ଅବୈଧ ନବୀନଓଡିଶାର ଅବୈଧ ମନ୍ତ୍ରୀ ପାଣ୍ଡିଆନ : ବିପତ୍ତିରେ ଓଡ଼ିଶା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ତୁଙ୍ଗ ନେତା ଦେବୀ ପ୍ରସାଦ ମିଶ୍ର ଦୁଇଦିନ ତଳେ ଯାହାଙ୍କୁ “ମୁଖ୍ୟମନ୍ତ୍ରୀ” ବୋଲି ନିଜ ନିର୍ବାଚନମଣ୍ଡଳୀରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନମାନସରୁ ପୋଛିଦେବାକୁ ଚେଷ୍ଟା କରିଥିଲେ ସେହି ପଣ୍ଡିଆନ ଏବେ ସେହି ନବୀନ ପଟ୍ଟନାୟକଙ୍କ ଦ୍ଵାରା କ୍ୟାବିନେଟ ମନ୍ତ୍ରୀର ସମତୁଲ ହୋଇଛନ୍ତି ! ଦେବୀ ମିଶ୍ରଙ୍କ ମତଲବ ଅବଶ୍ୟ ଉହ୍ୟ ହୋଇ ରହିଗଲା, କିନ୍ତୁ ଓଡ଼ିଶାରେ ଅରାଜକତାର ବାଇଢଙ୍କ ଲତା ଯେ ନୂଆ ଫଳ କାଖେଇଲାଣି, ଏହା ସ୍ପଷ୍ଟ ଦେଖିହେଉଛି । 

ପାଣ୍ଡିଆନ ପେଷାରେ ଥିଲେ ଓଡ଼ିଶାର ଜଣେ ସରକାରୀ କର୍ମଚାରୀ ଓ ସେଥିପାଇଁ ସେ ଓଡ଼ିଶା ରାଜକୋଷରୁ ମାସିକ ଦରମା ଓ ମହଙ୍ଗାଭତ୍ତା ପାଉଥିଲେ । ଯେହେତୁ ରାଜକୋଷରୁ ଦରମା ନେଇ ସେ କାମ କରୁଥିଲେ , ସେହେତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ଘରୋଇ ସଚିବ (private secretary)ଭାବେ ନିଯୁକ୍ତ କରିଥିଲେ । ଯେଉଁ ବ୍ୟକ୍ତି ରାଜକୋଷରୁ ଦରମା ନେଇ ସରକାରୀ କର୍ମଚାରୀ ଭାବେ କାମ କରୁନଥିବେ , ସେ ବ୍ୟକ୍ତିଙ୍କୁ  ମୁଖ୍ୟମନ୍ତ୍ରୀ ଚାହିଁଲେ ମଧ୍ୟ ନିଜର ଘରୋଇ ସଚିବ ପଦବୀରେ ନିଯୁକ୍ତ କରିପରିବେନାହିଁ ।

ସୁତରାଂ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ ପଣ୍ଡିଆନଙ୍କ ନିଯୁକ୍ତିରେ କୌଣସି ଅବୈଧତା ନଥିଲା । ମାତ୍ର, ସେହି ନିଯୁକ୍ତିର ଉପଯୋଗ କରି ସେ ଯାହାସବୁ କରିଗଲେ, ତାହା ଅଧିକାଂଶତଃ ଥିଲା ଅବୈଧ ।  

ପ୍ରଥମେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶେଷରେ ନବୀନଙ୍କ ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ତୋଳି ତାଙ୍କୁ ଉତ୍ତରଦାୟୀ କରିଥିଲେ । ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ନବୀନ ବା ପାଣ୍ଡିଆନଙ୍କ ସାମର୍ଥ୍ୟ ନଥିବାବେଳେ ଉତ୍ତରଦାୟୀତ୍ଵରୁ ଖସି ଯିବା ପାଇଁ ପାଣ୍ଡିଆନଙ୍କୁ ସାହାଯ୍ୟ କରିଥିଲେ ନବୀନ ପଟ୍ଟନାୟକ । ଏଥିପାଇଁ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା ତଦନୁଯାୟୀ  ସ୍ଵେଚ୍ଛାକୃତ ଅବସର ନେବାକୁ ପାଣ୍ଡିଆନ ଦରଖାସ୍ତ କରିଥିଲେ ଓ ତାଙ୍କ ବିରୁଦ୍ଧରେ ଉତ୍ଥିତ ଅଭିଯୋଗର କୌଣସି ତଦନ୍ତ ନକରି, ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ସୁପାରିଶ କରିଥିଲେ ନବୀନ (ଓଡ଼ିଶା ସରକାରଙ୍କ ପତ୍ରାଙ୍କ GAD-SER1-PERS-0100-2014 Dt.20.10.2013) । ପବନବେଗରେ ତାହା ଗୃହୀତ ହୋଇଥିଲା (କେନ୍ଦ୍ର ସରକାରଙ୍କ ପତ୍ରାଙ୍କ 24012/13/2023-AIS-II (Pension) date 23.10.2023) ।

ଇସ୍ତଫା ଦେଇ ସଂପୂର୍ଣ୍ଣ ସୁରୁଖୁରୁରେ ସେ ଦାୟୀତ୍ଵମୁକ୍ତ ହୋଇଗଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କ୍ୟାବିନେଟ ମନ୍ତ୍ରୀର ପାହ୍ୟା ଦେଇ ଏପରି କ୍ଷମତା ଦେଇଛନ୍ତି , ଯାହାକୁ ଉପଯୋଗ କରି ସେ ପୂର୍ବରୁ କରିଥିବା ଅପଖର୍ଚ୍ଚ ଘୋଡ଼େଇ ଦେଇ ହେବ ଓ ବିକାଶ ବାହାନାରେ ରାଜନୈତିକ କାମ ପାଇଁ ରାଜକୋଷକୁ ଫୁଙ୍ଗୁଳା କରିହେବ ।

ସତେ ଯେପରି ଏହି ଅରାଜକତା କବଳରୁ ଓଡ଼ିଶାର ନିଷ୍କୃତି ନାହିଁ । କାରଣ, କର୍ମଚାରୀ ପ୍ରବର୍ଗରୁ ବିଦା ହେବା ପରେ ପରେ ପାଣ୍ଡିଆନ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ସଂସ୍ଥାପିତ ହୋଇ ‘ଫାଇଭ ଟି’ ସାଙ୍ଗକୁ ‘ନବୀନ ଓଡ଼ିଶା’ ପରି ଅନର୍ଥକ ଓ ଅବୈଧ ସଂକ୍ରମଣର ବାହକ ଭାବେ କ୍ଯାବିନେଟ ମନ୍ତ୍ରୀ ପାହ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମ କରିବେ, ଯେତେବେଳେ ଏପରି କୌଣସି ପଦବୀ ପାଇଁ କାର୍ଯ୍ୟ ନିୟମାବଳୀରେ ବ୍ୟବସ୍ଥା ନାହିଁ ଓ ରାଜ୍ୟପାଳଙ୍କ ଦ୍ଵାରା କାର୍ଯ୍ୟ ନିୟମାବଳୀ ସଂଶୋଧିତ ହୋଇ ଏପରି ପଦ ପଦବୀ ତିଆରି ନହେଲା ପର୍ଯ୍ୟନ୍ତ ଏହାର କୌଣସି ବୈଧତା ବି ନାହିଁ ।

ନବୀନ ପଟ୍ଟନାୟକ ଚଳାଇଥିବା ଲଗାମହୀନ ଅରାଜକତାର ଏହା ହେଉଛି ଏକ ଦୃଶ୍ୟମାନ ନଗ୍ନ ନମୂନା । ଏହି ଅରାଜକତା କବଳରେ ଓଡ଼ିଶା ଏବେ ବଡ଼ ବିପତ୍ତିରେ । 

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

Leave a comment