ପରିସରରେ ବିଧାୟକ ଓ ମନ୍ତ୍ରୀମାନେ ମୁଣ୍ଡିଆ ମାରିବା ପାଇଁ କାହାର ପ୍ରତିମୂର୍ତ୍ତି ସ୍ଥାପନ ଆବଶ୍ୟକ ଥିଲା, ଉଚିତ ଥିଲା ଏହି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ।

ଓଡ଼ିଆ ଭାଷାରେ ଶାସନ ଚାଲିବା ସୁବିଧାଜନକ ହେବ ବୋଲି ସର୍ବପ୍ରଥମେ ଚିନ୍ତା କରି ଓଡ଼ିଆ ଟାଇପରାଇଟର ତିଆରି କରିଥିଲେ ଗଞ୍ଜାମ ଜିଲ୍ଲାର ରଙ୍ଗଲାଲ ମହାପାତ୍ର । ଯଦି ବିଧାନସଭା ପରିସରରେ ବିଧାୟକ ଓ ମନ୍ତ୍ରୀମାନେ ମୁଣ୍ଡିଆ ମାରିବା ପାଇଁ କାହାର ପ୍ରତିମୂର୍ତ୍ତି ସ୍ଥାପନ ଆବଶ୍ୟକ ଥିଲା, ଉଚିତ ଥିଲା ଏହି ରଙ୍ଗଲାଲ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ।

ଏହି ତିନି ମହାତ୍ମାଙ୍କ ପାଦତଳେ ବିଧାନସଭା ପରିସରରେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ମୁଣ୍ଡିଆ ମାରିବାର ସୁଯୋଗ ଦେବା ପାଇଁ ଯଦି ଏମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଇଥାନ୍ତେ ମୁଖ୍ୟମନ୍ତ୍ରୀ ବା ବାଚସ୍ପତି, ତେବେ ବିଧାନସଭା ପରିସରର ମର୍ଯ୍ୟାଦା ବଢିଥାନ୍ତା।

ବିଧାନସଭା ରାଜ୍ୟର ରାଜନୈତିକ ପ୍ରଶାସନ ପାଇଁ ଉଦ୍ଦିଷ୍ଟ । ରାଜନୈତିକ ପ୍ରଶାସନ ପାଇଁ ଯାହାଙ୍କର ଅବଦାନ ସ୍ମରଣୀୟ, ମନ୍ତ୍ରୀ ଓ ବିଧାୟକମାନେ ତାଙ୍କୁ ମୁଣ୍ଡିଆ ମାରି ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇବା ସକାଶେ ବିଧାନସଭା ପରିସରରେ ସେହିମାନଙ୍କ ପ୍ରତିମୂର୍ତ୍ତି ରଖାଯାଇପାରେ, ଅନ୍ୟ କାହାରି ବି ନୁହେଁ ।

ବିଧାନସଭା ପରିସରରେ ନବୀନବାବୁଙ୍କ ବାପାଙ୍କ ପ୍ରତିମୂର୍ତ୍ତି ବହୁ ଜାଗା ମାଡ଼ିବସିଛି , ଯେତେବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇଥିବା ସବୁ ଦିବଙ୍ଗତ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସେଠାରେ ଏଯାଏଁ ସ୍ଥାପିତ ହୋଇନାହିଁ କି ସ୍ଥାପନ କରାଯିବାର କୌଣସି ପ୍ରସ୍ତାବ ନାହିଁ  । ଏବେ ସିକନ୍ଦର ଆଲାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଗଲା, ଯେତେବେଳେ ସେହି କିସମର ସବୁ ସଙ୍ଗୀତଜ୍ଞଙ୍କ ମରଣୋତ୍ତର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଧାନସଭା ପରିସର ବ୍ୟବହୃତ ହେବ ବୋଲି କୌଣସି ନୀତିଗତ ବ୍ୟବସ୍ଥା ନାହିଁ ।

ବିଧାନସଭାର ସ୍ଥିତି ବର୍ତ୍ତମାନ କ’ଣ? ଗଣତାନ୍ତ୍ରିକ ଶୈଳୀରେ ବିଧାନ ପ୍ରଣୟନ କରି ରାଜ୍ୟ ଚଳାଇବା ପରିବର୍ତ୍ତେ ଏହା ତ ଜଣତାନ୍ତ୍ରିକ ଚିଡ଼ିଆଖାନାରେ ରୂପାନ୍ତରିତ ହୋଇସାରିଥିବା ପରି ଲାଗୁଛି !

ବିଧାନସଭାର ନେତା ଭାବେ ମୁଖ୍ୟମନ୍ତ୍ରୀ, ଓ ତାର ସର୍ବୋଚ୍ଚ ନିୟନ୍ତା ଭାବେ ବାଚସ୍ପତି ଓଡ଼ିଆ ଜାତି ସମ୍ମୁଖରେ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ।

ସିକନ୍ଦର ଆଲାମଙ୍କ ପ୍ରତିମୂର୍ତ୍ତିକୁ ବିଧାନସଭା ପରିସରରୁ ବାହାର କରାଯାଇ ସଂଗୀତଜଗତ ସହ ସଂଶ୍ଳିଷ୍ଟ ରବୀନ୍ଦ୍ର ଭବନ, ଓଡ଼ିଶୀ ଗବେଷଣା କେନ୍ଦ୍ର, ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସର ବା ସଂଗୀତ ମହାବିଦ୍ୟାଳୟ ପରିସରରେ ରଖାଯାଉ ଅଥବା ଦିବଙ୍ଗତ ସଙ୍ଗୀତଜ୍ଞମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଇ ତାକୁ ସଂଗୀତ-ଉଦ୍ୟାନ ବୋଲି କୁହାଯାଉ, ଯେଉଁଠି ଆଲାମଙ୍କ ସମେତ ଦିବଙ୍ଗତ ସଙ୍ଗୀତଜ୍ଞମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇପାରେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓଡିଶାକୁ ନିଜ ନିଜ ବାପାଙ୍କ ଜମିଦାରୀ ମନେ ନ କରି ସେମାନଙ୍କୁ ପଦବୀ ପ୍ରଦାନ କରିଥିବା ଏକ ମହାନ ଜାତିର ରାଜ୍ୟ ବୋଲି ମନେ କରନ୍ତୁ ।  

ଆଗାମୀ ଅଧିବେଶନରେ ବିଧାୟକମାନେ ଏ ସମ୍ପର୍କରେ ଆଲୋଚନା କରନ୍ତୁ ଓ ରାଜଧାନୀରେ – ରାସ୍ତା କଡ଼ରେ ହେଉ ବା ସରକାରୀ ପ୍ରତିଷ୍ଠାନର ପରିସରରେ – ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ନିୟନ୍ତ୍ରଣକାରୀ ଆଇନ ତୁରନ୍ତ ପ୍ରଣୟନ କରନ୍ତୁ । ସେ ପର୍ଯ୍ୟନ୍ତ ବିଧାନସଭା ପରିସରରୁ ସିକନ୍ଦର ଆଲାମଙ୍କ ପ୍ରତିମୂର୍ତ୍ତି ବାହାର କରି ଅନ୍ୟତ୍ର ସାଇତିରଖାଯାଉ ।

ନେତାଜୀଙ୍କ ଚିତାଭସ୍ମ ଗାନ୍ଧୀଙ୍କ ନାଁରେ ବିସର୍ଜିତ ହେଲା, ଅଥଚ ତାଙ୍କ ନାମରେ ନାଟକ ସରୁନି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତାଭସ୍ମ କଟକରେ ଥିବା ଷ୍ଟେଟ ବ୍ୟାଙ୍କର ଜଣେ ବଙ୍ଗାଳୀ ଅଫିସରଙ୍କ ଷଡ଼ଯନ୍ତ୍ର ହେତୁ ଗାନ୍ଧୀଙ୍କ ଚିତାଭସ୍ମ ଭାବେ ଯେତେବେଳେ ବିସର୍ଜିତ ହୋଇଗଲା ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ।ତାଙ୍କରି କାଗଜ ଭାବେ ବିଦିତ ‘ସମ୍ବାଦ’ରେ ଏହି ସମ୍ଭାବ୍ୟ ଭୁଲ ସମ୍ପର୍କରେ ମୁଁ ସବିଶେଷ ଚର୍ଚ୍ଚା କରିଥିଲି ୧୮.୪.୧୯୯୬ ତାରିଖରେ । ସେ ମରିନାହାନ୍ତି ବୋଲି ଦାବି କରୁଥିବା ବଙ୍ଗାଳୀମାନେ କାଳେ ବିଗିଡ଼ିବେ ସେହି ଭୟରେ ଜାନକୀ ବାବୁ ବି ନୀରବ ରହିଲେ । ବିଜୁ ବାବୁଙ୍କୁ ଭେଟି କଥାଟି ମୁଁ ଆଲୋଚନା କରିଥିଲି । ମୋର ମାନେ ହୋଇଥିଲା, ସେ ମୋ ସହ ଏକମତ ବୋଲି । କିନ୍ତୁ ସେହି ଏକା ଭୟ, ବଙ୍ଗାଳୀଏ କାଳେ ପ୍ରତିବାଦ କରିବେ । ଶେଷରେ ଗାନ୍ଧୀଜୀଙ୍କ ନାତି ତୁଷାର ଗାନ୍ଧୀ ସେହି ଚିତାଭସ୍ମକୂ ଗାନ୍ଧୀଙ୍କ ଭସ୍ମ ଭାବେ ଗଙ୍ଗାରେ ବିସର୍ଜିତ କରଦେଲେ ।

ଏବେ ଯେଉଁମାନେ ନେତାଜୀଙ୍କ ସ୍ମୃତିରେ କୂଳଲଙ୍ଘା ନଦୀ ପରି ମାତି ଉଠିଛନ୍ତି, ବିଶେଷତଃ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସତ ଜାଣିବାରେ ଲୋକଙ୍କୁ ସାହାଯ୍ୟ କରିବେ କି ?

ସମ୍ଭାଦରେ ପ୍ରକାଶିତ ମୋ ସ୍ତମ୍ଭ ସିଂହାବଲୋକନର ସଂହିତାୟିତ ସଂସ୍କରଣରୁ ଉଦ୍ଧାର କରି ସମଗ୍ର ଲେଖାଟିକୁ ମୁଁ ନିମ୍ନରେ ରଖୁଛି । ବଙ୍ଗାଳୀମାନଙ୍କ ଅଯଥା ଯିଦ ହେତୁ ନେତାଜୀଙ୍କ ଚିତାଭସ୍ମ ତାଙ୍କ ଜନ୍ମସ୍ଥଳ କଟକକୁ ଆସି ବି ସମ୍ମାନ ପାଇଲାନି ।

ଏବେ ଏହି ଲିଙ୍କ୍  ସହାୟତାରେ ସମଗ୍ର ଆଲୋଚନାଟି ଅନୁଧ୍ୟାନ କରାଯାଉ । 

https://bit.ly/2KJ9hht

ତିନି ବିବାଦୀୟ କୃଷି ବିଧାନକୁ ପ୍ରତ୍ୟାହାର କରି ଜନମତ ଲୋଡ଼ାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କୃଷକମାନେ ବିରୋଧ କରୁଥିବା ତିନୋଟିଯାକ କୃଷି ବିଧାନକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ମୋଡି ତହିଁ ଉପରେ ଜନମତ (referendum) ନିର୍ଣୟ କରନ୍ତୁ ଓ ତାଙ୍କ ଯଦ୍ଦୃଚ୍ଛାଚାର ହେତୁ ଭାରତର ଗଣତନ୍ତ୍ର ଯେପରି ତାର ପରିଚୟ ହରାଇବା ଆଡ଼େ ପ୍ରଧାବିତ ହେଉଛି ତହିଁରେ ଗରି ଲଗାନ୍ତୁ ।

ଆନ୍ଦୋଳନରତ କୃଷକମାନେ କୃଷକ ନୁହନ୍ତି , ଦଲାଲ ବୋଲି ମୋଦିଆନମାନେ ଯେଉଁ ପ୍ରଚାର ଚଳାଇଛନ୍ତି ତାହା ବନ୍ଦ ହେବା ଦରକାର ।

ଏହି ତିନୋଟିଯାକ ବିଧାନ ଯେତେବେଳେ ଦେଶର ସମଗ୍ର କୃଷକ ସମାଜକୁ ପ୍ରଭାବିତ କରିବା ସୁନିଶ୍ଚିତ , ସେତେବେଳେ ସବୁ ରାଜ୍ୟଗୁଡ଼ିକର ଭାଷାରେ ଏହି ବିଧାନମାନେ ଉପଲବ୍ଧ ହୋଇ କୃଷକ ଓ କୃଷିଜୀବୀ ସମୁଦାୟକୁ ସେମାନଙ୍କ ଅନୁଧ୍ୟାନ , ଅନୁଶୀଳନ ପାଇଁ ସୁଯୋଗ ମିଳିବା ଦରକାର ଏବଂ ଏହା ପରେ ଏହି ତିନି ବିଧାନ ଉପରେ ସେମାନଙ୍କ ମତଦାନ ପାଇଁ ଆହ୍ଵାନ ଦିଆଯିବା ଦରକାର ।

ଏପରି ନ କରି ସାଧାରଣ ଚାଷୀ ପାଇଁ ଅବୋଧ୍ୟ ଭାଷା ଓ କିଟିମିଟିଆ କାଇଦାରେ ତିଆରି ଶାବ୍ଦିକ ଇନ୍ଦ୍ରଜାଲକୁ ଆଇନ ରୂପରେ ସେମାନଙ୍କ ଉପରେ ନଦିଦିଆଯିବା ପ୍ରଧାନମନ୍ତ୍ରୀ ଓ କ୍ଷମତାସୀନ ଦଳର ଅବିମୃଷ୍ୟକାରୀତା ଭିନ୍ନ କିଛି ବି ହୋଇନପାରେ । ଭିନ୍ନ ଭାବେ କହିଲେ ଏହା ହିଁ ଦେଶଦ୍ରୋହ; କାରଣ ଦେଶର ଅନ୍ନଦାତାମାନଙ୍କ ପ୍ରତି ପ୍ରଶାସନିକ ପ୍ରତାରଣାକୁ ଦେଶଦ୍ରୋହ ଭିନ୍ନ ଅନ୍ୟ କୌଣସି ସଜ୍ଞା ପ୍ରଦାନ କରିହେବନି ।

ଗୋଟିଏ ରାଜନୈତିକ ଅର୍ଥନୀତି ବିରୁଦ୍ଧରେ ଅନ୍ୟ ରାଜନୈତିକ ଅର୍ଥନୀତିର ପ୍ରତିଦ୍ୱନ୍ଦିତା ନ ହୋଇ ଏକା ରାଜନୈତିକ ଅର୍ଥନୀତି ଆଧାରିତ ବହୁ ଦଳଙ୍କ ଭିତରେ ଯେଉଁ ନିର୍ବାଚନ ପ୍ରତିଦ୍ୱନ୍ଦିତା ହେଉଛି ତାହା କ୍ଷତିକାରକ ଅର୍ଥନୀତିର ବିଲୋପ କରୁନାହିଁ । ମନମୋହନ ସିଂହ ଚଳାଇଥିବା ଅର୍ଥନୀତି ଭାରତକୁ ଉଜାଡ଼ି ଦେଲା ପରେ ଲୋକେ ତାଙ୍କୁ ବିତାଡ଼ିତ କଲେ; କିନ୍ତୁ ସେହି ଏକା ଅର୍ଥନୀତିର ଗୋଟେ ଉଦଗ୍ର କାର୍ଯ୍ୟନିର୍ବାହୀ ଦଳକୁ କ୍ଷମତାକୁ ଆଣିଲେ, ଠିକ୍ ଯେମିତି ଗୋଟେ ଜିଅନ୍ତା ମାଛ ତତଲା ତାଉଆରୁ ଡେଇଁ ଚୁଲିରେ ପଡ଼େ । ଅତଏବ, ଦୁଇ ପ୍ରତିଦ୍ଵନ୍ଦୀ ଅର୍ଥନୀତିରୁ କୌଣସି ଗୋଟିକର ନିର୍ବାଚନ ପାଇଁ ଆମ ଜନସାଧାରଣଙ୍କୁ କୌଣସି ସୁଯୋଗ ନଦେଇ ଜନଦ୍ରୋହୀ ଅର୍ଥନୀତିର ଉଦଗ୍ର କାର୍ଯ୍ୟନିର୍ବାହୀ କ୍ଷମତା ଦଖଲ କରୁଛନ୍ତି ଓ ଲୋକେ ମହର୍ଗରୁ ଯାଇ କାନ୍ତାରରେ ପଡ଼ୁଛନ୍ତି । ଏହି କନ୍ତାର କବଳରେ କୃଷକମାନେ ବର୍ତ୍ତମାନ ଆର୍ତ୍ତନାଦ କରିବାରେ ଲାଗିଛନ୍ତି ।

ଯେହେତୁ ମନମୋହନ ସିଂହଙ୍କ ଅପଶାସନ ବିରୁଦ୍ଧରେ ପ୍ରବଳ ପ୍ରତିକ୍ରିୟା ହିଁ ନରେନ୍ଦ୍ର ମୋଦିଙ୍କୁ ପାର୍ଲିଆମେଣ୍ଟରେ ପାଶବିକ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି, ସାନି ନିର୍ବାଚନ ପୂର୍ବରୁ ଯେ ଲୋକେ ତାଙ୍କ କବଳରୁ ମୁକ୍ତ ହେବେ ତାହା କୁହାଯାଇପରିବନି । ଅଦାଲତ ମାଧ୍ୟମରେ ହେଉ ବା ପୋଲିସ-ମିଲିଟାରୀ ବଳ ପ୍ରୟୋଗ ଦ୍ଵାରା ହେଉ ବା ଅମୋଘ ଅସ୍ତ୍ର ମାଧ୍ୟମରେ ହେଉ, ଏହି କୃଷକ ଆନ୍ଦୋଳନକୁ ଯଦି ଭାଙ୍ଗିଦିଆଯାଏ , ତେବେ ଭାରତର ସାଧାରଣତନ୍ତ୍ର ସେହି ବିପତ୍ତି ଆଡ଼କୁ ଠେଲି ହୋଇଯିବ, ଯେଉଁ ବିପତ୍ତିର ସମ୍ଭାବ୍ୟ ରୂପରେଖ ଦେଇଥିଲେ ଆମ୍ବେଦକର ଚିଠା ସମ୍ବିଧାନର ତୃତୀୟ ପଠନ ବେଳେ, ବିତର୍କର ଉତ୍ତରରେ । ସେ କହିଥିଲେ ଧନୀମାନଙ୍କ ଉତ୍ପାତ ଯଦି ବନ୍ଦ କରା ନଯାଏ, ଧନତନ୍ତ୍ରର ଶିକାର ହୋଇଥିବା/ ହେଉଥିବା ଭାରତର ଜନସାଧାରଣ ବହୁ କଷ୍ଟ ଅର୍ଜିତ ସାଧାରଣତନ୍ତ୍ରକୁ ଧ୍ଵଂସ କରିଦେବେ । ମନେହୁଏ, ଏହା ହିଁ ଅବଶ୍ୟମ୍ଭାବୀ ।

ଏହା ନ ହେଉ ବୋଲି ଯଦି ପ୍ରଧାନମନ୍ତ୍ରୀ ମୋଦି ଚାହାନ୍ତି, ତେବେ କଣ୍ଠୀୟ କେଳାଖେଳ (wordy acrobatics) ପରିତ୍ୟାଗ କରି ତିନି ବିବାଦୀୟ କୃଷି ବିଧାନକୁ ଭାରତର ସବୁ ପ୍ରାନ୍ତୀୟ ଭାଷାରେ ଅନୁଦିତ କରି ତହିଁ ଉପରେ ପ୍ରଥମେ ଜନମତ (referendum) ନିର୍ଣୟ କରନ୍ତୁ । ଓ ତଦନୁଯାୟୀ କୃଷି ଆଇନ ସଂଶୋଧିତ ବା ପୁନଃ ପ୍ରଣୀତ ହେଉ । 

ପରୀ ପାଇଁ ନାଟକ ନ କରୁଥିଲେ ଆଇନ ସଂଶୋଧନ ପାଇଁ ମୋଦିଙ୍କୁ କହୁ ବିଜେପି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

“ବିନା ମେଘେ ବର୍ଷି ପରାଇ କୁଳିଶ” ବୋଲି କବିବର ରାଧାନାଥ ରାୟ ପୋଲିସର ଯେଉଁ ସଜ୍ଞା ନିରୂପଣ କରିଥିଲେ, ତାହାକୁ ଭୁଲ ବୋଲି କେହି କେବେ କହିନି । ପୋଲିସ ହାଜତ ମୃତ୍ୟୁ ଘଟାଇ ପାରେ, ଯେମିତି ପୁରୀର କେ ରମେଶ ଘଟଣାରେ ଘଟିଛି । ପୋଲିସ ହତ୍ୟାକାରୀକୁ ଘଣ୍ଟ ଘୋଡେଇ ପାରେ, ଯେମିତି କେନ୍ଦ୍ରାପଡ଼ାର ରଞ୍ଜନ କୁମାର ଦାସଙ୍କ କ୍ଷେତ୍ରରେ ଘଟିଛି । ପୋଲିସ ମିଛ ସାକ୍ଷୀ ଯୋଗାଡ଼ କରି ନ୍ୟାୟ ଶାସନର କଣ୍ଠରୋଧ କରିପାରେ ଯେମିତି ଅଧ୍ୟାପକ ବାଉରିବନ୍ଧୁ ସାହୁଙ୍କ ଆପାତତଃ ହତ୍ୟା ଘଟଣାରେ ଘଟିଥିଲା । ଏହି ତୃତୀୟ ପଦକ୍ଷେପ ପୋଲିସ ପାଇଁ ସବୁଠୁ ନିରାପଦ ।

ଏହା କିପରି ଜାଣିବା ପାଇଁ ଅଧ୍ୟାପକ ବାଉରିବନ୍ଧୁ ସାହୁଙ୍କ ଘଟଣା ଉପରେ ଦୃଷ୍ଟି ପକାଯାଇପାରେ । ବିଶ୍ୱବିଦ୍ୟାଳୟକୁ ଖବର ମିଳିଥିଲା ଯେ, ବ୍ରହ୍ମପୁର ସହର ପାଖର ଦୁରା କଲେଜରେ କୌଶଳ କ୍ରମେ ପରୀକ୍ଷାକେନ୍ଦ୍ର କରାଯାଇଛି, କାରଣ ସେଠାରେ ନିର୍ବାଧ କପି କାରବାର ପରିସର ଅଛି । ଏହି କେନ୍ଦ୍ର ସ୍ଥାପନାରେ  ବିଶ୍ବବିଦ୍ୟାଳୟର ତିନି ଜଣ ଅଧ୍ୟାପକ ଜଡ଼ିତ ଥିବା ଜଣା ପଡିଲା ପରେ ପରୀକ୍ଷା ନିୟନ୍ତ୍ରକ ସେଠାରୁ ପରୀକ୍ଷା କେନ୍ଦ୍ର ଉଠାଇ ଦେଇ ସମ୍ପୃକ୍ତ ପରୀକ୍ଷାର୍ଥୀମାନଙ୍କୁ ଗୋପାଳପୁର କଲେଜକୁ ପଠାଇଦେଲେ ଓ ଖଲିକୋଟ ସାନ୍ଧ୍ୟ କଲେଜରେ ଥିବା ଅଧ୍ୟାପକ ସାହୁଙ୍କୁ ପରୀକ୍ଷା ତତ୍ତ୍ବାବଧାରକ କରି ଗୋପାଳପୁର ପଠାଇଲେ । ସେ ଦାୟିତ୍ଵ ନ ନେବା ପାଇଁ ତାଙ୍କ ଉପରେ ଯେଉଁମାନେ ଚାପ ପକାଇଥିଲେ ସେମାନେ ସମତାଳରେ ଧମକ ବି ଦେଇଥିଲେ ଯେ, ଯଦି ସେ ସେଠାକୁ ଯାଆନ୍ତି ତେବେ ଜୀବନ ହରାଇବେ । ସତକୁ ସତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା, କାରଣ ଚାପ ପାଖରେ ସେ ମୁଣ୍ଡ ନୋଇଁଲେ ନାହିଁ ।

ସାରା ରାଜ୍ୟ ପଡ଼ିଲା ଉଠିଲା । ପୋଲିସ ଦାଏର କଲା ମକଦ୍ଦମା । ଅଦାଲତରେ ଅଭିଯୁକ୍ତମାନେ ଖଲାସ ହେଲେ, କାରଣ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ସାବ୍ୟସ୍ତ ହୋଇପାରିଲାନାହିଁ ।

କୌତୁହଳର କଥା, ସାହୁଙ୍କୁ ଆକ୍ରମଣ କରାଇଥିବା କପି-କାରବାରରେ ଲିପ୍ତ ଅଧ୍ୟାପକମାନେ କାଳକ୍ରମେ ବିଶ୍ବବିଦ୍ୟାଳୟର କୁଳପତି ପଦ ମଣ୍ଡନ କରିଥିଲେ । କାରଣ ପୋଲିସ ସେହି ଅପରାଧର ଉପଯୁକ୍ତ ତଦନ୍ତ କରିନଥିଲା । କରିଥିଲେ, ଯାହା ଘଟିଲା ତାହା ଘଟିନଥାନ୍ତା । 

ଘଟଣାଟି ୧୯୮୬ର । ଏପରି ହିଁ ହୋଇଥାଏ ବହୁ ସ୍ଥାନରେ । ତେବେ ଏହି ଘଟଣାର କଣ ଏପରି ବୈଶିଷ୍ଟ୍ୟ ଯେ, ପ୍ରାୟ ୩୫ ବର୍ଷ ପରେ ମୁଁ ତାହାର ଅବତାରଣା କରୁଛି?

ବୈଶିଷ୍ଟ୍ୟ ହେଲା, ଏହି ଘଟଣାର ଯିଏ ବିଚାର କରୁଥିଲେ ସେ ଯାହା ସ୍ଵୀକାର କରିଥିଲେ ସେପରି ସ୍ବୀକାରୋକ୍ତି କୌଣସି ବିଚାରକ ପ୍ରାୟତଃ ଦିଅନ୍ତିନାହିଁ ।

ଶ୍ରୀମତୀ ମାଧୁରୀ ପଟ୍ଟନାୟକ ଥିଲେ ଏହି ଘଟଣାର ବିଚାରକର୍ତ୍ତ୍ରୀ । ସେ କହିଥିଲେ , “ମୁଁ ଦୁଃଖିତ ଯେ, ସରକାରୀ ସାକ୍ଷୀମାନେ ପୋଲିସ ପାଖରେ ଦେଇଥିବା ବୟାନକୁ ସତ ବୋଲି ସ୍ଵୀକାର କରିନଥିବା ହେତୁ ଜଣେ କର୍ତ୍ତବ୍ୟପରାୟଣ ଅଧ୍ୟାପକଙ୍କ ଉପରେ ହୋଇଥିବା ଜଘନ୍ୟ ଆକ୍ରମଣ ବିରୁଦ୍ଧରେ କୌଣସି ଦଣ୍ଡବିଧାନ ମୋ ପକ୍ଷେ ସମ୍ଭବ ହେଲାନାହିଁ ।“ (I regret that an innocent lecturer is brutally assaulted by the culprits. But, as the prosecution witnesses turned hostile, I am compelled to leave the heinous crime unpunished.)

ଏହା ସୁଚାଏ ଯେ, ଅପରାଧୀକୁ ରକ୍ଷା କରିବା ପାଇଁ ପୋଲିସ ଅସତ୍ୟ ବୟାନ ତିଆରି କରେ ଓ ଯେଉଁମାନେ ଅଦାଲତରେ ଏହି ଅସତ୍ୟ ବୟାନକୁ ସତ୍ୟ ବୋଲି କହିଥାନ୍ତେ ସେମାନଙ୍କୁ ବତାଇଥାଏ ବିଚାରପତିଙ୍କ ପାଖରେ ନିଜ ନିଜ ବୟାନକୁ ଅସ୍ଵୀକାର କରିବାକୁ ।

ବୟାନ ବଦଲାଉଥିବା ସରକାରୀ ସାକ୍ଷୀ ବା ମିଛ ସାକ୍ଷୀ ଯୋଗାଡ଼ କରିଥିବା ତଦନ୍ତକାରୀ ପୋଲିସ ବିରୁଦ୍ଧରେ ଯଦି ଅପରାଧୀର ସହାୟକ ସାଜିଥିବା ହେତୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା ନ ହୁଏ, ସମାଜ ଅପରଧମୁକ୍ତ ହେବା ଅସମ୍ଭବ । ଭାରତୀୟ ଦଣ୍ଡ ସଂହିତାରେ ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଏକାନ୍ତ ଜରୁରୀ  ଆବଶ୍ୟକ ।

ନୟାଗଡ଼ର ପରୀ ହତ୍ୟାକାଣ୍ଡକୁ ନେଇ ହଟଚମଟ ଚଳାଇଥିବା ଭାରତୀୟ ଜନତା ପାର୍ଟି ଏଥିପାଇଁ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ କହିବେ କି? ଉପରୋକ୍ତମତେ ଆଇନ ସଂଶୋଧନ ନହେଲେ, ଏସଆଇଟି ହେଉ କି ସିବିଆଇ , ଯେଉଁ ଅପରାଧୀ ଅଦାଲତରେ ପେଷ୍ ହେବ, ସେ ପୋଲିସ ଦିଆ ମିଛ ସାକ୍ଷୀ ହେତୁ ବା ସରକାରୀ ସାକ୍ଷୀଙ୍କ ବୟାନବଦଳା ହେତୁ ଅଦାଲତରୁ ଛାଡ଼ପାଇଯିବେ , ଯେମିତି ଅଧ୍ୟାପକ ସାହୁଙ୍କ କ୍ଷେତ୍ରରେ ଘଟିଥିଲା ଓ ଅଧିକାଂଶ କ୍ଷେତ୍ରରେ ଘଟୁଛି ।