ପ୍ରଚ୍ଛନ୍ନ ସାମ୍ୟବାଦୀ ଶଶି ଭୂଷଣ ମହାନ୍ତି ଆଉ ନାହାନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବହୁ ଦଶନ୍ଧି ତଳର ସେହି ଦିନ ସେହି ବାର ଆଉ ମନେନାହିଁ ; କିନ୍ତୁ ମନେ ଅଛନ୍ତି ଶଶିଭୂଷଣ ମହାନ୍ତି , ଯିଏ ଆଉ ନାହାନ୍ତି , କରୋନା କବଳରେ ଗତକାଲି ବୁଜି ଦେଇଛନ୍ତି ଆଖି ।

କଟକ ବଡ଼ ଡାକ୍ତରଖାନା ପରିସରରେ ଥିବା କନିକା କଟେଜ ଭାଙ୍ଗିନଥିଲା । ବନ୍ଦୀ ଜୀବନ ଯାପନ କରୁଥିବା ଚିରସ୍ମରଣୀୟ କମ୍ୟୁନିଷ୍ଟ ନେତା ନାଗଭୂଷଣ ପଟ୍ଟନାୟକ ସେଇଠି ରହି ଚିକିତ୍ସିତ ହେଉଥିଲେ । ସଶସ୍ତ୍ର ପୋଲିସ ଘେରି ରହିଥିଲେ ଚାରିଆଡେ । ସେଇଠୁ ମୁଁ ଫେରୁଥିଲି ; ଦେଖିଲି, ମୋ ସମବୟସର ଜଣେ ବ୍ୟକ୍ତି ପୋଲିସ ସହ ଝଗଡ଼ାରେ ଲିପ୍ତ । ପୋଲିସ କହୁଛି ନାଗଭୂଷଣଙ୍କୁ ଦେଖା କରିବାକୁ ତାଙ୍କୁ ଛଡ଼ାଯାଇପାରିବନି । ତାଙ୍କର ଏକା ଯିଦ , ସେ ନିଶ୍ଚୟ ଦେଖାକରିବେ । ହୋଇପାରନ୍ତି ସେ ନକ୍ସଲପନ୍ଥୀ , କିନ୍ତୁ ସାଧାରଣ ମଣିଷ ପାଇଁ ଜୀବନ ବାଜି ଲଗାଇଦେଇଥିବା ସେ ଜଣେ ଆଗ୍ନେୟ ତପସ୍ଵୀ । ସେ ତାଙ୍କ ପାଖକୁ ଯିବେ, ପ୍ରଣାମ କରିବେ, ଫେରି ଆସିବେ । ସେ ପୋଲିସକୁ କହୁଥାନ୍ତି, ନାଗ ଭୂଷଣଙ୍କର ସେ କୌଣସି ରାଜନୈତିକ ସମର୍ଥକ ନୁହନ୍ତି । ମାତ୍ର ନିଜର ସ୍ଵର ନଥିବା ଖଟିଖିଆ ମଣିଷ ପାଇଁ ଲଢୁଥିବା ଲୋକଙ୍କ ଭିତରେ ନାଗ ଭୂଷଣ ଜଣେ । ତେଣୁ ସେ ଯାଇ ନୀରବରେ ତାଙ୍କୁ ପ୍ରଣାମ କରିବେ , ନୀରବରେ ଜଣାଇ ଦେବେ ଯେ, ମଣିଷ ପାଇଁ କଷ୍ଟ ଭୋଗୁଥିବା ମଣିଷକୁ ମଣିଷ ପୂଜା କରେ । ମୁଁ ଚମତ୍କୃତ ହୋଇ ତାଙ୍କ ବ୍ୟାକୁଳ ଯୁକ୍ତି ଶୁଣୁଥିଲି । ପୋଲିସ ଅଫିସର କଣ ଭାବିଲେ କେଜାଣି, କହିଲେ- ହେଉ ଯାଆନ୍ତୁ , କେବଳ ଦେଖିବେ, ଚାଲି ଆସିବେ ।

ତାର ଦୀର୍ଘ କେଇ ବର୍ଷ ପରେ , ଇମର୍ଜେନ୍ସି କାଳରେ ହରାଇଥିବା ସାମ୍ବାଦିକ ପଦରେ ଓଡ଼ିଶା ଲେବର କୋର୍ଟ ତଥା ହାଇ କୋର୍ଟଙ୍କ ଆଦେଶ ବଳରେ ପୁନର୍ନିଯୁକ୍ତି ପାଇ ଜୟଦେବ ବିହାରରେ ଏକ ଡି ଟାଇପ୍ ଘରେ ଆବାସ ପାଇଲି । ଗୋଟିଏ ଛାତ ତଳେ ଛଅଟି ଘର । ମୁଁ ତହିଁର ବାସିନ୍ଦା ହେବା ପୂର୍ବରୁ ସେଇଠି ରହୁଥିଲେ ଅଧ୍ୟାପକ ଜୟନ୍ତ ବିଶ୍ଵାଳ, ଅଧ୍ୟାପକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେହନୁର), ଇଞ୍ଜିନିୟର ବେଜ , ଅପନ୍ନା ନାୟକ, ଶଶି ଭୂଷଣ ମହାନ୍ତି । ପାଖରେ ରହୁଥିଲେ ଅଧ୍ୟାପକ ପ୍ରମୋଦ ମହାନ୍ତି , ଅଧ୍ୟାପକ ଏସ୍ . ଏନ୍. ପାତ୍ର । ପ୍ରମୋଦ ବାବୁଙ୍କ ପୁଅ ମିଟୁନା , ପାତ୍ର ବାବୁଙ୍କ ପୁଅ ଶ୍ରବଣ, ଜିତୁବାବୁଙ୍କ ପୁଅ ଜଜି, ଜୟନ୍ତବାବୁଙ୍କ ପୁଅ ମୁନ୍ଳୁ , ଶଶିବାବୁଙ୍କ ପୁଅ ବୁଲୁ ଆଦିଙ୍କ ସହ ମୋ ପୁଅ ରଜା ନିମିଷକେ ସାଙ୍ଗ ହୋଇଗଲା ଯେମିତି ପାଣିରେ ପାଣି ମିଶିଯାଏ । ଦି ଦିନ ପରେ ଶଶିବାବୁ ଗସ୍ତରୁ ଫେରି ମୋ ବସାକୁ ଆସିଲେ ମୁଁ ନୂଆ କରି ତାଙ୍କ ମେଳକୁ ଆସିଥିବାରୁ ମୋତେ ସ୍ଵାଗତ ଜଣାଇବା ପାଇଁ । ପରସ୍ପର କିଛି ସମୟ ପରସ୍ପରକୁ ଚାହିଁ ରହିଲୁ । କେଉଁଠି ଦେଖିବା ଦେଖିବା ପରି ଲାଗୁଥିଲା । ଧୀରେ ଧୀରେ ମୋର ମନେ ପଡ଼ିଲା । ପଚାରିଲି, ଆପଣ କେବେ କଟକ ବଢ଼ ଡାକ୍ତରଖାନାର କନିକା କଟେଜରେ ଚିକିତ୍ସିତ ହେଉଥିବା ନାଗ ଭୂଷଣ ପଟ୍ଟନାୟକଙ୍କୁ ଦେଖିବାକୁ ଯାଇଥିଲେ ? ସେ ଚମକି ପଡ଼ିଲେ । କହିଲେ , ଆପଣ ତେବେ ସେଇ, ଯିଏ ମୋ ପାଇଁ ପୋଲିସ ସହ ଯୁକ୍ତି ବି କରିଥିଲେ? ପରସ୍ପରକୁ କୋଳେଇ ନେଲୁ ।

ପରସ୍ପର ପରିଚିତ ହେବାକୁ ବସିଲାରୁ ଦେଖାଗଲା ସେ ମୋ ପିଉସାଶ୍ଵଶୁର କେନ୍ଦ୍ରାପଡ଼ା ନିବାସୀ କିଶୋରୀ ଚରଣ ମହାନ୍ତିଙ୍କ ସମ୍ପର୍କୀୟ ଏବଂ ମୁଁ ତାଙ୍କ ସାନ ସଡୂ ସୁଧୀରର ସମ୍ପର୍କୀୟ । ସେ କହିଲେ, ଆପଣଙ୍କ ସହ ଭାବ ଜଗତରେ ମୋର ନିବିଡ ସମ୍ପର୍କ ଅଛି । ମୁଁ ପଚାରିଲି , କିପରି? ସେ କହିଲେ, ନୂଆପାଟଣା ସୁତାକଳ ଶ୍ରମିକ ଯୁନିୟନ ସଭାପତିଙ୍କୁ କେ ଅବା ନ ଜାଣେ ! ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥାଇ ବି ଓ ସୁତାକଳ ପ୍ରତିଷ୍ଠା କରି ସବୁ ଶ୍ରମିକଙ୍କୁ ନିଯୁକ୍ତି ଦେଇ ବି କଂଗ୍ରେସ ସେଠାରେ ଜଣେ ଶ୍ରମିକ ପାଇଲାନି ଯୁନିୟନ ଗଢିବାକୁ , ସବୁ ଶ୍ରମିକଙ୍କୁ ଆପଣ ସି ପି ଆଇ ଶିବିରକୁ ନେଇଆସିଥିଲେ ! ମୁଁ ପଚାରିଲି, ଆପଣ କିପରି ଜାଣିଲେ ? ସେଇଠୁ ଜାଣିଲି ଯେ ସେ ସେତେବେଳେ କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ଥିଲେ ଓ ନୂଆପାଟଣା ସୂତା କଳକୁ ଯେଉଁ କପା ଆସୁଥିଲା ତାର ଗୁଣ ଯାଞ୍ଚ କରିବାକୁ ସେହି ସୂତା କଳକୁ ନିୟମିତ ଗସ୍ତ କରୁଥିଲେ ।

ସରକାରୀ କର୍ମଚାରୀ ଭାବେ ସେ ଥିଲେ ଯେତିକି କର୍ତ୍ତବ୍ୟନିଷ୍ଠ ସେତିକି ବେସାଲିସ୍ । ଦୁଇଟି ଦୃଷ୍ଟାନ୍ତ ଦେବି । କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ପଦାଧିକାର ବଳରେ ସେ ଏକ ସରକାରୀ ଜିପ୍ ପାଇଥିଲେ । ସବୁ ସରକାରୀ ଅଫିସରଙ୍କ ଘରକୁ ସରକାରୀ ଗାଡି ଆସେ ଓ ନିଆ ଅଣା କରେ । ଶଶିବାବୁ ନିଆରା । ସେ ନିଜର ଏକ ମୋପେଡ ରଖିଥାନ୍ତି । ସେଥିରେ ଯିବା ଆସିବା କରନ୍ତି । କାରଣ, ସେ ଭାବୁଥିଲେ , ଅଫିସକୁ ଯିବା ଅଫିସରଙ୍କର ନିଜ ଦାୟିତ୍ଵ । ସେଥିପାଇଁ ସରକାରୀ ଗାଡି କାହିଁକି ବ୍ୟବହୃତ ହେବ? ମୁଁ ଦେଖେ, ଯଦି ସରକାରୀ ଗସ୍ତ ଅଛି, ଭୁବନେଶ୍ଵର ବାହାରକୁ ଯିବାକୁ ହେବ, କେବଳ ସେହି କ୍ଷେତ୍ରରେ ହିଁ ତାଙ୍କୁ ଦିଆହୋଇଥିବା ସରକାରୀ ଗାଡି ସେ ବ୍ୟବହାର କରୁଥିଲେ ।
ଦ୍ଵିତୀୟ ଦୃଷ୍ଟାନ୍ତ ଅତ୍ୟନ୍ତ ଲୋମହର୍ଷଣକାରୀ । ଭୁବନେଶ୍ଵରରୁ ବଦଳି ହୋଇ ସେ ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥାନ୍ତି । କୃଷି ବିଭାଗର ସର୍ବୋଚ୍ଚ ଦାୟିତ୍ବରେ ଥାନ୍ତି ଶ୍ରୀନିବାସ ରଥ । ଥରେ ସେ କୋଣସି କାମରେ ଅନୁଗୁଳ ଗଲେ ଓ ବିଭାଗୀୟ ଗେଷ୍ଟ ହାଉସରେ ତିନିଦିନ ରହିଲେ । ତାଙ୍କ ଘରୋଇ ସଚିବଙ୍କ ନିର୍ଦ୍ଦେଶରେ “ସାହେବ”ଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପ୍ରଥମ ରାତ୍ରିରେ ଶଶିବାବୁଙ୍କୁ ଦେବାକୁ ପଡିଥିଲା । ସେହି ସମାନ ସାମଗ୍ରୀ ଦେବାକୁ ତହିଁ ପରଦିନ ରଥଙ୍କ ଘରୋଇ ସଚିବ ଯେତେବେଳେ ତଲବ କଲେ, ଶଶିବାବୁ ପଚାରିଲେ , କାଲି ପରା ଦେଇଥିଲି? ଉତ୍ତର ମିଳିଲା – ସାହେବ ଥରେ ବ୍ୟବହାର କରିଥିବା ଦ୍ରବ୍ୟ ଦ୍ଵିତୀୟ ଥର ବ୍ୟବହାର କରନ୍ତିନି । ଶଶିବାବୁ ପ୍ରତିବାଦ ନ କରି ପରବର୍ତ୍ତୀ ଦୁଇଦିନ ଦୁଇ ସେଟ୍ ସାମଗ୍ରୀ ପଠାଇଲେ ଏବଂ ଶେଷ ଦିନ ତହିଁର ଦାମ୍ ଦାଖଲ କରିବାକୁ ଦୋକାନ ରସିଦ ସହ ଘରୋଇ ସଚିବଙ୍କୁ ଚିଠି କଲେ । ଘରୋଇ ସଚିବ ରାଗରେ ଲାଲ୍ ହୋଇଗଲେ । ସେଠାରେ ଉପସ୍ଥିତ ଥିବା କୃଷି ଭିଭାଗୀୟ ଉପନିର୍ଦ୍ଦେଶକ ନିଜ ଆଡୁ ସେ ଟଙ୍କା ଦାଖଲ କରି ପରିସ୍ଥିତି ସମ୍ଭାଳି ନେଇଥିଲେ । ଅଳ୍ପ କେଇଦିନ ପରେ ଶଶିବାବୁଙ୍କର କଳାହାଣ୍ଡି ବଦଳି ହୋଇଥିଲା । ସେଠାରେ କେତେବର୍ଷ ଧରି ବିକ୍ରି ହୋଇପାରିନଥିବା ବାଦାମ ବିହନ ପାଇଁ ଶଶିବାବୁଙ୍କୁ ଦାୟୀ କରି ତାଙ୍କ ବେତନ ବନ୍ଦ କରାଗଲା । ଶଶିବାବୁ ତା ବିରୁଦ୍ଧରେ ସରକାରଙ୍କୁ ପ୍ରତିବାଦ ପତ୍ର ପଠାଇଲେ । ସେତେବେଳକୁ କୃଷି ଉତ୍ପାଦନ କମିଶନର ହୋଇଥାନ୍ତି ଶ୍ରୀମତୀ ସି ନାରାୟଣାସ୍ଵାମୀ । ନଥିଟି ତାଙ୍କ ସମ୍ମୁଖରେ ପହଞ୍ଚିଲା ବେଳକୁ ସେଠାରେ ବସିଥିଲେ ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ମହେଶ୍ଵର ପଟ୍ଟନାୟକ । ନାରାୟଣାସ୍ଵାମୀ ତାଙ୍କଠୁ ଜାଣିବାକୁ ଚାହିଁଲେ ଶଶି ଭୂଷଣ ମହାନ୍ତି କିପରି ଲୋକ । ସେ କହିଲେ – ସେ ତ ମୋର ଛାତ୍ର ଥିଲା, ପରେ ମୋର ସହକର୍ମୀ ହେଲା । ମୋ ବିଚାରରେ ତା’ଠୁ ବଳି ସଚ୍ଚୋଟ, ସତ୍ ସାହସୀ , ସ୍ପଷ୍ଟବାଦୀ କର୍ମଚାରୀ କୃଷି ବିଭାଗରେ ନାହାନ୍ତି । ଶଶିବାବୁଙ୍କ ଉପରେ ଜାରି ହୋଇଥିବା ବେତନ ବନ୍ଦ ଆଦେଶ ତୁରନ୍ତ ବାତିଲ ହେଲା ଓ ତାଙ୍କ ପ୍ରମୋଶନର ପଥ ପରିଷ୍କାର ହେଲା ।

ତାଙ୍କ ତିରୋଧାନରେ ମୁଁ ଏହା ହିଁ କହିପାରେ ଯେ, ସରକାରୀ ଚାକିରିରେ ଥାଇ ମଧ୍ୟ ହୃଦୟରେ ସାମ୍ୟବାଦ ପ୍ରତି ଅନୁରକ୍ତି ରଖିଥିବା ଜଣେ ପ୍ରଚ୍ଛନ୍ନ କମ୍ୟୁନିଷ୍ଟ ଆଖି ବୁଜିଦେଲେ ।



କୋଭିଦ୍ ଚିକିତ୍ସାଳୟକୁ ରୋଗୀର ତଥ୍ୟ ଇଣ୍ଟର୍ନେଟରେ ରଖିବାକୁ ବାଧ୍ୟ କରାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଜଣେ ବନ୍ଧୁଙ୍କ ଫୋନ ଆସିଲା । “ପୁଅଟି କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛି କୋଭିଦ୍ ଚିକିତ୍ସା ପାଇଁ, ଖବର କିଛି ପାଉନି ; ସାହାଯ୍ୟ କରିବ ।” ଗତ ଦୁଇଦିନ ଧରି ଚେଷ୍ଟା କରି ମୁଁ ତାର କୌଣସି ଖବର ପାଉନି ସେହି ଡାକ୍ତରଖାନାରୁ । ଯେହେତୁ ତାର କୋଭିଦ୍ ଚିକିତ୍ସା ଚାଲିଛି ତା ସହ ରହିବା ପାଇଁ କୌଣସି ସମ୍ପର୍କୀୟ ବା ସହାୟକଙ୍କୁ ଅନୁମତି ନାହିଁ । ପରିବାର ଲୋକେ ଜାଣିବେ କିପରି?

ଚିକିତ୍ସାରେ ଅବହେଳା ଓ ଅବ୍ୟବସ୍ଥା ନେଇ ଉଠୁଥିବା ଅଭିଯୋଗ ଆକାଶଛୁଆଁ । ଚିକିତ୍ସାରତ ରୋଗୀ ସମ୍ପର୍କରେ ତାଙ୍କ ପରିବାରକୁ ଅନ୍ଧକାରରେ ରଖିବା ସମ୍ପୃକ୍ତ ଚିକିତ୍ସାଳୟର ଧର୍ତ୍ତବ୍ୟ ଅପରାଧ । ରାଜ୍ୟରେ ଯେଉଁ ଅରାଜକତା ଚାଲିଛି ସେଥିରେ ଏ ଅପରାଧ ଧରିବ କିଏ?

ଏ ମହାମାରୀ ସାରା ବିଶ୍ଵକୁ ଚହଲାଇ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମ ରାଜ୍ୟ ଏହାକୁ ସାମ୍ନା କରୁଛି । ଏ କ୍ଷେତ୍ରରେ ପ୍ରଶାସନିକ ଭୁଲଭଟକାଠୁ ଭଲ ଅଧିକ ଓ ଏଥିପାଇଁ ଆମ ମୁଖ୍ୟମନ୍ତ୍ରୀ ନିଶ୍ଚୟ ପ୍ରଶଂସନୀୟ । ମାତ୍ର ଡାକ୍ତରଖାନାମାନଙ୍କରେ ଚିକିତ୍ସାଧୀନ ଅନ୍ତେବାସୀ ରୋଗୀ (indoor patient)ମାନଙ୍କ ସମ୍ପର୍କରେ ପରିବାରବର୍ଗଙ୍କୁ ଯେପରି ଅନ୍ଧକାରରେ ରଖାଯାଉଛି ତାହା “ବାପା ପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା” ଅବସ୍ଥା ସୃଷ୍ଟି କଲାଣି ।

ଏହାର ନିରାକରଣ ପାଇଁ ପ୍ରତ୍ୟେକ ଚିକିତ୍ସାଧୀନ ଅନ୍ତେବାସୀ ରୋଗୀର ଖବର ଇଣ୍ଟର୍ନେଟରେ ଉପଲଭ୍ୟ ହେବା ଆବଶ୍ୟକ । କୋଭିଦ୍ ହସ୍ପିଟାଲମାନେ ଚିକିତ୍ସା ପାଇଁ ପ୍ରଚୁର ଲାଭ ପାଉଛନ୍ତି । ସେମାନଙ୍କୁ ବାଧ୍ୟ କରାଯାଉ ନିଜସ୍ଵ ୱେବସାଇଟ ସ୍ଥାପନ କରି ତହିଁରେ ଅନ୍ତେବାସୀ ରୋଗୀମାନଙ୍କ ସ୍ବାସ୍ଥ୍ୟବସ୍ଥା ନିୟମିତ ପ୍ରକାଶ କରିବା ଓ ତାହାକୁ ଶେଷପର୍ଯ୍ୟନ୍ତ ଅଦ୍ୟତନ କରିବା ପାଇଁ । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ତ୍ଵରାନ୍ଵିତ କରାଯାଉ ।