ସାଧାରଣତନ୍ତ୍ର : ସାଧାରଣଲୋକଙ୍କ ସ୍ଵର -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ପଣ୍ଡ ହୋଇସାରିଛି । କାରଣ, ଶାସନତନ୍ତ୍ର ଆଉ ସାଧାରଣ ଲୋକଙ୍କ ହାତରେ ନାହିଁ । ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୋଲିସ ସିପାହୀ ପର୍ଯ୍ୟନ୍ତ ସମସ୍ତେ ଆମ ମାଲିକ । ଯେଉଁ ଉଦ୍ଦେଶ୍ୟରେ ଦେଶ ସ୍ଵାଧୀନ ହୋଇଥିଲା ତାହା ସାଧାରଣତନ୍ତ୍ରର ଉଦ୍ଦେଶ୍ୟ ହୋଇ ରହିଲାନି । ଏପରିଭାବେ ଏକ ସାଧାରଣତନ୍ତ୍ର ଆମକୁ ମିଳିଲା ଯେ, ଅପରାଧୀର ମୌଲିକ ଅଧିକାର ରକ୍ଷା କରିବା ନ୍ୟାୟାଳୟର କର୍ତ୍ତବ୍ୟ ହୋଇପଡ଼ିଥିବା ବେଳେ ରାଷ୍ଟ୍ରର ମୌଲିକ ଅଧିକାର ଅବିଚାର୍ଯ୍ୟ ହୋଇ ରହିଛି, ଯାହାକୁ Directive Principles of State Policy ବୋଲି ସମ୍ବିଧାନ ଚିହ୍ନଟ କରି, ସାଧାରଣତନ୍ତ୍ର ଗୋଡ଼ରେ ଯେଉଁ ଟାଙ୍ଗିଆ ମାରିଛି ତାହା ଆମ ସ୍ୱାଧିନତାର ସବୁ ସ୍ଵପ୍ନକୁ ସବୁଦିନ ପାଇଁ ଉଜାଡ଼ି ଦେଇଛି । ଭୋଟ ଦେବା ଆଉ ଟିକସ ଦେବା – ଏହି ଦୁଇଟି ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣଲୋକଙ୍କୁ ବଞ୍ଚାଇରଖିଛି ଶାସନ ବ୍ୟବସ୍ଥା । ଏହା ଏତେ ସତ୍ୟ ଯେ, ପ୍ରମାଣ ପ୍ରଦାନ ଅନାବଶ୍ୟକ । ଏହି ସ୍ଥିତିରେ ସାଧାରଣ ମଣିଷ କ’ଣ ଚିନ୍ତା କରୁଛି?

ହଜି ଜେଇଥିବା ଆମ ଜାତୀୟ ସ୍ଵପ୍ନର ଏହି ସ୍ମାରକୀ ଦିବସରେ ମୁଁ ଦୁଇଜଣ ସାଧାରଣ ମଣିଷର ମନକଥା ଏଠାରେ ଉଦ୍ଧୃତ କରିବି । ପୂର୍ବରୁ ଭାଇ ଅମୀୟ କୁମାର ପ୍ରଧାନଙ୍କ  ମନକଥା ରଖିଛି, ଏବେ ଭବନୀପାଟଣାର ଅଧିବକ୍ତା , ଭାଇ ସନ୍ତୋଷ କୁମାର ମିଶ୍ରଙ୍କ ଏକ କବିତା । ଯିଏ ଯେପରି ଗ୍ରହଣ କରୁ ।

 

 

ସତରେ
ସମୟର ଗତି
ଖୁବ ପ୍ରଖର
ଦେଖୁ ଦେଖୁ
ପାଳିବାକୁ ହୁଏ
ସାଧାରଣତନ୍ତ୍ର ଦିବସର
ଚଉସ୍ତରୀ ତମ ଜନ୍ମ ଜୟନ୍ତୀ,
ଇଂରେଜର
ପରାଧୀନତାରୁ ମୁକୁଳି
ରାଜତନ୍ତ୍ର ବନ୍ଧନର
ଶିକୁଳି ଫିଟେଇ
ସ୍ୱାଧୀନ ରାଷ୍ଟ୍ରରେ
ମୁଣ୍ଡ ଟେକି
ଯେଉଁମାନେ କହିଥିଲେ
ଦେଶ ହେଲା ଗଣତନ୍ତ୍ର
ସେମାନେ ଆଉ ନାହାନ୍ତି l

ସେ ଦିନ
ହଟି ଯାଇଥିଲା
ଜାତି ଧର୍ମ ବର୍ଣ୍ଣ,
ଗୋଟିଏ ସ୍ୱରରେ
କହି ପାରୁଥିଲେ
ମଣିଷ ଜାତି
ମାନବ ଧର୍ମ l

ରାଜତନ୍ତ୍ରରେ
ଚାରି ଜାତି
ଶୁଦ୍ର ବୈଶ୍ୟ ବ୍ରାହ୍ମଣ କ୍ଷତ୍ରିୟ,
ମୋ ଜେଜେବାପା ବାପା କହିଥିଲେ
ଯୁଦ୍ଧ ଓ ସଂଘର୍ଷର ବନ୍ୟାରେ
ଭାସି ଯାଇଥିଲେ ବହୁ କ୍ଷତ୍ରିୟ,
ଆଉ
ଯେଉଁମାନେ ରହିଲେ,
ବିନା ବାସ୍ନାରେ କର୍ପୁର କହିଲେ l

ଆଜି
ଗଣତନ୍ତ୍ର ରାଷ୍ଟ୍ରରେ
ସମାଜ ସେବାର
ମୁକୁଟ ପିନ୍ଧି
କ୍ଷତ୍ରିୟର ଅଭିବୃଦ୍ଧି କରି
ବଢ଼ି ଯାଇଛନ୍ତି ନେତା,
ନିର୍ବାଚନର ହୁଙ୍କାରରେ
ଯୁଦ୍ଧଂ କହି
ଜଣେ ଜଣକୁ ପରାସ୍ତ କରି
ପାଲଟିଛନ୍ତି
ରାଜନେତା
ରାଜା ଭଳି ପୂଜା ପାଇ
ଜଣେ ଜଣେ
ଅଞ୍ଚଳର ବିଧାତା l

ବିଦ୍ୱାନ ପୁରୁଷ
ବ୍ରାହ୍ମଣ ଥିଲେ
ସରକାରୀ କର୍ମଚାରୀ
ବ୍ରାହ୍ମଣ ସାଜିଲେ
ଚୌକିକୁ ମୁଣ୍ଡିଆ ମାରିଲେ,
ବିଚାରପତି ପ୍ରାଧ୍ୟାପକ
ରୁଷି ମହର୍ଷି ହେଲେ
ତାଙ୍କ ଶିଷ୍ୟ ମାନେ
ଆଇନଜୀବୀ ଡାକ୍ତର
ଶିକ୍ଷକ କହିଲେ l

ପୋଲିସ ଓ ସାମ୍ବାଦିକ
ରାଜନେତାଙ୍କ ଦୂତ ପାଲଟିଲେ,
ଧନୀ ଶ୍ରେଣୀ
ବ୍ୟବସାୟ କଲେ
କ୍ଷତ୍ରୀୟକୁ କର ଦେଲେ,
ଶୁଦ୍ର ପାଲଟିଲେ ଗରିବ
ପେଟପାଇଁ ସହିବାକୁ ହେବ l

କୁହ ମାତୃଭୂମି
କୁହ ଗୋ ଜନନୀ
ମୁଁ
ସାଧାରଣ ବର୍ଗ
ଗରିବ,
କେଉଁ ଶ୍ରେଣୀରେ
ଅନ୍ତର୍ଭୂକ୍ତ କରିବ,
ମୋ ଚିତ୍କାରରେ
ନିଦ ଭାଙ୍ଗି ଗଲା,
ସ୍ବପ୍ନ ମୋତେ କହିଗଲା,
ଗଣତନ୍ତ୍ର ରାଷ୍ଟ୍ର ଏବେ
ରାଜତନ୍ତ୍ର ନୁହେଁ
ନେତାତନ୍ତ୍ର ହେବାକୁ ବସିଲା l

ସନ୍ତୋଷ ମିଶ୍ର,

 

 

 

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

%d bloggers like this: