ଆଗାମୀ ନିର୍ବାଚନ: ବିଜେପିର ଉପାଦାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାରେ ଆଗାମୀ ସରକାର ପାଇଁ ଭାରତୀୟ ଜନତା ପାର୍ଟି ସଜ ହେଉଥିବା କଥା ଦଳୀୟ ନେତାମାନେ ନିଜେ ହିଁ ପ୍ରଚାର କରୁଛନ୍ତି । ଏହି ଦଳ ଓଡ଼ିଶାରେ ଏବେ ଅଧିସ୍ଵୀକୃତ ବିରୋଧୀ ଦଳ। ବିଧାନସଭାରେ ଏହି ଦଳର ନେତା ହିଁ ବିରୋଧୀଦଳ ନେତା । ଆମ ସମ୍ବିଧାନରେ ଅବଶ୍ୟ ସ୍ପଷ୍ଟତଃ ଉଲ୍ଲେଖ ନାହିଁ, ମାତ୍ର ଯିଏ  ବିରୋଧୀଦଳ ନେତା ସିଏ ହିଁ ତାଙ୍କ ଦଳ ଅଧିକ ଆସନରେ ଜିତିଲେ ମୁଖ୍ୟମନ୍ତ୍ରୀ ହେବା ସମ୍ଭବ । ତେଣୁ ସେ  ଛାୟାମୁଖ୍ୟମନ୍ତ୍ରୀ ଭାବେ ବିଚାର୍ଯ୍ୟ । ଏହି ଅଘୋଷିତ ଛାୟାମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ସମତୁଲ ମର୍ଯ୍ୟାଦା ଓ ବିଧାୟକୀୟ ତଥା ସରକାରୀ ସ୍ଵତନ୍ତ୍ର ସୁବିଧା ମିଳିବାର କାରଣ ହେଉଛି ଏହାହିଁ । ବିଜେପିର ଜୟନାରାୟଣ ମିଶ୍ର ଏବେ ଏହି ମର୍ଯ୍ୟାଦା ଓ ସ୍ଵତନ୍ତ୍ର ସୁବିଧା ଉପଭୋଗ କରୁଥିବା ବିରୋଧୀଦଳ ନେତା । ତାଙ୍କ ପତିଆରା ଉପରେ ନିର୍ଭର କରେ ବିଜେପିର ପତିଆରା । ତାଙ୍କ ଲମ୍ବା ନେତାଗିରିର ସର୍ବଶେଷ ନମୂନା ହେଲା, ଜଣେ ଦାୟିତ୍ବାସୀନା ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ସର୍ବସାଧାରଣରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଓ ଚପୋଟାଘାତ । 

ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଏହି ଦଳର ବହୁ ସଦସ୍ୟ କୌଣସି ପ୍ରସଙ୍ଗରେ କୌଣସି  ତଥ୍ୟନିଷ୍ଠ ଅଂଶ ଗ୍ରହଣ କରିବା ପରିବର୍ତ୍ତେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଧାନ୍ଯ ଜାରିକରିବା ପାଇଁ ବ୍ଯଗ୍ର । ଏକ ଦୃଷ୍ଟାନ୍ତ ସ୍ୱରୂପ ଏଙ୍କ ଭିତରୁ ଜଣେ ମୋ ଫେସବୁକ କାନ୍ଥରେ ଲେଖିଛନ୍ତି , “ସ୍ୱାର୍ଥବାଦୀ ଗାଣ୍ଡିମରାବାଦୀ କେତୁବାଦୀ ଓ ପଢାଲିଖା ସହରୀ ନକ୍ସଲିଙ୍କୁ ଜଲଦି ଉଚିତ ଶାସ୍ତି ମିଳିବ । ଏ ମୋଦି ଦେଶ ବିରୋଧୀଙ୍କୁ ଛାଡିବ ନାହିଁ ।”

ଅତଏବ ଏପରି ଉପାଦାନରେ ବିଜେପି ନିଜକୁ ଶାଣିତ କରିରଖିଛି । ମୋଦିଆନମାନେ  ଅଶ୍ଳୀଳତାର ଆଶ୍ରୟ ନନେଇ ମୋଦୀଙ୍କ ପ୍ରାଚୋଦିତ ରାଜନୈତିକ-ଅର୍ଥନୀତି ଉପରେ ସାରଗର୍ଭକ ଆଲୋଚନା କଲେ ତାହା ଭାରତୀୟ ସାଂସଦୀୟ ରାଜନୀତି ପାଇଁ ସ୍ବାଗତଯୋଗ୍ୟ ହେବ । ମାତ୍ର ଅଧିକାଂଶ ମୋଦିଆନ୍ ଏହା ହୁଏତ ବୁଝନ୍ତିନି । କଥା କଥାକେ ଅକଥା କହିବାରେ ସେମାନେ ପାରଙ୍ଗମ । ସାମାଜିକ ଗଣମାଧ୍ୟମରେ ଭିତିସଞ୍ଚାରକାରୀ ମୋଦିଆନଙ୍କ ଧମକର ଏହି ଫଟୋଚିତ୍ର ଦେଖନ୍ତୁ :

ସରକାର ଗଠନ କରିବାକୁ ଚାହୁଁଥିବା ବିଜେପି ଏହି ଉପାଦାନ ନେଇ ଆଗାମୀ ନିର୍ବାଚନରେ  ଯଦି ଅବତୀର୍ଣ୍ଣ ହୁଏ, ସ୍ବଭାବରେ ସରଳ ଓ ଆଚରଣରେ ସୁସଭ୍ୟ ଓଡ଼ିଆ ଜାତି  କି ନିଷ୍ପତ୍ତି ନେବ ତାହା ସହଜେ ଅନୁମେୟ ।