ପୁରୁଣା ଅଭ୍ୟାସ: ଅଧୋଗତି ଅନୁଭବ କଲେ ନବୀନ ସମ୍ମାନ ସଂଗ୍ରହ କରନ୍ତି


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଲୋକଙ୍କୁ ଭାଷା ଅଧିକାର ନଦେବା ପାଇଁ ଯେଉଁ ମୁଖ୍ୟମନ୍ତ୍ରୀ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ଓଡ଼ିଶା ରାଜ୍ୟ ଭାଷା ଆଇନକୁ ଜାଲ୍ ବିଲ୍ ଦ୍ଵାରା ଅପସଂଶୋଧିତ କରି ଅକର୍ମଣ୍ୟ କରିଦିଅନ୍ତି ଓ ରାଜ୍ୟ ଶାସନ ରାଜ୍ୟଭାଷାରେ ନଚଳାଇ ଇଂରାଜୀରେ ଚଳାନ୍ତି, ତାଙ୍କୁ ଜୀବନ ବ୍ୟାପୀ ସାଫଲ୍ୟ ସମ୍ମାନ  ଯେଉଁ ସଂସ୍ଥା ଦେଇଛି ତାହାଠୁ ବଳି ଉପରଠାଉରିଆ ସଂସ୍ଥା  କେ ଅବା ଆଉ ଥାଇପାରେ?

ଏ ସମ୍ମାନ ସେ ଯୋଗାଡ଼ କରି ପାଇଛନ୍ତି । କାରଣ, ଯେତେବେଳେ ଯେତେବେଳେ ସେ ଯଶ-ସଙ୍କଟରେ ପଡ଼ନ୍ତି , ସେତେବେଳେ ସେତେବେଳେ ପ୍ରଚୁର ଅର୍ଥ ବିନିଯୋଗ କରି ଏପରି ସମ୍ମାନ ସାଉଁଟନ୍ତି । ଓଡ଼ିଆ ଲୋକଙ୍କୁ ଭୁତାଇବା ହେଲା ଏକମାତ୍ର ଉଦ୍ଦେଶ୍ୟ । ପଇସା ଦେବା ଗରାଖ ଯେଉଁ ପର୍ଯ୍ୟନ୍ତ ଥିବେ ବେଶ୍ୟାମାନେ ସେ ପର୍ଯ୍ୟନ୍ତ ମୁଖଲଜ୍ଜା ଭୁଲି ଦୁଆର ଖୋଲି ବସିଥିବେ । 

ଏପରି ଦୁଆର ଖୋଲି ବସିଥିଲା ‘ଇ ଟିଭି’ (ETv) ୨୦୦୬ରେ ଯେତେବେଳେ ମାନ୍ୟତା ସୂଚକାଙ୍କରେ ନବୀନବାବୁ ତଳକୁ ତଳ ଖସି ଚାଲିଥିଲେ । ଏହି ଟିଭି ଚ୍ୟାନେଲ ତାଙ୍କୁ ‘ପ୍ରିୟ ଓଡ଼ିଆ’ ବନାଇଥିଲା ଚାରିବର୍ଷ ବୟସର ଜଣେ ବସ୍ତି ବାସିନ୍ଦା ବାଳକ ବୁଦ୍ଧିଆ ସିଂହଙ୍କ ସହ ତାଙ୍କ ପ୍ରତିଦ୍ଵନ୍ଦିତାର ନାଟକ କରି ଏବଂ ଓଡ଼ିଶାର ଚାରିଆଡୁ ଗାଡ଼ିମଟରରେ ବହୁ ଲୋକଙ୍କୁ ଅଣାଇ ସେ ପ୍ରଦର୍ଶନୀ ପଡ଼ିଆରେ ସେହି ସଂଗୃହୀତ ସମ୍ମାନ ଗ୍ରହଣ କରି ‘ପ୍ରିୟ ଓଡ଼ିଆ’ ଭାବେ ନିଜକୁ ପ୍ରଚାରିତ କରିଥିଲେ ।  ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଯେତେବେଳେ ତାଙ୍କ ବିଶ୍ଵସନୀୟତା ଜନଚକ୍ଷୁରେ  ହ୍ରାସପାଇଛି , ସେ ସେହି କାଇଦା ବ୍ୟବହାର କରି କିଛି ଗୋଟେ ଆଖିଦୃଶିଆ ସମ୍ମାନ ସଂଗ୍ରହ କରିଆସିଛନ୍ତି । ଓଡ଼ିଆ ଭାଷାକୁ କୌଣସି କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଇ ନଦେବା ପାଇଁ ସେ ଓଡ଼ିଶା ରାଜ୍ୟ ଭାଷା ଆଇନ ୧୯୫୪ (Orissa Official Language Act 1954)ର ଅପସଂଶୋଧନ କରିଛନ୍ତି ଓ ଏହା କରିବାକୁ ରାଜ୍ୟପାଳଙ୍କ ନଥିରେ  ଓ ବିଧାନସଭା ନଥିରେ ଜାଲିଆତି ପ୍ରୟୋଗ କରିଛନ୍ତି । ଓଡ଼ିଆ ଜାତି ବିରୁଦ୍ଧରେ ଏହି ଭୟଙ୍କର ଅପରାଧର ସପ୍ରମାଣ ବିବରଣୀ ମୁଁ ଜନସାଧାରଣଙ୍କ ସମ୍ମୁଖରେ ରଖିଛି ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ଏକ ବୃହତ ପୁସ୍ତକରେ । ତାଙ୍କ ନିଜ ଦଳର ଲୋକଙ୍କ ଆଖିରେ ତାଙ୍କ ଏହି ଓଡ଼ିଆବିଦ୍ଵେଷ ଧରା ପଡ଼ି ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରଭାବ ଓଡ଼ିଶାର ସାଧାରଣ ଲୋକଙ୍କ ମନରେ ବି ପଡ଼ିଛି । ଏହା ଅନୁଭବ କରି ନିଜ ଭାବମୂର୍ତ୍ତି ମରାମତି ପାଇଁ ସେ ଦିଲ୍ଲୀର ସେହି ସଂସ୍ଥାକୁ ବ୍ୟବହାର କରିଛନ୍ତି ଯାହାର ମୁଖ୍ୟଙ୍କ ଜଣେ ଲଗ୍ନିକ ମହିଳାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ପଦ ପାଇଁ ସେ ସୁପାରିଶ କରିଛନ୍ତି । 

ଏଣୁ ନବୀନଙ୍କ ଏତାଦୃଶ ସମ୍ମାନ ସାଉଁଟା ଉପରେ ଏକ ନ୍ୟାୟିକ ତଦନ୍ତ ହେବା ଆବଶ୍ୟକ । 

 

ଧାମନଗରରେ ବିଜେଡି ଜିତିଲେ, ନବୀନ ଜାଣ ରାଜନୀତିରୁ ଗଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଯଦି ବିଜୟ ଲାଭ କରନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଜିତିଳେ ମଧ୍ୟ ନବୀନବାବୁ ମୁଖ୍ୟମନ୍ତ୍ରୀ ହୋଇପାରିବେନି, ହେବେ ତାଙ୍କ ବିଶ୍ଵସ୍ତ ଅମାତ୍ୟଙ୍କ ସହଧର୍ମିଣୀ ଶ୍ରୀମତୀ ପଣ୍ଡିଆନ ।

ମିସନ ଶକ୍ତିର କର୍ଣ୍ଣଧାର ଥିବା ଶ୍ରୀମତୀ ପଣ୍ଡିଆନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କ ପାଇଁ ମାର୍ଗଦର୍ଶିକା ସାଜିଛନ୍ତି  । ସେହିମାନଙ୍କ ଭିତରୁ ଜଣେ ଏବେ ପରୀକ୍ଷାମୂଳକ ଭାବେ ନିର୍ବାଚନ ଲଢୁଛନ୍ତି ଧାମନଗରରେ ।  ସେ ଯଦି ଜିତନ୍ତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ମଧ୍ୟରୁ ଅନ୍ୟୁନ୍ୟ ୭୫ ଜଣଙ୍କୁ ୨୦୨୪ରେ ପ୍ରାର୍ଥୀ କରାଯିବ । କେବଳ କଥାରେ ନୁହେଁ , ବାସ୍ତବରେ ବିଧାନସଭା ପ୍ରାର୍ଥୀଙ୍କ ଭିତରୁ ଅର୍ଦ୍ଧେକ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରି ନବୀନବାବୁ  ସାରା ଭାରତରେ ଅଦ୍ଵିତୀୟ ବୋଲି ଖ୍ଯାତି ଅର୍ଜନ କରିବେ ବୋଲି ପଣ୍ଡିଆନ ତାଙ୍କୁ ବୁଝାଇଦେବେ । ସେମାନେ ଜିତିଲା ପରେ, ସେମାନଙ୍କ ଭିତରୁ ପ୍ରତ୍ୟେକ ମହିଳା ଶ୍ରୀମତୀ ପଣ୍ଡିଆନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବେ ।  ଏବୟ, ସେହି ସ୍ଵତନ୍ତ୍ର ପରିସ୍ଥିତିରେ ରାଜନୀତିରୁ ଅବସର ନେବେ ନବୀନ ପଟ୍ଟନାୟକ । 

ପଣ୍ଡିଆନଙ୍କ ଗୋଟି ଚାଳନା ସେବଥୁ ଆରମ୍ଭ ହେଲାଣି ଯେବେଠୁ ସଂବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କନକ ଟିଭି ମାଧ୍ୟମରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଛକୁ ତାଙ୍କୁ ହିଁ ଓଡ଼ିଶାରେ ରହୁଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ଶକ୍ତିଶାଳୀ ବୋଲି ପ୍ରଚାର କରିବାରେ ବ୍ୟବହୃତ ହୋଇଥିଲା । 

ସେତେବେଳେ ମୁଁ ନବୀନ ପଟ୍ଟନାୟକଙ୍କୁ ସତର୍କ କରାଇଥିଲି ।  orissamatters.comରେ ଶୀର୍ଷକ ଥିଲା –

When CM’s PS is more powerful than the State’s CS, it is Anarchy

ସେ କର୍ଣ୍ଣପାତ କରିନଥିଲେ ।  ଫଳରେ ବିଜେଡି ପାଇଁ ଲଢି ଆସିଥିବା ରାଜେନ୍ଦ୍ର ଦାସ  ପାର୍ଟି ପ୍ରାର୍ଥୀ ହେବା ସମ୍ଭବ ହେଲାନାହିଁ; ଶ୍ରୀମତୀ ପଣ୍ଡିଆନଙ୍କ ପରାମର୍ଶରେ କମ କରୁଥିବା ଶ୍ରୀମତୀ ଅବନ୍ତୀ ଦାସ ପ୍ରାର୍ଥିନୀ ହେଲେ । 

ଆଗାମୀ ନିର୍ବାଚନ ଯେତିକି ପାଖେଇବ, ବିଜେଡିରେ ନବୀନିୟାନ୍ ପଲ ସେତିକି କିଲିବିଲି ହୋଇଚାଲିବେ । ମିସନ ଶକ୍ତି ତାର ପ୍ରକୃତ ଶକ୍ତି ଦେଖାଇବ । 

 

ଆମ ମୁଖ୍ୟମନ୍ତ୍ରୀ: ପଳଉ ପଳଉ ପାହାରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଜଣେ ଓଡ଼ିଆ ଭାବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଳାୟନପନ୍ଥୀ ବୋଲି କହିବା ମୋ ପାଇଁ ଦୁଃଖଦାୟକ । ମାତ୍ର ଏହି  ଦୁଃଖଦାୟକ ବାସ୍ତବତାକୁ କେଉଁ ବିକଳ୍ପ ଶବ୍ଦରେ ପ୍ରକାଶ କରିହେବ, ତାହା ମୋତେ ଜଣା ନାହିଁ । 

ମୁଖ୍ୟମନ୍ତ୍ରୀଙ୍କୁ ପଳାୟନପନ୍ଥୀ ବୋଲି ମୁଁ କହନ୍ତିନାହିଁ ଯଦି ସେ ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ  ବହିରେ ତାଙ୍କ ଉପରେ ମୁଁ ତୋଳିଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ବା ତହିଁ ଉପରେ ସ୍ପଷ୍ଟୀକରଣ ରଖିବାକୁ ସାହସ କରିଥାନ୍ତେ । ଓଡ଼ିଆ ଜାତିକୁ ଭାଷା ଅଧିକାର ଦେଇଥିବା ଓଡ଼ିଶା ରାଜ୍ୟଭାଷା ଆଇନ, ୧୯୫୪ (The Orissa Official Language Act, 1954)କୁ ଅକର୍ମଣ୍ୟ କରିଦେବା ପାଇଁ ସେ ଜାଲିଆତି ପ୍ରୟୋଗ ଦ୍ଵାରା ତହିଁର ଅପସଂଶୋଧନ କରିଥିବା ଅଭିଯୋଗ ସମସ୍ତ ଆବଶ୍ୟକୀୟ ପ୍ରମାଣ ସହ ଏହି ବହିରେ ମୁଁ ସର୍ବ ସମକ୍ଷରେ ରଖିଛି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆମ ରାଜ୍ୟର ଭାଷାକୁ ହତ୍ୟା କରିବା ପାଇଁ ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରିବା , ବିଧି ବିଭାଗ ପ୍ରସ୍ତୁତ କରିଥିବା ଚିଠା ବିଧେୟକକୁ ଜାଲ୍ ଚିଠା ଦ୍ଵାରା ବଦଳାଇଦେବା ପରି ଅପରାଧ କରିଛନ୍ତି । ଆମ ଭାଷା କ୍ଷେତ୍ରରେ ତାଙ୍କ ବିଧାୟକୀୟ ଅସଦାଚରଣ (Legislative misconduct) ଅତ୍ୟନ୍ତ ଲଜ୍ଜାଜଣକ ଭାବେ ସ୍ପଷ୍ଟ । 

ଏହା ପ୍ରକାଶିତ ଓ ଆଲୋଚିତ ହେବା ପରେ ଆଗତ ଅଭିଯୋଗ ଖଣ୍ଡନୀୟ ନୁହେଁ ବୋଲି ଜାଣି ବାବୁ ନବୀନ ପଟ୍ଟନାୟକ ପଳାୟନ ପନ୍ଥା ଧରିଛନ୍ତି । ୨୦୦୬ରେ ଜନଚେତନାରେ ତାଙ୍କ ମାନ୍ୟତା ରସାତଳଗାମୀ ହୋଇଥିବା ଅନୁଭବ କରି ଯେ ଯେମିତି ଇ ଟିଭି (ETv) ମାଧ୍ୟମରେ ‘ପ୍ରିୟ ଓଡ଼ିଆ’ ଉପାଧି ଯୋଗାଡ଼ କରି ଲୋକଙ୍କୁ ଝଲସାଇଥିଲେ ଠିକ୍ ସେମିତି ମୋର ଉପରୋକ୍ତ ବହିରେ ତାଙ୍କ ବିଧାୟକୀୟ ଅସଦାଚରଣ ଫୁଙ୍ଗୁଳା ହୋଇଗଲା ପରେ ଦିଲ୍ଲୀର ଏକ ଘରୋଇ ସଂସ୍ଥାରୁ ସେ ତାଙ୍କ ଜୀବନବ୍ୟାପୀ ସିଦ୍ଧି ପାଇଁ ସମ୍ମାନ ହାସଲ କରିଛନ୍ତି । ତାହାକୁ ତାଙ୍କ ପଳାଯନପନ୍ଥାର ଏକ ନମୁନା ବୋଲି ମୁଁ ଚିହ୍ନଟ କରି ତହିଁ ଉପରେ ଏକ ତଦନ୍ତ ଆବଶ୍ୟକ ବୋଲି ମତଦେଇଥିଲି  ସେପ୍ଟେମ୍ବର ୬ ତାରିଖରେ । ବୁଦ୍ଧିଆ ସିଂହ ଜୀବିତ କି ମୃତ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ତହିଁ ପୂର୍ବଦିନ ମୁଁ ଏକ ଆଲୋଚନା ବି ରଖିଥିଲି ମୋ ନଭମଞ୍ଚରେ । 

ସତ୍ୟର ସାମ୍ନା କରିନପାରି ପଳାଯନ ପନ୍ଥା ଧରିଥିବା ନବୀନବାବୁ ଏଥିରେ ଭୀଷଣ ବିଗିଡିଯାଇ ମୋ ମୁଣ୍ଡରେ ପାହାରେ ପିଟିଛନ୍ତି  । ପ୍ରକୃତିକ ନ୍ୟାୟର ଘୋର ଉଲ୍ଲଂଘନ କରି ସେ ମୋର ସରକାରୀ ବାସଗୃହର ଆବଣ୍ଟନ ରଦ୍ଦ କରିଛନ୍ତି । ଏପରି ଏକ ପାହାର ପକାଇ ମୁଖ୍ୟମନ୍ତ୍ରୀ ଭାବୁଥାଇପାରନ୍ତି ଯେ, ଓଡ଼ିଆ ଭାଷାକୁ ସେ ଦେଇଥିବା ମରଣଆଘାତର ମୁଁ ଯେଉଁ ପ୍ରମାଣ ପ୍ରକାଶ କରିଛି ତହିଁର ସେ ପ୍ରତିଶୋଧ ନେଇଛନ୍ତି । 

ମୋ ବିଚାରରେ ସମ୍ବାଦିକମାନଙ୍କୁ ସରକାରୀ ବାସଗୃହ ଯୋଗାଣର ବୃହତ୍ତର ପ୍ରସଙ୍ଗରେ ଏହା ମଥାଖେଳାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ । 

 

ବୁଦ୍ଧିଆ ସିଂହ ଜୀବିତ କି ମୃତ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର-୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋ ଆଫିସୀୟ ୱେବ୍ସାଇଟ orissamatters.comର ଶୀର୍ଷ (masthead) ମଣ୍ଡନ କରିଛନ୍ତି ମଧୁବାବୁଙ୍କ ସମେତ ବୁଦ୍ଧିଆ ସିଂହ, ଚାରିବର୍ଷ ବଯସର ବିଶ୍ଵ ବିଦିତ ଓଡ଼ିଆ ବାଳକ, ଯାହାଙ୍କୁ ମୁଁ ଦୀର୍ଘଦିନ ହେଲା ଖୋଜୁଛି, କିନ୍ତୁ ଦେଖିବାକୁ ପାଉନାହିଁ ।

 

 

ସେ ଜୀବିତ କି ମୃତ ଜାଣିହେଉନି । ଯଦି ଜୀବିତ ଥାନ୍ତି ମା ଓଡ଼ିଶାର ଏହି ଶ୍ରେଷ୍ଠ ସନ୍ତାନଙ୍କୁ କୋଟି ପରମାୟୁ ମିଳୁ ; କିନ୍ତୁ ସେ କେଉଁଠି ଅଛନ୍ତି, କ’ଣ କରୁଛନ୍ତି, ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ସ୍ପଷ୍ଟତଃ ଜଣାଇବା ଦରକାର । କାରଣ, ୨୦୦୬ ମସିହାରେ ଅପଶାସନ ହେତୁ ତାଙ୍କ ଜନପ୍ରିୟତା ଅବକ୍ଷୟମୁଖୀ ହୋଇ ଚାଲିଥିବାରୁ, ନିଜକୁ ଓଡ଼ିଶାବାସୀଙ୍କର ପ୍ରିୟ ବୋଲି ଦେଖେଇ ହେବାକୁ ଏକ ଟିଭି ଚ୍ୟାନେଲକୁ ପ୍ରଚୁର ଅର୍ଥ ଦେଇ ସେ “ପ୍ରିୟ ଓଡ଼ିଆ” ଘୋଷିତ ହୋଇଥିଲେ ଓ ଏଥିପାଇଁ ଜନମତ ସଂଗ୍ରହର ଯେଉଁ ନାଟକ କରାଇଥିଲେ ସେଥିରେ ବୁଦ୍ଧିଆ ସିଂହ ପାଖରେ ହାରିଯିବା ସୁନିଶ୍ଚିତ ଜାଣି ମୋବାଇଲ ଫୋନ୍ ସହାୟତାରେ ଭୁତ ଭୋଟିଂ (Virtual voting ) କରାଇ ହାରୁ ହାରୁ ଜିତିଥିଲେ ଓ ତହିଁ ପରେ ପରେ ବୁଦ୍ଧିଆ ସିଂହ ଉପରେ ଆରମ୍ଭ ହୋଇଥିଲା ଅକଳ୍ପନୀୟ ରାଜନୈତିକ ଓ ପ୍ରଶାସନିକ ଅତ୍ୟାଚାର ।

ସେତେବେଳେ orissamatters.com ସମେତ ମୁଁ ମୋର ଏକ ମୁଦ୍ରିତ ସ୍ତମ୍ଭରେ ତାହା ଆଲୋଚନା କରିଥିଲି । ତହିଁରୁ ଗୋଟିଏ ଦେଖାଯାଉ :

ସନ୍ଦେହର ନାଭିକେନ୍ଦ୍ରରେ ଖବରତନ୍ତ୍ର

                *

ଇଟିଭି ଦୟାରୁ ଚାରିବର୍ଷର ବାଳକ ବୁଦ୍ଧିଆକୁ ଜନପ୍ରିୟତାରେ ଜିତିଗଲେ ନବୀନ ପଟ୍ଟନାୟକ!

                                                                        ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଗତ କେତେବେର୍ଷ ଧରି ଏକ ଅଣଓଡ଼ିଆ ପତ୍ରିକା ଦ୍ଵାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମାନ୍ୟତା ତାଲିକାରେ ଆଗୁଆ ରହୁଥିଲେ ।  କିନ୍ତୁ ଏବର୍ଷ ତାହା ହୋଇପାରିଲା ନାହିଁ  ।

ଏହି ଅଣଓଡ଼ିଆ ପତ୍ରିକା ରାଜ୍ୟ ସରକାରଙ୍କ ଠାରୁ ତଥା କ୍ଷମତାନିଳୟ ସହ ନିବିଡ଼ ସମ୍ପର୍କ ଥିବା ଶିଳ୍ପ ପ୍ରତିଷ୍ଠାନମାନଙ୍କରୁ ପ୍ରଚୁର ବିଜ୍ଞାପନ ପାଉଥିଲା ଓ ଏହା ପ୍ରଚାର କରୁଥିବା ସର୍ବେକ୍ଷଣରେ ନବୀନ ପଟ୍ଟନାୟକଙ୍କ ମାନ୍ୟତା ଉଚ୍ଚ ପାହାଚରେ ରହୁଥିଲା । କିନ୍ତୁ ଗତଥର ଏହା ବଦଳିଗଲା , ମାନ୍ୟତା ତାଲିକାରେ ନବୀନ ତଳକୁ ଖସିଗଲେ ।

କେବଳ ଏତିକିରେ ନବୀନଙ୍କ ମାନ୍ୟତାର ନିମ୍ନଗତି ଅଟକି ରହିଲାନି । ଅଣଓଡ଼ିଆ ଶିଳ୍ପପତିମାନଙ୍କ ସହ ସଲାସୁତରା କରି ଓଡ଼ିଶାର ପ୍ରକୃତିକ ବିଭବ ଓ ଖଣିଜ ସମ୍ପଦ ଓଡ଼ିଆଙ୍କ ହାତରୁ ଖସିଯିବାର ପରିସର ସୃଷ୍ଟିକରିବା , କଳିଙ୍ଗନଗରର ବିସ୍ଥାପିତମାନଙ୍କ ଉପରେ ପୈଶାଚିକ ଆକ୍ରମଣ କରାଯିବା, ଅମଲାତନ୍ତ୍ର ପାଖରେ ରାଜ୍ୟର କ୍ଷମତାସୀନ ରାଜନେତାମାନଙ୍କୁ ନ୍ୟୁନ କରାଯିବା, ଭିନ୍ନ ଭାବରେ କହିଲେ ଅମଲାତନ୍ତ୍ର ପାଖରେ ଗଣତନ୍ତ୍ରକୁ ଖର୍ବ କରାଯିବା, ଚୋରା ମଦ କାରବାରରେ ଲିପ୍ତ ଥିବା ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଯିବା ଇତ୍ୟାଦି ବହୁବିଧ କାରଣ ହେତୁ ନବୀନଙ୍କ ମାନ୍ୟତା ପ୍ରତିଦିନ କମିବାରେ ଲାଗିଥିଲା ଏବଂ ତମାମ ଓଡ଼ିଶାରେ ସରକାରୀ କଳ ଉପରେ ତଥ୍ୟନିଷ୍ଠ ଦୃଷ୍ଟି ରଖିଥିବା ଲୋକଙ୍କ ଦୃଷ୍ଟିରେ ନବୀନ ପଟ୍ଟନାୟକ କୁଶାସନର କର୍ଣ୍ଣଧାର ଭାବେ ବିବେଚିତ ହେବା ତ୍ୱରାନ୍ୱିତ ହୋଇଥିଲା। ତେଣୁ ଏହି ଦୁଃସ୍ଥିତିରୁ ଉଧୁରି ନିଜର ଉଜୁଡ଼ିଯାଇଥିବା ଭାବମୂର୍ତ୍ତିକୁ ପୁନର୍ଜୀବିତ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ସକାଶେ ଏପରି ଏକ ମାଧ୍ୟମର ଆବଶ୍ୟକତା ଥିଲା , ଯାହା ତାଙ୍କୁ ପୁନର୍ବାର ମାନ୍ୟତା ଦିଆଯିବାରେ ସାହାଯ୍ୟ କରିପାରେ । ଏହି ଆବଶ୍ୟକତା ପୂରଣ କରିଛି ଓଡ଼ିଶାରେ ନବୀନଙ୍କ ଅଭ୍ୟୁଦୟ ପରଠାରୁ କ୍ରମାଗତ ଭାବେ ସଂପ୍ରସାରଣ ସୀମା ବଢେଇ ଆସିଥିବା ଅଣଓଡ଼ିଆ ଟିଭି ଚ୍ୟାନେଲ୍ ଇଟିଭି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ଅଧିଷ୍ଠିତ ଦୂରଦର୍ଶନ କେନ୍ଦ୍ର ଓଡ଼ିଆ ଜାତିର ରୁଚି ଅନୁକୂଳ କୌଣସି କାର୍ଯ୍ୟକ୍ରମ ନେଉନଥିବା ହେତୁ ତହିଁର ଟେଲିଭିଜନ ମାନ୍ୟତା ନାହିଁ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏତେ ରୁଗ୍ଣ ଓ କୁପରିଚାଳିତ ଯେ, ଓଡ଼ିଆ ଜାତିର ଟେଲିଭିଜନ ତୃଷ୍ଣା ଚରିତାର୍ଥ କରିବା ପାଇଁ ଏହା ସକ୍ଷମ ନୁହେଁ । ଓଡ଼ିଶା ଭୁଇଁରେ ସୃଷ୍ଟିହୋଇଥିବା ‘ଇଟିଭି’ ପରିଚାଳନାଗତ ତ୍ରୁଟି ହେତୁ ପ୍ରତିଯୋଗିତାରେ ଆଗେଇ ପାରୁନାହିଁ । ଏହା ଏପରି ଚାଲିଛି ଯେ, ଏହାର ମାଲିକଙ୍କ ନଭମଞ୍ଚ (website)ରେ ଥିବା ନିର୍ଦ୍ଦେଶିକା ଓ ଅନ୍ୟ ପଦାଧିକାରୀଙ୍କ ଇ-ମେଲ୍ ଠିକଣା ବି ବେଠିକ ବୋଲି ଏହାର ସିଷ୍ଟମ ଆଡମିନିଷ୍ଟ୍ରେଟର ଘୋଷଣା କରୁଛନ୍ତି । ତେଣୁ ଏକ ଗଣମାଧ୍ୟମ ଭାବେ ଏହା କିପରି କାମ କରୁଥିବ ସହଜେ ଅନୁମେୟ । ଏହାର ସୁଯୋଗ ନେଇ ଅଣଓଡ଼ିଆ ମାଲିକାନାରେ ଥିବା ଇଟିଭି ନବୀନଙ୍କ ରାଜୁତି କାଳରେ ଓଡ଼ିଶାରେ ନିଜ ସଂପ୍ରସାରଣର ସୀମା ବ୍ୟାପକ କରିଛି ଓ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବାଦିକୀୟ ସ୍ତରରେ ବିଭ୍ରାନ୍ତ କରିପାରିବାର ଶକ୍ତି ମଧ୍ୟ ଏହା ଅକ୍ତିଆର କରିପାରିଛି । ଏହି ଶକ୍ତିର ଉପଯୋଗ କରି ନବୀନ ପଟ୍ଟନାୟକଙ୍କର  ମାନ୍ୟତା ବଢାଇବାକୁ ଏହା ଯେଉଁ ଉଦ୍ୟମ କରିଛି ତାହା ଯେତିକି କୌତୁହଳୋଦ୍ଦୀପକ, ଗଣତନ୍ତ୍ର ପାଇଁ ସେତିକି ବିଭୀଷିକାମୟ । ନିଜ ରାଜ୍ୟକୁ , ନିଜ ଭାଷାକୁ, ଓ ନିଜ ଗଣତନ୍ତ୍ରକୁ ଭଲ ପାଉଥିବା ପ୍ରତ୍ୟେକ ଓଡ଼ିଆ ଇତିଭିର ଏହି ଚାତୁରୀ ଅନୁଧ୍ୟାନ କରିବା ଆବଶ୍ୟକ ।

ଏହି ଚାତୁରୀ “ପ୍ରିୟ ଓଡ଼ିଆ” ପଦ ପାଇଁ ଇଟିଭି ପରିସୃଷ୍ଟ ଏକ ପ୍ରତିଯୋଗୀତା ପ୍ରେକ୍ଷାପଟରେ  ସୁସ୍ପଷ୍ଟ । କିଛି ବଛା ବଛା ଲୋକଙ୍କୁ ଉପଯୋଗ କରି ଇଟିଭି ପ୍ରଥମେ କିଛି ଲୋକଙ୍କର ଏକ ତାଲିକା ତିଆରିକଲା । “ପ୍ରିୟ ଓଡ଼ିଆ” ନିର୍ବାଚନ ଆଳରେ ନିଜେ ନିଜେ ଏକ ନିର୍ବାଚନପତ୍ର ତିଆରିକରି ନିଜର ଗାଡ଼ି ଓ କର୍ମଚାରୀଙ୍କୁ ପଠାଇ ପୂର୍ବ ନିର୍ଦ୍ଧାରିତ ବିଭିନ୍ନ ସ୍ଥାନରେ ଏହି ଲୋକମାନଙ୍କ ଉପରେ ମତ ସଂଗ୍ରହ କଲା ଏବଂ ଏପରି ପ୍ରଚାର କଲା, ଯେପରି ବୁଝି ହେବ ଯେ ଲୋକମାନେ ଦଉଡ଼ି ଦଉଡ଼ି ଆସି ଇଟିଭି ବାକ୍ସରେ ନିଜ ନିଜର ଭୋଟ ଗଳାଉଛନ୍ତି । ନିଜର ବଛା ବଛା କର୍ମଚାରୀଙ୍କ ମାଧ୍ୟମରେ ଏହା ତଥାକଥିତ ଭୋଟ କାଗଜ ଗୁଡ଼ିକର ଗଣତି କରି ଶେଷ ପର୍ଯ୍ୟାୟ ପ୍ରତିଦ୍ଵନ୍ଦିତାରେ ପାଞ୍ଚ ଜଣ ପ୍ରତିଦ୍ଵନ୍ଦୀ ଥିବା ମଧ୍ୟ ଘୋଷଣା କଲା ! ଏହି ପାଞ୍ଚ ଜଣ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ହକି ଖେଳାଳୀ ଦିଲ୍ଲୀପ ତିର୍କୀ, ସାହିତ୍ୟିକ ମନୋଜ ଦାସ, ଅଭିନେତ୍ରୀ ନନ୍ଦିତା ଦାସ ଓ ଶିଶୁ ଧାବକ ବୁଦ୍ଧିଆ ସିଂହ ।

ଏହି ପାଞ୍ଚଜଣିଆ ତାଲିକାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ଵନ୍ଦୀମାନେ  କେବଳ ବୁଦ୍ଧିଆକୁ ଛାଡ଼ି କେହି ଓଡ଼ିଶାରେ ରହନ୍ତି ନାହିଁ । ଦିଲ୍ଲୀପ ତିର୍କୀ ହକି ଖେଳରେ ବହୁ ସମୟ ବାହାରେ । ନନ୍ଦିତା ଦାସ ଓ ମନୋଜ ଦାସ ଓଡ଼ିଶାରେ ରହନ୍ତି ନାହିଁ । ଓଡ଼ିଶାର ସଂଖ୍ୟାଧିକ ସାଧାରଣ ଲୋକ ଏହି ଉଭୟଙ୍କୁ ମଧ୍ୟ ଜାଣନ୍ତି ନାହିଁ । ବାକି ରହିଲେ କେବଳ ବୁଦ୍ଧିଆ ସିଂହ । ମାରାଥନ ଦଉଡ଼ରେ ପାରଦର୍ଶିତା ପ୍ରଦର୍ଶନ କରି ସେ ଅଳ୍ପ ଦିନ ଭିତରେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଦ୍ୱନ୍ଦୀତା ପାଇଁ ସେ ଯେ ସମକକ୍ଷ ପରିଚୟର ଅଧିକାରୀ, ଏହା ଗ୍ରହଣ କରିବା ଦୁଷ୍କର ।

ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ପୁଅ ଓ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ । ବସ୍ତି ନିବାସୀ ଏକ ଦରିଦ୍ର ମାଆର ଅସହାୟ ସନ୍ତାନ ବୁଦ୍ଧିଆ । ବୟସ ପାଞ୍ଚବର୍ଷ ବି ନୁହେଁ । ଶିକ୍ଷାଗତ ଯୋଗ୍ୟତା ନାହିଁ । ସେ ନିଜେ ଜାଣନ୍ତି ନାହିଁ ଓ ଜାଣିଲେ ମଧ୍ୟ ବୁଝିବାର ଯୋଗ୍ୟତା ନାହିଁ ଯେ, ମାନ୍ୟତା ପ୍ରଶ୍ନ ଉପରେ ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡୁଛି । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ନିଜର ନିର୍ବାଚନ ପରିଚାଳନା ପାଇଁ ତାଙ୍କର କୌଣସି ସାଙ୍ଗଠନିକ ଶକ୍ତି ନାହିଁ , ସମ୍ବଳ ନାହିଁ ଓ ପ୍ରଚାର ଆୟୁଧ ନାହିଁ । ନିର୍ବାଚନ ହେଲା ମୋବାଇଲ ଫୋନ ମାଧ୍ୟମରେ । ବୁଦ୍ଧିଆଙ୍କର ମୋବାଇଲ ଫୋନ ନାହିଁ ଓ ମୋବାଇଲ ଫୋନରେ ନିଜ ସପକ୍ଷରେ ନିଜେ ଏସ୍ ଏମ୍ ଏସ୍ କରିବା ଜ୍ଞାନ ମଧ୍ୟ ତାଙ୍କର ନାହିଁ । ପ୍ରତିଦ୍ଵନ୍ଦୀତାର ପ୍ରତ୍ୟେକ ପ୍ରତିଦ୍ଵନ୍ଦୀ ନିଜ ସପକ୍ଷରେ ସମର୍ଥନ ଲୋଡ଼ିବା ସ୍ୱାଭାବିକ ଏବଂ ଅପରିହାର୍ଯ୍ୟ । ବୁଦ୍ଧିଆଙ୍କ ପାଇଁ ଏହାର ସମ୍ଭାବନା ନଥିଲା ଓ ନାହିଁ । ଅଥଚ ଇଟିଭି ନିଜର ବାକ୍ଚାତୁରୀ ବଳରେ ଏପରି ଜଣେ ବାଳକକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ଵନ୍ଦୀ କରି ଠିଆ କଲେ । ଫଳ ଯାହା ହେବା କଥା ତାହା ହିଁ ହୋଇଛି । ତଥାକଥିତ “ପ୍ରିୟ ଓଡ଼ିଆ” ପ୍ରତିଯୋଗୀତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଦ୍ଧିଆକୁ ପରାଜିତ କରିଛନ୍ତି!

ଏହି “ପ୍ରିୟ ଓଡ଼ିଆ” ପଦବୀ ପାଇଁ ନବୀନ ବାବୁ ଯେ ପ୍ରବଳ ଆଗ୍ରହୀ ଥିଲେ ତାହା ସ୍ପଷ୍ଟ ହୋଇଯାଇଛି ତାଙ୍କ ଆଚରଣରୁ । ଯେଉଁ ବ୍ୟଗ୍ରତାର ସହ ସେ ଦିଲ୍ଲୀରୁ ପଳାଇ ଆସି “ପ୍ରିୟ ଓଡ଼ିଆ” ଭାବେ ନିର୍ବାଚିତ ହୋଇଥିବାରୁ ସମ୍ବର୍ଦ୍ଧନା ଗ୍ରହଣ କଲେ, ତାହା ତାଙ୍କ ଉତ୍ସୁକତାକୁ ହିଁ ସାବ୍ୟସ୍ତ କରେ ।  ତିନି ନମ୍ବର ପ୍ରଦର୍ଶନୀ ପଡ଼ିଆରେ ଇଟିଭି ତରଫରୁ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧନା ଗ୍ରହଣ କରି ନବୀନ ବାବୁ କହିଲେ ଯେ, ତାଙ୍କ ପାଇଁ ସବୁଠୁ ଆନନ୍ଦର କଥା ହେଉଛି ଏହା ହିଁ ଯେ, ଯେଉଁ ଦିନ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହିଦିନ ଜନ୍ମ ହୋଇଥିବା ଗୋଟିଏ ଝିଅ ହାତରୁ ସେ ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି ଏବଂ ଏକା ନିଃଶ୍ଵାସକେ ବିଜୁ ବାବୁଙ୍କ ଜନ୍ମଦିନ କଥା କହିବାକୁ ମଧ୍ୟ ସେ ଭୁଲିନଥିଲେ । ଏହା ଦେଖିଲେ ଯଦି କୌଣସି ସଚେତନ ଓଡ଼ିଆକୁ ଲଜ୍ଜା ନଲାଗେ, ତେବେ ବୁଝିବାକୁ ହେବ ଯେ ଲଜ୍ଜାର ସଜ୍ଞା ଏ ଭିତରେ ବଦଳି ଯାଇ ସରିଲାଣି ।

ବର୍ତ୍ତମାନ ପ୍ରଶ୍ନ ହେଉଛି “ପ୍ରିୟ ଓଡ଼ିଆ” ପରି ଏକ ପଦବୀ ସକାଶେ ପ୍ରତିଦ୍ୱନ୍ଦୀତା ଆୟୋଜନ କରିବା ପାଇଁ ଅଣଓଡ଼ିଆ ଟିଭି ଚ୍ୟାନେଲ୍ ଇଟିଭିକୁ  ଓଡ଼ିଆ ଜାତି ଅଧିକାର ଦେଇଥିଲା କି? ଯେଉଁମାନଙ୍କୁ ଚିଠି ଲେଖି ଇଟିଭି ସେମାନଙ୍କ ଠାରୁ “ପ୍ରିୟ ଓଡ଼ିଆ” ତାଲିକା ମାଗିଥିଲା, ସେହିମାନଙ୍କୁ ସେପରି ଚିଠି ଲେଖିବାକୁ ଓଡ଼ିଆ ଜାତି ଇଟିଭିକୁ କହିଥିଲା କି? ଯେଉଁ ସ୍ଥାନରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ସଂଗ୍ରହ ହୋଇଥିଲା ସେ ସ୍ଥାନ ଓଡ଼ିଆ ଜାତି ନିରୂପଣ କରିଥିଲା କି? ସେଠାରେ ପ୍ରଥମ ପର୍ଯ୍ୟାୟ ପ୍ରତିଦ୍ଵନ୍ଦୀମାନଙ୍କର କେହି ପୋଲିଂ ଏଜେଣ୍ଟ ଥିଲେ କି? ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ତିଆରି ପାଇଁ ତାଙ୍କ ଅନୁରକ୍ତମାନେ ଆସି ନିଜ ମନମୁତାବକ ମତ ଦେଇଥିଲେ କି? ମୋବାଇଲ ଫୋନ ଯୋଗେ ଏସ୍ ଏମ୍ ଏସ୍ କରି ଯେଉଁ ଲୋକମାନେ ଶେଷ ପର୍ଯ୍ୟାୟ ମତ ଦେଇଛନ୍ତି, ସେମାନେ ସାମଗ୍ରିକ ଭାବେ ଓଡ଼ିଶାର ମତଦାତା କି? କେଉଁ ବହପରେ ଇଟିଭି ଏହି ସଂପୂର୍ଣ୍ଣ ଦୋଷାବହ ନିର୍ବାଚନ ପ୍ରକ୍ରିୟାରେ “ପ୍ରିୟ ଓଡ଼ିଆ” ପରି ଏକ ସ୍ପର୍ଶକାତର  ପଦବୀ ପାଇଁ ନିର୍ବାଚନ କରିଛି ଏବଂ କିପରି ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଲଜ୍ଜାଜନକ ଓ ତ୍ରୁଟିପୂର୍ଣ୍ଣ ନିର୍ଣ୍ଣୟକୁ ଗ୍ରହଣ କରିବାକୁ ରାଜି ହୋଇଛନ୍ତି? ତାଙ୍କର ଏହା ବୁଝିବାର ଯୋଗ୍ୟତା ଅଛି କି ନା ମୁଁ ଜାଣିନି ; ମାତ୍ର ଏପରି ଏକ ପ୍ରତିଦ୍ଵନ୍ଦୀତାରେ ବୁଦ୍ଧିଆ ସିଂହଙ୍କୁ ହରାଇଛନ୍ତି ବୋଲି ନିଜକୁ ବିଜେତା ମନେକରି ସେ ଯେଉଁ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ତାହା ନକରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦର ଅମର୍ଯ୍ୟାଦା ହୋଇନଥାନ୍ତା ।

ଆଶଙ୍କା ଉପୁଜିବା ସ୍ଵାଭାବିକ ଯେ, ନିଜର ଉଜୁଡ଼ି ପଡ଼ିଥିବା ମାନ୍ୟତାକୁ ବଢେଇବା ପାଇଁ ଶ୍ରୀ ପଟ୍ଟନାୟକ ଏପରି ଏକ ନୂଆ କୌଶଳ ପ୍ରୟୋଗ କରିଛନ୍ତି ଓ ତାଙ୍କରି ଶାସନ କାଳରେ ଓଡ଼ିଶାରେ ସଂପ୍ରସାରଣ ସୀମା ବଢେଇ ପାରିଥିବା ଅଣଓଡ଼ିଆ ମାଲିକାନାରେ ପରିଚାଳିତ ଇଟିଭି ଏହିପରି ଏକ ନିର୍ବାଚନ କରି ସମଗ୍ର ଓଡ଼ିଆ ଜାତିର ସଚେତନତା ଉପରେ ପଦାଘାତ କରିଛି ।

ଖବରତନ୍ତ୍ରକୁ ବ୍ୟବହାର କରି କ୍ଷମତାସୀନ ରାଜନେତାମାନେ ଗଣତନ୍ତ୍ରକୁ କିପରି ପ୍ରହସନରେ ପରିଣତ କରିପାରନ୍ତି ଇଟିଭିର “ପ୍ରିୟ ଓଡ଼ିଆ” ତହିଁର ଏକ ନିଦର୍ଶନ । (ଏପ୍ରିଲ ୧୬, ୨୦୦୬) (ମୋ ପୁସ୍ତକ  ‘ଦୂର ଅଦୂର’, ପୃଷ୍ଠା  ୧୩୮ରୁ ୧୪୧)  

 

କୋରାପୁଟ କଫି : ସେଦିନ ଓ ଆଜି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ଆଜିକାଲି କେବଳ କୋରାପୁଟ କଫି ପିଉଛି ।  ପ୍ରାୟ ୪୪ ବର୍ଷ ତଳେ କୋରପୁଟର କଫି ଉପରେ ମୁଁ ପ୍ରଥମେ ରିପୋର୍ଟ କରିଥିଲି । ତାହା ଏକ ଆକସ୍ମିକ ଆବିଷ୍କାର ଥିଲା । ତେଣୁ, ଆଜି ଯେତେବେଳେ ସେହି କଫି ବ୍ୟବସାୟିକ ଉତ୍କର୍ଷତା ଅର୍ଜନ କରି ଭୁବନେଶ୍ବରରେ ମିଳୁଛି , ମୁଁ ଅନ୍ୟ ସବୁ ମାର୍କାର କଫିକୁ ଭୁଲିଯିବାରେ ଅସ୍ଵାଭାବିକତା କିଛି ହିଁ ନାହିଁ ।  

ତାହା କିପରି ଏକ ଆକସ୍ମିତ ଆବିଷ୍କାର ଥିଲା, ତାହାର ସ୍ମୃତି ଚାରଣ ଏହି ଲେଖାର ଉଦ୍ଦେଶ୍ୟ । 

ତାରିଖ ଆଉ ମନେ ନାହିଁ । କିନ୍ତୁ ୧୯୭୮ର ପ୍ରଥମ ଭାଗ ନିଶ୍ଚୟ ।  ମୋ ସାନ ଶାଳୀର ବିବାହ ସମ୍ପନ୍ନ ହୋଇଥାଏ ଯାହାଙ୍କ ସହ, ସେ ଥାନ୍ତି କୋରାପୁଟ ସଦର ବ୍ଲକରେ ଜଣେ କ୍ଷେତ୍ର କର୍ମଚାରୀ । ମୋ ଶାଳୀ ପୁରୀ ସହରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ମହିଳା) ବାଟାଲିଆନରେ ଏପରି ଏକ ସ୍ଥାୟୀ ପଦବୀରେ ନିଯୁକ୍ତ ଥାନ୍ତି, ଯେଉଁଠୁ ଅନ୍ୟତ୍ର, ବିଶେଷତଃ କୋରାପୁଟକୁ ବଦଳି ହେବା ଥାଏ ଅସମ୍ଭବ । ସେହି ନବବିବାହିତ ଦମ୍ପତ୍ତିଙ୍କ ଆବେଦନ କ୍ରମେ ସରକାର ମୋ ସଢୁଙ୍କ ବଦଳି କୋରାପୁଟରୁ ପୁରୀ କରିଦେଲେ । 

ପୁରୀରେ ସେତେବେଳେ ମୋର ପାରିବାରିକ ବନ୍ଧୁ ସଚ୍ଚି ରଥ ଥାନ୍ତି ଜିଲ୍ଲାପାଳ । ତାଙ୍କୁ ସରକାରଙ୍କ ଆଦେଶର ନକଲ ଯାଇଥାଏ । ସେ ମୋତେ କହିଲେ, ବଦଳି ଆଦେଶଟି ଅକାମି ହୋଇଯିବ । କାରଣ, ମୋ ସଢୁଙ୍କ ସ୍ଥାନରେ କୌଣସି ବଦଳିଆ ଦିଆ ଯାଇନଥିବା ହେତୁ, କୋରାପୁଟ ଜିଲ୍ଲାପାଳ ତାଙ୍କ ଦାୟିତ୍ଵ ହସ୍ତାନ୍ତର କରାଇବେ ନାହିଁ । କଣ କରାଯିବ? ମୁଁ ପଚାରିଲି । ସେ କହିଲେ, ତୁମେ ନିଜେ କୋରାପୁଟ ଯାଅ , ସେଠି ଶିନୀ (ଶ୍ରୀନିବାସ ରଥ) ଜିଲ୍ଲାପାଳ। ତାଙ୍କୁ ତମେ ନିଜେ କହିଲେ, ସେ ହୁଏତ ବଦଳିଆକୁ ଅପେକ୍ଷା ନକରି ଦାୟିତ୍ଵ ହସ୍ତାନ୍ତର କରାଇଦେଇ ପାରନ୍ତି । ଶ୍ରୀନିବାସ ରଥ ଆଠଗଡ଼ରେ ମୋ ପଡ଼ିଶା । ତାଙ୍କ ଉପରେ ଭରସା ରଖି କୋରାପୁଟ ବାହାରିଲି । ପ୍ୟାରୀ ମୋହନ ମହାପାତ୍ର ଥିଲେ ଦଣ୍ଡକାରଣ୍ୟ ଯୋଜନାର ମୁଖ୍ୟ । ତାଙ୍କ ସହ ସମ୍ପର୍କ ଭଲ ଥିଲା । କୋରାପୁଟରେ ତାଙ୍କ ଅତିଥିଶାଳାରେ ରହଣି ଓ ତାଙ୍କ ଦପ୍ତରର ଗୋଟିଏ ଜିପ୍ ମୋତେ ମିଳିଗଲା ।  ମୋ ସଢୁଙ୍କ ଠିକଣା ଜାଣିବାକୁ ଓ ଦାୟିତ୍ଵ ହସ୍ତାନ୍ତରୀକରଣରେ ସେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିବାକୁ ମୁଁ ପ୍ରଥମେ ସଦର ବିଡ଼ିଓଙ୍କୁ ଭେଟିବାକୁ ଭାବିଲି । ବିଡ଼ିଓ ଆସନରେ ଯାହାଙ୍କୁ ଦେଖିଲି ସେ ମୋ ଭଣଜା ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ । ସେଠାରେ ପରସ୍ପରକୁ ଦେଖି ଉଭୟେ ଆକସ୍ମିକ ଆନନ୍ଦରେ ହଜିଗଲୁ । ଦୁହେଁ ଯାଇ ଶ୍ରୀନିବାସ ରଥଙ୍କୁ ଭେଟିଲୁ । ଦାୟିତ୍ଵ ହସ୍ତାନ୍ତରୀକରଣ ଆଦେଶ ସଙ୍ଗେ ସଙ୍ଗେ ମିଳିଗଲା । ପ୍ୟାରିବାବୁ ଦେଇଥିବା ଜିପ୍ ନେଇ ମୁଁ ବାହାରିଲି ମୋ ସଢୁଙ୍କୁ ତାଙ୍କ ରହଣି ସ୍ଥାନରୁ ଆଣିବା ପାଇଁ । ସେ ରହୁଥିଲେ ଦାମନଯୋଡି ସନ୍ନିକଟ ମାଥାଲପୁଟରେ । ବାର ତେରଟି ପାହାଡ଼ ଟପି ଲକ୍ଷ୍ୟସ୍ଥଳରେ ପାହାଞ୍ଚିଲି । ଫେରିଲା ବେଳେ ଭାଲୁ କବଳରୁ ବଳିଆ କୁକୁର ବଞ୍ଚାଇଥିବା ଏକ ଯୁବକର ରକ୍ତାକ୍ତ ଦେହକୁ କିଛି ଲୋକ ଏକ ଦୋଳାରେ କୋରାପୁଟ ଡାକ୍ତରଖାନାକୁ  ନେଉଥିବା ଦେଖି ସେମାନଙ୍କୁ ଆହାତ ସହ ମୋ ଗାଡ଼ିରେ ଆସିବାକୁ ପ୍ରବର୍ତ୍ତାଇଲି ।  ଆହତ ସହ ତା ବୋଉ ଓ ଆଉ ଦୁଇଜଣ ଆସିଲେ ।  ସେ ଅଭିଜ୍ଞତା ଅନ୍ୟ ଏକ ଲେଖାରେ ଲେଖିବି । ବାଲକୋ ପାଇଁ ସର୍ଭେ ଚାଲିଥାଏ । ସେହି ଜଙ୍ଗଲଭରା ପାହାଡ଼ି ରାସ୍ତାର ଦୁଇ ପାର୍ଶ୍ଵରେ ନାଲି ନାଲି ଫଳ ଭରା ବୁଦା । ସେଗୁଡ଼ା କି ଫଳ ବୋଲି ପଚାରିଲି । ସେହି ଲୋକମାନେ କହିଲେ – କଫି ଫଳ , ଯାହା ତାଙ୍କ ଜଙ୍ଗଲରେ ଭର୍ତ୍ତି । ତାକୁ ସେମାନେ ଶୁଖାଇ, ଭାଜି, ଶିଝାଇ , ଶିଝା ପାଣିକୁ ପିଅନ୍ତି ।  ତହିଁରୁ କିଛି ଆଣିବାକୁ ମୁଁ ଆଗ୍ରହ ପ୍ରକାଶ କରିବାରୁ ସେହି ଲୋକମାନେ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ଗାମୁଛା କାନିରେ କାନିଏ ଲେଖାଏଁ ଆଖି ପିଛୁଳାକେ ତୋଳି ପକାଇଲେ । ଅଧବସ୍ତାଏ ହୋଇଥିଲା । ବ୍ରହ୍ମପୁର ମହିଳା କଲେଜରେ ଅର୍ଥନୀତିର ଅଧ୍ୟାପିକା ଥିବା ମୋ ଧର୍ମ ଭଉଣୀ ଶୋଭା ଅଧିକାରୀ ପାରଳାଖେମୁଣ୍ଡିର ଝିଅ । ସେ ଫଳ ରୋଷ୍ଟ କରି ତହିଁରୁ କଫି ପ୍ରସ୍ତୁତ କରି ପିଅନ୍ତି ।  ମୁଁ ଆଣିଥିବା କଫି ଫଳରୁ କିଛି ପାଇ ସେ ଖୁବ୍ ଖୁସି ହୋଇଥିଲେ ଓ ତାହା ହିଁ ମୋତେ ନିଶ୍ଚିତ କରିଦେଲା ଯେ, ସେଗୁଡ଼ିକ  କଫି ଫଳ ଓ କୋରାପୁଟ ଜଙ୍ଗଲରେ ତାହା ପ୍ରକୃତିଜାତ, ଯେମିତି ଟିଗିରିଆରେ  କଳାପିଠିଆ ଛତୁ ।  

ଇମର୍ଜେନ୍ସି ବିରୁଦ୍ଧରେ ଲେଖୁଥିବା ହେତୁ ମୁଁ କାମ କରୁଥିବା ସଂବାଦପତ୍ର  ସରକାରୀ ଚାପରେ ମୋର ନିଯୁକ୍ତି ସଙ୍କଟ ଘଟାଇଥାଏ । ‘ଦି ନିୟୁଜ ସିଣ୍ଡିକେଟ’ (The News Syndicate) ନାମକ ଏକ ନିୟୁଜ ଏଜେନ୍ସି ଗଢି ସେହି ମାଧ୍ୟମରେ ମୁଁ ସଂବାଦ ବିତରଣ କରୁଥାଏ । ତାହାରି ଖବର ଭାବେ ମୁଁ କୋରାପୁଟର କଫି କଥାଟି ରିପୋର୍ଟ କରିଥିଲି । ମାତୃଭୂମି ଓ ପ୍ରଜାତନ୍ତ୍ର ତାକୁ ପ୍ରକାଶ କରିଥିଲେ । ମୋ ସହ ଶିଲ୍ପ ବିବାଦରେ ଜଡ଼ିତ ନିୟୁଜ ଅଫ୍ ଦି ୱାର୍ଲ୍ଡରେ ମୋ ଏଜେନ୍ସିର ନାମ ନଦେଇ ତହିଁର ବାର୍ତ୍ତା ସମ୍ପାଦକ ମଧ୍ୟ ତାହା ପ୍ରକାଶ କରାଇ ଅଣଓଡ଼ିଆ ପାଠକମାନଙ୍କ ପାଖରେ ଖବରଟି ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । 

ଯାହାହେଉ, ଭଜା ହୋଇଥିବା କଫି ମଞ୍ଜି ଲଘୁ ଉତ୍ତାପରେ ଦୀର୍ଘ କାଳ ଧରି ଧୀରେ ଧୀରେ ନିର୍ଯ୍ୟାସ ନିର୍ଗତ ସ୍ଥିତି ପ୍ରାପ୍ତ ହେବା ପରି କୋରାପୁଟର ସେହି କଫି ଖବରଟି ଧୀର ଗତିରେ କେଉଁଠି ନାଁ କେଉଁଠି କାହା ମଗଜରେ ରେଖାପାତ କରିଥାଇପାରେ, ଯଦ୍ଦ୍ବାରା ୨୦୧୦ରେ ପ୍ରତିଷ୍ଠିତ କୃତି କଫି (Kruti Coffee)   ‘କଳିଙ୍ଗ ସୁନା’ (Kalinga Gold) ନାମରେ କୋରାପୁଟ କଫି ବିତରଣ କରୁଥିବା ବେଳେ ୨୦୧୯ରୁ ଟ୍ରାଇବାଲ୍ କଫି ହାଉସ୍ ‘କୋରାପୁଟ କଫି’ ନାମରେ ଏହା ଆମ୍ଭମାନଙ୍କ ପାଖରେ ପହଞ୍ଚାଉଛି ।  

କୃତିର ହେଉ ବା ଟ୍ରାଇବାଲ୍ କଫି ହାଉସର ହେଉ, ସକାଳୁ ଉଠି ମୁଁ ଦୁଇ କପ୍ କଫି କରେ ; ସବିତାରାଣୀଙ୍କ ପାଇଁ କପେ ଓ ମୋ ପାଇଁ କପେ । ସ୍ଵାଦରେ ଅତୁଳନୀୟ , ଗୁଣରେ ଅନୁପମ । 

ଆମ ଓଡ଼ିଶାର ପ୍ରକୃତିକ ବିଭବ ହେଲା କଫି । ତାର ବାସ୍ନା ଓଡ଼ିଆ ଓଡ଼ିଆ ଲାଗେ, ତାର ସ୍ଵାଦ ଓଡ଼ିଆ ଓଡ଼ିଆ ଲାଗେ, ତାର ମହକ ମନ ଭରିଦିଏ ଓଡ଼ିଆତ୍ଵର ଆନନ୍ଦରେ । ଗରମ ଗରମ ଯେପରି, ଶୀତଳ କଫି ବି ସେପରି ମନୋମୁଗ୍ଧକର ।  ସେଦିନର ସ୍ମୃତି ଆଜିର କଫିକୁ ସ୍ଵାଦମୟ କରେ ।