ଆଠଗଡ଼ର ଏକ ବିଖ୍ୟାତ ବଂଶରେ ଜନ୍ମ ନେଇଥିବା ଦୀନକୃଷ୍ଣ ପଟ୍ଟନାୟକ ଅଗଷ୍ଟ ୨୮ ତାରିଖ ରାତି ୯.୪୫ରେ ଯେତେବେଳେ ଆଖିବୁଜିଲେ, ମା ଓଡ଼ିଶା ଏକ ଉତ୍ତମ ସନ୍ତାନ ପାଇଁ ଛେଉଣ୍ଡ ହୋଇଗଲା । ସାମାଜିକ ଗଣମାଧ୍ୟମ ଫେସବୁକରେ ମୁଁ ଲେଖିଥିଲି :
ସେ ଅବସର ନେବା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ପ୍ରଶାସନର ବୌଦ୍ଧିକ ବିଭବ ଥିଲେ । ବହୁ ବିଭାଗୀୟ କମିଟିର ମସ୍ତିଷ୍କ ଥିଲେ ସେ ହିଁ । ସେ ସମ୍ପୃକ୍ତ ଥିବା କମିଟିର ଆମେ ଯେଉଁ ରିପୋର୍ଟ ସେତେବେଳେ ପାଉଥିଲୁଁ, ତହିଁର ନେପଥ୍ୟ ବିନ୍ଧାଣି ଥିଲେ ସେ ହିଁ । ଏପରି କୌଣସି ବିଧାୟକ ନଥିଲେ, ଯେ କି ତାଙ୍କୁ ଅର୍ପିତ ପ୍ରସଙ୍ଗରେ ନିର୍ଯ୍ୟାସ ନିରୂପଣ ପାଇଁ ନିର୍ଭରଯୋଗ୍ୟ ମନେକରୁନଥିଲେ । ଜ୍ଞାନତାତ୍ତ୍ଵିକ ଆଲୋଚନାର ସେ ଥିଲେ ଏକ ଗନ୍ତାଘର । ପଠନପ୍ରିୟତା ସତେ ଯେମିତି ଥିଲା ତାଙ୍କ ସହଜାତ ।
ବନ୍ଧୁବତ୍ସଳତା ? ତାର ତୂଳନା ନାହିଁ । ତାଙ୍କ ପରି ବନ୍ଧୁ ବତ୍ସଳ ଆଉ କାହାକୁ ମୁଁ ଏଯାଏଁ ଦେଖି ନାହିଁ । ଯେ ବନ୍ଧୁବତ୍ସଳ ସେ ତ ସ୍ବାଭାବିକ ଭାବେ ପରିବାର ବତ୍ସଳ । କିନ୍ତୁ ଏହି ସାଂସାରିକ ବାତ୍ସଲ୍ୟର ବହୁ ଉର୍ଦ୍ଧ୍ବରେ ମଧ୍ୟ ସେ ଥିଲେ । କାରଣ, ସେ ଥିଲେ ସର୍ବତୋଭାବେ ଦେଶବତ୍ସଳ ।
ଆଠଗଡ଼ ରାଜାଙ୍କୁ ଛାଡ଼ି ଦେଲେ , ସବୁଠାରୁ ଅଧିକ ପ୍ରତିପତ୍ତିଶାଳୀ କରଣ ପରିବାରର ଦାୟାଦ ଥିଲେ ଦୀନକୃଷ୍ଣ ପଟ୍ଟନାୟକ । କିନ୍ତୁ ପରମାଣୁ ପରିମାଣର ବଂଶପ୍ରୌଢୀ ତାଙ୍କର ନଥିଲା । ଏହା ଥିଲା ତାଙ୍କର ବୈଶିଷ୍ଟ୍ୟ ।
ସେ ନିଜେ ହିଁ ନିଜେ ଏକ ଛାୟାଛନ୍ନ ଯୁଗ ଥିଲେ । ଶେଷକ୍ଷଣ ପର୍ଯ୍ୟନ୍ତ ସକ୍ରିୟ ଥାଇ ବୟସାଧିକ୍ୟରେ ଶନିବାର ଚାଲିଗଲେ ।ଏକ ଶୂନ୍ୟ ସ୍ଥାନ ସୃଷ୍ଟିହେଲା, ଯାହାର ଗଭୀରତା ମାପିବା ମୋ ପକ୍ଷେ ସମ୍ଭବ ନୁହେଁ ।
ରାଜ୍ୟର ସବୁଆଡେ ତାଙ୍କର ବନ୍ଧୁ ଥିଲେ । ସେ ସମସ୍ତଙ୍କୁ ଓ ତାଙ୍କ ପରିବାର, ସମ୍ପ୍ରସାରିତ ପରିବାର ଓ ଆଠଗଡ଼ର ଯେଉଁମାନେ ସେ ପରିବାରର ନିକଟବର୍ତ୍ତୀ – ସେ ସମସ୍ତଙ୍କୁ ମୋର ସମବେଦନା ଜଣାଉଛି ।
ଆଜିକୁ ଚାହୁଁ ଚାହୁଁ ଦଶଦିନ ହୋଇଗଲା । ତାଙ୍କ ବଡ଼ଝିଅଟି ଅକାଳରେ ଆକସ୍ମିକ ଦୁର୍ଘଟଣାରେ ଆଗରୁ ଆଖି ବୁଜିଛି । ଅବଶିଷ୍ଟ ତିନିଝିଅ ବୈଜୟନ୍ତୀ ପଟ୍ଟନାୟକ , ଦମୟନ୍ତୀ ପଟ୍ଟନାୟକ ଓ ଗାୟତ୍ରୀ ପଟ୍ଟନାୟକ ନିଜ ନିଜ କ୍ଷେତ୍ରରେ ଓ ସଂସାରରେ ସୁପ୍ରତିଷ୍ଠିତ । ସେମାନଙ୍କୁ ସମଗ୍ର ପରିବାର ଓ ସମଗ୍ର ବନ୍ଧୁକୁଳକୁ ନେଇ ଧୈର୍ଯ୍ୟର ସହ ସହିଯିବାକୁ ପଡ଼ିବ ଏହି ଦାରୁଣ ଦୁଃଖ । ମୋ ନିଜ ଦୁଃଖ ମୋ ଆଖି ପିଇଯାଉ ନୀରବରେ ।