ଶ୍ରମିକର ସ୍ବପ୍ନ


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଇଚ୍ଛା ହେଉଥିଲା
ଚାହିଁବି ଆକାଶ ଆଡ଼େ,
ଆଖି ଫିଟିଲାନି ।୧।

ପ୍ରତିଦିନ ବଢ଼ିଚାଲୁଥିବା ବୟସର
ଗହନ ଅରଣ୍ୟରେ
ଲୁଚିରହିଥିବା
ଆଦ୍ୟ ଯୌବନର ସ୍ବପ୍ନ ପରି
ଫମ୍ପାବାଦଲରେ
ନିଭି, ଫୁଟି,
ନିଭି ନିଭି
ପୁନଶ୍ଚ ଫୁଟିଥିବା ଜହ୍ନରୁ
ଛିଟିକି ଆସୁଥିଲା ଜ୍ୟୋତ୍ସ୍ନା ।
ଇଚ୍ଛା ହେଉଥିଲା
ତା ଆଡ଼େ ଚାହିଁବି ।
ଆଖି ଫିଟିଲାନି ।୨ ।

ମୁକ୍ତ ବଜାରର
ଖାଉଟି ମୂଲ୍ୟସୂଚୀ ପରି
ନିଷ୍ଠୁର କ୍ଳାନ୍ତି
ଜମାଟ ବାନ୍ଧିଥିଲା ପକ୍ଷ୍ମରେ ।
ଯେତେ ଇଚ୍ଛାକଲେ ବି
ତାକୁ ହଟାଇ ହେଲାନି ।
ଆଖି ଫିଟିଲାନି ।୩।

ମରୁଡ଼ିକ୍ଳୀଷ୍ଟ ମାଟିର ତାତି
ଏବଂ
ଅନାହାର ନିପୀଡ଼ିତ
ମଣିଷର ହାହାକାର
ବିଧାନସଭାର ପଛଧାଡ଼ିଆ ସଭ୍ୟଙ୍କ
ନିର୍ବୋଧ, ନିରସ ଚିତ୍କାର ପରି
ପ୍ରସରିଯାଇ
ଆକାଶରେ ଭିଆଇଥିଲା
ପୁଳାଏ ଫମ୍ପା ବାଦଲ;
ଏବଂ
ତା’ର ଆଶ୍ଳେଷରେ
ଚନ୍ଦ୍ରସେଣାର ରାଧା ପରି
ଅତୃପ୍ତ ଉତ୍ତେଜନାରେ
ଅସ୍ଥିର ଜ୍ୟୋତ୍ସ୍ନା
ଲୁଚି ଛପି
ଚହଟି ଆସୁଥିଲା
ତଳକୁ ତଳକୁ ।୪।

ଇଚ୍ଛା ହେଉଥିଲା
ପଡ଼ିଆ ଉପରକୁ
ଧାଇଁଯିବି ।
ବର୍ଷା ହୋଇଥିଲେ
ଯେଉଁଠି
ଫସଲ ଥାଆନ୍ତା,
ସେଇଠିକୁ ।
ଏବଂ
ତତଲାମାଟିରେ ପିଠି ଚାପି
ଫୁଙ୍ଗୁଳା ଛାତି
ଦେଖାଇଦେବି ଉପରକୁ ।
ଜ୍ୟୋତ୍ସ୍ନା ସେଠି ଝରିବ ।
ପ୍ରକୃତିର ପ୍ରତାରଣାକୁ
ବେଖାତିର କରି
ସ୍ବପ୍ନ ପ୍ରସରିବ ।
କିନ୍ତୁ ହେଲାନି;
ଯେତେ ଇଚ୍ଛାକଲେ ବି
ଆଖି ଫିଟିଲାନି ।୫।

ଯେତେବେଳେ ଆଖି ଫିଟିଲା
ରାତି ନଥିଲା ।
ନଥିଲା ଜହ୍ନ ,
ଜ୍ୟୋତ୍ସ୍ନା ବି ନଥିଲା ।୬।

ଏଥର ଦିନ ହେବ ।
ଶ୍ରମ ବିକି ଚଳିବାକୁ ହେବ ;
ଶୋଷଣ ପାଖରେ ନୋଇଁବାକୁ ହେବ ମଥା ;
ଶୋଷଣକାରୀର ମୁଷ୍ଟିକ ଓ ଚାଣୁରମାନଙ୍କୁ
ମାନିବାକୁ ହେବ
ନେତା ଭାବେ,
ନିୟନ୍ତା ଭାବେ,
ନିର୍ଭାବେ ।୭।

ଏଵେ ଦିନ ହେବ।
ପ୍ରତିଟି ନିମିଷ ଝାଉଁଳିଯିବ
ଜଞ୍ଜାଳରେ ।
ଅନୁକ୍ତ ଅହମିକାରେ
ଅତୃପ୍ତ ବିଜିଗୀଷାରେ
ନିଜକୁ ନିଜେ ହଜାଇହେବ
ପରାଜୟର ଦାବାନଳରେ । ୮ ।

ଏବେ ଆଉ ସ୍ବପ୍ନ ପାଇଁ ସମୟ କାହିଁ?
କାହିଁ? । ୯ ।

ସ୍ବପ୍ନ କିନ୍ତୁ ସରିବନି ।
ସ୍ବପ୍ନ କେବେ ସରିପାରିବନି ।୧୦ ।

କେମିତି ସରିବ ସ୍ବପ୍ନ?
ସେ ଯେ ମୋର ଇସ୍ତାହାର
ଜୀବନର ଅଭିବ୍ୟକ୍ତନାର !
କେମିତି ସରିବ ସ୍ବପ୍ନ?
ସେ ଯେ ମୋର ଇସ୍ତାହାର
ଶେଷହୀନ ଅଜେୟ ସତ୍ତାର !୧୧।

ମୁଁ ତେଣୁ ଫେରିବି ଶୀଘ୍ର
ମୁକ୍ତ ବଜାରର ଦୁର୍ଗ
ଚୁରି ଚୁରି ଦୃପ୍ତ ପଦାଘାତେ
ଶେଷ କରି ଶ୍ରମର ଶୋଷଣ,
ଶେଷ କରି ନିଷ୍ଠୁର ଜଞ୍ଜାଳ,
ମୁଁ ନିଶ୍ଚେ ଫେରିବି ଶୀଘ୍ର
ଧ୍ବଂସ କରି
ପୁଞ୍ଜିବାଦୀ ସୈତାନର ଯେତେ ମାୟାଜାଲ । ୧୨ ।

ଭେଦଭାବ ଭରା ଦିନ
ସରିଯିବ,
ଆକାଶରୁ ଝରିବ ଜୋଛନା,
ସମୟର ସାନ୍ଦ୍ରତା
ଥିବ ଥିର;
ଥିର ଥିବ ଚଞ୍ଚଳ ଚେତନା । ୧୩ ।

ତା ପରେ ଆସିବ ସ୍ବପ୍ନ,
ମନ ଭରି ସ୍ବପ୍ନ ମୁଁ ଦେଖିବି ;
ବିଶ୍ବ ସହ ମିଶିଯିବି,
ତଥାପି ମୁଁ ମୋର ହୋଇ ଥିବି । ୧୪ ।

ତମେ ମୋର ହୋଇଯିବ,
ମୁଁ ହେବି ତମର ;
ଆମ ସହ ସାରା ବିଶ୍ବ ହେବ ଏକାକାର ;
ଶର୍ବରୀ ଶେଷରେ ଯେବେ
ନୂଆ ସୂର୍ଯ୍ୟ ଉଦେହେବ
ଦେଖିବ ସେ ଆମ ବିଶ୍ବେ
କେହି କା’ର ପର ନୁହେଁ
ସବୁ ଆପଣାର ।
ସ୍ବପ୍ନ ଏ ମୋ ଅଜେୟ ସତ୍ତାର,
ସ୍ବପ୍ନ ଏ ମୋ ଅଜେୟ ସତ୍ତାର । ୧୫ ।

 

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

Leave a comment