ନିଜେ ଗୋପପୁର ନିଜେ ମଥୁରା

by Subhas Chandra Pattanayak

ସିଏ ମୋର ଦୁର୍ବଳତା
ପୁଣି ମୋର
ଦୁର୍ବଳତା-ଦୂରକାରୀ ବଳ
ମୋ ନିଖିଳ ସଂଘର୍ଷରେ
ସିଏ ମୋର ଚିର ସହଚର ∣

ତା କଥା ପଡ଼ିଲେ ମନେ
ପୃଥିବୀ ପଳାଏ କ୍ଷଣେ ,
ପଳାଏ ସଂସାର;
ପଳାଏ କୁଆଡେ଼ ମୋର ବୋଧଶକ୍ତି
ମୁଁ ଆଉ ନ ରହେ ନିଜର ∣

ଶୋଇବା ଆଗରୁ ଯଦି
ନଭମଞ୍ଚେ
ଫେସଟାଇମ
ଅବା ହ୍ବାଟ୍ସଅପେ
ରୂପ ତାର ଝଳେ ,
ନିଦ ଆସେ ଅସୀମ ଶାନ୍ତିରେ ∣

ନିଦ ଶେଷେ
କାକଳିର ତାଳେ ତାଳେ
ରବିକରେ
ତାହାରି ଉଦୟ
ଜୀବନକୁ କରେ ଆଭାମୟ ;
ଜୀବନ୍ମୟ ହୁଏ ମୋର
ସକଳ ସମୟ ∣

ମୋଓଠୁ ଦୂରରେ ସିଏ ,
ସିଏ ବି ମୋ ପଞ୍ଜରା ଭିତରେ ;
ଶୟନେ ସ୍ବପନେ ଥାଏ
ଥାଏ ଜାଗରଣେ ମୋର ନିଖିଳ ସତ୍ତାରେ ∣

ତଥାପି ନ ମାନେ ଆଖି
ଖୋଜିବୁଲେ ତାହାରି ବଦନ
ଶୁଣିବାକୁ ସ୍ବର ତାର କାନପାତେ
ଶୁଣେ କିନ୍ତୁ ନିଜର ରୋଦନ !

ଯଶୋଦା ମା ଯେତେବେଳେ
ବାହୁନି ଉଠିଲେ –
“କୋଇଲି ଲୋ କେଶବ ଯେ ମଥୁରାକୁ ଗଲା
କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ∣”
ସେ କ’ଣ ଜାଣି ନଥିଲେ ଯେ ,
ସେ ନିଜେ ନିଜ ଗୋପପୁର
ଏବଂ ନିଜେ ହିଁ ମଥୁରା ?

ବୋଧଶକ୍ତି
ମଣିଷଠୁ ମଣିଷର
କେତେ ଦୂର ?
ସତେ କେତେ ଦୂର ?

26.11.2017

Advertisements