ଡ. ମାୟାଧର ମାନସିଂହ : ଓଡ଼ିଆ ଅସ୍ମିତା, ବୁଦ୍ଧ ଓ ଚକ୍ରଧର ମହାପାତ୍ର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଡ. ମାୟାଧର ମାନସିଂହ ଥାନ୍ତି ସ୍ଵତନ୍ତ୍ର ପାର୍ଟିର ମୁଖପତ୍ର ଦୈନିକ ସ୍ଵରାଜ୍ୟର ସମ୍ପାଦକ । ମୁଁ ସହକାରୀ ସମ୍ପାଦକ ଥାଏ । ଲୁଇସ ରୋଡ଼ରେ ସ୍ଵତନ୍ତ୍ର ପାର୍ଟି ନେଇଥିବା ଏକ ଭଡ଼ାଘରେ ଆମେ ଉଭୟେ ରହୁଥାଉ । ଦିନେ ସେ ମୋତେ ପଚାରିଲେ, ସୁଭାଷବାବୁ, ଆପଣ ଚକ୍ରଧର ମହାପାତ୍ରଙ୍କୁ ଜାଣନ୍ତି? ମୁଁ ମନା କଲି । ସେ କହିଲେ, ଆପଣ ସନ୍ଧ୍ୟା ୫ଟା ବେଳକୁ ବସାରେ (ସେହି ଭଡ଼ାଘରେ) ଥିବେ; ସେ ଆସିଲେ ଆମେ ମିଶିକି କିଛି ଆଲୋଚନା କରିବା । ସେ ଆପଣଙ୍କ ଗଡ଼ଜାତିଆ ଲୋକ । ଘର ନରସିଂହପୁର ।

ଠିକ୍ ସମୟରେ ଦେଖାହେଲା । ତାଙ୍କ ତିଗିରିଆ-ସମ୍ପର୍କ ଓ ମୋ ବାପାଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ଆମ ଉଭୟଙ୍କ ଭିତରେ ଏହି ଆକସ୍ମିକ ଦେଖା ସାକ୍ଷାତକୁ ଆନନ୍ଦମୟ କଲା ।

ଆରମ୍ଭ ହେଲା ଆଲୋଚନା । ଡ଼. ମାନସିଂହ ତାଙ୍କୁ କହିଲେ ଯେ, ବୁଦ୍ଧ ତାଙ୍କୁ ଓଡ଼ିଶାରେ ଜନ୍ମିତ ପରି ଲାଗନ୍ତି । କିନ୍ତୁ ଗବେଷଣା ଦ୍ଵାରା ତାହା ସାବ୍ୟସ୍ତ କରିବାକୁ ତାଙ୍କ ପକ୍ଷେ ସମୟ ଓ ଦୈହିକ ଶକ୍ତିର ଅଭାବ । ତେଣୁ ସେ ଏହି ଦିଗରେ ଗବେଷଣା କରନ୍ତୁ, ସେ ସବୁ ପ୍ରକାର ସାହାଯ୍ୟ କରିବେ । ଚକ୍ରଧରବାବୁ ଆଗ୍ରହର ସହ ରାଜି ହେଲେ ।

ଲୁଇସ ରୋଡ଼ର ସେହି ଘରେ ପ୍ରତି ସପ୍ତାହରେ ବୈଠକ ବସେ। ମହାପାତ୍ରଙ୍କ ଉପଲବ୍ଧିକୁ ପରିପୁଷ୍ଟ କରାଯାଏ ଓ ଆଉ କି କି ତଥ୍ୟ କିପରି ଠିକାଇବାକୁ ହେବ, ନିଷ୍ପତ୍ତି ନିଆଯାଏ । ମୋର ପରମ ସୌଭାଗ୍ୟ ଯେ, ସରଜମିନ ତଦନ୍ତରେ ମୁଁ ସେହି ଐତିହାସିକ କାର୍ଯ୍ୟ ସହ ସାମିଲ ହୋଇପାରୁଥିଲି ।

ସେହି ସମୟରେ ଡ। ମାନସିଂହ ଭାବିଲେ, ଯେତିକି ତଥ୍ୟ ମିଳିଲାଣି ତାକୁ ଏକ ପରିଚୟାତ୍ମକ  ମୁଦ୍ରିତ ରୂପ ଦେଇ ବିଭିନ୍ନ ସୂତ୍ରରୁ ପ୍ରତିକ୍ରିୟା ଲୋଡ଼ା ଯିବା ଉଚିତ । ତାହା ହିଁ ହେଲା ।

ବହିଟି ଦରସମାପ୍ତି ଅବସ୍ଥାରେ ଥାଇ ବହୁ ସ୍ୱନାମଧନ୍ୟ ଗବେଷକ ଓ ସମ୍ବାଦିକଙ୍କ ପାଖକୁ ପ୍ରାକ୍ ଆକଳନ ପାଇଁ ଡ. ମାନସିଂହ ହିଁ ତାହାକୁ ପଠାଇଥିଲେ ।

ପୂର୍ଣ୍ଣାଙ୍ଗ ବହିଟି ଯେତେବେଳେ ପ୍ରକାଶ ପାଇଲା – କଟକର ଗ୍ରନ୍ଥମନ୍ଦିର ପ୍ରକାଶ କରିଥିଲେ – ମୁଁ ତତ୍କାଳ ତାହା କିଣିଥିଲି । ମୋ ସହଯୋଗର ତହିଁରେ ସାମାନ୍ୟ ସ୍ୱୀକୃତି ନଥିଲା। କିନ୍ତୁ ତହିଁରେ ମୋର ଦୁଃଖ ବି ନଥିଲା । କାରଣ, ସରଜମିନ ଗବେଷଣାର ଯେଉଁ କୌଶଳ ମୁଁ ମହାପାତ୍ରଙ୍କ ଠାରୁ ବାସ୍ତବରେ ପାଇଥିଲି, ଯାହା ମୋତେ ପରବର୍ତ୍ତୀ କାଳରେ ଅନୁସନ୍ଧାନୀ ସାମ୍ବାଦିକ ହେବାରେ ସାହାଯ୍ୟ କରିଛି, ତାହା ଏତେ ମହାର୍ହ ଯେ, ମୁଁ ତାଙ୍କ ପାଖରେ ଚିରକାଳ ଋଣୀ । କିନ୍ତୁ ଦୁଃଖ ଲାଗିଲା, ସେ ସେହି ବହିଟିରେ ଡ. ମାନସିଂହଙ୍କ ପ୍ରତି ସାମାନ୍ୟ କୃତଜ୍ଞତା ବି ଜ୍ଞାପନ କରିନଥିଲେ ।

ମୁଁ ତାଙ୍କୁ ଏହା ଅନୁଚିତ ବୋଲି କହିଥିଲି । ସେ ଦୁଃଖ କରିଥିଲେ ଓ ପରବର୍ତ୍ତୀ ସଂସ୍କରଣରେ ଆବଶ୍ୟକୀୟ ସଂଶୋଧନ ନିଶ୍ଚୟ କରିବେ ବୋଲି କହିଥିଲେ ।

ତାହା କିନ୍ତୁ ତାଙ୍କ ଜୀବଦ୍ଦଶାରେ ହୋଇପାରିଲା ନାହିଁ ।

ଆଜି ଓଡ଼ିଆ ଅସ୍ମିତାର ଅସୀମ ରୂପକଲ୍ପ ସେହି ଡ. ମାନସିଂହଙ୍କ ଜୟନ୍ତୀରେ, ଭାବୁଛି, ଚକ୍ରଧର ମହାପାତ୍ରଙ୍କ ପୁସ୍ତକ The Real Birthplace of Buddha ପଛର ଏହି ଅପ୍ରକଟିତ ସତ୍ୟ ସଭିଙ୍କ ସାମ୍ନାରେ ରଖିଦେବା ଉଚିତ ହେବ; କାରଣ , ମୋ ସ୍ୱାସ୍ଥ୍ୟ ଅବସ୍ଥା ଯାହା, କେତେବେଳେ ଯଦି ମୁଁ ଆଖି ବୁଜିଦିଏ, ଏହା ଆଉ ଲୋକେ ଜାଣିବେନି ।