ପ୍ରଚ୍ଛନ୍ନ ସାମ୍ୟବାଦୀ ଶଶି ଭୂଷଣ ମହାନ୍ତି ଆଉ ନାହାନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବହୁ ଦଶନ୍ଧି ତଳର ସେହି ଦିନ ସେହି ବାର ଆଉ ମନେନାହିଁ ; କିନ୍ତୁ ମନେ ଅଛନ୍ତି ଶଶିଭୂଷଣ ମହାନ୍ତି , ଯିଏ ଆଉ ନାହାନ୍ତି , କରୋନା କବଳରେ ଗତକାଲି ବୁଜି ଦେଇଛନ୍ତି ଆଖି ।

କଟକ ବଡ଼ ଡାକ୍ତରଖାନା ପରିସରରେ ଥିବା କନିକା କଟେଜ ଭାଙ୍ଗିନଥିଲା । ବନ୍ଦୀ ଜୀବନ ଯାପନ କରୁଥିବା ଚିରସ୍ମରଣୀୟ କମ୍ୟୁନିଷ୍ଟ ନେତା ନାଗଭୂଷଣ ପଟ୍ଟନାୟକ ସେଇଠି ରହି ଚିକିତ୍ସିତ ହେଉଥିଲେ । ସଶସ୍ତ୍ର ପୋଲିସ ଘେରି ରହିଥିଲେ ଚାରିଆଡେ । ସେଇଠୁ ମୁଁ ଫେରୁଥିଲି ; ଦେଖିଲି, ମୋ ସମବୟସର ଜଣେ ବ୍ୟକ୍ତି ପୋଲିସ ସହ ଝଗଡ଼ାରେ ଲିପ୍ତ । ପୋଲିସ କହୁଛି ନାଗଭୂଷଣଙ୍କୁ ଦେଖା କରିବାକୁ ତାଙ୍କୁ ଛଡ଼ାଯାଇପାରିବନି । ତାଙ୍କର ଏକା ଯିଦ , ସେ ନିଶ୍ଚୟ ଦେଖାକରିବେ । ହୋଇପାରନ୍ତି ସେ ନକ୍ସଲପନ୍ଥୀ , କିନ୍ତୁ ସାଧାରଣ ମଣିଷ ପାଇଁ ଜୀବନ ବାଜି ଲଗାଇଦେଇଥିବା ସେ ଜଣେ ଆଗ୍ନେୟ ତପସ୍ଵୀ । ସେ ତାଙ୍କ ପାଖକୁ ଯିବେ, ପ୍ରଣାମ କରିବେ, ଫେରି ଆସିବେ । ସେ ପୋଲିସକୁ କହୁଥାନ୍ତି, ନାଗ ଭୂଷଣଙ୍କର ସେ କୌଣସି ରାଜନୈତିକ ସମର୍ଥକ ନୁହନ୍ତି । ମାତ୍ର ନିଜର ସ୍ଵର ନଥିବା ଖଟିଖିଆ ମଣିଷ ପାଇଁ ଲଢୁଥିବା ଲୋକଙ୍କ ଭିତରେ ନାଗ ଭୂଷଣ ଜଣେ । ତେଣୁ ସେ ଯାଇ ନୀରବରେ ତାଙ୍କୁ ପ୍ରଣାମ କରିବେ , ନୀରବରେ ଜଣାଇ ଦେବେ ଯେ, ମଣିଷ ପାଇଁ କଷ୍ଟ ଭୋଗୁଥିବା ମଣିଷକୁ ମଣିଷ ପୂଜା କରେ । ମୁଁ ଚମତ୍କୃତ ହୋଇ ତାଙ୍କ ବ୍ୟାକୁଳ ଯୁକ୍ତି ଶୁଣୁଥିଲି । ପୋଲିସ ଅଫିସର କଣ ଭାବିଲେ କେଜାଣି, କହିଲେ- ହେଉ ଯାଆନ୍ତୁ , କେବଳ ଦେଖିବେ, ଚାଲି ଆସିବେ ।

ତାର ଦୀର୍ଘ କେଇ ବର୍ଷ ପରେ , ଇମର୍ଜେନ୍ସି କାଳରେ ହରାଇଥିବା ସାମ୍ବାଦିକ ପଦରେ ଓଡ଼ିଶା ଲେବର କୋର୍ଟ ତଥା ହାଇ କୋର୍ଟଙ୍କ ଆଦେଶ ବଳରେ ପୁନର୍ନିଯୁକ୍ତି ପାଇ ଜୟଦେବ ବିହାରରେ ଏକ ଡି ଟାଇପ୍ ଘରେ ଆବାସ ପାଇଲି । ଗୋଟିଏ ଛାତ ତଳେ ଛଅଟି ଘର । ମୁଁ ତହିଁର ବାସିନ୍ଦା ହେବା ପୂର୍ବରୁ ସେଇଠି ରହୁଥିଲେ ଅଧ୍ୟାପକ ଜୟନ୍ତ ବିଶ୍ଵାଳ, ଅଧ୍ୟାପକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେହନୁର), ଇଞ୍ଜିନିୟର ବେଜ , ଅପନ୍ନା ନାୟକ, ଶଶି ଭୂଷଣ ମହାନ୍ତି । ପାଖରେ ରହୁଥିଲେ ଅଧ୍ୟାପକ ପ୍ରମୋଦ ମହାନ୍ତି , ଅଧ୍ୟାପକ ଏସ୍ . ଏନ୍. ପାତ୍ର । ପ୍ରମୋଦ ବାବୁଙ୍କ ପୁଅ ମିଟୁନା , ପାତ୍ର ବାବୁଙ୍କ ପୁଅ ଶ୍ରବଣ, ଜିତୁବାବୁଙ୍କ ପୁଅ ଜଜି, ଜୟନ୍ତବାବୁଙ୍କ ପୁଅ ମୁନ୍ଳୁ , ଶଶିବାବୁଙ୍କ ପୁଅ ବୁଲୁ ଆଦିଙ୍କ ସହ ମୋ ପୁଅ ରଜା ନିମିଷକେ ସାଙ୍ଗ ହୋଇଗଲା ଯେମିତି ପାଣିରେ ପାଣି ମିଶିଯାଏ । ଦି ଦିନ ପରେ ଶଶିବାବୁ ଗସ୍ତରୁ ଫେରି ମୋ ବସାକୁ ଆସିଲେ ମୁଁ ନୂଆ କରି ତାଙ୍କ ମେଳକୁ ଆସିଥିବାରୁ ମୋତେ ସ୍ଵାଗତ ଜଣାଇବା ପାଇଁ । ପରସ୍ପର କିଛି ସମୟ ପରସ୍ପରକୁ ଚାହିଁ ରହିଲୁ । କେଉଁଠି ଦେଖିବା ଦେଖିବା ପରି ଲାଗୁଥିଲା । ଧୀରେ ଧୀରେ ମୋର ମନେ ପଡ଼ିଲା । ପଚାରିଲି, ଆପଣ କେବେ କଟକ ବଢ଼ ଡାକ୍ତରଖାନାର କନିକା କଟେଜରେ ଚିକିତ୍ସିତ ହେଉଥିବା ନାଗ ଭୂଷଣ ପଟ୍ଟନାୟକଙ୍କୁ ଦେଖିବାକୁ ଯାଇଥିଲେ ? ସେ ଚମକି ପଡ଼ିଲେ । କହିଲେ , ଆପଣ ତେବେ ସେଇ, ଯିଏ ମୋ ପାଇଁ ପୋଲିସ ସହ ଯୁକ୍ତି ବି କରିଥିଲେ? ପରସ୍ପରକୁ କୋଳେଇ ନେଲୁ ।

ପରସ୍ପର ପରିଚିତ ହେବାକୁ ବସିଲାରୁ ଦେଖାଗଲା ସେ ମୋ ପିଉସାଶ୍ଵଶୁର କେନ୍ଦ୍ରାପଡ଼ା ନିବାସୀ କିଶୋରୀ ଚରଣ ମହାନ୍ତିଙ୍କ ସମ୍ପର୍କୀୟ ଏବଂ ମୁଁ ତାଙ୍କ ସାନ ସଡୂ ସୁଧୀରର ସମ୍ପର୍କୀୟ । ସେ କହିଲେ, ଆପଣଙ୍କ ସହ ଭାବ ଜଗତରେ ମୋର ନିବିଡ ସମ୍ପର୍କ ଅଛି । ମୁଁ ପଚାରିଲି , କିପରି? ସେ କହିଲେ, ନୂଆପାଟଣା ସୁତାକଳ ଶ୍ରମିକ ଯୁନିୟନ ସଭାପତିଙ୍କୁ କେ ଅବା ନ ଜାଣେ ! ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥାଇ ବି ଓ ସୁତାକଳ ପ୍ରତିଷ୍ଠା କରି ସବୁ ଶ୍ରମିକଙ୍କୁ ନିଯୁକ୍ତି ଦେଇ ବି କଂଗ୍ରେସ ସେଠାରେ ଜଣେ ଶ୍ରମିକ ପାଇଲାନି ଯୁନିୟନ ଗଢିବାକୁ , ସବୁ ଶ୍ରମିକଙ୍କୁ ଆପଣ ସି ପି ଆଇ ଶିବିରକୁ ନେଇଆସିଥିଲେ ! ମୁଁ ପଚାରିଲି, ଆପଣ କିପରି ଜାଣିଲେ ? ସେଇଠୁ ଜାଣିଲି ଯେ ସେ ସେତେବେଳେ କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ଥିଲେ ଓ ନୂଆପାଟଣା ସୂତା କଳକୁ ଯେଉଁ କପା ଆସୁଥିଲା ତାର ଗୁଣ ଯାଞ୍ଚ କରିବାକୁ ସେହି ସୂତା କଳକୁ ନିୟମିତ ଗସ୍ତ କରୁଥିଲେ ।

ସରକାରୀ କର୍ମଚାରୀ ଭାବେ ସେ ଥିଲେ ଯେତିକି କର୍ତ୍ତବ୍ୟନିଷ୍ଠ ସେତିକି ବେସାଲିସ୍ । ଦୁଇଟି ଦୃଷ୍ଟାନ୍ତ ଦେବି । କୃଷି ବିଭାଗର ସହନିର୍ଦ୍ଦେଶକ (କାର୍ପାସ) ପଦାଧିକାର ବଳରେ ସେ ଏକ ସରକାରୀ ଜିପ୍ ପାଇଥିଲେ । ସବୁ ସରକାରୀ ଅଫିସରଙ୍କ ଘରକୁ ସରକାରୀ ଗାଡି ଆସେ ଓ ନିଆ ଅଣା କରେ । ଶଶିବାବୁ ନିଆରା । ସେ ନିଜର ଏକ ମୋପେଡ ରଖିଥାନ୍ତି । ସେଥିରେ ଯିବା ଆସିବା କରନ୍ତି । କାରଣ, ସେ ଭାବୁଥିଲେ , ଅଫିସକୁ ଯିବା ଅଫିସରଙ୍କର ନିଜ ଦାୟିତ୍ଵ । ସେଥିପାଇଁ ସରକାରୀ ଗାଡି କାହିଁକି ବ୍ୟବହୃତ ହେବ? ମୁଁ ଦେଖେ, ଯଦି ସରକାରୀ ଗସ୍ତ ଅଛି, ଭୁବନେଶ୍ଵର ବାହାରକୁ ଯିବାକୁ ହେବ, କେବଳ ସେହି କ୍ଷେତ୍ରରେ ହିଁ ତାଙ୍କୁ ଦିଆହୋଇଥିବା ସରକାରୀ ଗାଡି ସେ ବ୍ୟବହାର କରୁଥିଲେ ।
ଦ୍ଵିତୀୟ ଦୃଷ୍ଟାନ୍ତ ଅତ୍ୟନ୍ତ ଲୋମହର୍ଷଣକାରୀ । ଭୁବନେଶ୍ଵରରୁ ବଦଳି ହୋଇ ସେ ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥାନ୍ତି । କୃଷି ବିଭାଗର ସର୍ବୋଚ୍ଚ ଦାୟିତ୍ବରେ ଥାନ୍ତି ଶ୍ରୀନିବାସ ରଥ । ଥରେ ସେ କୋଣସି କାମରେ ଅନୁଗୁଳ ଗଲେ ଓ ବିଭାଗୀୟ ଗେଷ୍ଟ ହାଉସରେ ତିନିଦିନ ରହିଲେ । ତାଙ୍କ ଘରୋଇ ସଚିବଙ୍କ ନିର୍ଦ୍ଦେଶରେ “ସାହେବ”ଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପ୍ରଥମ ରାତ୍ରିରେ ଶଶିବାବୁଙ୍କୁ ଦେବାକୁ ପଡିଥିଲା । ସେହି ସମାନ ସାମଗ୍ରୀ ଦେବାକୁ ତହିଁ ପରଦିନ ରଥଙ୍କ ଘରୋଇ ସଚିବ ଯେତେବେଳେ ତଲବ କଲେ, ଶଶିବାବୁ ପଚାରିଲେ , କାଲି ପରା ଦେଇଥିଲି? ଉତ୍ତର ମିଳିଲା – ସାହେବ ଥରେ ବ୍ୟବହାର କରିଥିବା ଦ୍ରବ୍ୟ ଦ୍ଵିତୀୟ ଥର ବ୍ୟବହାର କରନ୍ତିନି । ଶଶିବାବୁ ପ୍ରତିବାଦ ନ କରି ପରବର୍ତ୍ତୀ ଦୁଇଦିନ ଦୁଇ ସେଟ୍ ସାମଗ୍ରୀ ପଠାଇଲେ ଏବଂ ଶେଷ ଦିନ ତହିଁର ଦାମ୍ ଦାଖଲ କରିବାକୁ ଦୋକାନ ରସିଦ ସହ ଘରୋଇ ସଚିବଙ୍କୁ ଚିଠି କଲେ । ଘରୋଇ ସଚିବ ରାଗରେ ଲାଲ୍ ହୋଇଗଲେ । ସେଠାରେ ଉପସ୍ଥିତ ଥିବା କୃଷି ଭିଭାଗୀୟ ଉପନିର୍ଦ୍ଦେଶକ ନିଜ ଆଡୁ ସେ ଟଙ୍କା ଦାଖଲ କରି ପରିସ୍ଥିତି ସମ୍ଭାଳି ନେଇଥିଲେ । ଅଳ୍ପ କେଇଦିନ ପରେ ଶଶିବାବୁଙ୍କର କଳାହାଣ୍ଡି ବଦଳି ହୋଇଥିଲା । ସେଠାରେ କେତେବର୍ଷ ଧରି ବିକ୍ରି ହୋଇପାରିନଥିବା ବାଦାମ ବିହନ ପାଇଁ ଶଶିବାବୁଙ୍କୁ ଦାୟୀ କରି ତାଙ୍କ ବେତନ ବନ୍ଦ କରାଗଲା । ଶଶିବାବୁ ତା ବିରୁଦ୍ଧରେ ସରକାରଙ୍କୁ ପ୍ରତିବାଦ ପତ୍ର ପଠାଇଲେ । ସେତେବେଳକୁ କୃଷି ଉତ୍ପାଦନ କମିଶନର ହୋଇଥାନ୍ତି ଶ୍ରୀମତୀ ସି ନାରାୟଣାସ୍ଵାମୀ । ନଥିଟି ତାଙ୍କ ସମ୍ମୁଖରେ ପହଞ୍ଚିଲା ବେଳକୁ ସେଠାରେ ବସିଥିଲେ ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ମହେଶ୍ଵର ପଟ୍ଟନାୟକ । ନାରାୟଣାସ୍ଵାମୀ ତାଙ୍କଠୁ ଜାଣିବାକୁ ଚାହିଁଲେ ଶଶି ଭୂଷଣ ମହାନ୍ତି କିପରି ଲୋକ । ସେ କହିଲେ – ସେ ତ ମୋର ଛାତ୍ର ଥିଲା, ପରେ ମୋର ସହକର୍ମୀ ହେଲା । ମୋ ବିଚାରରେ ତା’ଠୁ ବଳି ସଚ୍ଚୋଟ, ସତ୍ ସାହସୀ , ସ୍ପଷ୍ଟବାଦୀ କର୍ମଚାରୀ କୃଷି ବିଭାଗରେ ନାହାନ୍ତି । ଶଶିବାବୁଙ୍କ ଉପରେ ଜାରି ହୋଇଥିବା ବେତନ ବନ୍ଦ ଆଦେଶ ତୁରନ୍ତ ବାତିଲ ହେଲା ଓ ତାଙ୍କ ପ୍ରମୋଶନର ପଥ ପରିଷ୍କାର ହେଲା ।

ତାଙ୍କ ତିରୋଧାନରେ ମୁଁ ଏହା ହିଁ କହିପାରେ ଯେ, ସରକାରୀ ଚାକିରିରେ ଥାଇ ମଧ୍ୟ ହୃଦୟରେ ସାମ୍ୟବାଦ ପ୍ରତି ଅନୁରକ୍ତି ରଖିଥିବା ଜଣେ ପ୍ରଚ୍ଛନ୍ନ କମ୍ୟୁନିଷ୍ଟ ଆଖି ବୁଜିଦେଲେ ।



Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

7 thoughts on “ପ୍ରଚ୍ଛନ୍ନ ସାମ୍ୟବାଦୀ ଶଶି ଭୂଷଣ ମହାନ୍ତି ଆଉ ନାହାନ୍ତି”

  1. ସୁଭାଷ ଭାଇ ପ୍ରଣାମ, ଆପଣଙ୍କ ଲେଖା ଟି ପଢ଼ିଲି l ନିଜକୁ ଅନେକେ ଗର୍ବିତ ଅନୁଭବ କଲି l ବନଫୁଲ ବନ ଫୁଲ ବଣ ରେ ଫୁଟି ମଉଳିଯାଏ l କେହି ତାର ବାସନା ଜାଣି ପାରନ୍ତି ନାହିଁ l ତାଙ୍କର ଅନେକ ଗୁଡିଏ ଦୃଷ୍ଟାନ୍ତ ଅଛି l ଲେଖି ବସିଲେ ଗୋଟେ ବହି ହୋଇଯିବ l ଆମର ଭାଣେଜୀର ବାହାଘର IRC VLLAGE ଘରେ ହୋଇଥିଲା l ମନେ ପଡୁନି ଆପଣ ସେତେବେଳକୁ ଆସିଥିଲେକି ନାହିଁ l ଝିଅ ବିଦା ପରେ ତାଙ୍କର ବ୍ଲାକ stool ହେଲା l ସେଦିନ ରବିବାର ଥିଲା l ମୁଁ କହିଲି ତମେ ଅଫିସ ଗାଡ଼ିଟା ମାଗ, ଆମେ ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲ ଯିବା l ସେ କହିଲେ ସରକାରୀ ଗାଡି ମୋ ଘର କାମ ପାଇଁ ଉଦିଷ୍ଟ ନୁହେଁ l ଆଜି ରବିବାର ବୂକ କରି ହେବ ନାହିଁ l ତାଙ୍କ ଅବସ୍ଥା ଶୋଚନୀୟ ଥିବାରୁ, ମୁଁ ମୋର ପିଉସୀ ଝିଅ ଭଉଣୀ ଯିଏ tankpani ରେ ରହନ୍ତି, ତାଙ୍କ ଗାଡ଼ିରେ ନେଇ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ କଲି l ସେଠାରେ ପ୍ରାୟ ମାସେ ଖେଣ୍ଡେ ରହିବା ପରେ ଘରକୁ ଫେରିଲେ l ଆଉ ଦିନକର ଘଟଣା l ଆମ ସାନଭାଇର ଚତୁର୍ଥୀ ଭୋଜିର କଥା l ସେ ସେତେବେଳେ ଡେପୁଟି ଡିରେକଟର ଥାନ୍ତି l ଖବର ଦେଲେ ତାଙ୍କର ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ମୀଟିଙ୍ଗ ବାରିପଦାରେ ଥିବାରୁ ସେ ଛୁଟି ନେଇ ପାରବେ ନାହିଁ l ତେଣୁ ଭୁବନେଶ୍ବର ରୁ ବାରିପଦା ଯିବା ରାସ୍ତା ରେ ସିଧା ନଯାଇ ବୈଶିଙ୍ଗା ପାଖରେ ବଡ଼ସାହି ଜୀବରାସ୍ତାରେ ଘରବାଟେ ଘଣ୍ଟାକ ପାଇଁ ଆସିବେ l ଘରେ ପହଞ୍ଚିବା ଗୋଟେ ଅଘଟଣ ଘଟିଗଲା l ମୋର ତିନିବର୍ଷର ଝିଅ ଖେଳୁ ଖେଳୁ କାହାରି ଧକାରେ ମନ୍ଦିର ପ୍ରାଙ୍ଗଣରେ ଚିତ ହୋଇ ପଡି ଗଲା l ତାର ନାକରୁ ରକ୍ତ ସ୍ରାବ ହେଲା ଓ ସେ ଚେତା ହରାଇଲା l ମୁନକହିଲି, ଭାଇ ମୁଁ ଝିଅକୁ ଟିକିଏ ବଡ଼ସାହି ଡାକ୍ତରଖାନା ତମ ଗାଡ଼ିରେ ନେଇଥନ୍ତି l ସେ ରାଜିହେଲେନାହିଁ l ମୁଁ ଡ୍ରାଇଭର ଠାରୁ ଗାଡି ଚାବି ଝାମ୍ପି ନେଇ ଝିଅକୁ ଡାକ୍ତରଖାନା ଯିବାକୁ ବାହାରିଲି l ଗଲା ବେଳକୁ ପାଟିକରି କହିଲେ ପାଞ୍ଚ ଲିଟର ଡିଜେଲ ପକଇଦେବୁ l ଯଦିଓ ସେ ଜାଣନ୍ତି ବଡସିରେ ପେଟ୍ରୋଲ ଟାଙ୍କି ନାହିଁ l ବଡକଷ୍ଟରେ ମୁଁ 5lt. Disel ପକାଇ ଗାଡି ଫେରାଇଲି l ଏମିତି ଅନେକ ଦୃଷ୍ଟାନ୍ତ ଅଛି ମୁଁ ଆପଣଙ୍କୁ ଫୋନେରେ କହିବି l

  2. So glad to read this article about Sashi uncle and of course about you… please keep writing as we really need to be informed … thank you🙏🏻

  3. ସୁଭାଷ ଭାଇ ପ୍ରଣାମ, ଆପଣଙ୍କ ଲେଖାଟି ପଢି ମୁଁ ଗର୍ବିତ l ଏମିତି ଅନେକ ଗୁଡିଏ ଦୃଷ୍ଟାନ୍ତ ଅଛି ଯାହାକୁ ଲେଖିଲେ ଗୋଟାଏ ବହି ହେବ l ମୁଁ ସେ ମଧ୍ୟରୁ କିଛି ଲେଖୁଛି l

  4. ଆମ ଭାଣେଜୀ ର ବାହାଘର ଭାଇଙ୍କର IRC Village ସ୍ଥିତ ସରକାରୀ ବାସଭବନ ରେ ଅନୁଷ୍ଠିତ ହୋଇଥଲା l ମନେପଡୁନାହିଁ ଆପଣ ସେଠି ରହୁଥିଲେକି ନାହିଁ l ଝିଅ ବିଦା ହେବା ପରଦିନ ସଖାଳେ ତାଙ୍କର କଳା ଝାଡା ହୋଇଗଲା, ଅତ୍ୟଧିକ ପରିଶ୍ରମ ପାଇଁ l ସେଦିନ ରବିବାର ଥିଲା l ସେ ଯେଉ ଅବସ୍ଥାରେ ଥିଲେ ତାଙ୍କୁ ରିକ୍ସାରେ ଡାକ୍ତରଖାନା ନବା ସମ୍ଭବ ନଥିଲା l ମୁଁ କହିଲି ତମ ଅଫିସ ଗାଡ଼ିଟା ମଗାଅ l ସେ କହିଲେ ଛୁଟି ଦିନରେ ମୁଁ ସରକାରୀ ଗାଡି ବ୍ୟବହାର କରି ପାରିବି ନାହିଁ l ମୁଁ କହିଲି, ବୂକ ତମ ନାମରେ କର l ଛୁଟିରେ ବୂକିଙ୍ଗ କରି ହେବନାହିଁ ବୋଲିକହିଲେ l ମୁଁ ପିଉସୀ ଝିଅ ଭଉଣୀର ଗାଡି ଟଙ୍କପାଣି ରୋଡ଼ରୁ ଆଣି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ କରେଇଲି l ସେଠାରେ ପ୍ରାୟ ମାସେ ରହିବା ପରେ ଘରକୁ ଫେରିଲେ l
    ଆମ ସାନଭାଇ ଅମ୍ବିକାର ଚତୃଥୀ ଭୋଜୀ ଆମ ଚାଷ ଗାଁ କୁରାଢ଼ିଆରେ ଥିଲା l ଭାଇଙ୍କର ଫୋନ ଆସିଲା ତାଙ୍କର ବାରିପଦାରେ ଜରୁରୀ ମୀଟିଙ୍ଗ ଥିବାରୁ ସେ ଭୋଜିରେ ଯୋଗ ଦେଇପାରିବେ ନାହିଁ l ଗଲାବେଳେ highwayre ବାରିପଦା ସିଧା ନଯାଇ ବୈଶିଙ୍ଗା ବାରିପଦା ରାସ୍ତାରେ ଆସିବେ l ବାଟରେ ଆମ ଗାଁ ପଡିବ, ଅଧଘଣ୍ଟାଏ ବସିକରି ଯିବେ l ସେ ପହଂଚିବା ସଙ୍ଗେ ସଂଗେ ଗୋଟାଏ ଅଘଟଣ ଘଟିଗଲା l ମୋର ପାଞ୍ଚ ବର୍ଷର ଝିଅ ପିଲାମାନଙ୍କ ସାଙ୍ଗରେ ମନ୍ଦିର ପ୍ରାଙ୍ଗନରେ ଖେଳୁଥିବା ଅବସ୍ଥାରେ କାହାରି ଧକାରେ ଚିତହୋଇ ତଳେ ପଡିଗଲା l ତାର ମୁଣ୍ଡ ପକାରେ ମାଡ଼ାହୋଇ ସେ ବେହୋସ ହୋଇଗଲା ଓ ତାର ନାକରୁ ରକ୍ତଶ୍ରାବ ହେଉଥାଏ l ମୋ ପାଖରେ ବୁଲଲେଟ ମଟର ସାଇକେଲଟି ଥାଏ l ମୁଁ ତାଙ୍କୁ ତାଙ୍କ ଗାଡ଼ିରେ ଝିଅକୁ ବଡ଼ସାହି ଡାକ୍ତରଖାନା ନେବାକୁ କହିଲି l ସେ ରୋକ ଠୋକ ମନା କଲେ ଲକହିଲେ ବୁଲଲେଟରେ ନେଇଯା l ମୁଁ ଡ୍ରାଇଭର ପାଖରୁ ଗାଡି ଚାବିଟିକୁ ଝାମ୍ପିନେଲି କହିଲି l ମୋ ନାମରେ FIR ଦିଅ l ମୁଁ ଚାଲିଲି l ମତେ ପାଟିକରି କହିଲେ, ପାଞ୍ଚ ଲିଟର ଡିଜେଲ ପକଇବୁ, ଯଦିଓ ସେ ଜାଣନ୍ତି ବଡ଼ସାହରେ ପେଟ୍ରୋଲ ଟାଙ୍କି ନାହିଁ l ବଡ କଷ୍ଟରେ ମୋର ଜଣେ ବନ୍ଧୁଙ୍କ ପାଖରୁ ଡିଜେଲ ପକାଇ ଆସିଲି l ଆଉ ଦିନକର ଘଟଣା l ମୁଁ ବାରିପଦାରେ ରହୁଥାଏ l ସେ ଭୁବନେଶ୍ୱରରୁ ବାରିପଦା ଟୁରରେ ଆସିଥାନ୍ତି l ସେଦିନ ବାରିପଦାରେ ମିଟିଙ୍ଗ ଥିଲା l ପରଦିନ ଉଦଳା, କପ୍ତିପଦା, ଓ ଶ୍ରଦାମଚନ୍ଦ୍ରପୁର ମୀଟିଙ୍ଗ ଥିଲା l ରାତିରେ ଡ୍ରାଇଭରକୁ କମ୍ପ ଜର ଆସିଲା l ଡ୍ରାଇଭର କହିଲା ସାର, ମୁଁ ଗାଡି ଚଳାଇ ପାରିବି ନାହିଁ l ଭାଇ ମତେ କହିଲେ, ତୁତ ଭଲ ଗାଡି ଚଲାଉ l ମୋ ସାଙ୍ଗରେ ଯିବୁ? ଡ୍ରାଇଭର ପଛରେ ଶୋଇବ l ମୋର ଯିବା ନିହାତି ଜରୁରୀ l ମୁଁ ରାଜିହେଲି l ସେ ତାଙ୍କ ପାଇଁ ଯନ୍ତା ରୁଟି, ସିଝା ତରକାରୀ ଘରୁ ନେଇଥିଲେ l ଉଦଳାରେ ଅଫିସରେ ଖାଇବାର ବ୍ୟବସ୍ଥା ହୋଇଥିଲା l ସେ ତାଙ୍କ ରୁଟି ଖାଇଲେ, ଆମକୁ ହୋଟେଲ ପଠାଇଦେଲେ l ଏଇ ତାଙ୍କର ଶଚୋଟ ପଣିଆର ନିଦର୍ଶନ l ସେ ସମ୍ବଲପୁରରେ ଥିବାବେଳର ଘଟଣା l ଗୋଟାଏ ଦୁର୍ଦାନ୍ତ ଡ୍ରାଇଭର ଥିଲା l ତାର ଦୁଇଟି ସ୍ତ୍ରି ଥିଲେ l ସେ କୌଣସି ଅଫିସରଙ୍କୁ ମାନେ ନାହିଁ l ସମସ୍ତେ ଭୟଭୀତ ରହୁଥିଲେ l ନିଜ ଇଛାରେ କାମକରେ l ଭାଇ ତାକୁ ସସ୍ପେଣ୍ଡ କଲେ l ସେ ଉତକ୍ଷିତପ୍ତ ହୋଇ ଥାନାରେ ଏତଲା ଦେଲା, ସାର ଏକା ରହୁଛନ୍ତି, ମୋ ସ୍ତ୍ରୀ କୁ ତାଙ୍କ ବସାକୁ ନପଠାଇବାରୁ, ମତେ ସସ୍ପେଣ୍ଡ କରିଛନ୍ତି l ଏହା ମଧ୍ୟରେ ସେ ଝରକା ଭାଙ୍ଗି ଭାଇଙ୍କ ଘରେ ପସିବାକୁ ଚେଷ୍ଟା କରିଥିଲା l ଟି ପ୍ୟାରେଡ ହେଲା, ସେ ଭାଇଙ୍କ ପରିବର୍ତ୍ତେ, ଅନ୍ୟଜଣକୁ ଚି଼ହ୍ନଟ କଲା l ଏମିତି ଅନେକ କଥା………

    1. ହଁ, ସେ ଏମିତି ଥିଲେ । ବିରଳ ମଣିଷ । ଆପଣ ଏହି ଶ୍ରଦ୍ଧାଞ୍ଜଳିକୁ ସମୃଦ୍ଧତର କରିଥିବା ହେତୁ ଅଶେଷ ଧନ୍ୟବାଦ ।

      1. Pl send me your mobile no. which is missing from my. Pl. let me know your health. With Regards. RABI mob. No. 9977764319

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s