ରାମକୃଷ୍ଣ, ବିଜୁ ଓ ନବୀନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଏକଦା ଓଡ଼ିଶା ବିଧାନସଭାରେ ବିଧାୟକୀୟ ବିଜ୍ଞତାର ବିଚକ୍ଷଣ ପ୍ରୟୋଗକର୍ତ୍ତା ଥିବା, ନିଜ ଦକ୍ଷତା ହେତୁ ବାରମ୍ବାର ମନ୍ତ୍ରୀ ହୋଇଥିବା ରାମକୃଷ୍ଣ ପଟ୍ଟନାୟକ ପାକଳ ବୟସରେ କଂଗ୍ରେସରେ ଏବଂ ଅବଲୀଳାକ୍ରମେ ବିଜେପିରେ ପ୍ରବେଶ କରି ସେହି ଅଧୋପତିତ ଅବସ୍ଥାରେ ଆଖିବୁଜିଲେ । ଓଡ଼ିଶାରେ ଏତେ ଦିନ ଧରି ଅପଶାସନ ଚଳାଇଥିବା ବିଜେଡ଼ିର ସେ ଥିଲେ ପ୍ରତିଷ୍ଠାତା । ତାଙ୍କ ତିରୋଧାନରେ ତାଙ୍କ ପ୍ରତିଷ୍ଠିତ ଦଳକୁ ନିଜ କବ୍ଜାରେ ରଖିଥିବା ଓ ତାର “ସୁପ୍ରିମୋ” (ଦାସାଧିପତି) ସାଜିଥିବା ନବୀନ ପଟ୍ଟନାୟକ ଶୋକବାର୍ତ୍ତା ଦେଇ ସେ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ଅନୁବର୍ତ୍ତୀ ଥିଲେ ବୋଲି କହିଛନ୍ତି ।

ଜଣେ ସୁବିଦିତ ନେତାଙ୍କ ବିୟୋଗରେ ଶିଷ୍ଟାଚାରଗତ ଶୋକବାର୍ତ୍ତା ଦେଲାବେଳେ ବି ନବୀନବାବୁ ତାଙ୍କ ବାପାଙ୍କ ନାମର ଭାଇରସ ଖେଳାଇବା ଅତ୍ୟନ୍ତ ଅରୁଚିକର ମନେହୁଏ । ସେ ଯଦି କହିଥାନ୍ତେ – ରାମକୃଷ୍ଣ ଥିଲେ ସେହି ନେତା ଯିଏ ମୋତେ ରାଜନୀତିକୁ ଆଣିଥିଲେ – କଥାଟା ସୁନ୍ଦର ହୋଇଥାନ୍ତା ।

ବିଜୁବାବୁଙ୍କ ଆଦର୍ଶ କ’ଣ ଥିଲା? କିଏ ଜାଣେ? ସେହି ତଥାକଥିତ ଆଦର୍ଶର ଡିଣ୍ଡିମ ପିଟୁଥିବା ଲୋକେ କେବେ କେଉଁଠି ତାହା ପ୍ରାଞ୍ଜଳ ଭାବେ କହିନାହାନ୍ତି ।

ଆମ୍ଭେ ଯାହା ଜାଣୁ, ବ୍ୟବସାୟ ଛାଡ଼ି ବିଜୁ ପଟ୍ଟନାୟକ ରାଜନୀତିକୁ ଆସିଥିଲେ ଏଇଥିପାଇଁ ଯେ, ଶିଳ୍ପବିବାଦ ଆଇନର ଝମେଲାରେ ଝୋଲାମରା ନହୋଇ , ଆବଶ୍ୟକୀୟ ପାଣ୍ଠି ପାଇଁ କୌଣସି ବ୍ୟାଙ୍କର ଦ୍ଵାରସ୍ଥ ନହୋଇ, ନିଜର ଧୂର୍ତ୍ତତା ବଳରେ ବିପୁଳ ଅର୍ଥ ଉପାର୍ଜନ କେବଳ ରାଜନୀତିରେ ହିଁ ସମ୍ଭବ ହୁଏ ବୋଲି ସେ ଜାଣିଥିଲେ । ଏହି ଧୂର୍ତ୍ତତା ହିଁ ଥିଲା ଶେଷ ପର୍ଯ୍ୟନ୍ତ ତାଙ୍କ ଆଦର୍ଶ ।

ଓଡ଼ିଶା ଲୋକେ ଥରେ ତାଙ୍କ ପାଲରେ ପଡ଼ିଲେ ପରବର୍ତ୍ତୀ ଦୁଇ ଦୁଇଟା ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଥିଲେ ଓ ଶେଷ ଥରର ପ୍ରତାରଣା ଏତେ ଅସହ୍ୟ ହୋଇଉଠିଥିଲା ଯେ, ନିର୍ବାଚନରେ ସେ ତଡ଼ାଖାଇବା ପୂର୍ବରୁ ତାଙ୍କରି କର୍ମଚାରୀମାନେ ରାଜ୍ୟ ସଚିବାଳୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଜୀବନବିକଳରେ ପଳାଉଥିବା ବେଳେ ଆସନ୍ନ ଜୀବନହାନୀ କବଳରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ସମ୍ବାଦିକଙ୍କ ହେତୁ ବଞ୍ଚିଯାଇଥିଲେ ।

ତେଣୁ କେଉଁ ଆଦର୍ଶର ଆଧାର ଥିଲେ ବିଜୁ ପଟ୍ଟନାୟକ ଯେ, ତାହା ରାମକୃଷ୍ଣ ପଟ୍ଟନାୟକଙ୍କୁ ପ୍ରଭାବିତ କରିଥିଲା ?

ବିଜୁ ଓ ରାମକୃଷ୍ଣଙ୍କ ଭିତରେ ଗୋଟିଏ ସାମଞ୍ଜସ୍ୟ ଅବଶ୍ୟ ଥିଲା । ରାଜନୀତିରେ ରହିବାକୁ ଉଭୟେ ବହୁବାର ରଙ୍ଗ ବଦଳାଇଥିଲେ । ଦଳରୁ ଦଳ ଡେଇଁ ଥିଲେ । ଏବଂ ଉଭୟେ ଥିଲେ ଆସ୍ଫାଳନବାଦୀ । ସେଥିପାଇଁ ବିଜୁଙ୍କୁ ଲୋକେ ଥଟ୍ଟାରେ “କଳିଙ୍ଗ ଷଣ୍ଢ” କହୁଥିଲେ ଓ ରାମକୃଷ୍ଣଙ୍କୁ କହୁଥିଲେ “ଗଞ୍ଜାମ ବାଘ” ! ମାତ୍ର ବିଜୁ ନିଜ ସ୍ଵାର୍ଥ ପାଇଁ ଜାତି ପ୍ରତି ବିଶ୍ଵାସଘାତକତା କରିଥିଲେ, ରାମକୃଷ୍ଣ କେବେ ବି ଏହା କରିନଥିଲେ ।

ରାମକୃଷ୍ଣ ବିଜୁ ଜନତା ଦଳ ତିଆରି କରିଥିଲେ । ନବୀନ ପଟ୍ଟନାୟକଙ୍କୁ ରାଜନୀତିକୁ ଆଣିଥିଲେ । ଜନବାଦୀ ସାମ୍ବାଦିକ ସତୀଶ ମିଶ୍ରଙ୍କ ସୂତ୍ରରୁ orissamattersର ୟୁଟ୍ୟୁବ୍ ପୃଷ୍ଠାକୁ ଆନୀତ ଏହି ଭିଡ଼ିଓଟି ଅନୁଧ୍ୟେୟ । ଶୋକ ବାର୍ତ୍ତାରେ ନବୀନ ଏକଥା ନ କହି , କୌଣସି ଶ୍ଲାଘ୍ୟ ଆଦର୍ଶ ନଥିବା ବିଜୁଙ୍କ ଆଦର୍ଶର ସେ ଅନୁଗାମୀ ଥିବା କହି ଓଡ଼ିଶା ଲୋକେ କ୍ଷମତାରୁ ତଡ଼ି ଦେଇଥିବା ବିଜୁଙ୍କ ମରଣୋତ୍ତର ଧୂର୍ତ୍ତ ଉପଯୋଗ ପୁନଶ୍ଚ କରିଛନ୍ତି, ଯାହା ହେବା ଉଚିତ ନଥିଲା ।

ଧୂର୍ତ୍ତ ସ୍ୱାସ୍ଥ୍ୟ “କାର୍ଡ”ରୁ ବିଜୁ ନାମ ହଟା, ଆଇନ ଦ୍ଵାରା ତାକୁ ବୈଧ କର

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଶାରେ ରୋଗ ଓ ରୋଗୀ ସଂଖ୍ୟା ଅଭୂତପୂର୍ବ ଭାବେ ବଢିଛି । ପ୍ରତିବର୍ଷ ବଢି ବଢି ଚାଲିଛି । ଲୋକେ ଭୟଙ୍କର ଅର୍ଥନୈତିକ ଦୁରାବସ୍ଥାରେ ଶଢୁଛନ୍ତି । ତେଣୁ ସେମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ଭୟଙ୍କର ଭାବେ ହ୍ରାସ ପାଇଛି । ଏହାଙ୍କ ଭୁଲ ଅର୍ଥନୀତି ହେତୁ ପରିବେଶ ପ୍ରଦୂଷଣ ଅତ୍ୟନ୍ତ ଉତ୍କଟ । ଫଳରେ ସାଧାରଣ ସ୍ୱାସ୍ଥ୍ୟ ଅଧିକ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଅନାହାରରେ ରହି ଲୋକେ ମରିଗଲେ ଏଙ୍କ ସରକାର ଭୁଶୁଡ଼ି ପଡ଼ିବ । ତେଣୁ ମାଗଣା ଖାଦ୍ୟ ଯୋଗାଣରେ ପଇସା ଖର୍ଚ୍ଚ କରିବାକୁ ଏ ବାବୁ ରାଜକୋଷକୁ କରଜଭାରରେ ବୁଡ଼େଇ ସାରିଲେଣି । କିନ୍ତୁ ଅର୍ଦ୍ଧାହାର ମଣିଷର  ଅନାହାରଠାରୁ କୌଣସି ଗୁଣରେ ଊଣା କ୍ଷତିକାରକ ନୁହେଁ । ଫଳରେ ରୋଗ ଗ୍ରାସିଯାଉଛି ଓଡ଼ିଶାର ସାଧାରଣ ମଣିଷଙ୍କୁ । କାଳେ ଲୋକେ ରୋଗ ଦାଉରେ ତାତି ଉଠିବେ, ଆଗାମୀ ପଞ୍ଚାଯତ ନିର୍ବାଚନରେ ରୋଷ ପ୍ରକଟ କରିବେ, ଏଥିପାଇଁ ଏ ବାବୁ ଗୋଟେ ଧୂର୍ତ୍ତ ସ୍ୱାସ୍ଥ୍ୟ “କାର୍ଡ” (ଇଂରାଜୀ ସ୍ମାର୍ଟ ଶବ୍ଦର ଅର୍ଥ ଧୂର୍ତ୍ତ) ଚଳାଇ ଓଡ଼ିଶା ତମାମ ବାଣ୍ଟିଛନ୍ତି ଓ ଏଥିରେ କହିଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ସବୁ ସରକାରୀ ଡାକ୍ତରଖାନାରେ ଏବଂ ତାଲିକାଭୁକ୍ତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ବାବଦରେ ମିଳିବ । ମହିଳା ରୋଗୀ କ୍ଷେତ୍ରରେ ଏହି ସରକାରୀ ସହାୟତାର ପରିମାଣ ୧୦ ଲକ୍ଷ ଟଙ୍କା !

ବାବୁ ନବୀନଙ୍କ ବାପାଙ୍କ ପଇସାରୁ ଏହା ଖର୍ଚ୍ଚ ହେବନାହିଁ ; ହେବ ଓଡ଼ିଶାବାସୀଙ୍କୁ ବନ୍ଧା ପକାଇବାକୁ ଥିବା ଆଗୁଆ କରଜରୁ । ତେଣୁ ବିଜୁଙ୍କ ନାମରେ ଏହି “କାର୍ଡ” କାହିଁକି? ତାହା ହଟାଯିବା ଦରକାର ।

ଅଧିକନ୍ତୁ, ଏହି ଧୂର୍ତ୍ତ “କାର୍ଡ” ଆଇନ ସମ୍ମତ ନୁହେଁ । ରାଜ୍ୟ ମନ୍ତ୍ରୀମଣ୍ଡଳ ଏହାକୁ ଅନୁମୋଦନ ଦେଇନାହିଁ । ବିଧାନସଭା ଏଥିପାଇଁ କୌଣସି ବିଧି ପ୍ରଣଯନ କରିନାହିଁ । ଅତଏବ ଏହାର ପରିଚାଳନା ପାଇଁ କୌଣସି ଆଇନ ହୋଇନାହିଁ । ଅର୍ଥ ବିଭାଗ ଏହାକୁ ମଞ୍ଜୁରୀ ଦେଇନାହିଁ। ଯେଉଁ ଔଷଧ କମ୍ପାନୀମାନେ ଏଥିପାଇଁ ଔଷଧ ଯୋଗାଇବେ, ସେମାନେ ନିଜ ପ୍ରାପ୍ୟ ନପାଇଲେ କାହାଠୁ କିପରି ଆଦାୟ କରିବେ ତାହା ବିଧିବଦ୍ଧ ହୋଇନାହିଁ । ରାଜ୍ୟ କାର୍ଯ୍ୟନିୟମାବଳୀ ଏ ସମ୍ପର୍କରେ ସଂପୂର୍ଣ୍ଣ ନୀରବ । ସୁତରାଂ, ଏହା ସଂପୂର୍ଣ୍ଣ ଅନଧିକୃତ । ଅବୈଧ ।

ନବୀନଙ୍କ ଅପଶାସନ ଯେତେବେଳେ ହଟିବ ଓ ନୂଆ ନେତା ସରକାର ଗଢିବେ, ସେ ଏହି ବେଧବୁଜୁଳା ବହନ କରିବାକୁ ବାଧ୍ୟ ହେବେ କି ନାହିଁ, ତାହା ଆଇନ ପ୍ରଣୟନ ଦ୍ଵାରା ଧାର୍ଯ୍ୟ ହେବା ଦରକାର । କାରଣ ଏହି ଧୂର୍ତ୍ତ “କାର୍ଡ”ର କାର୍ଯ୍ୟକାରିତା ପାଇଁ ନବୀନଙ୍କ କ୍ଷମତା ଭୟରେ ସହଯୋଗ କରୁଥିବା ଓଡ଼ିଶାର ଭିତର/ ବାହାର ବେସରକାରୀ ଡାକ୍ତରଖାନାମାନଙ୍କର ହଜାର ହଜାର କୋଟି ଟଙ୍କାର ଦେୟ ପରିଶୋଧ କରିବାକୁ ନୂଆ ସରକାର ସମର୍ଥ ହେବେ ନାହିଁ । ସରକାରୀ ଡାକ୍ତରଖାନାମାନଙ୍କୁ ଔଷଧ ଯୋଗଣକାରୀମାନେ ମଧ୍ୟ ହଜାର ହଜାର କୋଟି ଟଙ୍କା ଆଦାୟ କରିବାକୁ ଚାହିଁବେ । ସେ ଟଙ୍କା କିପରି ପରିଶୋଧ ହେବ ତାହା ଆଇନରେ ଲିପିବଦ୍ଧ ହେବା ଦରକାର ଓ ଉତ୍ତରଦାୟୀତ୍ଵ ଆଇନତଃ ନିର୍ଦ୍ଧାରିତ ହେବା ଦରକାର ।

ମୁଁ ଆଶା କରୁଛି, ନବୀନ ପଟ୍ଟନାୟକ ପଳାୟନବାଦୀ ପନ୍ଥା ଅନୁସରଣ ନକରି ଏହା ଉପରେ ନିଜେ ବା ନିଜ ଗୋଡାଣିଆମାନଙ୍କ ମଧ୍ୟରୁ ଯାହାକୁ ବି ମନୋନୀତ କରି ତା ମାଧ୍ୟମରେ ଏହା ଉପରେ ଅଭିମତ ରଖିବେ ।

ଓଡ଼ିଶାର ଗଣମାଧ୍ୟମସମୂହ ସରକାରୀ ବିଜ୍ଞାପନ ଦ୍ଵାରା ଲୋକଙ୍କୁ ବିଭ୍ରାନ୍ତ କରିବା ପରିବର୍ତ୍ତେ ଏହି ପ୍ରସଙ୍ଗ ଆଲୋଚନା କରିବା ଉଚିତ । କାରଣ, ଓଡ଼ିଶା ନବୀନ ପଟ୍ଟନାୟକଙ୍କ ତଞ୍ଚକତା ହେତୁ ଭୟଙ୍କର ବିପଦରେ ପଡିବାକୁ ଯାଉଛି ।