ସୂର୍ଯ୍ୟ ନ ଉଇଁବା ଯାଏଁ ଲଣ୍ଠନ ଅପେକ୍ଷା ଟର୍ଚ୍ଚ ହିଁ ଗ୍ରହଣୀୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ମୋଦି ବନାମ ରାହୁଲ ଗାନ୍ଧୀ – ଏହା ହିଁ ଏବର ରାଜନୀତିକ ବାସ୍ତବତା । ଉଭୟଙ୍କ ମଧ୍ୟରୁ ଆଗାମୀ ନିର୍ବାଚନରେ କିଏ ଅଧିକ ଗ୍ରହଣୀୟ ? – ଏହା ହିଁ ଏବର ମୁଖ୍ୟ ରାଜନୀତିକ ପ୍ରଶ୍ନ ।

ଏହି ପ୍ରଶ୍ନକୁ ଆସିବା ପୂର୍ବରୁ ଏହି ଉଭୟଙ୍କ ଭିନ୍ନ କାହିଁକି ଅନ୍ୟ କେହି ବିଚାର୍ଯ୍ୟ ନୁହନ୍ତି ତାହା ପ୍ରଥମେ ଦେଖିବା ।

ବିଜେପିର ମୋଦି ଓ କଂଗ୍ରେସର ରାହୁଲ – ଏଙ୍କ ଛଡ଼ା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଉ କେହି ଜାତୀୟ ନେତା ନାହାନ୍ତି । କମ୍ମ୍ୟୁନିଷ୍ଟମାନେ ଯଦି ଗୋଟିଏ ଦଳରେ ଆବିର୍ଭୁତ ହୋଇପାରିବେ ତେବେ ସେମାନଙ୍କ ନେତା ଏମାନଙ୍କ ବିକଳ୍ପ ନେତା ହେବେ । ସେତେବେଳେ ମୋଦି ଓ ରାହୁଲଙ୍କ ଛଦ୍ମ ପୁଞ୍ଜିବାଦ ଓ କମ୍ମ୍ୟୁନିଷ୍ଟମାନଙ୍କ ସ୍ପଷ୍ଟ ସମାଜବାଦ ଭିତରେ ଲଢ଼େଇହେବ ଓ ଏହି ମୋଦି ରାହୁଲଙ୍କ ପତ୍ତା ହଜିଯିବ କାହା କୌପୁନୀରେ ବା କାହା ପଣତରେ । ଭାରତର ସ୍ଵାଧୀନତା ପ୍ରକୃତ ଅର୍ଥରେ ଉପଲବ୍ଧ ହେବ ।

କିନ୍ତୁ ଯେହେତୁ କମ୍ମ୍ୟୁନିଷ୍ଟମାନେ ସେମାନଙ୍କ ସମ୍ପୂର୍ଣ୍ଣ ସଠିକ ଓ ଭାରତ ପାଇଁ ଏକାନ୍ତ ଆବଶ୍ୟକ ରାଜନୀତିକ ଅର୍ଥନୀତି ସତ୍ତ୍ବେ ଗୋଟିଏ ଦଳଭୁକ୍ତ ନୁହନ୍ତି , ସେହେତୁ ୨୦୧୯ ପ୍ରେକ୍ଷାପଟରେ ସେମାନେ ବିଚାର ପରିସରକୁ ବି ଆସିବା ସମ୍ଭବ ନୁହେଁ ।

ତେଣୁ ମୋଦି ଓ ରାହୁଲଙ୍କ ବିରୁଦ୍ଧରେ ତୃତୀୟ ମେଣ୍ଟ ବିକଳ୍ପ ଦେଇପାରେ ବୋଲି ଛଦ୍ମ ପୁଞ୍ଜିବାଦର କାଷ୍ଟିଂ କାଉଚ ସାଜିଥିବା ଓ ସାଜିବାକୁ ବ୍ୟଗ୍ର ଥିବା ଗଣମାଧ୍ୟମଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର ଚଳାଇଛନ୍ତି ଓ ଚଳାଇବେ ।

ତୃତୀୟ ମେଣ୍ଟ ଅର୍ଥ ଭାରତର ଆଞ୍ଚଳିକ ଦଳମାନଙ୍କ ସୁବିଧାବାଦୀ ମେଣ୍ଟ । ଏଠିକି ପ୍ରଥମେ ଆସିବା ।

ଆଞ୍ଚଳିକ ଦଳମାନେ ଭାରତର ରାଷ୍ଟ୍ରୀୟ ଐକ୍ୟ ଓ ସଂହତି ପାଇଁ ଘୋର କ୍ଷତିକାରକ ଓ ଆଜନ୍ମ ବିରୋଧାଭାସ ଦ୍ଵାରା ଆକ୍ରାନ୍ତ ଆମ ସମ୍ବିଧାନର ଅତି ନିକୃଷ୍ଟ ଉପସର୍ଗରୁ ଏଗୁଡ଼ିକର ସୃଷ୍ଟି । ଏଗୁଡ଼ିକର ନିଜସ୍ଵ କୌଣସି ରାଜନୀତିକ ଅର୍ଥନୀତି ନାହିଁ କି ରହିବା ବି ସମ୍ଭବ ନୁହେଁ । ଏ ସମସ୍ତ ଆଞ୍ଚଳିକ ଦଳ ମୂଳରେ ଥାଏ ଏଗୁଡ଼ିକର ପ୍ରତିଷ୍ଠାତାମାନଙ୍କ ସ୍ବାର୍ଥବାଦ, ଯେଉଁଥିରୁ ଉଦ୍ଭୁତ ହୁଏ ରାଜନୈତିକ ସୁବିଧାବାଦ । ଏହି ରାଜନୈତିକ ସୁବିଧାବାଦ ଏବେ ବ୍ୟାଧୀ ପରି ଭାରତକୁ ଦୁର୍ବଳ କରିବାରେ ଲାଗିଛି । ତେଣୁ ଆଞ୍ଚଳିକ ଦଳଗୁଡି଼କୁ ପ୍ରତ୍ୟାଖ୍ୟାନ କରିବା ହେଉଛି ପ୍ରତ୍ୟେକ ଦାୟିତ୍ଵଶୀଳ ନାଗରିକର ପ୍ରଥମ କର୍ତ୍ତବ୍ୟ ।

ଯଦି ଏହା ହିଁ ଠିକ୍ , ତେବେ ୨୦୧୯ ପାଇଁ କେବଳ ଦୁଇଜଣଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଆଖି ଆଗରେ ରଖି ବେଳଥାଉଁ ନିର୍ଣ୍ଣୟ ନେବାକୁ ହେବ । ସେମାନେ ହେଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦୀ କଙ୍ଗ୍ରେସ ସଭାପତି ରାହୁଲ ଗାନ୍ଧୀ ।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୋତାକୁ ଆଶ୍ରା କରି ଚାଲିଛନ୍ତି । ଏହା ଯଦି ନୁହେଁ , ସେ କେଉଁ ରାଜନୀତିକ ଅର୍ଥନୀତିର ଅନୁବର୍ତ୍ତୀ ବୋଲି ଏଯାଏଁ କହିନାହାନ୍ତି କାହିଁକି ?

ଏହି ପ୍ରଶ୍ନକୁ ଭୋଟରଙ୍କ ଭାବନା ପାଇଁ ଛାଡି, ରାହୁଲ ଗାନ୍ଧୀଙ୍କ ଉପରେ ଦୃଷ୍ଟିପାତ କରିବା । ମୋଦି ମନମୋହନଙ୍କ ପଦାଙ୍କ ଅନୁସରଣ କରି ଚାଲିଥିଲାବେଳେ ରାହୁଲ ହେଲେ ଏକମାତ୍ର ବ୍ୟକ୍ତି ଯେ କି ମନମୋହନ ସିଂହଙ୍କ ଅର୍ଥନୀତିକ ପ୍ରଶାସନକୁ ନନସେନ୍ସ (nonsense) ଶବ୍ଦରେ ଚାହଲାଇଦେଇଥିଲେ । ଯେଉଁ ବ୍ୟବସ୍ଥା ବିରୁଦ୍ଧରେ ସେଦିନ ରାହୁଲ ଏହିପରି ବିଦ୍ରୋହ କରିଉଠିଥିଲେ , ମୋଦି ସେହି ବ୍ୟବସ୍ଥାର ଉପାସକ, ଅନୁବର୍ତ୍ତୀ ଏବଂ କର୍ମନିର୍ବାହୀ ।

ଏତଦ୍ଦ୍ରୁଷ୍ଟିରୁ ଦେଖିଲେ ରାହୁଲ ହିଁ ଏକମାତ୍ର ବ୍ୟକ୍ତି ଯେ କି ମୋଦିଙ୍କ ଅପସାଶନ କବଳରୁ ଭାରତକୁ ଉଦ୍ଧାର କରିବାକୁ ସମର୍ଥ ହୋଇପାରନ୍ତି ଓ ମୋଦିଙ୍କଠାରୁ ଯଥେଷ୍ଟ ଭଲ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ଏହାର ଅର୍ଥ ନୁହେଁ ଯେ, ଏ ଉଭୟଙ୍କ ଭିତରୁ କେହି ବି ରାଜନୀତିକ ଅର୍ଥନୀତି ଭିତ୍ତିରେ ଆମ ପାଇଁ କାମ୍ୟ । ଯେହେତୁ ଏକ ନିରୁପାୟ ନିର୍ବାଚନ (Hobson’s Choice) କରିବାକୁହିଁ ହେବ , ଏଙ୍କ ଭିତରୁ ଜଣଙ୍କ ପ୍ରତି ହିଁ ପସନ୍ଦ ଜାରି କରିବାକୁ ହେବ । ଅନ୍ୟ ଉପାୟ ନାହିଁ ।

ବଜୂରୀ ଡାଲି ଓ ଖେସାରି ଡାଲି ଭିତରୁ କେଉଁଟି ଭଲ ବୋଲି ପଚାରିଲେ ଜଣେ ଜାଣିଥିବା ବ୍ୟକ୍ତି ନିଶ୍ଚୟ କହିବ ଖେସାରି ଡାଲି ଭଲ, ଯଦିଓ ଏହା ବି ସ୍ବାସ୍ଥ୍ୟ ପାଇଁ ପ୍ରକୃତରେ ହିତକାରକ ନୁହେଁ ।

ଏହି ବାସ୍ତବତା ଭିତ୍ତିରେ ଯଦି ପ୍ରକୃତରେ ଭାରତକୁ ଏହି ଉପସ୍ଥିତ ମହାବିପତ୍ତିରୁ ରକ୍ଷା କରିବାକୁ ହେବ, ନିଜର ହୀନ ସ୍ବାର୍ଥାଭିସନ୍ଧି ଛାଡି ରାହୁଲଙ୍କ ସାଥୀରେ ଠିଆହେବଙ୍କୁ ହେବ ; କାରଣ ଯେଉଁମାନଙ୍କ ରାଜନୀତିକ ଅର୍ଥନୀତି ଭାରତକୁ ବଞ୍ଚାଇପାରନ୍ତା ସେହି କମ୍ମ୍ୟୁନିଷ୍ଟମାନେ ପ୍ରକୃତ ଶକ୍ତିଭାବେ ଏବେ ବି ଉଦିତ ହୋଇନାହାନ୍ତି ।

ସୂର୍ଯ୍ୟ ଉଇଁବା ଯାଏଁ ଲଣ୍ଠନ ବା ଟର୍ଚ୍ଚ ଧରି ରାସ୍ତା ପାରି ହେବାକୁ ହୁଏ । ଟର୍ଚ୍ଚ ଯଦି ମିଳୁଛି , ଲଣ୍ଠନକୁ ବର୍ଜନ କରିବା ହିଁ ଶ୍ରେୟସ୍କର ।

Author: Subhas Chandra Pattanayak

I have a permanent question for me: Why I write? And, my answer to my question is: I write, because the people have the right to be informed.

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

%d bloggers like this: