ଚୌକିଦାର ରହସ୍ୟ

by Subhas Chandra Pattanayak

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋଟେ ଜାଣିଥିବା ବନ୍ଧୁମାନେ ଜାଣନ୍ତି ଯେ, ମୋ ଜନ୍ମସ୍ଥାନ ଅଟେ ତିଗିରିଆ, ଯାହା ଓଡ଼ିଶା ପ୍ରଦେଶରେ ଥିବା ସବୁଠୁ ସାନ ଅଥଚ ସବୁଠୁ ଅଧିକ ଜାନକୀର୍ଣ୍ଣ ଗଡ଼ଜାତ । ମୋ ପିଲାଦିନେ ଏଠି ଏକ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ଚୌକିଆ ଭାବେ ନିଯୁକ୍ତ କରାହେଉଥିଲା ଓ ରାତିର ବିଭିନ୍ନ ସମୟରେ ସେମାନଙ୍କ କଣ୍ଠରୁ ଶୁଭୁଥିଲା ଗୋଟିଏ ଶବ୍ଦ – ହୁସିଆର । ଚୋରିଚପତ ନ ଥିଲା; ଲୋକେ ସୁଖରେ ଥିଲେ । ଆମ ରାଜା ବ୍ରିଟିଶ ସହ ଅଣାକ୍ରମଣ ଚୁକ୍ତି ସ୍ଵାକ୍ଷର କଲା ପରେ ଫୌଜଦାରୀ ଦଣ୍ଡବିଧି ଆଇନ ଲାଗୁହେଲା ଓ ଯଦି କେହି କିଛି ଭୁଲ କଲା ତେବେ ସେ ଆଇନଟିର କେଉଁ ଦଫା ଖିଲାପ କରିଛି ତାହା କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଗାଁ ଚୌକିଆଙ୍କ ଉପରେ ଜଣେ ଦଫାଦାର ନିଯୁକ୍ତ ହେଲେ । ଦଫାଦାର ଉପରେ ରହିଲେ ଜଣେ ଦାରୋଗା । ଦାରୋଗା ଓ ଦଫାଦାର ପଦବୀ ନାମକ୍ରମରେ ଚୌକିଆ ଚୌକିଦାର ହୋଇଗଲେ ।

ଥରେ କ୍ରିମିନୋଲୋଜି (ଅପରାଧ ବିଜ୍ଞାନ) ସମ୍ପର୍କିତ ଏକ ରଷିଆନ ବହି ପଢ଼ୁପଢ଼ୁ ଦେଖିଲି , ଅପରାଧପ୍ରବଣ ମାନସିକତା ଥିବା ବ୍ୟକ୍ତିଙ୍କୁ ପୋଲିସ ଚାକିରିପାଇଁ ମନୋନୟନ ବେଳେ ଅଗ୍ରାଧିକାର ଦିଆଯିବା ଦରକାର ବୋଲି ତହିଁରେ ଲେଖାଥିଲା । ଏପରି ଅଗ୍ରାଧିକାର ଦିଆଯିବାର କାରଣ ବି ତହିଁରେ ଦର୍ଶାଯାଇଥିଲା । ତାହାହେଲା , ଅପରାଧୀର ସ୍ଵଭାଵ ଏପରି ଯେ,ଅପରାଧ-ସାମ୍ରାଜ୍ୟର ସମ୍ରାଟ ହେବାକୁ ସେ ସବୁବେଳେ ଚାହିଁବ ଓ ଆଖପାଖରେ ଥିବା ଅପରାଧୀମାନଙ୍କୁ ସବୁବେଳେ ଚାପିରଖିବାକୁ ଚାହିଁବ । ତେଣୁ ଅପରାଧ ପ୍ରବଣ ବ୍ୟକ୍ତିକୁ ପୋଲିସ କଲେ ସେ ତା ଆଖପାଖରେ ଥିବା ଅପରାଧୀମାନଙ୍କୁ ସାବାଡ଼ କରିବ । ପ୍ରତି ଡକାୟତ ଡାକୁ ସମ୍ରାଟ ହେବାକୁ ଚାହୁଁଥିବାର କାରଣଟା ମୋତେ ଜଳଜଳ ଦିଶିଲା ।

ବହିଟିକୁ ମୁଁ ମନଧ୍ୟାନ ଦେଇ ପଢ଼ୁଥିବା ବେଳେ ମୋ ବାପା ମୋ ପଢ଼ାଘରେ ବସିଥିଲେ । ଅପରାଧ ବିଜ୍ଞାନର ଏହି ନିରୂପଣଟିକୁ ମୁଁ ତାଙ୍କୁ କହିଲି । ସେ କହିଲେ – ନୂଆ କଣ , ଏହା ତ ଆମେ କେଉଁ ଆଦିମ କାଳରୁ ଜାଣୁଁ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ତିଗିରିଆ ପରି ଗଡ଼ଜାତରେ ଆଧୁନିକ ସୋଭିଏତ ରାଷ୍ଟ୍ରର ଅପରାଧବିଜ୍ଞାନର ଏହି ପୋଲିସ ଚୟନ ତତ୍ତ୍ବ ଆଦିମ କାଳରୁ ସୁବିଦିତ ! କିପରି? ସେ କହିଲେ – କିରେ ! ଆମର ଯେଉଁ ଚୌକିଆ ନିଯୁକ୍ତ ହେଉଥିଲେ ସେମାନଙ୍କୁ ପରା ଚୋର ସମ୍ପ୍ରଦାୟରୁ ଚୟନ କରାହେଉଥିଲା ; ଫଳରେ ଆଖପାଖର ଚୋରମାନଙ୍କୁ ସେହିମାନେ ସାବାଡ଼ କରୁଥିଲେ । କଥାଟା ତ ଠିକ , ମୁଁ ଭାବିଲି । ବସ୍ତୁତଃ ମୋ ଜନ୍ମରାଜ୍ୟ ତିଗିରିଆରେ ଏପରି ଏକ ଜାତି ଥିଲେ (ଓ ଅଛନ୍ତି ) ଯେଉଁମାନେ ଜନ୍ମତଃ ପରଧନ ଚୋରିକରିବା ମନୋବୃତ୍ତିର ଲୋକ । ସେହିମାନଙ୍କ ଭିତରୁ ରାଜାମାନେ ଚୌକିଦାର ନିଯୁକ୍ତ କରୁଥିଲେ ଓ ସେମାନେ ବି ଚୌକିଦାର ହେବାକୁ ପସନ୍ଦ କରୁଥିଲେ ।

କୌତୁହଳର କଥା , ଭାରତୀୟ ଗଣତନ୍ତ୍ରର ଏକ ସ୍ପର୍ଶକାତର ପରିସ୍ଥିତିରେ ଚୌକିଦାର ଶବ୍ଦଟି ଆମ କାନ ଅତଡ଼ା ପକାଉଛି ! ଆମ ପୁର୍ବପୁରୁଷେ ବି ସେମାନଙ୍କ ବିସ୍ମୟ ପ୍ରକଟ କରି କହିଥିଲେ –
“କିଏ ବା ଅଛି କେଉଁ ମତେ
ତାହା ମୁଁ ଜାଣିବି କେମନ୍ତେ ?”

ହେ ମାତୃଭୂମି ! ନିଜକୁ ନିଜେ ରକ୍ଷାକର ।