ସୁଭାଷ ଚନ୍ଦ୍ର ପଟ୍ଟନାୟକ
କଟକ ତୁଳସୀପୁର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜେଜେବାପାଙ୍କର ଗୋଟିଏ ପୁରୁଣା କୋଠା ଥିଲା , ଯାହାର ନାମ ସେ ରଖିଥିଲେ ‘ଆନନ୍ଦ ଭବନ’ । ଏହାର ମରାମତି ପାଇଁ ଯଥେଷ୍ଟ ପାଣ୍ଠି ଆବଶ୍ୟକ ଥିଲା । ଏହି ପୁରୁଣା ଘରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ରାଜ୍ୟବାସୀଙ୍କ ଟିକସ ପଇସାରେ ଏହାକୁ ମରାମତି ଓ ପୁନର୍ଘଠିତ କରି ରାଜନୈତିକ ଫାଇଦା ପାଇଁ ସେ ବ୍ୟବହାର କରୁଥିବା ପିତା ବିଜୁ ପଟ୍ଟନାୟକଙ୍କ ନାମରେ ଏଠାରେ ଏକ ସଂରକ୍ଷଣାଗାର ଓ ପାଠାଗାର ସ୍ଥାପନ ପାଇଁ ନବୀନ ବାବୁ କୌଶଳ କଲେ ଓ ଏହାକୁ “ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ” କରିବାକୁ ଭାରତର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କଲେ । ଏହି ପ୍ରବଞ୍ଚନା କିପରି ମୁଖ୍ୟମନ୍ତ୍ରୀଙ୍କ ପିତାନୁକ୍ରମିକ ତାହା ମୁଁ ପରେ କହିବି । ପ୍ରଥମେ ଏହି ପ୍ରବଞ୍ଚନା ସହ ସାମିଲ ହୋଇ ରାଷ୍ଟ୍ରପତି କଣ କହିଲେ ତାହା ଦେଖାଯାଉ ।
ରାଷ୍ଟ୍ରପତି କହିଲେ, ଭାରତରେ ସମୁଦାୟ ଦୁଇଟି ଆନନ୍ଦଭବନ : ଗୋଟିଏ ଆଲ୍ହାବାଦରେ ଓ ଆରଟି କଟକରେ । ଏହି ଉଭୟ ଭବନ ଆମ ସ୍ଵାଧୀନତା ସଂଗ୍ରାମର ପ୍ରାଣକେନ୍ଦ୍ର ଥିଲେ । ବିଜୁବାବୁଙ୍କ ପୈତୃକ ଘର ଏହି ଆନନ୍ଦଭବନରେ ଦେଶର ବିଶିଷ୍ଟ ସ୍ଵାଧୀନତାସଂଗ୍ରାମୀମାନେ ଏକାଠି ହୋଇ ସଂଗ୍ରାମର ଖସଡ଼ା ପ୍ରସ୍ତୁତ କରୁଥିଲେ ।
ଏପରି ଡାହା ମିଛ ଆମକୁ କହିବାକୁ କେଉଁଠୁ ଅଧିକାର ପାଇଲେ ରାଷ୍ଟ୍ରପତି ?
ବିଜୁବାବୁଙ୍କ ବାପା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଚାକିରୀ କରୁଥିଲେ ; ଚାକିରୀ ଛାଡିଲା ପରେ ଉତ୍କଳ ସମ୍ମିଳନୀରେ ଥରେ ଅଧେ ଅଂଶଗ୍ରହଣ କରିଥିଲେ । ଆମ ସ୍ଵାଧୀନତା ସଂଗ୍ରାମ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସ୍ଵାଧୀନତା ସଂଗ୍ରାମ ଚାଲିଥିବା ବେଳେ ବିଜୁ ବାବୁଙ୍କ ଏହି ପୈତୃକ ଘର ଆମ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଜଣା ହିଁ ନଥିଲା । ଓଡ଼ିଶାର କୌଣସି ସ୍ଵାଧୀନତା ସଂଗ୍ରାମୀ ଏହି ଘର ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ଅଥଚ ଆମ ରାଷ୍ଟ୍ରପତିଙ୍କ ଭାଷାରେ ଏହା ଆମ ସ୍ଵାଧୀନତା ସଂଗ୍ରାମର ପ୍ରାଣକେନ୍ଦ୍ର ଥିଲା !
ଏପରି ବହୁ ମିଥ୍ୟାକଥା କହି ବିଜୁ ପଟ୍ଟନାୟକଙ୍କ ପରି ଜଣେ ସ୍ବାର୍ଥାନ୍ଧ ମାଫିଆଙ୍କର ଯେଉଁ ଦେଶପ୍ରେମୀ ଭାବମୂର୍ତ୍ତି ତିଆରି ଚାଲିଛି ତାହାରି ଏକ ଅଂଶ ଭାବେ କୋବିନ୍ଦଙ୍କ ବଖାଣକୁ ନିଆଯାଇପାରେ । କିନ୍ତୁ ଏତଦ୍ଦ୍ଵାରା ଆମ ସ୍ଵାଧୀନତା ସଂଗ୍ରାମର ଗରିମାକୁ କଳୁଷିତ କରିବାକୁ ଯେଉଁ ଉଦ୍ୟମ ହୋଇଛି ତାକୁ ଅଣଦେଖା କରାଯାଇନପାରେ ।
ରାଷ୍ଟ୍ରପତି ବା ତାଙ୍କ ଦପ୍ତର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଉଚ୍ଚିତ ।