ତିନି ବିବାଦୀୟ କୃଷି ବିଧାନକୁ ପ୍ରତ୍ୟାହାର କରି ଜନମତ ଲୋଡ଼ାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କୃଷକମାନେ ବିରୋଧ କରୁଥିବା ତିନୋଟିଯାକ କୃଷି ବିଧାନକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ମୋଡି ତହିଁ ଉପରେ ଜନମତ (referendum) ନିର୍ଣୟ କରନ୍ତୁ ଓ ତାଙ୍କ ଯଦ୍ଦୃଚ୍ଛାଚାର ହେତୁ ଭାରତର ଗଣତନ୍ତ୍ର ଯେପରି ତାର ପରିଚୟ ହରାଇବା ଆଡ଼େ ପ୍ରଧାବିତ ହେଉଛି ତହିଁରେ ଗରି ଲଗାନ୍ତୁ ।

ଆନ୍ଦୋଳନରତ କୃଷକମାନେ କୃଷକ ନୁହନ୍ତି , ଦଲାଲ ବୋଲି ମୋଦିଆନମାନେ ଯେଉଁ ପ୍ରଚାର ଚଳାଇଛନ୍ତି ତାହା ବନ୍ଦ ହେବା ଦରକାର ।

ଏହି ତିନୋଟିଯାକ ବିଧାନ ଯେତେବେଳେ ଦେଶର ସମଗ୍ର କୃଷକ ସମାଜକୁ ପ୍ରଭାବିତ କରିବା ସୁନିଶ୍ଚିତ , ସେତେବେଳେ ସବୁ ରାଜ୍ୟଗୁଡ଼ିକର ଭାଷାରେ ଏହି ବିଧାନମାନେ ଉପଲବ୍ଧ ହୋଇ କୃଷକ ଓ କୃଷିଜୀବୀ ସମୁଦାୟକୁ ସେମାନଙ୍କ ଅନୁଧ୍ୟାନ , ଅନୁଶୀଳନ ପାଇଁ ସୁଯୋଗ ମିଳିବା ଦରକାର ଏବଂ ଏହା ପରେ ଏହି ତିନି ବିଧାନ ଉପରେ ସେମାନଙ୍କ ମତଦାନ ପାଇଁ ଆହ୍ଵାନ ଦିଆଯିବା ଦରକାର ।

ଏପରି ନ କରି ସାଧାରଣ ଚାଷୀ ପାଇଁ ଅବୋଧ୍ୟ ଭାଷା ଓ କିଟିମିଟିଆ କାଇଦାରେ ତିଆରି ଶାବ୍ଦିକ ଇନ୍ଦ୍ରଜାଲକୁ ଆଇନ ରୂପରେ ସେମାନଙ୍କ ଉପରେ ନଦିଦିଆଯିବା ପ୍ରଧାନମନ୍ତ୍ରୀ ଓ କ୍ଷମତାସୀନ ଦଳର ଅବିମୃଷ୍ୟକାରୀତା ଭିନ୍ନ କିଛି ବି ହୋଇନପାରେ । ଭିନ୍ନ ଭାବେ କହିଲେ ଏହା ହିଁ ଦେଶଦ୍ରୋହ; କାରଣ ଦେଶର ଅନ୍ନଦାତାମାନଙ୍କ ପ୍ରତି ପ୍ରଶାସନିକ ପ୍ରତାରଣାକୁ ଦେଶଦ୍ରୋହ ଭିନ୍ନ ଅନ୍ୟ କୌଣସି ସଜ୍ଞା ପ୍ରଦାନ କରିହେବନି ।

ଗୋଟିଏ ରାଜନୈତିକ ଅର୍ଥନୀତି ବିରୁଦ୍ଧରେ ଅନ୍ୟ ରାଜନୈତିକ ଅର୍ଥନୀତିର ପ୍ରତିଦ୍ୱନ୍ଦିତା ନ ହୋଇ ଏକା ରାଜନୈତିକ ଅର୍ଥନୀତି ଆଧାରିତ ବହୁ ଦଳଙ୍କ ଭିତରେ ଯେଉଁ ନିର୍ବାଚନ ପ୍ରତିଦ୍ୱନ୍ଦିତା ହେଉଛି ତାହା କ୍ଷତିକାରକ ଅର୍ଥନୀତିର ବିଲୋପ କରୁନାହିଁ । ମନମୋହନ ସିଂହ ଚଳାଇଥିବା ଅର୍ଥନୀତି ଭାରତକୁ ଉଜାଡ଼ି ଦେଲା ପରେ ଲୋକେ ତାଙ୍କୁ ବିତାଡ଼ିତ କଲେ; କିନ୍ତୁ ସେହି ଏକା ଅର୍ଥନୀତିର ଗୋଟେ ଉଦଗ୍ର କାର୍ଯ୍ୟନିର୍ବାହୀ ଦଳକୁ କ୍ଷମତାକୁ ଆଣିଲେ, ଠିକ୍ ଯେମିତି ଗୋଟେ ଜିଅନ୍ତା ମାଛ ତତଲା ତାଉଆରୁ ଡେଇଁ ଚୁଲିରେ ପଡ଼େ । ଅତଏବ, ଦୁଇ ପ୍ରତିଦ୍ଵନ୍ଦୀ ଅର୍ଥନୀତିରୁ କୌଣସି ଗୋଟିକର ନିର୍ବାଚନ ପାଇଁ ଆମ ଜନସାଧାରଣଙ୍କୁ କୌଣସି ସୁଯୋଗ ନଦେଇ ଜନଦ୍ରୋହୀ ଅର୍ଥନୀତିର ଉଦଗ୍ର କାର୍ଯ୍ୟନିର୍ବାହୀ କ୍ଷମତା ଦଖଲ କରୁଛନ୍ତି ଓ ଲୋକେ ମହର୍ଗରୁ ଯାଇ କାନ୍ତାରରେ ପଡ଼ୁଛନ୍ତି । ଏହି କନ୍ତାର କବଳରେ କୃଷକମାନେ ବର୍ତ୍ତମାନ ଆର୍ତ୍ତନାଦ କରିବାରେ ଲାଗିଛନ୍ତି ।

ଯେହେତୁ ମନମୋହନ ସିଂହଙ୍କ ଅପଶାସନ ବିରୁଦ୍ଧରେ ପ୍ରବଳ ପ୍ରତିକ୍ରିୟା ହିଁ ନରେନ୍ଦ୍ର ମୋଦିଙ୍କୁ ପାର୍ଲିଆମେଣ୍ଟରେ ପାଶବିକ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି, ସାନି ନିର୍ବାଚନ ପୂର୍ବରୁ ଯେ ଲୋକେ ତାଙ୍କ କବଳରୁ ମୁକ୍ତ ହେବେ ତାହା କୁହାଯାଇପରିବନି । ଅଦାଲତ ମାଧ୍ୟମରେ ହେଉ ବା ପୋଲିସ-ମିଲିଟାରୀ ବଳ ପ୍ରୟୋଗ ଦ୍ଵାରା ହେଉ ବା ଅମୋଘ ଅସ୍ତ୍ର ମାଧ୍ୟମରେ ହେଉ, ଏହି କୃଷକ ଆନ୍ଦୋଳନକୁ ଯଦି ଭାଙ୍ଗିଦିଆଯାଏ , ତେବେ ଭାରତର ସାଧାରଣତନ୍ତ୍ର ସେହି ବିପତ୍ତି ଆଡ଼କୁ ଠେଲି ହୋଇଯିବ, ଯେଉଁ ବିପତ୍ତିର ସମ୍ଭାବ୍ୟ ରୂପରେଖ ଦେଇଥିଲେ ଆମ୍ବେଦକର ଚିଠା ସମ୍ବିଧାନର ତୃତୀୟ ପଠନ ବେଳେ, ବିତର୍କର ଉତ୍ତରରେ । ସେ କହିଥିଲେ ଧନୀମାନଙ୍କ ଉତ୍ପାତ ଯଦି ବନ୍ଦ କରା ନଯାଏ, ଧନତନ୍ତ୍ରର ଶିକାର ହୋଇଥିବା/ ହେଉଥିବା ଭାରତର ଜନସାଧାରଣ ବହୁ କଷ୍ଟ ଅର୍ଜିତ ସାଧାରଣତନ୍ତ୍ରକୁ ଧ୍ଵଂସ କରିଦେବେ । ମନେହୁଏ, ଏହା ହିଁ ଅବଶ୍ୟମ୍ଭାବୀ ।

ଏହା ନ ହେଉ ବୋଲି ଯଦି ପ୍ରଧାନମନ୍ତ୍ରୀ ମୋଦି ଚାହାନ୍ତି, ତେବେ କଣ୍ଠୀୟ କେଳାଖେଳ (wordy acrobatics) ପରିତ୍ୟାଗ କରି ତିନି ବିବାଦୀୟ କୃଷି ବିଧାନକୁ ଭାରତର ସବୁ ପ୍ରାନ୍ତୀୟ ଭାଷାରେ ଅନୁଦିତ କରି ତହିଁ ଉପରେ ପ୍ରଥମେ ଜନମତ (referendum) ନିର୍ଣୟ କରନ୍ତୁ । ଓ ତଦନୁଯାୟୀ କୃଷି ଆଇନ ସଂଶୋଧିତ ବା ପୁନଃ ପ୍ରଣୀତ ହେଉ । 

ପରୀ ପାଇଁ ନାଟକ ନ କରୁଥିଲେ ଆଇନ ସଂଶୋଧନ ପାଇଁ ମୋଦିଙ୍କୁ କହୁ ବିଜେପି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

“ବିନା ମେଘେ ବର୍ଷି ପରାଇ କୁଳିଶ” ବୋଲି କବିବର ରାଧାନାଥ ରାୟ ପୋଲିସର ଯେଉଁ ସଜ୍ଞା ନିରୂପଣ କରିଥିଲେ, ତାହାକୁ ଭୁଲ ବୋଲି କେହି କେବେ କହିନି । ପୋଲିସ ହାଜତ ମୃତ୍ୟୁ ଘଟାଇ ପାରେ, ଯେମିତି ପୁରୀର କେ ରମେଶ ଘଟଣାରେ ଘଟିଛି । ପୋଲିସ ହତ୍ୟାକାରୀକୁ ଘଣ୍ଟ ଘୋଡେଇ ପାରେ, ଯେମିତି କେନ୍ଦ୍ରାପଡ଼ାର ରଞ୍ଜନ କୁମାର ଦାସଙ୍କ କ୍ଷେତ୍ରରେ ଘଟିଛି । ପୋଲିସ ମିଛ ସାକ୍ଷୀ ଯୋଗାଡ଼ କରି ନ୍ୟାୟ ଶାସନର କଣ୍ଠରୋଧ କରିପାରେ ଯେମିତି ଅଧ୍ୟାପକ ବାଉରିବନ୍ଧୁ ସାହୁଙ୍କ ଆପାତତଃ ହତ୍ୟା ଘଟଣାରେ ଘଟିଥିଲା । ଏହି ତୃତୀୟ ପଦକ୍ଷେପ ପୋଲିସ ପାଇଁ ସବୁଠୁ ନିରାପଦ ।

ଏହା କିପରି ଜାଣିବା ପାଇଁ ଅଧ୍ୟାପକ ବାଉରିବନ୍ଧୁ ସାହୁଙ୍କ ଘଟଣା ଉପରେ ଦୃଷ୍ଟି ପକାଯାଇପାରେ । ବିଶ୍ୱବିଦ୍ୟାଳୟକୁ ଖବର ମିଳିଥିଲା ଯେ, ବ୍ରହ୍ମପୁର ସହର ପାଖର ଦୁରା କଲେଜରେ କୌଶଳ କ୍ରମେ ପରୀକ୍ଷାକେନ୍ଦ୍ର କରାଯାଇଛି, କାରଣ ସେଠାରେ ନିର୍ବାଧ କପି କାରବାର ପରିସର ଅଛି । ଏହି କେନ୍ଦ୍ର ସ୍ଥାପନାରେ  ବିଶ୍ବବିଦ୍ୟାଳୟର ତିନି ଜଣ ଅଧ୍ୟାପକ ଜଡ଼ିତ ଥିବା ଜଣା ପଡିଲା ପରେ ପରୀକ୍ଷା ନିୟନ୍ତ୍ରକ ସେଠାରୁ ପରୀକ୍ଷା କେନ୍ଦ୍ର ଉଠାଇ ଦେଇ ସମ୍ପୃକ୍ତ ପରୀକ୍ଷାର୍ଥୀମାନଙ୍କୁ ଗୋପାଳପୁର କଲେଜକୁ ପଠାଇଦେଲେ ଓ ଖଲିକୋଟ ସାନ୍ଧ୍ୟ କଲେଜରେ ଥିବା ଅଧ୍ୟାପକ ସାହୁଙ୍କୁ ପରୀକ୍ଷା ତତ୍ତ୍ବାବଧାରକ କରି ଗୋପାଳପୁର ପଠାଇଲେ । ସେ ଦାୟିତ୍ଵ ନ ନେବା ପାଇଁ ତାଙ୍କ ଉପରେ ଯେଉଁମାନେ ଚାପ ପକାଇଥିଲେ ସେମାନେ ସମତାଳରେ ଧମକ ବି ଦେଇଥିଲେ ଯେ, ଯଦି ସେ ସେଠାକୁ ଯାଆନ୍ତି ତେବେ ଜୀବନ ହରାଇବେ । ସତକୁ ସତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା, କାରଣ ଚାପ ପାଖରେ ସେ ମୁଣ୍ଡ ନୋଇଁଲେ ନାହିଁ ।

ସାରା ରାଜ୍ୟ ପଡ଼ିଲା ଉଠିଲା । ପୋଲିସ ଦାଏର କଲା ମକଦ୍ଦମା । ଅଦାଲତରେ ଅଭିଯୁକ୍ତମାନେ ଖଲାସ ହେଲେ, କାରଣ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ସାବ୍ୟସ୍ତ ହୋଇପାରିଲାନାହିଁ ।

କୌତୁହଳର କଥା, ସାହୁଙ୍କୁ ଆକ୍ରମଣ କରାଇଥିବା କପି-କାରବାରରେ ଲିପ୍ତ ଅଧ୍ୟାପକମାନେ କାଳକ୍ରମେ ବିଶ୍ବବିଦ୍ୟାଳୟର କୁଳପତି ପଦ ମଣ୍ଡନ କରିଥିଲେ । କାରଣ ପୋଲିସ ସେହି ଅପରାଧର ଉପଯୁକ୍ତ ତଦନ୍ତ କରିନଥିଲା । କରିଥିଲେ, ଯାହା ଘଟିଲା ତାହା ଘଟିନଥାନ୍ତା । 

ଘଟଣାଟି ୧୯୮୬ର । ଏପରି ହିଁ ହୋଇଥାଏ ବହୁ ସ୍ଥାନରେ । ତେବେ ଏହି ଘଟଣାର କଣ ଏପରି ବୈଶିଷ୍ଟ୍ୟ ଯେ, ପ୍ରାୟ ୩୫ ବର୍ଷ ପରେ ମୁଁ ତାହାର ଅବତାରଣା କରୁଛି?

ବୈଶିଷ୍ଟ୍ୟ ହେଲା, ଏହି ଘଟଣାର ଯିଏ ବିଚାର କରୁଥିଲେ ସେ ଯାହା ସ୍ଵୀକାର କରିଥିଲେ ସେପରି ସ୍ବୀକାରୋକ୍ତି କୌଣସି ବିଚାରକ ପ୍ରାୟତଃ ଦିଅନ୍ତିନାହିଁ ।

ଶ୍ରୀମତୀ ମାଧୁରୀ ପଟ୍ଟନାୟକ ଥିଲେ ଏହି ଘଟଣାର ବିଚାରକର୍ତ୍ତ୍ରୀ । ସେ କହିଥିଲେ , “ମୁଁ ଦୁଃଖିତ ଯେ, ସରକାରୀ ସାକ୍ଷୀମାନେ ପୋଲିସ ପାଖରେ ଦେଇଥିବା ବୟାନକୁ ସତ ବୋଲି ସ୍ଵୀକାର କରିନଥିବା ହେତୁ ଜଣେ କର୍ତ୍ତବ୍ୟପରାୟଣ ଅଧ୍ୟାପକଙ୍କ ଉପରେ ହୋଇଥିବା ଜଘନ୍ୟ ଆକ୍ରମଣ ବିରୁଦ୍ଧରେ କୌଣସି ଦଣ୍ଡବିଧାନ ମୋ ପକ୍ଷେ ସମ୍ଭବ ହେଲାନାହିଁ ।“ (I regret that an innocent lecturer is brutally assaulted by the culprits. But, as the prosecution witnesses turned hostile, I am compelled to leave the heinous crime unpunished.)

ଏହା ସୁଚାଏ ଯେ, ଅପରାଧୀକୁ ରକ୍ଷା କରିବା ପାଇଁ ପୋଲିସ ଅସତ୍ୟ ବୟାନ ତିଆରି କରେ ଓ ଯେଉଁମାନେ ଅଦାଲତରେ ଏହି ଅସତ୍ୟ ବୟାନକୁ ସତ୍ୟ ବୋଲି କହିଥାନ୍ତେ ସେମାନଙ୍କୁ ବତାଇଥାଏ ବିଚାରପତିଙ୍କ ପାଖରେ ନିଜ ନିଜ ବୟାନକୁ ଅସ୍ଵୀକାର କରିବାକୁ ।

ବୟାନ ବଦଲାଉଥିବା ସରକାରୀ ସାକ୍ଷୀ ବା ମିଛ ସାକ୍ଷୀ ଯୋଗାଡ଼ କରିଥିବା ତଦନ୍ତକାରୀ ପୋଲିସ ବିରୁଦ୍ଧରେ ଯଦି ଅପରାଧୀର ସହାୟକ ସାଜିଥିବା ହେତୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା ନ ହୁଏ, ସମାଜ ଅପରଧମୁକ୍ତ ହେବା ଅସମ୍ଭବ । ଭାରତୀୟ ଦଣ୍ଡ ସଂହିତାରେ ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଏକାନ୍ତ ଜରୁରୀ  ଆବଶ୍ୟକ ।

ନୟାଗଡ଼ର ପରୀ ହତ୍ୟାକାଣ୍ଡକୁ ନେଇ ହଟଚମଟ ଚଳାଇଥିବା ଭାରତୀୟ ଜନତା ପାର୍ଟି ଏଥିପାଇଁ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ କହିବେ କି? ଉପରୋକ୍ତମତେ ଆଇନ ସଂଶୋଧନ ନହେଲେ, ଏସଆଇଟି ହେଉ କି ସିବିଆଇ , ଯେଉଁ ଅପରାଧୀ ଅଦାଲତରେ ପେଷ୍ ହେବ, ସେ ପୋଲିସ ଦିଆ ମିଛ ସାକ୍ଷୀ ହେତୁ ବା ସରକାରୀ ସାକ୍ଷୀଙ୍କ ବୟାନବଦଳା ହେତୁ ଅଦାଲତରୁ ଛାଡ଼ପାଇଯିବେ , ଯେମିତି ଅଧ୍ୟାପକ ସାହୁଙ୍କ କ୍ଷେତ୍ରରେ ଘଟିଥିଲା ଓ ଅଧିକାଂଶ କ୍ଷେତ୍ରରେ ଘଟୁଛି ।