କୋରାପୁଟ କଫି : ସେଦିନ ଓ ଆଜି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ଆଜିକାଲି କେବଳ କୋରାପୁଟ କଫି ପିଉଛି ।  ପ୍ରାୟ ୪୪ ବର୍ଷ ତଳେ କୋରପୁଟର କଫି ଉପରେ ମୁଁ ପ୍ରଥମେ ରିପୋର୍ଟ କରିଥିଲି । ତାହା ଏକ ଆକସ୍ମିକ ଆବିଷ୍କାର ଥିଲା । ତେଣୁ, ଆଜି ଯେତେବେଳେ ସେହି କଫି ବ୍ୟବସାୟିକ ଉତ୍କର୍ଷତା ଅର୍ଜନ କରି ଭୁବନେଶ୍ବରରେ ମିଳୁଛି , ମୁଁ ଅନ୍ୟ ସବୁ ମାର୍କାର କଫିକୁ ଭୁଲିଯିବାରେ ଅସ୍ଵାଭାବିକତା କିଛି ହିଁ ନାହିଁ ।  

ତାହା କିପରି ଏକ ଆକସ୍ମିତ ଆବିଷ୍କାର ଥିଲା, ତାହାର ସ୍ମୃତି ଚାରଣ ଏହି ଲେଖାର ଉଦ୍ଦେଶ୍ୟ । 

ତାରିଖ ଆଉ ମନେ ନାହିଁ । କିନ୍ତୁ ୧୯୭୮ର ପ୍ରଥମ ଭାଗ ନିଶ୍ଚୟ ।  ମୋ ସାନ ଶାଳୀର ବିବାହ ସମ୍ପନ୍ନ ହୋଇଥାଏ ଯାହାଙ୍କ ସହ, ସେ ଥାନ୍ତି କୋରାପୁଟ ସଦର ବ୍ଲକରେ ଜଣେ କ୍ଷେତ୍ର କର୍ମଚାରୀ । ମୋ ଶାଳୀ ପୁରୀ ସହରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ମହିଳା) ବାଟାଲିଆନରେ ଏପରି ଏକ ସ୍ଥାୟୀ ପଦବୀରେ ନିଯୁକ୍ତ ଥାନ୍ତି, ଯେଉଁଠୁ ଅନ୍ୟତ୍ର, ବିଶେଷତଃ କୋରାପୁଟକୁ ବଦଳି ହେବା ଥାଏ ଅସମ୍ଭବ । ସେହି ନବବିବାହିତ ଦମ୍ପତ୍ତିଙ୍କ ଆବେଦନ କ୍ରମେ ସରକାର ମୋ ସଢୁଙ୍କ ବଦଳି କୋରାପୁଟରୁ ପୁରୀ କରିଦେଲେ । 

ପୁରୀରେ ସେତେବେଳେ ମୋର ପାରିବାରିକ ବନ୍ଧୁ ସଚ୍ଚି ରଥ ଥାନ୍ତି ଜିଲ୍ଲାପାଳ । ତାଙ୍କୁ ସରକାରଙ୍କ ଆଦେଶର ନକଲ ଯାଇଥାଏ । ସେ ମୋତେ କହିଲେ, ବଦଳି ଆଦେଶଟି ଅକାମି ହୋଇଯିବ । କାରଣ, ମୋ ସଢୁଙ୍କ ସ୍ଥାନରେ କୌଣସି ବଦଳିଆ ଦିଆ ଯାଇନଥିବା ହେତୁ, କୋରାପୁଟ ଜିଲ୍ଲାପାଳ ତାଙ୍କ ଦାୟିତ୍ଵ ହସ୍ତାନ୍ତର କରାଇବେ ନାହିଁ । କଣ କରାଯିବ? ମୁଁ ପଚାରିଲି । ସେ କହିଲେ, ତୁମେ ନିଜେ କୋରାପୁଟ ଯାଅ , ସେଠି ଶିନୀ (ଶ୍ରୀନିବାସ ରଥ) ଜିଲ୍ଲାପାଳ। ତାଙ୍କୁ ତମେ ନିଜେ କହିଲେ, ସେ ହୁଏତ ବଦଳିଆକୁ ଅପେକ୍ଷା ନକରି ଦାୟିତ୍ଵ ହସ୍ତାନ୍ତର କରାଇଦେଇ ପାରନ୍ତି । ଶ୍ରୀନିବାସ ରଥ ଆଠଗଡ଼ରେ ମୋ ପଡ଼ିଶା । ତାଙ୍କ ଉପରେ ଭରସା ରଖି କୋରାପୁଟ ବାହାରିଲି । ପ୍ୟାରୀ ମୋହନ ମହାପାତ୍ର ଥିଲେ ଦଣ୍ଡକାରଣ୍ୟ ଯୋଜନାର ମୁଖ୍ୟ । ତାଙ୍କ ସହ ସମ୍ପର୍କ ଭଲ ଥିଲା । କୋରାପୁଟରେ ତାଙ୍କ ଅତିଥିଶାଳାରେ ରହଣି ଓ ତାଙ୍କ ଦପ୍ତରର ଗୋଟିଏ ଜିପ୍ ମୋତେ ମିଳିଗଲା ।  ମୋ ସଢୁଙ୍କ ଠିକଣା ଜାଣିବାକୁ ଓ ଦାୟିତ୍ଵ ହସ୍ତାନ୍ତରୀକରଣରେ ସେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିବାକୁ ମୁଁ ପ୍ରଥମେ ସଦର ବିଡ଼ିଓଙ୍କୁ ଭେଟିବାକୁ ଭାବିଲି । ବିଡ଼ିଓ ଆସନରେ ଯାହାଙ୍କୁ ଦେଖିଲି ସେ ମୋ ଭଣଜା ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ । ସେଠାରେ ପରସ୍ପରକୁ ଦେଖି ଉଭୟେ ଆକସ୍ମିକ ଆନନ୍ଦରେ ହଜିଗଲୁ । ଦୁହେଁ ଯାଇ ଶ୍ରୀନିବାସ ରଥଙ୍କୁ ଭେଟିଲୁ । ଦାୟିତ୍ଵ ହସ୍ତାନ୍ତରୀକରଣ ଆଦେଶ ସଙ୍ଗେ ସଙ୍ଗେ ମିଳିଗଲା । ପ୍ୟାରିବାବୁ ଦେଇଥିବା ଜିପ୍ ନେଇ ମୁଁ ବାହାରିଲି ମୋ ସଢୁଙ୍କୁ ତାଙ୍କ ରହଣି ସ୍ଥାନରୁ ଆଣିବା ପାଇଁ । ସେ ରହୁଥିଲେ ଦାମନଯୋଡି ସନ୍ନିକଟ ମାଥାଲପୁଟରେ । ବାର ତେରଟି ପାହାଡ଼ ଟପି ଲକ୍ଷ୍ୟସ୍ଥଳରେ ପାହାଞ୍ଚିଲି । ଫେରିଲା ବେଳେ ଭାଲୁ କବଳରୁ ବଳିଆ କୁକୁର ବଞ୍ଚାଇଥିବା ଏକ ଯୁବକର ରକ୍ତାକ୍ତ ଦେହକୁ କିଛି ଲୋକ ଏକ ଦୋଳାରେ କୋରାପୁଟ ଡାକ୍ତରଖାନାକୁ  ନେଉଥିବା ଦେଖି ସେମାନଙ୍କୁ ଆହାତ ସହ ମୋ ଗାଡ଼ିରେ ଆସିବାକୁ ପ୍ରବର୍ତ୍ତାଇଲି ।  ଆହତ ସହ ତା ବୋଉ ଓ ଆଉ ଦୁଇଜଣ ଆସିଲେ ।  ସେ ଅଭିଜ୍ଞତା ଅନ୍ୟ ଏକ ଲେଖାରେ ଲେଖିବି । ବାଲକୋ ପାଇଁ ସର୍ଭେ ଚାଲିଥାଏ । ସେହି ଜଙ୍ଗଲଭରା ପାହାଡ଼ି ରାସ୍ତାର ଦୁଇ ପାର୍ଶ୍ଵରେ ନାଲି ନାଲି ଫଳ ଭରା ବୁଦା । ସେଗୁଡ଼ା କି ଫଳ ବୋଲି ପଚାରିଲି । ସେହି ଲୋକମାନେ କହିଲେ – କଫି ଫଳ , ଯାହା ତାଙ୍କ ଜଙ୍ଗଲରେ ଭର୍ତ୍ତି । ତାକୁ ସେମାନେ ଶୁଖାଇ, ଭାଜି, ଶିଝାଇ , ଶିଝା ପାଣିକୁ ପିଅନ୍ତି ।  ତହିଁରୁ କିଛି ଆଣିବାକୁ ମୁଁ ଆଗ୍ରହ ପ୍ରକାଶ କରିବାରୁ ସେହି ଲୋକମାନେ ଗାଡ଼ିରୁ ଓହ୍ଲାଇ ସେମାନଙ୍କ ଗାମୁଛା କାନିରେ କାନିଏ ଲେଖାଏଁ ଆଖି ପିଛୁଳାକେ ତୋଳି ପକାଇଲେ । ଅଧବସ୍ତାଏ ହୋଇଥିଲା । ବ୍ରହ୍ମପୁର ମହିଳା କଲେଜରେ ଅର୍ଥନୀତିର ଅଧ୍ୟାପିକା ଥିବା ମୋ ଧର୍ମ ଭଉଣୀ ଶୋଭା ଅଧିକାରୀ ପାରଳାଖେମୁଣ୍ଡିର ଝିଅ । ସେ ଫଳ ରୋଷ୍ଟ କରି ତହିଁରୁ କଫି ପ୍ରସ୍ତୁତ କରି ପିଅନ୍ତି ।  ମୁଁ ଆଣିଥିବା କଫି ଫଳରୁ କିଛି ପାଇ ସେ ଖୁବ୍ ଖୁସି ହୋଇଥିଲେ ଓ ତାହା ହିଁ ମୋତେ ନିଶ୍ଚିତ କରିଦେଲା ଯେ, ସେଗୁଡ଼ିକ  କଫି ଫଳ ଓ କୋରାପୁଟ ଜଙ୍ଗଲରେ ତାହା ପ୍ରକୃତିଜାତ, ଯେମିତି ଟିଗିରିଆରେ  କଳାପିଠିଆ ଛତୁ ।  

ଇମର୍ଜେନ୍ସି ବିରୁଦ୍ଧରେ ଲେଖୁଥିବା ହେତୁ ମୁଁ କାମ କରୁଥିବା ସଂବାଦପତ୍ର  ସରକାରୀ ଚାପରେ ମୋର ନିଯୁକ୍ତି ସଙ୍କଟ ଘଟାଇଥାଏ । ‘ଦି ନିୟୁଜ ସିଣ୍ଡିକେଟ’ (The News Syndicate) ନାମକ ଏକ ନିୟୁଜ ଏଜେନ୍ସି ଗଢି ସେହି ମାଧ୍ୟମରେ ମୁଁ ସଂବାଦ ବିତରଣ କରୁଥାଏ । ତାହାରି ଖବର ଭାବେ ମୁଁ କୋରାପୁଟର କଫି କଥାଟି ରିପୋର୍ଟ କରିଥିଲି । ମାତୃଭୂମି ଓ ପ୍ରଜାତନ୍ତ୍ର ତାକୁ ପ୍ରକାଶ କରିଥିଲେ । ମୋ ସହ ଶିଲ୍ପ ବିବାଦରେ ଜଡ଼ିତ ନିୟୁଜ ଅଫ୍ ଦି ୱାର୍ଲ୍ଡରେ ମୋ ଏଜେନ୍ସିର ନାମ ନଦେଇ ତହିଁର ବାର୍ତ୍ତା ସମ୍ପାଦକ ମଧ୍ୟ ତାହା ପ୍ରକାଶ କରାଇ ଅଣଓଡ଼ିଆ ପାଠକମାନଙ୍କ ପାଖରେ ଖବରଟି ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । 

ଯାହାହେଉ, ଭଜା ହୋଇଥିବା କଫି ମଞ୍ଜି ଲଘୁ ଉତ୍ତାପରେ ଦୀର୍ଘ କାଳ ଧରି ଧୀରେ ଧୀରେ ନିର୍ଯ୍ୟାସ ନିର୍ଗତ ସ୍ଥିତି ପ୍ରାପ୍ତ ହେବା ପରି କୋରାପୁଟର ସେହି କଫି ଖବରଟି ଧୀର ଗତିରେ କେଉଁଠି ନାଁ କେଉଁଠି କାହା ମଗଜରେ ରେଖାପାତ କରିଥାଇପାରେ, ଯଦ୍ଦ୍ବାରା ୨୦୧୦ରେ ପ୍ରତିଷ୍ଠିତ କୃତି କଫି (Kruti Coffee)   ‘କଳିଙ୍ଗ ସୁନା’ (Kalinga Gold) ନାମରେ କୋରାପୁଟ କଫି ବିତରଣ କରୁଥିବା ବେଳେ ୨୦୧୯ରୁ ଟ୍ରାଇବାଲ୍ କଫି ହାଉସ୍ ‘କୋରାପୁଟ କଫି’ ନାମରେ ଏହା ଆମ୍ଭମାନଙ୍କ ପାଖରେ ପହଞ୍ଚାଉଛି ।  

କୃତିର ହେଉ ବା ଟ୍ରାଇବାଲ୍ କଫି ହାଉସର ହେଉ, ସକାଳୁ ଉଠି ମୁଁ ଦୁଇ କପ୍ କଫି କରେ ; ସବିତାରାଣୀଙ୍କ ପାଇଁ କପେ ଓ ମୋ ପାଇଁ କପେ । ସ୍ଵାଦରେ ଅତୁଳନୀୟ , ଗୁଣରେ ଅନୁପମ । 

ଆମ ଓଡ଼ିଶାର ପ୍ରକୃତିକ ବିଭବ ହେଲା କଫି । ତାର ବାସ୍ନା ଓଡ଼ିଆ ଓଡ଼ିଆ ଲାଗେ, ତାର ସ୍ଵାଦ ଓଡ଼ିଆ ଓଡ଼ିଆ ଲାଗେ, ତାର ମହକ ମନ ଭରିଦିଏ ଓଡ଼ିଆତ୍ଵର ଆନନ୍ଦରେ । ଗରମ ଗରମ ଯେପରି, ଶୀତଳ କଫି ବି ସେପରି ମନୋମୁଗ୍ଧକର ।  ସେଦିନର ସ୍ମୃତି ଆଜିର କଫିକୁ ସ୍ଵାଦମୟ କରେ । 

ପ୍ରଚ୍ଛନ୍ନ ସାମ୍ୟବାଦୀ ଶଶି ଭୂଷଣ ମହାନ୍ତି ଆଉ ନାହାନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବହୁ ଦଶନ୍ଧି ତଳର ସେହି ଦିନ ସେହି ବାର ଆଉ ମନେନାହିଁ ; କିନ୍ତୁ ମନେ ଅଛନ୍ତି ଶଶିଭୂଷଣ ମହାନ୍ତି , ଯିଏ ଆଉ ନାହାନ୍ତି , କରୋନା କବଳରେ ଗତକାଲି ବୁଜି ଦେଇଛନ୍ତି ଆଖି ।

କଟକ ବଡ଼ ଡାକ୍ତରଖାନା ପରିସରରେ ଥିବା କନିକା କଟେଜ ଭାଙ୍ଗିନଥିଲା । ବନ୍ଦୀ ଜୀବନ ଯାପନ କରୁଥିବା ଚିରସ୍ମରଣୀୟ କମ୍ୟୁନିଷ୍ଟ ନେତା ନାଗଭୂଷଣ ପଟ୍ଟନାୟକ ସେଇଠି ରହି ଚିକିତ୍ସିତ ହେଉଥିଲେ । ସଶସ୍ତ୍ର ପୋଲିସ ଘେରି ରହିଥିଲେ ଚାରିଆଡେ । ସେଇଠୁ ମୁଁ ଫେରୁଥିଲି ; ଦେଖିଲି, ମୋ ସମବୟସର ଜଣେ ବ୍ୟକ୍ତି ପୋଲିସ ସହ ଝଗଡ଼ାରେ ଲିପ୍ତ । ପୋଲିସ କହୁଛି ନାଗଭୂଷଣଙ୍କୁ ଦେଖା କରିବାକୁ ତାଙ୍କୁ ଛଡ଼ାଯାଇପାରିବନି । ତାଙ୍କର ଏକା ଯିଦ , ସେ ନିଶ୍ଚୟ ଦେଖାକରିବେ । ହୋଇପାରନ୍ତି ସେ ନକ୍ସଲପନ୍ଥୀ , କିନ୍ତୁ ସାଧାରଣ ମଣିଷ ପାଇଁ ଜୀବନ ବାଜି ଲଗାଇଦେଇଥିବା ସେ ଜଣେ ଆଗ୍ନେୟ ତପସ୍ଵୀ । ସେ ତାଙ୍କ ପାଖକୁ ଯିବେ, ପ୍ରଣାମ କରିବେ, ଫେରି ଆସିବେ । ସେ ପୋଲିସକୁ କହୁଥାନ୍ତି, ନାଗ ଭୂଷଣଙ୍କର ସେ କୌଣସି ରାଜନୈତିକ ସମର୍ଥକ ନୁହନ୍ତି । ମାତ୍ର ନିଜର ସ୍ଵର ନଥିବା ଖଟିଖିଆ ମଣିଷ ପାଇଁ ଲଢୁଥିବା ଲୋକଙ୍କ ଭିତରେ ନାଗ ଭୂଷଣ ଜଣେ । ତେଣୁ ସେ ଯାଇ ନୀରବରେ ତାଙ୍କୁ ପ୍ରଣାମ କରିବେ , ନୀରବରେ ଜଣାଇ ଦେବେ ଯେ, ମଣିଷ ପାଇଁ କଷ୍ଟ ଭୋଗୁଥିବା ମଣିଷକୁ ମଣିଷ ପୂଜା କରେ । ମୁଁ ଚମତ୍କୃତ ହୋଇ ତାଙ୍କ ବ୍ୟାକୁଳ ଯୁକ୍ତି ଶୁଣୁଥିଲି । ପୋଲିସ ଅଫିସର କଣ ଭାବିଲେ କେଜାଣି, କହିଲେ- ହେଉ ଯାଆନ୍ତୁ , କେବଳ ଦେଖିବେ, ଚାଲି ଆସିବେ ।

ତାର ଦୀର୍ଘ କେଇ ବର୍ଷ ପରେ , ଇମର୍ଜେନ୍ସି କାଳରେ ହରାଇଥିବା ସାମ୍ବାଦିକ ପଦରେ ଓଡ଼ିଶା ଲେବର କୋର୍ଟ ତଥା ହାଇ କୋର୍ଟଙ୍କ ଆଦେଶ ବଳରେ ପୁନର୍ନିଯୁକ୍ତି ପାଇ ଜୟଦେବ ବିହାରରେ ଏକ ଡି ଟାଇପ୍ ଘରେ ଆବାସ ପାଇଲି । ଗୋଟିଏ ଛାତ ତଳେ ଛଅଟି ଘର । ମୁଁ ତହିଁର ବାସିନ୍ଦା ହେବା ପୂର୍ବରୁ ସେଇଠି ରହୁଥିଲେ ଅଧ୍ୟାପକ ଜୟନ୍ତ ବିଶ୍ଵାଳ, ଅଧ୍ୟାପକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେହନୁର), ଇଞ୍ଜିନିୟର ବେଜ , ଅପନ୍ନା ନାୟକ, ଶଶି ଭୂଷଣ ମହାନ୍ତି । ପାଖରେ ରହୁଥିଲେ ଅଧ୍ୟାପକ ପ୍ରମୋଦ ମହାନ୍ତି , ଅଧ୍ୟାପକ ଏସ୍ . ଏନ୍. ପାତ୍ର । ପ୍ରମୋଦ ବାବୁଙ୍କ ପୁଅ ମିଟୁନା , ପାତ୍ର ବାବୁଙ୍କ ପୁଅ ଶ୍ରବଣ, ଜିତୁବାବୁଙ୍କ ପୁଅ ଜଜି, ଜୟନ୍ତବାବୁଙ୍କ ପୁଅ ମୁନ୍ଳୁ , ଶଶିବାବୁଙ୍କ ପୁଅ ବୁଲୁ ଆଦିଙ୍କ ସହ ମୋ ପୁଅ ରଜା ନିମିଷକେ ସାଙ୍ଗ ହୋଇଗଲା ଯେମିତି ପାଣିରେ ପାଣି ମିଶିଯାଏ । ଦି ଦିନ ପରେ ଶଶିବାବୁ ଗସ୍ତରୁ ଫେରି ମୋ ବସାକୁ ଆସିଲେ ମୁଁ ନୂଆ କରି ତାଙ୍କ ମେଳକୁ ଆସିଥିବାରୁ ମୋତେ ସ୍ଵାଗତ ଜଣାଇବା ପାଇଁ । ପରସ୍ପର କିଛି ସମୟ ପରସ୍ପରକୁ ଚାହିଁ ରହିଲୁ । କେଉଁଠି ଦେଖିବା ଦେଖିବା ପରି ଲାଗୁଥିଲା । ଧୀରେ ଧୀରେ ମୋର ମନେ ପଡ଼ିଲା । ପଚାରିଲି, ଆପଣ କେବେ କଟକ ବଢ଼ ଡାକ୍ତରଖାନାର କନିକା କଟେଜରେ ଚିକିତ୍ସିତ ହେଉଥିବା ନାଗ ଭୂଷଣ ପଟ୍ଟନାୟକଙ୍କୁ ଦେଖିବାକୁ ଯାଇଥିଲେ ? ସେ ଚମକି ପଡ଼ିଲେ । କହିଲେ , ଆପଣ ତେବେ ସେଇ, ଯିଏ ମୋ ପାଇଁ ପୋଲିସ ସହ ଯୁକ୍ତି ବି କରିଥିଲେ? ପରସ୍ପରକୁ କୋଳେଇ ନେଲୁ ।

ପରସ୍ପର ପରିଚିତ ହେବାକୁ ବସିଲାରୁ ଦେଖାଗଲା ସେ ମୋ ପିଉସାଶ୍ଵଶୁର କେନ୍ଦ୍ରାପଡ଼ା ନିବାସୀ କିଶୋରୀ ଚରଣ ମହାନ୍ତିଙ୍କ ସମ୍ପର୍କୀୟ ଏବଂ ମୁଁ ତାଙ୍କ ସାନ ସଡୂ ସୁଧୀରର ସମ୍ପର୍କୀୟ । ସେ କହିଲେ, ଆପଣଙ୍କ ସହ ଭାବ ଜଗତରେ ମୋର ନିବିଡ ସମ୍ପର୍କ ଅଛି । ମୁଁ ପଚାରିଲି , କିପରି? ସେ କହିଲେ, ନୂଆପାଟଣା ସୁତାକଳ ଶ୍ରମିକ ଯୁନିୟନ ସଭାପତିଙ୍କୁ କେ ଅବା ନ ଜାଣେ ! ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥାଇ ବି ଓ ସୁତାକଳ ପ୍ରତିଷ୍ଠା କରି ସବୁ ଶ୍ରମିକଙ୍କୁ ନିଯୁକ୍ତି ଦେଇ ବି କଂଗ୍ରେସ ସେଠାରେ ଜଣେ ଶ୍ରମିକ ପାଇଲାନି ଯୁନିୟନ ଗଢିବାକୁ , ସବୁ ଶ୍ରମିକଙ୍କୁ ଆପଣ ସି ପି ଆଇ ଶିବିରକୁ ନେଇଆସିଥିଲେ ! ମୁଁ ପଚାରିଲି, ଆପଣ କିପରି ଜାଣିଲେ ? ସେଇଠୁ ଜାଣିଲି ଯେ ସେ ସେତେବେଳେ କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ଥିଲେ ଓ ନୂଆପାଟଣା ସୂତା କଳକୁ ଯେଉଁ କପା ଆସୁଥିଲା ତାର ଗୁଣ ଯାଞ୍ଚ କରିବାକୁ ସେହି ସୂତା କଳକୁ ନିୟମିତ ଗସ୍ତ କରୁଥିଲେ ।

ସରକାରୀ କର୍ମଚାରୀ ଭାବେ ସେ ଥିଲେ ଯେତିକି କର୍ତ୍ତବ୍ୟନିଷ୍ଠ ସେତିକି ବେସାଲିସ୍ । ଦୁଇଟି ଦୃଷ୍ଟାନ୍ତ ଦେବି । କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ପଦାଧିକାର ବଳରେ ସେ ଏକ ସରକାରୀ ଜିପ୍ ପାଇଥିଲେ । ସବୁ ସରକାରୀ ଅଫିସରଙ୍କ ଘରକୁ ସରକାରୀ ଗାଡି ଆସେ ଓ ନିଆ ଅଣା କରେ । ଶଶିବାବୁ ନିଆରା । ସେ ନିଜର ଏକ ମୋପେଡ ରଖିଥାନ୍ତି । ସେଥିରେ ଯିବା ଆସିବା କରନ୍ତି । କାରଣ, ସେ ଭାବୁଥିଲେ , ଅଫିସକୁ ଯିବା ଅଫିସରଙ୍କର ନିଜ ଦାୟିତ୍ଵ । ସେଥିପାଇଁ ସରକାରୀ ଗାଡି କାହିଁକି ବ୍ୟବହୃତ ହେବ? ମୁଁ ଦେଖେ, ଯଦି ସରକାରୀ ଗସ୍ତ ଅଛି, ଭୁବନେଶ୍ଵର ବାହାରକୁ ଯିବାକୁ ହେବ, କେବଳ ସେହି କ୍ଷେତ୍ରରେ ହିଁ ତାଙ୍କୁ ଦିଆହୋଇଥିବା ସରକାରୀ ଗାଡି ସେ ବ୍ୟବହାର କରୁଥିଲେ ।
ଦ୍ଵିତୀୟ ଦୃଷ୍ଟାନ୍ତ ଅତ୍ୟନ୍ତ ଲୋମହର୍ଷଣକାରୀ । ଭୁବନେଶ୍ଵରରୁ ବଦଳି ହୋଇ ସେ ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥାନ୍ତି । କୃଷି ବିଭାଗର ସର୍ବୋଚ୍ଚ ଦାୟିତ୍ବରେ ଥାନ୍ତି ଶ୍ରୀନିବାସ ରଥ । ଥରେ ସେ କୋଣସି କାମରେ ଅନୁଗୁଳ ଗଲେ ଓ ବିଭାଗୀୟ ଗେଷ୍ଟ ହାଉସରେ ତିନିଦିନ ରହିଲେ । ତାଙ୍କ ଘରୋଇ ସଚିବଙ୍କ ନିର୍ଦ୍ଦେଶରେ “ସାହେବ”ଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପ୍ରଥମ ରାତ୍ରିରେ ଶଶିବାବୁଙ୍କୁ ଦେବାକୁ ପଡିଥିଲା । ସେହି ସମାନ ସାମଗ୍ରୀ ଦେବାକୁ ତହିଁ ପରଦିନ ରଥଙ୍କ ଘରୋଇ ସଚିବ ଯେତେବେଳେ ତଲବ କଲେ, ଶଶିବାବୁ ପଚାରିଲେ , କାଲି ପରା ଦେଇଥିଲି? ଉତ୍ତର ମିଳିଲା – ସାହେବ ଥରେ ବ୍ୟବହାର କରିଥିବା ଦ୍ରବ୍ୟ ଦ୍ଵିତୀୟ ଥର ବ୍ୟବହାର କରନ୍ତିନି । ଶଶିବାବୁ ପ୍ରତିବାଦ ନ କରି ପରବର୍ତ୍ତୀ ଦୁଇଦିନ ଦୁଇ ସେଟ୍ ସାମଗ୍ରୀ ପଠାଇଲେ ଏବଂ ଶେଷ ଦିନ ତହିଁର ଦାମ୍ ଦାଖଲ କରିବାକୁ ଦୋକାନ ରସିଦ ସହ ଘରୋଇ ସଚିବଙ୍କୁ ଚିଠି କଲେ । ଘରୋଇ ସଚିବ ରାଗରେ ଲାଲ୍ ହୋଇଗଲେ । ସେଠାରେ ଉପସ୍ଥିତ ଥିବା କୃଷି ଭିଭାଗୀୟ ଉପନିର୍ଦ୍ଦେଶକ ନିଜ ଆଡୁ ସେ ଟଙ୍କା ଦାଖଲ କରି ପରିସ୍ଥିତି ସମ୍ଭାଳି ନେଇଥିଲେ । ଅଳ୍ପ କେଇଦିନ ପରେ ଶଶିବାବୁଙ୍କର କଳାହାଣ୍ଡି ବଦଳି ହୋଇଥିଲା । ସେଠାରେ କେତେବର୍ଷ ଧରି ବିକ୍ରି ହୋଇପାରିନଥିବା ବାଦାମ ବିହନ ପାଇଁ ଶଶିବାବୁଙ୍କୁ ଦାୟୀ କରି ତାଙ୍କ ବେତନ ବନ୍ଦ କରାଗଲା । ଶଶିବାବୁ ତା ବିରୁଦ୍ଧରେ ସରକାରଙ୍କୁ ପ୍ରତିବାଦ ପତ୍ର ପଠାଇଲେ । ସେତେବେଳକୁ କୃଷି ଉତ୍ପାଦନ କମିଶନର ହୋଇଥାନ୍ତି ଶ୍ରୀମତୀ ସି ନାରାୟଣାସ୍ଵାମୀ । ନଥିଟି ତାଙ୍କ ସମ୍ମୁଖରେ ପହଞ୍ଚିଲା ବେଳକୁ ସେଠାରେ ବସିଥିଲେ ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ମହେଶ୍ଵର ପଟ୍ଟନାୟକ । ନାରାୟଣାସ୍ଵାମୀ ତାଙ୍କଠୁ ଜାଣିବାକୁ ଚାହିଁଲେ ଶଶି ଭୂଷଣ ମହାନ୍ତି କିପରି ଲୋକ । ସେ କହିଲେ – ସେ ତ ମୋର ଛାତ୍ର ଥିଲା, ପରେ ମୋର ସହକର୍ମୀ ହେଲା । ମୋ ବିଚାରରେ ତା’ଠୁ ବଳି ସଚ୍ଚୋଟ, ସତ୍ ସାହସୀ , ସ୍ପଷ୍ଟବାଦୀ କର୍ମଚାରୀ କୃଷି ବିଭାଗରେ ନାହାନ୍ତି । ଶଶିବାବୁଙ୍କ ଉପରେ ଜାରି ହୋଇଥିବା ବେତନ ବନ୍ଦ ଆଦେଶ ତୁରନ୍ତ ବାତିଲ ହେଲା ଓ ତାଙ୍କ ପ୍ରମୋଶନର ପଥ ପରିଷ୍କାର ହେଲା ।

ତାଙ୍କ ତିରୋଧାନରେ ମୁଁ ଏହା ହିଁ କହିପାରେ ଯେ, ସରକାରୀ ଚାକିରିରେ ଥାଇ ମଧ୍ୟ ହୃଦୟରେ ସାମ୍ୟବାଦ ପ୍ରତି ଅନୁରକ୍ତି ରଖିଥିବା ଜଣେ ପ୍ରଚ୍ଛନ୍ନ କମ୍ୟୁନିଷ୍ଟ ଆଖି ବୁଜିଦେଲେ ।



ତିନି ବିବାଦୀୟ କୃଷି ବିଧାନକୁ ପ୍ରତ୍ୟାହାର କରି ଜନମତ ଲୋଡ଼ାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କୃଷକମାନେ ବିରୋଧ କରୁଥିବା ତିନୋଟିଯାକ କୃଷି ବିଧାନକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ମୋଡି ତହିଁ ଉପରେ ଜନମତ (referendum) ନିର୍ଣୟ କରନ୍ତୁ ଓ ତାଙ୍କ ଯଦ୍ଦୃଚ୍ଛାଚାର ହେତୁ ଭାରତର ଗଣତନ୍ତ୍ର ଯେପରି ତାର ପରିଚୟ ହରାଇବା ଆଡ଼େ ପ୍ରଧାବିତ ହେଉଛି ତହିଁରେ ଗରି ଲଗାନ୍ତୁ ।

ଆନ୍ଦୋଳନରତ କୃଷକମାନେ କୃଷକ ନୁହନ୍ତି , ଦଲାଲ ବୋଲି ମୋଦିଆନମାନେ ଯେଉଁ ପ୍ରଚାର ଚଳାଇଛନ୍ତି ତାହା ବନ୍ଦ ହେବା ଦରକାର ।

ଏହି ତିନୋଟିଯାକ ବିଧାନ ଯେତେବେଳେ ଦେଶର ସମଗ୍ର କୃଷକ ସମାଜକୁ ପ୍ରଭାବିତ କରିବା ସୁନିଶ୍ଚିତ , ସେତେବେଳେ ସବୁ ରାଜ୍ୟଗୁଡ଼ିକର ଭାଷାରେ ଏହି ବିଧାନମାନେ ଉପଲବ୍ଧ ହୋଇ କୃଷକ ଓ କୃଷିଜୀବୀ ସମୁଦାୟକୁ ସେମାନଙ୍କ ଅନୁଧ୍ୟାନ , ଅନୁଶୀଳନ ପାଇଁ ସୁଯୋଗ ମିଳିବା ଦରକାର ଏବଂ ଏହା ପରେ ଏହି ତିନି ବିଧାନ ଉପରେ ସେମାନଙ୍କ ମତଦାନ ପାଇଁ ଆହ୍ଵାନ ଦିଆଯିବା ଦରକାର ।

ଏପରି ନ କରି ସାଧାରଣ ଚାଷୀ ପାଇଁ ଅବୋଧ୍ୟ ଭାଷା ଓ କିଟିମିଟିଆ କାଇଦାରେ ତିଆରି ଶାବ୍ଦିକ ଇନ୍ଦ୍ରଜାଲକୁ ଆଇନ ରୂପରେ ସେମାନଙ୍କ ଉପରେ ନଦିଦିଆଯିବା ପ୍ରଧାନମନ୍ତ୍ରୀ ଓ କ୍ଷମତାସୀନ ଦଳର ଅବିମୃଷ୍ୟକାରୀତା ଭିନ୍ନ କିଛି ବି ହୋଇନପାରେ । ଭିନ୍ନ ଭାବେ କହିଲେ ଏହା ହିଁ ଦେଶଦ୍ରୋହ; କାରଣ ଦେଶର ଅନ୍ନଦାତାମାନଙ୍କ ପ୍ରତି ପ୍ରଶାସନିକ ପ୍ରତାରଣାକୁ ଦେଶଦ୍ରୋହ ଭିନ୍ନ ଅନ୍ୟ କୌଣସି ସଜ୍ଞା ପ୍ରଦାନ କରିହେବନି ।

ଗୋଟିଏ ରାଜନୈତିକ ଅର୍ଥନୀତି ବିରୁଦ୍ଧରେ ଅନ୍ୟ ରାଜନୈତିକ ଅର୍ଥନୀତିର ପ୍ରତିଦ୍ୱନ୍ଦିତା ନ ହୋଇ ଏକା ରାଜନୈତିକ ଅର୍ଥନୀତି ଆଧାରିତ ବହୁ ଦଳଙ୍କ ଭିତରେ ଯେଉଁ ନିର୍ବାଚନ ପ୍ରତିଦ୍ୱନ୍ଦିତା ହେଉଛି ତାହା କ୍ଷତିକାରକ ଅର୍ଥନୀତିର ବିଲୋପ କରୁନାହିଁ । ମନମୋହନ ସିଂହ ଚଳାଇଥିବା ଅର୍ଥନୀତି ଭାରତକୁ ଉଜାଡ଼ି ଦେଲା ପରେ ଲୋକେ ତାଙ୍କୁ ବିତାଡ଼ିତ କଲେ; କିନ୍ତୁ ସେହି ଏକା ଅର୍ଥନୀତିର ଗୋଟେ ଉଦଗ୍ର କାର୍ଯ୍ୟନିର୍ବାହୀ ଦଳକୁ କ୍ଷମତାକୁ ଆଣିଲେ, ଠିକ୍ ଯେମିତି ଗୋଟେ ଜିଅନ୍ତା ମାଛ ତତଲା ତାଉଆରୁ ଡେଇଁ ଚୁଲିରେ ପଡ଼େ । ଅତଏବ, ଦୁଇ ପ୍ରତିଦ୍ଵନ୍ଦୀ ଅର୍ଥନୀତିରୁ କୌଣସି ଗୋଟିକର ନିର୍ବାଚନ ପାଇଁ ଆମ ଜନସାଧାରଣଙ୍କୁ କୌଣସି ସୁଯୋଗ ନଦେଇ ଜନଦ୍ରୋହୀ ଅର୍ଥନୀତିର ଉଦଗ୍ର କାର୍ଯ୍ୟନିର୍ବାହୀ କ୍ଷମତା ଦଖଲ କରୁଛନ୍ତି ଓ ଲୋକେ ମହର୍ଗରୁ ଯାଇ କାନ୍ତାରରେ ପଡ଼ୁଛନ୍ତି । ଏହି କନ୍ତାର କବଳରେ କୃଷକମାନେ ବର୍ତ୍ତମାନ ଆର୍ତ୍ତନାଦ କରିବାରେ ଲାଗିଛନ୍ତି ।

ଯେହେତୁ ମନମୋହନ ସିଂହଙ୍କ ଅପଶାସନ ବିରୁଦ୍ଧରେ ପ୍ରବଳ ପ୍ରତିକ୍ରିୟା ହିଁ ନରେନ୍ଦ୍ର ମୋଦିଙ୍କୁ ପାର୍ଲିଆମେଣ୍ଟରେ ପାଶବିକ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛି, ସାନି ନିର୍ବାଚନ ପୂର୍ବରୁ ଯେ ଲୋକେ ତାଙ୍କ କବଳରୁ ମୁକ୍ତ ହେବେ ତାହା କୁହାଯାଇପରିବନି । ଅଦାଲତ ମାଧ୍ୟମରେ ହେଉ ବା ପୋଲିସ-ମିଲିଟାରୀ ବଳ ପ୍ରୟୋଗ ଦ୍ଵାରା ହେଉ ବା ଅମୋଘ ଅସ୍ତ୍ର ମାଧ୍ୟମରେ ହେଉ, ଏହି କୃଷକ ଆନ୍ଦୋଳନକୁ ଯଦି ଭାଙ୍ଗିଦିଆଯାଏ , ତେବେ ଭାରତର ସାଧାରଣତନ୍ତ୍ର ସେହି ବିପତ୍ତି ଆଡ଼କୁ ଠେଲି ହୋଇଯିବ, ଯେଉଁ ବିପତ୍ତିର ସମ୍ଭାବ୍ୟ ରୂପରେଖ ଦେଇଥିଲେ ଆମ୍ବେଦକର ଚିଠା ସମ୍ବିଧାନର ତୃତୀୟ ପଠନ ବେଳେ, ବିତର୍କର ଉତ୍ତରରେ । ସେ କହିଥିଲେ ଧନୀମାନଙ୍କ ଉତ୍ପାତ ଯଦି ବନ୍ଦ କରା ନଯାଏ, ଧନତନ୍ତ୍ରର ଶିକାର ହୋଇଥିବା/ ହେଉଥିବା ଭାରତର ଜନସାଧାରଣ ବହୁ କଷ୍ଟ ଅର୍ଜିତ ସାଧାରଣତନ୍ତ୍ରକୁ ଧ୍ଵଂସ କରିଦେବେ । ମନେହୁଏ, ଏହା ହିଁ ଅବଶ୍ୟମ୍ଭାବୀ ।

ଏହା ନ ହେଉ ବୋଲି ଯଦି ପ୍ରଧାନମନ୍ତ୍ରୀ ମୋଦି ଚାହାନ୍ତି, ତେବେ କଣ୍ଠୀୟ କେଳାଖେଳ (wordy acrobatics) ପରିତ୍ୟାଗ କରି ତିନି ବିବାଦୀୟ କୃଷି ବିଧାନକୁ ଭାରତର ସବୁ ପ୍ରାନ୍ତୀୟ ଭାଷାରେ ଅନୁଦିତ କରି ତହିଁ ଉପରେ ପ୍ରଥମେ ଜନମତ (referendum) ନିର୍ଣୟ କରନ୍ତୁ । ଓ ତଦନୁଯାୟୀ କୃଷି ଆଇନ ସଂଶୋଧିତ ବା ପୁନଃ ପ୍ରଣୀତ ହେଉ ।