ମା ଧାନକୁଟୀ ପୁଅ ନାଗର : ସମ୍ବାଦ ସମ୍ପାଦକଙ୍କ ଆଗୁଆ ବିଚାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଦୈନିକ ଖବରକାଗଜ ‘ସମ୍ବାଦ’ର ମାଲିକ-ସମ୍ପାଦକ ବାବୁ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ କାଗଜର ପ୍ରଥମ ପୃଷ୍ଠାରେ ଆଜି ଯାହା ଲେଖିଛନ୍ତି, ତାର ଶିରୋନାମା ହେଲା “ପଛୁଆ ରାଜ୍ୟର ଆଗୁଆ ଚିନ୍ତା” । ଆଗାମୀ ପାଞ୍ଚ ବର୍ଷ ପାଇଁ “ପଛୁଆ ରାଜ୍ୟ ଓଡିଶା” ଭାରତୀୟ ପୁରୁଷ ଓ ମହିଳା ଉଭୟ ହକି ଦଳର “ପ୍ରଯୋଜକ ହେବ” ବୋଲି “ଗତ ୧୫ ତାରିଖରେ ନୂଆଦିଲ୍ଲୀର ଏକ ତାରକା ହୋଟେଲରେ ପୂର୍ବତନ ଓ ବର୍ତ୍ତମାନର ତାରକା ଖେଳାଳୀମାନଙ୍କୁ ନେଇ ଆୟୋଜିତ ଉତ୍ସବରେ ଭାରତୀୟ ହକି ସହ ଯେଉଁ ଚୁକ୍ତି ସ୍ବାକ୍ଷରିତ ହେଲା” ସେଥିପାଇଁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଓଡିଶା ପରି ଏକ “ପଛୁଆ ରାଜ୍ୟର ଏପରି ଆଗୁଆ ଚିନ୍ତା ନିଶ୍ଚୟ ଅଭିନନ୍ଦନୀୟ” ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ‘ଆମ ଘରର ହାଲଚାଲ’ରେ ।

ଗୋଟିଏ ଖବର କାଗଜ ଯେତେବେଳେ “ଆମ ଘର” ବୋଲି କହେ ସେତେବେଳେ କାଗଜଟି ଏକୁଟିଆ ତା ମାଲିକର ହୋଇରହେନାହିଁ ; ତାହା ହୋଇଯାଏ ସେହି କାଗଜକୁ ନିରୋଳା ପୃଷ୍ଠପୋଷକତା ଦେଉଥିବା ଅର୍ଥାତ୍ ଟଙ୍କା ପଇସା ଦେଇ ତାକୁ କିଣୁଥିବା ସମଗ୍ର ପାଠକ ସମାଜର । ସମ୍ବାଦକୁ ପଇସା ଦେଇ କିଣୁଥିବା ମୁଁ ଜଣେ ପାଠକ । ତେଣୁ “ଆମ ଘରର ହାଲଚାଲ”ରେ ମୁଁ ହଲଚଲ ହେବା ସ୍ବାଭାବିକ । କାରଣ ନବୀନ ପଟ୍ଟନାୟକଙ୍କ ଆତ୍ମପ୍ରଚାର ପାଇଁ ବା ବେପର୍ବାୟ ଖର୍ଚ୍ଚ କରି ନିଜକୁ ବହୁତ ବଡ଼ ଦେଖେଇହେବା ପରି ନବୀନଙ୍କ ମାନସିକ ରୋଗକୁ ଖୋରାକ ଯୋଗାଇବା ପାଇଁ ମୋ “ପଛୁଆ ରାଜ୍ୟ”ର ରାଜକୋଷ ଉଜାଡିଦିଆଯିବାକୁ ମୁଁ କେବେ ବି ସମର୍ଥନ କରିନପାରେ ।

ସୌମ୍ୟ ବାବୁ ଗୋଟିଏ ଅଗଧାଡ଼ିଆ ଖବରକାଗଜର ମାଲିକ ଓ ସମ୍ପାଦକ । ସେ ଲେଖିଛନ୍ତି “ଗତବର୍ଷ ଯେତେବେଳେ ଅନ୍ୟ ରାଜ୍ୟମାନେ (ହକି) ଖେଳ କାର୍ଯ୍ୟକ୍ରମ କରିବାରୁ ଓହରି ଗଲେ, ଓଡ଼ିଶା ଏ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ସାହସ କଲା ।” ଅନ୍ୟ ରାଜ୍ୟମାନେ କାହିଁକି ଓହରି ଗଲେ, ତାହା ଯଦି ସମ୍ବାଦ ସମ୍ପାଦକ ଆମକୁ କହିଥାନ୍ତେ ଓ କହିଥାନ୍ତେ ଏଥିରେ ଆମ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହେଲା, ଏବଂ ଅନ୍ୟ ରାଜ୍ୟମାନେ ନାରାଜ ହୋଇ କି କ୍ଷତି ସହିଲେ ଓ ଆମେ ରାଜି ହୋଇ କି ଲାଭ ପାଇଲୁ, ତେବେ ଆମ ରାଜ୍ୟ ପାଇଁ ଏକ ସାମ୍ବାଦିକୀୟ ଦାୟିତ୍ବ ସେ ତୁଲାଇପାରିଥାନ୍ତେ । ସେ କହିନାହାନ୍ତି, କାରଣ ତାହା ସେ ଆକଳନ କରିନାହାନ୍ତି ଓ ସେହେତୁ ତାହା ତାଙ୍କୁ ଜଣାନାହିଁ । ସୌମ୍ୟବାବୁଙ୍କର ଯଦି ସାମ୍ବାଦିକୀୟ ପ୍ରତିବଦ୍ଧତା ଥାଏ, ତେବେ, ଯେହେତୁ ସେ ପ୍ରସଙ୍ଗଟି ଉଠାଇ ଆମ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତଜିହ୍ଵ ହୋଇଉଠିଛନ୍ତି, ତହିଁର ନିର୍ଭୁଲ ଖର୍ଚ୍ଚ ବିବରଣୀ ସଂଗ୍ରହ କରି ତାଙ୍କୁ ପଇସାଦେଇ କାଗଜ କିଣୁଥିବା ଲୋକଙ୍କୁ ତୁରନ୍ତ ଅବଗତ କରାଇବା ଉଚିତ ଓ ଅନ୍ୟ ରାଜ୍ୟମାନଙ୍କ କୁଣ୍ଠା ସହ ଆମ ଦାତାକର୍ଣ୍ଣଙ୍କ ଦାନକୁ ମିଳାଇ ଆମ “ପଛୁଆ ରାଜ୍ୟ” ତଦ୍ଦ୍ଵାରା “ଆଗୁଆ ରାଜ୍ୟ” ବର୍ଗରେ ପହଂଚିପାରିଲା କି ନାହିଁ ତାହା ଓଡ଼ିଶାର ଜନସାଧାରଣଙ୍କୁ ଜଣାଇବା ଆବଶ୍ୟକ ।

ଆମ ଦାତାକର୍ଣ୍ଣ ଆଗାମୀ ପାଞ୍ଚବର୍ଷ ଯାଏଁ “ଭାରତୀୟ ହକି ଦଳର ପ୍ରଯୋଜକ” ହେବାକୁ ଓଡିଶାକୁ ଚୁକ୍ତିବଦ୍ଧ କରାଇଛନ୍ତି । ଦାତାକର୍ଣ୍ଣଙ୍କ ଏହି ଅବଦାନ କ୍ରୀଡା ଜଗତରୁ ଜାତିବାଦ ଦୂର କରିବ ବୋଲି ଯୁକ୍ତିବାଢ଼ି ସମ୍ବାଦ ସମ୍ପାଦକ ପୁନଶ୍ଚ କହିଛନ୍ତି ଯେ, ଏହାକୁ “ଦଳମତ ନିର୍ବିଶେଷରେ ଆମେ ସମସ୍ତେ ସ୍ଵାଗତ କରିବା କଥା ।” ଦାତାକର୍ଣ୍ଣ ନିଜ ପାଖରେଥିବା ବହୁକୋଟି ଟଙ୍କାରୁ ବା ତାଙ୍କ ପୈତୃକ ସମ୍ପତ୍ତିରୁ ଖର୍ଚ୍ଚ କରି ଆଗାମୀ ପାଞ୍ଚବର୍ଷ କାହିଁକି, ତାଙ୍କ ଶେଷ ନିଃଶ୍ବାସ ଯାଏଁ ଭାରତରେ ଯେଉଁଠି ଯେତେବେଳେ ହକି ଖେଳ ହେବ ତହିଁର “ପ୍ରଯୋଜକ” ସାଜିବାରେ ଆମର କିଛି ଆପତ୍ତି ନାହିଁ । କିନ୍ତୁ “ଆଗୁଆ ରାଜ୍ୟ”ମାନେ ପଛଘୁଞ୍ଚା ଦେଉଥିବା ବେଳେ ସୌମ୍ୟବାବୁଙ୍କ ଦାତାକର୍ଣ୍ଣ ଯଦି ଆମ “ପଛୁଆ ରାଜ୍ୟ”ର ନିଅଣ୍ଟିଆ ରାଜକୋଷ ଉଜାଡ଼ି ଆର୍ଥିକ କ୍ଷେତ୍ରରେ ଅଧିକ “ପଛୁଆ” ହୋଇ ପଡ଼ିରହିବାକୁ ଓଡ଼ିଶାକୁ ଚୁକ୍ତିବଦ୍ଧ କରିଥାନ୍ତି ତାକୁ ଆମେ ନିଶ୍ଚୟ ନିନ୍ଦା କରିବୁ ।

ପାଞ୍ଚବର୍ଷ ପାଇଁ ଏପରି ଏକ ଚୁକ୍ତି କରିବାକୁ ନବୀନ ପଟ୍ଟନାୟକ କିଏ ? ଏ ବର୍ଷ ନ ହେଲେ ଆସନ୍ତା ବର୍ଷ ଏଇ ଦିନକୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵର ଆୟୁଷ ଶେଷ । ତା ପରେ ସେ ଆଉ ଥରେ ବିଧାନସଭାକୁ ଆସିବେ କି ନାହିଁ ତାହା ଲୋକେ ଠିକ କରିବେ । ତେଣୁ ହକି କର୍ତ୍ତୃପକ୍ଷଙ୍କ ସହ ଆଗାମୀ ପାଞ୍ଚବର୍ଷ ପାଇଁ ସମସ୍ତ ହକି ଖେଳର ସମସ୍ତ ଖର୍ଚ୍ଚ ତୁଲାଇବାକୁ ଚୁକ୍ତି କରିବାକୁ ବିଦାୟମୁଖୀ ମୁଖ୍ୟମନ୍ତ୍ରୀଙ୍କର ନୈତିକ ଅଧିକାର କେଉଁଠୁ ଆସିଲା ? ସମ୍ବାଦ ସମ୍ପାଦକ ଏ ପ୍ରଶ୍ନ ନ ଉଠାଇ ଏପରି ଏକ ଅର୍ଥହାନୀକାରକ ଚୁକ୍ତି ହେତୁ “ଗର୍ବ” ପ୍ରକାଶ କରିଛନ୍ତି । କୌଣସି ଅନୁଚ୍ଚାରିତ ଅଭିସନ୍ଧି ହେତୁ ଚାଟୁକାରୀତା ପ୍ରଦର୍ଶନ ଯଦି ତାଙ୍କ ଅଗ୍ରଲେଖର ଅଭିପ୍ରାୟ ହୋଇନଥାନ୍ତା , ତେବେ ସେ ଦୁଇଟି ମଞ୍ଜ ତଥ୍ୟ ପ୍ରଦାନ କରିଥାନ୍ତେ : ପ୍ରଥମତଃ, ପାଞ୍ଚ ବର୍ଷ ଯାଏଁ “ଭାରତୀୟ ହକି ଦଳର ପ୍ରଯୋଜକ” ହୋଇ ଓଡିଶା କେତେ ଟଙ୍କା ଖର୍ଚ୍ଚ କରିବ ଓ ସେ ଟଙ୍କା କେଉଁ ସୂତ୍ରରୁ ଆଣିବ; ଦ୍ବିତୀୟତଃ, ସେଥିପାଇଁ କିଏ ପ୍ରସ୍ତାବ ଦେଲା, କିଏ ଗ୍ରହଣ କଲା ଓ ରାଜ୍ୟ ମନ୍ତ୍ରୀମଣ୍ଡଳ କେବେ କେଉଁ ପ୍ରସ୍ତାବରେ ଅନୁମୋଦନ ଦେଲା । ଓଡିଶା ନବୀନ ପଟ୍ଟନାୟକଙ୍କ ପୈତୃକ ସମ୍ପତ୍ତି ନୁହେଁ ଯେ, ସେ ଯାହା ଚାହିଁବେ ତାହା କରିଚାଲିବେ ଓ ତାଙ୍କ ଚାଟୁକାର ସାଜିଥିବା ଖବରକାଗଜ ମାଲିକ / ସମ୍ପାଦକମାନେ ସେ ବାବଦରେ ସାଧାରଣ ଲୋକଙ୍କ ଚିନ୍ତା ଓ ଚେତନାକୁ ନିଜ ବାକ୍ ଚାତୁରୀର ରାହୁଛୟା ତଳେ ଚାପି ରଖିବେ ।

ସାରା ଭାରତ ଜାଣେ ଓ ସମ୍ବାଦ ପରି ଖବରକାଗଜମାନେ ଜାଣନ୍ତି ଯେ, “ପଛୁଆ ରାଜ୍ୟ” ଭାବେ ଓଡିଶାକୁ ଦେଖାଇ ନବୀନ ପଟ୍ଟନାୟକ ବାରମ୍ବାର “ସ୍ବତନ୍ତ୍ର ରାଜ୍ୟ” ପାହ୍ୟା ଦାବି କରୁଛନ୍ତି । ନୂଆଦିଲ୍ଲୀର ତାରକା ହୋଟେଲରେ ହକି ପାଇଁ ଦାତାକର୍ଣ୍ଣ ସାଜି ପାଞ୍ଚ ବର୍ଷ ଯାଏଁ ଭାରତୀୟ ହକିର ପ୍ରଯୋଜକ ହେବାକୁ ଘୋଷଣା କରିବାର ଦିନକ ପରେ ଗତକାଲି ନୀତି ଆୟୋଗର ଉପସଭାପତି ରାଜୀବ କୁମାରଙ୍କ ପାଖରେ ନବୀନ ବାବୁ ନେହୁରା ହୋଇଛନ୍ତି ଅର୍ଥନୈତିକ ପଛୁଆ ବର୍ଗରେ ସ୍ବତନ୍ତ୍ର କେନ୍ଦ୍ରୀୟ ଦୟା ପାଇଁ । ଅବିଭକ୍ତ କୋରାପୁଟ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାଞ୍ଚଳରେ ସ୍ବତନ୍ତ୍ର ଯୋଜନାର ପୁନଃ ପ୍ରବର୍ତ୍ତନ, ପଛୁଆ ଅଂଚଳ ଉନ୍ନୟନ ପାଣ୍ଠି ପ୍ରଦାନ ଇତ୍ୟାଦି ରାଜ୍ୟ ସରକାରଙ୍କ ଅନୁରୋଧର ଅନ୍ତର୍ଗତ । ଆର୍ଥିକ ଦୁଃସ୍ଥିତି ଯେତେବେଳେ ଓଡ଼ିଶାର ଏକମାତ୍ର ପରିଚୟ , ସେତେବେଳେ ଆଗାମୀ ପାଞ୍ଚବର୍ଷ ଯାଏଁ “ଭାରତୀୟ ହକି ଦଳର ପ୍ରଯୋଜକ” ହେବାକୁ ନବୀନ ପଟ୍ଟନାୟକ ଏତେ ନସରପସର କାହିଁକି ?

ରାଜ୍ୟରେ ପଇସା ନାହିଁ ଯେ, ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ଯୋଗାଇ ହେଉନି ; ଶ୍ରେଣୀରେ ବସି ପାଠ ପଢିବାକୁ ଛାତ ଯୋଗାଇ ହେଉନି; ଶିକ୍ଷକଙ୍କୁ ଦରମା ଦେଇ ହେଉନି; ଡାକ୍ତରଖାନାକୁ ଔଷଧ ଯୋଗେଇ ହେଉନି; ଖାଲିପଡ଼ିଥିବା ପଦପଦବୀ ପୁରଣ କରିହେଉନି; ଶହେକେ ଅଶୀ ଲୋକ ଅର୍ଦ୍ଧାହାରରେ ଟଙ୍କିକିଆ ଚାଉଳ ଖାଇ ଢୋକେ ପିଇ ଦଣ୍ଡେ ଜୀଇ ଅବସ୍ଥାରେ ଅଛନ୍ତି ; ଖାଦ୍ୟାଭାବଜନିତ ସ୍ଵାସ୍ଥ୍ୟହାନୀ ଓ ଅକାଳ ମୃତ୍ୟୁ ତାଣ୍ଡବ ରଚୁଛି ଜନ୍ମରୁ ପାଞ୍ଚବର୍ଷ ବୟସର ଶିଶୁଙ୍କ ଜୀବନରେ ; ଚାଷ ପାଇଁ କରଜ କରି, ସରକାରୀ ପ୍ରବଂଚନା ହେତୁ କରଜ ଜାଲରେ ଛନ୍ଦି ହୋଇ ଚାଷୀ ଆତ୍ମହତ୍ୟା କରୁଛି ; ଫସଲର ଅଭାବୀ ବିକ୍ରିପାଇଁ ବାଧ୍ୟ ହେଉଛି; କରଜ କବଳରୁ ନିସ୍ତାର ପାଇଁ, ଦିନେ ଓଳିଏ ବଂଚି ରହିବା ପାଇଁ, ବଂଚେଇନପାରିବାର ଯନ୍ତ୍ରଣାରୁ ମୁକ୍ତି ପାଇଁ ମା ବିକିଦେଉଛି ତାର ପିଲାକୁ ; ଓଡ଼ିଶାର ଅଧିବାସୀମାନଙ୍କ ଠାରୁ ସଂଗୃହୀତ ବିରଳ ତାଳପତ୍ର ପୋଥି ସବୁକୁ ସରକାରୀ ମ୍ୟୁଜିଅମରେ ପୋକ ଖାଇଯାଉଛନ୍ତି ପାଣ୍ଠି ଅଭାବରୁ ମୁଦ୍ରଣ ହୋଇପାରୁନି ବୋଲି; ଗ୍ରାମାଞ୍ଚଳର ଖେଳାଳୀମାନେ ଉଧେଇପାରୁନାହାନ୍ତି ଖେଳପଡିଆ ଅଭାବରୁ ; ଅଥଚ ବଡ଼ ବଡ଼ ଧନୀ ପ୍ରଦେଶମାନେ ରାଜି ନହେଉଥିବାବେଳେ ଧନହୀନ ଓଡିଶାକୁ ପାଞ୍ଚ ବର୍ଷ ଯାଏଁ “ଭାରତୀୟ ହକି ଦଳର ପ୍ରଯୋଜକ” ହେବାକୁ ଚୁକ୍ତିବଦ୍ଧ କରାଇ ଓଡ଼ିଶାର ଅର୍ଥ ବରବାଦ କରିବା କେଉଁ ବୁଦ୍ଧିମତ୍ତାର ପରିଚୟ ?

ଓଡ଼ିଆରେ ଏକ ଢଗ ଅଛି । ତାହା ହେଲା “ମା ଧନକୁଟୀ , ପୁଅ ନାଗର । ରସ ସାଗର ।” ମା କୁଟୂତୁଣୀ ଭାବେ ଜୀବିକା ଅର୍ଜନ କରୁଥିବାବେଳେ, ସେହି ମାଆର କଷ୍ଟଲବ୍ଧ ଆୟକୁ ମନଇଛା ଖର୍ଚ୍ଚ କରି ନିଜକୁ ବଡ଼ଲୋକ ଭାବେ ଦେଖାଇହେବା ଲୋକକୁ ବୋକା କୁହାଯାଏ । ବୋକାମୀ ଏକ ମାନସିକ ବ୍ୟାଧି । ଏହି ବ୍ୟାଧି ଦ୍ଵାରା ଆକ୍ରାନ୍ତ ବ୍ୟକ୍ତି ସୁଧୁରି ନଗଲେ ଓଡ଼ିଆ ଜାତି ତାକୁ ଥଟ୍ଟାରେ କହେ “ରସ ସାଗର” ! “ଭାରତୀୟ ହକି ଦଳର ପ୍ରଯୋଜକ” ସାଜିଥିବା “ପଛୁଆ ଓଡିଶା”ର ବୋକାମୀ ଦେଖି ଅଣଓଡ଼ିଆଏ  ନାକରେ ରୁମାଲ ଦେଇ ଏଇନେ ହସୁଥିବେ । ଜାଣିଥିବା ଲୋକେ କହୁଥିବେ, “ମା ଧନକୁଟୀ , ପୁଅ ନାଗର । ରସ ସାଗର ।”   

ଏହାର ନିରାକରଣ ଆବଶ୍ୟକ । କିନ୍ତୁ କେମିତି ହେବ , ଯଦି ସମ୍ବାଦ ପରି ପ୍ରଭାବଶାଳୀ ଖବରକାଗଜର ସମ୍ପାଦକ ଏହାକୁ “ପଛୁଆ ରାଜ୍ୟର ଆଗୁଆ ଚିନ୍ତା” ବୋଲି ଲୋକଙ୍କୁ କହନ୍ତି ଏବଂ ଏଥିପାଇଁ ଗର୍ବ ପ୍ରକଟ କରନ୍ତି ?

ORISSA IN QUAGMIRE: CHIEF MINISTER CONTINUES TO CHEAT

Subhas Chandra Pattanayak
Orissa is blatantly cheated in matter National Eligibility cum Entrance Test (NEET-UG)- 2017-18 as the State Government has proposed that English should be the medium of examination. This test is meant to select the most talented students of the nation for medical education. One may peruse the article published in Suryaprava on December 27, 2016 to get apprised on the harm done to Orissa.on-non-inclusion-of-oriya-in-neet-copy