ଜନତାଙ୍କ ହାତରେ ଶାସନଡୋରି: ନେତାଜୀଙ୍କ ସ୍ଵପ୍ନ ଓ ତାର କ୍ରମପରିଣତି


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜିକୁ ୮୫ ବର୍ଷ ତଳେ, ୧୯୩୮ ଅକ୍ଟୋବର ୨୩ରେ ନେତାଜୀ ସୁଭାଷ ବୋଷ ସ୍ପଷ୍ଟ କରିଦେଇଥିଲେ ଯେ, ବିଦେଶୀ ଶାସନରୁ ସ୍ଵାଧୀନତା ପାଇବା ପାଇଁ ଅଧିକ କଷ୍ଟ ସହିବାକୁ ଓ ଅଧିକ ତ୍ୟାଗ କରିବାକୁ ଆମକୁ ପ୍ରସ୍ତୁତ ହେବାକୁ ହେବ । ସେ କହିଥିଲେ, ସ୍ଵାଧୀନତା ସଂଗ୍ରାମରେ କଙ୍ଗ୍ରେସ ହିଁ ସର୍ବାଧିକ ଆଖିଦୃଶିଆ ଭାରତୀୟଙ୍କ ରାଜନୈତିକ ଦଳ । ତେଣୁ ଏହି ଦଳର ନେତୃତ୍ଵରେ ଯେଉଁ ସ୍ଵାଧୀନତା ଆସିବ, ତାହା ସାଧାରଣ ଲୋକ ହାତକୁ କ୍ଷମତା ନଦେଇ ଆଖିଦୃଶିଆ ଭାରତୀୟମାନଙ୍କୁ କ୍ଷମତା ପ୍ରଦାନ କରିବ । ଏହାର ପ୍ରତିକାର ପାଇଁ କଂଗ୍ରେସର ସଭାପତିଭାବେ ସେ ତିନୋଟି କଥା କହିଥିଲେ: (୧) କଂଗ୍ରେସକୁ ଆଖିଦୃଶିଆ ଭାରତୀୟମାନଙ୍କ ସର୍ବବୃହତ ରାଜନୈତିକ ଦଳ କରି ନରଖି ସର୍ବଜନସଂଯୁକ୍ତ ସର୍ବବୃହତ ରାଜନୈତିକ ଦଳରେ ରୂପାନ୍ତରିତ କରିବାକୁ ହେବ, କାରଣ ତଦ୍ଦ୍ଵାରା କତିପୟ ଆଖିଦୃଶିଆ ଭାରତୀୟଙ୍କୁ ନୁହେଁ, ଭାରତର ସାଧାରଣ ଲୋକ ହାତକୁ ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଆସିବାର ପଥ ନିଷ୍କଣ୍ଟକ ହେବ ଏବଂ ଆଖିଦୃଶିଆ କତିପୟଙ୍କ ରାଜନୈତିକ କ୍ଷମତାର୍ଜନ ନୁହେଁ, ଭାରତୀୟ ଜନସମୁଦାୟଙ୍କ ସର୍ବାଙ୍ଗୀନ ସାମର୍ଥ୍ୟ ଅର୍ଜନ ହିଁ ହେବ ପ୍ରକୃତ ସ୍ଵାଧୀନତା; (୨) ଏହି ସାମର୍ଥ୍ୟ ହାସଲ ପାଇଁ ଶୃଙ୍ଖଳିତଜୀବନଧାରା ଅଭ୍ୟାସ କରାଯିବା ଆବଶ୍ୟକ ଏବଂ (୩) ଏଥିପାଇଁ ଅପରିହାର୍ଯ୍ୟ ହେଉଛି କଷ୍ଟବରଣ ଓ ଆତ୍ମତ୍ୟାଗ ପାଇଁ ନିର୍ବିଚଳିତ ପ୍ରସ୍ତୁତି (ନ୍ୟାସନାଲ ଫ୍ରଣ୍ଟ, ଭାଗ ୧ ସଂଖ୍ୟା ୩୬) ।

ମାତୃଭୂମି ପାଇଁ କଷ୍ଟବରଣ ଓ ଆତ୍ମତ୍ୟାଗ ପାଇଁ ନିର୍ବିଚଳିତ ପ୍ରସ୍ତୁତିର ରୂପକଳ୍ପ ଥିଲେ ନେତାଜୀ ସୁଭାଷ । ଏହି ସର୍ବଜନ ବିଦିତ ସତ୍ୟ ଉପରେ ସମୟ ଖର୍ଚ୍ଚ ନକରି ସେ ନିର୍ଦ୍ଦିଷ୍ଟ କରିଥିବା ତିନୋଟି କଥାରୁ ପ୍ରଥମଟିକୁ ମୁଁ ମୋ ବିବେଚନାର ମାନଦଣ୍ଡରେ ଦେଖିବି । ପ୍ରଥମଟି ପାଇଁ ହିଁ ଗାନ୍ଧୀଜୀଙ୍କ ସହ ତାଙ୍କ ମନ ଅମେଳ ହେଲା ଓ ପରିଣତିରେ ସେ ଭାରତ ଛାଡ଼ିଥିଲେ ।

ହରିପୁରା ଅଧିବେଶନରେ ସଭାପତି ନିର୍ବାଚିତ ହେବା ପରେ କଙ୍ଗ୍ରେସକୁ ଆଖିଦୃଶିଆ ରାଜନୈତିକ ବ୍ୟକ୍ତିମାନଙ୍କ ବଳୟରୁ ମୁକ୍ତ କରି ଭାରତର ତୃଣାମୂଳ ଜନସମାଜ ପାଖରେ ପହଞ୍ଚାଇ କ୍ଷମତା ଧାରଣ ପାଇଁ ସାମର୍ଥ୍ୟ ହାସଲର ପରିସରରେ ପହଞ୍ଚାଇବା ପାଇଁ ୧୯.୨.୧୯୩୮ରେ ସେ କହିଥିଲେ, “ଭାରତରୁ ଦାରିଦ୍ର୍ୟ ଦୂରୀକରଣ ହେବ ଆମର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଭୁସଂସ୍କାର ତ୍ୱରାନ୍ୱିତ କରବାକୁ ହେବ ଓ ଗାଁ ଗହଳର କୃଷକମାନଙ୍କୁ ଜମିଦାରମାନଙ୍କ ଦୌରାତ୍ମ୍ୟ ଓ ସାହୁ ମାହାଜନଙ୍କ ଋଣଯନ୍ତାରୁ ମୁକ୍ତ କରିବାକୁ ହେବ । ଶିଳ୍ପକୁ ରାଷ୍ଟ୍ରୀୟ ମାଲିକାନା ଓ ରାଷ୍ଟ୍ରୀୟ ପରିଚାଳନା ଅଧିନକୁ ଆଣିବାକୁ ହେବ ।” ଫଳରେ ରାଜନୈତିକ-ଅର୍ଥନୀତିର କ୍ଷମତା ଆସିବ ସାଧାରଣ ଲୋକଙ୍କ ହାତକୁ ଓ ସ୍ଵାଧୀନତା ସଂଗ୍ରାମ ଚାଲିଥିବା ବେଳେ ଏହି କ୍ଷମତାର ଉପଯୋଗ ପାଇଁ ସେମାନଙ୍କୁ ଶୃଙ୍ଖଳିତଜୀବନଧାରା ଅଭ୍ୟାସ କରାଇବାକୁ ହେବ ।

ଏହା ହୋଇଥିଲେ, ପ୍ରତି ଘରେ କଂଗ୍ରେସ ପହଞ୍ଚିଥାନ୍ତା, ପ୍ରତି ତୃଣମୂଳ ଭାରତୀୟ ଜାତୀୟ କଂଗ୍ରେସ ସହ ସାମିଲ ହୋଇପାରିଥାନ୍ତା, ଶ୍ରମମୂଲ୍ୟ ଲୁଣ୍ଠନ ତିଷ୍ଠିପାରିନଥାନ୍ତା । ଭାରତର ସାଧାରଣ ଲୋକେ ନିଜ ପରିଶ୍ରମରେ ନିଜ ଉପାର୍ଜନ ବୃଦ୍ଧି କରିଥାନ୍ତେ, ଅର୍ଥନୀତିରେ ଅଗ୍ରଗତି ପାଇଁ ଜନସାଧାରଣଙ୍କ ସର୍ବାଙ୍ଗୀନ ସାମର୍ଥ୍ୟ ବିକଶିତ ହୋଇଥାନ୍ତା । ସାଧାରଣ ଲୋକଙ୍କ ହାତକୁ ଆସିଥାନ୍ତା ଅର୍ଥନୀତିଭିତ୍ତିକ ରାଜନୈତିକ କ୍ଷମତା । ଏଥିପାଇଁ ଜମିଦାରୀ ଉଚ୍ଛେଦ ଓ ତଦନୁକୁଳ ଭୁସଂସ୍କାର ଅତ୍ୟାବଶ୍ୟକ ଥିଲା, ଯାହା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ କଂଗ୍ରେସକୁ ପ୍ରସ୍ତୁତ କରିବାକୁ ଚାହିଁଥିଲେ ନେତାଜୀ ।

ମାତ୍ର ଗାନ୍ଧୀଜୀ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ, “ଯେଉଁ ବ୍ୟକ୍ତି ନିଜ ହାତର ପେଶୀ ବଳରେ ଚାଷ କରୁଛି ସେ ଯେମିତି ଚାଷୀ , ଯିଏ ତା ଦ୍ଵାରା କାର୍ଯ୍ୟ କରାଇବା ପାଇଁ ବୁଦ୍ଧି ଓ ଯନ୍ତ୍ରପାତି ଖଟାଉଛନ୍ତି ସେ ମଧ୍ୟ ସେହିପରି ଚାଷୀ“ (ମହାତ୍ମା, ଭାଗ ୪ ପୃ ୨୪୨ ; ଡି ଜି ତେନ୍ଦୁଲକର) ।

ରାଜା ଜମିଦାରମାନେ ନେତାଜୀଙ୍କ ନୀତି ଘୋଷଣା ଦ୍ଵାରା ଚମକିପଡ଼ିଥିଲେ ଓ ସେହିମାନଙ୍କ ପ୍ରଭାବବଳୟରେ ଥିବା କଂଗ୍ରେସ ଦଳର ରକ୍ଷଣଶୀଳ ଗୋଷ୍ଠୀ ଉତ୍ଥାୟମାନ ଶିଳ୍ପପତିମାନଙ୍କ ସହ ହାତ ମିଳାଇ ସମାଜବାଦୀ ସୁଭାଷଙ୍କ ହାତରୁ ସଙ୍ଗଠନକୁ ଛଡାଇ ନେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପ୍ରତିବର୍ଷ କଂଗ୍ରେସର ସଭାପତି ବଦଳେ, କାର୍ଯ୍ୟକାରିଣୀ ତିଷ୍ଠି ରହି ନୂଆ ସଭାପତିଙ୍କୁ ସହଯୋଗ କରେ । ସୁତରାଂ ବର୍ଷ ଶେଷରେ ନେତାଜୀଙ୍କ ସ୍ଥାନରେ ନୂଆ ସଭାପତି ଭାବେ ସେମାନେ ନିଜକୁ ସୁହାଇବା ପରି ଜଣଙ୍କୁ ନିର୍ବାଚିତ କରିବାକୁ ସଜ ହୋଇଥିଲେ । ନୂଆ ସଭାପତି ନିର୍ବାଚନର ତାରିଖ ଥିଲା ୨୯.୧.୧୯୩୯ । କଂଗ୍ରେସର ପରମ୍ପରା ଅନୁଯାୟୀ ବିଦାୟୀ ସଭାପତି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ କରିବା କଥା । ସେହେତୁ ନିଜର ପରବର୍ତ୍ତୀ ସଭାପତି ପଦ ପାଇଁ ସମାଜବାଦର ଜଣାଶୁଣା ସମର୍ଥକ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ନାମ ପ୍ରସ୍ତାବ କରିଥିଲେ ନେତାଜୀ ।
ଗାନ୍ଧୀଜୀ ବିରୋଧ କଲେ । ପଟ୍ଟାଭି ସିତାରମେୟାଙ୍କ ନାମ ପ୍ରସ୍ତାବ କରିବାକୁ ସେ ନେତାଜୀଙ୍କୁ କହିଲେ । ପଟ୍ଟାଭି ଥିଲେ ରାଜନ୍ୟ ସ୍ଵାର୍ଥର ପ୍ରବକ୍ତା । ନେତାଜୀଙ୍କ ପକ୍ଷେ ତାହା କୌଣସି ପ୍ରକାରେ ବି ଗ୍ରହଣୀୟ ନଥିଲା । ଭାରତରେ ୬୫୦ ପାଖାପାଖି ରାଜା ଓ ୩୦୦୦ରୁ ଅଳ୍ପ ଅଧିକ ଜମିଦାର । ମୁଷ୍ଟିମେୟ ବ୍ୟତିକ୍ରମଙ୍କୁ ବାଦଦେଲେ ଏହି ରାଜା ଜମିଦାରମାନେ ନିଜ ନିଜ ସ୍ଵାର୍ଥ ପାଇଁ ଲୋକଙ୍କ ଉପରେ ଭୟଙ୍କର ଅତ୍ୟାଚାର ଚଳଉଥିଲେ । ପଟ୍ଟାଭିଙ୍କୁ କଂଗ୍ରେସର ସଭାପତି କରିଥିଲେ ଏହି ପ୍ରାୟ ୪୦୦୦ ରାଜା ଜମିଦାର ଓ ସେମାନଙ୍କ ପାଖଲୋକମାନଙ୍କ ପ୍ରଭାବ କବଳରୁ କଙ୍ଗ୍ରେସ ମୁକ୍ତ ହୋଇପାରିନଥାନ୍ତା କି ତାହା ନେତୃତ୍ୱରେ ସ୍ଵାଧୀନତା ଆସିଲେ ସାଧାରଣ ଜନତା ହାତକୁ ଶାସନ ଡୋରି ଆସିପାରିନାଥନ୍ତା । ତେଣୁ, ପଟ୍ଟାଭିଙ୍କୁ ନିଜର ଉତ୍ତରାଧିକାରୀ ଭାବେ ପ୍ରସ୍ତାବ କରିବା ନେତାଜୀଙ୍କ ପାଇଁ ଥିଲା ଅସମ୍ଭବ । ମାତ୍ର ଗାନ୍ଧୀଜୀ ଘୋଷଣା କଲେ ଯେ, କଂଗ୍ରେସ ସଭାପତି ପଦ ପାଇଁ ପଟ୍ଟାଭି ରୂପରେ ସେ ସ୍ଵୟଂ ହିଁ ପ୍ରାର୍ଥୀ । ଫଳରେ ନେତାଜୀଙ୍କ ପରବର୍ତ୍ତୀ ସଭାପତି ପଦ ପାଇଁ ପ୍ରାର୍ଥୀ ହେବାକୁ କେହି ସାହସ ବି କଲେ ନାହିଁ । ନେତାଜୀ ନିଜେ ଦ୍ଵିତୀୟବାର ପ୍ରାର୍ଥୀ ହେଲେ ଓ ପଟ୍ଟାଭି ଶୋଚନୀୟ ଭାବେ ପରାଜିତ ହେଲେ । ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ଲେଖିଲେ, “ପଟ୍ଟାଭି ହାରିନାହାନ୍ତି, ପ୍ରକୃତରେ ମୁଁ ହିଁ ହାରିଯାଇଛି ।”

ନୈତିକତଃ ଗନ୍ଧିଜୀଙ୍କୁ ପରାଭୂତ କରିଥିବା ନେତାଜୀଙ୍କ ଠାରୁ ଭାରତ କିନ୍ତୁ ପରବର୍ତ୍ତୀ କାଳରେ ଦିନକ ପାଇଁ ସେବା ପାଇପାଇବାର ସୁଯୋଗ ପାଇନଥିଲା । ଯେହେତୁ ସଭାପତି ବଦଳିଲା ବେଳେ କାର୍ଯ୍ୟକାରିଣୀ ବଦଳେନାହିଁ ଓ କାର୍ଯ୍ୟକାରିଣୀ ସହାୟତାରେ ନୂଆ ସଭାପତି ନିଜର ଦାୟିତ୍ଵ ନିର୍ବାହ କରନ୍ତି, ସେହେତୁ କାର୍ଯ୍ୟକାରିଣୀର ସଭ୍ୟମାନେ ଜଣକପରେଜଣେ କରି ସମସ୍ତେ ଇସ୍ତଫା ଦେଇ ନେତାଜୀଙ୍କ ପାଇଁ ଚରମ ସଙ୍କଟ ସୃଷ୍ଟିକଲେ । ଏହା ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ହୋଇଥିବା ବିଶ୍ଵାସ କରାଯାଏ ବୋଲି ଲେଖିଛନ୍ତି ତେନ୍ଦୁଲକର (ମହାତ୍ମା, ଭାଗ ୫, ପୃଷ୍ଠା ୪) । ଏହି ଅଭୂତପୂର୍ବ ସମସ୍ୟାର ସମାଧାନ ପନ୍ଥା ଖୋଜିବାକୁ ୧୦.୩.୧୯୩୯ତାରିଖରେ ତ୍ରିପୁରାରେ ବସିଲା କଂଗ୍ରେସ ଅଧିବେଶନ, ଯେଉଁଠି ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ପ୍ରସ୍ତାବ କ୍ରମେ କଂଗ୍ରେସ ତାର ସଭାପତି ସୁଭାଷ ଚନ୍ଦ୍ର ବୋଷଙ୍କୁ ନିର୍ଦ୍ଦେଶ ଦେଲା କି, ଗାନ୍ଧୀଜୀଙ୍କ ଇଚ୍ଛା ଓ ଅନୁମୋଦନ କ୍ରମେ ସେ ନୂଆ କାର୍ଯ୍ୟକାରିଣୀ ଗଠନ କରି ଦଳ ଚଳାଇବେ । ଜାଣିଲେ ଦୁଃଖ ଲାଗେ ଯେ, ଏହି ପ୍ରସ୍ତାବ ଗୃହୀତ ହେବା ବେଳେ ନେତାଜୀ ଶଯ୍ୟାଶାୟୀ ଥିଲେ ।

ସୁସ୍ଥ ହେବା ପରେ ସୁଭାଷ କଂଗ୍ରେସର କାର୍ଯ୍ୟକାରିଣୀ ଗଠନ ପାଇଁ ଗାନ୍ଧୀଜୀଙ୍କ ପରାମର୍ଶ ମାଗି ମାଗି ହତାଶ ହେଲେ । ଚାହିଁଥିଲେ ସେ ନିଜେ ନିଜ କାର୍ଯ୍ୟକାରିଣୀ ଗଠନ କରିପାରିଥାନ୍ତେ । ମାତ୍ର ତାହା କଲେ ନାହିଁ । ଯେଉଁ ଦଳର ସେ ସଭାପତି ସେହି ଦଳ ଗ୍ରହଣ କରିଥିବା ପ୍ରସ୍ତାବକୁ ଅମାନ୍ୟ କରିବେ କିପରି? କିଛି କରିନପାରି, ୨୯.୪.୧୯୩୯ରେ କାଳିକତାକୁ କଂଗ୍ରେସର ଅଧିବେଶନ ଡାକି ସେ ସଭାପତି ପଦରୁ ଇସ୍ତଫା ଦେଲେ । ରାଜନୈତିକ ସ୍ତରରେ ଶୃଙ୍ଖଳିତ ଜୀବନଧାରାର ଏହି ଯେଉଁ ଆଦର୍ଶ ସ୍ଥାପନ କଲେ ନେତାଜୀ ତାହା ଥିଲା ସମସ୍ତଙ୍କ ପାଇଁ କଳ୍ପନାତୀତ ଓ ତାହା ଏବେ ବି ସମସ୍ତଙ୍କ ପାଇଁ ଏକ ନାହିଁନଥିବା ଆଦର୍ଶ ।

ବିଦେଶୀ ହଟିଗଲେ ନିଜ ଅକ୍ତିଆରକୁ ଭାରତକୁ ଆଣି ତାକୁ ଉପଭୋଗ କରିବେ ବୋଲି ଯେଉଁ ସ୍ଵଦେଶୀ ଆଖିଦୃଶିଆ କତିପୟ ସେଦିନ ନେତାଜୀଙ୍କୁ ଇସ୍ତଫା ଦେବାକୁ ଏପରି ବାଧ୍ୟ କରିଥିଲେ, ସେହିମାନଙ୍କ ହେତୁ ଭାରତର ସାଧାରଣ ଜନତା ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଲାଭରୁ ବଞ୍ଚିତ ହୋଇଛି ।

ଏପରି ହେବ ବୋଲି ସ୍ଵୀକାର କରିଥିଲେ ସମ୍ବିଧାନ ପ୍ରଣୟନ ସଭାରେ ଅଧ୍ୟକ୍ଷତା କରୁଥିବା ରାଜେନ୍ଦ୍ର ପ୍ରସାଦ । ଏବଂ ଆମ୍ବେଦକର ବି କହିଥିଲେ, ଧନୀଲୋକେ ସମ୍ବିଧାନ ପ୍ରଣୟନ ସଭାରେ ରହିଥିବା ହେତୁ ସଂଖ୍ୟାଧିକ ମତାନୁସାରେ ଗୃହୀତ ଏହି ସମ୍ବିଧାନରେ ଏପରି ଅନ୍ତର୍ସଙ୍ଘାତ ରହିଛି, ଯାହା ସାଧାରଣତନ୍ତ୍ର ପାଇଁ ଆତ୍ମଘାତୀ ହେବାକୁ ବାଧ୍ୟ । ରାଜନୈତିକ ସ୍ତରରେ ସମାନ ଭୋଟାଧିକାର ଦେଇ ଆମେ ଏକ ରାଜନୈତିକ ସାମ୍ୟ ସୃଷ୍ଟିକରିଥିଲେ ମଧ୍ୟ ଅର୍ଥନୈତିକ ବୈଷମ୍ୟ କାଏମ ରଖିବାକୁ ବାଧ୍ୟ ହୋଇଛୁ । କିନ୍ତୁ ଆଶା ରଖିଛୁ, ଏହି ସାର୍ବଜନୀନ ଭୋଟ ବଳରେ ସାଧାରଣ ଜନତାଙ୍କ ପ୍ରତିନିଧି ସଂସଦକୁ ନିର୍ବାଚିତ ହୋଇଆସିବେ ଓ ଏହି ଅର୍ଥନୈତିକ ବୈଷମ୍ୟ ହଟାଇବାକୁ ସକ୍ଷମ ହେବେ । ଯଦି ତାହା ନହୁଏ, ଅର୍ଥନୈତିକ ବୈଷମ୍ୟର ଶିକାର ହେଉଥିବା ସାଧାରଣ ଲୋକେ ଏହି ଧନୀକସପକ୍ଷବାଦୀ ସାଧାରଣତନ୍ତ୍ରକୁ ଭାଙ୍ଗିଭୁଙ୍ଗି ଧ୍ଵଂସ କରିଦେବେ ବୋଲି କହିଥିଲେ ଆମ୍ବେଦକର ବିତର୍କର ଉତ୍ତର ଦେଇ । (ସମ୍ବିଧାନ ପ୍ରଣୟନ ସଭା ବିବରଣୀ, ଭାଗ ୧୧, ପୃଷ୍ଠା ୯୭୯)

ଲୋକେ ଏବେ କାକୁସ୍ଥ ଅବସ୍ଥାରେ ଅଛନ୍ତି । କାରଣ, ସ୍ଵାଧୀନତା ପରବର୍ତ୍ତୀ କ୍ଷମତା ଠୁଳ ହୋଇଛି ସେହି ଆଖିଦୃଶିଆ କତିପୟଙ୍କ ହାତରେ ।

ନେତାଜୀ ସୁଭାଷ ବୋଷ କଂଗ୍ରେସର ସଭାପତି ଭାବେ ୧୯୩୮ରେ ଯେଉଁ ଦିଗକୁ ଦେଶକୁ ନେବାକୁ ଚାହିଁଥିଲେ ତାହା କରାଇଦେଇନଥିବା ରକ୍ଷଣଶୀଳମାନେ କ୍ଷମତା ହାତେଇବା ନିଶାରେ ଗନ୍ଧିଜୀଙ୍କୁ ବି ଅପ୍ରାସଙ୍ଗିକ କରିଦେଇଥିଲେ । “ମୋର ମୋହଭଙ୍ଗ ହୋଇଛି” ବୋଲି କହିଥିଲେ ଗାନ୍ଧୀଜୀ ୨୬ ଜାନୁୟାରୀ ୧୯୪୮ ସନ୍ଧ୍ୟାରେ ତାଙ୍କ ପ୍ରର୍ଥନା ସଭାରେ (ମହାତ୍ମା, ଭାଗ ୮, ପୃଷ୍ଠା ୨୭୯) ।

ସମ୍ଭବତଃ ନେତାଜୀଙ୍କୁ ବାଧା ଦେଇଥିବା ହେତୁ ଗାନ୍ଧୀଜୀ ଶେଷମୂହୁର୍ତ୍ତରେ ପଶ୍ଚାତାପ କରୁଥିଲେ ଓ ସାଧାରଣ ଜନତା ହାତକୁ କ୍ଷମତା ଆସିବା ପାଇଁ ନେତାଜୀ ଦେଖିଥିବା ସ୍ଵପ୍ନ କିପରି ସାକାର ହୋଇପାରେ ସେଥିପାଇଁ ସମ୍ଭବତଃ ଗ୍ରାମସ୍ଵରାଜ୍ୟ ଉପରେ ଗୁରୁତ୍ଵ ଦେଉଥିଲେ ।

ଯଦି କଂଗ୍ରେସ ଦଳ ୧୯୩୯ରେ ନେତାଜୀଙ୍କ ସହ ଅସହଯୋଗ କରିନଥାନ୍ତା, ତେବେ ସ୍ଵାଧୀନତା ପରେ ଶାସନ ଡୋରି ରହିନଥାନ୍ତା ଆଖିଦୃଶିଆ କତିପୟଙ୍କ ହାତରେ, ରହିଥାନ୍ତା ଭାରତର ସାଧାରଣ ଜନତା ହାତରେ । ଭାରତର ସାଧାରଣତନ୍ତ୍ର ଧନତନ୍ତ୍ର ନହୋଇ ଗଣତନ୍ତ୍ର ହୋଇରହିପାରିଥାନ୍ତା ।

ନେତାଜୀଙ୍କ ପରାହତ ସ୍ଵପ୍ନ ତାଙ୍କୁ ହିଁ ଭାରତର ଏକମାତ୍ର ଅନାହତ ସ୍ଵପ୍ନରେ ରୂପାନ୍ତରିତ କରିଛି । ଏହି ସ୍ଵପ୍ନ ଯେପରି ସାର୍ଥକ ହୁଏ, ତାହା ଦେଖିବା ସବୁ ଦାୟିତ୍ଵସମ୍ପନ୍ନ ଭାରତୀୟଙ୍କ ଧ୍ୟେୟ ହେବା ଆବଶ୍ୟକ ।