ସୁଭାଷ ଚନ୍ଦ୍ର ପଟ୍ଟନାୟକ
“ଦିନରାତି ମୋର ସେହି ଚିନ୍ତା
ଭାଇ ସେହି ଚିନ୍ତା
ଏ ସରକାର ଶବ ଦାହ ହେବ କେବେ
ଦେଖିବି ମୁଁ ତାର ଶେଷ ଚିତା ।”
ଏହାର ଲେଖକ ଆଗ୍ନେୟ ବିପ୍ଲବୀ ଜାତୀୟ କବି ବୀର କିଶୋର ଦାସ ଆଜି ଦିନରେ ଆଖିବୁଜିଥିଲେ ।
ଦେଶ ସ୍ଵାଧୀନତା ପାଇଥିଲା ଯେଉଁମାନଙ୍କ କାରାବରଣ ଓ ଚରମ ତ୍ୟାଗର ପ୍ରଭାବରେ ସେହିମାନଙ୍କ ଭିତରୁ ବୀରକିଶୋର ଥିଲେ ଜଣେ , ଯାହାଙ୍କ ଅନ୍ତର୍ଭେଦୀ ଦୁରଦୃଷ୍ଟି ଦେଖିପାରିଥିଲା ଅନ୍ତର୍ସଙ୍ଘାତ ପ୍ରପୀଡ଼ିତ ଭାରତ କି ଦଶା ଭୋଗିବାର ଅଛି । ସମ୍ବିଧାନ ପ୍ରଣୟନ ସଭାର ଶେଷ ବିତର୍କରେ ଆମ୍ବେଦକର ସ୍ବୀକାର କରିଥିଲେ କି, ବ୍ୟକ୍ତିଗତ ସମ୍ପତ୍ତିକୁ ମୌଳିକ ଅଧିକାରର ଅନ୍ତର୍ଭୁକ୍ତ କରାହୋଇଥିବାରୁ ଭାରତୀୟ ସମ୍ବିଧାନ ଯେଉଁ ଜନରାଜ୍ୟକୁ ସୃଷ୍ଟିକରିବ ତାହା ହେବ ଅଜନ୍ମ ଅନ୍ତର୍ସଙ୍ଘାତ ପ୍ରପୀଡ଼ିତ । କିନ୍ତୁ ସେହି ଜନରାଜ୍ୟର ପ୍ରଥମ ସଂସଦ ଚାହିଁଲେ ଏହି ଅନ୍ତର୍ସଙ୍ଘାତ ଅପସାରଣ କରିପାରିବ ସାମ୍ୟବାଦ ମାଧ୍ୟମରେ । ଯଦି ତାହା ନ ହୁଏ, ଅର୍ଥନୈତିକ ବୈଷମ୍ୟ ଦ୍ଵାରା ଆକ୍ରାନ୍ତ ନାଗରିକମାନେ ଏହି ଜନରାଜ୍ୟକୁ ଭାଙ୍ଗି ଚୁରମାର କରିଦେବେ । କତିପୟ ଧନୀ ଲୋକଙ୍କ ଧୂର୍ତ୍ତତା ହେତୁ ତଥାକଥିତ ମିଶ୍ର ଅର୍ଥନୀତି ମାଧ୍ୟମରେ କଳାବେପାରୀମାନେ ଯେତେବେଳେ ନିର୍ବାଚନ ନିୟନ୍ତ୍ରଣ କଲେ ଓ ପ୍ରଥମ ସଂସଦ ସେହିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଗଲା , ଦେଶରେ ଯାହା ହେଲା ତାକୁ ଲକ୍ଷ କରି ବୀରକିଶୋର ଚିତ୍କାର କରି ଉଠିଥିଲେ :
“ଧନୀ , ମହାଜନ , ରାଜା , ଜମିଦାର
ତ୍ୟାଗମାଳି ଧରି ହୋଇବେ ବାହାର ;
ଗେରୁଆ ବସନ ମଧୁର ବଚନ
ଶୁଣି ନିଜ ନୀତି ଭୁଲିବା କି ?
ଧଳା ବଦଳରେ କଳା ହେଲେ ଯୋକ
ମେଣ୍ଟିବ କି କୋଟି ଗରିବଙ୍କ ଦୁଃଖ ?
ଚାଷୀ ମୂଲିଆଙ୍କ ଖପୁରିକି ଚୁରି
ଦିଲ୍ଲୀ ଦରବାର ତୋଳିବା କି ?”
ଆଜି ଏହି ମହାତ୍ମାଙ୍କ ତିରୋଧାନ ଦିବସ ।
ଆଜି ଯେତେବେଳେ ସାରା ଓଡିଶା କୁଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରୁଛି, ସେତେବେଳେ, ତହିଁର ସମତାଳରେ ଏହି ଅନନ୍ୟ ବିପ୍ଳବୀଙ୍କ ଅନିର୍ବାଣ୍ୟ ସ୍ମୃତି ପ୍ରତି ମୁଁ ଗଭୀର ଶ୍ରଦ୍ଧାର ଅର୍ଘ୍ୟ ଅର୍ପଣ କରୁଛି ।