ରହସ୍ୟ ପେଟି ସନ୍ଧାନରେ ରତ୍ନ ଭଣ୍ଡାର ପୁନଶ୍ଚ ଖୋଲୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି କୌଣସି ଧର୍ତ୍ତବ୍ୟ ଅପରାଧର ପ୍ରମାଣ ତା ଭିତରେ ଛପି ନଥାଏ ଏତେ ଗୋପନୀୟତା କାହିଁକି ? ବୋଲି ମୁଁ ଯେଉଁ ପ୍ରଶ୍ନ କରିଥିଲି ତାହାର ଗୁରୁତ୍ବ ଅଧିକ ସ୍ପଷ୍ଟ ହୋଇଛି ପୁରୀ ଜିଲ୍ଲାପାଳଙ୍କ ସ୍ପଷ୍ଟୋକ୍ତିରୁ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ଜିଲ୍ଲା କୋଷାଗାରରେ ନାହିଁ ବୋଲି ସେ କହିଛନ୍ତି ।

କୋଷାଗାରରେ ଯାହା ରହେ ତାହାର ଟିକିନିଖି ବିବରଣୀ ବି ରହେ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି କିଛି ସାଧାରଣ ଦ୍ରବ୍ୟ ନୁହେଁ । ଏହାର ସ୍ଥିତିସ୍ଥାପକତାର ଟିକିନିଖି ବିବରଣୀ ଜିଲ୍ଲାପାଳଙ୍କ ଦପ୍ତରରେ ରହିବାକୁ ବାଧ୍ୟ । ତେଣୁ ସେ ନିଜ ଦପ୍ତରର ନିଜାରତ ଅଫିସର ଓ ଟ୍ରେଜେରୀ ଅଫିସରଙ୍କ ଠାରୁ ଏହି ଚାବିର ବିବରଣୀ ଅବିଳମ୍ବେ ସଂଗ୍ରହ କରନ୍ତୁ ଓ ଏହି ଚାବିର ଶେଷ ସଂରକ୍ଷଣ ବେଳେ କେଉଁ ବ୍ୟକ୍ତି ସେଠାରେ ଟ୍ରେଜେରୀ ଅଫିସର ଥିଲେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଜେରା କରାଯାଉ । ସରକାରୀ ହେପାଜତରେ ଥିବା ଚାବି ହାତେଇ ଅବଶିଷ୍ଟ ଦୁଇ ଚାବିର ଦାୟିତ୍ଵରେ ଥିବା ବ୍ୟକ୍ତି ରତ୍ନ ଭଣ୍ଡାର ଲୁଟ କରିଛନ୍ତି କି ନାହିଁ ତାହା ତୁରନ୍ତ ତଦନ୍ତଭୁକ୍ତ ହେଉ ।

ଏ ସମ୍ପର୍କରେ ମୁଁ ପ୍ରଥମେ ଆଲୋଚନା କଲା ପରେ କେତେକ ଗଣମାଧ୍ୟମ ବି ସମତୁଲ ସନ୍ଦେହ ପ୍ରକଟ କଲେଣି । ମାତ୍ର ଜଗନ୍ନାଥଙ୍କ ସମସ୍ତ ରତ୍ନ-ସମ୍ପତ୍ତି ସମେତ ଗଜପତି ତଥା ଜଗନ୍ନାଥଙ୍କ ସମସ୍ତ ସେବକଙ୍କ ସମ୍ପତ୍ତି ତାଲିକା ହାସଲ କରାଯିବା ଓ ତହିଁର ଯାଞ୍ଚ କରାଯିବା ଏବଂ ସେସବୁର ପରିମାଣ ଓ ସଂଗ୍ରହ ସୂତ୍ର ସଠିକ ଭାବେ ନଥିଭୁକ୍ତ କରାଯିବା ଉପରେ ମୁଁ ଯେଉଁ ଗୁରୁତ୍ବ ଦେଇଥିଲି ତାହା ଏଯାଏଁ କାହା ଦ୍ଵାରା ସମର୍ଥିତ ହୋଇନାହିଁ । ଏହାର ମାନେ ନୁହେଁ ଯେ, ମୁଁ ଯେଉଁ ସନ୍ଦେହ ପ୍ରକଟ କରିଛି ତାହା ଅସାର ।

ଜିଲ୍ଲା କୋଷାଗାରରୁ ରତ୍ନ ଭଣ୍ଡାରର ଚାବି ଗାଏବ ହୋଇଯିବା ମୋ ସନ୍ଦେହକୁ ଘନୀଭୂତ କରୁଛି । ଅବିଳମ୍ବେ ସଘନ ତଦନ୍ତ ଆବଶ୍ୟକ ।

ରତ୍ନ ଭଣ୍ଡାରର ଟିକିନିଖି ଯାଞ୍ଚ ଅପରିହାର୍ଯ୍ୟ । ଏ ଯାଞ୍ଚ କେବଳ ଯେ ଜଗନ୍ନାଥଙ୍କ ରତ୍ନ-ସମ୍ପତ୍ତିର ପଞ୍ଜିକରଣରେ ସହାୟକ ହେବ ତା ନୁହେଁ, ଓଡିଶା ଇତିହାସର କେତେକ ଗୁରୁତ୍ବପୂର୍ଣ ଗୁପ୍ତ ଘଟଣା ଉପରେ ଦୃଷ୍ଟିପାତ ପାଇଁ ଏହା ହୁଏତ ସହାୟକ ବି ହେବ ।

ଶ୍ରୀ ଜଗନ୍ନାଥଙ୍କ ପରିଧିରେ ବୌଦ୍ଧ ଲୋକାୟତିକବାଦ ଓ ବ୍ରାହ୍ମଣ୍ୟବାଦ ଭିତରେ ଯେଉଁ ଭୟାନକ ସଂଘର୍ଷ ଚାଲିଥିଲା, ସେଥିରେ ଅତି ରହସ୍ୟଜନକ ଭାବେ ବଳିପଡ଼ିଯାଇଥିଲେ କପିଳେନ୍ଦ୍ର ଦେବ ଓ ନିଶ୍ଚିହ୍ନ ହୋଇଯାଇଥିଲେ ତାଙ୍କ ସୁଯୋଗ୍ୟ ଜ୍ୟେଷ୍ଠ ପୁତ୍ର ହମ୍ବୀର ଏବଂ ନିଶ୍ଚିହ୍ନ ମଧ୍ୟ ହୋଇଯାଇଥିଲେ ଚୈତନ୍ୟ । ହୁଏତ ରତ୍ନ ଭଣ୍ଡାରରେ ଏହି ରହସ୍ୟ ଲୁକ୍କାୟିତ । ସବୁ କଥା ତୁରନ୍ତ ପଦାକୁ ଆସିବା ଦରକାର ।

ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର: ପ୍ରହସନ ବନ୍ଦ ହେଉ, ସକଳ ରତ୍ନର ତାଲିକା ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଯାଞ୍ଚକୁ କେନ୍ଦ୍ରକରି ଚାଲିଥିବା ଓ ହେବାକୁଥିବା ପ୍ରହସନ ବନ୍ଦ ହେବା ଦରକାର । ଯାଞ୍ଚ ହେଲେ ଆତ୍ମହତ୍ୟା ପାଇଁ ଜଣେ ସେବକଙ୍କ ଧମକ , ଓଡିଶା ଉଚ୍ଚ ଅଦାଲତର ଜଣେ ବିଚାରପତି ବି ଯାଞ୍ଚ ଗୋଷ୍ଠୀରେ ଭିତରକୁ ଯିବେ ଏବଂ ତାଙ୍କ ସମେତ ଯିଏ ଯିବେ ସେ ଲୋକନାଥଙ୍କ ପୂଜା ଅର୍ଚ୍ଚନା କରି ଭିତରକୁ ପଶିବେ ଓ ଯାହା ଦେଖିବେ ତାହା କାହାକୁ ନକହିବେ ବୋଲି ଶପଥ ନେବାର ପ୍ରସ୍ତାବ – ଏପରି ନାନା କୌତୁହଳୋଦ୍ଦୀପକ ପୂର୍ବରାଗ ଘୋର ସନ୍ଦେହ ସୃଷ୍ଟି କରୁଛି କି ଯେଉଁମାନେ ଜାଣନ୍ତି ତା ଭିତରେ କଣ ଅଛି ସେମାନେ ତାହା ଆଉ କାହାକୁ ଜଣାଇବାକୁ ଚାହାନ୍ତିନାହିଁ । ଯଦି କୌଣସି ଧର୍ତ୍ତବ୍ୟ ଅପରାଧର ପ୍ରମାଣ ତା ଭିତରେ ଛପି ନଥାଏ ଏତେ ଗୋପନୀୟତା କାହିଁକି ?

କୌଣସି ଓଡ଼ିଆ ନାହିଁ ଯିଏ ଶ୍ରୀଜଗନ୍ନାଥଙ୍କୁ ତା ପରିବାରର ଅସଲ ମୁରବି ବୋଲି ନମାନେ । ସରଳବିଶ୍ଵାସୀ ଓଡ଼ିଆ ପାଇଁ ସେ ତାର ଆତ୍ମାର ଆଧାର , ତାର ପ୍ରେମର କେନ୍ଦ୍ର, ତା ନିଜର ପରିଚୟ , ତାର ଆଧ୍ୟାତ୍ମିକ ଜିଜ୍ଞାସାର ଉତ୍ତର, ତା ନିରୀଶ୍ଵରବାଦୀ ଚେତନାର ଉର୍ଜନା , ତାର ଅସ୍ମିତାର ଅନ୍ୟରୂପ । କିନ୍ତୁ କିଛି ଲୋକଙ୍କ ଆଧିପତ୍ୟ କବଳରେ ଅଛନ୍ତି ଏହି ଜଗନ୍ନାଥ, ଯେଉଁମାନେ ଏହାଙ୍କ ନାମ ବିକି ଚଳୁଛନ୍ତି ଓ ବୁଦ୍ଧରୁ ଏହାଙ୍କୁ ବନେଇ ସାରିଛନ୍ତି କେବଳ ବିଷ୍ଣୁ ।

ଯେଉଁ ଲୋକମାନେ ତାଙ୍କୁ ମାଡ଼ିବସିଛନ୍ତି, ସେମାନେ ତାଙ୍କ ସମ୍ପତ୍ତିକି ବି ମାଡ଼ିବସିଛନ୍ତି । ସେମାନେ ଚାହନ୍ତିନି ଯେ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପୂର୍ଣ୍ଣତଃ ଆସୁ ଲୋକଙ୍କ ଅବଗତିକୁ । କିନ୍ତୁ ସେ ସମ୍ପତ୍ତି ହେଉଛି ଲୋକଙ୍କର ଯାହା ସେମାନେ ହିଁ ତାଙ୍କୁ ଦେଇଛନ୍ତି । ସେ ସବୁ ଗୋଟି ଗୋଟି ହୋଇ ଲୋକଙ୍କ ସାମ୍ନାକୁ ଆସିବା ଦରକାର । ସୁନା ରୁପାରୁ ଆରମ୍ଭ କରି ଯେତେ ରତ୍ନ ତା ଭିତରେ ଅଛି ସେ ସମସ୍ତର ପରିମାଣ, କିସମ, ଓଜନ, ଆୟତନ ଇତ୍ୟାଦି ଟିକିନିଖି ଯାଞ୍ଚ ହୋଇ ପଞ୍ଜିକୃତ ହେବା ଦରକାର ଓ ଆଗରୁ ଯଦି କିଛି ଏପରି ଯାଞ୍ଚ ହିସାବ ଥାଏ ତା ସହ ତୁଳନା କରାଯାଇ ତହିଁରୁ କେତେ ଅଛି ଓ କେତେ ଗାଏବ ହୋଇଛି ତାହା ଲୋକଙ୍କୁ କୁହାଯିବା ଦରକାର ଓ ନୂତନ, ନିରାପଦ ଏକ ‘ସୁଦୃଢ଼ କକ୍ଷ’ (Strong Room) ତିଆରି କରାଯାଇ ଉତ୍ତରଦାୟୀ ସୁରକ୍ଷାକର୍ମୀଙ୍କ ଜଗାରଖାରେ ରଖାଯିବ ଦରକାର । ଲୋକେ ସର୍ବଦା ଓ ସର୍ବଥା ଅବଗତ ହେବା ଦରକାର ଯେ, ସେମାନଙ୍କ ଈଷ୍ଟଦେବଙ୍କର ସମ୍ପତ୍ତି କେତେ , ତାହା ଠିକ ରହୁଛି କି ବଢୁଛି କି କ୍ଷୟ ହେଉଛି । ଲୋକନାଥ ଜଗିଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲେଇବା ବନ୍ଦ ହେବା ଦରକାର ।

ଯଦି ଜଗନ୍ନାଥଙ୍କର ପ୍ରକୃତରେ ବିପୁଳ ରତ୍ନ-ସମ୍ପତ୍ତି ଥାଏ, ତେବେ ତାହାର କୌଣସି ବିଧିବଦ୍ଧ ସରକାରୀ ହିସାବ ନଥାଇ କେଇଜଣ ମନ୍ଦିର ସେବକଙ୍କ ହାତରେ ତାକୁ ଯେପରି ଛାଡ଼ିଦିଆଯାଇଛି ଓ ଭଣ୍ଡାର ଯାଞ୍ଚ ହେବ ବୋଲି ଶୁଣି ସେମାନେ ଯେପରି ଲୋକନାଥଙ୍କ ସାପ ଭୟ ଦେଖାଇ ସେମାନଙ୍କ ପାଖରେ ସରକାରଙ୍କୁ ଆଣ୍ଠେଇବାକୁ ଚେଷ୍ଟା କରୁଛନ୍ତି ତାହା ସେହି ଗୁପ୍ତ ହୋଇ ରହିଥିବା ସମ୍ପତ୍ତିର ସ୍ଥିତି ଉପରେ ସନ୍ଦେହ ସୃଷ୍ଟି କରୁଛି । ଚାବିଧାରୀମାନେ ନିଜ ନିଜ ଭିତରେ ସଲାସୁତରା ହୋଇ ଯଦି ପରିମାଣ ଅଜଣା ସେହି ରତ୍ନ ଲୁଟ କରୁଥିବେ କିଏ ବା କେମିତି ଜାଣିବ ? ଅନ୍ଧବିଶ୍ଵାସର ଅଫିମ ଗୁଳା ଯେ ଏ ଯାଏଁ ନିଜ ଈଷ୍ଟଙ୍କର ସମ୍ପତ୍ତି ଜାଣିବା ପାଇଁ ଦାବି କରିବାର ସାହସରୁ ଲୋକଙ୍କୁ ଦୂରେଇ ରଖିଛି ଏହା କଣ କୌଣସି ବ୍ୟାଖ୍ୟାର ଅପେକ୍ଷା ରଖେ ?

ଯଦି ଏପରି ଏକ ସୁରକ୍ଷିତ ସୁଦୃଢ଼ କକ୍ଷରେ ଜଗନ୍ନାଥଙ୍କ ସମସ୍ତ ଚଳନ୍ତି ସମ୍ପତ୍ତିକୁ ରଖାନଯାଏ ତେବେ ନିମ୍ନଲିଖିତ ପଦକ୍ଷେପ ନିଆଯାଉ :
(୧) ସମସ୍ତ ଚାଲନ୍ତି ସମ୍ପତ୍ତି – ନିଦା ରତ୍ନାଦି ସମେତ ସମସ୍ତ ବ୍ୟବହୃତ ଅବ୍ୟବହୃତ ଅଳଙ୍କାରକୁ କିସମ ଉଆରି ଗଣନା କରି , ଓଜନ କରି , ଠିକଣାଭାବେ ପଞ୍ଜିକୃତ କରି ତ୍ରୁଟିହୀନ ଭାବେ ରତ୍ନ ଭଣ୍ଡାର ମରାମତି କରି ସେଠାରେ ରଖାଯାଉ ଓ ନିୟମିତ ଯାଞ୍ଚର ବ୍ୟବସ୍ଥା କରାଯାଉ ;
(୨) ଜଗନ୍ନାଥଙ୍କ ସମସ୍ତ ସେବକଙ୍କ ସମଗ୍ର ପରିବାରର ନାମ ଓ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଉ ଓ କେତେ କେତେ ସୁନା ଓ ରତ୍ନ ଅଳଙ୍କାର ସେମାନଙ୍କର ଅଛି ତାହା ତାଲିକାଭୁକ୍ତ କରାଯାଉ ; କାରଣ ଯଦି ଭବିଷ୍ୟତରେ ରତ୍ନ ଭଣ୍ଡାରରେ ପଞ୍ଜିକୃତ ହୋଇ ରଖାଯିବା ରତ୍ନରୁ କିଛି ଗାଏବ ହୋଇଥିବା ଦେଖାଯାଏ ତେବେ ତହିଁର ଅନୁସନ୍ଧାନରେ ଏହା ସହାୟକ ହେବ ;
(୩) ଗଜପତିଙ୍କ ପାଖରେ ଯେହେତୁ ରତ୍ନ ଭଣ୍ଡାରର ଗୋଟିଏ ଚାବି ଥାଏ , ସେହେତୁ ତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ଅଳଙ୍କାର ତାଲିକା ସେ ପ୍ରଦାନ ବି କରନ୍ତୁ ।

ଆମେ କାହାକୁ ଅବିଶ୍ବାସ କରିବା କଥା କହୁନାହୁଁ କି କାହାର ଅମର୍ଯ୍ୟାଦା କରିବାର ଅଭିସନ୍ଧି ଆମର ନାହିଁ । ମାତ୍ର, ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଯାହା କିଛି ଗୋପନ ଅଛି ତାହା ପଦାକୁ ଆସିବା ଆବଶ୍ୟକ । ଜଗନ୍ନାଥ ଲୋକଙ୍କର ଓ ଲୋକେ ତାଙ୍କ ସମ୍ପତ୍ତି ସମ୍ପର୍କରେ ସବୁ କଥା ଜାଣିବା ଦରକାର ।

Sri Jagannath needs rescue from felonies by Puri Pandas

Subhas Chandra Pattanayak

Now again a visitor to Sri Mandira, the temple of Lord Jagannath has been subjected to outrage of modesty and loot by a Sevayat. This is a national shame. But the Government is not in a position to stop exploitation of believers by the Brahmins, as political weakness stands on the way. The people must wake up to force the government to appoint qualified sevayats from any caste through public service selections on the basis of knowledge in every facet of Jagannath culture. The issue was discussed by me in a column of mine which has been placed in a compilation of my columns under the title ‘Dura Adura’. I reproduce the article here for my web visitors.

Panda 1Panda 2Panda 3