କୋଟିଆ ଉପରେ ଆପୋଷ ଆଲୋଚନା କରି ନବୀନ ପଟ୍ଟନାୟକ ଓଡ଼ିଶାକୁ ପଛରୁ ଛୁରା ମାରିଛନ୍ତି: ନିବୃତ୍ତ ହୁଅନ୍ତୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କୋଟିଆ ଉପରେ ଆନ୍ଧ୍ର ସହ କୌଣସି ଆପୋଷ ଆଲୋଚନା ଓଡ଼ିଶାକୁ ପଛରୁ ଛୁରା ମାରିବା ସହ ସମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ହିଁ କରିଛନ୍ତି । ନିବୃତ୍ତ ହୁଅନ୍ତୁ । ମୁଖ୍ୟ ଶାସନ ସଚିବ ସ୍ତରରେ ଏଥିପାଇଁ ଅଧିକ ଆଲୋଚନା ସକାଶେ ଯେଉଁ ପ୍ରଚାରିତ ନିଷ୍ପତ୍ତି ହୋଇଛି ତାହା କୋଟିଆ ଅଞ୍ଚଳକୁ ନ ଆସିବା ପାଇଁ ଆନ୍ଧ୍ରକୁ କହିବାରେ ସୀମିତ ରହୁ ।

ଅଣଓଡ଼ିଆ ଅଧ୍ୟୁଷିତ ଓଡ଼ିଶା ପ୍ରଶାସନ ଓଡ଼ିଆ ଭାଷାକୁ ଯେପରି ଛୁରି ମାରିଆସିଛି, ଓଡ଼ିଶା ସୀମାକୁ ବି ସେପରି ବିପନ୍ନ କରାଇଛି । ଓଡ଼ିଆ ଭାଷାରେ ସର୍ବସାଧାରଣଙ୍କ କାର୍ଯ୍ୟ ନିର୍ବାହ ପାଇଁ ୧୮୭୦ରୁ ସୁଦୀର୍ଘ ୬୬ ବର୍ଷ କାଳ ଅଭୂତପୂର୍ବ ଆନ୍ଦୋଳନ ବଳରେ ୧୯୩୬ରେ ଆବିର୍ଭୂତ ହୋଇଥିଲା ଓଡିଶା ଓ ବାରମ୍ବାର ବିଶ୍ଳେଷଣ ଦ୍ଵାରା ତାର ଭୌଗୋଳିକ ସୀମା ନିର୍ଦ୍ଧାରଣ ହୋଇଥିଲା । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ତେଲୁଗୁଲୋକଙ୍କ ଚକ୍ରାନ୍ତ ପଣ୍ଡ କରି ସେହି ପ୍ରେସିଡେନ୍ସିରେ ଥିବା ଓଡ଼ିଆ ଲୋକମାନେ ଓଡ଼ିଶାରେ ରହିବାକୁ ତୋଳିଥିଲେ ସଂଘର୍ଷ ଓ ତା ଫଳରେ ସେହି ପ୍ରେସିଡେନ୍ସିର କେଉଁ ଗାଁଗୁଡିକ ଓଡ଼ିଶାକୁ ହସ୍ତାନ୍ତରିତ ହେଲା, ତାହା ମାଡ୍ରାସ ପ୍ରେସିଡେନ୍ସି ତତ୍କାଳୀନ ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ଲେଖିକରି ଦେଇଥିଲା । ଲୋକେ ମଧ୍ୟ ଓଡ଼ିଶା ସରକାରଙ୍କୁ ସେହିକାଳରୁ ଖଜଣା ପ୍ରଦାନ କରିଆସିଥିଲେ । ନବୀନବାବୁ ଆଗକୁ ଆଗେଇବା ପୂର୍ବରୁ ସେହି ଦଲିଲ ଓଡ଼ିଶା ସମ୍ମୁଖରେ ରଖନ୍ତୁ । ତହିଁ ଉପରେ ଆନ୍ଧ୍ରର ହସ୍ତକ୍ଷେପ ବରଦାସ୍ତ କରାଯିବନି, ଆପୋଷ ଆଲୋଚନା କଣ?

ମାଡ୍ରାସ ପ୍ରେସିଡେନ୍ସିରୁ ଓଡ଼ିଶାକୁ ବହୁ ସଙ୍ଗର୍ଷ କରି ଆସିଥିଲା ଜୟପୁର ରାଜ୍ୟ । ତାହା ଏକ ସୁଗଠିତ ଭୂମଣ୍ଡଳ ଥିଲା । ତାର ସୀମା ସମଗ୍ରତଃ ସୁନିର୍ଦ୍ଦିଷ୍ଟ ଥିଲା । ଜୟପୁର ମହାରାଜା ବିକ୍ରମ ଦେଓ ବର୍ମା ତାଙ୍କ ଜମିଦାରୀକୁ ଓଡ଼ିଶା ସହ ମିଶାଇଥିଲେ ।

୧୯୫୨ରେ ଜମିଦାରୀ ଉଚ୍ଛେଦ ଆଇନ ଦ୍ଵାରା ଏହି ଜମିଦାରୀର ରାଜକୀୟ ଅସ୍ତିତ୍ଵ ଲୋପ କରାହୋଇ ଏହା ଅନ୍ତର୍ଗତ ସମସ୍ତ ସହର ଓ ଗ୍ରାମର ପ୍ରଶାସନ ଦାୟିତ୍ଵ ଓଡ଼ିଶା ସରକାର ଗ୍ରହଣ କରିଥିଲେ । ସୁତରାଂ ସେହି ସମସ୍ତ ଗ୍ରାମର ନିଖୁଣ ବିବରଣୀ ଓଡ଼ିଶା ସରକାର ଓଡ଼ିଆ ଜାତି ସମ୍ମୁଖରେ ରଖନ୍ତୁ ।

ଓଡ଼ିଶାର ସମସ୍ତ ଗଡ଼ଜାତ ଓ ଜମିଦାରୀ ସମେତ ସାରା ଓଡ଼ିଶାର ଭୁବନ୍ଦୋବସ୍ତ ୧୯୧୨-୧୩ରେ ବିହାର-ଓଡ଼ିଶା ଭୂଅଭିଲେଖ ଓ ବନ୍ଦୋବସ୍ତ ନିର୍ଦ୍ଦେଶକଙ୍କ ନିୟନ୍ତ୍ରଣରେ ସମାହିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓଡ଼ିଶା ସରକାର ଅବିଳମ୍ବେ ପ୍ରକାଶ କରନ୍ତୁ । ତହିଁରୁ କୋଟିଆ ଅଞ୍ଚଳର ଭୂଚିତ୍ର ଓଡ଼ିଶା ସୀମା ପ୍ରେକ୍ଷାପଟରେ ସ୍ପଷ୍ଟ ହେବ ।

ପ୍ରମାଣ ସହ ଅଦାଲତକୁ ନଗଲେ ବି ଓଡ଼ିଶା ଜିତିବ – ଏ କଥା ଓଡ଼ିଶା ସରକାର କିପରି ଭାବୁଥିଲେ , ତାହା ମୁଖ୍ୟମନ୍ତ୍ରୀ ଯଦି ନକହନ୍ତି, କିଏ କହିବ?

କେଉଁ କେଉଁମାନେ ସର୍ବୋଚ୍ଚ ଅଦାଲତରେ ଓଡ଼ିଶାର ସ୍ୱାର୍ଥକୁ ଛୁରି ମାରିଛନ୍ତି , ତାହା ଓଡ଼ିଆ ଜାତି ଜାଣିବା ଆବଶ୍ୟକ । ସର୍ବୋଚ୍ଚ ଅଦାଲତ ସମ୍ମୁଖରେ ଆମ ଅର୍ଜି କ’ଣ ଥିଲା, ଆନ୍ଧ୍ରର ଜବାବ କ’ଣ ଥିଲା, ଆମ ପ୍ରତିଜବାବ ଓ ଯୁକ୍ତି କ’ଣ ଥିଲା, କେଉଁ ପ୍ରମାଣ ଆମେ ଉପସ୍ଥାପିତ କରିଥିଲୁ, କାହା ହେତୁ ଓ କେଉଁ କାରଣରୁ ଆମେ ଆମ ମକଦ୍ଦମାକୁ ତ୍ୱରାନ୍ୱିତ କରିନଥିଲୁ – ଏ ସମସ୍ତ କଥା ଓଡ଼ିଆ ଜାତି ସମ୍ମୁଖରେ ନବୀନବାବୁ ରଖନ୍ତୁ । ଆମକୁ ଜାଣିବା ଦରକାର ଯେ, କିଏ ଆମ ଜାତିକୁ ପଛରୁ ଛୁରା ମାରିଛି । କେଉଁଠି ନା କେଉଁଠି ଏ ଛୁରାମରାରେ ନବୀନବାବୁ ସମ୍ପୃକ୍ତ ଥିବା ସନ୍ଦେହ ହେଉଛି ଏଇଥିପାଇଁ ଯେ, କୋଟିଆରେ ଏତେ କଥା ହୋଇଗଲାଣି, ଲୋକଙ୍କ ନେତା ଭାବେ ସେ ଥରକ ପାଇଁ ସେଠାକୁ ଯାଇନାହାନ୍ତି । କେବେ ମଧ୍ୟ ଆନ୍ଧ୍ର ବିରୁଦ୍ଧରେ ଓଡ଼ିଶାର ମକଦ୍ଦମା କି ସ୍ଥିତିରେ ଥିଲା, ତାହା ବୁଝିନାହାନ୍ତି ।

ଏଙ୍କୁ ଯଦି ଗୋପନ ଆଲୋଚନା କରିବାକୁ ନିରଙ୍କୁଶ ଛାଡ଼ିଦିଆଯାଏ, କୋଟିଆ ଯିବ; କାରଣ  ଯେଉଁ କିସମର ଲୋକଙ୍କ ପାଇଁ ସର୍ବୋଚ୍ଚ ଅଦାଲତରେ ଆମେ ଅପଦସ୍ତ, ସେହି କିସମର ଲୋକେ ଏହି ଆଲୋଚନା ଚଳାଇବେ  । ଭାଷା କ୍ଷେତ୍ରରେ ଯେମିତି ଆମକୁ ପଛରୁ  ଛୁରା ମାରିଛନ୍ତି, ସେମିତି ସୀମା କ୍ଷେତ୍ରରେ ମାରିବେ । 

ଓଡ଼ିଶା ସୀମାରେ ଆନ୍ଧ୍ରର ଅନୁପ୍ରବେଶକୁ ନିଷିଦ୍ଧ କରିବାରେ ଉଚ୍ଚତମ ଅଦାଲତ ସକ୍ଷମ ହୋଇନାହାନ୍ତି । କାରଣ, ଓଡ଼ିଶା ସରକାର ନିଜ ଅଭିଯୋଗକୁ ନିଜେ ସମର୍ଥନ କରିନାହାନ୍ତି ।  

ଏପରି ଅବସ୍ଥାରେ ଅନୁପ୍ରବେଶକାରୀ ଆନ୍ଧ୍ର ସହ କି ଅପୋଷ ଆଲୋଚନା ? 

ଓଡ଼ିଶାର ସଶସ୍ତ୍ର ପୋଲିସ ବାହିନୀକୁ କାମରେ ଲଗାଅ । ପୋସ୍କୋ ପାଇଁ ପୋଲିସ ଲଗାଇ ଆମ ଲୋକଙ୍କୁ ମାରିଥିଲ, ଟାଟା ପାଇଁ ପୋଲିସ ଲଗାଇ ଆମ ଲୋକଙ୍କୁ ମାରିଥିଲ, ବିପ୍ଳବୀମାନଙ୍କୁ ପୋଲିସ ଲଗାଇ ମାରୁଛ , ଆମ ସୀମାରେ ଅନୁପ୍ରବେଶ କରୁଥିବା ଅଣଓଡ଼ିଆଙ୍କୁ ପୋଲିସ ଲଗାଇ ମାର । ମାଇଚିଆ ପରି ଆମ ସୀମା ଲୁଣ୍ଠନକାରୀକୁ ବନ୍ଦାପନା କରନି, ପୁରୁଷ ପରି ଳଢ । ତା ପରେ ଭାରତର ଜାତି ଜାଗିବ , ସମାଧାନ ହେବ ।