ବିଜେପି ସେଦିନ ଯଦି କଂଗ୍ରେସ ପାଖରେ ନିଜକୁ ସମର୍ପି ଦେଇନଥାନ୍ତା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସେଦିନ ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ଭାରତୀୟ ଜାତୀୟ କଂଗ୍ରେସ (କଂଗ୍ରେସ) ପାଖରେ ନିଜକୁ ସମର୍ପି ଦେଇନଥାନ୍ତା, ତେବେ ସେହି ଦିନ ହିଁ ଅର୍ଥମନ୍ତ୍ରୀ ପଦରୁ ମନମୋହନ ସିଂହ ଇସ୍ତଫା ଦେଇଥାନ୍ତେ ଓ ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ହୋଇ ଭାରତୀୟ ସାଧାରଣତନ୍ତ୍ରର ଅସଲ ଉଦ୍ଦେଶ୍ୟକୁ ପଣ୍ଡ କରିନଥାନ୍ତେ କି ତାଙ୍କ ଉପରେ ସାଧାରଣ ଲୋକଙ୍କ ରୋଷର ଲାଭ ଉଠାଇ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ସମ୍ଭବ ହୋଇନଥାନ୍ତା କି ଭାରତରେ ଦେଖାଦେଇଥିବା ଆଦାନୀକୈନ୍ଦ୍ରିକ  ଅର୍ଥନୈତିକ ଅରାଜକତା ଦେଖାଦେଇନଥାନ୍ତା । 

ସେଦିନ ଥିଲା ୧୯୯୧ ମସିହାର ସେପ୍ଟେମ୍ବର ୧୪ ତାରିଖ । ଦେଶରେ ସଂତ୍ରାସ ସୃଷ୍ଟି ଓ ଅର୍ଥନୈତିକ ଅପରାଧ ବୃଦ୍ଧି  ପାଇଁ କୁଖ୍ୟାତ ପାକିସ୍ଥାନୀ ବ୍ଯାଙ୍କ ‘ବିସିସିଆଇ’ (BCCI – The Bank of Credit and Commerce International (Overseas) Ltd) ସମ୍ପର୍କରେ ବିଜେପିର ଯଶୱନ୍ତ ସିଂହ ସେପ୍ଟେମ୍ବର ୬ରେ ଆଗତ କରିଥିବା କାର୍ଯ୍ୟାନୁଷ୍ଠାନକ୍ଷମ ପ୍ରସ୍ତାବ ଉପରେ ସେଦିନ ଥିଲା ଆଲୋଚନା । 

ସେପ୍ଟେମ୍ବର ୬ ତାରିଖରେ ପ୍ରସ୍ତାବ ଆଗତ କଲା ବେଳେ ଯଶୱନ୍ତ  କହିଥିଲେ, ଭୁଷୁଡ଼ି ପଡ଼ିଥିବା ବିସିସିଆଇ ଭାରତୀୟ ବାଣିଜ୍ୟସଂସ୍ଥାମାନଙ୍କ ପୁଞ୍ଜି ହଡ଼ଫ କରିବା ସମେତ ପାଣ୍ଠି ଦୁରୁପଯୋଗ କରିଥିବା ଉପରେ ପ୍ରକାଶିତ ବିଭିନ୍ନ ବିବରଣୀ ଅବଗତ ହୋଇ ଏହି ଗୃହ ଗଭୀର ଉଦ୍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସୁପାରିଶ କରୁଛି କି ଜନସାଧାରଣ ସମ୍ପୃକ୍ତ ଥିବା ଅର୍ଥବେପାରୀ ଅନୁଷ୍ଠାନମାନଙ୍କ ପାଇଁ ତୁରନ୍ତ ମାନାଦର୍ଶ ଜାରି କରାଯାଉ ଓ ଏହି ଘଟଣାର ଯାଞ୍ଚ ପାଇଁ ଏକ ସଂଯୁକ୍ତ ସାଂସଦୀୟ ତଦନ୍ତ କମିଟି ଗଠିତ ହେଉ । (Mr Chairman, with your permission, I move “That this House, taking serious note of the collapse of the Bank of Credit and Commerce International (Overseas) ltd. (BCCI) expresses its concern about various reports of misuse of funds by this Bank, inclusive of cornering of stocks  of Indian Companies and recommends  the immediate announcement of norms of conduct  by the public financial institutions and the establishment of a Joint Parliamentary Committee of enquiry in the matter.”

ଏହି ପ୍ରସ୍ତାବ ଆଗତ ହେବା ପୂର୍ବରୁ ବିସିସିଆଇ ହେତୁ ଭାରତରେ ଉପୁଜିଥିବା ବିଭୀଷିକା ପ୍ରେକ୍ଷାପଟରେ ଲୋକସଭାରେ ଅର୍ଥମନ୍ତ୍ରୀ ମନମୋହନ ସିଂହ ଅଗଷ୍ଟ ୭ ତାରିଖରେ ସ୍ଵୀକାର କରିଥିଲେ, ଏହି ବ୍ଯାଙ୍କ ବମ୍ବେରେ ଶାଖା ଖୋଲିବାର ତିନି ବର୍ଷ ଭିତରେ ଜାଲିଆତି ସମେତ ବହୁବିଧ ଆର୍ଥିକ ଅପରାଧ ଘଟାଇଥିଲା । 

“BCCI was involved in controversy in 1986 when investigations by Enforcement Directorate revealed that the bank was releasing foreign exchange against the Foreign Travel Scheme to travel agents without verifying the signatures of the actual travellers, with the result that a substantial amount of foreign exchange was released on the strength of the forms bearing forged and fake signatures.”

ମନମୋହନ ସିଂହ ଅତ୍ୟନ୍ତ ଚତୁରତାର ସହ ଏହି ବ୍ୟାଙ୍କକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ।  ସେ ସ୍ଵୀକାର କରିଥିଲେ ଯେ, ଏହି ବ୍ୟାଙ୍କର କେତେକ କର୍ମଚାରୀ ଆଇନାନୁଯାୟୀ ଗିରଫ ହୋଇଥିଲେ । ମାତ୍ର ସମ୍ପୃକ୍ତ ଆଇନ ଅଧୀନରେ ଗଠିତ ଉପଦେଷ୍ଟା ପରିଷଦ ଚାରିଜଣଙ୍କୁ ଖଲାସ କରିଦେଇଥିଲେ ଓ ଆଉ ଜଣକୁ ସେହି ମାନଦଣ୍ଡରେ ସରକାର ନିଜେ ହିଁ ଖଲାସ କରିଦେଇଥିଲେ । ତାଙ୍କ ଭାଷାରେ, “Some of the employees of the bank were detained under COFEPOSA Act. Subsequently four of these were released on the recommendation of the Advisory Board that heard the cases as provided in the COFEPOSA Act. Detention order of one employee was revoked by the Government on the ground that other employees had been released under similar circumstances.”

କିନ୍ତୁ ଏହି ସରକାରୀ ଚତୁରତା ଆଇନ ପାଖରେ ହାର ମାନିଥିଲା ବୋଲି ମାନିଥିଲେ ମନମୋହନ ସିଂହ ।  ସେ ସ୍ଵୀକାର କରିବାକୁ ବାଧ୍ୟ ହୋଇଥିଲେ ଯେ, “the case was adjudicated by Order dated 20-6-1988 imposing a penalty on the bank, its employees as well as travel agents.” 

ଏହା ସତ୍ତ୍ୱେ ଏହି ବାଙ୍କକୁ ସୁରକ୍ଷା ଦେବାକୁ ଚେଷ୍ଟା ହୋଇଥିଲା । ଏହାର ଅପରାଧକୁ ହାଲୁକା ଭାବେ ଦେଖେଇବାକୁ ଭାରତୀୟ ରିଜର୍ଭ ବାଙ୍କକୁ ବ୍ୟବହାର କରାହୋଇଥିଲା । ଏପରି ଆର୍ଥିକ ଅପରାଧ ଅନ୍ୟ ବହୁ ଅଧିକୃତ ସଂସ୍ଥା ବି କରିଛନ୍ତି ବୋଲି କହି କଥାଟାକୁ ଉଡେଇ ଦେବାକୁ ବସିଥିଲେ ମନମୋହନ ସିଂହ । ତାଙ୍କ ଭାଷାରେ, “Reserve Bank of India also deputed a special investigation team in January, 1987 to look into the matter and find out whether the seriousness of irregularities justified demands for cancellation of the license of the bank. The inspection revealed that there were mainly procedural irregularities in foreign exchange operations and conduct of the bank in certain areas but such irregularities had also been observed in the case of other authorized dealers in India. This did not warrant revoking of license.

ଏହି ପରିପ୍ରେକ୍ଷୀରେ ପ୍ରସ୍ତାବ ଆଗତ କରି ଯଶୱନ୍ତ ସିଂହ କହିଥିଲେ, “We are discussing the collapse of the Bank of Credit and Commerce International (Overseas) and its implications to us. We are also discussing the aspects of public financial institutions and their accountability or involvement in all of this. But we are, above all. discussing the Government’s conduct, role and responsibility in this entire affair. We are also not just by implication. but much more directly by the fact that we have taken up this Motion for discussion. Therefore. what is now on test is the duty and the efficacy of the legislature itself in which we are today sitting, in a sense this legislature is also on test in what we do today or fail to do in respect of this particular Motion.” ଅର୍ଥାତ୍, ବିସିସିଆଇ ଭୁଷୁଡ଼ି ପଡ଼ିବା ଓ ଆମ ଉପରେ ତହିଁର ପଡ଼ିଥିବା କୁପ୍ରଭାବ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ । ରାଷ୍ଟ୍ରୀୟ ଆର୍ଥିକ ସଂସ୍ଥାମାନଙ୍କରେ ତାହାର ପ୍ରଭାବ ଓ ତନ୍ନିହିତ ଉତ୍ତରଦାୟୀତ୍ଵ ଉପରେ ଆଲୋଚନା କରିବାକୁ ଯାଉଛୁ । କିନ୍ତୁ ସର୍ବୋପରି ଏହି ସମଗ୍ର ଘଟଣାରେ ସରକାରଙ୍କ ଆଚରଣ, ଭୂମିକା ଓ ଦାୟୀତ୍ଵ ଉପରେ ଆଲୋଚନା କରିବାକୁ ଯାଉଛୁ । କେବଳ ଉପରଠାଉରିଆ ଭାବେ ନୁହେଁ, ଯେହେତୁ ଏ ପ୍ରସ୍ତାବ ସଂସଦର କାର୍ଯ୍ୟପ୍ରବାହକୁ ଆସିଛି, ସେହେତୁ ଏହି ଗୃହ, ଯହିଁରେ ଆମେମାନେ ସଦସ୍ୟ, ଏହି ଘଟଣାରେ ଦାୟିତ୍ଵ ନିର୍ବାହ ପାଇଁ ସମର୍ଥ କି ନା, ତାହା ବି ପରୀକ୍ଷିତ ହେବାକୁ ଯାଉଛି । କହିବାକୁ ଗଲେ, ଏହି ପ୍ରସ୍ତାବ ଉପରେ ଏହି ଗୃହ ଆବଶ୍ୟକ ପଦକ୍ଷେପ ନେବାକୁ ସଫଳ ହେବ କି ବିଫଳ ହେବ ତାହାର ହିଁ ପରୀକ୍ଷା ହୋଇଯିବ ।” 

ଏହି ପ୍ରସ୍ତାବ ଉପରେ ଲୋକସଭାରେ ଘମାଘୋଟ ଆଲୋଚନା ହେଲା ୧୪.୯.୧୯୯୧ ତାରିଖରେ । ନିଜ ଅଭିଯୋଗକୁ ସଶକ୍ତ କରିଥିଲେ ଯଶୱନ୍ତ ସିଂହ । ସେଦିନ ଲୋକସଭାରେ ଜର୍ଜ ଫର୍ଣାଣ୍ଡିଜ ଓ ସୋମନାଥ ଚାଟ୍ଟର୍ଜୀ ଯେଉଁ ପ୍ରମାଣସିଦ୍ଧ ତର୍କ ରଖିଥିଲେ,  ତଦାନୀନ୍ତନ ଲୋକସଭା ବିତର୍କରେ ତହିଁର ସମକକ୍ଷ ଗମ୍ଭୀର ଓ ବିଷୟନିଷ୍ଠ ଅଲୋଚନା କେବେ ଦେଖାଦେଇ ନଥିଲା । କିନ୍ତୁ ବିତର୍କ ଶେଷରେ ଯେତେବେଳେ ପ୍ରସ୍ତାବ ଉପରେ ମତ ନିଆଯିବା କଥା, ସେହି ପ୍ରସ୍ତାବ – ଯାହା ଯୁଗାନ୍ତକାରୀ ହୋଇପାରିଥାନ୍ତା – ପ୍ରତ୍ୟାହୃତ ହୋଇଗଲା ।  ବିଜେପିର ପ୍ରସ୍ତାବକ ସଭ୍ଯ  ଯଶୱନ୍ତ ସିଂହ ନିଜ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଯାଇ କହିଥିଲେ, ମୁଁ ଯେହେତୁ କଥା ଦେଇଛି, ସେହେତୁ ଏ ପ୍ରସ୍ତାବକୁ ପ୍ରତ୍ୟାହାର କରିନେବାକୁ ଗୃହର ଅନୁମତି ମାଗୁଛି । ତାଙ୍କ ଭାଷାରେ, “I am bound by my word, and I seek the leave of the House to withdraw my motion.” 

ଲୋକସଭାର ସେହି ଅନନ୍ୟସାଧରଣ ବିତର୍କରେ ମନମୋହନ ସିଂହ ଏପରି ଫୁଙ୍ଗୁଳା ହୋଇଯାଇଥିଲେ ଯେ, ଯଦି ସେଦିନ ସେ ନିଜ ଆଡୁ ଇସ୍ତଫା ଦେଇନଥାନ୍ତେ, ତେବେ ତାଙ୍କୁ ଅର୍ଥମନ୍ତ୍ରୀ ପଦରୁ ବିଦା କରିବାକୁ ପ୍ରଧାନମନ୍ତ୍ରୀ ନରସିଂହ ରାଓ ବାଧ୍ୟ ହୋଇଥାନ୍ତେ । 

କିନ୍ତୁ  ତଦପେକ୍ଷା ଗୁରୁତ୍ୱପୂର୍ଣ୍ଣ ଥିଲା, ପ୍ରସ୍ତାବଟି (ଯାହା ପ୍ରତ୍ୟାଖ୍ୟାନ କରିବା ଲୋକସଭା ପକ୍ଷେ ସହଜସମ୍ଭବ ନଥିଲା) ଗୃହୀତ ହୋଇଥିଲେ ଜନସାଧାରଣ ସମ୍ପୃକ୍ତ ଥିବା ଅର୍ଥବେପାରୀ ଅନୁଷ୍ଠାନମାନଙ୍କ ପାଇଁ ତୁରନ୍ତ ମାନାଦର୍ଶ (norms of conduct  by the public financial institutions) ତୁରନ୍ତ ଜାରି କରାଯାଇଥାନ୍ତା  ଓ ସମଗ୍ର ଘଟଣାର ତଦନ୍ତ କରିଥାନ୍ତା ଏକ ସଂଯୁକ୍ତ ସଂସଦୀୟ କମିଟି , ଯେଉଁଥିରେ ସବୁ ଦଳର ସଦସ୍ୟ ସଭ୍ଯ ରହିଥାନ୍ତେ ଓ ବିଜୁ ପଟ୍ଟନାୟକଙ୍କ ଠାରୁ ଚରଣ ସିଂହ , ଆମେରିକାନ ଗୁଇନ୍ଦା ସଂସ୍ଥା ସିଆଇଏ ଠାରୁ ମନମୋହନ ସିଂହ ଯେଉଁମାନେ ଏହି ଜଘନ୍ୟ ପାକିସ୍ଥାନୀ ବ୍ୟାଙ୍କକୁ ଭାରତରେ ବ୍ରାଞ୍ଚ କୋଳି ଭାରତୀୟ ପୁଞ୍ଜି ବଜାରକୁ ଭୟଙ୍କର ସଙ୍କଟ କବଳକୁ ଠେଲି ନେଇଥିଲେ, ସେ ସମସ୍ତଙ୍କର ଗୁପ୍ତ ଚେହେରା ସାର୍ବଜନୀନ ହୋଇପାରିଥାନ୍ତା । କଂଗ୍ରେସ ସହ ବିଜେପି ଗୋପନରେ ହାତ ମିଳାଇ ଏହି କାର୍ଯ୍ୟାନୁଷ୍ଠାନ ଘଟିବାକୁ ଆଉ ଦେଲାନାହିଁ ; ଫଳରେ ଜନସାଧାରଣ ସମ୍ପୃକ୍ତ ଥିବା ଅର୍ଥବେପାରୀ ଅନୁଷ୍ଠାନମାନଙ୍କ ପାଇଁ ମାନାଦର୍ଶ (norms of conduct  by the public financial institutions) ଆଉ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇପାରିଲାନି । ହୋଇଥିଲେ, ଆଦାନୀକୈନ୍ଦ୍ରିକ ଅର୍ଥନୈତିକ ଅସଦାଚରଣ ଆଜି ଭାରତକୁ ଏପରି ଚହଲାଇ ନଥାନ୍ତା । 

 

ଆଗାମୀ ନିର୍ବାଚନ: ବିଜେପିର ଉପାଦାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାରେ ଆଗାମୀ ସରକାର ପାଇଁ ଭାରତୀୟ ଜନତା ପାର୍ଟି ସଜ ହେଉଥିବା କଥା ଦଳୀୟ ନେତାମାନେ ନିଜେ ହିଁ ପ୍ରଚାର କରୁଛନ୍ତି । ଏହି ଦଳ ଓଡ଼ିଶାରେ ଏବେ ଅଧିସ୍ଵୀକୃତ ବିରୋଧୀ ଦଳ। ବିଧାନସଭାରେ ଏହି ଦଳର ନେତା ହିଁ ବିରୋଧୀଦଳ ନେତା । ଆମ ସମ୍ବିଧାନରେ ଅବଶ୍ୟ ସ୍ପଷ୍ଟତଃ ଉଲ୍ଲେଖ ନାହିଁ, ମାତ୍ର ଯିଏ  ବିରୋଧୀଦଳ ନେତା ସିଏ ହିଁ ତାଙ୍କ ଦଳ ଅଧିକ ଆସନରେ ଜିତିଲେ ମୁଖ୍ୟମନ୍ତ୍ରୀ ହେବା ସମ୍ଭବ । ତେଣୁ ସେ  ଛାୟାମୁଖ୍ୟମନ୍ତ୍ରୀ ଭାବେ ବିଚାର୍ଯ୍ୟ । ଏହି ଅଘୋଷିତ ଛାୟାମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ସମତୁଲ ମର୍ଯ୍ୟାଦା ଓ ବିଧାୟକୀୟ ତଥା ସରକାରୀ ସ୍ଵତନ୍ତ୍ର ସୁବିଧା ମିଳିବାର କାରଣ ହେଉଛି ଏହାହିଁ । ବିଜେପିର ଜୟନାରାୟଣ ମିଶ୍ର ଏବେ ଏହି ମର୍ଯ୍ୟାଦା ଓ ସ୍ଵତନ୍ତ୍ର ସୁବିଧା ଉପଭୋଗ କରୁଥିବା ବିରୋଧୀଦଳ ନେତା । ତାଙ୍କ ପତିଆରା ଉପରେ ନିର୍ଭର କରେ ବିଜେପିର ପତିଆରା । ତାଙ୍କ ଲମ୍ବା ନେତାଗିରିର ସର୍ବଶେଷ ନମୂନା ହେଲା, ଜଣେ ଦାୟିତ୍ବାସୀନା ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ସର୍ବସାଧାରଣରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଓ ଚପୋଟାଘାତ । 

ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଏହି ଦଳର ବହୁ ସଦସ୍ୟ କୌଣସି ପ୍ରସଙ୍ଗରେ କୌଣସି  ତଥ୍ୟନିଷ୍ଠ ଅଂଶ ଗ୍ରହଣ କରିବା ପରିବର୍ତ୍ତେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଧାନ୍ଯ ଜାରିକରିବା ପାଇଁ ବ୍ଯଗ୍ର । ଏକ ଦୃଷ୍ଟାନ୍ତ ସ୍ୱରୂପ ଏଙ୍କ ଭିତରୁ ଜଣେ ମୋ ଫେସବୁକ କାନ୍ଥରେ ଲେଖିଛନ୍ତି , “ସ୍ୱାର୍ଥବାଦୀ ଗାଣ୍ଡିମରାବାଦୀ କେତୁବାଦୀ ଓ ପଢାଲିଖା ସହରୀ ନକ୍ସଲିଙ୍କୁ ଜଲଦି ଉଚିତ ଶାସ୍ତି ମିଳିବ । ଏ ମୋଦି ଦେଶ ବିରୋଧୀଙ୍କୁ ଛାଡିବ ନାହିଁ ।”

ଅତଏବ ଏପରି ଉପାଦାନରେ ବିଜେପି ନିଜକୁ ଶାଣିତ କରିରଖିଛି । ମୋଦିଆନମାନେ  ଅଶ୍ଳୀଳତାର ଆଶ୍ରୟ ନନେଇ ମୋଦୀଙ୍କ ପ୍ରାଚୋଦିତ ରାଜନୈତିକ-ଅର୍ଥନୀତି ଉପରେ ସାରଗର୍ଭକ ଆଲୋଚନା କଲେ ତାହା ଭାରତୀୟ ସାଂସଦୀୟ ରାଜନୀତି ପାଇଁ ସ୍ବାଗତଯୋଗ୍ୟ ହେବ । ମାତ୍ର ଅଧିକାଂଶ ମୋଦିଆନ୍ ଏହା ହୁଏତ ବୁଝନ୍ତିନି । କଥା କଥାକେ ଅକଥା କହିବାରେ ସେମାନେ ପାରଙ୍ଗମ । ସାମାଜିକ ଗଣମାଧ୍ୟମରେ ଭିତିସଞ୍ଚାରକାରୀ ମୋଦିଆନଙ୍କ ଧମକର ଏହି ଫଟୋଚିତ୍ର ଦେଖନ୍ତୁ :

ସରକାର ଗଠନ କରିବାକୁ ଚାହୁଁଥିବା ବିଜେପି ଏହି ଉପାଦାନ ନେଇ ଆଗାମୀ ନିର୍ବାଚନରେ  ଯଦି ଅବତୀର୍ଣ୍ଣ ହୁଏ, ସ୍ବଭାବରେ ସରଳ ଓ ଆଚରଣରେ ସୁସଭ୍ୟ ଓଡ଼ିଆ ଜାତି  କି ନିଷ୍ପତ୍ତି ନେବ ତାହା ସହଜେ ଅନୁମେୟ । 

ଓଡ଼ିଶାରେ ମାଫିଆରାଜ୍: ଶନିପୂଜାରେ ନିହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳିମାଡ଼ର ରହସ୍ୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚ୍ଛାତିକୁ ଗୁଳି ମାରିଥିବା ତଳିଆ ପୋଲିସ କର୍ମଚାରୀ କୌଣସି ମାନସିକ ଚାପରେ ଥିଲେ ବୋଲି ସାଧାରଣରେ ଧାରଣା ସୃଷ୍ଟି କରିବାକୁ ଓଡ଼ିଆ ଟିଭି ଚ୍ୟାନେଲମାନେ ଯେଉଁ ରଡ଼ି ପକାଇ ଚାଲିଛନ୍ତି ତାହା ସେମାନେ ବନ୍ଦ କରିବା ଉଚିତ । ଅସଲ ଅପରାଧୀ ନିଶ୍ଚୟ ଖୁବ୍ ଶକ୍ତିଶାଳୀ, ଯାହା ଭୟରେ ମନ୍ତ୍ରୀ ନବ କିଶୋର ଦାସ ମହାରାଷ୍ଟ୍ରର ଏକ ଶନିମନ୍ଦିରକୁ କୋଟିଏ ଟଙ୍କା ମୂଲ୍ୟର ସୁନା କଳସ ଗତ ୨୧ ତାରିଖରେ ଦେଇଥିଲେ ଓ ଭରତର ବିଭିନ୍ନ ଶନି ମନ୍ଦିରରେ ଶନି ଅଭିଷେକ କରୁଥିଲେ ।

କିଏ ଏହି ଛଦ୍ମ ଅପରାଧୀ ତାହା ନବଙ୍କ ପରିବାର ଓ ତାଙ୍କୁ ଶନି ପୂଜା ପାଇଁ ପରାମର୍ଶ ଦେଇଥିବା ଗ୍ରହବିପ୍ର ନିଶ୍ଚୟ ଜାଣିଥିବେ ।

ଜଣେ ତଳିଆ ପୋଲିସ କର୍ମଚାରୀ ମୁଣ୍ଡରେ ଅଠା ବୋଳିବା ପରିବର୍ତ୍ତେ ପୋଲିସ ଏହି  ଶନି ପୂଜାର ରହସ୍ୟ ଭେଦ କରୁ ।

ନବ ଦାସଙ୍କ ପରିବାର ଓ ତାଙ୍କୁ ଶନିପୁଜା ପାଇଁ ପରାମର୍ଶ ଦେଇଥିବା ଗ୍ରହବିପ୍ର (ଜ୍ୟୋତିଷ) ମୁହଁରୁ କିପରି ସତ ଓଗାଳିହେବ ମୁଖ୍ୟମନ୍ତ୍ରୀ ତାହା ଦେଖନ୍ତୁ । ମନ୍ତ୍ରୀଙ୍କୁ ଦେଖିବାକୁ ଆପୋଲୋ ଡାକ୍ତରଖାନାକୁ ଯାଇଥିବାର ପ୍ରଚାର ଅପେକ୍ଷା ଏହା ଅଧିକ ଜରୁରୀ । ଭୁଲିଗଲେ ଚଲିବ ନାହିଁ ଯେ, ଏପରି ଗୁଳିମାଡ଼ ଖାଇବାରେ ନବୀନଙ୍କ ଏହି ମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ପ୍ରଥମ ମନ୍ତ୍ରୀ । ଏହି ଗୁଳିକାଣ୍ଡ ସାବ୍ୟସ୍ତ କରିଛି ଯେ, ଏବେ ଓଡ଼ିଶାରେ ମାଫିଆରାଜ୍ ଚାଲିଛି । 

ସାଧାରଣତନ୍ତ୍ର : ସାଧାରଣଲୋକଙ୍କ ସ୍ଵର -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ପଣ୍ଡ ହୋଇସାରିଛି । କାରଣ, ଶାସନତନ୍ତ୍ର ଆଉ ସାଧାରଣ ଲୋକଙ୍କ ହାତରେ ନାହିଁ । ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୋଲିସ ସିପାହୀ ପର୍ଯ୍ୟନ୍ତ ସମସ୍ତେ ଆମ ମାଲିକ । ଯେଉଁ ଉଦ୍ଦେଶ୍ୟରେ ଦେଶ ସ୍ଵାଧୀନ ହୋଇଥିଲା ତାହା ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ହୋଇ ରହିଲାନି । ଏପରିଭାବେ ଏକ ସାଧାରଣତନ୍ତ୍ର ଆମକୁ ମିଳିଲା ଯେ, ଅପରାଧୀର ମୌଲିକ ଅଧିକାର ରକ୍ଷା କରିବା ନ୍ୟାୟାଳୟର କର୍ତ୍ତବ୍ୟ ହୋଇପଡ଼ିଥିବା ବେଳେ ରାଷ୍ଟ୍ରର ମୌଲିକ ଅଧିକାର ଅବିଚାର୍ଯ୍ୟ ହୋଇ ରହିଛି, ଯାହାକୁ Directive Principles of State Policy ବୋଲି ସମ୍ବିଧାନ ଚିହ୍ନଟ କରି, ସାଧାରଣତନ୍ତ୍ର ଗୋଡ଼ରେ ଯେଉଁ ଟାଙ୍ଗିଆ ମାରିଛି ତାହା ଆମ ସ୍ୱାଧିନତାର ସବୁ ସ୍ଵପ୍ନକୁ ସବୁଦିନ ପାଇଁ ଉଜାଡ଼ି ଦେଇଛି । ଭୋଟ ଦେବା ଆଉ ଟିକସ ଦେବା – ଏହି ଦୁଇଟି ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣଲୋକଙ୍କୁ ବଞ୍ଚାଇରଖିଛି ଶାସନ ବ୍ୟବସ୍ଥା । ଏହା ଏତେ ସତ୍ୟ ଯେ, ପ୍ରମାଣ ପ୍ରଦାନ ଅନାବଶ୍ୟକ । ଏହି ସ୍ଥିତିରେ ସାଧାରଣ ମଣିଷ କ’ଣ ଚିନ୍ତା କରୁଛି?

ହଜି ଜେଇଥିବା ଆମ ଜାତୀୟ ସ୍ଵପ୍ନର ଏହି ସ୍ମାରକୀ ଦିବସରେ ମୁଁ ଦୁଇଜଣ ସାଧାରଣ ମଣିଷର ମନକଥା ଏଠାରେ ଉଦ୍ଧୃତ କରିବି । ପୂର୍ବରୁ ଭାଇ ଅମୀୟ କୁମାର ପ୍ରଧାନଙ୍କ  ମନକଥା ରଖିଛି, ଏବେ ଭବନୀପାଟଣାର ଅଧିବକ୍ତା , ଭାଇ ସନ୍ତୋଷ କୁମାର ମିଶ୍ରଙ୍କ ଏକ କବିତା । ଯିଏ ଯେପରି ଗ୍ରହଣ କରୁ ।

 

 

ସତରେ
ସମୟର ଗତି
ଖୁବ ପ୍ରଖର
ଦେଖୁ ଦେଖୁ
ପାଳିବାକୁ ହୁଏ
ସାଧାରଣତନ୍ତ୍ର ଦିବସର
ଚଉସ୍ତରୀ ତମ ଜନ୍ମ ଜୟନ୍ତୀ,
ଇଂରେଜର
ପରାଧୀନତାରୁ ମୁକୁଳି
ରାଜତନ୍ତ୍ର ବନ୍ଧନର
ଶିକୁଳି ଫିଟେଇ
ସ୍ୱାଧୀନ ରାଷ୍ଟ୍ରରେ
ମୁଣ୍ଡ ଟେକି
ଯେଉଁମାନେ କହିଥିଲେ
ଦେଶ ହେଲା ଗଣତନ୍ତ୍ର
ସେମାନେ ଆଉ ନାହାନ୍ତି l

ସେ ଦିନ
ହଟି ଯାଇଥିଲା
ଜାତି ଧର୍ମ ବର୍ଣ୍ଣ,
ଗୋଟିଏ ସ୍ୱରରେ
କହି ପାରୁଥିଲେ
ମଣିଷ ଜାତି
ମାନବ ଧର୍ମ l

ରାଜତନ୍ତ୍ରରେ
ଚାରି ଜାତି
ଶୁଦ୍ର ବୈଶ୍ୟ ବ୍ରାହ୍ମଣ କ୍ଷତ୍ରିୟ,
ମୋ ଜେଜେବାପା ବାପା କହିଥିଲେ
ଯୁଦ୍ଧ ଓ ସଂଘର୍ଷର ବନ୍ୟାରେ
ଭାସି ଯାଇଥିଲେ ବହୁ କ୍ଷତ୍ରିୟ,
ଆଉ
ଯେଉଁମାନେ ରହିଲେ,
ବିନା ବାସ୍ନାରେ କର୍ପୁର କହିଲେ l

ଆଜି
ଗଣତନ୍ତ୍ର ରାଷ୍ଟ୍ରରେ
ସମାଜ ସେବାର
ମୁକୁଟ ପିନ୍ଧି
କ୍ଷତ୍ରିୟର ଅଭିବୃଦ୍ଧି କରି
ବଢ଼ି ଯାଇଛନ୍ତି ନେତା,
ନିର୍ବାଚନର ହୁଙ୍କାରରେ
ଯୁଦ୍ଧଂ କହି
ଜଣେ ଜଣକୁ ପରାସ୍ତ କରି
ପାଲଟିଛନ୍ତି
ରାଜନେତା
ରାଜା ଭଳି ପୂଜା ପାଇ
ଜଣେ ଜଣେ
ଅଞ୍ଚଳର ବିଧାତା l

ବିଦ୍ୱାନ ପୁରୁଷ
ବ୍ରାହ୍ମଣ ଥିଲେ
ସରକାରୀ କର୍ମଚାରୀ
ବ୍ରାହ୍ମଣ ସାଜିଲେ
ଚୌକିକୁ ମୁଣ୍ଡିଆ ମାରିଲେ,
ବିଚାରପତି ପ୍ରାଧ୍ୟାପକ
ରୁଷି ମହର୍ଷି ହେଲେ
ତାଙ୍କ ଶିଷ୍ୟ ମାନେ
ଆଇନଜୀବୀ ଡାକ୍ତର
ଶିକ୍ଷକ କହିଲେ l

ପୋଲିସ ଓ ସାମ୍ବାଦିକ
ରାଜନେତାଙ୍କ ଦୂତ ପାଲଟିଲେ,
ଧନୀ ଶ୍ରେଣୀ
ବ୍ୟବସାୟ କଲେ
କ୍ଷତ୍ରୀୟକୁ କର ଦେଲେ,
ଶୁଦ୍ର ପାଲଟିଲେ ଗରିବ
ପେଟପାଇଁ ସହିବାକୁ ହେବ l

କୁହ ମାତୃଭୂମି
କୁହ ଗୋ ଜନନୀ
ମୁଁ
ସାଧାରଣ ବର୍ଗ
ଗରିବ,
କେଉଁ ଶ୍ରେଣୀରେ
ଅନ୍ତର୍ଭୂକ୍ତ କରିବ,
ମୋ ଚିତ୍କାରରେ
ନିଦ ଭାଙ୍ଗି ଗଲା,
ସ୍ବପ୍ନ ମୋତେ କହିଗଲା,
ଗଣତନ୍ତ୍ର ରାଷ୍ଟ୍ର ଏବେ
ରାଜତନ୍ତ୍ର ନୁହେଁ
ନେତାତନ୍ତ୍ର ହେବାକୁ ବସିଲା l

ସନ୍ତୋଷ ମିଶ୍ର,

 

 

 

ଜନତାଙ୍କ ହାତରେ ଶାସନଡୋରି: ନେତାଜୀଙ୍କ ସ୍ଵପ୍ନ ଓ ତାର କ୍ରମପରିଣତି


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜିକୁ ୮୫ ବର୍ଷ ତଳେ, ୧୯୩୮ ଅକ୍ଟୋବର ୨୩ରେ ନେତାଜୀ ସୁଭାଷ ବୋଷ ସ୍ପଷ୍ଟ କରିଦେଇଥିଲେ ଯେ, ବିଦେଶୀ ଶାସନରୁ ସ୍ଵାଧୀନତା ପାଇବା ପାଇଁ ଅଧିକ କଷ୍ଟ ସହିବାକୁ ଓ ଅଧିକ ତ୍ୟାଗ କରିବାକୁ ଆମକୁ ପ୍ରସ୍ତୁତ ହେବାକୁ ହେବ । ସେ କହିଥିଲେ, ସ୍ଵାଧୀନତା ସଂଗ୍ରାମରେ କଙ୍ଗ୍ରେସ ହିଁ ସର୍ବାଧିକ ଆଖିଦୃଶିଆ ଭାରତୀୟଙ୍କ ରାଜନୈତିକ ଦଳ । ତେଣୁ ଏହି ଦଳର ନେତୃତ୍ଵରେ ଯେଉଁ ସ୍ଵାଧୀନତା ଆସିବ, ତାହା ସାଧାରଣ ଲୋକ ହାତକୁ କ୍ଷମତା ନଦେଇ ଆଖିଦୃଶିଆ ଭାରତୀୟମାନଙ୍କୁ କ୍ଷମତା ପ୍ରଦାନ କରିବ । ଏହାର ପ୍ରତିକାର ପାଇଁ କଂଗ୍ରେସର ସଭାପତିଭାବେ ସେ ତିନୋଟି କଥା କହିଥିଲେ: (୧) କଂଗ୍ରେସକୁ ଆଖିଦୃଶିଆ ଭାରତୀୟମାନଙ୍କ ସର୍ବବୃହତ ରାଜନୈତିକ ଦଳ କରି ନରଖି ସର୍ବଜନସଂଯୁକ୍ତ ସର୍ବବୃହତ ରାଜନୈତିକ ଦଳରେ ରୂପାନ୍ତରିତ କରିବାକୁ ହେବ, କାରଣ ତଦ୍ଦ୍ଵାରା କତିପୟ ଆଖିଦୃଶିଆ ଭାରତୀୟଙ୍କୁ ନୁହେଁ, ଭାରତର ସାଧାରଣ ଲୋକ ହାତକୁ ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଆସିବାର ପଥ ନିଷ୍କଣ୍ଟକ ହେବ ଏବଂ ଆଖିଦୃଶିଆ କତିପୟଙ୍କ ରାଜନୈତିକ କ୍ଷମତାର୍ଜନ ନୁହେଁ, ଭାରତୀୟ ଜନସମୁଦାୟଙ୍କ ସର୍ବାଙ୍ଗୀନ ସାମର୍ଥ୍ୟ ଅର୍ଜନ ହିଁ ହେବ ପ୍ରକୃତ ସ୍ଵାଧୀନତା; (୨) ଏହି ସାମର୍ଥ୍ୟ ହାସଲ ପାଇଁ ଶୃଙ୍ଖଳିତଜୀବନଧାରା ଅଭ୍ୟାସ କରାଯିବା ଆବଶ୍ୟକ ଏବଂ (୩) ଏଥିପାଇଁ ଅପରିହାର୍ଯ୍ୟ ହେଉଛି କଷ୍ଟବରଣ ଓ ଆତ୍ମତ୍ୟାଗ ପାଇଁ ନିର୍ବିଚଳିତ ପ୍ରସ୍ତୁତି (ନ୍ୟାସନାଲ ଫ୍ରଣ୍ଟ, ଭାଗ ୧ ସଂଖ୍ୟା ୩୬) ।

ମାତୃଭୂମି ପାଇଁ କଷ୍ଟବରଣ ଓ ଆତ୍ମତ୍ୟାଗ ପାଇଁ ନିର୍ବିଚଳିତ ପ୍ରସ୍ତୁତିର ରୂପକଳ୍ପ ଥିଲେ ନେତାଜୀ ସୁଭାଷ । ଏହି ସର୍ବଜନ ବିଦିତ ସତ୍ୟ ଉପରେ ସମୟ ଖର୍ଚ୍ଚ ନକରି ସେ ନିର୍ଦ୍ଦିଷ୍ଟ କରିଥିବା ତିନୋଟି କଥାରୁ ପ୍ରଥମଟିକୁ ମୁଁ ମୋ ବିବେଚନାର ମାନଦଣ୍ଡରେ ଦେଖିବି । ପ୍ରଥମଟି ପାଇଁ ହିଁ ଗାନ୍ଧୀଜୀଙ୍କ ସହ ତାଙ୍କ ମନ ଅମେଳ ହେଲା ଓ ପରିଣତିରେ ସେ ଭାରତ ଛାଡ଼ିଥିଲେ ।

ହରିପୁରା ଅଧିବେଶନରେ ସଭାପତି ନିର୍ବାଚିତ ହେବା ପରେ କଙ୍ଗ୍ରେସକୁ ଆଖିଦୃଶିଆ ରାଜନୈତିକ ବ୍ୟକ୍ତିମାନଙ୍କ ବଳୟରୁ ମୁକ୍ତ କରି ଭାରତର ତୃଣାମୂଳ ଜନସମାଜ ପାଖରେ ପହଞ୍ଚାଇ କ୍ଷମତା ଧାରଣ ପାଇଁ ସାମର୍ଥ୍ୟ ହାସଲର ପରିସରରେ ପହଞ୍ଚାଇବା ପାଇଁ ୧୯.୨.୧୯୩୮ରେ ସେ କହିଥିଲେ, “ଭାରତରୁ ଦାରିଦ୍ର୍ୟ ଦୂରୀକରଣ ହେବ ଆମର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଭୁସଂସ୍କାର ତ୍ୱରାନ୍ୱିତ କରବାକୁ ହେବ ଓ ଗାଁ ଗହଳର କୃଷକମାନଙ୍କୁ ଜମିଦାରମାନଙ୍କ ଦୌରାତ୍ମ୍ୟ ଓ ସାହୁ ମାହାଜନଙ୍କ ଋଣଯନ୍ତାରୁ ମୁକ୍ତ କରିବାକୁ ହେବ । ଶିଳ୍ପକୁ ରାଷ୍ଟ୍ରୀୟ ମାଲିକାନା ଓ ରାଷ୍ଟ୍ରୀୟ ପରିଚାଳନା ଅଧିନକୁ ଆଣିବାକୁ ହେବ ।” ଫଳରେ ରାଜନୈତିକ-ଅର୍ଥନୀତିର କ୍ଷମତା ଆସିବ ସାଧାରଣ ଲୋକଙ୍କ ହାତକୁ ଓ ସ୍ଵାଧୀନତା ସଂଗ୍ରାମ ଚାଲିଥିବା ବେଳେ ଏହି କ୍ଷମତାର ଉପଯୋଗ ପାଇଁ ସେମାନଙ୍କୁ ଶୃଙ୍ଖଳିତଜୀବନଧାରା ଅଭ୍ୟାସ କରାଇବାକୁ ହେବ ।

ଏହା ହୋଇଥିଲେ, ପ୍ରତି ଘରେ କଂଗ୍ରେସ ପହଞ୍ଚିଥାନ୍ତା, ପ୍ରତି ତୃଣମୂଳ ଭାରତୀୟ ଜାତୀୟ କଂଗ୍ରେସ ସହ ସାମିଲ ହୋଇପାରିଥାନ୍ତା, ଶ୍ରମମୂଲ୍ୟ ଲୁଣ୍ଠନ ତିଷ୍ଠିପାରିନଥାନ୍ତା । ଭାରତର ସାଧାରଣ ଲୋକେ ନିଜ ପରିଶ୍ରମରେ ନିଜ ଉପାର୍ଜନ ବୃଦ୍ଧି କରିଥାନ୍ତେ, ଅର୍ଥନୀତିରେ ଅଗ୍ରଗତି ପାଇଁ ଜନସାଧାରଣଙ୍କ ସର୍ବାଙ୍ଗୀନ ସାମର୍ଥ୍ୟ ବିକଶିତ ହୋଇଥାନ୍ତା । ସାଧାରଣ ଲୋକଙ୍କ ହାତକୁ ଆସିଥାନ୍ତା ଅର୍ଥନୀତିଭିତ୍ତିକ ରାଜନୈତିକ କ୍ଷମତା । ଏଥିପାଇଁ ଜମିଦାରୀ ଉଚ୍ଛେଦ ଓ ତଦନୁକୁଳ ଭୁସଂସ୍କାର ଅତ୍ୟାବଶ୍ୟକ ଥିଲା, ଯାହା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ କଂଗ୍ରେସକୁ ପ୍ରସ୍ତୁତ କରିବାକୁ ଚାହିଁଥିଲେ ନେତାଜୀ ।

ମାତ୍ର ଗାନ୍ଧୀଜୀ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ, “ଯେଉଁ ବ୍ୟକ୍ତି ନିଜ ହାତର ପେଶୀ ବଳରେ ଚାଷ କରୁଛି ସେ ଯେମିତି ଚାଷୀ , ଯିଏ ତା ଦ୍ଵାରା କାର୍ଯ୍ୟ କରାଇବା ପାଇଁ ବୁଦ୍ଧି ଓ ଯନ୍ତ୍ରପାତି ଖଟାଉଛନ୍ତି ସେ ମଧ୍ୟ ସେହିପରି ଚାଷୀ“ (ମହାତ୍ମା, ଭାଗ ୪ ପୃ ୨୪୨ ; ଡି ଜି ତେନ୍ଦୁଲକର) ।

ରାଜା ଜମିଦାରମାନେ ନେତାଜୀଙ୍କ ନୀତି ଘୋଷଣା ଦ୍ଵାରା ଚମକିପଡ଼ିଥିଲେ ଓ ସେହିମାନଙ୍କ ପ୍ରଭାବବଳୟରେ ଥିବା କଂଗ୍ରେସ ଦଳର ରକ୍ଷଣଶୀଳ ଗୋଷ୍ଠୀ ଉତ୍ଥାୟମାନ ଶିଳ୍ପପତିମାନଙ୍କ ସହ ହାତ ମିଳାଇ ସମାଜବାଦୀ ସୁଭାଷଙ୍କ ହାତରୁ ସଙ୍ଗଠନକୁ ଛଡାଇ ନେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପ୍ରତିବର୍ଷ କଂଗ୍ରେସର ସଭାପତି ବଦଳେ, କାର୍ଯ୍ୟକାରିଣୀ ତିଷ୍ଠି ରହି ନୂଆ ସଭାପତିଙ୍କୁ ସହଯୋଗ କରେ । ସୁତରାଂ ବର୍ଷ ଶେଷରେ ନେତାଜୀଙ୍କ ସ୍ଥାନରେ ନୂଆ ସଭାପତି ଭାବେ ସେମାନେ ନିଜକୁ ସୁହାଇବା ପରି ଜଣଙ୍କୁ ନିର୍ବାଚିତ କରିବାକୁ ସଜ ହୋଇଥିଲେ । ନୂଆ ସଭାପତି ନିର୍ବାଚନର ତାରିଖ ଥିଲା ୨୯.୧.୧୯୩୯ । କଂଗ୍ରେସର ପରମ୍ପରା ଅନୁଯାୟୀ ବିଦାୟୀ ସଭାପତି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ କରିବା କଥା । ସେହେତୁ ନିଜର ପରବର୍ତ୍ତୀ ସଭାପତି ପଦ ପାଇଁ ସମାଜବାଦର ଜଣାଶୁଣା ସମର୍ଥକ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ନାମ ପ୍ରସ୍ତାବ କରିଥିଲେ ନେତାଜୀ ।
ଗାନ୍ଧୀଜୀ ବିରୋଧ କଲେ । ପଟ୍ଟାଭି ସିତାରମେୟାଙ୍କ ନାମ ପ୍ରସ୍ତାବ କରିବାକୁ ସେ ନେତାଜୀଙ୍କୁ କହିଲେ । ପଟ୍ଟାଭି ଥିଲେ ରାଜନ୍ୟ ସ୍ଵାର୍ଥର ପ୍ରବକ୍ତା । ନେତାଜୀଙ୍କ ପକ୍ଷେ ତାହା କୌଣସି ପ୍ରକାରେ ବି ଗ୍ରହଣୀୟ ନଥିଲା । ଭାରତରେ ୬୫୦ ପାଖାପାଖି ରାଜା ଓ ୩୦୦୦ରୁ ଅଳ୍ପ ଅଧିକ ଜମିଦାର । ମୁଷ୍ଟିମେୟ ବ୍ୟତିକ୍ରମଙ୍କୁ ବାଦଦେଲେ ଏହି ରାଜା ଜମିଦାରମାନେ ନିଜ ନିଜ ସ୍ଵାର୍ଥ ପାଇଁ ଲୋକଙ୍କ ଉପରେ ଭୟଙ୍କର ଅତ୍ୟାଚାର ଚଳଉଥିଲେ । ପଟ୍ଟାଭିଙ୍କୁ କଂଗ୍ରେସର ସଭାପତି କରିଥିଲେ ଏହି ପ୍ରାୟ ୪୦୦୦ ରାଜା ଜମିଦାର ଓ ସେମାନଙ୍କ ପାଖଲୋକମାନଙ୍କ ପ୍ରଭାବ କବଳରୁ କଙ୍ଗ୍ରେସ ମୁକ୍ତ ହୋଇପାରିନଥାନ୍ତା କି ତାହା ନେତୃତ୍ୱରେ ସ୍ଵାଧୀନତା ଆସିଲେ ସାଧାରଣ ଜନତା ହାତକୁ ଶାସନ ଡୋରି ଆସିପାରିନାଥନ୍ତା । ତେଣୁ, ପଟ୍ଟାଭିଙ୍କୁ ନିଜର ଉତ୍ତରାଧିକାରୀ ଭାବେ ପ୍ରସ୍ତାବ କରିବା ନେତାଜୀଙ୍କ ପାଇଁ ଥିଲା ଅସମ୍ଭବ । ମାତ୍ର ଗାନ୍ଧୀଜୀ ଘୋଷଣା କଲେ ଯେ, କଂଗ୍ରେସ ସଭାପତି ପଦ ପାଇଁ ପଟ୍ଟାଭି ରୂପରେ ସେ ସ୍ଵୟଂ ହିଁ ପ୍ରାର୍ଥୀ । ଫଳରେ ନେତାଜୀଙ୍କ ପରବର୍ତ୍ତୀ ସଭାପତି ପଦ ପାଇଁ ପ୍ରାର୍ଥୀ ହେବାକୁ କେହି ସାହସ ବି କଲେ ନାହିଁ । ନେତାଜୀ ନିଜେ ଦ୍ଵିତୀୟବାର ପ୍ରାର୍ଥୀ ହେଲେ ଓ ପଟ୍ଟାଭି ଶୋଚନୀୟ ଭାବେ ପରାଜିତ ହେଲେ । ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ଲେଖିଲେ, “ପଟ୍ଟାଭି ହାରିନାହାନ୍ତି, ପ୍ରକୃତରେ ମୁଁ ହିଁ ହାରିଯାଇଛି ।”

ନୈତିକତଃ ଗନ୍ଧିଜୀଙ୍କୁ ପରାଭୂତ କରିଥିବା ନେତାଜୀଙ୍କ ଠାରୁ ଭାରତ କିନ୍ତୁ ପରବର୍ତ୍ତୀ କାଳରେ ଦିନକ ପାଇଁ ସେବା ପାଇପାଇବାର ସୁଯୋଗ ପାଇନଥିଲା । ଯେହେତୁ ସଭାପତି ବଦଳିଲା ବେଳେ କାର୍ଯ୍ୟକାରିଣୀ ବଦଳେନାହିଁ ଓ କାର୍ଯ୍ୟକାରିଣୀ ସହାୟତାରେ ନୂଆ ସଭାପତି ନିଜର ଦାୟିତ୍ଵ ନିର୍ବାହ କରନ୍ତି, ସେହେତୁ କାର୍ଯ୍ୟକାରିଣୀର ସଭ୍ୟମାନେ ଜଣକପରେଜଣେ କରି ସମସ୍ତେ ଇସ୍ତଫା ଦେଇ ନେତାଜୀଙ୍କ ପାଇଁ ଚରମ ସଙ୍କଟ ସୃଷ୍ଟିକଲେ । ଏହା ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ହୋଇଥିବା ବିଶ୍ଵାସ କରାଯାଏ ବୋଲି ଲେଖିଛନ୍ତି ତେନ୍ଦୁଲକର (ମହାତ୍ମା, ଭାଗ ୫, ପୃଷ୍ଠା ୪) । ଏହି ଅଭୂତପୂର୍ବ ସମସ୍ୟାର ସମାଧାନ ପନ୍ଥା ଖୋଜିବାକୁ ୧୦.୩.୧୯୩୯ତାରିଖରେ ତ୍ରିପୁରାରେ ବସିଲା କଂଗ୍ରେସ ଅଧିବେଶନ, ଯେଉଁଠି ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ପ୍ରସ୍ତାବ କ୍ରମେ କଂଗ୍ରେସ ତାର ସଭାପତି ସୁଭାଷ ଚନ୍ଦ୍ର ବୋଷଙ୍କୁ ନିର୍ଦ୍ଦେଶ ଦେଲା କି, ଗାନ୍ଧୀଜୀଙ୍କ ଇଚ୍ଛା ଓ ଅନୁମୋଦନ କ୍ରମେ ସେ ନୂଆ କାର୍ଯ୍ୟକାରିଣୀ ଗଠନ କରି ଦଳ ଚଳାଇବେ । ଜାଣିଲେ ଦୁଃଖ ଲାଗେ ଯେ, ଏହି ପ୍ରସ୍ତାବ ଗୃହୀତ ହେବା ବେଳେ ନେତାଜୀ ଶଯ୍ୟାଶାୟୀ ଥିଲେ ।

ସୁସ୍ଥ ହେବା ପରେ ସୁଭାଷ କଂଗ୍ରେସର କାର୍ଯ୍ୟକାରିଣୀ ଗଠନ ପାଇଁ ଗାନ୍ଧୀଜୀଙ୍କ ପରାମର୍ଶ ମାଗି ମାଗି ହତାଶ ହେଲେ । ଚାହିଁଥିଲେ ସେ ନିଜେ ନିଜ କାର୍ଯ୍ୟକାରିଣୀ ଗଠନ କରିପାରିଥାନ୍ତେ । ମାତ୍ର ତାହା କଲେ ନାହିଁ । ଯେଉଁ ଦଳର ସେ ସଭାପତି ସେହି ଦଳ ଗ୍ରହଣ କରିଥିବା ପ୍ରସ୍ତାବକୁ ଅମାନ୍ୟ କରିବେ କିପରି? କିଛି କରିନପାରି, ୨୯.୪.୧୯୩୯ରେ କାଳିକତାକୁ କଂଗ୍ରେସର ଅଧିବେଶନ ଡାକି ସେ ସଭାପତି ପଦରୁ ଇସ୍ତଫା ଦେଲେ । ରାଜନୈତିକ ସ୍ତରରେ ଶୃଙ୍ଖଳିତ ଜୀବନଧାରାର ଏହି ଯେଉଁ ଆଦର୍ଶ ସ୍ଥାପନ କଲେ ନେତାଜୀ ତାହା ଥିଲା ସମସ୍ତଙ୍କ ପାଇଁ କଳ୍ପନାତୀତ ଓ ତାହା ଏବେ ବି ସମସ୍ତଙ୍କ ପାଇଁ ଏକ ନାହିଁନଥିବା ଆଦର୍ଶ ।

ବିଦେଶୀ ହଟିଗଲେ ନିଜ ଅକ୍ତିଆରକୁ ଭାରତକୁ ଆଣି ତାକୁ ଉପଭୋଗ କରିବେ ବୋଲି ଯେଉଁ ସ୍ଵଦେଶୀ ଆଖିଦୃଶିଆ କତିପୟ ସେଦିନ ନେତାଜୀଙ୍କୁ ଇସ୍ତଫା ଦେବାକୁ ଏପରି ବାଧ୍ୟ କରିଥିଲେ, ସେହିମାନଙ୍କ ହେତୁ ଭାରତର ସାଧାରଣ ଜନତା ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଲାଭରୁ ବଞ୍ଚିତ ହୋଇଛି ।

ଏପରି ହେବ ବୋଲି ସ୍ଵୀକାର କରିଥିଲେ ସମ୍ବିଧାନ ପ୍ରଣୟନ ସଭାରେ ଅଧ୍ୟକ୍ଷତା କରୁଥିବା ରାଜେନ୍ଦ୍ର ପ୍ରସାଦ । ଏବଂ ଆମ୍ବେଦକର ବି କହିଥିଲେ, ଧନୀଲୋକେ ସମ୍ବିଧାନ ପ୍ରଣୟନ ସଭାରେ ରହିଥିବା ହେତୁ ସଂଖ୍ୟାଧିକ ମତାନୁସାରେ ଗୃହୀତ ଏହି ସମ୍ବିଧାନରେ ଏପରି ଅନ୍ତର୍ସଙ୍ଘାତ ରହିଛି, ଯାହା ସାଧାରଣତନ୍ତ୍ର ପାଇଁ ଆତ୍ମଘାତୀ ହେବାକୁ ବାଧ୍ୟ । ରାଜନୈତିକ ସ୍ତରରେ ସମାନ ଭୋଟାଧିକାର ଦେଇ ଆମେ ଏକ ରାଜନୈତିକ ସାମ୍ୟ ସୃଷ୍ଟିକରିଥିଲେ ମଧ୍ୟ ଅର୍ଥନୈତିକ ବୈଷମ୍ୟ କାଏମ ରଖିବାକୁ ବାଧ୍ୟ ହୋଇଛୁ । କିନ୍ତୁ ଆଶା ରଖିଛୁ, ଏହି ସାର୍ବଜନୀନ ଭୋଟ ବଳରେ ସାଧାରଣ ଜନତାଙ୍କ ପ୍ରତିନିଧି ସଂସଦକୁ ନିର୍ବାଚିତ ହୋଇଆସିବେ ଓ ଏହି ଅର୍ଥନୈତିକ ବୈଷମ୍ୟ ହଟାଇବାକୁ ସକ୍ଷମ ହେବେ । ଯଦି ତାହା ନହୁଏ, ଅର୍ଥନୈତିକ ବୈଷମ୍ୟର ଶିକାର ହେଉଥିବା ସାଧାରଣ ଲୋକେ ଏହି ଧନୀକସପକ୍ଷବାଦୀ ସାଧାରଣତନ୍ତ୍ରକୁ ଭାଙ୍ଗିଭୁଙ୍ଗି ଧ୍ଵଂସ କରିଦେବେ ବୋଲି କହିଥିଲେ ଆମ୍ବେଦକର ବିତର୍କର ଉତ୍ତର ଦେଇ । (ସମ୍ବିଧାନ ପ୍ରଣୟନ ସଭା ବିବରଣୀ, ଭାଗ ୧୧, ପୃଷ୍ଠା ୯୭୯)

ଲୋକେ ଏବେ କାକୁସ୍ଥ ଅବସ୍ଥାରେ ଅଛନ୍ତି । କାରଣ, ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଠୁଳ ହୋଇଛି ସେହି ଆଖିଦୃଶିଆ କତିପୟଙ୍କ ହାତରେ ।

ନେତାଜୀ ସୁଭାଷ ବୋଷ କଂଗ୍ରେସର ସଭାପତି ଭାବେ ୧୯୩୮ରେ ଯେଉଁ ଦିଗକୁ ଦେଶକୁ ନେବାକୁ ଚାହିଁଥିଲେ ତାହା କରାଇଦେଇନଥିବା ରକ୍ଷଣଶୀଳମାନେ କ୍ଷମତା ହାତେଇବା ନିଶାରେ ଗନ୍ଧିଜୀଙ୍କୁ ବି ଅପ୍ରାସଙ୍ଗିକ କରିଦେଇଥିଲେ । “ମୋର ମୋହଭଙ୍ଗ ହୋଇଛି” ବୋଲି କହିଥିଲେ ଗାନ୍ଧୀଜୀ ୨୬ ଜାନୁୟାରୀ ୧୯୪୮ ସନ୍ଧ୍ୟାରେ ତାଙ୍କ ପ୍ରର୍ଥନା ସଭାରେ (ମହାତ୍ମା, ଭାଗ ୮, ପୃଷ୍ଠା ୨୭୯) ।

ସମ୍ଭବତଃ ନେତାଜୀଙ୍କୁ ବାଧା ଦେଇଥିବା ହେତୁ ଗାନ୍ଧୀଜୀ ଶେଷମୂହୁର୍ତ୍ତରେ ପଶ୍ଚାତାପ କରୁଥିଲେ ଓ ସାଧାରଣ ଜନତା ହାତକୁ କ୍ଷମତା ଆସିବା ପାଇଁ ନେତାଜୀ ଦେଖିଥିବା ସ୍ଵପ୍ନ କିପରି ସାକାର ହୋଇପାରେ ସେଥିପାଇଁ ସମ୍ଭବତଃ ଗ୍ରାମସ୍ଵରାଜ୍ୟ ଉପରେ ଗୁରୁତ୍ଵ ଦେଉଥିଲେ ।

ଯଦି କଂଗ୍ରେସ ଦଳ ୧୯୩୯ରେ ନେତାଜୀଙ୍କ ସହ ଅସହଯୋଗ କରିନଥାନ୍ତା, ତେବେ ସ୍ଵାଧୀନତା ପରେ ଶାସନ ଡୋରି ରହିନଥାନ୍ତା ଆଖିଦୃଶିଆ କତିପୟଙ୍କ ହାତରେ, ରହିଥାନ୍ତା ଭାରତର ସାଧାରଣ ଜନତା ହାତରେ । ଭାରତର ସାଧାରଣତନ୍ତ୍ର ଧନତନ୍ତ୍ର ନହୋଇ ଗଣତନ୍ତ୍ର ହୋଇରହିପାରିଥାନ୍ତା ।

ନେତାଜୀଙ୍କ ପରାହତ ସ୍ଵପ୍ନ ତାଙ୍କୁ ହିଁ ଭାରତର ଏକମାତ୍ର ଅନାହତ ସ୍ଵପ୍ନରେ ରୂପାନ୍ତରିତ କରିଛି । ଏହି ସ୍ଵପ୍ନ ଯେପରି ସାର୍ଥକ ହୁଏ, ତାହା ଦେଖିବା ସବୁ ଦାୟିତ୍ଵସମ୍ପନ୍ନ ଭାରତୀୟଙ୍କ ଧ୍ୟେୟ ହେବା ଆବଶ୍ୟକ ।

 

ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ: ବିଜୁ ଡାକୋଟା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କାଳେ ନେହେରୁଙ୍କ ତୃଟିବିଚ୍ୟୁତି ପଦାରେ ପଡ଼ିଯିବ , ଏହି ଭୟରେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଦେଶଦ୍ରୋହ ଅପରାଧରେ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଦଣ୍ଡବିଧି କାର୍ଯ୍ୟାନୁଷ୍ଠାନ କରିନଥିଲା । ଫଳରେ ତାଙ୍କ ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ – ତାଙ୍କ ଡାକୋଟା ଭିତରୁ ଗୋଟାଏ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ଓ ତାହାକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ପଲେ ଅଜ୍ଞ ତୋଷାମଦିଆଙ୍କ ମେଳରେ ଫୁଲ ଚନ୍ଦନ ଦେଇ ବନ୍ଦେଇଛନ୍ତି ରାଜ୍ୟର ଦେଶପ୍ରେମୀ ଚେତନାପ୍ରତି ଚପୋଟାଘାତ କରି, ମହାନ ଦେଶପ୍ରେମୀ ନେତାଜୀଙ୍କ ଜନ୍ମ ମାସର ୧୮ ତାରିଖରେ, ଅନ୍ତର୍ଜାତିକ ବିମାନବନ୍ଦରରେ ।

ସେ ଯେହେତୁ ମୁଖ୍ୟମନ୍ତ୍ରୀ, ବାପଙ୍କ ଦେଶଦ୍ରୋହକୁ ଲୁଚେଇରଖିବା ପାଇଁ ସରକାରୀ ଖର୍ଚ୍ଚରେ ଏପରି ନାଟକ କରାଯାଇଛି, ଯେପରି ଅଜ୍ଞ ଲୋକେ ଆଉ ଜାଣିପାରିବେ ନାହିଁ ଯେ, ଏହି ଡାକୋଟାକୁ ବ୍ୟବହାର କରି ୧୯୬୨ ଚୀନ ଯୁଦ୍ଧରେ ବିଜୁ ପଟ୍ଟନାୟକ ଆମକୁ ହାରିଯିବାକୁ ବାଧ୍ୟ କରିଥିଲେ । ଭାରତର ୧୧୦୦୦ ବର୍ଗ କିଲୋମିଟର ମାଟି ଚୀନ ଦଖଲକୁ ଚାଲିଗଲା , ଅଥଚ ଆମେ ସହିଯିବା ଭିନ୍ନ ଗତ୍ୟନ୍ତର ନଥିଲା । 

ବିଜୁଆ ଦେବାଶିଷ ନାୟକ ୨୦୧୪ ଜୁଲାଇରେ ବିଧାନସଭାରେ ଦାବିକରିଥିଲେ କି, ବିଜୁଙ୍କ ଡାକୋଟାକୁ କଲିକତାରୁ ଆଣି ରାଜ୍ୟ ସଂଗ୍ରହାଳୟ ପରିସରରେ ସ୍ଥାୟୀ ଭାବେ ରଖାଯାଉ । “It would be an insult to patriotism if Biju’s Dakota is preserved in Orissa museum” ଶୀର୍ଷକରେ ମୁଁ ତହିଁର ସପ୍ରମାଣ ବିରୋଧ କରିଥିଲି । ଫଳରେ ଏତେ ବର୍ଷ ଧରି କେହି ଆଉ ସେ ପ୍ରସଙ୍ଗ ଉଠାଇନଥିଲେ । 

ନିର୍ବାଚନ ଯେତେବେଳେ ପାଖେଇ ଆସୁଛି ଓ ଓଡ଼ିଆ ଭାଷା ବିରୁଦ୍ଧରେ ତାଙ୍କ ହୀନ ଷଡ଼ଯନ୍ତ୍ର ପଦାରେ ପଡ଼ି ସାରା ଓଡ଼ିଶାରେ ଧୀରେ ଧୀରେ ତାଙ୍କ ବିରୁଦ୍ଧରେ ଜନମତ ଘୂର୍ଣ୍ଣିବାତ୍ୟାର ରୂପ ନେବା ଏପରି ସ୍ପଷ୍ଟ ହୋଇଉଠୁଛି ଯେ ଅବଚେତନରେ ସେ ଚହଲୁଛନ୍ତି , ଯେତେବେଳେ  ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଧରି ସେ ସଂଗ୍ରହ କରିଥିବା ଶେଷ ପ୍ରସଂଶାପତ୍ରର ତୁଚ୍ଛତା ଲୋକେ ଜାଣିସାରିଛନ୍ତି, ଯେତେବେଳେ ହକି ଚହକ ବିରୁଦ୍ଧରେ ରାଜକୋଷର ବର୍ବାଦିକରଣର  ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ ପାଇଁ ସଚେତନ ଜନସମାଜ ଉଦ୍ୟମ ଆରମ୍ଭ କରିଛି, ଯେତେବେଳେ ଜଣକପରେଜଣେ କର୍ମଚାରୀଙ୍କ ସମ୍ପତ୍ତି ଯାଞ୍ଚ ତାଙ୍କ ସରକାରର କଳାକାର୍ନାମାକୁ ସାବ୍ୟସ୍ତ କରିଚାଲିଛି, ଯେତେବେଳେ ମିସନଶକ୍ତି ଭସ୍ମାସୁର ପରି ତାଙ୍କ ମୁଖ୍ୟମନ୍ତ୍ରିତ୍ଵକୁ ଗିଳିଦେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି, ସେତେବେଳେ ବୁଡ଼ିଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲାପରି ସେ ଓ ତାଙ୍କ ଚାଟୁକାର ପଲ ବିଜୁଙ୍କ ଡାକୋଟାକୁ ଫୁଲ ଚନ୍ଦନ ଦେଇ ବନ୍ଦେଇ ଅଜ୍ଞ ଲୋକଙ୍କୁ ଭୁଆଁ ବୁଲେଇବାକୁ ସାନି ଉଦ୍ୟମ ଆରମ୍ଭ କରିଛନ୍ତି । 

ଅକୁହା କଥା (The Untold Story) ବହିରେ ଜେନରେଲ ବି. ଏମ୍. କାଉଲ ଯାହା ଲେଖିଛନ୍ତି ତହିଁରୁ ମନେହୁଏ, ଚୀନ ଆକ୍ରମଣ କଥା ବିଜୁଙ୍କୁ ଆଗରୁ ଜଣାଥିଲା । କାରଣ ସେ ତାଙ୍କପାଖରେ ପହଞ୍ଚି, ନେଫା ସୀମାନ୍ତରେ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଠିକା ନେଇଥିବା କଥା କହି, ତାଙ୍କ କଳିଙ୍ଗ ଏୟାର ଲାଇନ୍ସକୁ ଅଧିକ ଡାକୋଟା କିଣିବା ପାଇଁ ପ୍ରତିରକ୍ଷା ବିଭାଗ ଆର୍ଥିକ ସାହାଯ୍ୟ ଦେବାକୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । କାଉଲ ସୁପାରିଶ କରିଥିଲେ । ମାତ୍ର ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନ ସେହି ସୁପାରିଶକୁ ପ୍ରତ୍ୟାଖ୍ୟାନ କରିଦେଇ ବିଭାଗୀୟ ବିମାନରେ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ଵ ଦେଇଥିଲେ । ଶିବଙ୍କ ସାପକୁ ଯେପରି ଗରୁଡ଼ କାବୁକରିପାରେନି, ସେମିତି ନେହେରୁଙ୍କ ବାହୁଛାୟା ତଳେ ଥିବା ବିଜୁଙ୍କ ଠିକାକୁ ଅଟକାଇବା କାହା ପକ୍ଷେ ସମ୍ଭବ ନଥିଲା । ଆମ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ଠିକା ନେଇ, ସେ ସୈନ୍ୟମାନଙ୍କ ସାମଗ୍ରୀକୁ ନେଫାରେ ନ ପକାଇ ଚୋରାବଜାରରେ ବିକିଦେଲେ । ଜେନରେଲ କାଉଲ ତାଙ୍କ ବହିର ୨୦୨-୩ ପୃଷ୍ଠାରେ ଲେଖିଛନ୍ତି, “ସୀମାନ୍ତରେ ଥିବା ଆସାମ ରାଇଫଲ ବାହିନୀକୁ ଯୁଦ୍ଧ ସାମଗ୍ରୀ ଓ ଶୀତବସ୍ତ୍ର ଯୋଗାଇ ହେଲା ନାହିଁ   ବୋଲି ଯେତେବେଳେ ଆଗକୁ ମାଡ଼ିଯିବା କଥା, ସେତେବେଳେ ଆମେ ଅଟକିଗଲୁ ।”

କେନ୍ଦ୍ରୀୟ ସରକାରୀ ହିସାବ କମିଟିଠୁ ଆରମ୍ଭ କରି କଳିଙ୍ଗ ଏୟାର ଲାଇନ୍ସର ଦୁର୍ନୀତି ଦୁରାଚର ଉପରେ ତଦନ୍ତ କରିଥିବା କାଟଜୁ କମିଟି ପର୍ଯ୍ୟନ୍ତ ଯେତେସବୁ ସିଦ୍ଧାନ୍ତରେ ପହଞ୍ଚିଥିଲେ ସେ ସବୁରେ ଭରିହୋଇରହିଥିଲା ଦେଶ ପ୍ରତି ବିଜୁଙ୍କ ପ୍ରତାରଣର ବହୁ ନଗ୍ନ ଚିତ୍ର । ସଂସଦରେ ବିତର୍କର ଲହଡ଼ି ଖେଳିଥିଲା । ଏହି ପ୍ରଚଣ୍ଡ ଦେଶଦ୍ରୋହର ପ୍ରମାଣ ନଷ୍ଟ କରିବା ପାଇଁ ସତେ ଅବା ଗୋଟାଏ ପରେ ଗୋଟେ ବିଜୁଙ୍କ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଓ ତହିଁର ଚାଳକମାନେ, ଯେଉଁମାନେ ସୈନ୍ୟଙ୍କ ସାମଗ୍ରୀ ଚୋରାବଜାରରେ ବିକ୍ରି ହେବାର ପ୍ରତ୍ୟକ୍ଷଦର୍ଶୀ, ତଦନ୍ତର ସମ୍ମୁଖୀନ ହେବାକୁ ଆଉ ତିଷ୍ଠି ନଥିଲେ । ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହର ମାମଲା ଚାଲିଲେ ନେହେରୁଙ୍କ ଦୁର୍ବଳତା ପଦାକୁ ଆସିବା ସୁନିଶ୍ଚିତ ଥିଲା । ତେଣୁ, କଂଗ୍ରେସ ସରକାର ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମକଦ୍ଦମା କଲାନାହିଁ । 

ଫଳରେ ପଲେ ତୋଷାମଦକାରୀ ଆଜି ତାଙ୍କୁ ପ୍ରବାଦ ପୁରୁଷ ସଜାଇ , ତାଙ୍କ ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ – ଏହି ଡାକୋଟାକୁ ଭୁବନେଶ୍ଵର  ଆଣି, ଓଡ଼ିଆ ଜାତିର ଲଜ୍ଜା ଉପରେ ପୁଷ୍ପବୃଷ୍ଟି କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ଏକ ବିଚାରବିଭାଗୀୟ ତଦନ୍ତ ଆବଶ୍ୟକ । ଏହି ଡାକୋଟା କିଏ କେଉଁ ଅବସ୍ଥାରେ କେଉଁଠୁ ଆଣି କଲିକତା ବିମାନବନ୍ଦରରେ କେଉଁ ତାରିଖରେ କେଉଁ ସର୍ତ୍ତରେ ରଖିଥିଲା – ତାହା ବି ତଦନ୍ତଭୂକ୍ତ ହେବା ଦରକାର । କାଟଜୁ କମିଶନ ଓ ସରକାରୀ ହିସାବ କମିଟିର ସିଦ୍ଧାନ୍ତ ସତ୍ତ୍ୱେ, କେଉଁ କାରଣ ହେତୁ, କାହା ଆଦେଶ ବଳରେ, ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧ ମକଦ୍ଦମା ହୋଇପାରିନଥିଲା ତାହା ବି ତଦନ୍ତଭୂକ୍ତ ହେବା ଦରକାର । 

ଓଡ଼ିଶାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଉପରୋକ୍ତ ଅସମାହିତ ରହସ୍ୟ ଯେଉଁ ସନ୍ଦେହ ଜାରିରଖିଛି, ତାହାର ପରିସମାପ୍ତି ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକ ବିଚାରବିଭାଗୀୟ ତଦନ୍ତ କମିଶନ ନିଯୁକ୍ତ କରିବା ଆବଶ୍ୟକ । କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବିଜୁଙ୍କ ପୁଅ ଭାବେ ମଧ୍ୟ ସେ ଚାହିଁବା ଉଚିତ ଯେ, ତାଙ୍କ ବାପା ସନ୍ଦେହମୁକ୍ତ ହୁଅନ୍ତୁ । ଯଦି ଏପରି ଏକ ବିଚାରବିଭାଗୀୟ ତଦନ୍ତ ପାଇଁ ନବୀନବାବୁ ଡରିବେ, ତେବେ ଇତିହାସ ଆଖିରେ ମଧ୍ୟ ବିଜୁ ପଟ୍ଟନାୟକ ଦୋଷୀ ହୋଇ ରହିଯିବେ ଚିରକାଳକୁ । ଏ ଡାକୋଟାକୁ ଫୁଲ ଚନ୍ଦନ ଦେଇ ଯେତେ ପୂଜିଲେ ମଧ୍ୟ ଏ କଳଙ୍କ ନିଭିବନି, କାରଣ ଏ ସନ୍ଦେହ କେବେ ତୁଟିବନି  । 

 

 

ଓଃ! କି ମୁଖ୍ୟମନ୍ତ୍ରୀ!

ସୁଭଷ ଚନ୍ଦ୍ର ପଟ୍ଟନାୟକ
ଗତ ୨୧ ତାରିଖରେ ଯାହା ହେଲା, ଓଡ଼ିଶାରେ ପୂର୍ବରୁ ସେପରି କେବେ ବି ହୋଇନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଶୋରି ପକାଇଥିବା ହେତୁ ତାଙ୍କୁ ତାହା ମନେପକାଇଦେବା ପାଇଁ ଓ ତାହା ପରିପାଳିତ ହେଲେ ସେହି ଲୌହ ସହରର କି ଉପକାର ହେବ ତହିଁର “ମଡ଼େଲ” ସହାୟତାରେ ତାଙ୍କୁ ଅବଗତ କରାଇବା ପାଇଁ ସେଠିକାର ସୁବିଦିତ ଯୁବସମାଜସେବୀ ମୁକ୍ତିକାନ୍ତ ବିଶ୍ଵାଳ ନଭେମ୍ବର ୧୫ ତାରିଖରୁ ୫୦୦ କିଲୋମିଟର ପାଦରେ ଚାଲି ଚାଲି ଡିସେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଅନୁମତି ଦେଲେନାହିଁ ତାଙ୍କୁ ଭେଟିବାକୁ; ତାଙ୍କ କଥା ଶୁଣିବା ଓ ସେ କାନ୍ଧରେ ଭାର କରି ବୋହି ବୋହି ଆଣିଥିବା “ମଡ଼େଲ” ଅନୁଧ୍ୟାନ କରିବା ତ ବହୁଦୂରର କଥା । 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ଶିଶୁଭାବନ ଛକରେ ରାସ୍ତା କଡ଼ରେ ଡେରା ପକାଇ ଶୀତକକାରରେ ଓ ମଶଙ୍କ ମେଳରେ ୨୧ ତାରିଖଯାଏଁ ପଡ଼ି ରହିଲା ପରେ ଅତ୍ୟନ୍ତ ହତାଶାଜର୍ଜରିତ ହୋଇ ନିକଟରେ ଥିବା ଏକ ସୁଉଚ୍ଚ ପ୍ରଜ୍ଞପନ ମଞ୍ଚ ଉପରକୁ ଚଢିଗଲେ ସେଇଠି ସର୍ବସମକ୍ଷରେ ପୋଡ଼ି ହୋଇ ପ୍ରାଣତ୍ୟାଗ କରିବା ପାଇଁ । ପ୍ରାୟ ପାଞ୍ଚଘଣ୍ଟା କାଳ ପ୍ରବଳ ପରିଶ୍ରମ କରି ଓ ବୁଦ୍ଧିଖଟାଇ ଅଗ୍ନିଶମ ବିଭାଗର ଏକ ଅଭିଜ୍ଞ ଗୋଷ୍ଠୀ ତାଙ୍କୁ ଉଦ୍ଧାର କଲା ପରେ ତାଙ୍କ ସ୍ଵସ୍ଥ୍ୟାବସ୍ଥା ତନଖିବା ଆଳରେ ରାଜଧାନୀ ଡାକ୍ତରଖାନାର ଏକ ନିବୁଜ କୋଠରୀରେ ବଖରାବନ୍ଦୀ କରିରଖାଯାଇଛି । ତାଙ୍କୁ ଦେଖା କରିବାକୁ ତାଙ୍କ ଭାଇଙ୍କୁ ମଧ୍ୟ ଛଡ଼ାଯାଉନି ; ଆହୋରାତ୍ର ପୋଲିସ ଜଗିଛି ।  

ଓଡ଼ିଶାରେ ଏକ ନାହିଁନଥିବା ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ଆସନରେ ଆସୀନ ନବୀନ ପଟ୍ଟନାୟକ ନିଜକୁ ଓଡ଼ିଶାବାସୀଙ୍କ ନିର୍ବାଚିତ ସେବକ ବୋଲି ନ ମାନି ଭୁଖଣ୍ଡେଶ୍ବର ବୋଲି ଭାବନ୍ତି । ଲୋକଙ୍କ ଭାଷା କହନ୍ତିନାହିଁ , ଓଡ଼ିଆ ଜାତିର ଜାତୀୟ ଅସ୍ମିତା ପ୍ରତି କୌଣସି ସମ୍ମାନ ପ୍ରଦର୍ଶନ କରନ୍ତିନାହିଁ । ଓଡ଼ିଆ ଜାତିର ଅସ୍ମିତା ପ୍ରତି ତାଙ୍କ ବୀତସ୍ପୃହତା ଏତେ ତୀବ୍ର ଯେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ  ଅକର୍ମଣ୍ୟ କରିଦେବା ପାଇଁ ମନ୍ତ୍ରୀମଣ୍ଡଳ ଅନୁମୋଦିତ ସଂଶୋଧନ-ବିଧେୟକକୁ ଗୋପନରେ ବଦଳେଇ ଦେଇ ସେ ଜାଲ୍ ବିଧେୟକକୁ ବିଧିରୂପ ଦେଇଥିବା ଧରାପଡ଼ିସାରିଥିବା ସତ୍ତ୍ୱେ ସେ ରାଜ୍ୟରେ ଜନବିରୋଧୀ ଇଂରାଜୀଶାସନ ଚଳାଇଛନ୍ତି, ସାଧାରଣଲୋକଙ୍କୁ ଅନ୍ଧକାରରେ ରଖି । 

ମଦବନ୍ୟାରେ ଉବୁଟୁବୁ ଭୋଟରମାନଙ୍କ ନାଗରିକୀୟଚେତନା ଏହି କାଳଖଣ୍ଡରେ ଏପରି ଅବକ୍ଷୟିତ ଯେ, ସେମାନଙ୍କ ଦ୍ଵାରା ନିର୍ବାଚିତ ବିଧାୟକମାନେ ଓଡ଼ିଆ ଭାଷା ଆଇନରେ ହୋଇଥିବା ଜାଲିଆତି ଜାଣି ମଧ୍ୟ ପ୍ରତିବାଦ କରିପାରୁନାହାନ୍ତି , ପ୍ରତିକାର ତ ବହୁ ଦୂର ! ଜନପ୍ରତିନିଧିମାନଙ୍କ କ୍ରୀତଦାସମାନସିକତା ନବୀନବାବୁଙ୍କ ଗଉଁ ଏପରି ବଢେଇଦେଇଛି ଯେ, ସେ ନିଜକୁ ଓଡ଼ିଶାର ସମ୍ରାଟ ଭାବେ ଜାରି କରୁଛନ୍ତି ଓ ଯଦ୍ଦୃଚ୍ଛା ଆଚରଣ ପ୍ରଦର୍ଶନ କରୁଛନ୍ତି । ଫଳରେ, ଯେକୌଣସି ଦୃଷ୍ଟିରୁ ବିଚାରିଲେ ମଧ୍ୟ ବିପଦରେ ପଡ଼ିଛି ଓଡ଼ିଶା । ଅଗ୍ନିଶମ ବିଭାଗର ଅଭିଜ୍ଞ ଲୋକେ ମୁକ୍ତିକାନ୍ତଙ୍କ ଜୀବନ ବଞ୍ଚାଇଥିବା ବେଳେ, ମୁକ୍ତିକାନ୍ତଙ୍କ ପାଇଁ ତାଙ୍କ ମାନସିକ ଘୃଣା ଓଡ଼ିଶା କି କିସମର ମୁଖ୍ୟମନ୍ତ୍ରୀଙ୍କ ହାତରେ ପଡ଼ିଛି ତାହା ଆକଳନ କରିବାକୁ ଆହ୍ଵାନ ଦେଉଛି ।   

କି ମୁଖ୍ୟମନ୍ତ୍ରୀଙ୍କ ହାତରେ ନ ପଡ଼ିଛି ସତେ ଓଡ଼ିଶା ! 

ପଦ୍ମପୁରରେ ବିଜେପିର ପରାଜୟ ଓଡ଼ିଆ ଜାତିର ମାଟିମମତାର ବିଜୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପଦ୍ମପୁର ଉପନିର୍ବାଚନର ଔପଚାରିକ ଫଳ ଘୋଷଣା ଯଥାସମୟରେ ହେବ, ମାତ୍ର ଏହା ସ୍ପଷ୍ଟ ହୋଇସାରିଛି ଯେ, ସେଠାରେ ବିଜୟଟୀକା ନାଇବାକୁ ସଜବାଜ ହୋଇଥିବା ବିଜେପି ପରାଜୟ ଭୋଗିଛି, ବିଜୟ ଲାଭ କରିଛନ୍ତି ବିଜେଡ଼ିର ପ୍ରାର୍ଥିନୀ ।

ବିଧାନସଭାକୁ ଲୋକେ ଯାହାଙ୍କୁ ପଠାନ୍ତି, ତାଙ୍କର ମୁଖ୍ୟ କାମ ବିଧାନ ପ୍ରଣୟନ,  ରାଜ୍ୟ ପରିଚାଳନା ପାଇଁ ସରକାରଙ୍କୁ ଅର୍ଥ ପ୍ରଦାନ ଓ ବ୍ୟୟ ଅନୁମୋଦନ, ଦୃଶ୍ୟମାନ ଅପଶାସନ ଉପରେ ଆଲୋଚନା ଓ ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ, ଜନସାଧାରଣଙ୍କ ସ୍ଵାର୍ଥ ସେବା ପାଇଁ ପ୍ରଶାସନିକ ପରିବେଶ  ସଂସ୍ଥାପନ ଏବଂ ରାଜ୍ୟ ଶାସନରେ ଗଣତାନ୍ତ୍ରିକ ଚଳଣିର ସଂରକ୍ଷଣ ଓ ଅଗଣତାନ୍ତ୍ରିକ ଆଚରଣର ମୂଳୋତ୍ପାଟନ  ଏବଂ ଏଥିପାଇଁ ବିଧାୟକୀୟ ବ୍ୟବସ୍ଥା ଅବଲମ୍ବନ । 

ଏତଦ୍ଦୃଷ୍ଟିରୁ ଦେଖିଲେ, କୌଣସି ଅଭିଜ୍ଞତା ନଥିବା ନବଗତା ବିଜେଡି ପ୍ରାର୍ଥିନୀଙ୍କ ଅପେକ୍ଷା ପଦ୍ମପୁରର ସଚେତନ ଭୋଟରମାନେ ପ୍ରଚୁର ବିଧାୟକୀୟ ଅଭିଜ୍ଞତାସମ୍ପନ୍ନ  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ  ବହୁ ଅଧିକ ପରିମାଣରେ ସମର୍ଥନ କରିବା କଥା । ମାତ୍ର ସେ ହାରିଗଲେ କାହିଁକି? 

ହରିଗଲେ; କାରଣ, ମା ଓଡ଼ିଶାକୁ ହାଣିବା ପାଇଁ ଯେଉଁ ବିଚ୍ଛିନ୍ନତାବାଦୀ ସ୍ଵର ଓଡ଼ିଆ ଜାତିକୁ ଦୁଃଖରେ ଭିଜାଉଛି, ସେହି  ହୀନ ଚକ୍ରାନ୍ତର ଜନକ ହେଉଛି ବିଜେପି । କ୍ଷମତାଲିପ୍ସୁ ଅଟଳ ବିହାରୀ ବାଜପାୟୀ ଅଣଓଡ଼ିଆ ବେପାରୀମାନଙ୍କ ସହଯୋଗରେ ପଶ୍ଚିମ ଓଡ଼ିଶାରେ ଅଧିକ ଭୋଟ ପାଇବା ବିଶ୍ଵାସ କରି ତାହାକୁ ଏକ ସ୍ଵତନ୍ତ୍ର ରାଜ୍ୟ କରିବାର ବିଷ ମଞ୍ଜି  ପ୍ରଥମେ ବୁଣିଥିଲେ । ତହିଁ ଉପରେ ଆବଶ୍ୟକୀୟ ଆଲୋକପାତ କରି ୨୫.୩.୧୯୯୮ରେ ‘ସମ୍ବାଦ’ କାଗଜରେ ମୁଁ ଯେଉଁ ଚର୍ଚ୍ଚା ରଖିଥିଲି ତହିଁର ଶୀର୍ଷକ ଥିଲା ‘ଓଡ଼ିଶାପାଇଁ ବିଜେପି ବିପତ୍ତି’ । ଆଜିକୁ ୧୨ ବର୍ଷ ତଳେ କଟକର ‘ଭାରତ ଭାରତୀ’ ଦ୍ଵାରା ପ୍ରକାଶିତ ମୋର ସ୍ତମ୍ଭସଂହିତା  ‘ସିଂହାବଲୋକନ’ର ୩୩୦- ୩୫ ପୃଷ୍ଠାଚୟରେ ତାହା ସ୍ଥାନିତ ହୋଇଛି । ପଦ୍ମପୁରରେ ନିର୍ବାଚନ ଆସନ୍ନ ଜାଣି ଭୋଟ ହାସଲ ପାଇଁ ଲୋକଙ୍କୁ ବିଚ୍ଛିନ୍ନତାବାଦୀ ନିଶା ପିଆଇବାକୁ ବିଜେପି ସମର୍ଥକ ଗୋଷ୍ଠୀ ଯେଉଁ ଉଦ୍ୟମ କରିଥିଲେ ତାହା ନିଜ ମାଟିମାଆକୁ ଭଲ ପାଉଥିବା ଓଡ଼ିଆ ଭାଷା ଜାତୀୟତାର ପବନ ପୀଠ ପଶ୍ଚିମ ଓଡ଼ିଶାରେ ସଂଖ୍ୟା ଗରିଷ୍ଠ ଓଡ଼ିଆଙ୍କୁ ଗଭୀର ମାନସିକ ଯନ୍ତ୍ରଣା ଦେଇଥିଲା । ସେମାନେ ଏହି ଉପନିର୍ବାଚନରେ  ନୀରବରେ ନିଜର ରୋଷ ପ୍ରକଟ କରିଛନ୍ତି ବିଜେପି ବିରୁଦ୍ଧରେ । 

ଆମେରିକାନ ସ୍ଵାର୍ଥସେବା ପାଇଁ ମନମୋହନ ସିଂହ , ପ୍ରଣବ ମୁଖାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ଦେଶଦ୍ରୋହୀ ଆଚରଣ ହେତୁ କଂଗ୍ରେସକୁ ଲୋକେ ଯେଉଁ ଦଣ୍ଡ ଦେଇଛନ୍ତି ତାହା ସେମାନଙ୍କୁ ମଗରଗରୁ ଆଣି କାନ୍ତାରରେ  ପକାଇଥିଲେ ମଧ୍ୟ ଓଡ଼ିଶାର ଲୋକେ ସେହି ଦଳ ପ୍ରତି କୌଣସି କରୁଣା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ନୁହନ୍ତି । 

ଏହି ପରିସ୍ଥିତି  ହିଁ ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ , ଅପାରଗ, ଓଡ଼ିଆଦ୍ରୋହୀ  ପ୍ରବଞ୍ଚକ ନବୀନ ପଟ୍ଟନାୟକଙ୍କ ପ୍ରତି ହୃଦୟରେ ପ୍ରବଳ ବିତୃଷ୍ଣା ଓ ଘୃଣା ସତ୍ତ୍ୱେ ମାଟିର ନିଷ୍କଳଙ୍କ ଝିଅ ବର୍ଷା ସିଂ ବରିହାଙ୍କ ମଥା ଉପରେ ପଦ୍ମପୁରବାସୀଙ୍କ ଭୋଟ ବର୍ଷା କରାଇଛି । ପୋଷାମନା ମିଡ଼ିଆ ଏହାକୁ ନବୀନଙ୍କ ଜନପ୍ରିୟତାର ପ୍ରମାଣ ବୋଲି ପ୍ରଚାର କରିବା ସ୍ଵାଭାବିକ । ମାତ୍ର ନବୀନଙ୍କ ପ୍ରତି ସାଧାରଣ ଲୋକଙ୍କ ରୋଷ ଯଦି ପ୍ରବଳ ନଥାନ୍ତା ତେବେ ପ୍ରଦୀପ ପୁରୋହିତ କେବଳ ଅଣଓଡ଼ିଆ ଲାଭଖୋର ବେପାରୀଙ୍କ ପ୍ରଚୋଦନାରେ ଚାଲିଥିବା ବିଚ୍ଛିନ୍ନତାବାଦୀମାନଙ୍କ ନଗଣ୍ୟ ଭୋଟ ପାଇଥାନ୍ତେ, ୭୮୧୨୮ ଭୋଟ ପାଇପାରିନଥାନ୍ତେ; କାରଣ, କଂଗ୍ରେସର ସତ୍ୟ ଭୂଷଣ ସାହୁ ମଧ୍ୟ ବିଧାୟକୀୟ ଦକ୍ଷତାରେ ପୁରୋହିତଙ୍କ ପରି ଜଣାଶୁଣା ।

ବସ୍ତୁତଃ, ମନମୋହନ ସିଂହ , ପ୍ରଣବ ମୁଖାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ଅପକର୍ମ ହେତୁ ସୃଷ୍ଟି ହୋଇଥିବା ରୋଷ ଶାନ୍ତ ହୋଇନଥିବା ହେତୁ, କଂଗ୍ରେସର ପାରମ୍ପରିକ ସମର୍ଥକମାନେ ସେମାନଙ୍କ ଭୋଟ ନିଜ ଦଳୀୟ ପ୍ରାର୍ଥୀଙ୍କୁ ନଦେଇ ପୁରୋହିତଙ୍କୁ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି । ଏହା ସତ୍ତ୍ୱେ ଯେ ପୁରୋହିତ ହାରିଛନ୍ତି, ତାହା ତାଙ୍କ ଦୋଷରୁ ନୁହେଁ, ବରଂ ଓଡ଼ିଶାକୁ ଖଣ୍ଡ ବିଖଣ୍ଡ କରି ଅଣଓଡ଼ିଆଙ୍କୁ ଖୁସି କରାଇବାକୁ ଚାହୁଁଥିବା ବିଜେପି ଦୋଷରୁ ହାରିଛନ୍ତି । 

ଏହି ପ୍ରେକ୍ଷାପଟରେ ଏହା ହିଁ କୁହାଯାଇପାରେ ଯେ, ବର୍ଷାଙ୍କ ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ ନୁହେଁ , ପଶିମ ଓଡ଼ିଶାର ଅଣଓଡ଼ିଆ ବେପାରୀ ସଞ୍ଚଳିତ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ଓଡ଼ିଆ ଜାତିର ମାଟିମମତାର ବିଜୟ ।

ବିଚ୍ଛିନ୍ନତାବାଦୀ ବିଷବାହକ ବିଜେପିକୁ ଆଗାମୀ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ପରାଜିତ ହେବାକୁ ହେବ।

ହେତୁବାଦୀ ବନାମ ବ୍ରାହ୍ମଣ୍ୟବାଦୀ: ଏବଠୁ ଅତୀତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ହେତୁବାଦୀ ଓ ବ୍ରାହ୍ମଣ୍ୟବାଦୀମାନଙ୍କ ମଧ୍ୟରେ ଏକ ନୂଆ ବିବାଦ ଘଟି ଓଡ଼ିଶା ଏବେ ଅଶାନ୍ତି ଭୋଗୁଛି । ଅକ୍ଟୋବର ୨୫ରେ  ରାହୁଗ୍ରସ୍ତ ସୂର୍ଯ୍ୟପରାଗ ଓ ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହୋଇଥିଲା । ଏହି ଉଭୟ ଦିନକୁ ବ୍ରାହ୍ମଣ୍ୟବାଦୀମାନେ  ହାଣ୍ଡିଛାଡ଼ ଦିବସ ଅର୍ଥାତ୍, ଉପବାସ ଦିବସ ଭାବେ ପାଳନ କରିଥିଲେ । କିନ୍ତୁ ହେତୁବାଦୀମାନେ ଉପବାସ ପାଳନ ନକରି ଅଭ୍ୟାସଗତ ଭୋଜନ କରିଥିଲେ । ସେମାନଙ୍କ ଭିତରୁ କେହି କେହି ଅଭ୍ୟାସବଶତଃ ନିରାମିଷ ଭୋଜନ କରିଥିଲେ ; କେହି ବି ମାଂସମିଶା ଭାତ (ବିରିୟାନୀ) ଖାଇଥିଲେ । ଏହାକୁ ହିନ୍ଦୁ ଧର୍ମର  ଅବମାନନା ବୋଲି କହି ବ୍ରାହ୍ମଣ୍ୟବାଦୀମାନଙ୍କ ଭିତରୁ କେତେକ ବ୍ୟକ୍ତି , ଯେଉଁମାନେ କି ରାଜନୈତିକ ଚେତନାରେ ବିଜେପି ସହ ସମ୍ପୃକ୍ତ, ହେତୁବାଦୀମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକାରୀମାନଙ୍କ ସମର୍ଥକମାନେ ସାମାଜିକ ଗଣମାଧ୍ୟମରେ ହେତୁବାଦୀମାନଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳୀଳ ଶବ୍ଦବାଣ ପ୍ରହାର କରିବାରେ ଲାଗିଛନ୍ତି । ସେମାନଙ୍କ ମତ ହେଲା, ହେତୁବାଦୀମାନଙ୍କ ହେତୁ ହିନ୍ଦୁ ପରମ୍ପରା ଆକ୍ରାନ୍ତ ହୋଇଛି । ପରମ୍ପରା ଅର୍ଥ, ଯାହା ଅତୀତରୁ ଚାଲିଆସିଛି । ହିନ୍ଦୁ ନାମକ କୌଣସି ଧର୍ମ ଆଦିମ ଅତୀତରେ ନଥାଇ ମଧ୍ୟ ଯେତେବେଳେ ଆଧୁନିକ ଭାରତରେ ତାହା ଏକ ସ୍ୱୀକୃତ ଧର୍ମ , ସେହେତୁ ଏହି ଆଲୋଚନାରେ ହେତୁବାଦୀ ବନାମ ବ୍ରାହ୍ମଣ୍ୟବାଦୀ ବିଭାବନାକୁ ଅତୀତର ଆବର୍ତ୍ତରେ ଦେଖିବାକୁ ଚେଷ୍ଟା କରିବା । 

ବ୍ରାହ୍ମଣ୍ୟବାଦୀମାନେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଦେବତା ଏବଂ ରାହୁ ଓ କେତୁଙ୍କୁ ଅସୁର ବୋଲି ମାନନ୍ତି  । ଏହି ଅସୁରମାନେ ସେହି ଦେବତାମାନଙ୍କୁ ସୁବିଧାଜନକ ଅମାବାଶ୍ୟା ଓ ପୂର୍ଣ୍ଣମୀରେ ଗ୍ରାସ କରନ୍ତି । ଅସୁର କବଳରେ ଏହି ଦୁଇ ଦେବତା କଷ୍ଟ ଭୋଗୁଥିବା ବେଳେ, କୌଣସି ହିନ୍ଦୁ ଖିଆପିଆ କରିବା ସେହି ଦୁଇ ଦେବତାଙ୍କ ଅପମାନ । ଏହା କହନ୍ତି ବ୍ରାହ୍ମଣ୍ୟବାଦୀମାନେ । 

ହେତୁବାଦୀମାନଙ୍କ ପାଇଁ ସୂର୍ଯ୍ୟ ଓ ଚନ୍ଦ୍ର କୌଣସି ଦେବତା ନୁହନ୍ତି; ସେମାନେ ଯଥାକ୍ରମେ ସୌରମଣ୍ଡଳର ନକ୍ଷତ୍ର ଓ ପୃଥିବୀର ଉପଗ୍ରହ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ରର ଉପସ୍ଥିତି ହେତୁ ସୂର୍ଯ୍ୟପରାଗ ହେଉଥିବା ବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀର ଅବସ୍ଥିତି ହେତୁ ଚନ୍ଦ୍ର ଗ୍ରହଣ ହୋଇଥାଏ ।  ଏହି ହେତୁ ଏହି ଉଭୟ ସମୟରେ ହାଣ୍ଡିଛାଡ଼ ଓ ଖାଦ୍ୟ ତ୍ୟାଗ ଅନାବଶ୍ୟକ ବୋଲି ଯୁକ୍ତିଯୁକ୍ତ ମତ ରଖିବା ଥିଲା ହେତୁବାଦୀମାନଙ୍କ ପାଇଁ ସ୍ଵାଭାବିକ । 

ହିନ୍ଦୁ ଧର୍ମର ଏହା ଘୋର ଅବମାନନା ବୋଲି କହି ବ୍ରାହ୍ମଣ୍ୟବାଦୀମାନଙ୍କ ଭିତରୁ କେତେକ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଯଦିଓ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି, ତଥାପି ସାମାଜିକ ଗଣମାଧ୍ୟମ, ବିଶେଷତଃ ଫେସବୁକରେ, ଅତ୍ୟନ୍ତ ଅଶ୍ଳୀଳ ଶୈଳୀରେ ହେତୁବାଦୀମାନଙ୍କ ଉପରେ ଗାଳିବର୍ଷଣ ଚାଲିଛି । ମନେହୁଏ, ଯେକୌଣସି ପ୍ରକାରେ ସେମାନଙ୍କ ନୈତିକ ବଳ ଧ୍ଵଂସ କରିବା ହେଉଛି ବ୍ରାହ୍ମଣ୍ୟବାଦୀମାନଙ୍କ ଉଦ୍ଦେଶ୍ୟ । 

ଭାରତରେ ହେତୁବାଦୀମାନଙ୍କ ଉପରେ ଏପରି ଆକ୍ରମଣ ନୂଆ ନୁହେଁ ।

ହେତୁବାଦର ପ୍ରାଚୀନତା 

ପ୍ରାଚୀନତମ ସମୟରେ ଅରଣ୍ୟ ନିବାସୀ ଆଦିମ ଭାରତୀୟ ନାରୀ ଲକ୍ଷ୍ୟ କରିଥିଲା ଯେ, ଉପଯୁକ୍ତ ପରିମାଣର ପାଣି, ପବନ ଓ ସୂର୍ଯ୍ୟକିରଣ ପାଇଲେ ମାଟିରେ ପଡିଥିବା ଶୁଖିଲା ମଞ୍ଜିର ଅଙ୍କୁରୋଦ୍ଗମ ହୋଇ  ତାହା ଯେଉଁ ଗଛର ମଞ୍ଜି ସେହି ଗଛ ସୃଷ୍ଟି ହେଉଛି ଓ ତହିଁରୁ ସେହି ଫଳ, ସେହି ମଞ୍ଜି ଉତ୍ପନ୍ନ ହେଉଛି । କେଉଁ ପରିବେଶ ହେତୁ ଗଛରୁ ମିଳୁଥିବା ଫଳର ମଞ୍ଜି ସେହି ପ୍ରକାରର ଗଛ ସୃଷ୍ଟି କରେ ଓ ସେହି ଗଛରେ ସେହି ପ୍ରକାରର ଫଳ ଫଳି ତହିଁରୁ ପୁଣି ସେହି ପ୍ରକାରର ମଞ୍ଜି ବାହାରେ ତାହା ସେ ଅନୁଧ୍ୟାନ କରିଥିଲା ଓ  ସେହି ପରିବେଶ ଆପଣାଇ  ଶସ୍ୟ ଉତ୍ପନ୍ନ କରି ନିଜ ସନ୍ତାନର ଲାଳନପାଳନ କରୁଥିଲା । ଏହା ହିଁ ଆମ ଦେଶରେ ହେତୁବାଦର ପ୍ରାରମ୍ଭିକ ପ୍ରୟୋଗ  । ପରିବାର ଥିଲା ମାତୃକୈନ୍ଦ୍ରିକ । 

ବହିରାଗତଙ୍କ କର୍ତ୍ତୃବାଦ  

ଏହି ପ୍ରାକୃତିକ ଭୂଖଣ୍ଡକୁ ବାହାରୁ ଆସିଥିବା ଲୋକେ ଥିଲେ ଗୋପାଳକ । ସେମାନେ କୃଷିଜୀବୀ ନଥିଲେ । କିନ୍ତୁ ଆମ ଭୂଖଣ୍ଡର ଆଦିବାସୀ ମାଆମାନେ ମଞ୍ଜିରୁ ଗଛ ଓ ଗଛରୁ ମଞ୍ଜି ଉତ୍ପାଦନର ପଦ୍ଧତ୍ତି ଜାଣିଥିବା ହେତୁ, ଯେଉଁ ଶସ୍ୟ ଅମଳ କରୁଥିଲେ ତାହା ସେମାନେ ବଳ ପ୍ରୟୋଗ କରି ଲୁଣ୍ଠନ କରୁଥିଲେ । ସେମାନେ ନିଜକୁ ଆର୍ଯ୍ୟ ବୋଲି କହି ଆମ ମାଟିର ଆଦିମ ଅଧିବାସୀଙ୍କୁ ଅନାର୍ଯ୍ୟ ବୋଲି କହୁଥିଲେ । ଅନାର୍ଯ୍ୟମାନଙ୍କ  କଷ୍ଟୋପାର୍ଜିତ ଶସ୍ୟକୁ  ନିଜ ଅଧିକାରଭୁକ୍ତ କରିବା ପାଇଁ ସେହି ଆର୍ଯ୍ୟମାନେ ତାଙ୍କ ନିଜ ଭାଷାରେ ଆଇନ ପ୍ରବର୍ତ୍ତନ କରିଥିଲେ, ଯାହାକୁ  ସେମାନେ ବେଦବିଧାନ ବୋଲି କହୁଥିଲେ ।  ତଦନୁଯାୟୀ ମାଆମାନେ ଉତ୍ପାଦନ କରୁଥିବା ଶସ୍ୟ ସେମାନଙ୍କର ନୁହେଁ, ଅଦୃଶ୍ୟ କର୍ତ୍ତା ବ୍ରହ୍ମଙ୍କର ଯେ କି ବେଦବିଧାନର ବି ସୃଷ୍ଟିକର୍ତ୍ତା ବୋଲି ଘୋଷଣା କରୁଥିଲେ ସେମାନେ । ଯେହେତୁ ସେମାନେ ସେହି  ସୃଷ୍ଟିକର୍ତ୍ତାଙ୍କ ସନ୍ତାନ, ସେହେତୁ ଯେ କେହି ବି ଶସ୍ୟ ଉତ୍ପାଦନ କରିଥାଉ, ତହିଁର ପ୍ରକୃତ ମାଲିକ ହେଉଛନ୍ତି ସେହିମାନେ ହିଁ – ଏହା ଥିଲା ସମାନଙ୍କ ଦାବି । ସେମାନେ ତାଙ୍କ ସମାଜକୁ ବୈଦିକ ସମାଜ ବୋଲି ଆଖ୍ୟାୟିତ କରିଥିଲେ ଓ ବ୍ରହ୍ମଙ୍କ ସନ୍ତାନ ଭାବେ ବ୍ରାହ୍ମଣ ସାଜି ଆଦିମ ଅଧିବାସୀମାନଙ୍କ ଉପରେ ନିଜ କର୍ତ୍ତୃତ୍ଵ ଜାରି କରୁଥିଲେ । 

ଅବୋଧ୍ୟ ଶାସ୍ତ୍ର 

ଆମ ଓଡ଼ିଆ ଜାତିର ଅଙ୍ଗେ ନିଭା ଅନୁଭୂତି ହେଲା ବିଦେଶରୁ ଆସିଥିବା ବିଲାତି ବେପାରୀମାନେ ତାଙ୍କ ଭାଷାରେ ଆଇନ କରି ଆମ ଉପରେ ଆଧିପତ୍ୟ ଜାରି କରିଥିଲେ । ତହିଁରୁ ଗୋଟେ ଥିଲା ସୂର୍ଯ୍ୟାସ୍ତ ଆଇନ (Sun set Law) ଯେଉଁଥିରେ ଆମ ଜମିକୁ ତାଙ୍କ ନିଜ ଜମି ବୋଲି କହି ସେମାନେ ନିଲାମ କରୁଥିଲେ ।  ନିଲାମ ନେଇଥିବା ଲୋକ ଜମିଦାର ବୋଲାଉଥିଲା ଓ ସେମାନେ ଚାହିଁବା ପରିମାଣର ଖଜଣା ବି ସେମାନଙ୍କୁ ଦେଉଥିଲା । ଏପରି ଜମିଦାରଙ୍କ ଉପରେ ଧାର୍ଯ୍ୟ ଖଜଣାର ପରିମାଣ  ସେମାନେ ମନଇଚ୍ଛା ବଢାଇ ବି ଦେଉଥିଲେ ଓ କୌଣସି ଏକ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ ଯଦି ସେହି ଜମିଦାର ବର୍ଦ୍ଧିତ ଖଜଣା ଦାଖଲ କରୁନଥିଲା, ତେବେ ତାକୁ ସାନି ନିଲାମ ଡାକି ଅନ୍ୟକୁ ପ୍ରଦାନ କରୁଥିଲେ । 

ଏହା ଯେପରି, ଠିକ୍ ସେହିପରି ମଧ୍ୟ ସେହି ଆଦିମ ସମୟରେ କର୍ତ୍ତୃବାଦୀ ଆର୍ଯ୍ୟମାନେ ଅବୋଧ୍ୟ ଭାଷାରେ ମନ୍ତ୍ର ରଚନା କରି  ତଦନୁଯାୟୀ ଆମ ଆଦିବାସୀମାନଙ୍କ ସମସ୍ତ ସମ୍ପତ୍ତି ଉପରେ ନିଜ ଆଧିପତ୍ୟ ଜାରି କରିଥିଲେ । 

ଏଥିପାଇଁ ସେମାନେ ନିଜ ମୁହଁରୁ ଯାହା ବାହାରିଲା ତାକୁ ବେଦ ବୋଲି କହି ତାହା ବିଧାତା ପ୍ରଦତ୍ତ ବୋଲି କହୁଥିଲେ ଓ ତାହାକୁ ଯିଏ ନମାନିଲା  ତାକୁ ମ୍ଳେଚ୍ଛ ବୋଲି କହି ମୃତ୍ୟୁ ଦଣ୍ଡ ବି ଦେଉଥିଲେ  । ଯେହେତୁ ସେମାନେ ବିଧାତା ବ୍ରହ୍ମାଙ୍କ ମୁଖନିସୃତ ବେଦର ଅଧିକାରୀ ସେହେତୁ ନିଜ ନିଜକୁ ବ୍ରାହ୍ମଣ ବୋଲି କହୁଥିଲେ । 

ଶୋଷୋଣଚକ୍ର 

ଏହି ବ୍ରାହ୍ମଣମାନଙ୍କ ନିଷ୍ପତ୍ତି କ୍ରମେ ଆର୍ଯ୍ୟ ଗୋଷ୍ଠୀର ସବୁଠୁ ବଳୁଆ ଲୋକ ରାଜା ହେଉଥିଲା ଓ ଆଉ ଥୋଡ଼େ ବଳୁଆ ଲୋକ ତାର ସୈନ୍ୟ ସାଜି ସେମାନଙ୍କ ଅବୋଧ୍ୟ ଶାସ୍ତ୍ର ଆଧାରରେ ସଂତ୍ରାସ ସୃଷ୍ଟି କରୁଥିଲେ  । ଏପରି ଶାସ୍ତ୍ରୀୟ ସଂତ୍ରାସ ଚଳାଇଥିବା ବେଦଜ୍ଞ ବ୍ରାହ୍ମଣମାନେ  ବାହୁବଳୀମାନଙ୍କର ସହାୟତାରେ ଭାରତର ଅରଣ୍ୟମାନଙ୍କରେ କୃଷିଭିତ୍ତିକ ମାତୃପ୍ରଧାନ ସମାଜ ପ୍ରତିଷ୍ଠା କରିଥିବା ଆଦିମ ଜନଜାତି ଉପରେ କିପରି ଅତ୍ୟାଚାର ଚଳାଇଥିଲେ ତାହାର ଦୀର୍ଘ ତାଲିକାରୁ ରାମାୟଣରେ ବର୍ଣ୍ଣିତ ଗୋଟିଏ ଘଟଣାକୁ  ଦୃଷ୍ଟାନ୍ତ ଭାବେ ନିଆଯାଇପାରେ । ଋଷି ବିଶ୍ଵାମିତ୍ରଙ୍କ ଆଖି ପଡ଼ିଥିଲା ଆଦିବାସୀ ମହିଳା ତାଡ଼କାଙ୍କ ନଦୀକୂଳବର୍ତ୍ତୀ ଉର୍ବର ଭୁଇଁଖଣ୍ଡିକ ଉପରେ । ରାଜା ଦଶରଥଙ୍କ ପୁଅ ରାମଚନ୍ଦ୍ରଙ୍କ ହାତରେ ସେ ତାକୁ ହତ୍ୟା କରାଇଥିଲେ । ଏହି ଘଟଣାର ସମାଜତାତ୍ତ୍ଵିକ ବିଶ୍ଳେଷଣ ହୋଇନାହିଁ ; କାରଣ ରାମଙ୍କୁ ଭଗବାନ ସଜାଇ ତାଙ୍କ ଆଚରଣକୁ ପ୍ରଶ୍ନାତୀତ କରାଯାଇଛି ।  

ଏପରି ପ୍ରଚଣ୍ଡ ଅତ୍ୟାଚାର ଚଳାଇଥିବା ସେହି ଆର୍ଯ୍ୟମାନେ ଆମ ଆଦିମ ଅଧିବାସୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅବୋଧ୍ୟ ଭାଷାରେ ଯେଉଁ ଶାସ୍ତ୍ର  ପ୍ରବର୍ତ୍ତନ କରିଥିଲେ, ତହିଁର ଉଦ୍ଘୋଷଣ ହେଲା:  ପରମବ୍ରହ୍ମ ସାରା ସଂସାରକୁ ସୃଷ୍ଟି କରିଛନ୍ତି ଏବଂ ତଦନୁଯାୟୀ ସଂସାର ଚଳାଇବା ପାଇଁ ସେମାନଙ୍କୁ  ବେଦ ପ୍ରଦାନ କରିଛନ୍ତି  । ସେହି ପରମବ୍ରହ୍ମ ଯେହେତୁ ସେମାନଙ୍କୁ  ବେଦମନ୍ତ୍ର ଓ ତା’ର ପ୍ରୟୋଗ ଅଧିକାର ଦେଇଛନ୍ତି, ସେହେତୁ  ସଂସାର ଚଳାଇବା ପାଇଁ ସେମାନଙ୍କ କର୍ତ୍ତୃତ୍ତ୍ଵକୁ ଅନ୍ୟମାନେ ମାନିବା ଦରକାର ।

ଚତୁର୍ବର୍ଣ୍ଣ ତିଆରି ଓ ବ୍ରାହ୍ମଣ୍ୟବାଦର ଉଦ୍ଭବ 

ଏହି କର୍ତ୍ତୃତ୍ଵ  କାର୍ଯ୍ୟକାରୀ କରିବା ପାଇଁ  ସେମାନେ ପ୍ରଥମେ ବାହୁବଳେନ୍ଦ୍ରମାନଙ୍କୁ କିପରି ନିଜ ସପକ୍ଷକୁ ଆଣି  ଅନ୍ୟକୁ କ୍ଷତବିକ୍ଷତ କରି କ୍ଷତି ପହଞ୍ଚାଇବାର ମାନସିକତା ଓ ସାମର୍ଥ୍ୟ  ଥିବା ହେତୁ ସେମାନଙ୍କୁ କ୍ଷତ୍ରିୟ ବୋଲି ଆଖ୍ୟାୟିତ କରିଥିଲେ ଓ ସେମାନଙ୍କ ଭିତରୁ ସବୁଠୁ ବଳୁଆ ଓ ନୃଶଂସ ବ୍ୟକ୍ତିକୁ ରାଜା ବନାଇ ତା ସହାୟତାରେ ସମସ୍ତଙ୍କ ଉପରେ ଆଧିପତ୍ୟ ଚଳାଇଥିଲେ ତାହା ପୂର୍ବରୁ ସୂଚିତ ହୋଇଛି । ଏହିପରି ଭାବେ ବ୍ରାହ୍ମଣ ଓ କ୍ଷତ୍ରିୟ – ଦୁଇ ବର୍ଣ୍ଣ ପ୍ରତିଷ୍ଠିତ ହୋଇଗଲା ପରେ ଧନ ଆୟରେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଲୋକ ଖୋଜାପଡ଼ିଲେ । ବଳରେ ଊଣା କିନ୍ତୁ ବୁଦ୍ଧିରେ ପ୍ରଖର ଥିବା ଥୋଡ଼େ ଲୋକ ଏମାନଙ୍କ ବଶ୍ୟତା ସ୍ଵୀକାର କରି ଏମାନଙ୍କ ପାଇଁ ଧନ ଅର୍ଜନ କରିବାକୁ  ସମ୍ମତ ହେବାରୁ ସେମାନଙ୍କୁ  ବୈଶ୍ୟ ବୋଲି ଆଖ୍ୟାୟିତ କରି ଅବଶିଷ୍ଟ ସମଗ୍ର ମାତୃପ୍ରଧାନ ଆଦିମ ଅଧିବାସୀମାନଙ୍କୁ ଶୂଦ୍ର ତାଲିକାରେ ରଖିଥିଲେ ସେହି କର୍ତ୍ତୃବାଦୀ ବ୍ରାହ୍ମଣମାନେ ଓ ବିଭିନ୍ନ ଦେବତା ସୃଷ୍ଟି କରି ସାଧାରଣ ମଣିଷ ପାଇଁ ଅବୋଧ୍ୟ ବେଦମନ୍ତ୍ର ସହାୟତାରେ ସେମାନଙ୍କ ପୂଜାର୍ଚ୍ଚନା ଚଳାଇ ସମାଜର ସର୍ବୋଚ୍ଚ ନିୟନ୍ତ୍ରକ ଭାବେ ନିଜକୁ ଜାରିକରିଥିଲେ  ।  ଅବଲୀଳାକ୍ରମେ ଏହି ବ୍ରାହ୍ମଣମାନଙ୍କ ମଧ୍ୟରୁ ବ୍ରାହ୍ମଣ୍ୟବାଦୀ ବାହାରିଲେ, ଯେଉଁମାନେ ନିଜନିଜକୁ ଦେବତା ବୋଲି ବି କହିଲେ । ଏବେ ବି ଗାଁଗହଳରେ “ବ୍ରାହ୍ମଣଦେବତା” ଶବ୍ଦ ଶୁଣିବାକୁ ମିଳେ । 

ସେମାନଙ୍କ ଆସ୍ଫାଳନ ଅନୁଧ୍ୟାନ କରିବାକୁ ଗୋଟିଏ ଶ୍ଳୋକ ଯଥେଷ୍ଟ । ତାହା ହେଲା- 

ଦୈବାୟତଂ ଜଗତ୍ସର୍ବଂ   ମନ୍ତ୍ରାଧୀନଂ  ତତ୍ ଦୈବତମ୍ 

ତତ୍   ମନ୍ତ୍ରଂ ବ୍ରାହ୍ମଣାଧୀନା  ତସ୍ମାତ୍ ବ୍ରାହ୍ମଣ ଦୈବତମ୍ ॥  

ଅର୍ଥାତ୍ ସମଗ୍ର ଜଗତ ଦୈବର ଅଧୀନ , ଦୈବ ମନ୍ତ୍ରର ଅଧୀନ, ମନ୍ତ୍ର ବ୍ରାହ୍ମଣର ଅଧୀନ , ତେଣୁ ବ୍ରାହ୍ମଣ ହିଁ  ଦୈବ ସମ ସମଗ୍ର ସଂସାରର ଅଧିପତି  । ସୁତରାଂ ବ୍ରାହ୍ମଣ ଶ୍ରମ ନକରନ୍ତି । ବ୍ରାହ୍ମଣେତର ବ୍ୟକ୍ତିମାନେ ନିଜେ ପରିଶ୍ରମ କରି ଯାହା ଉତ୍ପାଦନ ବା ଆହରଣ କରିବେ ତାହା ବ୍ରାହଣମାନଙ୍କ ରୁଚି ଅନୁସାରେ ସେମାନଙ୍କୁ ଦେଇ ପୋଷିବେ । 

ଏହାକୁ କ’ଣ ଆଦିମ ଭାରତୀୟମାନେ, ଯେଉଁମାନେ କୌଣସି ଅଦୃଶ୍ୟ କର୍ତ୍ତାକୁ  ଗ୍ରହଣ କରୁନଥିଲେ, ଓ ଯାହା କିଛି ଘଟେ ତାହା ନିର୍ଦ୍ଦିଷ୍ଟ କାରଣ ହେତୁ ଘଟେ ବୋଲି ନିଃସନ୍ଦେହ ଥିଲେ, ମାନି ନେଇଥିଲେ? 

ନା । 

ଧ୍ଵସ୍ତପ୍ରଜ୍ଞ

ସେମାନଙ୍କ ମତରେ ଏପରି ଆସ୍ଫାଳନକାରୀମାନେ ଥିଲେ ଧ୍ଵସ୍ତପ୍ରଜ୍ଞ । ଯଥା-

ବେଦଂ  ପ୍ରାମାଣ୍ୟଂ କସ୍ୟଚିତ୍ କର୍ତ୍ତୃବାଦଃ

ସ୍ନାନେ ଧର୍ମେଚ୍ଛା ଜାତିବାଦବଲେପଃ

ସନ୍ତାପାରାମ୍ଭଃ ପାପହାନାୟଚେତି

ଧ୍ଵସ୍ତ ପ୍ରଜ୍ଞାନାଂ ପଞ୍ଚଲିଙ୍ଗାନିଜାଡ୍ୟେ ॥ 

ଅର୍ଥାତ୍, ବେଦକୁ  ଅଲଙ୍ଘ୍ୟ ମନେକରିବା , ଯାହାକିଛି ହେଉଛି ତାହା ଜଣେ ଅଦୃଶ୍ୟ କର୍ତ୍ତାଙ୍କ ଦ୍ଵାରା ହେଉଛି ବୋଲି ବିଶ୍ଵାସ କରିବା ,  ଧର୍ମ ଅର୍ଜନ ପାଇଁ ପାଣିରେ ବୁଡ଼ଦେବା , ଜାତିବାଦରେ ଜଡ଼ିତହେବା  ଓ ପାପ ବିମୋଚନ ପାଇଁ  ଓଷାଉପବାସ କରିବା – ଧ୍ଵସ୍ତପ୍ରଜ୍ଞ ବା ବୁଦ୍ଧିଭ୍ରଷ୍ଟ ହୋଇଥିବା ଲୋକର ଏ ପାଞ୍ଚ ଲକ୍ଷଣ । 

ଅତଏବ, କେବଳ ଏବେ ନୁହଁ , ସୁପ୍ରାଚୀନ ଅତୀତରେ ମଧ୍ୟ ହେତୁବାଦୀ ଓ ବ୍ରାହ୍ମଣ୍ୟବାଦୀଙ୍କ ମଧ୍ୟରେ ବାସ୍ତବତା ଓ ଅନ୍ଧବିଶ୍ଵାସକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା । 

 

ପୁରୁଣା ଅଭ୍ୟାସ: ଅଧୋଗତି ଅନୁଭବ କଲେ ନବୀନ ସମ୍ମାନ ସଂଗ୍ରହ କରନ୍ତି


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଲୋକଙ୍କୁ ଭାଷା ଅଧିକାର ନଦେବା ପାଇଁ ଯେଉଁ ମୁଖ୍ୟମନ୍ତ୍ରୀ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ଓଡ଼ିଶା ରାଜ୍ୟ ଭାଷା ଆଇନକୁ ଜାଲ୍ ବିଲ୍ ଦ୍ଵାରା ଅପସଂଶୋଧିତ କରି ଅକର୍ମଣ୍ୟ କରିଦିଅନ୍ତି ଓ ରାଜ୍ୟ ଶାସନ ରାଜ୍ୟଭାଷାରେ ନଚଳାଇ ଇଂରାଜୀରେ ଚଳାନ୍ତି, ତାଙ୍କୁ ଜୀବନ ବ୍ୟାପୀ ସାଫଲ୍ୟ ସମ୍ମାନ  ଯେଉଁ ସଂସ୍ଥା ଦେଇଛି ତାହାଠୁ ବଳି ଉପରଠାଉରିଆ ସଂସ୍ଥା  କେ ଅବା ଆଉ ଥାଇପାରେ?

ଏ ସମ୍ମାନ ସେ ଯୋଗାଡ଼ କରି ପାଇଛନ୍ତି । କାରଣ, ଯେତେବେଳେ ଯେତେବେଳେ ସେ ଯଶ-ସଙ୍କଟରେ ପଡ଼ନ୍ତି , ସେତେବେଳେ ସେତେବେଳେ ପ୍ରଚୁର ଅର୍ଥ ବିନିଯୋଗ କରି ଏପରି ସମ୍ମାନ ସାଉଁଟନ୍ତି । ଓଡ଼ିଆ ଲୋକଙ୍କୁ ଭୁତାଇବା ହେଲା ଏକମାତ୍ର ଉଦ୍ଦେଶ୍ୟ । ପଇସା ଦେବା ଗରାଖ ଯେଉଁ ପର୍ଯ୍ୟନ୍ତ ଥିବେ ବେଶ୍ୟାମାନେ ସେ ପର୍ଯ୍ୟନ୍ତ ମୁଖଲଜ୍ଜା ଭୁଲି ଦୁଆର ଖୋଲି ବସିଥିବେ । 

ଏପରି ଦୁଆର ଖୋଲି ବସିଥିଲା ‘ଇ ଟିଭି’ (ETv) ୨୦୦୬ରେ ଯେତେବେଳେ ମାନ୍ୟତା ସୂଚକାଙ୍କରେ ନବୀନବାବୁ ତଳକୁ ତଳ ଖସି ଚାଲିଥିଲେ । ଏହି ଟିଭି ଚ୍ୟାନେଲ ତାଙ୍କୁ ‘ପ୍ରିୟ ଓଡ଼ିଆ’ ବନାଇଥିଲା ଚାରିବର୍ଷ ବୟସର ଜଣେ ବସ୍ତି ବାସିନ୍ଦା ବାଳକ ବୁଦ୍ଧିଆ ସିଂହଙ୍କ ସହ ତାଙ୍କ ପ୍ରତିଦ୍ଵନ୍ଦିତାର ନାଟକ କରି ଏବଂ ଓଡ଼ିଶାର ଚାରିଆଡୁ ଗାଡ଼ିମଟରରେ ବହୁ ଲୋକଙ୍କୁ ଅଣାଇ ସେ ପ୍ରଦର୍ଶନୀ ପଡ଼ିଆରେ ସେହି ସଂଗୃହୀତ ସମ୍ମାନ ଗ୍ରହଣ କରି ‘ପ୍ରିୟ ଓଡ଼ିଆ’ ଭାବେ ନିଜକୁ ପ୍ରଚାରିତ କରିଥିଲେ ।  ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଯେତେବେଳେ ତାଙ୍କ ବିଶ୍ଵସନୀୟତା ଜନଚକ୍ଷୁରେ  ହ୍ରାସପାଇଛି , ସେ ସେହି କାଇଦା ବ୍ୟବହାର କରି କିଛି ଗୋଟେ ଆଖିଦୃଶିଆ ସମ୍ମାନ ସଂଗ୍ରହ କରିଆସିଛନ୍ତି । ଓଡ଼ିଆ ଭାଷାକୁ କୌଣସି କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଇ ନଦେବା ପାଇଁ ସେ ଓଡ଼ିଶା ରାଜ୍ୟ ଭାଷା ଆଇନ ୧୯୫୪ (Orissa Official Language Act 1954)ର ଅପସଂଶୋଧନ କରିଛନ୍ତି ଓ ଏହା କରିବାକୁ ରାଜ୍ୟପାଳଙ୍କ ନଥିରେ  ଓ ବିଧାନସଭା ନଥିରେ ଜାଲିଆତି ପ୍ରୟୋଗ କରିଛନ୍ତି । ଓଡ଼ିଆ ଜାତି ବିରୁଦ୍ଧରେ ଏହି ଭୟଙ୍କର ଅପରାଧର ସପ୍ରମାଣ ବିବରଣୀ ମୁଁ ଜନସାଧାରଣଙ୍କ ସମ୍ମୁଖରେ ରଖିଛି ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ଏକ ବୃହତ ପୁସ୍ତକରେ । ତାଙ୍କ ନିଜ ଦଳର ଲୋକଙ୍କ ଆଖିରେ ତାଙ୍କ ଏହି ଓଡ଼ିଆବିଦ୍ଵେଷ ଧରା ପଡ଼ି ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରଭାବ ଓଡ଼ିଶାର ସାଧାରଣ ଲୋକଙ୍କ ମନରେ ବି ପଡ଼ିଛି । ଏହା ଅନୁଭବ କରି ନିଜ ଭାବମୂର୍ତ୍ତି ମରାମତି ପାଇଁ ସେ ଦିଲ୍ଲୀର ସେହି ସଂସ୍ଥାକୁ ବ୍ୟବହାର କରିଛନ୍ତି ଯାହାର ମୁଖ୍ୟଙ୍କ ଜଣେ ଲଗ୍ନିକ ମହିଳାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ପଦ ପାଇଁ ସେ ସୁପାରିଶ କରିଛନ୍ତି । 

ଏଣୁ ନବୀନଙ୍କ ଏତାଦୃଶ ସମ୍ମାନ ସାଉଁଟା ଉପରେ ଏକ ନ୍ୟାୟିକ ତଦନ୍ତ ହେବା ଆବଶ୍ୟକ ।