ଓଡ଼ିଶାରେ ମାଫିଆରାଜ୍: ଶନିପୂଜାରେ ନିହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳିମାଡ଼ର ରହସ୍ୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚ୍ଛାତିକୁ ଗୁଳି ମାରିଥିବା ତଳିଆ ପୋଲିସ କର୍ମଚାରୀ କୌଣସି ମାନସିକ ଚାପରେ ଥିଲେ ବୋଲି ସାଧାରଣରେ ଧାରଣା ସୃଷ୍ଟି କରିବାକୁ ଓଡ଼ିଆ ଟିଭି ଚ୍ୟାନେଲମାନେ ଯେଉଁ ରଡ଼ି ପକାଇ ଚାଲିଛନ୍ତି ତାହା ସେମାନେ ବନ୍ଦ କରିବା ଉଚିତ । ଅସଲ ଅପରାଧୀ ନିଶ୍ଚୟ ଖୁବ୍ ଶକ୍ତିଶାଳୀ, ଯାହା ଭୟରେ ମନ୍ତ୍ରୀ ନବ କିଶୋର ଦାସ ମହାରାଷ୍ଟ୍ରର ଏକ ଶନିମନ୍ଦିରକୁ କୋଟିଏ ଟଙ୍କା ମୂଲ୍ୟର ସୁନା କଳସ ଗତ ୨୧ ତାରିଖରେ ଦେଇଥିଲେ ଓ ଭରତର ବିଭିନ୍ନ ଶନି ମନ୍ଦିରରେ ଶନି ଅଭିଷେକ କରୁଥିଲେ ।

କିଏ ଏହି ଛଦ୍ମ ଅପରାଧୀ ତାହା ନବଙ୍କ ପରିବାର ଓ ତାଙ୍କୁ ଶନି ପୂଜା ପାଇଁ ପରାମର୍ଶ ଦେଇଥିବା ଗ୍ରହବିପ୍ର ନିଶ୍ଚୟ ଜାଣିଥିବେ ।

ଜଣେ ତଳିଆ ପୋଲିସ କର୍ମଚାରୀ ମୁଣ୍ଡରେ ଅଠା ବୋଳିବା ପରିବର୍ତ୍ତେ ପୋଲିସ ଏହି  ଶନି ପୂଜାର ରହସ୍ୟ ଭେଦ କରୁ ।

ନବ ଦାସଙ୍କ ପରିବାର ଓ ତାଙ୍କୁ ଶନିପୁଜା ପାଇଁ ପରାମର୍ଶ ଦେଇଥିବା ଗ୍ରହବିପ୍ର (ଜ୍ୟୋତିଷ) ମୁହଁରୁ କିପରି ସତ ଓଗାଳିହେବ ମୁଖ୍ୟମନ୍ତ୍ରୀ ତାହା ଦେଖନ୍ତୁ । ମନ୍ତ୍ରୀଙ୍କୁ ଦେଖିବାକୁ ଆପୋଲୋ ଡାକ୍ତରଖାନାକୁ ଯାଇଥିବାର ପ୍ରଚାର ଅପେକ୍ଷା ଏହା ଅଧିକ ଜରୁରୀ । ଭୁଲିଗଲେ ଚଲିବ ନାହିଁ ଯେ, ଏପରି ଗୁଳିମାଡ଼ ଖାଇବାରେ ନବୀନଙ୍କ ଏହି ମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ପ୍ରଥମ ମନ୍ତ୍ରୀ । ଏହି ଗୁଳିକାଣ୍ଡ ସାବ୍ୟସ୍ତ କରିଛି ଯେ, ଏବେ ଓଡ଼ିଶାରେ ମାଫିଆରାଜ୍ ଚାଲିଛି । 

ସାଧାରଣତନ୍ତ୍ର : ସାଧାରଣଲୋକଙ୍କ ସ୍ଵର -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ପଣ୍ଡ ହୋଇସାରିଛି । କାରଣ, ଶାସନତନ୍ତ୍ର ଆଉ ସାଧାରଣ ଲୋକଙ୍କ ହାତରେ ନାହିଁ । ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୋଲିସ ସିପାହୀ ପର୍ଯ୍ୟନ୍ତ ସମସ୍ତେ ଆମ ମାଲିକ । ଯେଉଁ ଉଦ୍ଦେଶ୍ୟରେ ଦେଶ ସ୍ଵାଧୀନ ହୋଇଥିଲା ତାହା ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ହୋଇ ରହିଲାନି । ଏପରିଭାବେ ଏକ ସାଧାରଣତନ୍ତ୍ର ଆମକୁ ମିଳିଲା ଯେ, ଅପରାଧୀର ମୌଲିକ ଅଧିକାର ରକ୍ଷା କରିବା ନ୍ୟାୟାଳୟର କର୍ତ୍ତବ୍ୟ ହୋଇପଡ଼ିଥିବା ବେଳେ ରାଷ୍ଟ୍ରର ମୌଲିକ ଅଧିକାର ଅବିଚାର୍ଯ୍ୟ ହୋଇ ରହିଛି, ଯାହାକୁ Directive Principles of State Policy ବୋଲି ସମ୍ବିଧାନ ଚିହ୍ନଟ କରି, ସାଧାରଣତନ୍ତ୍ର ଗୋଡ଼ରେ ଯେଉଁ ଟାଙ୍ଗିଆ ମାରିଛି ତାହା ଆମ ସ୍ୱାଧିନତାର ସବୁ ସ୍ଵପ୍ନକୁ ସବୁଦିନ ପାଇଁ ଉଜାଡ଼ି ଦେଇଛି । ଭୋଟ ଦେବା ଆଉ ଟିକସ ଦେବା – ଏହି ଦୁଇଟି ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣଲୋକଙ୍କୁ ବଞ୍ଚାଇରଖିଛି ଶାସନ ବ୍ୟବସ୍ଥା । ଏହା ଏତେ ସତ୍ୟ ଯେ, ପ୍ରମାଣ ପ୍ରଦାନ ଅନାବଶ୍ୟକ । ଏହି ସ୍ଥିତିରେ ସାଧାରଣ ମଣିଷ କ’ଣ ଚିନ୍ତା କରୁଛି?

ହଜି ଜେଇଥିବା ଆମ ଜାତୀୟ ସ୍ଵପ୍ନର ଏହି ସ୍ମାରକୀ ଦିବସରେ ମୁଁ ଦୁଇଜଣ ସାଧାରଣ ମଣିଷର ମନକଥା ଏଠାରେ ଉଦ୍ଧୃତ କରିବି । ପୂର୍ବରୁ ଭାଇ ଅମୀୟ କୁମାର ପ୍ରଧାନଙ୍କ  ମନକଥା ରଖିଛି, ଏବେ ଭବନୀପାଟଣାର ଅଧିବକ୍ତା , ଭାଇ ସନ୍ତୋଷ କୁମାର ମିଶ୍ରଙ୍କ ଏକ କବିତା । ଯିଏ ଯେପରି ଗ୍ରହଣ କରୁ ।

 

 

ସତରେ
ସମୟର ଗତି
ଖୁବ ପ୍ରଖର
ଦେଖୁ ଦେଖୁ
ପାଳିବାକୁ ହୁଏ
ସାଧାରଣତନ୍ତ୍ର ଦିବସର
ଚଉସ୍ତରୀ ତମ ଜନ୍ମ ଜୟନ୍ତୀ,
ଇଂରେଜର
ପରାଧୀନତାରୁ ମୁକୁଳି
ରାଜତନ୍ତ୍ର ବନ୍ଧନର
ଶିକୁଳି ଫିଟେଇ
ସ୍ୱାଧୀନ ରାଷ୍ଟ୍ରରେ
ମୁଣ୍ଡ ଟେକି
ଯେଉଁମାନେ କହିଥିଲେ
ଦେଶ ହେଲା ଗଣତନ୍ତ୍ର
ସେମାନେ ଆଉ ନାହାନ୍ତି l

ସେ ଦିନ
ହଟି ଯାଇଥିଲା
ଜାତି ଧର୍ମ ବର୍ଣ୍ଣ,
ଗୋଟିଏ ସ୍ୱରରେ
କହି ପାରୁଥିଲେ
ମଣିଷ ଜାତି
ମାନବ ଧର୍ମ l

ରାଜତନ୍ତ୍ରରେ
ଚାରି ଜାତି
ଶୁଦ୍ର ବୈଶ୍ୟ ବ୍ରାହ୍ମଣ କ୍ଷତ୍ରିୟ,
ମୋ ଜେଜେବାପା ବାପା କହିଥିଲେ
ଯୁଦ୍ଧ ଓ ସଂଘର୍ଷର ବନ୍ୟାରେ
ଭାସି ଯାଇଥିଲେ ବହୁ କ୍ଷତ୍ରିୟ,
ଆଉ
ଯେଉଁମାନେ ରହିଲେ,
ବିନା ବାସ୍ନାରେ କର୍ପୁର କହିଲେ l

ଆଜି
ଗଣତନ୍ତ୍ର ରାଷ୍ଟ୍ରରେ
ସମାଜ ସେବାର
ମୁକୁଟ ପିନ୍ଧି
କ୍ଷତ୍ରିୟର ଅଭିବୃଦ୍ଧି କରି
ବଢ଼ି ଯାଇଛନ୍ତି ନେତା,
ନିର୍ବାଚନର ହୁଙ୍କାରରେ
ଯୁଦ୍ଧଂ କହି
ଜଣେ ଜଣକୁ ପରାସ୍ତ କରି
ପାଲଟିଛନ୍ତି
ରାଜନେତା
ରାଜା ଭଳି ପୂଜା ପାଇ
ଜଣେ ଜଣେ
ଅଞ୍ଚଳର ବିଧାତା l

ବିଦ୍ୱାନ ପୁରୁଷ
ବ୍ରାହ୍ମଣ ଥିଲେ
ସରକାରୀ କର୍ମଚାରୀ
ବ୍ରାହ୍ମଣ ସାଜିଲେ
ଚୌକିକୁ ମୁଣ୍ଡିଆ ମାରିଲେ,
ବିଚାରପତି ପ୍ରାଧ୍ୟାପକ
ରୁଷି ମହର୍ଷି ହେଲେ
ତାଙ୍କ ଶିଷ୍ୟ ମାନେ
ଆଇନଜୀବୀ ଡାକ୍ତର
ଶିକ୍ଷକ କହିଲେ l

ପୋଲିସ ଓ ସାମ୍ବାଦିକ
ରାଜନେତାଙ୍କ ଦୂତ ପାଲଟିଲେ,
ଧନୀ ଶ୍ରେଣୀ
ବ୍ୟବସାୟ କଲେ
କ୍ଷତ୍ରୀୟକୁ କର ଦେଲେ,
ଶୁଦ୍ର ପାଲଟିଲେ ଗରିବ
ପେଟପାଇଁ ସହିବାକୁ ହେବ l

କୁହ ମାତୃଭୂମି
କୁହ ଗୋ ଜନନୀ
ମୁଁ
ସାଧାରଣ ବର୍ଗ
ଗରିବ,
କେଉଁ ଶ୍ରେଣୀରେ
ଅନ୍ତର୍ଭୂକ୍ତ କରିବ,
ମୋ ଚିତ୍କାରରେ
ନିଦ ଭାଙ୍ଗି ଗଲା,
ସ୍ବପ୍ନ ମୋତେ କହିଗଲା,
ଗଣତନ୍ତ୍ର ରାଷ୍ଟ୍ର ଏବେ
ରାଜତନ୍ତ୍ର ନୁହେଁ
ନେତାତନ୍ତ୍ର ହେବାକୁ ବସିଲା l

ସନ୍ତୋଷ ମିଶ୍ର,

 

 

 

ସାଧାରଣତନ୍ତ୍ର : ସାଧାରଣଲୋକଙ୍କ ସ୍ଵର -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ପଣ୍ଡ ହୋଇସାରିଛି । କାରଣ, ଶାସନତନ୍ତ୍ର ଆଉ ସାଧାରଣ ଲୋକଙ୍କ ହାତରେ ନାହିଁ । ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୋଲିସ ସିପାହୀ ପର୍ଯ୍ୟନ୍ତ ସମସ୍ତେ ଆମ ମାଲିକ । ଯେଉଁ ଉଦ୍ଦେଶ୍ୟରେ ଦେଶ ସ୍ଵାଧୀନ ହୋଇଥିଲା ତାହା ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ହୋଇ ରହିଲାନି । ଏପରିଭାବେ ଏକ ସାଧାରଣତନ୍ତ୍ର ଆମକୁ ମିଳିଲା ଯେ, ଅପରାଧୀର ମୌଲିକ ଅଧିକାର ରକ୍ଷା କରିବା ନ୍ୟାୟାଳୟର କର୍ତ୍ତବ୍ୟ ହୋଇପଡ଼ିଥିବା ବେଳେ ରାଷ୍ଟ୍ରର ମୌଲିକ ଅଧିକାର ଅବିଚାର୍ଯ୍ୟ ହୋଇ ରହିଛି, ଯାହାକୁ Directive Principles of State Policy ବୋଲି ସମ୍ବିଧାନ ଚିହ୍ନଟ କରି, ସାଧାରଣତନ୍ତ୍ର ଗୋଡ଼ରେ ଯେଉଁ ଟାଙ୍ଗିଆ ମାରିଛି ତାହା ଆମ ସ୍ୱାଧିନତାର ସବୁ ସ୍ଵପ୍ନକୁ ସବୁଦିନ ପାଇଁ ଉଜାଡ଼ି ଦେଇଛି । ଭୋଟ ଦେବା ଆଉ ଟିକସ ଦେବା – ଏହି ଦୁଇଟି ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣଲୋକଙ୍କୁ ବଞ୍ଚାଇରଖିଛି ଶାସନ ବ୍ୟବସ୍ଥା । ଏହା ଏତେ ସତ୍ୟ ଯେ, ପ୍ରମାଣ ପ୍ରଦାନ ଅନାବଶ୍ୟକ । ଏହି ସ୍ଥିତିରେ ସାଧାରଣ ମଣିଷ କ’ଣ ଚିନ୍ତା କରୁଛି?

ହଜି ଜେଇଥିବା ଆମ ଜାତୀୟ ସ୍ଵପ୍ନର ଏହି ଏହି ସ୍ମାରକୀ ଦିବସରେ ମୁଁ ଦୁଇଜଣ ସାଧାରଣ ମଣିଷର ମନକଥା ଏଠାରେ ଉଦ୍ଧୃତ କରିବି । ଯିଏ ଯେପରି ଗ୍ରହଣ କରୁ ।


ଜାନୁଆରୀ ୨୬ ! ସାଧାରଣ ତନ୍ତ୍ର ଦିବସ ।ଶୁଭେଚ୍ଛା ଛୁଅ ଛୁଟୁଛି ସମସ୍ତଙ୍କ ମୁହଁରୁ ।କିନ୍ତୁ ଭିତରେ ଭିତରେ କୋଉଠି ନା କୋଉଠି ଛାତି ଭିତରେ ଅଣ ନିଃଶ୍ୱାସ ଅନୁଭବ କରୁଛି ପ୍ରକୃତ ସ୍ଵାଧୀନତା । ଥରେ ନିଜ ବିବେକକୁ ପଚାରନ୍ତୁ।

୧) କେତେ ସ୍ଵାଧୀନ ଆପଣ ?
୨) ଆପଣଙ୍କ ମାତୃଭାଷାକୁ ନିୟନ୍ତ୍ରଣ କରୁଛି ବିଦେଶୀ ଭାଷା ।ସେଥିପାଇଁ ଗଣତନ୍ତ୍ର ଦିବସ କାହା ପାଟିରେ ପଶୁନି । କୁହା ଯାଉଛି HAPPY REPUBLIC DAY)
୩) ଘରେ ଓଡ଼ିଆ କହିଲେ ଆଧୁନିକା ମା ମାନେ ପିଲାକୁ ବାରଣ କରି କହୁଛନ୍ତି ଚୁପ୍ ( ଓଡ଼ିଆ କୁହନା, ହିନ୍ଦୀ ଓ English ଉଚ୍ଚାରଣରେ ଅସୁବିଧା ହେବ) !
୪) ଆପଣଙ୍କ ସଂସ୍କୃତି ଓ ପରମ୍ପରାକୁୁ ନିୟନ୍ତ୍ରଣ କରୁଛି ପାଶ୍ଚାତ ସଭ୍ୟତା (ଭଜନ ଜାଗା ନେଇଛି ହୁ ହା ହୋ ପପ୍ ଗୀତ !
୫) ଗୋ ମାତା ସେବା ଜାଗା ନେଇଛି ବିଦେଶୀ କୁକୁର ସେବା) !
୬) ଆପଣଙ୍କ ଖାଦ୍ୟ ପଦାର୍ଥକୁ ମୁଢ଼ି, ଚୁଡ଼ା କୁ ନିୟନ୍ତ୍ରଣ କରୁଛି ବିଦେଶୀ ଖାଦ୍ୟ (ପିଜା, ବର୍ଗର ..)!
୭) ଆପଣଙ୍କ ପୋଷାକକୁ ନିୟନ୍ତ୍ରଣ କରୁଛି ବିଦେଶୀ ପୋଷାକ (କୋର୍ଟ ଟାଇ ପରାକ୍ରମରେ ଧୋତି କୁର୍ତ୍ତା ଗାମୁଛା ହଜି ଗଲାଣି)!
୮) ଆପଣଙ୍କ ମଥାର ଚନ୍ଦନ ଟିପା ଜାଗା ନେଇଛି ବିଦେଶୀ ( ରଙ୍ଗ ବେରଙ୍ଗର ଟେଟୁ )!
୯) ଆପଣଙ୍କ ବେକରେ ଶୋଭା ପାଉଥିବା (ତୁଳସୀ ମାଳା ଜାଗା ନେଇଛି ବିଦେଶୀ ବ୍ରାଣ୍ଡ ଦାମୀ ଗହଣା)।
୧୦) ଆପଣଙ୍କ ପାଦରେ କାଠର କଠଉ ଜାଗା ନେଇଛି ବିଦେଶୀ ବ୍ରାଣ୍ଡ WOOD LAND SHOES
୧୧) ସଧବା ନାରୀର ହାତର ଶଙ୍ଖା ଚୁଡ଼ି ଜାଗା ନେଇଛି ଦାମୀ ବିଦେଶୀ ବ୍ରାଣ୍ଡ ଘଡି ।
୧୨) ମଥାର ସିନ୍ଦୂର ଟୋପା ଲଗେଇ ବାକୁ ଭୁଲି ଯାଉଛନ୍ତି ନବ ବିବାହିତ ବୋହୁ ମାନେ ।କାରଣ ଫେସନ୍ କବଳରେ ଆଧୁନିକ ପିଢ଼ି ।
୧୩) ହାତର ସୁଦଶା ବ୍ରତ କଥା ଭୁଲି ଗଲେଣି ।
୧୪) ଆପଣଙ୍କ ଖାଇବା ଆସନ ପିଢ଼ା ଜାଗା ନେଇଛି ବିଦେଶୀ DINNING TABLE.

ଏମିତି ଅନେକ କିଛି …. ଲମ୍ବା ତାଲିକା। ତେଣୁ ଏବେ ବି ଆମେ ପରାଧୀନ । ବାସ୍ କାଗଜ କଲମରେ ସ୍ଵାଧୀନ ।

ଭାବିଲି ଜେଜେଙ୍କୁ ପଚାରି ବୁଝିବି ସ୍ଵାଧୀନ ଓ ପରାଧୀନ ଭିତରେ ଥିବା ମଞ୍ଜି ରହସ୍ୟ ।
ଜେଜେ କହୁଥିଲେ ରାଜତନ୍ତ୍ର ଓ ଗଣତନ୍ତ୍ର ଭିତରେ ବେଶି ପାର୍ଥକ୍ୟ ନାହିଁ ।କେବଳ ଶାସକଙ୍କ ଚମଡା ବଦଳିଛି । ଗୋରା ଚମଡା ଜାଗାରେ କଳା ଚମଡା ହାତରେ କ୍ଷମତା ଅଛି । ପୂର୍ବରୁ ପ୍ରଜା ବେଠି ଖଟୁଥିଲେ ଓ ରାଜା କର ଉପଭୋଗ କରି ଇଂରେଜଙ୍କ ଚାମଚା ଗିରି କରି ଅୟାସ ଜୀବନ ବିତାଉ ଥିଲେ।ଆଜି ବି ପ୍ରଜା କଥା ବୁଝୁଛି କିଏ ? ଅମଲା ତନ୍ତ୍ର ଚାମଚା ଗିରି କରି କ୍ଷମତା ଲୋଭୀ ଶାସକଙ୍କୁ ନିୟନ୍ତ୍ରିତ କରି ଜନତାଙ୍କ ପିଠିରେ ଚାବୁକ ପ୍ରହାର କରୁଛନ୍ତି ।ପ୍ରଜା ସେତେବେଳେ ନିଷ୍ପେସିତ ଥିଲେ । ପ୍ରଜାର ଆଜି ବି ସେଇ ଅବସ୍ଥା । ଯୋଜନା ଉପରେ ଯୋଜନା ଚାଲିଛି ।ବାଟ ମାରଣ ହେଉଛି ଦଲାଲ୍ ସରକାରୀ ବାବୁ ଓ ନେତା ମାନଙ୍କ ପାଇଁ ।ଜେଜେ କହିଲେ ଗଣି ଗଣି ପ୍ରଜାଙ୍କ ତଣ୍ଟି ଚିପିବା ହେଉଛି ଗଣତନ୍ତ୍ର।
ସତ କହିବାକୁ ଗଲେ ଆମେ ପ୍ରକୃତ ଗଣତନ୍ତ୍ର ଠାରୁ ଖୁବ୍ ଦୂରରେ …
ଜେଜେ ବୁଢ଼ା ଙ୍କ ଉପଦେଶକୁ ନେଇ ଏ କବିତା ଟି ।

ଜନତାଙ୍କ ହାତରେ ଶାସନଡୋରି: ନେତାଜୀଙ୍କ ସ୍ଵପ୍ନ ଓ ତାର କ୍ରମପରିଣତି


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜିକୁ ୮୫ ବର୍ଷ ତଳେ, ୧୯୩୮ ଅକ୍ଟୋବର ୨୩ରେ ନେତାଜୀ ସୁଭାଷ ବୋଷ ସ୍ପଷ୍ଟ କରିଦେଇଥିଲେ ଯେ, ବିଦେଶୀ ଶାସନରୁ ସ୍ଵାଧୀନତା ପାଇବା ପାଇଁ ଅଧିକ କଷ୍ଟ ସହିବାକୁ ଓ ଅଧିକ ତ୍ୟାଗ କରିବାକୁ ଆମକୁ ପ୍ରସ୍ତୁତ ହେବାକୁ ହେବ । ସେ କହିଥିଲେ, ସ୍ଵାଧୀନତା ସଂଗ୍ରାମରେ କଙ୍ଗ୍ରେସ ହିଁ ସର୍ବାଧିକ ଆଖିଦୃଶିଆ ଭାରତୀୟଙ୍କ ରାଜନୈତିକ ଦଳ । ତେଣୁ ଏହି ଦଳର ନେତୃତ୍ଵରେ ଯେଉଁ ସ୍ଵାଧୀନତା ଆସିବ, ତାହା ସାଧାରଣ ଲୋକ ହାତକୁ କ୍ଷମତା ନଦେଇ ଆଖିଦୃଶିଆ ଭାରତୀୟମାନଙ୍କୁ କ୍ଷମତା ପ୍ରଦାନ କରିବ । ଏହାର ପ୍ରତିକାର ପାଇଁ କଂଗ୍ରେସର ସଭାପତିଭାବେ ସେ ତିନୋଟି କଥା କହିଥିଲେ: (୧) କଂଗ୍ରେସକୁ ଆଖିଦୃଶିଆ ଭାରତୀୟମାନଙ୍କ ସର୍ବବୃହତ ରାଜନୈତିକ ଦଳ କରି ନରଖି ସର୍ବଜନସଂଯୁକ୍ତ ସର୍ବବୃହତ ରାଜନୈତିକ ଦଳରେ ରୂପାନ୍ତରିତ କରିବାକୁ ହେବ, କାରଣ ତଦ୍ଦ୍ଵାରା କତିପୟ ଆଖିଦୃଶିଆ ଭାରତୀୟଙ୍କୁ ନୁହେଁ, ଭାରତର ସାଧାରଣ ଲୋକ ହାତକୁ ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଆସିବାର ପଥ ନିଷ୍କଣ୍ଟକ ହେବ ଏବଂ ଆଖିଦୃଶିଆ କତିପୟଙ୍କ ରାଜନୈତିକ କ୍ଷମତାର୍ଜନ ନୁହେଁ, ଭାରତୀୟ ଜନସମୁଦାୟଙ୍କ ସର୍ବାଙ୍ଗୀନ ସାମର୍ଥ୍ୟ ଅର୍ଜନ ହିଁ ହେବ ପ୍ରକୃତ ସ୍ଵାଧୀନତା; (୨) ଏହି ସାମର୍ଥ୍ୟ ହାସଲ ପାଇଁ ଶୃଙ୍ଖଳିତଜୀବନଧାରା ଅଭ୍ୟାସ କରାଯିବା ଆବଶ୍ୟକ ଏବଂ (୩) ଏଥିପାଇଁ ଅପରିହାର୍ଯ୍ୟ ହେଉଛି କଷ୍ଟବରଣ ଓ ଆତ୍ମତ୍ୟାଗ ପାଇଁ ନିର୍ବିଚଳିତ ପ୍ରସ୍ତୁତି (ନ୍ୟାସନାଲ ଫ୍ରଣ୍ଟ, ଭାଗ ୧ ସଂଖ୍ୟା ୩୬) ।

ମାତୃଭୂମି ପାଇଁ କଷ୍ଟବରଣ ଓ ଆତ୍ମତ୍ୟାଗ ପାଇଁ ନିର୍ବିଚଳିତ ପ୍ରସ୍ତୁତିର ରୂପକଳ୍ପ ଥିଲେ ନେତାଜୀ ସୁଭାଷ । ଏହି ସର୍ବଜନ ବିଦିତ ସତ୍ୟ ଉପରେ ସମୟ ଖର୍ଚ୍ଚ ନକରି ସେ ନିର୍ଦ୍ଦିଷ୍ଟ କରିଥିବା ତିନୋଟି କଥାରୁ ପ୍ରଥମଟିକୁ ମୁଁ ମୋ ବିବେଚନାର ମାନଦଣ୍ଡରେ ଦେଖିବି । ପ୍ରଥମଟି ପାଇଁ ହିଁ ଗାନ୍ଧୀଜୀଙ୍କ ସହ ତାଙ୍କ ମନ ଅମେଳ ହେଲା ଓ ପରିଣତିରେ ସେ ଭାରତ ଛାଡ଼ିଥିଲେ ।

ହରିପୁରା ଅଧିବେଶନରେ ସଭାପତି ନିର୍ବାଚିତ ହେବା ପରେ କଙ୍ଗ୍ରେସକୁ ଆଖିଦୃଶିଆ ରାଜନୈତିକ ବ୍ୟକ୍ତିମାନଙ୍କ ବଳୟରୁ ମୁକ୍ତ କରି ଭାରତର ତୃଣାମୂଳ ଜନସମାଜ ପାଖରେ ପହଞ୍ଚାଇ କ୍ଷମତା ଧାରଣ ପାଇଁ ସାମର୍ଥ୍ୟ ହାସଲର ପରିସରରେ ପହଞ୍ଚାଇବା ପାଇଁ ୧୯.୨.୧୯୩୮ରେ ସେ କହିଥିଲେ, “ଭାରତରୁ ଦାରିଦ୍ର୍ୟ ଦୂରୀକରଣ ହେବ ଆମର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଭୁସଂସ୍କାର ତ୍ୱରାନ୍ୱିତ କରବାକୁ ହେବ ଓ ଗାଁ ଗହଳର କୃଷକମାନଙ୍କୁ ଜମିଦାରମାନଙ୍କ ଦୌରାତ୍ମ୍ୟ ଓ ସାହୁ ମାହାଜନଙ୍କ ଋଣଯନ୍ତାରୁ ମୁକ୍ତ କରିବାକୁ ହେବ । ଶିଳ୍ପକୁ ରାଷ୍ଟ୍ରୀୟ ମାଲିକାନା ଓ ରାଷ୍ଟ୍ରୀୟ ପରିଚାଳନା ଅଧିନକୁ ଆଣିବାକୁ ହେବ ।” ଫଳରେ ରାଜନୈତିକ-ଅର୍ଥନୀତିର କ୍ଷମତା ଆସିବ ସାଧାରଣ ଲୋକଙ୍କ ହାତକୁ ଓ ସ୍ଵାଧୀନତା ସଂଗ୍ରାମ ଚାଲିଥିବା ବେଳେ ଏହି କ୍ଷମତାର ଉପଯୋଗ ପାଇଁ ସେମାନଙ୍କୁ ଶୃଙ୍ଖଳିତଜୀବନଧାରା ଅଭ୍ୟାସ କରାଇବାକୁ ହେବ ।

ଏହା ହୋଇଥିଲେ, ପ୍ରତି ଘରେ କଂଗ୍ରେସ ପହଞ୍ଚିଥାନ୍ତା, ପ୍ରତି ତୃଣମୂଳ ଭାରତୀୟ ଜାତୀୟ କଂଗ୍ରେସ ସହ ସାମିଲ ହୋଇପାରିଥାନ୍ତା, ଶ୍ରମମୂଲ୍ୟ ଲୁଣ୍ଠନ ତିଷ୍ଠିପାରିନଥାନ୍ତା । ଭାରତର ସାଧାରଣ ଲୋକେ ନିଜ ପରିଶ୍ରମରେ ନିଜ ଉପାର୍ଜନ ବୃଦ୍ଧି କରିଥାନ୍ତେ, ଅର୍ଥନୀତିରେ ଅଗ୍ରଗତି ପାଇଁ ଜନସାଧାରଣଙ୍କ ସର୍ବାଙ୍ଗୀନ ସାମର୍ଥ୍ୟ ବିକଶିତ ହୋଇଥାନ୍ତା । ସାଧାରଣ ଲୋକଙ୍କ ହାତକୁ ଆସିଥାନ୍ତା ଅର୍ଥନୀତିଭିତ୍ତିକ ରାଜନୈତିକ କ୍ଷମତା । ଏଥିପାଇଁ ଜମିଦାରୀ ଉଚ୍ଛେଦ ଓ ତଦନୁକୁଳ ଭୁସଂସ୍କାର ଅତ୍ୟାବଶ୍ୟକ ଥିଲା, ଯାହା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ କଂଗ୍ରେସକୁ ପ୍ରସ୍ତୁତ କରିବାକୁ ଚାହିଁଥିଲେ ନେତାଜୀ ।

ମାତ୍ର ଗାନ୍ଧୀଜୀ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ, “ଯେଉଁ ବ୍ୟକ୍ତି ନିଜ ହାତର ପେଶୀ ବଳରେ ଚାଷ କରୁଛି ସେ ଯେମିତି ଚାଷୀ , ଯିଏ ତା ଦ୍ଵାରା କାର୍ଯ୍ୟ କରାଇବା ପାଇଁ ବୁଦ୍ଧି ଓ ଯନ୍ତ୍ରପାତି ଖଟାଉଛନ୍ତି ସେ ମଧ୍ୟ ସେହିପରି ଚାଷୀ“ (ମହାତ୍ମା, ଭାଗ ୪ ପୃ ୨୪୨ ; ଡି ଜି ତେନ୍ଦୁଲକର) ।

ରାଜା ଜମିଦାରମାନେ ନେତାଜୀଙ୍କ ନୀତି ଘୋଷଣା ଦ୍ଵାରା ଚମକିପଡ଼ିଥିଲେ ଓ ସେହିମାନଙ୍କ ପ୍ରଭାବବଳୟରେ ଥିବା କଂଗ୍ରେସ ଦଳର ରକ୍ଷଣଶୀଳ ଗୋଷ୍ଠୀ ଉତ୍ଥାୟମାନ ଶିଳ୍ପପତିମାନଙ୍କ ସହ ହାତ ମିଳାଇ ସମାଜବାଦୀ ସୁଭାଷଙ୍କ ହାତରୁ ସଙ୍ଗଠନକୁ ଛଡାଇ ନେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପ୍ରତିବର୍ଷ କଂଗ୍ରେସର ସଭାପତି ବଦଳେ, କାର୍ଯ୍ୟକାରିଣୀ ତିଷ୍ଠି ରହି ନୂଆ ସଭାପତିଙ୍କୁ ସହଯୋଗ କରେ । ସୁତରାଂ ବର୍ଷ ଶେଷରେ ନେତାଜୀଙ୍କ ସ୍ଥାନରେ ନୂଆ ସଭାପତି ଭାବେ ସେମାନେ ନିଜକୁ ସୁହାଇବା ପରି ଜଣଙ୍କୁ ନିର୍ବାଚିତ କରିବାକୁ ସଜ ହୋଇଥିଲେ । ନୂଆ ସଭାପତି ନିର୍ବାଚନର ତାରିଖ ଥିଲା ୨୯.୧.୧୯୩୯ । କଂଗ୍ରେସର ପରମ୍ପରା ଅନୁଯାୟୀ ବିଦାୟୀ ସଭାପତି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ କରିବା କଥା । ସେହେତୁ ନିଜର ପରବର୍ତ୍ତୀ ସଭାପତି ପଦ ପାଇଁ ସମାଜବାଦର ଜଣାଶୁଣା ସମର୍ଥକ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ନାମ ପ୍ରସ୍ତାବ କରିଥିଲେ ନେତାଜୀ ।
ଗାନ୍ଧୀଜୀ ବିରୋଧ କଲେ । ପଟ୍ଟାଭି ସିତାରମେୟାଙ୍କ ନାମ ପ୍ରସ୍ତାବ କରିବାକୁ ସେ ନେତାଜୀଙ୍କୁ କହିଲେ । ପଟ୍ଟାଭି ଥିଲେ ରାଜନ୍ୟ ସ୍ଵାର୍ଥର ପ୍ରବକ୍ତା । ନେତାଜୀଙ୍କ ପକ୍ଷେ ତାହା କୌଣସି ପ୍ରକାରେ ବି ଗ୍ରହଣୀୟ ନଥିଲା । ଭାରତରେ ୬୫୦ ପାଖାପାଖି ରାଜା ଓ ୩୦୦୦ରୁ ଅଳ୍ପ ଅଧିକ ଜମିଦାର । ମୁଷ୍ଟିମେୟ ବ୍ୟତିକ୍ରମଙ୍କୁ ବାଦଦେଲେ ଏହି ରାଜା ଜମିଦାରମାନେ ନିଜ ନିଜ ସ୍ଵାର୍ଥ ପାଇଁ ଲୋକଙ୍କ ଉପରେ ଭୟଙ୍କର ଅତ୍ୟାଚାର ଚଳଉଥିଲେ । ପଟ୍ଟାଭିଙ୍କୁ କଂଗ୍ରେସର ସଭାପତି କରିଥିଲେ ଏହି ପ୍ରାୟ ୪୦୦୦ ରାଜା ଜମିଦାର ଓ ସେମାନଙ୍କ ପାଖଲୋକମାନଙ୍କ ପ୍ରଭାବ କବଳରୁ କଙ୍ଗ୍ରେସ ମୁକ୍ତ ହୋଇପାରିନଥାନ୍ତା କି ତାହା ନେତୃତ୍ୱରେ ସ୍ଵାଧୀନତା ଆସିଲେ ସାଧାରଣ ଜନତା ହାତକୁ ଶାସନ ଡୋରି ଆସିପାରିନାଥନ୍ତା । ତେଣୁ, ପଟ୍ଟାଭିଙ୍କୁ ନିଜର ଉତ୍ତରାଧିକାରୀ ଭାବେ ପ୍ରସ୍ତାବ କରିବା ନେତାଜୀଙ୍କ ପାଇଁ ଥିଲା ଅସମ୍ଭବ । ମାତ୍ର ଗାନ୍ଧୀଜୀ ଘୋଷଣା କଲେ ଯେ, କଂଗ୍ରେସ ସଭାପତି ପଦ ପାଇଁ ପଟ୍ଟାଭି ରୂପରେ ସେ ସ୍ଵୟଂ ହିଁ ପ୍ରାର୍ଥୀ । ଫଳରେ ନେତାଜୀଙ୍କ ପରବର୍ତ୍ତୀ ସଭାପତି ପଦ ପାଇଁ ପ୍ରାର୍ଥୀ ହେବାକୁ କେହି ସାହସ ବି କଲେ ନାହିଁ । ନେତାଜୀ ନିଜେ ଦ୍ଵିତୀୟବାର ପ୍ରାର୍ଥୀ ହେଲେ ଓ ପଟ୍ଟାଭି ଶୋଚନୀୟ ଭାବେ ପରାଜିତ ହେଲେ । ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ଲେଖିଲେ, “ପଟ୍ଟାଭି ହାରିନାହାନ୍ତି, ପ୍ରକୃତରେ ମୁଁ ହିଁ ହାରିଯାଇଛି ।”

ନୈତିକତଃ ଗନ୍ଧିଜୀଙ୍କୁ ପରାଭୂତ କରିଥିବା ନେତାଜୀଙ୍କ ଠାରୁ ଭାରତ କିନ୍ତୁ ପରବର୍ତ୍ତୀ କାଳରେ ଦିନକ ପାଇଁ ସେବା ପାଇପାଇବାର ସୁଯୋଗ ପାଇନଥିଲା । ଯେହେତୁ ସଭାପତି ବଦଳିଲା ବେଳେ କାର୍ଯ୍ୟକାରିଣୀ ବଦଳେନାହିଁ ଓ କାର୍ଯ୍ୟକାରିଣୀ ସହାୟତାରେ ନୂଆ ସଭାପତି ନିଜର ଦାୟିତ୍ଵ ନିର୍ବାହ କରନ୍ତି, ସେହେତୁ କାର୍ଯ୍ୟକାରିଣୀର ସଭ୍ୟମାନେ ଜଣକପରେଜଣେ କରି ସମସ୍ତେ ଇସ୍ତଫା ଦେଇ ନେତାଜୀଙ୍କ ପାଇଁ ଚରମ ସଙ୍କଟ ସୃଷ୍ଟିକଲେ । ଏହା ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ହୋଇଥିବା ବିଶ୍ଵାସ କରାଯାଏ ବୋଲି ଲେଖିଛନ୍ତି ତେନ୍ଦୁଲକର (ମହାତ୍ମା, ଭାଗ ୫, ପୃଷ୍ଠା ୪) । ଏହି ଅଭୂତପୂର୍ବ ସମସ୍ୟାର ସମାଧାନ ପନ୍ଥା ଖୋଜିବାକୁ ୧୦.୩.୧୯୩୯ତାରିଖରେ ତ୍ରିପୁରାରେ ବସିଲା କଂଗ୍ରେସ ଅଧିବେଶନ, ଯେଉଁଠି ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ପ୍ରସ୍ତାବ କ୍ରମେ କଂଗ୍ରେସ ତାର ସଭାପତି ସୁଭାଷ ଚନ୍ଦ୍ର ବୋଷଙ୍କୁ ନିର୍ଦ୍ଦେଶ ଦେଲା କି, ଗାନ୍ଧୀଜୀଙ୍କ ଇଚ୍ଛା ଓ ଅନୁମୋଦନ କ୍ରମେ ସେ ନୂଆ କାର୍ଯ୍ୟକାରିଣୀ ଗଠନ କରି ଦଳ ଚଳାଇବେ । ଜାଣିଲେ ଦୁଃଖ ଲାଗେ ଯେ, ଏହି ପ୍ରସ୍ତାବ ଗୃହୀତ ହେବା ବେଳେ ନେତାଜୀ ଶଯ୍ୟାଶାୟୀ ଥିଲେ ।

ସୁସ୍ଥ ହେବା ପରେ ସୁଭାଷ କଂଗ୍ରେସର କାର୍ଯ୍ୟକାରିଣୀ ଗଠନ ପାଇଁ ଗାନ୍ଧୀଜୀଙ୍କ ପରାମର୍ଶ ମାଗି ମାଗି ହତାଶ ହେଲେ । ଚାହିଁଥିଲେ ସେ ନିଜେ ନିଜ କାର୍ଯ୍ୟକାରିଣୀ ଗଠନ କରିପାରିଥାନ୍ତେ । ମାତ୍ର ତାହା କଲେ ନାହିଁ । ଯେଉଁ ଦଳର ସେ ସଭାପତି ସେହି ଦଳ ଗ୍ରହଣ କରିଥିବା ପ୍ରସ୍ତାବକୁ ଅମାନ୍ୟ କରିବେ କିପରି? କିଛି କରିନପାରି, ୨୯.୪.୧୯୩୯ରେ କାଳିକତାକୁ କଂଗ୍ରେସର ଅଧିବେଶନ ଡାକି ସେ ସଭାପତି ପଦରୁ ଇସ୍ତଫା ଦେଲେ । ରାଜନୈତିକ ସ୍ତରରେ ଶୃଙ୍ଖଳିତ ଜୀବନଧାରାର ଏହି ଯେଉଁ ଆଦର୍ଶ ସ୍ଥାପନ କଲେ ନେତାଜୀ ତାହା ଥିଲା ସମସ୍ତଙ୍କ ପାଇଁ କଳ୍ପନାତୀତ ଓ ତାହା ଏବେ ବି ସମସ୍ତଙ୍କ ପାଇଁ ଏକ ନାହିଁନଥିବା ଆଦର୍ଶ ।

ବିଦେଶୀ ହଟିଗଲେ ନିଜ ଅକ୍ତିଆରକୁ ଭାରତକୁ ଆଣି ତାକୁ ଉପଭୋଗ କରିବେ ବୋଲି ଯେଉଁ ସ୍ଵଦେଶୀ ଆଖିଦୃଶିଆ କତିପୟ ସେଦିନ ନେତାଜୀଙ୍କୁ ଇସ୍ତଫା ଦେବାକୁ ଏପରି ବାଧ୍ୟ କରିଥିଲେ, ସେହିମାନଙ୍କ ହେତୁ ଭାରତର ସାଧାରଣ ଜନତା ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଲାଭରୁ ବଞ୍ଚିତ ହୋଇଛି ।

ଏପରି ହେବ ବୋଲି ସ୍ଵୀକାର କରିଥିଲେ ସମ୍ବିଧାନ ପ୍ରଣୟନ ସଭାରେ ଅଧ୍ୟକ୍ଷତା କରୁଥିବା ରାଜେନ୍ଦ୍ର ପ୍ରସାଦ । ଏବଂ ଆମ୍ବେଦକର ବି କହିଥିଲେ, ଧନୀଲୋକେ ସମ୍ବିଧାନ ପ୍ରଣୟନ ସଭାରେ ରହିଥିବା ହେତୁ ସଂଖ୍ୟାଧିକ ମତାନୁସାରେ ଗୃହୀତ ଏହି ସମ୍ବିଧାନରେ ଏପରି ଅନ୍ତର୍ସଙ୍ଘାତ ରହିଛି, ଯାହା ସାଧାରଣତନ୍ତ୍ର ପାଇଁ ଆତ୍ମଘାତୀ ହେବାକୁ ବାଧ୍ୟ । ରାଜନୈତିକ ସ୍ତରରେ ସମାନ ଭୋଟାଧିକାର ଦେଇ ଆମେ ଏକ ରାଜନୈତିକ ସାମ୍ୟ ସୃଷ୍ଟିକରିଥିଲେ ମଧ୍ୟ ଅର୍ଥନୈତିକ ବୈଷମ୍ୟ କାଏମ ରଖିବାକୁ ବାଧ୍ୟ ହୋଇଛୁ । କିନ୍ତୁ ଆଶା ରଖିଛୁ, ଏହି ସାର୍ବଜନୀନ ଭୋଟ ବଳରେ ସାଧାରଣ ଜନତାଙ୍କ ପ୍ରତିନିଧି ସଂସଦକୁ ନିର୍ବାଚିତ ହୋଇଆସିବେ ଓ ଏହି ଅର୍ଥନୈତିକ ବୈଷମ୍ୟ ହଟାଇବାକୁ ସକ୍ଷମ ହେବେ । ଯଦି ତାହା ନହୁଏ, ଅର୍ଥନୈତିକ ବୈଷମ୍ୟର ଶିକାର ହେଉଥିବା ସାଧାରଣ ଲୋକେ ଏହି ଧନୀକସପକ୍ଷବାଦୀ ସାଧାରଣତନ୍ତ୍ରକୁ ଭାଙ୍ଗିଭୁଙ୍ଗି ଧ୍ଵଂସ କରିଦେବେ ବୋଲି କହିଥିଲେ ଆମ୍ବେଦକର ବିତର୍କର ଉତ୍ତର ଦେଇ । (ସମ୍ବିଧାନ ପ୍ରଣୟନ ସଭା ବିବରଣୀ, ଭାଗ ୧୧, ପୃଷ୍ଠା ୯୭୯)

ଲୋକେ ଏବେ କାକୁସ୍ଥ ଅବସ୍ଥାରେ ଅଛନ୍ତି । କାରଣ, ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଠୁଳ ହୋଇଛି ସେହି ଆଖିଦୃଶିଆ କତିପୟଙ୍କ ହାତରେ ।

ନେତାଜୀ ସୁଭାଷ ବୋଷ କଂଗ୍ରେସର ସଭାପତି ଭାବେ ୧୯୩୮ରେ ଯେଉଁ ଦିଗକୁ ଦେଶକୁ ନେବାକୁ ଚାହିଁଥିଲେ ତାହା କରାଇଦେଇନଥିବା ରକ୍ଷଣଶୀଳମାନେ କ୍ଷମତା ହାତେଇବା ନିଶାରେ ଗନ୍ଧିଜୀଙ୍କୁ ବି ଅପ୍ରାସଙ୍ଗିକ କରିଦେଇଥିଲେ । “ମୋର ମୋହଭଙ୍ଗ ହୋଇଛି” ବୋଲି କହିଥିଲେ ଗାନ୍ଧୀଜୀ ୨୬ ଜାନୁୟାରୀ ୧୯୪୮ ସନ୍ଧ୍ୟାରେ ତାଙ୍କ ପ୍ରର୍ଥନା ସଭାରେ (ମହାତ୍ମା, ଭାଗ ୮, ପୃଷ୍ଠା ୨୭୯) ।

ସମ୍ଭବତଃ ନେତାଜୀଙ୍କୁ ବାଧା ଦେଇଥିବା ହେତୁ ଗାନ୍ଧୀଜୀ ଶେଷମୂହୁର୍ତ୍ତରେ ପଶ୍ଚାତାପ କରୁଥିଲେ ଓ ସାଧାରଣ ଜନତା ହାତକୁ କ୍ଷମତା ଆସିବା ପାଇଁ ନେତାଜୀ ଦେଖିଥିବା ସ୍ଵପ୍ନ କିପରି ସାକାର ହୋଇପାରେ ସେଥିପାଇଁ ସମ୍ଭବତଃ ଗ୍ରାମସ୍ଵରାଜ୍ୟ ଉପରେ ଗୁରୁତ୍ଵ ଦେଉଥିଲେ ।

ଯଦି କଂଗ୍ରେସ ଦଳ ୧୯୩୯ରେ ନେତାଜୀଙ୍କ ସହ ଅସହଯୋଗ କରିନଥାନ୍ତା, ତେବେ ସ୍ଵାଧୀନତା ପରେ ଶାସନ ଡୋରି ରହିନଥାନ୍ତା ଆଖିଦୃଶିଆ କତିପୟଙ୍କ ହାତରେ, ରହିଥାନ୍ତା ଭାରତର ସାଧାରଣ ଜନତା ହାତରେ । ଭାରତର ସାଧାରଣତନ୍ତ୍ର ଧନତନ୍ତ୍ର ନହୋଇ ଗଣତନ୍ତ୍ର ହୋଇରହିପାରିଥାନ୍ତା ।

ନେତାଜୀଙ୍କ ପରାହତ ସ୍ଵପ୍ନ ତାଙ୍କୁ ହିଁ ଭାରତର ଏକମାତ୍ର ଅନାହତ ସ୍ଵପ୍ନରେ ରୂପାନ୍ତରିତ କରିଛି । ଏହି ସ୍ଵପ୍ନ ଯେପରି ସାର୍ଥକ ହୁଏ, ତାହା ଦେଖିବା ସବୁ ଦାୟିତ୍ଵସମ୍ପନ୍ନ ଭାରତୀୟଙ୍କ ଧ୍ୟେୟ ହେବା ଆବଶ୍ୟକ ।

 

ବିଜୁଙ୍କ ଡାକୋଟା : ପ୍ରଶ୍ନରେ ପାବକ କାନୁନଗୋ ଓ ପ୍ରହଲ୍ଲାଦ ସିଂହ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
 ଭୁବନେଶ୍ଵରରୁ ‘ସକାଳ’ ନାମକ ଏକ ଖବରକାଗଜ ବାହାରେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାଟୁକାରୀ କାଗଜ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟିହୋଇଛି । 

ଅବସରପ୍ରାପ୍ତ ଅଧ୍ୟାପକ ଡ. ପାବକ କାନୁନଗୋ ମୋର ଜଣେ ଏକାନ୍ତ ପ୍ରିୟ ସମ୍ପର୍କୀୟ ସାନ ଭାଇ ।  ଗାନ୍ଧୀବାଦୀ ପ୍ରହଲ୍ଲାଦ କୁମାର ସିଂହ ମଧ୍ୟ ମୋର ଏକାନ୍ତ ଶ୍ରଦ୍ଧାସ୍ପଦ ବନ୍ଧୁ । କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ପ୍ରବାଦ ପୁରୁଷ ବନାଇବାରେ ଯେଉଁ ମିଥ୍ୟାଚାରୀମାନଙ୍କ ହାତ ଅଛି, ସେହିମାନଙ୍କ ସହ ଏହି ଉଭାୟେ ଏହି ‘ସକାଳ’ କାଗଜ ମାଧ୍ୟମରେ ସାମିଲ ହୋଇଥିବା ଦେଖି ମୁଁ ଆଚମ୍ବିତ  ।

କାଗଜଟିର ଜାନୁୟାରୀ ୨୦ ସଂସ୍କରଣରେ ପାବକବାବୁ “ବିଜୁବାବୁଙ୍କ ସ୍ମୃତିର ଡାକୋଟା” ଶୀର୍ଷକରେ ଏକ ନିବନ୍ଧ ଲେଖିଥିବା ବେଳେ ପରଦିନର ସଂସ୍କରଣରେ ପ୍ରହଲ୍ଲାଦବାବୁ ଲେଖିଥିବା ନିବନ୍ଧର ନାମ “ସଂକଲ୍ପ, ସାଧନା ଓ ବିଜୁବାବୁଙ୍କ ଡାକୋଟା” ।

ନିଜ ନିଜ ପ୍ରବନ୍ଧରେ ଏହି ଉଭୟେ ବିଜୁଙ୍କ ଉପରେ ଏପରି କପୋଳକଳ୍ପିତ କାହାଣୀ ବାଢ଼ିଛନ୍ତି, ଯାହା ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିଆସିଥିବା କିମ୍ବଦନ୍ତୀମାନଙ୍କ ସହ ପ୍ରାୟତଃ ସମାନ । ଲୋକେ ଯେଉଁମାନଙ୍କୁ ବିଶ୍ବାସର ସହ ଚାହାନ୍ତି, କାରଣ ସେମାନେ ରାଜନୀତିରେ ନାହାନ୍ତି, ସେହିମାନେ ଯଦି ଓଡ଼ିଶାରେ ବିଜୁ ଭାଇରସ ଖେଳାଇବା ପାଇଁ କଲମ ଚାଳନା କରିବେ, ତେବେ ଓଡ଼ିଶାକୁ ନିର୍ଭୁଲ ଦିଗ୍ ଦର୍ଶନ ଦେବ କିଏ?  

ସୁଖର କଥା , ଗବେଷକ ଅନୀଲ ଧୀର ଏହି ଡାକୋଟା ଉପରେ ଓଟିଭିକୁ ଏକ ସାକ୍ଷାତକାର ଦେଇ  ବିଜୁଙ୍କ ଉପରେ ତିଆରି ହୋଇଚାଲିଥିବା କିମ୍ବଦନ୍ତୀ କିପରି ଭିତ୍ତିହୀନ ତାହା ଦର୍ଶାଇଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏହି ସାକ୍ଷାତକାରକୁ ଏଠାରେ ଦସ୍ତାବିଜଭୁକ୍ତ କରିବା ପାଇଁ ମୁଁ ସ୍ଥାନିତ କରୁଛି :

https://www.facebook.com/plugins/video.php?height=314&href=https%3A%2F%2Fwww.facebook.com%2Fotvkhabar%2Fvideos%2F717819956424285%2F&show_text=false&width=560&t=0

 

 

 

 

 

 

ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ: ବିଜୁ ଡାକୋଟା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କାଳେ ନେହେରୁଙ୍କ ତୃଟିବିଚ୍ୟୁତି ପଦାରେ ପଡ଼ିଯିବ , ଏହି ଭୟରେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଦେଶଦ୍ରୋହ ଅପରାଧରେ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଦଣ୍ଡବିଧି କାର୍ଯ୍ୟାନୁଷ୍ଠାନ କରିନଥିଲା । ଫଳରେ ତାଙ୍କ ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ – ତାଙ୍କ ଡାକୋଟା ଭିତରୁ ଗୋଟାଏ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ଓ ତାହାକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ପଲେ ଅଜ୍ଞ ତୋଷାମଦିଆଙ୍କ ମେଳରେ ଫୁଲ ଚନ୍ଦନ ଦେଇ ବନ୍ଦେଇଛନ୍ତି ରାଜ୍ୟର ଦେଶପ୍ରେମୀ ଚେତନାପ୍ରତି ଚପୋଟାଘାତ କରି, ମହାନ ଦେଶପ୍ରେମୀ ନେତାଜୀଙ୍କ ଜନ୍ମ ମାସର ୧୮ ତାରିଖରେ, ଅନ୍ତର୍ଜାତିକ ବିମାନବନ୍ଦରରେ ।

ସେ ଯେହେତୁ ମୁଖ୍ୟମନ୍ତ୍ରୀ, ବାପଙ୍କ ଦେଶଦ୍ରୋହକୁ ଲୁଚେଇରଖିବା ପାଇଁ ସରକାରୀ ଖର୍ଚ୍ଚରେ ଏପରି ନାଟକ କରାଯାଇଛି, ଯେପରି ଅଜ୍ଞ ଲୋକେ ଆଉ ଜାଣିପାରିବେ ନାହିଁ ଯେ, ଏହି ଡାକୋଟାକୁ ବ୍ୟବହାର କରି ୧୯୬୨ ଚୀନ ଯୁଦ୍ଧରେ ବିଜୁ ପଟ୍ଟନାୟକ ଆମକୁ ହାରିଯିବାକୁ ବାଧ୍ୟ କରିଥିଲେ । ଭାରତର ୧୧୦୦୦ ବର୍ଗ କିଲୋମିଟର ମାଟି ଚୀନ ଦଖଲକୁ ଚାଲିଗଲା , ଅଥଚ ଆମେ ସହିଯିବା ଭିନ୍ନ ଗତ୍ୟନ୍ତର ନଥିଲା । 

ବିଜୁଆ ଦେବାଶିଷ ନାୟକ ୨୦୧୪ ଜୁଲାଇରେ ବିଧାନସଭାରେ ଦାବିକରିଥିଲେ କି, ବିଜୁଙ୍କ ଡାକୋଟାକୁ କଲିକତାରୁ ଆଣି ରାଜ୍ୟ ସଂଗ୍ରହାଳୟ ପରିସରରେ ସ୍ଥାୟୀ ଭାବେ ରଖାଯାଉ । “It would be an insult to patriotism if Biju’s Dakota is preserved in Orissa museum” ଶୀର୍ଷକରେ ମୁଁ ତହିଁର ସପ୍ରମାଣ ବିରୋଧ କରିଥିଲି । ଫଳରେ ଏତେ ବର୍ଷ ଧରି କେହି ଆଉ ସେ ପ୍ରସଙ୍ଗ ଉଠାଇନଥିଲେ । 

ନିର୍ବାଚନ ଯେତେବେଳେ ପାଖେଇ ଆସୁଛି ଓ ଓଡ଼ିଆ ଭାଷା ବିରୁଦ୍ଧରେ ତାଙ୍କ ହୀନ ଷଡ଼ଯନ୍ତ୍ର ପଦାରେ ପଡ଼ି ସାରା ଓଡ଼ିଶାରେ ଧୀରେ ଧୀରେ ତାଙ୍କ ବିରୁଦ୍ଧରେ ଜନମତ ଘୂର୍ଣ୍ଣିବାତ୍ୟାର ରୂପ ନେବା ଏପରି ସ୍ପଷ୍ଟ ହୋଇଉଠୁଛି ଯେ ଅବଚେତନରେ ସେ ଚହଲୁଛନ୍ତି , ଯେତେବେଳେ  ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଧରି ସେ ସଂଗ୍ରହ କରିଥିବା ଶେଷ ପ୍ରସଂଶାପତ୍ରର ତୁଚ୍ଛତା ଲୋକେ ଜାଣିସାରିଛନ୍ତି, ଯେତେବେଳେ ହକି ଚହକ ବିରୁଦ୍ଧରେ ରାଜକୋଷର ବର୍ବାଦିକରଣର  ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ ପାଇଁ ସଚେତନ ଜନସମାଜ ଉଦ୍ୟମ ଆରମ୍ଭ କରିଛି, ଯେତେବେଳେ ଜଣକପରେଜଣେ କର୍ମଚାରୀଙ୍କ ସମ୍ପତ୍ତି ଯାଞ୍ଚ ତାଙ୍କ ସରକାରର କଳାକାର୍ନାମାକୁ ସାବ୍ୟସ୍ତ କରିଚାଲିଛି, ଯେତେବେଳେ ମିସନଶକ୍ତି ଭସ୍ମାସୁର ପରି ତାଙ୍କ ମୁଖ୍ୟମନ୍ତ୍ରିତ୍ଵକୁ ଗିଳିଦେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି, ସେତେବେଳେ ବୁଡ଼ିଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲାପରି ସେ ଓ ତାଙ୍କ ଚାଟୁକାର ପଲ ବିଜୁଙ୍କ ଡାକୋଟାକୁ ଫୁଲ ଚନ୍ଦନ ଦେଇ ବନ୍ଦେଇ ଅଜ୍ଞ ଲୋକଙ୍କୁ ଭୁଆଁ ବୁଲେଇବାକୁ ସାନି ଉଦ୍ୟମ ଆରମ୍ଭ କରିଛନ୍ତି । 

ଅକୁହା କଥା (The Untold Story) ବହିରେ ଜେନରେଲ ବି. ଏମ୍. କାଉଲ ଯାହା ଲେଖିଛନ୍ତି ତହିଁରୁ ମନେହୁଏ, ଚୀନ ଆକ୍ରମଣ କଥା ବିଜୁଙ୍କୁ ଆଗରୁ ଜଣାଥିଲା । କାରଣ ସେ ତାଙ୍କପାଖରେ ପହଞ୍ଚି, ନେଫା ସୀମାନ୍ତରେ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଠିକା ନେଇଥିବା କଥା କହି, ତାଙ୍କ କଳିଙ୍ଗ ଏୟାର ଲାଇନ୍ସକୁ ଅଧିକ ଡାକୋଟା କିଣିବା ପାଇଁ ପ୍ରତିରକ୍ଷା ବିଭାଗ ଆର୍ଥିକ ସାହାଯ୍ୟ ଦେବାକୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । କାଉଲ ସୁପାରିଶ କରିଥିଲେ । ମାତ୍ର ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନ ସେହି ସୁପାରିଶକୁ ପ୍ରତ୍ୟାଖ୍ୟାନ କରିଦେଇ ବିଭାଗୀୟ ବିମାନରେ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ଵ ଦେଇଥିଲେ । ଶିବଙ୍କ ସାପକୁ ଯେପରି ଗରୁଡ଼ କାବୁକରିପାରେନି, ସେମିତି ନେହେରୁଙ୍କ ବାହୁଛାୟା ତଳେ ଥିବା ବିଜୁଙ୍କ ଠିକାକୁ ଅଟକାଇବା କାହା ପକ୍ଷେ ସମ୍ଭବ ନଥିଲା । ଆମ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ଠିକା ନେଇ, ସେ ସୈନ୍ୟମାନଙ୍କ ସାମଗ୍ରୀକୁ ନେଫାରେ ନ ପକାଇ ଚୋରାବଜାରରେ ବିକିଦେଲେ । ଜେନରେଲ କାଉଲ ତାଙ୍କ ବହିର ୨୦୨-୩ ପୃଷ୍ଠାରେ ଲେଖିଛନ୍ତି, “ସୀମାନ୍ତରେ ଥିବା ଆସାମ ରାଇଫଲ ବାହିନୀକୁ ଯୁଦ୍ଧ ସାମଗ୍ରୀ ଓ ଶୀତବସ୍ତ୍ର ଯୋଗାଇ ହେଲା ନାହିଁ   ବୋଲି ଯେତେବେଳେ ଆଗକୁ ମାଡ଼ିଯିବା କଥା, ସେତେବେଳେ ଆମେ ଅଟକିଗଲୁ ।”

କେନ୍ଦ୍ରୀୟ ସରକାରୀ ହିସାବ କମିଟିଠୁ ଆରମ୍ଭ କରି କଳିଙ୍ଗ ଏୟାର ଲାଇନ୍ସର ଦୁର୍ନୀତି ଦୁରାଚର ଉପରେ ତଦନ୍ତ କରିଥିବା କାଟଜୁ କମିଟି ପର୍ଯ୍ୟନ୍ତ ଯେତେସବୁ ସିଦ୍ଧାନ୍ତରେ ପହଞ୍ଚିଥିଲେ ସେ ସବୁରେ ଭରିହୋଇରହିଥିଲା ଦେଶ ପ୍ରତି ବିଜୁଙ୍କ ପ୍ରତାରଣର ବହୁ ନଗ୍ନ ଚିତ୍ର । ସଂସଦରେ ବିତର୍କର ଲହଡ଼ି ଖେଳିଥିଲା । ଏହି ପ୍ରଚଣ୍ଡ ଦେଶଦ୍ରୋହର ପ୍ରମାଣ ନଷ୍ଟ କରିବା ପାଇଁ ସତେ ଅବା ଗୋଟାଏ ପରେ ଗୋଟେ ବିଜୁଙ୍କ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଓ ତହିଁର ଚାଳକମାନେ, ଯେଉଁମାନେ ସୈନ୍ୟଙ୍କ ସାମଗ୍ରୀ ଚୋରାବଜାରରେ ବିକ୍ରି ହେବାର ପ୍ରତ୍ୟକ୍ଷଦର୍ଶୀ, ତଦନ୍ତର ସମ୍ମୁଖୀନ ହେବାକୁ ଆଉ ତିଷ୍ଠି ନଥିଲେ । ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହର ମାମଲା ଚାଲିଲେ ନେହେରୁଙ୍କ ଦୁର୍ବଳତା ପଦାକୁ ଆସିବା ସୁନିଶ୍ଚିତ ଥିଲା । ତେଣୁ, କଂଗ୍ରେସ ସରକାର ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମକଦ୍ଦମା କଲାନାହିଁ । 

ଫଳରେ ପଲେ ତୋଷାମଦକାରୀ ଆଜି ତାଙ୍କୁ ପ୍ରବାଦ ପୁରୁଷ ସଜାଇ , ତାଙ୍କ ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ – ଏହି ଡାକୋଟାକୁ ଭୁବନେଶ୍ଵର  ଆଣି, ଓଡ଼ିଆ ଜାତିର ଲଜ୍ଜା ଉପରେ ପୁଷ୍ପବୃଷ୍ଟି କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ଏକ ବିଚାରବିଭାଗୀୟ ତଦନ୍ତ ଆବଶ୍ୟକ । ଏହି ଡାକୋଟା କିଏ କେଉଁ ଅବସ୍ଥାରେ କେଉଁଠୁ ଆଣି କଲିକତା ବିମାନବନ୍ଦରରେ କେଉଁ ତାରିଖରେ କେଉଁ ସର୍ତ୍ତରେ ରଖିଥିଲା – ତାହା ବି ତଦନ୍ତଭୂକ୍ତ ହେବା ଦରକାର । କାଟଜୁ କମିଶନ ଓ ସରକାରୀ ହିସାବ କମିଟିର ସିଦ୍ଧାନ୍ତ ସତ୍ତ୍ୱେ, କେଉଁ କାରଣ ହେତୁ, କାହା ଆଦେଶ ବଳରେ, ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧ ମକଦ୍ଦମା ହୋଇପାରିନଥିଲା ତାହା ବି ତଦନ୍ତଭୂକ୍ତ ହେବା ଦରକାର । 

ଓଡ଼ିଶାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଉପରୋକ୍ତ ଅସମାହିତ ରହସ୍ୟ ଯେଉଁ ସନ୍ଦେହ ଜାରିରଖିଛି, ତାହାର ପରିସମାପ୍ତି ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକ ବିଚାରବିଭାଗୀୟ ତଦନ୍ତ କମିଶନ ନିଯୁକ୍ତ କରିବା ଆବଶ୍ୟକ । କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବିଜୁଙ୍କ ପୁଅ ଭାବେ ମଧ୍ୟ ସେ ଚାହିଁବା ଉଚିତ ଯେ, ତାଙ୍କ ବାପା ସନ୍ଦେହମୁକ୍ତ ହୁଅନ୍ତୁ । ଯଦି ଏପରି ଏକ ବିଚାରବିଭାଗୀୟ ତଦନ୍ତ ପାଇଁ ନବୀନବାବୁ ଡରିବେ, ତେବେ ଇତିହାସ ଆଖିରେ ମଧ୍ୟ ବିଜୁ ପଟ୍ଟନାୟକ ଦୋଷୀ ହୋଇ ରହିଯିବେ ଚିରକାଳକୁ । ଏ ଡାକୋଟାକୁ ଫୁଲ ଚନ୍ଦନ ଦେଇ ଯେତେ ପୂଜିଲେ ମଧ୍ୟ ଏ କଳଙ୍କ ନିଭିବନି, କାରଣ ଏ ସନ୍ଦେହ କେବେ ତୁଟିବନି  ।