ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆଜି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।
ନାଗାର୍ଜୁନ କିଏ?
ବୁଦ୍ଧଙ୍କ ତିରୋଧାନ ପରେ ବୌଦ୍ଧ ଧର୍ମକୁ ଯିଏ ସମ୍ଭାଳିଥିଲେ ସେ ହେଲେ ନାଗାର୍ଜୁନ । ବୁଦ୍ଧଙ୍କର ମୃତ୍ୟୁ ହୋଇନି , ଶୂନ୍ୟତାକୁ ଘଟାନ୍ତର ହୋଇଛି ବୋଲି କହି ଯିଏ ଶୂନ୍ୟବାଦ ପ୍ରତିଷ୍ଠା କରିଥିଲେ ସେ ହେଲେ ନାଗାର୍ଜୁନ । ତାଙ୍କ ହେତୁ ବୁଦ୍ଧ ହୋଇଯାଇଥିଲେ ମହାଶୂନ୍ୟବ୍ୟାପୀ ଗୁରୁ ।
ବେଦବାଦୀମାନଙ୍କ କବଳରୁ ବୌଦ୍ଧଧର୍ମକୁ ରକ୍ଷା କରିବା ପାଇଁ ଏହା ହିଁ ଥିଲା ତତ୍କାଳୀନ ଶ୍ରେଷ୍ଠ ପନ୍ଥା । ସେଥିପାଇଁ ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାରେ ଶୂନ୍ୟବାଦର ଏତେ ଆଦର । ଓଡ଼ିଶାର ସର୍ବତ୍ର ଶୂନ୍ୟ ଆକାଶ ତଳେ ବୁଦ୍ଧୀୟ ମାତୃତତ୍ତ୍ଵର ପୂଜା । ଠାକୁର ନଥାଇ ପାରନ୍ତି ଓଡ଼ିଶାର କୌଣସି ଗାଁରେ, କିନ୍ତୁ ଗ୍ରାମ ଦେବତୀ ନଥାଇ କୌଣସି ଗାଁ ନାହିଁ । ସବୁ ଗ୍ରାମ ଦେବତୀ ଶୂନ୍ୟ ଆକାଶ ତଳେ, ଗଛ ମୂଳେ । ତାଙ୍କୁଇ କେନ୍ଦ୍ର କରି ଚାଲିଥାଏ ଗାଁର ଜୀବନ । ବୁଦ୍ଧ ଆଦିତ୍ୟ । ଆଦିତ୍ୟ ଗୋତ୍ରରେ ତାଙ୍କ ଜନ୍ମ (ଆଦିଚାନାମା ଗୋତ୍ତେନ) ବୋଲି ସେ ନିଜର ପରିଚୟ ଦେଲାବେଳେ କହିଥିଲେ ବିମ୍ବିସାରଙ୍କୁ । ତେଣୁ ସେ ସୂର୍ଯ୍ୟ । ସୂର୍ଯ୍ୟଙ୍କ ନିବାସ ଶୂନ୍ୟରେ । ତେଣୁ କାୟାତ୍ୟାଗ ପରେ ବୁଦ୍ଧଙ୍କ ଆସ୍ଥାନ ଶୂନ୍ୟରେ । ଏହା ହିଁ ଥିଲା ନାଗାର୍ଜୁନଙ୍କ ବୁଦ୍ଧୋତ୍ତର ବୌଦ୍ଧଦର୍ଶନ – ଶୂନ୍ୟତା ।
ଓଡ଼ିଶା ହୋଇଉଠିଥିଲା ଏହି ଶୂନ୍ୟ ଦର୍ଶନର ପବନ ପୀଠ । ତା ସତ୍ତ୍ୱେ ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାମାଟିରେ ବୌଦ୍ଧ ଧର୍ମ ସଙ୍କୁଚିତ ହୋଇ ଚାଲିଥିଲା ; କାରଣ ବେଦବାଦୀମାନେ ମଣିଷର ସବୁ ଆବଶ୍ୟକତା ପାଇଁ ଗୋଟେ ଗୋଟେ ଦେବତା ବାଢୁଥିଲେ । ସେ ଦେବତାମାନଙ୍କୁ ଲୋକେ ପୂଜା କରୁଥିଲେ । ଏହି ପରିସ୍ଥିତିରେ ସମ୍ବଲପୁର (ସମ୍ବଳକ)ର ଦାର୍ଶନିକ ଅଧିପତି ବୌଦ୍ଧାଚାର୍ଯ୍ୟ ଇନ୍ଦ୍ରଭୂତି ନାଗାର୍ଜୁନଙ୍କ ଶୂନ୍ୟତା ତତ୍ତ୍ଵକୁ ଟାଣି ଆଣି ଏକ ପୂଜନୀୟ ବିଗ୍ରହରେ ପରିଣତ କଲେ ଓ ତାର ନାମ ଦେଲେ ଜଗନ୍ନାଥ । ତାଙ୍କ ଜ୍ଞାନସିଦ୍ଧି ଗ୍ରନ୍ଥର ପ୍ରଥମ ଶ୍ଳୋକଟି ଗଗନୋପମ ଗୁରୁ (ଶୂନ୍ୟଦେହୀ ଗୁରୁ) ବୁଦ୍ଧଙ୍କୁ ଜଗନ୍ନାଥ ରୂପେ ଉପସ୍ଥାପିତ କରି ପୂଜନୀୟ କରାଇଛି ; ଯଥା-
ପ୍ରଣିପତ୍ୟ ଜଗନ୍ନାଥଂ ସର୍ବାଜିନବରାର୍ଚ୍ଚିତମ୍
ସର୍ବବୁଦ୍ଧମୟଂ ସିଦ୍ଧିବ୍ୟାପିନଂ ଗଗନୋପମମ୍ ।। ୧॥
ଏପରିଭାବେ ବୁଦ୍ଧ ଜଗନ୍ନାଥହୋଇ ବୌଦ୍ଧତନ୍ତ୍ର (ବଜ୍ରଯାନ)ର ହେଲେ ପୂଜନୀୟ ବିଗ୍ରହ ।
ଏହି ଇନ୍ଦ୍ରଭୂତିଙ୍କ ଭଉଣୀ ଓ ଶିଷ୍ୟା ଲକ୍ଷ୍ମୀଙ୍କରା ଥିଲେ ସୋନପୁରର ଅଧିଶ୍ଵରୀ । ସେ ତାଙ୍କ ଭାଇଙ୍କ ବଜ୍ରଯାନ ତତ୍ତ୍ଵକୁ ଆହୁରି ପ୍ରାଞ୍ଜଳ କରି ସୃଷ୍ଟିକଲେ ସହଜଯାନ, ଯାହା ବେଦର କର୍ତ୍ତୃବାଦ ବିପକ୍ଷରେ ସୃଷ୍ଟିକଲା ଓଡ଼ିଶାର ମୈଥୁନବାଦ । ଏହି ସହଜଯାନ ତତ୍ତ୍ଵରେ ଜଗନ୍ନାଥଙ୍କ ବଜ୍ରଯାନୀୟ ତତ୍ତ୍ଵ ଫେଣ୍ଟି ହୋଇ ଜଗନ୍ନାଥ ତତ୍ତ୍ଵ (Cult of Jagannatha) ମୈଥୁନବାଦ ଆଧାରିତ ହେବା ପର୍ଯ୍ୟନ୍ତ ଇନ୍ଦ୍ରଭୂତି ସୃଷ୍ଟିକରିଥିବା ଜଗନ୍ନାଥ ଦର୍ଶନ ଯେଉଁ ସମୟ ନେଇଥିଲା ସେହି ସମୟ ହେଉଛି ସୋନପୁରରେ ଜଗନ୍ନାଥ “ପାତାଳୀ” ହୋଇଥିବାର ସମୟ ।
ବେଦର କର୍ତ୍ତୃବାଦ ବିରୁଦ୍ଧରେ ଓଡ଼ିଶାର ମୈଥୁନବାଦ ଏକ ଅପରାଜେୟ ଦର୍ଶନ ତତ୍ତ୍ଵ ହୋଇ ଠିଆ ହୋଇଥିଲା । ଏହି ତତ୍ତ୍ଵ ବିକଶିତ ହୋଇପାରିନଥାନ୍ତା ଯଦି ବୁଦ୍ଧଙ୍କ ତିରୋଧାନ ପରେ ନାଗାର୍ଜୁନ ଶୂନ୍ୟବାଦ ସୃଷ୍ଟି କରି ବୁଦ୍ଧଙ୍କୁ ଗଗନୋପମ କରିଦେଇନଥାନ୍ତେ । ସୁତରାଂ କୃତଜ୍ଞ ଓଡ଼ିଆ ଜାତି ନାଗାର୍ଜୁନଙ୍କୁ ବୌଦ୍ଧ ଦର୍ଶନର ପ୍ରଥମ ବୁଦ୍ଧୋତ୍ତର ରକ୍ଷାକାରୀ ଭାବେ ଗ୍ରହଣକରି ଶ୍ରୀ ବୁଦ୍ଧ-ଜଗନ୍ନାଥଙ୍କୁ ନାଗାର୍ଜୁନ ରୂପରେ ଦେଖେ । ତା ଆଖିରେ ନାଗାର୍ଜୁନଙ୍କ ଶୂନ୍ୟତାର ସ୍ଥୂଳ ରୂପ ହେଲେ ଶୂନ୍ୟଦେହୀ ଦୟାଳୁ ବୁଦ୍ଧଙ୍କ ପୂଜନୀୟ ବିଗ୍ରହ ଶ୍ରୀ ଜଗନ୍ନାଥ । ସେଥିପାଇଁ ଶୂନ୍ୟ ସଂହିତାରେ କୁହା ହୋଇଛି:
“ଶୂନ୍ୟ ପୁରୁଷ ଦୟାଳୁ ଅଟଇ / ଶୂନ୍ୟ ପୁରୁଷ ସର୍ବଘଟେ ରହି //“
ପୁନଶ୍ଚ କୁହା ହୋଇଛି :
ବୁଦ୍ଧ ରୂପେ ମହୋଦଧି କୂଳେ / ଭୋଗ ବିଳସିବୁ ତୁ ସେତେବେଳେ //”
ଶ୍ରୀ ଜଗନ୍ନାଥଙ୍କୁ ଯେଉଁମାନେ ବୁଦ୍ଧରୁ ବିଷ୍ଣୁ ବନେଇବା ଅଭିସନ୍ଧିରେ ଇନ୍ଦ୍ରଭୂତିଙ୍କୁ ଇନ୍ଦ୍ରଦ୍ୟୁମ୍ନରେ ରୂପାନ୍ତରିତ କରିଛନ୍ତି ମିଥ୍ୟା କିମ୍ବଦନ୍ତୀ ତିଆରିକରି, ସେହି ଗୋଷ୍ଠୀ ଜଗନ୍ନାଥଙ୍କ ନାଗାର୍ଜୁନରୂପକୁ ବିକୃତ ରୂପେ ଉପସ୍ଥାପିତ କରୁଛନ୍ତି, ବାସ୍ତବତା ବିରୁଦ୍ଧରେ ଅବାସ୍ତବ କିମ୍ବଦନ୍ତୀର ଜୟଜୟକାର କରି ।
ତଥାକଥିତ ଜଗନ୍ନାଥଭକ୍ତମାନଙ୍କ କବଳରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷା କରିହେଲେ ଓଡ଼ିଆ ଜାତିର ମୌଳିକ ବୈଶିଷ୍ଟ୍ୟ ପୁନଃ ପ୍ରତିଷ୍ଠିତ ହୋଇପାରନ୍ତା ।