ଡ. ମାୟାଧର ମାନସିଂହ : ଓଡ଼ିଆ ଅସ୍ମିତା, ବୁଦ୍ଧ ଓ ଚକ୍ରଧର ମହାପାତ୍ର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଡ. ମାୟାଧର ମାନସିଂହ ଥାନ୍ତି ସ୍ଵତନ୍ତ୍ର ପାର୍ଟିର ମୁଖପତ୍ର ଦୈନିକ ସ୍ଵରାଜ୍ୟର ସମ୍ପାଦକ । ମୁଁ ସହକାରୀ ସମ୍ପାଦକ ଥାଏ । ଲୁଇସ ରୋଡ଼ରେ ସ୍ଵତନ୍ତ୍ର ପାର୍ଟି ନେଇଥିବା ଏକ ଭଡ଼ାଘରେ ଆମେ ଉଭୟେ ରହୁଥାଉ । ଦିନେ ସେ ମୋତେ ପଚାରିଲେ, ସୁଭାଷବାବୁ, ଆପଣ ଚକ୍ରଧର ମହାପାତ୍ରଙ୍କୁ ଜାଣନ୍ତି? ମୁଁ ମନା କଲି । ସେ କହିଲେ, ଆପଣ ସନ୍ଧ୍ୟା ୫ଟା ବେଳକୁ ବସାରେ (ସେହି ଭଡ଼ାଘରେ) ଥିବେ; ସେ ଆସିଲେ ଆମେ ମିଶିକି କିଛି ଆଲୋଚନା କରିବା । ସେ ଆପଣଙ୍କ ଗଡ଼ଜାତିଆ ଲୋକ । ଘର ନରସିଂହପୁର ।

ଠିକ୍ ସମୟରେ ଦେଖାହେଲା । ତାଙ୍କ ତିଗିରିଆ-ସମ୍ପର୍କ ଓ ମୋ ବାପାଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ଆମ ଉଭୟଙ୍କ ଭିତରେ ଏହି ଆକସ୍ମିକ ଦେଖା ସାକ୍ଷାତକୁ ଆନନ୍ଦମୟ କଲା ।

ଆରମ୍ଭ ହେଲା ଆଲୋଚନା । ଡ଼. ମାନସିଂହ ତାଙ୍କୁ କହିଲେ ଯେ, ବୁଦ୍ଧ ତାଙ୍କୁ ଓଡ଼ିଶାରେ ଜନ୍ମିତ ପରି ଲାଗନ୍ତି । କିନ୍ତୁ ଗବେଷଣା ଦ୍ଵାରା ତାହା ସାବ୍ୟସ୍ତ କରିବାକୁ ତାଙ୍କ ପକ୍ଷେ ସମୟ ଓ ଦୈହିକ ଶକ୍ତିର ଅଭାବ । ତେଣୁ ସେ ଏହି ଦିଗରେ ଗବେଷଣା କରନ୍ତୁ, ସେ ସବୁ ପ୍ରକାର ସାହାଯ୍ୟ କରିବେ । ଚକ୍ରଧରବାବୁ ଆଗ୍ରହର ସହ ରାଜି ହେଲେ ।

ଲୁଇସ ରୋଡ଼ର ସେହି ଘରେ ପ୍ରତି ସପ୍ତାହରେ ବୈଠକ ବସେ। ମହାପାତ୍ରଙ୍କ ଉପଲବ୍ଧିକୁ ପରିପୁଷ୍ଟ କରାଯାଏ ଓ ଆଉ କି କି ତଥ୍ୟ କିପରି ଠିକାଇବାକୁ ହେବ, ନିଷ୍ପତ୍ତି ନିଆଯାଏ । ମୋର ପରମ ସୌଭାଗ୍ୟ ଯେ, ସରଜମିନ ତଦନ୍ତରେ ମୁଁ ସେହି ଐତିହାସିକ କାର୍ଯ୍ୟ ସହ ସାମିଲ ହୋଇପାରୁଥିଲି ।

ସେହି ସମୟରେ ଡ। ମାନସିଂହ ଭାବିଲେ, ଯେତିକି ତଥ୍ୟ ମିଳିଲାଣି ତାକୁ ଏକ ପରିଚୟାତ୍ମକ  ମୁଦ୍ରିତ ରୂପ ଦେଇ ବିଭିନ୍ନ ସୂତ୍ରରୁ ପ୍ରତିକ୍ରିୟା ଲୋଡ଼ା ଯିବା ଉଚିତ । ତାହା ହିଁ ହେଲା ।

ବହିଟି ଦରସମାପ୍ତି ଅବସ୍ଥାରେ ଥାଇ ବହୁ ସ୍ୱନାମଧନ୍ୟ ଗବେଷକ ଓ ସମ୍ବାଦିକଙ୍କ ପାଖକୁ ପ୍ରାକ୍ ଆକଳନ ପାଇଁ ଡ. ମାନସିଂହ ହିଁ ତାହାକୁ ପଠାଇଥିଲେ ।

ପୂର୍ଣ୍ଣାଙ୍ଗ ବହିଟି ଯେତେବେଳେ ପ୍ରକାଶ ପାଇଲା – କଟକର ଗ୍ରନ୍ଥମନ୍ଦିର ପ୍ରକାଶ କରିଥିଲେ – ମୁଁ ତତ୍କାଳ ତାହା କିଣିଥିଲି । ମୋ ସହଯୋଗର ତହିଁରେ ସାମାନ୍ୟ ସ୍ୱୀକୃତି ନଥିଲା। କିନ୍ତୁ ତହିଁରେ ମୋର ଦୁଃଖ ବି ନଥିଲା । କାରଣ, ସରଜମିନ ଗବେଷଣାର ଯେଉଁ କୌଶଳ ମୁଁ ମହାପାତ୍ରଙ୍କ ଠାରୁ ବାସ୍ତବରେ ପାଇଥିଲି, ଯାହା ମୋତେ ପରବର୍ତ୍ତୀ କାଳରେ ଅନୁସନ୍ଧାନୀ ସାମ୍ବାଦିକ ହେବାରେ ସାହାଯ୍ୟ କରିଛି, ତାହା ଏତେ ମହାର୍ହ ଯେ, ମୁଁ ତାଙ୍କ ପାଖରେ ଚିରକାଳ ଋଣୀ । କିନ୍ତୁ ଦୁଃଖ ଲାଗିଲା, ସେ ସେହି ବହିଟିରେ ଡ. ମାନସିଂହଙ୍କ ପ୍ରତି ସାମାନ୍ୟ କୃତଜ୍ଞତା ବି ଜ୍ଞାପନ କରିନଥିଲେ ।

ମୁଁ ତାଙ୍କୁ ଏହା ଅନୁଚିତ ବୋଲି କହିଥିଲି । ସେ ଦୁଃଖ କରିଥିଲେ ଓ ପରବର୍ତ୍ତୀ ସଂସ୍କରଣରେ ଆବଶ୍ୟକୀୟ ସଂଶୋଧନ ନିଶ୍ଚୟ କରିବେ ବୋଲି କହିଥିଲେ ।

ତାହା କିନ୍ତୁ ତାଙ୍କ ଜୀବଦ୍ଦଶାରେ ହୋଇପାରିଲା ନାହିଁ ।

ଆଜି ଓଡ଼ିଆ ଅସ୍ମିତାର ଅସୀମ ରୂପକଲ୍ପ ସେହି ଡ. ମାନସିଂହଙ୍କ ଜୟନ୍ତୀରେ, ଭାବୁଛି, ଚକ୍ରଧର ମହାପାତ୍ରଙ୍କ ପୁସ୍ତକ The Real Birthplace of Buddha ପଛର ଏହି ଅପ୍ରକଟିତ ସତ୍ୟ ସଭିଙ୍କ ସାମ୍ନାରେ ରଖିଦେବା ଉଚିତ ହେବ; କାରଣ , ମୋ ସ୍ୱାସ୍ଥ୍ୟ ଅବସ୍ଥା ଯାହା, କେତେବେଳେ ଯଦି ମୁଁ ଆଖି ବୁଜିଦିଏ, ଏହା ଆଉ ଲୋକେ ଜାଣିବେନି ।

 

କୋଟିଆ ଉପରେ ଆପୋଷ ଆଲୋଚନା କରି ନବୀନ ପଟ୍ଟନାୟକ ଓଡ଼ିଶାକୁ ପଛରୁ ଛୁରା ମାରିଛନ୍ତି: ନିବୃତ୍ତ ହୁଅନ୍ତୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କୋଟିଆ ଉପରେ ଆନ୍ଧ୍ର ସହ କୌଣସି ଆପୋଷ ଆଲୋଚନା ଓଡ଼ିଶାକୁ ପଛରୁ ଛୁରା ମାରିବା ସହ ସମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ହିଁ କରିଛନ୍ତି । ନିବୃତ୍ତ ହୁଅନ୍ତୁ । ମୁଖ୍ୟ ଶାସନ ସଚିବ ସ୍ତରରେ ଏଥିପାଇଁ ଅଧିକ ଆଲୋଚନା ସକାଶେ ଯେଉଁ ପ୍ରଚାରିତ ନିଷ୍ପତ୍ତି ହୋଇଛି ତାହା କୋଟିଆ ଅଞ୍ଚଳକୁ ନ ଆସିବା ପାଇଁ ଆନ୍ଧ୍ରକୁ କହିବାରେ ସୀମିତ ରହୁ ।

ଅଣଓଡ଼ିଆ ଅଧ୍ୟୁଷିତ ଓଡ଼ିଶା ପ୍ରଶାସନ ଓଡ଼ିଆ ଭାଷାକୁ ଯେପରି ଛୁରି ମାରିଆସିଛି, ଓଡ଼ିଶା ସୀମାକୁ ବି ସେପରି ବିପନ୍ନ କରାଇଛି । ଓଡ଼ିଆ ଭାଷାରେ ସର୍ବସାଧାରଣଙ୍କ କାର୍ଯ୍ୟ ନିର୍ବାହ ପାଇଁ ୧୮୭୦ରୁ ସୁଦୀର୍ଘ ୬୬ ବର୍ଷ କାଳ ଅଭୂତପୂର୍ବ ଆନ୍ଦୋଳନ ବଳରେ ୧୯୩୬ରେ ଆବିର୍ଭୂତ ହୋଇଥିଲା ଓଡିଶା ଓ ବାରମ୍ବାର ବିଶ୍ଳେଷଣ ଦ୍ଵାରା ତାର ଭୌଗୋଳିକ ସୀମା ନିର୍ଦ୍ଧାରଣ ହୋଇଥିଲା । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ତେଲୁଗୁଲୋକଙ୍କ ଚକ୍ରାନ୍ତ ପଣ୍ଡ କରି ସେହି ପ୍ରେସିଡେନ୍ସିରେ ଥିବା ଓଡ଼ିଆ ଲୋକମାନେ ଓଡ଼ିଶାରେ ରହିବାକୁ ତୋଳିଥିଲେ ସଂଘର୍ଷ ଓ ତା ଫଳରେ ସେହି ପ୍ରେସିଡେନ୍ସିର କେଉଁ ଗାଁଗୁଡିକ ଓଡ଼ିଶାକୁ ହସ୍ତାନ୍ତରିତ ହେଲା, ତାହା ମାଡ୍ରାସ ପ୍ରେସିଡେନ୍ସି ତତ୍କାଳୀନ ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ଲେଖିକରି ଦେଇଥିଲା । ଲୋକେ ମଧ୍ୟ ଓଡ଼ିଶା ସରକାରଙ୍କୁ ସେହିକାଳରୁ ଖଜଣା ପ୍ରଦାନ କରିଆସିଥିଲେ । ନବୀନବାବୁ ଆଗକୁ ଆଗେଇବା ପୂର୍ବରୁ ସେହି ଦଲିଲ ଓଡ଼ିଶା ସମ୍ମୁଖରେ ରଖନ୍ତୁ । ତହିଁ ଉପରେ ଆନ୍ଧ୍ରର ହସ୍ତକ୍ଷେପ ବରଦାସ୍ତ କରାଯିବନି, ଆପୋଷ ଆଲୋଚନା କଣ?

ମାଡ୍ରାସ ପ୍ରେସିଡେନ୍ସିରୁ ଓଡ଼ିଶାକୁ ବହୁ ସଙ୍ଗର୍ଷ କରି ଆସିଥିଲା ଜୟପୁର ରାଜ୍ୟ । ତାହା ଏକ ସୁଗଠିତ ଭୂମଣ୍ଡଳ ଥିଲା । ତାର ସୀମା ସମଗ୍ରତଃ ସୁନିର୍ଦ୍ଦିଷ୍ଟ ଥିଲା । ଜୟପୁର ମହାରାଜା ବିକ୍ରମ ଦେଓ ବର୍ମା ତାଙ୍କ ଜମିଦାରୀକୁ ଓଡ଼ିଶା ସହ ମିଶାଇଥିଲେ ।

୧୯୫୨ରେ ଜମିଦାରୀ ଉଚ୍ଛେଦ ଆଇନ ଦ୍ଵାରା ଏହି ଜମିଦାରୀର ରାଜକୀୟ ଅସ୍ତିତ୍ଵ ଲୋପ କରାହୋଇ ଏହା ଅନ୍ତର୍ଗତ ସମସ୍ତ ସହର ଓ ଗ୍ରାମର ପ୍ରଶାସନ ଦାୟିତ୍ଵ ଓଡ଼ିଶା ସରକାର ଗ୍ରହଣ କରିଥିଲେ । ସୁତରାଂ ସେହି ସମସ୍ତ ଗ୍ରାମର ନିଖୁଣ ବିବରଣୀ ଓଡ଼ିଶା ସରକାର ଓଡ଼ିଆ ଜାତି ସମ୍ମୁଖରେ ରଖନ୍ତୁ ।

ଓଡ଼ିଶାର ସମସ୍ତ ଗଡ଼ଜାତ ଓ ଜମିଦାରୀ ସମେତ ସାରା ଓଡ଼ିଶାର ଭୁବନ୍ଦୋବସ୍ତ ୧୯୧୨-୧୩ରେ ବିହାର-ଓଡ଼ିଶା ଭୂଅଭିଲେଖ ଓ ବନ୍ଦୋବସ୍ତ ନିର୍ଦ୍ଦେଶକଙ୍କ ନିୟନ୍ତ୍ରଣରେ ସମାହିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓଡ଼ିଶା ସରକାର ଅବିଳମ୍ବେ ପ୍ରକାଶ କରନ୍ତୁ । ତହିଁରୁ କୋଟିଆ ଅଞ୍ଚଳର ଭୂଚିତ୍ର ଓଡ଼ିଶା ସୀମା ପ୍ରେକ୍ଷାପଟରେ ସ୍ପଷ୍ଟ ହେବ ।

ପ୍ରମାଣ ସହ ଅଦାଲତକୁ ନଗଲେ ବି ଓଡ଼ିଶା ଜିତିବ – ଏ କଥା ଓଡ଼ିଶା ସରକାର କିପରି ଭାବୁଥିଲେ , ତାହା ମୁଖ୍ୟମନ୍ତ୍ରୀ ଯଦି ନକହନ୍ତି, କିଏ କହିବ?

କେଉଁ କେଉଁମାନେ ସର୍ବୋଚ୍ଚ ଅଦାଲତରେ ଓଡ଼ିଶାର ସ୍ୱାର୍ଥକୁ ଛୁରି ମାରିଛନ୍ତି , ତାହା ଓଡ଼ିଆ ଜାତି ଜାଣିବା ଆବଶ୍ୟକ । ସର୍ବୋଚ୍ଚ ଅଦାଲତ ସମ୍ମୁଖରେ ଆମ ଅର୍ଜି କ’ଣ ଥିଲା, ଆନ୍ଧ୍ରର ଜବାବ କ’ଣ ଥିଲା, ଆମ ପ୍ରତିଜବାବ ଓ ଯୁକ୍ତି କ’ଣ ଥିଲା, କେଉଁ ପ୍ରମାଣ ଆମେ ଉପସ୍ଥାପିତ କରିଥିଲୁ, କାହା ହେତୁ ଓ କେଉଁ କାରଣରୁ ଆମେ ଆମ ମକଦ୍ଦମାକୁ ତ୍ୱରାନ୍ୱିତ କରିନଥିଲୁ – ଏ ସମସ୍ତ କଥା ଓଡ଼ିଆ ଜାତି ସମ୍ମୁଖରେ ନବୀନବାବୁ ରଖନ୍ତୁ । ଆମକୁ ଜାଣିବା ଦରକାର ଯେ, କିଏ ଆମ ଜାତିକୁ ପଛରୁ ଛୁରା ମାରିଛି । କେଉଁଠି ନା କେଉଁଠି ଏ ଛୁରାମରାରେ ନବୀନବାବୁ ସମ୍ପୃକ୍ତ ଥିବା ସନ୍ଦେହ ହେଉଛି ଏଇଥିପାଇଁ ଯେ, କୋଟିଆରେ ଏତେ କଥା ହୋଇଗଲାଣି, ଲୋକଙ୍କ ନେତା ଭାବେ ସେ ଥରକ ପାଇଁ ସେଠାକୁ ଯାଇନାହାନ୍ତି । କେବେ ମଧ୍ୟ ଆନ୍ଧ୍ର ବିରୁଦ୍ଧରେ ଓଡ଼ିଶାର ମକଦ୍ଦମା କି ସ୍ଥିତିରେ ଥିଲା, ତାହା ବୁଝିନାହାନ୍ତି ।

ଏଙ୍କୁ ଯଦି ଗୋପନ ଆଲୋଚନା କରିବାକୁ ନିରଙ୍କୁଶ ଛାଡ଼ିଦିଆଯାଏ, କୋଟିଆ ଯିବ; କାରଣ  ଯେଉଁ କିସମର ଲୋକଙ୍କ ପାଇଁ ସର୍ବୋଚ୍ଚ ଅଦାଲତରେ ଆମେ ଅପଦସ୍ତ, ସେହି କିସମର ଲୋକେ ଏହି ଆଲୋଚନା ଚଳାଇବେ  । ଭାଷା କ୍ଷେତ୍ରରେ ଯେମିତି ଆମକୁ ପଛରୁ  ଛୁରା ମାରିଛନ୍ତି, ସେମିତି ସୀମା କ୍ଷେତ୍ରରେ ମାରିବେ । 

ଓଡ଼ିଶା ସୀମାରେ ଆନ୍ଧ୍ରର ଅନୁପ୍ରବେଶକୁ ନିଷିଦ୍ଧ କରିବାରେ ଉଚ୍ଚତମ ଅଦାଲତ ସକ୍ଷମ ହୋଇନାହାନ୍ତି । କାରଣ, ଓଡ଼ିଶା ସରକାର ନିଜ ଅଭିଯୋଗକୁ ନିଜେ ସମର୍ଥନ କରିନାହାନ୍ତି ।  

ଏପରି ଅବସ୍ଥାରେ ଅନୁପ୍ରବେଶକାରୀ ଆନ୍ଧ୍ର ସହ କି ଅପୋଷ ଆଲୋଚନା ? 

ଓଡ଼ିଶାର ସଶସ୍ତ୍ର ପୋଲିସ ବାହିନୀକୁ କାମରେ ଲଗାଅ । ପୋସ୍କୋ ପାଇଁ ପୋଲିସ ଲଗାଇ ଆମ ଲୋକଙ୍କୁ ମାରିଥିଲ, ଟାଟା ପାଇଁ ପୋଲିସ ଲଗାଇ ଆମ ଲୋକଙ୍କୁ ମାରିଥିଲ, ବିପ୍ଳବୀମାନଙ୍କୁ ପୋଲିସ ଲଗାଇ ମାରୁଛ , ଆମ ସୀମାରେ ଅନୁପ୍ରବେଶ କରୁଥିବା ଅଣଓଡ଼ିଆଙ୍କୁ ପୋଲିସ ଲଗାଇ ମାର । ମାଇଚିଆ ପରି ଆମ ସୀମା ଲୁଣ୍ଠନକାରୀକୁ ବନ୍ଦାପନା କରନି, ପୁରୁଷ ପରି ଳଢ । ତା ପରେ ଭାରତର ଜାତି ଜାଗିବ , ସମାଧାନ ହେବ । 

 

 

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା ସିଧା ପ୍ରସାରିତ ହେବା ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆମ ମୁଖ୍ୟମନ୍ତ୍ରୀ ଯାହା କଥା ହେବେ ତାହା ସଙ୍ଗୋପନରେ ନହୋଇ ସିଧା ପ୍ରସାରଣକାରୀ କ୍ୟାମେରା ସମ୍ମୁଖରେ ହେଉ ବୋଲି ମୁଁ ପୁନର୍ବାର ଦାବି କରୁଛି  । 

କାରଣ , ଆମ ଜାତିର ଅଜ୍ଞାତରେ ସେ ପୋଲାଭରମରେ ଓଡ଼ିଆ ସ୍ଵାର୍ଥ ବିରୁଦ୍ଧରେ କାମ କରିଛନ୍ତି, ଯାହାର ପ୍ରାମାଣିକ ପ୍ରତିବେଦନ ମୁଁ ବହୁପୂର୍ବରୁ ପ୍ରକାଶ କରିଛି  । ଏବେ କନକନିଉଜ ପ୍ରତିବେଦିତ ଏକ ପ୍ରାମାଣିକ ବୃତ୍ତଚିତ୍ର ଏଠାରେ ଦେବି । ସୌମ୍ୟବାବୁ ନବୀନଙ୍କ ପୋଷାମାନିଲା ପରେ ଏହି ବୃତ୍ତଚିତ୍ରକୁ କନକ ନିଉଜ ଲୁଚେଇ ଦେଲାଣି ; ମାତ୍ର ମୁଁ ତାର ଏକ ନକଲ କରିଥିଲି ବୃତ୍ତିସ୍ଵାର୍ଥରେ, ଯାହା ମୁଁ ଲୋକସ୍ଵାର୍ଥରେଏଠାରେ ରଖିବାକୁ ଯାଉଛି ।

ତହିଁରୁ ଆପଣ ଜାଣିବେ, ଆମ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟକୁ ନଷ୍ଟ କରୁଥିବା ଲୋକଙ୍କ କାଠପିତୁଳା ଭାବେ କାମ କରୁଛନ୍ତି । ସେ ଯେପରି ଏହାଙ୍କୁ ନଚାନ୍ତି, ଏ ସେପରି ନାଚନ୍ତି । ତେଣୁ, ଜଗନଙ୍କ ସହ ଏହାଙ୍କ ଆଲୋଚନା ଯଦି ସିଧା ପ୍ରସାରିତ ନହୁଏ, ଓଡ଼ିଆ ସ୍ଵାର୍ଥର ସେହି ଛଦ୍ମ ଘାତକ ଏହାଙ୍କୁ ଯାହା ମୁଖସ୍ଥ କରାଇଥିବେ ବା ପଢିବାକୁ ଦେଇଥିବେ, ଏ ତାହା ହିଁ କହିବେ । ଓଡ଼ିଆ ଜାତି ତଦ୍ଦ୍ଵାରା ହୁଏତ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇପାରେ ।

ଏହି ସମ୍ଭାବ୍ୟ ବିପଦର ପ୍ରତିକାର ପାଇଁ ସେ ସିଧା ପ୍ରସାରଣ ଶୈଳୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ।

ଏବେ ଦେଖନ୍ତୁ ଏହାଙ୍କ କରବାରର ପ୍ରାମାଣିକ ବୃତ୍ତଚିତ୍ର :

କିଶୋର ରଥଙ୍କ ତିରୋଧାନ , ବିଶ୍ଵାସ ନହେଉଥିବା ଏକ ଦୁଃଖଦ ସତ୍ୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏହା ହିଁ ସତ୍ୟ ଯେ, ବ୍ୟଙ୍ଗଚିତ୍ର ଜଗତର ସୃଜନଶୀଳ ବିପ୍ଳବୀ କିଶୋର ରଥ ଆଉ ଜୀବନରେ ନାହାନ୍ତି । ଏହାଠୁ ବଳି ଦୁଃଖଦ ଖବର ଏଇକ୍ଷଣି ମୋ ପାଇଁ ଆଉ କିଛି ନାହିଁ । ସେ କେବଳ ରାଜନୈତିକ, ଅର୍ଥନୈତିକ, ସାମାଜିକ ବିଡମ୍ବନା ଉପରେ ବ୍ୟଙ୍ଗାତ୍ମକ କଟାକ୍ଷପାତ କରୁଥିଲେ, ତା ନୁହେଁ , ବିପଦକବଳିତ ମଣିଷକୁ ଆଶାଭରସାଦାୟକ ଉଦ୍ବୋଧନ ବି ଦେଉଥିଲା ତାଙ୍କ ତୁଳିକା ।

କରୋନାକବଳିତ ଜାତି ପାଇଁ ତାଙ୍କ ଏ ଚିତ୍ରଟି ଦେଇଥିବା ବାର୍ତ୍ତା ସତେ ଅବା ଅମୃତ ବରଷି ଥିଲା ।

ସେ ଜଣେ ଗଡ଼ଜାତିଆ ଥିଲେ ଓ ସେଥିପାଇଁ ସ୍ଵଭାବତଃ ବେଶ୍ ହସଖୁସିଆ ଓ ଗାଁ ରସିଆ ବି ଥିଲେ । ଖଣ୍ଡପଡ଼ା ମାଟିର ମୌଲିକ ଢୁମ୍ପା ବାଦ୍ୟକୁ ଏବ ସମାଜର ସାମ୍ନାକୁ ଆଣିବା ପାଇଁ ତାଙ୍କ ଉଦ୍ୟମ ଥିଲା ଅବିସ୍ମରଣୀୟ ।

ଗତମାସରେ ଦୂର ଦର୍ଶନ ମାଧ୍ୟମରେ ଢୁମ୍ପା ପରିବେଷଣ କରାଇ ତାହା ସେ ଫେସବୁକ ମଞ୍ଚରେ ନିଜ କାନ୍ଥରେ ସ୍ଥାପିତ କରିଥିଲେ । ସହୋଦରା ORISSA MATTERS ସେହି କାନ୍ଥରୁ ତାକୁ ଆପଣାଇଛି । ସେ କେତେ ପ୍ରଣୋଚ୍ଛଳ ଥିଲେ ଜାଣିବା ପାଇଁ ତାହା ଏଠି ଉପସ୍ଥାପିତ କରି ମୁଁ ତାଙ୍କୁ ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି ।