ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଯାଞ୍ଚକୁ କେନ୍ଦ୍ରକରି ଚାଲିଥିବା ଓ ହେବାକୁଥିବା ପ୍ରହସନ ବନ୍ଦ ହେବା ଦରକାର । ଯାଞ୍ଚ ହେଲେ ଆତ୍ମହତ୍ୟା ପାଇଁ ଜଣେ ସେବକଙ୍କ ଧମକ , ଓଡିଶା ଉଚ୍ଚ ଅଦାଲତର ଜଣେ ବିଚାରପତି ବି ଯାଞ୍ଚ ଗୋଷ୍ଠୀରେ ଭିତରକୁ ଯିବେ ଏବଂ ତାଙ୍କ ସମେତ ଯିଏ ଯିବେ ସେ ଲୋକନାଥଙ୍କ ପୂଜା ଅର୍ଚ୍ଚନା କରି ଭିତରକୁ ପଶିବେ ଓ ଯାହା ଦେଖିବେ ତାହା କାହାକୁ ନକହିବେ ବୋଲି ଶପଥ ନେବାର ପ୍ରସ୍ତାବ – ଏପରି ନାନା କୌତୁହଳୋଦ୍ଦୀପକ ପୂର୍ବରାଗ ଘୋର ସନ୍ଦେହ ସୃଷ୍ଟି କରୁଛି କି ଯେଉଁମାନେ ଜାଣନ୍ତି ତା ଭିତରେ କଣ ଅଛି ସେମାନେ ତାହା ଆଉ କାହାକୁ ଜଣାଇବାକୁ ଚାହାନ୍ତିନାହିଁ । ଯଦି କୌଣସି ଧର୍ତ୍ତବ୍ୟ ଅପରାଧର ପ୍ରମାଣ ତା ଭିତରେ ଛପି ନଥାଏ ଏତେ ଗୋପନୀୟତା କାହିଁକି ?
କୌଣସି ଓଡ଼ିଆ ନାହିଁ ଯିଏ ଶ୍ରୀଜଗନ୍ନାଥଙ୍କୁ ତା ପରିବାରର ଅସଲ ମୁରବି ବୋଲି ନମାନେ । ସରଳବିଶ୍ଵାସୀ ଓଡ଼ିଆ ପାଇଁ ସେ ତାର ଆତ୍ମାର ଆଧାର , ତାର ପ୍ରେମର କେନ୍ଦ୍ର, ତା ନିଜର ପରିଚୟ , ତାର ଆଧ୍ୟାତ୍ମିକ ଜିଜ୍ଞାସାର ଉତ୍ତର, ତା ନିରୀଶ୍ଵରବାଦୀ ଚେତନାର ଉର୍ଜନା , ତାର ଅସ୍ମିତାର ଅନ୍ୟରୂପ । କିନ୍ତୁ କିଛି ଲୋକଙ୍କ ଆଧିପତ୍ୟ କବଳରେ ଅଛନ୍ତି ଏହି ଜଗନ୍ନାଥ, ଯେଉଁମାନେ ଏହାଙ୍କ ନାମ ବିକି ଚଳୁଛନ୍ତି ଓ ବୁଦ୍ଧରୁ ଏହାଙ୍କୁ ବନେଇ ସାରିଛନ୍ତି କେବଳ ବିଷ୍ଣୁ ।
ଯେଉଁ ଲୋକମାନେ ତାଙ୍କୁ ମାଡ଼ିବସିଛନ୍ତି, ସେମାନେ ତାଙ୍କ ସମ୍ପତ୍ତିକି ବି ମାଡ଼ିବସିଛନ୍ତି । ସେମାନେ ଚାହନ୍ତିନି ଯେ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପୂର୍ଣ୍ଣତଃ ଆସୁ ଲୋକଙ୍କ ଅବଗତିକୁ । କିନ୍ତୁ ସେ ସମ୍ପତ୍ତି ହେଉଛି ଲୋକଙ୍କର ଯାହା ସେମାନେ ହିଁ ତାଙ୍କୁ ଦେଇଛନ୍ତି । ସେ ସବୁ ଗୋଟି ଗୋଟି ହୋଇ ଲୋକଙ୍କ ସାମ୍ନାକୁ ଆସିବା ଦରକାର । ସୁନା ରୁପାରୁ ଆରମ୍ଭ କରି ଯେତେ ରତ୍ନ ତା ଭିତରେ ଅଛି ସେ ସମସ୍ତର ପରିମାଣ, କିସମ, ଓଜନ, ଆୟତନ ଇତ୍ୟାଦି ଟିକିନିଖି ଯାଞ୍ଚ ହୋଇ ପଞ୍ଜିକୃତ ହେବା ଦରକାର ଓ ଆଗରୁ ଯଦି କିଛି ଏପରି ଯାଞ୍ଚ ହିସାବ ଥାଏ ତା ସହ ତୁଳନା କରାଯାଇ ତହିଁରୁ କେତେ ଅଛି ଓ କେତେ ଗାଏବ ହୋଇଛି ତାହା ଲୋକଙ୍କୁ କୁହାଯିବା ଦରକାର ଓ ନୂତନ, ନିରାପଦ ଏକ ‘ସୁଦୃଢ଼ କକ୍ଷ’ (Strong Room) ତିଆରି କରାଯାଇ ଉତ୍ତରଦାୟୀ ସୁରକ୍ଷାକର୍ମୀଙ୍କ ଜଗାରଖାରେ ରଖାଯିବ ଦରକାର । ଲୋକେ ସର୍ବଦା ଓ ସର୍ବଥା ଅବଗତ ହେବା ଦରକାର ଯେ, ସେମାନଙ୍କ ଈଷ୍ଟଦେବଙ୍କର ସମ୍ପତ୍ତି କେତେ , ତାହା ଠିକ ରହୁଛି କି ବଢୁଛି କି କ୍ଷୟ ହେଉଛି । ଲୋକନାଥ ଜଗିଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲେଇବା ବନ୍ଦ ହେବା ଦରକାର ।
ଯଦି ଜଗନ୍ନାଥଙ୍କର ପ୍ରକୃତରେ ବିପୁଳ ରତ୍ନ-ସମ୍ପତ୍ତି ଥାଏ, ତେବେ ତାହାର କୌଣସି ବିଧିବଦ୍ଧ ସରକାରୀ ହିସାବ ନଥାଇ କେଇଜଣ ମନ୍ଦିର ସେବକଙ୍କ ହାତରେ ତାକୁ ଯେପରି ଛାଡ଼ିଦିଆଯାଇଛି ଓ ଭଣ୍ଡାର ଯାଞ୍ଚ ହେବ ବୋଲି ଶୁଣି ସେମାନେ ଯେପରି ଲୋକନାଥଙ୍କ ସାପ ଭୟ ଦେଖାଇ ସେମାନଙ୍କ ପାଖରେ ସରକାରଙ୍କୁ ଆଣ୍ଠେଇବାକୁ ଚେଷ୍ଟା କରୁଛନ୍ତି ତାହା ସେହି ଗୁପ୍ତ ହୋଇ ରହିଥିବା ସମ୍ପତ୍ତିର ସ୍ଥିତି ଉପରେ ସନ୍ଦେହ ସୃଷ୍ଟି କରୁଛି । ଚାବିଧାରୀମାନେ ନିଜ ନିଜ ଭିତରେ ସଲାସୁତରା ହୋଇ ଯଦି ପରିମାଣ ଅଜଣା ସେହି ରତ୍ନ ଲୁଟ କରୁଥିବେ କିଏ ବା କେମିତି ଜାଣିବ ? ଅନ୍ଧବିଶ୍ଵାସର ଅଫିମ ଗୁଳା ଯେ ଏ ଯାଏଁ ନିଜ ଈଷ୍ଟଙ୍କର ସମ୍ପତ୍ତି ଜାଣିବା ପାଇଁ ଦାବି କରିବାର ସାହସରୁ ଲୋକଙ୍କୁ ଦୂରେଇ ରଖିଛି ଏହା କଣ କୌଣସି ବ୍ୟାଖ୍ୟାର ଅପେକ୍ଷା ରଖେ ?
ଯଦି ଏପରି ଏକ ସୁରକ୍ଷିତ ସୁଦୃଢ଼ କକ୍ଷରେ ଜଗନ୍ନାଥଙ୍କ ସମସ୍ତ ଚଳନ୍ତି ସମ୍ପତ୍ତିକୁ ରଖାନଯାଏ ତେବେ ନିମ୍ନଲିଖିତ ପଦକ୍ଷେପ ନିଆଯାଉ :
(୧) ସମସ୍ତ ଚାଲନ୍ତି ସମ୍ପତ୍ତି – ନିଦା ରତ୍ନାଦି ସମେତ ସମସ୍ତ ବ୍ୟବହୃତ ଅବ୍ୟବହୃତ ଅଳଙ୍କାରକୁ କିସମ ଉଆରି ଗଣନା କରି , ଓଜନ କରି , ଠିକଣାଭାବେ ପଞ୍ଜିକୃତ କରି ତ୍ରୁଟିହୀନ ଭାବେ ରତ୍ନ ଭଣ୍ଡାର ମରାମତି କରି ସେଠାରେ ରଖାଯାଉ ଓ ନିୟମିତ ଯାଞ୍ଚର ବ୍ୟବସ୍ଥା କରାଯାଉ ;
(୨) ଜଗନ୍ନାଥଙ୍କ ସମସ୍ତ ସେବକଙ୍କ ସମଗ୍ର ପରିବାରର ନାମ ଓ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଉ ଓ କେତେ କେତେ ସୁନା ଓ ରତ୍ନ ଅଳଙ୍କାର ସେମାନଙ୍କର ଅଛି ତାହା ତାଲିକାଭୁକ୍ତ କରାଯାଉ ; କାରଣ ଯଦି ଭବିଷ୍ୟତରେ ରତ୍ନ ଭଣ୍ଡାରରେ ପଞ୍ଜିକୃତ ହୋଇ ରଖାଯିବା ରତ୍ନରୁ କିଛି ଗାଏବ ହୋଇଥିବା ଦେଖାଯାଏ ତେବେ ତହିଁର ଅନୁସନ୍ଧାନରେ ଏହା ସହାୟକ ହେବ ;
(୩) ଗଜପତିଙ୍କ ପାଖରେ ଯେହେତୁ ରତ୍ନ ଭଣ୍ଡାରର ଗୋଟିଏ ଚାବି ଥାଏ , ସେହେତୁ ତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ଅଳଙ୍କାର ତାଲିକା ସେ ପ୍ରଦାନ ବି କରନ୍ତୁ ।
ଆମେ କାହାକୁ ଅବିଶ୍ବାସ କରିବା କଥା କହୁନାହୁଁ କି କାହାର ଅମର୍ଯ୍ୟାଦା କରିବାର ଅଭିସନ୍ଧି ଆମର ନାହିଁ । ମାତ୍ର, ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଯାହା କିଛି ଗୋପନ ଅଛି ତାହା ପଦାକୁ ଆସିବା ଆବଶ୍ୟକ । ଜଗନ୍ନାଥ ଲୋକଙ୍କର ଓ ଲୋକେ ତାଙ୍କ ସମ୍ପତ୍ତି ସମ୍ପର୍କରେ ସବୁ କଥା ଜାଣିବା ଦରକାର ।
One thought on “ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର: ପ୍ରହସନ ବନ୍ଦ ହେଉ, ସକଳ ରତ୍ନର ତାଲିକା ହେଉ”