Saubhasya

Official Website of Sri Subhas Chandra Pattanayak of Tigiria

Month: February, 2012

କେନ୍ଦ୍ର ସାହିତ୍ୟ ସମ୍ମାନ: ଓଡ଼ିଆ ଭାଷା ପ୍ରତି ସମ୍ମାନ କି ଅସମ୍ମାନ?

by Subhas Chandra Pattanayak

ଶ୍ରୀ ସୁଭାଷଚନ୍ଦ୍ର ପଟ୍ଟନାୟକ

ଭାଷା ସାହିତ୍ୟ ସମ୍ମାନ-୨୦୧୧ ପାଇଁ ଓଡ଼ିଆ ଭାଷାର ସର୍ବଶ୍ରେଷ୍ଠ ପୁସ୍ତକ ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା କଳ୍ପନାକୁମାରୀ ଦେବୀ ବିରଚିତ ‘ଅଚିହ୍ନା ବାସଭୂମି’ର ନିର୍ବାଚନ ଅବୈଧ ଥିଲା ବୋଲି ଦାବି କରି ତାହା ବାତିଲ୍ କରିଦେବାକୁ ଦାଖଲ ହୋଇଥିବା ଜନସ୍ବାଥର୍ ମାମଲା ଓଡ଼ିଶା ହାଇ କୋଟର୍ ଦୃଷ୍ଟିରେ ତାଦ୍ଦୃଶ ଗୃହିତ ନ ହେବାରୁ ଏହି ପୁସ୍ତକପାଇଁ ତାର ଲେଖିକାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । କିନ୍ତୁ ଏହି ସମ୍ମାନ ଓଡ଼ିଆ ଭାଷା ପ୍ରତି ସମ୍ମାନ କି ଅସମ୍ମାନ ତାହା ବିଚାର କରିବାର ଅଧିକାର ପ୍ରତି ଓଡ଼ିଆର ରହିଛି ।

ମୋର ଅନ୍ୟତମ ମହାଶୂନ୍ୟୀୟ ପତ୍ରିକା orissamatters.comରେ ଏ ପୁସ୍ତକକୁ କାହିଁକି ନିର୍ଦ୍ଦିଷ୍ଟ ସମୟର ସର୍ବଶ୍ରେଷ୍ଠ ଓଡ଼ିଆ ପୁସ୍ତକର ମାନ୍ୟତା ଦେବା ଅସଙ୍ଗତ ତାହା ମୁଁ ଦର୍ଶାଇଛି। ମାନ୍ୟବର ହାଇକୋଟର୍ ପୁସ୍ତକଟିର ସାହିତ୍ୟ ସ୍ବରୂପ ଅନୁଧ୍ୟାନ କରିଛନ୍ତି କି ନା, ତାହା ମୋତେ ଜଣା ନାହିଁ। ଇଣ୍ଟରନେଟ୍ ମାଧ୍ୟମରେ ଜଜମେଣ୍ଟ ସାଇଟରୁ ତାହା ଜାଣିବାକୁ ଚେଷ୍ଟା କଲି। ମାତ୍ର ତାହା ଉପଲବ୍ଧ ହେଲାନି। ମାମଲା ଦାଖଲ କରିଥିବା ଶ୍ରାଚରଣ ପ୍ରତାପ (କନିଷ୍କ)ଙ୍କ ଠାରୁ ହାଇକୋଟର୍ ଦେଇଥିବା ନିର୍ଣ୍ଣୟର ନକଲ ସଂଗ୍ରହ କରିବାକୁ ଚେଷ୍ଟା କଲି। ନିର୍ଣ୍ଣୟକାରୀ ବେଞ୍ଚରେ ଥିବା ଦୁଇ ବିଚାରପତି – ମୁଖ୍ୟବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବି.ଏନ୍.ମହାପାତ୍ର – ଏପର୍ଯ୍ୟନ୍ତ ସ୍ବାକ୍ଷର କରିନଥିବା ହେତୁ ତାଙ୍କୁ ନିର୍ଣ୍ଣୟର ନକଲ ମିଳି ପାରି ନାହିଁ ବୋଲି ତାଙ୍କଠାରୁ ଅବଗତ ହେଲି। ରାୟ ଉପରେ ବିଚାରପତିଙ୍କ ସ୍ବାକ୍ଷର ନ ଥାଇ ତାହା କାର୍ଯ୍ୟକାରୀ ହୋଇସାରିଥିବା ପରି ବିଭାବନା ଏହି ସମ୍ମାନ ସଂଗ୍ରହ ପାଇଁ ବ୍ୟଗ୍ରତା କେତେ ତୀବ୍ର ଥିଲା ତାହା ଅନ୍ଦାଜ କରିବାରେ ସାହାଯ୍ୟ କରେ । ସାହିତ୍ୟ ଏକାଡ଼େମୀ ଅଦାଲତଙ୍କ ଆଦେଶ ଅବଗତ ହୋଇସାରିଥିବା ବେଳେ ଆବେଦନକର୍ତ୍ତା ଆଦେଶଟିର ନକଲ ପାଇପାରିନାହାନ୍ତି କି ତାହା ଅଦାଲତଙ୍କ ଦ୍ବାରା ଇଣ୍ଟରନେଟରେ ମଧ୍ୟ ଉପଲବ୍ଧ କରାଯାଇନାହିଁ ଏ ଅବଧି । ଏପରି ଅବସ୍ଥାରେ ପୁସ୍ତକଟିର ସାହିତ୍ୟ ସ୍ବରୂପ ଅଦାଲତ ଅନୁଧ୍ୟାନ କରିଛନ୍ତି କି ନା, ତାହା କହିହେଉନି। ଜଜମେଣ୍ଟଟି ଦେଖିସାରିବା ପରେ ତାହା ଉପରକୁ ଆସିବା।

ଏବେ ଦେଖିବା ଏହି ପୁସ୍ତକକୁ ମିଳିଥିବା ସାହିତ୍ୟ ସମ୍ମାନ-୨୦୧୧ ଓଡ଼ିଆ ଭାଷା ପାଇଁ ସମ୍ମାନ କି ଅସମ୍ମାନ।

ଏହା ଯେଉଁ ଭାଷା ବ୍ୟବହାର କରିଛି, ତହିଁରୁ କିଛି ନମୁନା ଦେଖାଯାଉ –

(କ) ନେଇ ଯାଆ…ନେଇଯାଆରେ…ଭଲ ହେଲା, ରାଣ୍ଡୀର ‘ଜରତା’ ଦୋଷ କଟିଗଲା; କିନ୍ତୁ ତୋ ବଂଶକୁ ବ୍ରହ୍ମଶାପ ନିର୍ବଂଶ କରଦେବରେ ଶୂଦ୍ର ପୁଅ! ……..ଶଳା, ତୁ ଯଦି ବ୍ରାହ୍ମଣ ହେବୁ, ଜଙ୍ଗଲୀ ନିଷାଦ କିଏ ହେବରେ ଶଳା ! କଣ୍ଡୁରୁଣୀ ମରିୟାଇଛି ବୋଲି, ବ୍ରହ୍ମଣୀ ପାଖରେ ବ୍ରାହ୍ମଣ ବୋଲାଉଛୁ। ଶଳା ବ୍ୟାଧ, ତତେ ଆଜି ସଲିଳ ସମାଧି ଦେବୁ । (ପୃଷ୍ଠା: ୩୩)
(ଖ) କଣ୍ଡରାଙ୍କ ପାଖରେ, ସେଇ ମାଟିରେ ବସି ବ୍ରାହ୍ମଣ ସନ୍ତାନ ପାଠ ପଢ଼ିବ, ଏ କସ୍ମିନ କାଳେ ହୋଇପାରିବ ନାହିଁ । (ପୃ: ୫୩)
(ଗ) ଶଳା ମୋଟା ବୁଦ୍ଧିଆ କେଉଟ । କିଛି ବିଚାର ବୁଦ୍ଧି ଅଛି ! (ପୃ: ୫୫)
(ଘ) ପାଣ କଣ୍ଡରାକୁ ଛୁଇଁ ରାଜ୍ୟ ସାରା ବୁଲିଆସି ମା’ଙ୍କ ଘରେ ପଶିବୁ? (ପୃ: ୧୫୨)
(ଙ) ଚୁପ୍ ଶଳା । ନୁଁ ତୋ ସାତ ଜନ୍ମର ନନା ନୁହେଁରେ ଶଳାର ଶଳଆ । ମୋ ବାପ କେବେ ମନ କରି ନଥିବ ତୋ ମା କଣ୍ଡୁରୁଣୀ ଘରର କବାଟ କିଳିବାକୁ । ଶଳା ହେଡ଼ାଖିଆ….. (ପୃ: ୨୩୧)
(ଚ) ଶଳା ତୁ ବ୍ରାହ୍ମଣ ନା ହାଡ଼ିରେ ଶଳା? (ପୃ: ୨୩୨)
(ଛ) ସେ ନିଜେ ଅସ୍ପୃଶ୍ୟ – ମୁସଲମାନଙ୍କୁ ଛୁଇଁଲେ ଅସ୍ପୃଶ୍ୟତା ଦୁଇଗୁଣ ହୋଇଯିବ । ବିଧର୍ମୀ ମୁସଲମାନ ଯେତେ ଜ୍ଞାନୀ, ଗୁଣୀ ହେଲେ ସୁଦ୍ଧା କରଣ, ବ୍ରାହ୍ମଣଙ୍କ ପରି ଉଚ୍ଚବର୍ଣ୍ଣର ହିନ୍ଦୁମାନଙ୍କ ନିକଟରେ ଗ୍ରହଣଯୋଗ୍ୟ ନୁହନ୍ତି । (ପୃ: ୨୫୬)
(ଜ) ଜଣେ ପୁରପୁରୁଷ ସାଙ୍ଗରେ, ଏତେ ଲୋକଙ୍କ ଆଖି ଆଗରେ ଜଣେ ଝିଅମଣିଷ ଛୁଆଁଛୁଇଁ କରିବ, ସେ ନିଶ୍ଚେ ବେଶ୍ୟା ହୋଇଥିବ । (ପୃ: ୨୫୯)
(ଝ) ହେଡ଼ାଖିଆ କଣ୍ଡରା…..(ପୃ: ୨୬୦)
(ଞ) ସୁନା ଝିଅ । ତୁ କ’ଣ ଗୋଖଣୀ ପରି ନାକରେ ଗୁଣା ଝୁଲେଇବାକୁ ଜନ୍ମ ହୋଇଛୁ ? ତୋର ଜନ୍ମ ଅନ୍ୟ କାମ ପାଇଁ ହୋଇଛି । (ପୃ: ୨୭୧)
(ଟ) ସବୁ ଅସ୍ପୃଶ୍ୟମାନଙ୍କ ପରି ମୁସଲମାନ ମାନେ ବି ଅସ୍ପୃଶ୍ୟ, ବରଂ ଗୋରୁ ଖାଇବା ପାଇଁ ବେଶି ହୀନ । (ପୃ: ୩୦୦)
(ଠ) ପେଟକୁ ଯେତେବେଳେ ଦାନା ନମିଳେ ସେତେବେଳେ ପାଣ ପଠାଣ ଏକ ଜାତି । ….ହଁ, ହଁ । ପଣ୍ଡିତ ନେହେରୁ । ତାଙ୍କ ଝିଅ ପଠାଣ ଘରେ ବାହା ହୋଇଛି? ହେତ୍ କ’ଣ ଯେ କହେ ବେଣୁଜୀବନ ! ବ୍ରାହ୍ମଣ କନ୍ୟା ଏତେବଡ଼ ମଣିଷର ଝିଅ ହୋଇ, ପଠାଣ ଘରକୁ ବୋହୁ ହୋଇଯିବ? (ପୃ: ୫୧୫)

ଏ ସବୁ କ’ଣ ଓଡ଼ିଆର ସର୍ବଶ୍ରେଷ୍ଠ ସାହିତ୍ୟ ରୂପ?

ଏ ସବୁ ତ କେବଳ କିଛି ନମୁନା !

ଜାତି ବିଦ୍ବେଷ, ନାରୀ ବିଦ୍ବେଷ ଓ ଧର୍ମ ବିଦ୍ବେଷ ଦ୍ବାରା ଏ ପୁସ୍ତକ ଯେପରି ପ୍ରଦୂଷିତ, ଅଶ୍ଳୀଳ ଶବ୍ଦରେ ସେପରି ଭରା ଏହାର ଭାଷା।

ଦୁଃଖ ଓ ଲଜ୍ଜାର କଥା, ଏହି ପୁସ୍ତକକୁ ୨୦୦୭ରୁ ୨୦୦୯ ମଧ୍ୟରେ ପ୍ରକାଶିତ ସମସ୍ତ ଓଡ଼ିଆ ପୁସ୍ତକ ଭିତରେ ସର୍ବଶ୍ରେଷ୍ଠ ବୋଲି ସମ୍ମାନିତ କରିଛି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ।

ଏ ସମ୍ମାନ ଦ୍ବାରା ଓଡ଼ିଆ ଭାଷା ପ୍ରତି ସମ୍ମାନ କି ଅସମ୍ମାନ ପ୍ରଦର୍ଶନ କରାଯାଇଛି, ତାହା ନିରୂପଣ କରିବାର ଅଧିକାର ପ୍ରତି ଓଡ଼ିଆର ଏପରି ଜନ୍ମଗତ ଯେ, କୌଣସି ଅଦାଲତର କୌଣସି ନିଷ୍ପତ୍ତିକୁ ତାହା ଅପେକ୍ଷା ରଖେନାହିଁ ।

Advertisements

ଓଡ଼ିଶାରେ ଗଣତନ୍ତ୍ରର ଭୟଙ୍କର ଗଳରୋଧ

by Subhas Chandra Pattanayak

ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାଯକ

ଓଡ଼ିଶାରେ ସରକାର ଓ ସାମ୍ବାଦିକ ମୁହାଁମୁହିଁ ହେବା ଏହା ପୂର୍ବରୁ କେବେ ଘଟି ନ ଥିଲା । ମାତ୍ର ଏବେ ଏହା ଘଟୁଛି; କାରଣ, ଗଣତନ୍ତ୍ରର ଗଳରୋଧକୁ ସାମ୍ବାଦିକମାନେ ବିରୋଧ କରୁଛନ୍ତି ।

ନବୀନ ପଟ୍ଟନାୟକଙ୍କ ସରକାର ନିଜ ଅପଶାସନକୁ ଘୋଡ଼ାଇବା ପାଇଁ ଯେଉଁ ସବୁ ପଦ୍ଧତ୍ତି ଆପଣାଇଛନ୍ତି ତହିଁରେ ମୁଖ୍ୟ ହେଉଛି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମନରେ ଭୟ ସୃଷ୍ଟିକରି ତଥ୍ୟ ପ୍ରକଟନରୁ ସେମାନଙ୍କୁ ନିବୃତ୍ତ କରାଇବାର ଅପଚେଷ୍ଟା । ଫଳରେ ପ୍ରେସ୍ ସ୍ବାଧୀନତା ବିପନ୍ନ ହୋଇଛି ପ୍ରଚଣ୍ଡ ଭାବେ, ଯହିଁର ନିରାକରଣ ପାଇଁ ଓଡ଼ିଶାର ସାମ୍ବାଦିକମାନେ ମିଡ଼ିଆ ୟୁନିଟି ଫର ଫ୍ରିଡ଼ମ୍ ଅଫ୍ ପ୍ରେସ୍ (Media Unity for Freedom of Press, ସଂକ୍ଷେପରେ MUFP) ନାମକ ଏକ ଐକ୍ୟ ମଞ୍ଚ (ଏହାପରଠୁଁ ଐକ୍ୟ ମଞ୍ଚ) ଗଠନ କରି ନିର୍ଯ୍ୟାତିତ ସାମ୍ବାଦିକମାନଙ୍କ ମନୋବଳ ବଢ଼ାଉଛନ୍ତି ଓ ସରକାରୀ ଜୁଲୁମ ବିରୁଦ୍ଧରେ ଜନମତ ଜାଗ୍ରତ କରାଇ ଚାଲିଛନ୍ତି । ଏହି ଐକ୍ୟ ମଞ୍ଚର ଡାକରାରେ ଓଡ଼ିଶାର ସମସ୍ତ ବିରୋଧୀ ଦଳ, ଏପରିକି ପରସ୍ପରର ଘୋର ବିରୋଧୀ ବି.ଜେ.ପି. ଓ ବାମପନ୍ଥୀ ଦଳଗୁଡ଼ିକ ନିଜ ନିଜ ଦଳୀୟ ପାତାକା ନ ନେଇ ଏକାଠି ହେବା ଓ ଏହି ପ୍ରକ୍ରିୟାରେ ଓଡ଼ିଶା ଗଣ ସମାଜ ପରି ବୃହତ୍ତର ଜନ ମଞ୍ଚ ଜନ୍ମ ନେବା ସରକାରଙ୍କ ମୁଣ୍ଡବଥା ବଢ଼ାଇଦେଇଛି । ଅଥଚ, ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସରକାର ଅଧିକରୁ ଅଧିକ ଜୁଲୁମ ଚଳାଇଚାଲିଛନ୍ତି ସାମ୍ବାଦିକମାନଙ୍କ ଉପରେ

ନିକଟତମ କାଳରେ ଢେଙ୍କାନାଳ ଜିଲ୍ଲାରେ ଏପରି ଘଟଣା ଘଟିଛି । ସେଠାରେ ଶୋଷଣର ଯନ୍ତା ସାଜିଥିବା ଭୂଷଣ ଲୁହା କାରଖାନାରେ ଶ୍ରମିକ ଧର୍ମଘଟର ଖବର ପାଇ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ଦୁଇଜଣ ସାମ୍ବାଦିକ – ପ୍ରଦୀପ ସେନାପତି (ଇଟିଭି) ଓ ଜୟନ୍ତ ନାଥ (ସମ୍ବାଦ) – କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ସଲାସୁତରାରେ ମିଛ ମକଦ୍ଦମାରେ ଫସିଛନ୍ତି । ଏହି ଦୁଇ ସାମ୍ବାଦିକ ଶ୍ରମିକମାନଙ୍କୁ ଉସୁକାଇ ଧର୍ମଘଟ କରାଇଛନ୍ତି ବୋଲି କାରଖାନା କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ହେତୁ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଋଜୁ ହୋଇଥିବା ପୋଲିସ କହୁଛି । ଶ୍ରମ ଆଇନ ଉଲଂଘନ କରିଚାଲିଥିବା ଏକ କାରଖାନାର କର୍ତ୍ତୃପକ୍ଷଙ୍କ କଥା ପୋଲିସପାଇଁ ବେଦର ଗାର ହୋଇଥିବାବେଳେ ଦୁଇ ସମ୍ବାଦିକଙ୍କ କଥା କାହିଁକି ଗ୍ରହଣଯୋଗ୍ୟ ହୋଇନାହିଁ, ତହିଁର ତର୍ଜମା କଲେ ସନ୍ଦେହ ଘନିଭୁତ ହୁଏ ଯେ, ସମ୍ବାଦିକମାନଙ୍କୁ ଭୟଭୀତ କରାଇ ରଖିବାକୁ ସରକାର ଚଳାଇଥିବା କ୍ରମାଗତ ଷଡ଼ଯନ୍ତ୍ରର ଏହା ଏକ ଅଂଶବିଶେଷ ମାତ୍ର ।

କ୍ରମାଗତ ଷଡ଼ଯନ୍ତ୍ର

ଅନୁପମ ଭାରତର କାଶୀପୁର ପ୍ରତିନିଧି ଶ୍ରୀ କୀତ୍ତିର୍ ଚନ୍ଦ୍ର ସାହୁଙ୍କୁ ଦେଶଦ୍ରୋହ ଅଭିଯୋଗରେ ପୋଲିସ ଫସାଇବା ଦିନରୁ ଏ ଷଡ଼ଯନ୍ତ୍ରର ଧାରା ଧରା ପଡ଼ିଛି । ୨୦୦୪ ଫେବୃୟାରୀ ମାସରେ ତାଙ୍କୁ ଗିରଫ କରି ସେ ନକ୍ସଲପନ୍ଥୀଙ୍କ ସହ ସମ୍ପୃକ୍ତ ଥିବା ଦର୍ଶାଇ ଦୌରା ସୁପର୍ଦ୍ଦ କରାୟାଇଥିଲା । କିନ୍ତୁ ଆଦିତ୍ୟ ବିର୍ଲା ଶିଳ୍ପ ଗୋଷ୍ଠୀର ଉତ୍କଳ ଆଲୁମିନା ପ୍ଳାଣ୍ଟ୍ ଦ୍ବାରା କ୍ଷତିଗ୍ରସ୍ତ ଆଦିବାସୀମାନଙ୍କ ଦୁରାବସ୍ଥା ସମ୍ପର୍କରେ ସମ୍ବାଦ ପରିବେଷଣ କରୁଥିବା ହେତୁ ତାଙ୍କୁ ଏପରି ମିଛ ମକଦ୍ଦମାରେ ଫସା ୟାଇଥିବା ସ୍ଥାନୀୟ ଲୋକେ ଜାଣନ୍ତି ।

ଖତୁରାମ ସୁନାନି ଓ ମେଘନାଦ ଖର୍ସେଲ୍

ଅନାହାର କ୍ଳିଷ୍ଟ ସିନାପାଲି ବ୍ଳକ୍ । ସେଠି ପେଟ ବିକଳରେ ଲୋକେ ଝିଙ୍କିରି ନାମକ ଏକ ପ୍ରକାରର କଅଁଳିଆ ପଥର ଖାଉଥିବା ଦେଖି ସେହି ହୃଦୟବିଦାରକ ଦୃଶ୍ୟର ଚିତ୍ରୋତ୍ତଳନ କରିଥିଲେ ଏହି ଦୁଇ ସାମ୍ବାଦିକ ଓ ଏପରିଭାବେ ଭୋକ ଦାଉ ସହିଯାଉଥିବାଥିବା ଗ୍ରାମବାସୀମାନଙ୍କ ଦୁଃଖର ସବିଶେଷ ବିବରଣୀ ବି ସଂଗ୍ରହ କରିଥିଲେ। ଗଣମାଧ୍ୟମରେ ତାହା ପ୍ରସାରିତ ହେବା ପରେ ପରେ ସମ୍ପୃକ୍ତ ଗାଁରେ ରାତି ଅଧିଆ ଖାଦ୍ୟଦ୍ରବ୍ୟ ରଖି ଓ ନଳକୂପ ଖୋଳି ସରକାର ନିଜ ଚର୍ମରକ୍ଷାପାଇଁ ତ ଚେଷ୍ଟା କଲେ; କିନ୍ତୁ ଏହି ଉଭୟ ସାମ୍ବାଦିକଙ୍କ ବିରୁଦ୍ଧରେ ଅବିଳମ୍ବେ ଆରମ୍ଭ ହେଲା ଦେଶଦ୍ରୋହ ଅଭିଯୋଗରେ ମକଦ୍ଦମା, ୨୦୦୭ ମଇ ମାସରେ ପୋଲିସ ସେମାନଙ୍କୁ ଗିରଫ କଲା ପରେ ।

ଲେନିନ୍ ରାୟ

ଓଡ଼ିଆ ପତ୍ରିକା ‘ନିଶାନ’ର ସମ୍ପାଦକ । ସରକାରୀ ଦୁରାଚାର ଉପରେ ଆଲୋକପାତ କରୁଥିବା ହେତୁ ତାଙ୍କୁ ସାବାଡ଼ କରିବାକୁ ମସୁଧା ଚାଲିଥିଲା । ଯୋଗକୁ, କନ୍ଧମାଳରେ ଧର୍ମ ନାମରେ ଘଟିଥିବା ରକ୍ତକ୍ଷୟକୁ ସମାଲୋଚନା କରି ସେ ଏକ ଲେଖା ପ୍ରକାଶ କଲେ। ପୋଲିସ ଆଖିରେ ସେ ବନିଗଲେ ମାଓବାଦୀ ଓ ୨୦୦୮ ଡିସେମ୍ବର ୮ରେ ଗିରଫ ହୋଇ ନିର୍ଯ୍ୟାତିତ ହେଲେ, ହାଜତରେ ସଢ଼ିଲେ ।

ଲକ୍ଷ୍ମଣ ଚୌଧୁରୀ

ସରକାରଙ୍କ ଗେହ୍ଲାପୁଅ ବନି ମୋହନା ଥାନାର ଭାରପ୍ରାପ୍ତ ଅଧିକାରୀ ଚୋରା ଗଞ୍ଜେଇ କାରବାର ଚଳାଇଥିଲେ । ସମ୍ବାଦର ସ୍ଥାନୀଯ ପ୍ରତିନିଧି ଭାବେ ଚୌଧୁରୀ ଏହି ଅପରାଧର ଚିତ୍ର ପରିବେଷଣ କରି ତାଙ୍କୁ ଓ ଶାସକ ଦଳକୁ ଅଡୁଆରେ ପକାଇଦେଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ୨୦୦୯ ସେପ୍ଟେମ୍ବର ୨୦ରେ ଗିରଫ କରାଯାଇ ହାଜତକୁ ପଠାଗଲା । MUFP ଏହାର ଦୃଢ଼ ପ୍ରତିବାଦ କରିବା ଫଳରେ ଭିଜିଲାନ୍ସ ପୋଲିସ ଥାନା ଅଧିକାରୀଙ୍କ ଉପରେ ନଜର ରଖି ଗଞ୍ଜେଇ କାରବାର ବେଳେ ଘଟଣାସ୍ଥଳରୁ ତାଙ୍କୁ ଧରିଲେ। MUFP ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇ ଚୌଧୁରୀଙ୍କୁ ମିଥ୍ୟା ମକଦ୍ଦମା କବଳରୁ ଉଦ୍ଧାର କରିବାକୁ ଯେତେ ନିବେଦନ କଲେ ବି ସେ ନ ଶୁଣି ସାବ୍ୟସ୍ତ କରିଦେଲେ କି, ତାଙ୍କ ଦଳର ସଲାସୁତରାରେ ଚାଲିଥିବା ଚୋରା ଗଞ୍ଜେଇ କାରବାରକୁ ଧରାପକାଇଥିବାରୁ ସାମ୍ବାଦିକଜଣକ ଯଦି ଦେଶଦ୍ରୋହ କରିଥିବା ପୋଲିସ ଭାବିଲା, ତେବେ ତାହାହିଁ ନିଶ୍ଚୟ ଠିକ୍ । ଓଡ଼ିଶା ହାଇକୋଟର୍ ଏଥିରେ ହସ୍ତକ୍ଷେପ କରିଛନ୍ତି।

ଶ୍ବେତ ପତ୍ର

ସାମ୍ବାଦିକମାନଙ୍କ ଉପରେ ବଢ଼ିଚାଲିଥିବା ନିର୍ଯ୍ୟାତନାରେ ଅତିଷ୍ଠ ହୋଇ MUFP ଏକ ଶ୍ବେତ ପତ୍ର ପ୍ରକାଶ କରିଛି ଗତ ବର୍ଷ ମାଚ୍ଚର୍ ମାସରେ । ଗୋଟିଏ ଗଣତନ୍ତ୍ରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସଚରାଚର ସମ୍ମାନିତ ସାମ୍ବାଦିକମାନଙ୍କ ଐକ୍ୟ ମଞ୍ଚର ଏପରି ଏକ ଶ୍ବେତ ପତ୍ର ସରକାରଙ୍କୁ ନିଶ୍ଚୟ ତାଙ୍କ ଭୁଲ୍ ସୁଧାରିବାକୁ ପ୍ରଚୋଦିତ କରିଥାନ୍ତା । ଏବଂ ଏହା ପରେ ହୁଏତ ଏହିପରି ଭୁଲ୍ ୟେପରି ନ ହୁଏ ସରକାର ନିଶ୍ଚିତ କରିଥାନ୍ତେ। ମାତ୍ର ଓଡ଼ିଶାରେ ଏପରି ଏକ ସରକାର ଚାଲିଛି ଯେ ଏହି ଶ୍ବେତ ପତ୍ରର ବି କୌଣସି ପ୍ରଭାବ ପଡ଼ିନାହିଁ ତାଙ୍କ ଉପରେ।

ବିଦେଶୀ କବଳରୁ ଭାରତ ମୁକ୍ତ ହେବାର ସାମ୍ବତ୍ସରିକ ଉତ୍ସବ ମାତ୍ର ୧୪ ଦିନ ବାକି ଥିବାବେଳେ, ୨୦୧୧ ଅଗଷ୍ଟ ୧ ତାରିଖରେ ହିଁ ଜୁନାଗଡ଼ର ଚାଷୀମାନଙ୍କ ଉପରେ ଚାଲିଥିବା ନିର୍ଯ୍ୟାତନାର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ପୋଲିସର ନିର୍ମମ ଲାଠିମାଡ଼ ଏହାର ପ୍ରମାଣ ଦିଏ ।

ନୂଆବର୍ଷରେ ବି ସେହି ପୁରୁଣା ଆଚରଣ

ପୁରୁଣା ବର୍ଷ ବଦଳି ନୂଆ ବର୍ଷ ୨୦୧୨ ଆସି ସାରିଛି। ମାତ୍ର ଓଡ଼ିଶା ସରକାରଙ୍କ ସାମ୍ବାଦିକ ବିରୋଧୀ ମତଲବ ଓ ଆଚରଣ ବଦଳି ନାହିଁ। ଢେଙ୍କାନାଳରେ କାରଖାନା ଖୋଲିଥିବା ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ଶୋଷଣାଭ୍ୟାସ ବିରୁଦ୍ଧରେ ସୃଷ୍ଟି ହୋଇଥିବା ଶ୍ରମିକ ଅଶାନ୍ତିର ଖବର ନେବାକୁ ଯାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ବିରୁଦ୍ଧରେ ଶ୍ରମିକ ଧର୍ମଘଟକୁ ପ୍ରୋତ୍ସାହିତ କରୁଥିବା ପରି ମିଥ୍ୟା ଅଭିଯୋଗରେ ଗତ ୩ ତାରିଖରେ ପୋଲିସ ଯେପରି ମାମଲା ଋଜୁ କରିଛି ଏବଂ ସେମାନଙ୍କୁ ଗିରଫ କରିବାକୁ ସଜବାଜ ହେଉଛି ତାହାହିଁ ତହିଁର ପ୍ରମାଣ । ଏହି ମାମଲା ପଞ୍ଜିକରଣ ପଛରେ ଯଦି ସରକାରୀ ଷଡ଼ଯନ୍ତ୍ର ନ ଥାନ୍ତା ତେବେ ଦୁଇ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମିଛ ମକଦ୍ଦମାରେ ଫସାଇବାକୁ ଉଦ୍ୟମ କରିଥିବା ଅପରାଧରେ ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ହିଁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରନ୍ତାଣି ।

ଓଡ଼ିଶାରେ ଗଣତନ୍ତ୍ରର ଏପରି ଭୟଙ୍କର ଗଳ ରୋଧ କେବେ ବି ଘଟି ନ ଥିଲା ।