ମୁଁ ଆଉ ତୁ ଆଉ ଶ୍ଵାନ ଏଇ ବୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଶ୍ଵାନ ସହ ଜୀବନ ଏକ ଶୋଭନୀୟ ଜୀବନ । ତା’ର ନିରୋଳା ମମତା , ତା’ର ଅନନ୍ୟ ବିଶ୍ଵସନୀୟତା ତାକୁ ବିଶ୍ଵଚେତନାରେ କରିଛି “ମଣିଷର ପ୍ରିୟତମ ବନ୍ଧୁ” । ବିଶ୍ଵବିଖ୍ୟାତ କବି ଓ କଣ୍ଠଶିଳ୍ପୀ ଲୋବୋ (Lobo, ୧୯୪୩ ଜୁଲାଇରେ ଫ୍ଲୋରିଡ଼ାରେ ଜନ୍ମିତ Roland Kent LaVoie) ତାଙ୍କ ଏଇ “ପ୍ରିୟତମ ବନ୍ଧୁ”ର ନାମ ଦେଇଥିଲେ “ବୁ” (Boo) । ଏହି ବୁ ସହ ତାଙ୍କ ପୁରୁଣା କାର୍ ଯୋଗେ ସେ ଆମେରିକାର ବିଭିନ୍ନ ସ୍ଥାନ କିପରି ବୁଲିଥିଲେ, କିପରି ଉପଭୋଗ କରିଥିଲେ ଜଞ୍ଜାଳରୁ ମୁକ୍ତିର ରୋମାଞ୍ଚ ସେକଥା ମନେ ପକାଉ ପକାଉ ପୁରୁଣା ଗାଡ଼ିଟି ପୁଣି କେମିତି ତାଙ୍କୁ ଡାକୁଛି ବାହାରିବା ପାଇଁ ଭ୍ରମଣରେ, ତାହା ୧୯୭୧ରେ ସାରା ବିଶ୍ଵରେ ସଙ୍ଗୀତପ୍ରେମୀ ଓ ଶ୍ଵାନପ୍ରେମୀମାନଙ୍କ ମନରେ ଶିହରଣ ସୃଷ୍ଟି କରିଥିବା ଏହି ଗୀତ ତାଙ୍କରି କଲମ ଓ ତାଙ୍କରି କଣ୍ଠରୁ ନିର୍ଗତ ହୋଇ ସେ ବର୍ଷର ଅନ୍ୟତମ ଶ୍ରେଷ୍ଠ ପପ୍ ସଙ୍ଗୀତ ଭାବେ ସମାଦୃତ ହୋଇଥିଲା ସମଗ୍ର ବିଶ୍ଵରେ । ଏହାର ଶୀର୍ଷକ ଥିଲା – “Me and You and a Dog Named Boo”, ଯାହାକୁ କବିତାରେ ଅନୁବାଦ କରି ମୁଁ ଆମ ଓଡ଼ିଶାର ଶ୍ଵାନପ୍ରେମୀ ଭାଇଭଉଣୀଙ୍କୁ ଉପହାର ଦେଉଛି ।

ମୁଁ ଆଉ ତୁ ଆଉ ଶ୍ଵାନ ଏଇ ବୁ
——————————–
ମୂଳଲେଖା – ଲୋବୋ
ଅନୁବାଦ – ସୁଭାଷ ଚନ୍ଦ୍ର ପଟ୍ଟନାୟକ
————————————-

ଆଜି ବି ପଡ଼ଇ ମନେ
ଅସରାଏ ଖରାଟିଆ ବର୍ଷା ଅନ୍ତେ
ସେଦିନ ଜର୍ଜିଆ ଭୂମେ
ଲୋହିତ କର୍ଦ୍ଦମେ
ଜାମ୍ ହୋଇ ଯାଇଥିବା
ପୁରୁଣା ମୋ କାର୍ ଚକା
କି କଷ୍ଟରେ ଗଡୁଥିଲା
କେବଳ ତା ଇଛାଶକ୍ତି କ୍ରମେ ।
ସତେ ବା ସେ ସୁନ୍ଦରୀ
ମନରେ ବାହୁନୁଥିଲା –
ଆଃ! ଶୁଖିଲା ସଡ଼କେ ହେଲେ
ଦଉଡ଼ନ୍ତେ ଆଉଥରେ ଆମେ !

ମୁଁ ଆଉ ତୁ ଆଗୋ
ପୁରୁଣା ମୋ ଗାଡ଼ିଟି !
ଆମ ସହ ପ୍ରିୟ ମୋର
ଶ୍ଵାନ ଏଇ ବୁ ।
ବାସଭୂମି ବାହାରେ
ବୁଲିଛେ ତ ବୁଲିଛେ
ଜୀବନ ତ ଜୀଇଁଛେ !
ମୁଁ ଆଉ ତୁ ଆଉ ଶ୍ଵାନ ଏଇ ବୁ
କେତେ ଭଲ ନ ଲାଗିଛି
ବନ୍ଧନହୀନ ବୋଲି ମୁଁ !

ଏବେ ବି ପଡୁଛି ମନେ
ସେଣ୍ଟ ପଲ୍ ।
ସେଠିକା ସେ ଗହମ କିଆରୀ
ଯେଉଁଠି ସକାଳେ ଦିନେ
ପଡ଼ିଯାଇଥିଲି ଧରା
ଧରୁ ଧରୁ
ମାଈ କୁକୁଡ଼ାଟେ,
ତା ପୁଣି ଧୋକଡ଼ୀ !
ବୁଢା ମାକ୍ ଡୋନାଲ୍ଡ
ମହା କଡ଼ା
ଖଟାଇଲା ଦିନସାରା ;
ଯଦିଓ ଶେଷରେ
ଶ୍ରମର ମୂଲ୍ୟ ସେ
ଦେଇଥିଲା ।
ଭରି ଦେଇଥିଲା
ଗାଡ଼ିରେ ଗ୍ୟାସ୍
ଟାଙ୍କିଏ;
ସଡ଼କକୁ ଥିଲେ
ନେଉଟି ଆମେ ତ
ସଭିଏଁ ।

ସେଦିନର କଥା
କେବେ ମୁଁ ଭୁଲିବି ନାଇଁ
ଦର୍ପେ ଯେଦିନ
କାର୍ ଚଳାଇ
ନେଉଟି ଆସିଲି,
ଲସ୍ ଆଞ୍ଜେଲସ୍ ଭୁଇଁ ।

ନଗରୀରାଣୀର
ତୋଫା ଆଲୋକର
ଊର୍ଜନା
ତଡ଼ିଦେଇଥିଲା
ଭ୍ରମଣକ୍ଳାନ୍ତି ,
ମାନସେ ମୋହର
ବିଶ୍ରାମ ପାଇଁ
କରିଥିଲା ମୋହ
ସର୍ଜନା ।

କିନ୍ତୁ ଯଦିଓ
ମାସେ ଖଣ୍ଡେ ମୋଟେ
ବିତିଛି,
କ୍ଳାନ୍ତି ଭୁଲି ମୋ
ଦଦରା ଗାଡ଼ିଟି
ପୁଣି ତ ମୋତେ
ତୁହାଇ ତୁହାଇ
ଡାକୁଛି –
“ଏଠୁ ପଳାଇବା
ପୁଣି ପହଁରିବା
ସଡ଼କରେ ଆସ”
କହୁଛି ।

ମୁଁ ଆଉ ତୁ ଆଗୋ
ପୁରୁଣା ମୋ ଗାଡ଼ିଟି !
ଆମ ସହ ପ୍ରିୟ ମୋର
ଶ୍ଵାନ ଏଇ ବୁ ।
ବାସଭୂମି ବାହାରେ
ବୁଲିଛେ ତ ବୁଲିଛେ
ଜୀବନ ତ ଜୀଇଁଛେ ;
କେତେ ଭଲ ନ ଲାଗିଛି
ବନ୍ଧନହୀନ ବୋଲି ମୁଁ !