ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ: ବିଜୁ ଡାକୋଟା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କାଳେ ନେହେରୁଙ୍କ ତୃଟିବିଚ୍ୟୁତି ପଦାରେ ପଡ଼ିଯିବ , ଏହି ଭୟରେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଦେଶଦ୍ରୋହ ଅପରାଧରେ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଦଣ୍ଡବିଧି କାର୍ଯ୍ୟାନୁଷ୍ଠାନ କରିନଥିଲା । ଫଳରେ ତାଙ୍କ ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ – ତାଙ୍କ ଡାକୋଟା ଭିତରୁ ଗୋଟାଏ ଆସି ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ଓ ତାହାକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ପଲେ ଅଜ୍ଞ ତୋଷାମଦିଆଙ୍କ ମେଳରେ ଫୁଲ ଚନ୍ଦନ ଦେଇ ବନ୍ଦେଇଛନ୍ତି ରାଜ୍ୟର ଦେଶପ୍ରେମୀ ଚେତନାପ୍ରତି ଚପୋଟାଘାତ କରି, ମହାନ ଦେଶପ୍ରେମୀ ନେତାଜୀଙ୍କ ଜନ୍ମ ମାସର ୧୮ ତାରିଖରେ, ଅନ୍ତର୍ଜାତିକ ବିମାନବନ୍ଦରରେ ।

ସେ ଯେହେତୁ ମୁଖ୍ୟମନ୍ତ୍ରୀ, ବାପଙ୍କ ଦେଶଦ୍ରୋହକୁ ଲୁଚେଇରଖିବା ପାଇଁ ସରକାରୀ ଖର୍ଚ୍ଚରେ ଏପରି ନାଟକ କରାଯାଇଛି, ଯେପରି ଅଜ୍ଞ ଲୋକେ ଆଉ ଜାଣିପାରିବେ ନାହିଁ ଯେ, ଏହି ଡାକୋଟାକୁ ବ୍ୟବହାର କରି ୧୯୬୨ ଚୀନ ଯୁଦ୍ଧରେ ବିଜୁ ପଟ୍ଟନାୟକ ଆମକୁ ହାରିଯିବାକୁ ବାଧ୍ୟ କରିଥିଲେ । ଭାରତର ୧୧୦୦୦ ବର୍ଗ କିଲୋମିଟର ମାଟି ଚୀନ ଦଖଲକୁ ଚାଲିଗଲା , ଅଥଚ ଆମେ ସହିଯିବା ଭିନ୍ନ ଗତ୍ୟନ୍ତର ନଥିଲା । 

ବିଜୁଆ ଦେବାଶିଷ ନାୟକ ୨୦୧୪ ଜୁଲାଇରେ ବିଧାନସଭାରେ ଦାବିକରିଥିଲେ କି, ବିଜୁଙ୍କ ଡାକୋଟାକୁ କଲିକତାରୁ ଆଣି ରାଜ୍ୟ ସଂଗ୍ରହାଳୟ ପରିସରରେ ସ୍ଥାୟୀ ଭାବେ ରଖାଯାଉ । “It would be an insult to patriotism if Biju’s Dakota is preserved in Orissa museum” ଶୀର୍ଷକରେ ମୁଁ ତହିଁର ସପ୍ରମାଣ ବିରୋଧ କରିଥିଲି । ଫଳରେ ଏତେ ବର୍ଷ ଧରି କେହି ଆଉ ସେ ପ୍ରସଙ୍ଗ ଉଠାଇନଥିଲେ । 

ନିର୍ବାଚନ ଯେତେବେଳେ ପାଖେଇ ଆସୁଛି ଓ ଓଡ଼ିଆ ଭାଷା ବିରୁଦ୍ଧରେ ତାଙ୍କ ହୀନ ଷଡ଼ଯନ୍ତ୍ର ପଦାରେ ପଡ଼ି ସାରା ଓଡ଼ିଶାରେ ଧୀରେ ଧୀରେ ତାଙ୍କ ବିରୁଦ୍ଧରେ ଜନମତ ଘୂର୍ଣ୍ଣିବାତ୍ୟାର ରୂପ ନେବା ଏପରି ସ୍ପଷ୍ଟ ହୋଇଉଠୁଛି ଯେ ଅବଚେତନରେ ସେ ଚହଲୁଛନ୍ତି , ଯେତେବେଳେ  ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଧରି ସେ ସଂଗ୍ରହ କରିଥିବା ଶେଷ ପ୍ରସଂଶାପତ୍ରର ତୁଚ୍ଛତା ଲୋକେ ଜାଣିସାରିଛନ୍ତି, ଯେତେବେଳେ ହକି ଚହକ ବିରୁଦ୍ଧରେ ରାଜକୋଷର ବର୍ବାଦିକରଣର  ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ ପାଇଁ ସଚେତନ ଜନସମାଜ ଉଦ୍ୟମ ଆରମ୍ଭ କରିଛି, ଯେତେବେଳେ ଜଣକପରେଜଣେ କର୍ମଚାରୀଙ୍କ ସମ୍ପତ୍ତି ଯାଞ୍ଚ ତାଙ୍କ ସରକାରର କଳାକାର୍ନାମାକୁ ସାବ୍ୟସ୍ତ କରିଚାଲିଛି, ଯେତେବେଳେ ମିସନଶକ୍ତି ଭସ୍ମାସୁର ପରି ତାଙ୍କ ମୁଖ୍ୟମନ୍ତ୍ରିତ୍ଵକୁ ଗିଳିଦେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି, ସେତେବେଳେ ବୁଡ଼ିଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲାପରି ସେ ଓ ତାଙ୍କ ଚାଟୁକାର ପଲ ବିଜୁଙ୍କ ଡାକୋଟାକୁ ଫୁଲ ଚନ୍ଦନ ଦେଇ ବନ୍ଦେଇ ଅଜ୍ଞ ଲୋକଙ୍କୁ ଭୁଆଁ ବୁଲେଇବାକୁ ସାନି ଉଦ୍ୟମ ଆରମ୍ଭ କରିଛନ୍ତି । 

ଅକୁହା କଥା (The Untold Story) ବହିରେ ଜେନରେଲ ବି. ଏମ୍. କାଉଲ ଯାହା ଲେଖିଛନ୍ତି ତହିଁରୁ ମନେହୁଏ, ଚୀନ ଆକ୍ରମଣ କଥା ବିଜୁଙ୍କୁ ଆଗରୁ ଜଣାଥିଲା । କାରଣ ସେ ତାଙ୍କପାଖରେ ପହଞ୍ଚି, ନେଫା ସୀମାନ୍ତରେ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଠିକା ନେଇଥିବା କଥା କହି, ତାଙ୍କ କଳିଙ୍ଗ ଏୟାର ଲାଇନ୍ସକୁ ଅଧିକ ଡାକୋଟା କିଣିବା ପାଇଁ ପ୍ରତିରକ୍ଷା ବିଭାଗ ଆର୍ଥିକ ସାହାଯ୍ୟ ଦେବାକୁ ସୁପାରିଶ କରିବାକୁ ଅନୁରୋଧ କରିଥିଲେ । କାଉଲ ସୁପାରିଶ କରିଥିଲେ । ମାତ୍ର ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନ ସେହି ସୁପାରିଶକୁ ପ୍ରତ୍ୟାଖ୍ୟାନ କରିଦେଇ ବିଭାଗୀୟ ବିମାନରେ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ଵ ଦେଇଥିଲେ । ଶିବଙ୍କ ସାପକୁ ଯେପରି ଗରୁଡ଼ କାବୁକରିପାରେନି, ସେମିତି ନେହେରୁଙ୍କ ବାହୁଛାୟା ତଳେ ଥିବା ବିଜୁଙ୍କ ଠିକାକୁ ଅଟକାଇବା କାହା ପକ୍ଷେ ସମ୍ଭବ ନଥିଲା । ଆମ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ଠିକା ନେଇ, ସେ ସୈନ୍ୟମାନଙ୍କ ସାମଗ୍ରୀକୁ ନେଫାରେ ନ ପକାଇ ଚୋରାବଜାରରେ ବିକିଦେଲେ । ଜେନରେଲ କାଉଲ ତାଙ୍କ ବହିର ୨୦୨-୩ ପୃଷ୍ଠାରେ ଲେଖିଛନ୍ତି, “ସୀମାନ୍ତରେ ଥିବା ଆସାମ ରାଇଫଲ ବାହିନୀକୁ ଯୁଦ୍ଧ ସାମଗ୍ରୀ ଓ ଶୀତବସ୍ତ୍ର ଯୋଗାଇ ହେଲା ନାହିଁ   ବୋଲି ଯେତେବେଳେ ଆଗକୁ ମାଡ଼ିଯିବା କଥା, ସେତେବେଳେ ଆମେ ଅଟକିଗଲୁ ।”

କେନ୍ଦ୍ରୀୟ ସରକାରୀ ହିସାବ କମିଟିଠୁ ଆରମ୍ଭ କରି କଳିଙ୍ଗ ଏୟାର ଲାଇନ୍ସର ଦୁର୍ନୀତି ଦୁରାଚର ଉପରେ ତଦନ୍ତ କରିଥିବା କାଟଜୁ କମିଟି ପର୍ଯ୍ୟନ୍ତ ଯେତେସବୁ ସିଦ୍ଧାନ୍ତରେ ପହଞ୍ଚିଥିଲେ ସେ ସବୁରେ ଭରିହୋଇରହିଥିଲା ଦେଶ ପ୍ରତି ବିଜୁଙ୍କ ପ୍ରତାରଣର ବହୁ ନଗ୍ନ ଚିତ୍ର । ସଂସଦରେ ବିତର୍କର ଲହଡ଼ି ଖେଳିଥିଲା । ଏହି ପ୍ରଚଣ୍ଡ ଦେଶଦ୍ରୋହର ପ୍ରମାଣ ନଷ୍ଟ କରିବା ପାଇଁ ସତେ ଅବା ଗୋଟାଏ ପରେ ଗୋଟେ ବିଜୁଙ୍କ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଓ ତହିଁର ଚାଳକମାନେ, ଯେଉଁମାନେ ସୈନ୍ୟଙ୍କ ସାମଗ୍ରୀ ଚୋରାବଜାରରେ ବିକ୍ରି ହେବାର ପ୍ରତ୍ୟକ୍ଷଦର୍ଶୀ, ତଦନ୍ତର ସମ୍ମୁଖୀନ ହେବାକୁ ଆଉ ତିଷ୍ଠି ନଥିଲେ । ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହର ମାମଲା ଚାଲିଲେ ନେହେରୁଙ୍କ ଦୁର୍ବଳତା ପଦାକୁ ଆସିବା ସୁନିଶ୍ଚିତ ଥିଲା । ତେଣୁ, କଂଗ୍ରେସ ସରକାର ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମକଦ୍ଦମା କଲାନାହିଁ । 

ଫଳରେ ପଲେ ତୋଷାମଦକାରୀ ଆଜି ତାଙ୍କୁ ପ୍ରବାଦ ପୁରୁଷ ସଜାଇ , ତାଙ୍କ ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ – ଏହି ଡାକୋଟାକୁ ଭୁବନେଶ୍ଵର  ଆଣି, ଓଡ଼ିଆ ଜାତିର ଲଜ୍ଜା ଉପରେ ପୁଷ୍ପବୃଷ୍ଟି କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ଏକ ବିଚାରବିଭାଗୀୟ ତଦନ୍ତ ଆବଶ୍ୟକ । ଏହି ଡାକୋଟା କିଏ କେଉଁ ଅବସ୍ଥାରେ କେଉଁଠୁ ଆଣି କଲିକତା ବିମାନବନ୍ଦରରେ କେଉଁ ତାରିଖରେ କେଉଁ ସର୍ତ୍ତରେ ରଖିଥିଲା – ତାହା ବି ତଦନ୍ତଭୂକ୍ତ ହେବା ଦରକାର । କାଟଜୁ କମିଶନ ଓ ସରକାରୀ ହିସାବ କମିଟିର ସିଦ୍ଧାନ୍ତ ସତ୍ତ୍ୱେ, କେଉଁ କାରଣ ହେତୁ, କାହା ଆଦେଶ ବଳରେ, ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧ ମକଦ୍ଦମା ହୋଇପାରିନଥିଲା ତାହା ବି ତଦନ୍ତଭୂକ୍ତ ହେବା ଦରକାର । 

ଓଡ଼ିଶାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଉପରୋକ୍ତ ଅସମାହିତ ରହସ୍ୟ ଯେଉଁ ସନ୍ଦେହ ଜାରିରଖିଛି, ତାହାର ପରିସମାପ୍ତି ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକ ବିଚାରବିଭାଗୀୟ ତଦନ୍ତ କମିଶନ ନିଯୁକ୍ତ କରିବା ଆବଶ୍ୟକ । କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବିଜୁଙ୍କ ପୁଅ ଭାବେ ମଧ୍ୟ ସେ ଚାହିଁବା ଉଚିତ ଯେ, ତାଙ୍କ ବାପା ସନ୍ଦେହମୁକ୍ତ ହୁଅନ୍ତୁ । ଯଦି ଏପରି ଏକ ବିଚାରବିଭାଗୀୟ ତଦନ୍ତ ପାଇଁ ନବୀନବାବୁ ଡରିବେ, ତେବେ ଇତିହାସ ଆଖିରେ ମଧ୍ୟ ବିଜୁ ପଟ୍ଟନାୟକ ଦୋଷୀ ହୋଇ ରହିଯିବେ ଚିରକାଳକୁ । ଏ ଡାକୋଟାକୁ ଫୁଲ ଚନ୍ଦନ ଦେଇ ଯେତେ ପୂଜିଲେ ମଧ୍ୟ ଏ କଳଙ୍କ ନିଭିବନି, କାରଣ ଏ ସନ୍ଦେହ କେବେ ତୁଟିବନି  । 

 

 

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

One thought on “ଦେଶଦ୍ରୋହର ଫୁଙ୍ଗୁଳା ପ୍ରମାଣ: ବିଜୁ ଡାକୋଟା”

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

%d bloggers like this: