ବିଦୁଷୀ ସବିତାରାଣୀଙ୍କ ଜୀବନରେ ପ୍ରଥମ ସାବିତ୍ରୀ

by Subhas Chandra Pattanayak

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସବିତାରାଣୀ ଏବର ରେଭେନ୍ସା ବିଶ୍ବବିଦ୍ୟାଳୟରେ ଚାଲିଥିବା ସରକାରୀ ସାନ୍ଧ୍ୟ ମହାବିଦ୍ୟାଳୟରେ ଅଧ୍ୟାପିକା ଥାନ୍ତି , ଯେତେବେଳେ ତାଙ୍କ ଜୀବନରେ ପ୍ରଥମ ସାବିତ୍ରୀବ୍ରତ ଆସିଲା । ପୂର୍ବଦିନ ଅପରାହ୍ନରୁ ତାଙ୍କ ବାପଘରୁ ଭିନ୍ନ ଭିନ୍ନ ସୁସଜ୍ଜିତ ମଞ୍ଜୁଷାରେ ପିଠାପଣା ଓ ଆମ ଉଭୟଙ୍କ ପାଇଁ ନବବସ୍ତ୍ର ଆସିଥାଏ । ସାବିତ୍ରୀ ଭାର ।

ରାତି ୧୦ ଆଗରୁ କାମ ନ ସରିବାରୁ ଭୁବନେଶ୍ଵରରେ ରହିଯାଇଥିଲି । ସକାଳୁ ସକାଳୁ କଟକ ଫେରିବା ବାଟରେ କେନାଲକୂଳ ଆଡେ଼ ଆପେ ଆପେ ଆଖି ଚହଟିଗଲା । ପ୍ରାୟ ପାଞ୍ଚ କିଲୋ ଓଜନର ଛଟଛଟ ହେଉଥିବା , ସଙ୍ଗେ ସଙ୍ଗେ ଧରା ହୋଇଥିବା ବାଳିଆ ମାଛ । ଉଭା ମୂଲ୍ୟ ୨୦ ଟଙ୍କା ! ଅବିସ୍ବାଶ୍ୟ ଲାଗୁଛି ନାଁ ? ସେ ସମୟ ଥିଲା ଏମିତି । ସବୁ ବଦଳି ଗଲାଣି । କେନାଲ ହଜିଗଲାଣି ନୂଆ ନୂଆ କୋଠା ତଳେ । ବାଳିଆରୁ ସୂତା କାଢ଼ି କାଟିଦେଲା କେଉଟଟି । ସବିତାରାଣୀଙ୍କୁ ତାଙ୍କ ଜୀବନର ପ୍ରଥମ ସାବିତ୍ରୀ ସମ୍ବର୍ଦ୍ଧନା ଦେବାକୁ ଏହା ହିଁ ଥିଲା ମୋ ପାଇଁ ଏକାନ୍ତ ଆନନ୍ଦଦାୟକ ମାଧ୍ୟମ ।

ଏହା କଣ ବୋଲି ପଚାରିଲେ । ମୁଁ କହିଲି , ଜିଅନ୍ତା ବାଳିଆ କଟେଇ କରି ଆଣିଛି ; ଖାଲି ଧୋଇଦେଇ ଛାଣିଦେଲେ କାମ ଶେଷ । ସେ କହିଲେ, ଆଜି ପରା ସାବିତ୍ରୀ ; ବୋଉ ଭାର ପଠେଇଛି କାଲିଠାରୁ , ଦିଜଣଙ୍କ ପାଇଁ ନୂଆ ଲୁଗା ସହ । ମୁଁ କହିଲି , ବଢ଼ିଆ ହେଲା । ନୂଆ ଲୁଗା ପିନ୍ଧି ବାଳିଆ ଖାଇବା ।

ତା ପରେ ମୁଁ ତାଙ୍କୁ ବୁଝେଇଲି – ସାବିତ୍ରୀ କିପରି ଏକ ନାରୀଵିଦ୍ଵେଷୀ ସାଂସ୍କୃତିକ ଷଡଯନ୍ତ୍ର । ସ୍ତ୍ରୀମାନଙ୍କ ବିରୁଦ୍ଧରେ ଏହାଠୁ ବଳି ଅପମାନଜନକ ସାଂସ୍କୃତିକ ଯୋଜନା କିଛି ବି ନଥାଇପାରେ । ସତୀଦାହ ପ୍ରଥା ପରି ଏହା ଏକ ମାରାତ୍ମକ ପ୍ରଥା । ଯେଉଁ ସ୍ତ୍ରୀ ସତୀ ତା ଧବ ଅମର, ଯିଏ ଅସତୀ କେବଳ ସେ ହିଁ ହେବ ବିଧବା । ଅର୍ଥାତ୍ ଯେତେ ନାରୀ ବିଧବା ସେମାନେ ସମସ୍ତେ ଅସତୀ ! ପୁରୁଷପ୍ରାଧାନ୍ୟର ଚରମ ବର୍ବରତାର ଏହି ଗନ୍ଧରା ବ୍ୟବସ୍ଥାକୁ ଜଣେ ସୁଶିକ୍ଷିତା ମହିଳା ହୋଇ ତମେ କାହିଁକି ମାନିବ ?

ସବିତାରାଣୀ କିଛି ଉତ୍ତର ଦେଲେନି; ସ୍ମିତହାସ୍ୟ ଭରିଦେଲା ତାଙ୍କ ଶାନ୍ତ ସରଳ ମୁହଁରେ ଅଧିକ ସ୍ନିଗ୍ଧତା । ସେ ରୋଷେଇଘରକୁ ମାଛ ଭାଜିବାକୁ ଚାଲିଲେ , ମୁଁ ଚାଲିଲି ପ୍ରାତଃକର୍ମ ସାରିବାକୁ ।

ବାପମାଆଙ୍କୁ ମନେ ମନେ ମୁଣ୍ଡିଆ ମାରି , ନୂଆ ଲୁଗା ପିନ୍ଧି , ଗରମ ଗରମ ବାଳିଆମାଛ ଭଜାରେ ନିଜ ନିଜର ହୃଦୟଭରା ମଉଜ ମିଶାଇ ସେଦିନ ଆମେ ଦୁହେଁ ଯାହା କଲୁ ତାହା ଏବେ ବି ସତେଜ ହୋଇ ରହିଛି ଆମ ଚେତନାରେ ।

ସବିତାରାଣୀ ଏବେ ବି ମୋର ସର୍ବଶ୍ରେଷ୍ଠ ସାଥୀ ହୋଇ ଉଭା; ମୋ ବାପାବୋଉଙ୍କ ପରେ ମୋର ସବୁକାମରେ ମୋର ଶକ୍ତି ।

ମୋ ଝିଆରୀଟି ଡାକ୍ତରଖାନାରେ ପଡ଼ିଥିବା ହେତୁ ସେହି ଦୁଃଖରେ ଆଜି ଅବଶ୍ୟ ମାଛଭଜା ବା ମାଛଖିଆ ହେବନି ।

Advertisements