ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟମୁର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ଏକ ବେସରକାରୀ ସଙ୍ଗଠନରୁ ପ୍ରାୟ ଦୁଇ ମାସ ତଳେ ଜୀବନବ୍ୟାପୀ ସିଦ୍ଧି ସମ୍ମାନ (Lifetime achievement award ) ସଂଗ୍ରହ କରି ତମାମ ଓଡ଼ିଶାରୁ ଠୁଳ କରାହୋଇଥିବା ଅନୁଗତମାନଙ୍କ ଜୟଜୟକାରରେ ଭୁଇଁରୁ ଆକାଶ ଏକ କରିଦେଇଥିବା ବାବୁ ନବୀନ ପଟ୍ଟନାୟକଙ୍କ ଗାଦୀ-ସହର ଭୁବନେଶ୍ଵରରେ ମଶାକାମୁଡ଼ାଜନିତ ରୋଗ ଏବେ ଅତ୍ୟନ୍ତ ଉତ୍କଟ । ଏହାଙ୍କୁ ଏପରି ସମ୍ମାନ ଦେଇ ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିଥିବା ନ୍ୟାୟମୁର୍ତ୍ତି ଅନଙ୍ଗ ପଟ୍ଟନାୟକ ଏହି ପ୍ରେକ୍ଷାପଟରେ ନିଜ ଆତ୍ମସମୀକ୍ଷା କରିବା ଉଚିତ କି ନାହିଁ ତାହା ତାଙ୍କ ଅଭ୍ୟାସଗତ ନ୍ୟାୟିକ ସଚେତନତା ଉପରେ ନିର୍ଭର କରେ । ମାତ୍ର ନବୀନବାବୁଙ୍କ ନାକ ତଳେ ବଟି କାରବାର ହେତୁ ମଶାମାନଙ୍କ ବଂଶ ବିସ୍ତାର ଅବ୍ୟାହତ ରହି ଅବସ୍ଥା ଅସମ୍ଭାଳ ହୋଇଥିଲେ ମଧ୍ୟ, ମଶାବଂଶ ବିସ୍ତାର କରାଉଥିବା ବ୍ୟକ୍ତିମାନଙ୍କୁ ପୂର୍ଣ୍ଣ ନିରାପତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି) ମାଧ୍ୟମରେ ଏହି ସହରର ଆବାଳବୃଦ୍ଧବନିତା ବାସିନ୍ଦାମାନଙ୍କ ଉପରେ ବିଷ ବର୍ଷଣର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ତାହା ଅବିଳମ୍ବେ ବନ୍ଦ ହେବା ଦରକାର ।
“ମାଆ ଧନକୁଟି ପୁଅ ନାଗର” ବୋଲି ଓଡ଼ିଶାରେ ଏକ ବୋଲି ଅଛି । ରାଜ୍ୟକୁ ଋଣଭାରରେ ଅଣନିଃଶ୍ଵାସୀ କରିପକାଇଥିବା ନବୀନ ପଟ୍ଟନାୟକ ବିଶ୍ଵ ହକିର ପୃଷ୍ଠପୋଷକ ସାଜିଛନ୍ତି , ଯାହା ଫଳରେ ଋଣଯନ୍ତାରେ ଛଟପଟ ହେଉଥିବା ଆମ ରାଜକୋଷ ଅଧିକ ସଂକଟାପନ୍ନ ହେବାକୁ ଯାଉଛି । ବାବୁଙ୍କର କ’ଣ ଅଛି? ଅଣଓଡ଼ିଆଙ୍କୁ ଖଣି ବିକିଦିଅ, ନବାବଙ୍କ ପରି ଖର୍ଚ୍ଚ କର । ଉଡ଼ା ଚଡ଼େଇ, ଡକା ହୋଇ ଆସିଥିଲେ, ଯିବେ ପଳେଇ । ଆମେ ଭୂମିଜ ଓଡ଼ିଆଏ ତ ଖଣିହରା ହେଲୁ ନାଁ! ଏ ବାବୁ ନାଁ କମେଇବେ । ଓଡ଼ିଶା ଦେବାଳିଆ ହେବ । ତେଣୁ ଏହି ମାସରେ ବିଦେଶରୁ ହକି ଖେଳାଳିମାନେ ଓଡ଼ିଶା ଆସିବେ । ସେ ସମସ୍ତଙ୍କୁ ସମ୍ରାଟସମ ଆତିଥ୍ୟ ଦିଆଯିବ ଆମ ପଇସାରୁ । ଯଦି ସେମାନଙ୍କ ଭିତରୁ କାହାକୁ ଭୁବନେଶ୍ଵରବାସୀଙ୍କ ରକ୍ତ ପିଉଥିବା କୌଣସି ମଶା କାମୁଡ଼ି ଦିଏ ? ବାବୁଙ୍କ ହକି ପୃଷ୍ଠପୋଷକୀୟା ଔଜଲ୍ୟ ଚହଲିଯିବ । ତେଣୁ ହଠାତ୍ ବାବୁଙ୍କର ମୁଣ୍ଡରେ ଢୁକିଛି ମଶା ବଂଶ ଲୋପ କରିବାର ନିଶା । ଆକାଶରେ ଡ୍ରୋନ୍ ଉଡ଼ାଇ ତା ମାଧ୍ୟମରେ ବିଷ ବର୍ଷଣ କରି ମଶାମାରଣ କାମ ଆରମ୍ଭ ହୋଇଛି । ଆକାଶମାର୍ଗରୁ ବିଷବର୍ଷଣ ଦ୍ଵାରା ଆମେ ସାଧାରଣ ଓଡ଼ିଆ କେଉଁ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବୁ ତାହା ଅନୁଧ୍ୟାନ କରାଯାଇନାହିଁ , ଆକାଶରୁ ବିଷ ବର୍ଷଣ ହେତୁ ପରବେଶ କିପରି ପ୍ରଦୂଷିତ ହେବ, ତାହାର ଆକଳନ ହୋଇନାହିଁ ଓ ତହିଁର ଉପଚାର କ’ଣ ତାହା ନିରୂପିତ ହୋଇନାହିଁ । ଅଥଚ, ହକି ଖେଳାଳୀଙ୍କୁ ମଶା କାମୁଡ଼ିବେନି, ସେଥିପାଇଁ ଭୁବନେଶ୍ଵରର ସବୁ ବାସିନ୍ଦାଙ୍କ ଉପରେ ବିଷ ବର୍ଷଣ ହେବ । ଯଦି ନବୀନ ପଟ୍ଟନାୟକ ଅଭ୍ୟାସଗତ ଆଇନ ଅବମାନନାକାରୀ ନହୋଇଥାନ୍ତେ , ତେବେ ଏହି ବିଷାକ୍ତ ଅବସ୍ଥା ଉପୁଜି ନଥାନ୍ତା ।
ଭୁବନେଶ୍ଵରକୁ ମଶାମୁକ୍ତ କରିବା ପାଇଁ ୨୦୦୩ରେ ଏକ ଆଇନଗତ ବ୍ୟବସ୍ଥା ହୋଇଥିଲା । ନବୀନବାବୁ ସେ ଆଇନକୁ ଅଚଳ କରିରଖିଦେଲେ, କାରଣ ସେ ଆଇନ କାର୍ଯ୍ୟକାରୀ ହୋଇଥିଲେ ଯେଉଁମାନଙ୍କ ବେପାର ଅଡୁଆରେ ପଡ଼ିଥାନ୍ତା , ସେମାନେ ଜଣକେ ୪୦୦୦ ଟଙ୍କା ଲେଖାଏଁ ମାସକୁ ପ୍ରାୟ କୋଟିଏ ଷାଠିଏ ଲକ୍ଷ ବଟି ଦିଅନ୍ତି ପ୍ରତିମାସରେ । ଏହା ସତ କି ମିଛ ମୁଁ ଜାଣେନି । ପ୍ରକୃତ କଥା କ’ଣ ତାହା କେବଳ ନବୀନ ବାବୁ ହିଁ କହିପାରିବେ । କାରଣ ସରକାର ତାଙ୍କର ଓ ସେ ହିଁ ଉତ୍ତରଦାୟୀ । ମୁଁ ଏହି ବଟି କାରବାରର ଉଡ଼ା ଖବର ପାଇ ମୋ ନଭମଞ୍ଚ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଥିଲି, କେବଳ ନୀରବତା ହିଁ ମିଳିଲା । ଫଳରେ ମଶାନିୟନ୍ତ୍ରଣ ସମ୍ଭବ ହୋଇନାହିଁ ।
ଅଲୋଚନାକୁ ଆସିବା ।
ବିଧାନସଭାର ବଜେଟ ଅଧିବେଶନ ଚାଲିଥାଏ । ଜଗାରଖା ପାଇଁ ବାହାରୁ ମଧ୍ୟ ପୋଲିସ ଲୋକେ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କର୍ତ୍ତବ୍ୟରତ ତିନିଜଣ ପୋଲିସ ବ୍ରେନ୍ ମ୍ୟାଲେରିଆ ରୋଗରେ ପଡ଼ି ହଠାତ୍ ମରିଗଲେ । ବିଧାନସଭା ତଡ଼ିତ୍ ବେଗରେ ତାର କାରଣ ଅନୁଧ୍ୟାନ କଲା । ଭୁବନେଶ୍ଵରରେ ମଶା ଏପରି ପ୍ରବଳ ହେବାର କାରଣ କ’ଣ – ଏହା ଥିଲା ପ୍ରଶ୍ନ । ଉତ୍ତର ଆସିଲା – ଏକମାତ୍ର କାରଣ ଗୋଶାଳା । ସହର ଭିତରେ ପ୍ରାୟ ୪୦୦୦ ଗଉଡ଼ ବିଭିନ୍ନ ସରକାରୀ ସ୍ଥାନ ଜବରଦଖଲ କରି ଗାଈ ମଇଁଷି ରଖିଛନ୍ତି ଓ ଅନେକ ସ୍ଥାୟୀ ବାସିନ୍ଦା ନିଜ ନିଜ ହତାରେ ଓ ଅନେକ କର୍ମଚାରୀ ନିଜ ନିଜ ସରକାରୀ ବାସଗୃହରେ ମଧ୍ୟ ଗୋରୁ ରଖିଛନ୍ତି । ସେହି ସବୁ ଗୁହାଳ ପାଣିରେ ମଶା ବଂଶ ବିସ୍ତାର ଲାଭ କରୁଛି । ତେଣୁ ତୁରନ୍ତ ବିଏମସି ଆଇନ -୨୦୦୩ ପ୍ରଣୀତ ଓ ପ୍ରବର୍ତ୍ତିତ ହେଲା, ଯେଉଁଥିରେ ଭୁବନେଶ୍ବର ସହରାଞ୍ଚଳରେ ଗୋରୁ ରଖିବା ନିଷିଦ୍ଧ ହେଲା ।
ଏହି ଆଇନ ଗଉଡ଼ମାନଙ୍କ ଜୀବନଜୀବିକା ଉପରେ ଆଞ୍ଚ ଆଣୁଥିବା ଦର୍ଶାଇ ଗଉଡ଼ ସଂଘ (Orissa Milk Producers Association ) ଓଡ଼ିଶା ଉଚ୍ଚ ଅଦାଲତରେ ମକଦ୍ଦମା କଲେ । ହାରିଲେ । ସେମାନେ ଭାରତର ସର୍ବ୍ବୋଚ୍ଚ ଅଦାଲତରେ ଅପିଲ କଲେ । ହାରିଲେ । ଉଭୟ ଅଦାଲତରେ ନବୀନ ବାବୁଙ୍କ ସରକାର ନିଜ ଆଇନକୁ ରକ୍ଷା କରିବାକୁ ଯେଉଁ ନିଷ୍ଠା ପ୍ରଦର୍ଶନ କରିବା ଆବଶ୍ୟକ ଥିଲା ତାହା ଦେଖାଯାଇନଥିଲା । ତା ସତ୍ତ୍ୱେ ସରକାର ଜିତିଳେ ଓ ଗଉଡ଼ସଂଘ ହାରିଲା । କାରଣ , ଏହି ଦୁଇ ଅଦାଲତଙ୍କ ବିଚାରରେ ଭୁବନେଶ୍ଵରରେ ମଶା ଓ ପ୍ରଦୂଷଣମୁକ୍ତ ପରିସର ସୁନିଶ୍ଚିତ କରାଯିବା ଅପରିହାର୍ଯ୍ୟ ଥିଲା।
ଗଉଡ଼ସଂଘ ଦର୍ଶାଇଥିଲା ଯେ, ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେମାନଙ୍କୁ ଦୁଗ୍ଧ ବ୍ୟବସାୟ କରିବା ପାଇଁ ଭୁବନେଶ୍ଵରରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେମାନଙ୍କୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କ ବ୍ୟବସାୟ ଚାଲିବା ପାଇଁ ବିଜୁ ପଟ୍ଟନାୟକଙ୍କ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ ନବୀନବାବୁଙ୍କ ସରକାର ଜମି ଯୋଗାଇ ଦିଅନ୍ତୁ । ସର୍ବୋଚ୍ଚ ଅଦାଲତ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଥିଲେ, ଜନସାଧାରଣଙ୍କ ଜୀବନର ସୁରକ୍ଷା ସବୁ ସରକାରୀ ପ୍ରତିଶ୍ରୁତିଠାରୁ ଅଧିକ ମୁଲ୍ୟବାନ (“ the doctrine of Promissory Estoppels will have no application”) ।. ଗଉଡ଼ମାନଙ୍କୁ ଭୁବନେଶ୍ଵର ସହର ସମେତ ସହର ସନ୍ନିକଟରୁ ନିକାଲି ଦେବା ଓଡ଼ିଶା ସରକାରଙ୍କ ପାଇଁ ବାଧ୍ୟତାମୂଳକ (the milkmen must be evicted from the limits of BMC and must not be rehabilitated anywhere in the City and its periphery, as “Right to environment being a fundamental right, it is the duty of the State to make it sure that people get a pollution free surrounding” ) ବୋଲି ସର୍ବୋଚ୍ଚ ଅଦାଲତ ଆଦେଶ ଜାରି କରିଥିଲେ । ଏହି ଐତିହାସିକ ନ୍ୟାୟିକ ଆଦେଶ (judgment) ୨.୨.୨୦୦୬ରେ ପ୍ରଦତ୍ତ ହୋଇଥିଲା ଓ (2006) 3 Supreme Court Cases 229 ରେ ପ୍ରକାଶ ପାଇଛି ।
ଅଥଚ ନବୀନ ପଟ୍ଟନାୟକ ସର୍ବୋଚ୍ଚ ଅଦାଲତ ଦ୍ଵାରା ସଂପୂର୍ଣ୍ଣ ସମର୍ଥିତ ଏହି ଆଇନକୁ କାର୍ଯ୍ୟକାରୀ କଲେନାହିଁ ଓ ଭୁବନେଶ୍ଵର ମଶାମୁକ୍ତ ହେବାର କୌଣସି ପରିସର ବି ରହିଲା ନାହିଁ । ଫଳରେ ଆଜି ଏହି ଅବସ୍ଥା ଉପୁଜିଛି ।
ଲୋକଙ୍କୁ ଭୁଆଁ ବୁଲେଇବାକୁ ଗୋଟେ ଆଇନ କରିଦିଅ ଓ ତାହାକୁ ଅମାନ୍ୟ କର – ଏହା ହେଉଛି ନବୀନ ପଟ୍ଟନାୟକଙ୍କ ପୁରୁଣା ଅଭ୍ୟାସ । ଆଇନ ବିରୋଧୀ ଆଚରଣ ଓ ନବୀନ ଶାସନ – ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ଏହା ନହୋଇଥିଲେ, ଭୁବନେଶ୍ଵରରେ ଆଜି ମଶା ନଥାନ୍ତେ ।
ଡ୍ରୋନ୍ ମାଧ୍ୟମରେ ବିଷ ବର୍ଷଣ କରି ମଶାମାରଣ ପାଇଁ ବିଏମସି ମାଧ୍ୟମରେ ବାବୁ ନବୀନ ଯେଉଁ ନୂଆ ନାଟକ ଆରମ୍ଭ କରିଛନ୍ତି ତାହା ମଶା ବଂଶ ବିସ୍ତାର କରାଉଥିବା ଗଉଡ଼ମାନଙ୍କୁ ଭୁବନେଶ୍ଵରର ଗୁରୁତ୍ୱପୂର୍ଣ୍ଣ ସ୍ନାୟୁକେନ୍ଦ୍ରମାନଙ୍କରେ ସରକାରୀ ସ୍ଥାନରେ ଗୁହାଳ ରଖି ନିରାପଦରେ ଦୁଗ୍ଧ ବ୍ୟବସାୟ କରିବାରେ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ । ତାର କାରଣ,ଯାହା ମୁଁ ଶୁଣିଛି ଓ orissamatters. comରେ ପ୍ରକାଶ କରି ନବୀନଙ୍କ ସରକାରକୁ ସାମ୍ନାସାମ୍ନୀ କରାଇଛି, ତାହାକୁ ନବୀନବାବୁଙ୍କ ଦପ୍ତର ବା ବିଏମସି – କେହି ଏଯାଏଁ ଖଣ୍ଡନ କରିନାହାନ୍ତି । ବାରମ୍ବାର ମୁଁ ଏହା ଉପରେ ଆଲୋଚନା କରିଛି । ବଟି କାରବାର ଯଦି କ୍ଷମତାର ସର୍ବୋଚ୍ଚସ୍ତରକୁ ନିରସ୍ତ କରାଇନଥାନ୍ତା, ନିଜ ସପକ୍ଷରେ ସର୍ବୋଚ୍ଚ ନ୍ୟାୟଳୟର ସ୍ପଷ୍ଟ ନିର୍ଣ୍ଣୟ ସତ୍ତ୍ୱେ, ମଶା ଉତ୍ପାଦନକାରୀ ଗୋରୁ ଗୁହାଳ ଭୁବନେଶ୍ବର ତମାମ ଛାଇ ହୋଇ ରହିନଥାନ୍ତା । ଏଠାରେ ଥିବା ୪୦୦୦ ଗଉଡ଼ ସହରର ବିଭିନ୍ନ ସ୍ଥାନରେ ଗୋରୁ ରଖି ଦୁଗ୍ଧ ବ୍ୟବସାୟ କରୁଛନ୍ତି ଓ ସରକାରୀ ସୁରକ୍ଷା ଉପଭୋଗ କରିବା ପାଇଁ ପ୍ରତି ମାସରେ ଜଣକେ ଅନ୍ୟୁନ୍ୟ ୪୦୦୦ ଟଙ୍କା ବଟି ଦେଉଛନ୍ତି । ଅର୍ଥାତ୍ ମାସକୁ ଅବୈଧ ଭାବେ କୋଟିଏ ଷାଠିଏ ଲକ୍ଷ ଟଙ୍କା ବଟି ଆଦାୟ ହେତୁ ମଶା ବଂଶ ବିସ୍ତାରର ବ୍ୟବସ୍ଥା କାଏମ ରଖିବାକୁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶକୁ ମଧ୍ୟ ଅବଜ୍ଞା କରାହୋଇଆସିଛି ।ଏକଥା ମୁଁ ୨୬.୯.୨୦୧୫ରେ ପ୍ରକାଶ କରିଥିଲି, ଏବକୁ କେତେ ବଢିଲାଣି ତାହା ଏକ ବିଧିବଦ୍ଧ ତଦନ୍ତ ହେଲେ ଜଣା ପଡ଼ନ୍ତା ।
ନବୀନ ପଟ୍ଟନାୟକ ତୁରନ୍ତ ଏହି ବଟି କାରବାର ବନ୍ଦ କରନ୍ତୁ , ନିଜ ପ୍ରଣୀତ ବିଏମସି ଆଇନ ୨୦୦୩ ଅନୁଯାୟୀ ଭୁବନେଶ୍ଵର ସହର ଓ ଆଖପାଖରେ ଥିବା ସମସ୍ତ ଗୁହାଳ ଅପସାରିତ କରି ମଶା ବଂଶ ବିସ୍ତାରର ବାସ୍ତବ ନିରାକରଣ କରନ୍ତୁ । ସେ ଚାହିଁଲେ ସପ୍ତାହକ ଭିତରେ ଏହା ହୋଇପାରିବ ଓ ରାଜଧାନୀ ଭୁବନେଶ୍ବର ସବୁଦିନ ପାଇଁ ମଶାମୁକ୍ତ ହେବ । ଯଦି ବଟି ଆଦାୟ ଭିତିରି ଅଭିପ୍ରାୟ ହୋଇ ନଥାଏ, ତେବେ ସେ ଅବିଳମ୍ବେ ଏହା ଆରମ୍ଭ କରନ୍ତୁ ; ଆକାଶମାର୍ଗରୁ ବିଷ ବର୍ଷଣ କରି ସାଧାରଣ ଲୋକଙ୍କ ଜୀବନ ସହ ଖେଳ ନଖେଳନ୍ତୁ ।