Saubhasya

Official Website of Sri Subhas Chandra Pattanayak of Tigiria

ବନ୍ଦେ ଉତ୍କଳ ଜନନୀ : ଏକ ପ୍ରଶ୍ନ ଓ ପ୍ରାସଙ୍ଗିକତା

ବିଦେଶବାସୀ ଓଡ଼ିଆମାନଙ୍କ ମଧ୍ୟରେ ସୁବିଦିତ , ମାତୃଭୂମିବତ୍ସଳ ପ୍ରଫେସର ଦେବସ୍ମିତ ମିଶ୍ର ଏକ ମହାଶୂନ୍ୟୀୟ ସାମାଜିକ ସମ୍ପର୍କ ମଞ୍ଚରେ ସ୍ବଗତୋକ୍ତି ଛଳରେ ଓଡ଼ିଶାର ନିଜସ୍ବ ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରେ କୋଶଳ, ଉଡ୍ର ଆଦି ଓଡ଼ିଆ ଜନନୀମାନଙ୍କ ନାମୋଲ୍ଲେଖ ନ ଥିବାରେ ବିସ୍ମୟ ପ୍ରକାଶ କରିଛନ୍ତି ।

ଏହି ସ୍ବଗତୋକ୍ତି ସବୁ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ , କାରଣ ଅନେକ ଅବଚେତନ ମନର ପ୍ରଶ୍ନ ଏଥିରେ ନିନାଦିତ । ସେହେତୁ , ତହିଁ ପ୍ରତି ଯଥା ସମ୍ଭବ ଦୃଷ୍ଟିପାତ ଆବଶ୍ୟକ।

ସାଧାରଣତଃ ଏବେ ଧରିନିଆଯାଉଛି ଯେ ଉତ୍କୃଷ୍ଟ କଳାର ଦେଶ ଉତ୍କଳ । ମାତ୍ର ଶବ୍ଦରୂପ ଦୃଷ୍ଟିରୁ , ଯେଉଁ ମାଟିର ଲୋକଙ୍କ କଳନା ଉତ୍କୃଷ୍ଟ , ସାହିତ୍ୟ ଓ ସଙ୍ଗୀତ ଉତ୍କୃଷ୍ଟ , ପ୍ରେରଣା ଉତ୍କୃଷ୍ଟ , ରକ୍ଷଣ ଶୈଳୀ ଉତ୍କୃଷ୍ଟ , ସେ ମାଟି ହେଲା ‘ଉତ୍କଳ’ (ଉତ୍ = ଉତ୍କୃଷ୍ଟ +କଳ = କଳନା କରିବା, ଶବ୍ଦ କରିବା, ପ୍ରେରଣ କରିବା, ରକ୍ଷଣ କରିବା) । ଅତୀତ ଓଡ଼ିଶାର ଇତିହାସ ଏହି ସମସ୍ତ ବିଭବରେ ଭରପୁର । ଅଧିକନ୍ତୁ , ଗମନ କରିବା ଅର୍ଥରେ ମଧ୍ୟ ‘ଉତ୍କଳ’ ଶବ୍ଦ ସ୍ବୀକୃତ (ଗମ୍ + ଅ ବା ଉତ୍ + କଳା + ଅ) ।

‘ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ’ ଗ୍ରନ୍ଥରେ ଇତିହାସର ସ୍ବୀକୃତ ତଥ୍ୟାବଳି ଆଧାରରେ ମୁଁ ଦର୍ଶାଇଛି ଯେ, ପୃଥିବୀର ବିଭିନ୍ନ ସ୍ଥାନରେ ଉପନିବେଶ ସ୍ଥାପନରେ ଭାରତୀୟମାନଙ୍କ ଭିତରେ ଓଡ଼ିଆମାନେ ହିଁ ସର୍ବ ପ୍ରଥମ ଓ ସର୍ବ ପ୍ରଧାନ ଥିଲେ ଓ ବ୍ରିଟିଶ ଶାସନ କାଳରେ ବିଦେଶୀଙ୍କ ପୋଷାମନା ହୋଇପଡ଼ିଥିବା କେତେକ ଧୂର୍ତ୍ତ ପଡ଼ୋଶୀଙ୍କ ଷଡ଼ଯନ୍ତ୍ର ହେତୁ ଧ୍ବଂସ ପାଇଯିବା ପର୍ଯ୍ୟନ୍ତ ଓଡ଼ିଶାର ନୌବହର, ବିଲାତି ଶାସକମାନଙ୍କ ସ୍ବୀକାରୋକ୍ତି ଅନୁସାରେ ବି , ଭାରତରେ ସର୍ବ ଶ୍ର୍ରେଷ୍ଠ ନୌବହର ହୋଇ ରହିଥିଲା । ଓଡ଼ିଶାରୁ ଉଦ୍ଭୂତ ହୋଇ ବୌଦ୍ଧଧର୍ମ ଯେ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ପ୍ରସରିଗଲା, ତା ମୂଳରେ ଥିଲା ତାର ଅତୂଳନୀୟ ନୌବହର ଏବଂ ବିଶ୍ବର ବିଭିନ୍ନ ସ୍ଥାନକୁ ଗମନ କରିବା ପାଇଁ ପ୍ରାଚୀନ ଓଡ଼ିଆର ଉତ୍ସୁକତା ଓ ସେହେତୁ ବିଭିନ୍ନ ସ୍ଥାନରେ ଉପନିବେଶ ସ୍ଥାପନ ଏବଂ ତହିଁରୁ ବିସ୍ତିର୍ଣ୍ଣ ଆୟ ଉପାର୍ଜନ , ଇତ୍ୟଦି ଇତ୍ୟାଦି । ଓଡ଼ିଆ ସାଧବମାନେ ଥିଲେ ବୁଦ୍ଧଙ୍କର ପ୍ରଥମ ଶିଷ୍ୟ ଓ ସେହିମାନଙ୍କ ସହାୟତାରେ ବୌଦ୍ଧଧର୍ମ ପରିବ୍ୟାପ୍ତ ହୋଇଥିଲା । ଓଡ଼ିଆ ସାଧବମାନେ ବି ଓଡ଼ିଶା ବାହାରେ ବୁଦ୍ଧଙ୍କ ତିରୋଧାନ ସ୍ଥଳରେ ପହଞ୍ଚି ତାଙ୍କର ଶେଷ ସଂସ୍କାର କରିଥିଲେ ଓ ତାଙ୍କର ଦେହାବଶେଷ , ଦାନ୍ତ ସଂଗ୍ରହ କରି ଓଡ଼ିଶା ଆଣିଥିଲେ , ଯାହା ତାଙ୍କ ଜନ୍ମସ୍ଥାନ କପିଳବାସ୍ତୁ (ବର୍ତ୍ତମାନର ଭୁବନେଶ୍ବର ନିକଟବର୍ତ୍ତୀ କପିଳେଶ୍ବର) ଠାରେ ସଂରକ୍ଷିତ ହୋଇ ପୂଜା ପାଉଥିଲା । ପରେ ସିଦ୍ଧାଚାଯର୍୍ୟ ଇନ୍ଦ୍ରଭୂତି , ବୁଦ୍ଧଙ୍କ ମରଣୋତ୍ତର କାଳରେ ପରିସୃଷ୍ଟ ‘ଶୂନ୍ୟବାଦ’ର ନିଷ୍ଫଳତା ଲକ୍ଷ୍ୟ କରି , ଅଦୃଶ୍ୟ ‘ଶୂନ୍ୟରୂପ’ରୁ ତାଙ୍କୁ ଏକ ଦୃଶ୍ୟମାନ ରୂପ ପ୍ରଦାନପାଇଁ ଉଦ୍ୟମ କରି ଯେତେବେଳେ ଗଗନୋପମ ଗୁରୁଦେବଙ୍କୁ ‘ଜଗନ୍ନାଥ’ କଲେ, ସେତେବେଳେ ବୁଦ୍ଧଙ୍କର ସେହି ଦନ୍ତ ‘ଧାତୁ’ (ମୂଳ ଭିତ୍ତି) ଭାବେ ସେହି ଜଗନ୍ନାଥଙ୍କ ଉଦରରେ ସଂସ୍ଥାପିତ ହୋଇଥିଲା । କପିଳବାସ୍ତୁରୁ ଭୁବନେଶ୍ବର ଦେଇ କୋଣାକର୍ ବାଟେ ପୁରୀ ପଯର୍୍ୟନ୍ତ ତଦାନୀନ୍ତନ କୂର୍ମପାଟକପୁରର ବୁଦ୍ଧାନୁଗାମୀମାନେ ଜଗନ୍ନାଥ ବୁଦ୍ଧଙ୍କ ମନ୍ଦିର ନିର୍ମାଣ କରିଥିଲେ ଓ ତାହା ହୋଇଉଠିଥିଲା ବୌଦ୍ଧଧର୍ମର ପାବନପୀଠ । ଇନ୍ଦ୍ରଭୂତିଙ୍କୁ କିପରି ଇନ୍ଦ୍ରଦ୍ୟୁମ୍ନ ଓ କୂର୍ମ ପାଟକ ପୁରର ସେହି ମନ୍ଦିରନିର୍ମାଣକାରୀମାନଙ୍କୁ ଇନ୍ଦ୍ରଦ୍ୟୁମ୍ନପୋଖରୀର କଇଁଛ ସଜାଇ ବିଭ୍ରାନ୍ତିକର କିମ୍ବଦନ୍ତୀ କବଳରେ ଓଡ଼ିଶାର ସେହି ଅନନ୍ୟ ଉଜ୍ଭଳ ଅଧ୍ୟାୟକୁ ଚାପି ଦିଆଯାଇଛି ତାହା ମୋର ପୂର୍ବ ସୂଚୀତ ପୁସ୍ତକରେ କିଛି ପରିମାଣରେ ଆଲୋଚିତ ହୋଇଛି ; ମାତ୍ର ଏବପାଇଁ ଯାହା ପ୍ରାସଙ୍ଗିକ , ତାହା ହେଲା , ଯେଉଁ ଓଡ଼ିଆ ସାଧବମାନେ ପ୍ରଥମେ ବୌଦ୍ଧଧର୍ମ ଗ୍ରହଣ କରି ତାକୁ ସଂପ୍ରସାରିତ କରିଥିଲେ ଓ ଯେଉଁ ସାଧବମାନଙ୍କ ହେତୁ ବୁଦ୍ଧଙ୍କ ଦେହାବଶେଷ ଦନ୍ତ ଓଡ଼ିଶା ଆସିପାରିଥିଲା ଓ ଜଗନ୍ନାଥ ପରିସର୍ଜନାର ମୂଳାଧାର ହୋଇଥିଲା, ସେହି ଓଡ଼ିଆ ସାଧବମାନେ ନିଜ ନିଜ କଳନାଶକ୍ତିସମ୍ପନ୍ନତା ଓ ଗମନଶୀଳତା ହେତୁ ସେପରି କରିପାରିଥିଲେ ଓ ‘ଉତ୍କଳ’ ଶବ୍ଦର ମୂଳରୂପ (ଉତ୍ + କଳ) ଓ (ଗମ୍ + ଅ ବା ଉତ୍ + କଳା + ଅ)ର ଯାଥାଥର୍୍ୟ ପ୍ରତିପାଦିତ କରିଥିଲେ ।

ଦେବସ୍ମିତଙ୍କ ଉତ୍ଥାପିତ ଅଞ୍ଚଳଗୁଡ଼ିକ ଥିଲା ସେହିମାନଙ୍କ ଆବାସସ୍ଥଳୀ ଓ ସେଥିପାଇଁ ସେମାନଙ୍କ ସାମଗ୍ରିକ ଆବାସସ୍ଥଳୀ ଉତ୍କଳ ନାମରେ ବିଦିତ ଥିଲା ।

ବୁଦ୍ଧଙ୍କର ଜନ୍ମସ୍ଥାନ ଭାବେ ଉତ୍କଳ ଥିଲା ବୈଦିକ ଧର୍ମର ପ୍ରଥମ ଓ ପ୍ରଧାନ ପ୍ରତିରୋଧକାରୀ ଅଞ୍ଚଳ । ଜନ ସମାଜର ପରିଚାଳନାପାଇଁ ଉଭୟ ଧର୍ମ ଥିଲେ ଦୁଇ ଭିନ୍ନ ଭିନ୍ନ ରାଜନୈତିକ ଆଦର୍ଶ ; ଦୁଇ ଭିନ୍ନ ଭିନ୍ନ ରାଜନୈତିକ ମଞ୍ଚ । ବୈଦିକଧର୍ମ ରାଜକୈନ୍ଦ୍ରିକ ସାମ୍ରାଜ୍ୟବାଦର ପ୍ରବର୍ତ୍ତକ ଥିଲା ବେଳେ ବୌଦ୍ଧଧର୍ମ ସଂଘୀୟ ଗଣତନ୍ତ୍ରର ପ୍ରଚୋଦକ ଥିଲା । ପ୍ରଥମଟି କର୍ତ୍ତୃବାଦକୁ ଆଧାର କରି ନିଜର ଦାର୍ଶନିକ ତତ୍ତ୍ବ ପ୍ରବର୍ତ୍ତନ କରିଥିଲା । ବ୍ରହ୍ମା ବା ଦୈବ ହିଁ ସୃଷ୍ଟି କର୍ତ୍ତା ବୋଲି ଦାବି କରି ଏହି ଦର୍ଶନ ତାଙ୍କ ଇଛାନୁସାରେ ସମାଜ ଚାଲିବାକୁ ଯେପରି ବାଧ୍ୟ ହୁଏ ତା ପାଇଁ ବ୍ୟବସ୍ଥା ଖଞ୍ଜିଥିଲା ଏବଂ ସେ ବ୍ୟବସ୍ଥାକୁ କାଯର୍୍ୟକାରୀ କରିବାକୁ ରାଜତନ୍ତ୍ର ଓ ଜାତିତନ୍ତ୍ର ତିଆରି କରିଥିଲା ଓ ତଦ୍ଦ୍ବାରା ଶ୍ରମଶୋଷଣକାରୀ ଅର୍ଥନୀତି ପ୍ରବର୍ତ୍ତନ କରିଥିଲା । ବୌଦ୍ଧଧର୍ମ କର୍ତ୍ତୃବାଦକୁ ପ୍ରତ୍ୟାଖ୍ୟାନ କରି ଶାଂଖ୍ୟ ସୂଚିତ ‘କାରଣବାଦ’ ଉପରେ ଗୁରୁତ୍ବ ଦେଇଥିଲା । କର୍ମ କଲେ ଜଣେ ସେହି କର୍ମର କର୍ତ୍ତା ହୁଏ ; କିନ୍ତୁ ‘କାରଣ’ ନ ଥାଇ କେହି କୌଣସି କର୍ମ କରେ ନାହିଁ । ସୁତରାଂ ‘କାରଣ’ ମୁଖ୍ୟ , ‘କର୍ତ୍ତା’ ଗୌଣ — ଏହି ଯୁକ୍ତି ଉପରେ ଗଢ଼ିଉଠିଥିଲା ‘କାରଣବାଦ’ । ଏତତ୍ଦୃଷ୍ଟିରୁ , ‘କର୍ତ୍ତୃବାଦ’ ପରିସୃଷ୍ଟ ସାମାଜିକ ବୈଷମ୍ୟର ଘୋର ପ୍ରତିରୋଧକ ଥିଲା ‘କାରଣବାଦ’ ।

କୌଣସି ଅଦୃଶ୍ୟ ବ୍ରହ୍ମଲୋକ ନୁହଁ, ପରନ୍ତୁ ଦୃଶ୍ୟମାନ ପୃଥିବୀର କୋଳ ହିଁ କାରଣଭିତ୍ତିକ ସୃଷ୍ଟିର ଭଦ୍ଭବସ୍ଥଳ ବୋଲି କହି, ପୃଥିବୀର ସବୁ ସନ୍ତାନ ପରସ୍ପର ସହବନ୍ଧିତ ବୋଲି ନିର୍ଣ୍ଣୟ ଦେଇ ବୌଦ୍ଧଧର୍ମ ଆଦିମ ଅଧିବାସୀମାନଙ୍କ ଜନରାଜ୍ୟ ଅନୁକ୍ରମେ ସମାଜର ସଙ୍ଘୀୟ ପରିଚାଳନା ଚାହୁଁଥିଲା ଓ ଆଧୂନିକ ସାମ୍ୟବାଦ ପରି ଗଣତାନ୍ତିକ କୈନ୍ଦ୍ରୀକତା ଢାଞ୍ଚାରେ ବୁଦ୍ଧ ନିଜ ସଙ୍ଘ ଗଠନ କରିଥିଲେ ।

ସୃଷ୍ଟିରହସ୍ୟ ସାବ୍ୟସ୍ତିକରଣ ଉପରେ ଏହି ଦୁଇ ବ୍ୟବସ୍ଥାର ରାଜନୈତିକ ଯାଥାଥର୍୍ୟ ନିର୍ଭରଶୀଳ ଥିବା ହେତୁ, ସେଗୁଡ଼ିକ ସପକ୍ଷରେ ୟୁକ୍ତିର ପ୍ରବାହ ଭିତରେ ଦୁଇ ଭିନ୍ନ ଭିନ୍ନ ସମାଜ ଦାନା ବାନ୍ଧିଥିଲା । ସେଗୁଡ଼ିକ ହେଲା ‘ବୀଜପ୍ରଧାନ’ ସମାଜ ଓ ‘କ୍ଷେତ୍ରପ୍ରଧାନ’ ସମାଜ ।

ଭୂମି ଥିଲେ ମଧ୍ୟ ତହିଁରେ ମଞ୍ଜି ନ ପଡ଼ିଲେ ଯେପରି ଗଛ ହୁଏ ନାହିଁ , ପୁରୁଷର ବୀଯର୍୍ୟ ବିନା କୌଣସି ନାରୀ ସେପରି ଗର୍ଭବତୀ ହୁଏ ନାହିଁ ବୋଲି ଦର୍ଶାଇ ବ୍ରହ୍ମା ପୁରୁଷ ହୋଇଥିବା ହେତୁ ହିଁ ସୃଷ୍ଟିକର୍ତ୍ତା ଓ ତାଙ୍କ ପ୍ରଦତ୍ତ ବେଦ ଓ ଅଧିକାର ହିଁ ଜନସମାଜର ନିୟନ୍ତ୍ରକ ବୋଲି ଯେଉଁମାନେ ଏକମତ ଥିଲେ ସେମାନେ ଥିଲେ ‘ବୀଜପ୍ରଧାନ’ ସମାଜର ଅନ୍ତର୍ଗତ ।

ଅପରପକ୍ଷେ ପୁରୁଷର ସବୁ ବୀଯର୍୍ୟପାତ ସନ୍ତାନ ସମ୍ଭବାଏ ନାହିଁ କି ସବୁ ମଞ୍ଜିରୁ ଗଛ ହୁଏନାହିଁ ବୋଲି ଦର୍ଶାଇ, ମାଆ ବା ମାଟି ବା କ୍ଷେତ୍ର ନିଜେ ସୃଷ୍ଟି କରିବା ଅଭିପ୍ସାରେ ନିଜ ଇଚ୍ଛାମତେ ଚୟିତ ବୀଯର୍୍ୟକଣା ବା ମଞ୍ଜିକୁ ବ୍ୟବହାର କରି ନିଜସ୍ବ କୁହୁକ ବଳରେ ନିଜ ଗର୍ଭରେ ନିଜ ସୃଷ୍ଟିକୁ ରୂପ ଦିଏ ଓ ଜନ୍ମ ଦିଏ ଏବଂ ଜନ୍ମ କଲା ପରେ ଖାଦ୍ୟଦେଇ ତାକୁ ବିକଶିତ ଓ ପୂର୍ଣ୍ଣାଙ୍ଗ କରେ ବୋଲି କହି ଯେଉଁମାନେ ‘କ୍ଷେତ୍ର’କୁ ପ୍ରାଥମିକତା ଦେଉଥିଲେ , ସେମାନେ ଥିଲେ ‘କ୍ଷେତ୍ରପ୍ରଧାନ’ ।

ଏହି ଉଭୟ ସମାଜ ଭିତରେ ପ୍ରବଳ ପ୍ରତିଦ୍ବନ୍ଦିତା ଚାଲିଥିଲା ଏବଂ ୟୁକ୍ତିଦୁର୍ବଳ ବୀଜପ୍ରାଧାନ୍ୟବାଦୀମାନେ ବାହୁବଳ ଓ ଅସ୍ତ୍ରବଳରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ବ୍ୟଗ୍ର ଥିବାରୁ ବ୍ୟାପକ ରକ୍ତପାତ ବି ଘଟୁଥିଲା ।

ବୀଜପ୍ରଧାନ ବା ପୁରୁଷପ୍ରଧାନ ସମାଜର ପର୍ଶୁରାମ , ଯେ କି ନିଜର ଜନ୍ମଦାତ୍ରୀଙ୍କୁ ହତ୍ୟାକରିବାକୁ କୁଣ୍ଠିତ ହୋଇ ନ ଥିଲେ , ପୃଥିବୀକୁ ନିକ୍ଷେତ୍ରୀୟ କରିବାକୁ ଅର୍ଥାତ୍ କ୍ଷେତ୍ରପ୍ରଧାନ ସମାଜକୁ ଧ୍ବଂସ କରିବାକୁ ଏକୋଇଶ ବାର ଉଦ୍ୟମ କରିଥିଲେ ବୋଲି ପୁରାଣମାନଙ୍କରେ ବର୍ଣ୍ଣନା ରହିଛି ।

ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାର ବାସିନ୍ଦାମାନେ ବେଦବାଦୀମାନଙ୍କଠାରୁ ଦୂରେଇରହିଥିଲେ ଓ ଯଯାତି କେଶରୀ ସାତପାଟ (ପ୍ରାଚୀ କୂଳର କୂର୍ମ ପାଟକ ପୁର) ଅନ୍ତର୍ଗତ ଚୌରାଶୀ ବୌଦ୍ଧାଶ୍ରମର ୭୫୨ ସିଦ୍ଧାଚାଯର୍୍ୟଙ୍କ ମଧ୍ୟରୁ ୬୬୭ ଜଣଙ୍କୁ ହତ୍ୟା କରି ଓ କନୌଜରୁ ଦଶ ସହସ୍ର ବେଦବିଶାରଦଙ୍କୁ ଆଣି ଓଡ଼ିଶାରେ କର୍ତ୍ତୃବାଦର ପ୍ରଭାବ ବିସ୍ତାର କରିବା ପଯର୍୍ୟନ୍ତ ଏଠାରେ ‘କାରଣବାଦୀ’ମାନେ ହିଁ ଅଗ୍ରଣୀ ଥିଲେ ।

ଯେଉଁମାନେ କାରଣବାଦର ଅନୁବର୍ତ୍ତୀ ଓ ପୃଷ୍ଠପୋଷକ ଥିଲେ , ସେମାନେ ‘କରଣ’ ଭାବେ ବିଦିତ ଥିଲେ । ପରବର୍ତ୍ତୀ ଅବସ୍ଥାରେ କରଣ ଏକ ଜାତି ବିଶେଷ ଦୋଇଗଲା ; ମାତ୍ର ସେତେବେଳେ ଏହା ଏକ ଦର୍ଶନବାଚକ ଶବ୍ଦ ଥିଲା , ଯାହାର ଆଧାର ଥିଲା ‘କାରଣବାଦ’ ।

ସୁତରାଂ ‘କରଣ’ ଶବ୍ଦ ମନୁ ସଂହିତାରେ ଦେଖିବାକୁ ମିଳେ । ତହିଁରେ ‘ଉତ୍କଳୀୟ କରଣ’ ବୋଲି ଉଲ୍ଲେଖ ଥିବାବେଳେ ଅନ୍ୟ କୌଣସି ଜାତିର ଉଲ୍ଲେଖ ନ ଥିବା ତାତ୍ପଯର୍୍ୟପୂର୍ଣ୍ଣ । ଏହା ସାବ୍ୟସ୍ତ କରେ ଯେ ‘କରଣ’ ନାମକ କୌଣସି ଜାତି ନ ଥିଲା , ପରନ୍ତୁ ଯେଉଁମାନେ ‘କାରଣବାଦ’ ଆଦର୍ଶ ଅବଲମ୍ବନ କରୁଥିଲେ, ସେହିମାନେ ହିଁ କରଣ ଭାବେ ବିଦିତ ଥିଲେ । ତେଣୁ ‘କର୍ତ୍ତୃବାଦ’ ପରିବର୍ତ୍ତେ ‘କାରଣବାଦ’ ଅନୁବର୍ତ୍ତୀ ଭୂଖଣ୍ଡ ଥିଲା ଉତ୍କଳ ଯାହା ବୌଦ୍ଧ ପ୍ରଭାବ ହେତୁ ବର୍ତ୍ତମାନର ଓଡ଼ିଶାର ଭୌଗୋଳିକ ସୀମାଠାରୁ ବହୁ ଅଧିକ ପରିବ୍ୟାପ୍ତ ଥିଲା ।

କାଳକ୍ରମେ ବୌଦ୍ଧ ଧର୍ମ ବିଲୁପ୍ତ ହୋଇଯିବା ପରେ, ଏବଂ ‘କାରଣବାଦ’ ତାର ଦାର୍ଶନିକ ଗୁରୁତ୍ବ ହରାଇଲା ପରେ , ଏହାର ସୀମା ସଙ୍କୁଚିତ ହୋଇ ହୋଇ ପୂର୍ବରେ ମହୋଦଧି (ବିଲାତି ଶାସନ କାଳରେ ବିଭ୍ରାନ୍ତ ବିଦେଶୀଙ୍କ ଦ୍ବାରା ବଙ୍ଗୋପସାଗର)ରୁ ଉତ୍ତରପୂର୍ବ ମେଦିନୀପୁରର କାନ୍ଥୀ ଉପଖଣ୍ଡର ଉତ୍ତରସୀମା ସମୀପ ହଳଦୀନଦୀ ଓ କାଳିଗାଈ ନଈ ଦେଇ ବାଙ୍କୁଡ଼ା ପଯର୍୍ୟନ୍ତ ଯାଇ ସିଂହଭୂମ ଜିଲ୍ଲାର ଷଢ଼େଇକଳା ଧରି ରାଞ୍ଚି ଅଧିତ୍ୟକା ପଯର୍୍ୟନ୍ତ ଯିବା ସଙ୍ଗେ ସଙ୍ଗେ ଯଶପୁର ଦେଇ ରାଏଗଡ଼. ସାରଣଗଡ଼, ସମ୍ବଲପୁର, ରାୟପୁର, ବସ୍ତର ଦେଇ ବିଶାଖା ପାଟଣା, ଗଞ୍ଜାମ ଦେଇ ଗଞ୍ଜାମର ବଡ଼ ବନ୍ଦର ପଯର୍୍ୟନ୍ତ ପରିବ୍ୟାପ୍ତ ଥିଲା ।

‘ବନ୍ଦେ ଉତ୍କଳ ଜନନୀ’ର କବି ଏହି ସୀମାକୁ ହିଁ ଆଖିରେ ରଖିଥିଲେ।

ଉତ୍କଳ ସମ୍ମିଳନୀ ତାର ସ୍ଥିରିକୃତ ସଜ୍ଞା ସତ୍ତ୍ବେ ପୁନର୍ଗଠିତ ଓଡ଼ିଶାର ସୀମାକୁ ମାନ୍ୟତା ଦେଇଥିବା କାରଣରୁ ଏହି ସଙ୍ଗୀତ ପୁନର୍ଗଠିତ ଓଡ଼ିଶାର ଜାତୀୟ ସଙ୍ଗୀତ ହୋଇଛି ।

କିନ୍ତୁ ଏହାହିଁ ସତ୍ୟ ଯେ , ଏବେ ଓଡ଼ିଶା କହିଲେ ଯେଉଁ ଅଞ୍ଚଳକୁ ବୁଝାଏ ତାହା ବାହାରେ ବହୁ ଓଡ଼ିଆଭାଷାଭାଷୀ ଅଞ୍ଚଳ ବିଛିନ୍ନାଞ୍ଚଳ ହୋଇ ରହିଛି । ପ୍ରତି ଓଡ଼ିଆର ଅବଚେତନରେ ତା ମାଆର ସେହି ବିଛିନ୍ନ ଅଞ୍ଚଳଗୁଡ଼ିକ ପ୍ରତି ଆକର୍ଷଣ ଓ ଶ୍ରଦ୍ଧା ରହିଛି ଓ ରହିବ ।

‘ବନ୍ଦେ ଉତ୍କଳ ଜନନୀ’ ଶବ୍ଦଚୟ ମଧ୍ୟରେ ସେହି ଅଖଣ୍ଡ ଓଡ଼ିଶାର, ଯାହା ଭିତରେ ପ୍ରଫେସର ମିଶ୍ର ସ୍ମରଣ କରିଥିବା ଅଞ୍ଚଳଗୁଡ଼ିକ ଅନ୍ତର୍ଗତ , ସେହି ଓଡ଼ିଶାର ବନ୍ଦନାର ରୋମାଞ୍ଚ ଅନୁଭବ କରିହୁଏ , ନ ହେଉ ପଛେ ବିଛିନ୍ନ ଅଂଶଗୁଡ଼ିକ ପୁନର୍ବାର ଉପଲଭ୍ୟ ।

ସୁତରାଂ ‘ବନ୍ଦେ ଉତ୍କଳ ଜନନୀ’ ହିଁ ଏକମାତ୍ର କାମ୍ୟ ଅଭିବ୍ୟକ୍ତି ମାତୃଭୂମି ପାଇଁ ଅନୁରକ୍ତିସମ୍ପନ୍ନ ପ୍ରତି ଓଡ଼ିଆ ପାଇଁ । ଏବଂ ଏହି ବନ୍ଦନାରେ ଦେବସ୍ମିତ ଉଲ୍ଲେଖ କରିଥିବା ସମସ୍ତ ଜନନୀଙ୍କ ବନ୍ଦନା ହିଁ ନିହିତ।

ସହାୟତା: ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ , ଜଗବନ୍ଧୁଙ୍କ ପ୍ରାଚୀନ ଉତ୍କଳ , ବିନାୟକ ମିଶ୍ରଙ୍କ ପ୍ରାଚୀନ ଓଡ଼ଶାର ଇତିହାସ , ଚକ୍ରଧର ମହାପାତ୍ରଙ୍କ The Real Birthplace of Buddha, ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ Chourashi Siddhacharyas of Orissa: new Light on the Authors of Bauddha Gana O Doha ।

ଶୋକ ସମ୍ବାଦ: ଯଶସ୍ବୀ ଶିକ୍ଷକ ରବି ପଟ୍ଟନାଯକ ଆଉ ନାହାନ୍ତି

 

ନରସିଂହପୁରର ଯଶସ୍ବୀ ଶିକ୍ଷକ ରବିନ୍ଦ୍ରନାଥ ପଟ୍ଟନାୟକ ଫୁସଫୁସ ରୋଗାକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମାଚ୍ଚର୍ ୨୦, ୨୦୧୨ ଦିନ ୧୦ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଶାସ ବଢ଼ାଇ ସେମାନଙ୍କ ନିଜ ନିଜ ରୁଚି ଓ ପସନ୍ଦ ମୁତାବକ ବିଷୟରେ ଅଧିକ ଅଧ୍ୟୟନ କରିବାକୁ ସେ ସେମାନଙ୍କୁ ଯେପରି ଗଢ଼ି ତୋଳୁଥିଲେ, କର୍ମକ୍ଷେତ୍ରରେ ସଫଳତାପାଇଁ ପ୍ରତିବଦ୍ଧତା ଅଭ୍ୟାସ କରିବାକୁ ସେମାନଙ୍କୁ ସେହିପରି ପ୍ରୋତ୍ସାହିତ କରୁଥିଲେ।

କେବଳ ଜଣେ ସୁଦକ୍ଷ ଶିକ୍ଷକ ଭାବେ କେବଳ ନୁହେଁ , ଜଣେ କୃଷିବିତ୍ ଭାବେ ତାଙ୍କର ସୁଖ୍ୟାତି ଥିଲା। ନରସିଂହପୁରର ସାମାଜିକ ଓ ସାଂସ୍କୃତିକ ଦିଗ୍ ବଳୟରେ ସେ ଥିଲେ ଅତ୍ୟନ୍ତ ପରିଚିତ।

ତାଙ୍କ ତିରୋଧାନରେ ସଦା ସହାସ୍ୟ ଓ ଅମାୟିକ ଜଣେ ବ୍ୟକ୍ତି ଆଉ ନାହାନ୍ତି ବୋଲି ସାରା ନରସିଂହପୁରରେ ଶୋକୋଛ୍ବାସ ଖେଳିଯାଇଛି।

କେନ୍ଦ୍ର ସାହିତ୍ୟ ସମ୍ମାନ: ଓଡ଼ିଆ ଭାଷା ପ୍ରତି ସମ୍ମାନ କି ଅସମ୍ମାନ?

ଶ୍ରୀ ସୁଭାଷଚନ୍ଦ୍ର ପଟ୍ଟନାୟକ

ଭାଷା ସାହିତ୍ୟ ସମ୍ମାନ-୨୦୧୧ ପାଇଁ ଓଡ଼ିଆ ଭାଷାର ସର୍ବଶ୍ରେଷ୍ଠ ପୁସ୍ତକ ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା କଳ୍ପନାକୁମାରୀ ଦେବୀ ବିରଚିତ ‘ଅଚିହ୍ନା ବାସଭୂମି’ର ନିର୍ବାଚନ ଅବୈଧ ଥିଲା ବୋଲି ଦାବି କରି ତାହା ବାତିଲ୍ କରିଦେବାକୁ ଦାଖଲ ହୋଇଥିବା ଜନସ୍ବାଥର୍ ମାମଲା ଓଡ଼ିଶା ହାଇ କୋଟର୍ ଦୃଷ୍ଟିରେ ତାଦ୍ଦୃଶ ଗୃହିତ ନ ହେବାରୁ ଏହି ପୁସ୍ତକପାଇଁ ତାର ଲେଖିକାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । କିନ୍ତୁ ଏହି ସମ୍ମାନ ଓଡ଼ିଆ ଭାଷା ପ୍ରତି ସମ୍ମାନ କି ଅସମ୍ମାନ ତାହା ବିଚାର କରିବାର ଅଧିକାର ପ୍ରତି ଓଡ଼ିଆର ରହିଛି ।

ମୋର ଅନ୍ୟତମ ମହାଶୂନ୍ୟୀୟ ପତ୍ରିକା orissamatters.comରେ ଏ ପୁସ୍ତକକୁ କାହିଁକି ନିର୍ଦ୍ଦିଷ୍ଟ ସମୟର ସର୍ବଶ୍ରେଷ୍ଠ ଓଡ଼ିଆ ପୁସ୍ତକର ମାନ୍ୟତା ଦେବା ଅସଙ୍ଗତ ତାହା ମୁଁ ଦର୍ଶାଇଛି। ମାନ୍ୟବର ହାଇକୋଟର୍ ପୁସ୍ତକଟିର ସାହିତ୍ୟ ସ୍ବରୂପ ଅନୁଧ୍ୟାନ କରିଛନ୍ତି କି ନା, ତାହା ମୋତେ ଜଣା ନାହିଁ। ଇଣ୍ଟରନେଟ୍ ମାଧ୍ୟମରେ ଜଜମେଣ୍ଟ ସାଇଟରୁ ତାହା ଜାଣିବାକୁ ଚେଷ୍ଟା କଲି। ମାତ୍ର ତାହା ଉପଲବ୍ଧ ହେଲାନି। ମାମଲା ଦାଖଲ କରିଥିବା ଶ୍ରାଚରଣ ପ୍ରତାପ (କନିଷ୍କ)ଙ୍କ ଠାରୁ ହାଇକୋଟର୍ ଦେଇଥିବା ନିର୍ଣ୍ଣୟର ନକଲ ସଂଗ୍ରହ କରିବାକୁ ଚେଷ୍ଟା କଲି। ନିର୍ଣ୍ଣୟକାରୀ ବେଞ୍ଚରେ ଥିବା ଦୁଇ ବିଚାରପତି – ମୁଖ୍ୟବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବି.ଏନ୍.ମହାପାତ୍ର – ଏପର୍ଯ୍ୟନ୍ତ ସ୍ବାକ୍ଷର କରିନଥିବା ହେତୁ ତାଙ୍କୁ ନିର୍ଣ୍ଣୟର ନକଲ ମିଳି ପାରି ନାହିଁ ବୋଲି ତାଙ୍କଠାରୁ ଅବଗତ ହେଲି। ରାୟ ଉପରେ ବିଚାରପତିଙ୍କ ସ୍ବାକ୍ଷର ନ ଥାଇ ତାହା କାର୍ଯ୍ୟକାରୀ ହୋଇସାରିଥିବା ପରି ବିଭାବନା ଏହି ସମ୍ମାନ ସଂଗ୍ରହ ପାଇଁ ବ୍ୟଗ୍ରତା କେତେ ତୀବ୍ର ଥିଲା ତାହା ଅନ୍ଦାଜ କରିବାରେ ସାହାଯ୍ୟ କରେ । ସାହିତ୍ୟ ଏକାଡ଼େମୀ ଅଦାଲତଙ୍କ ଆଦେଶ ଅବଗତ ହୋଇସାରିଥିବା ବେଳେ ଆବେଦନକର୍ତ୍ତା ଆଦେଶଟିର ନକଲ ପାଇପାରିନାହାନ୍ତି କି ତାହା ଅଦାଲତଙ୍କ ଦ୍ବାରା ଇଣ୍ଟରନେଟରେ ମଧ୍ୟ ଉପଲବ୍ଧ କରାଯାଇନାହିଁ ଏ ଅବଧି । ଏପରି ଅବସ୍ଥାରେ ପୁସ୍ତକଟିର ସାହିତ୍ୟ ସ୍ବରୂପ ଅଦାଲତ ଅନୁଧ୍ୟାନ କରିଛନ୍ତି କି ନା, ତାହା କହିହେଉନି। ଜଜମେଣ୍ଟଟି ଦେଖିସାରିବା ପରେ ତାହା ଉପରକୁ ଆସିବା।

ଏବେ ଦେଖିବା ଏହି ପୁସ୍ତକକୁ ମିଳିଥିବା ସାହିତ୍ୟ ସମ୍ମାନ-୨୦୧୧ ଓଡ଼ିଆ ଭାଷା ପାଇଁ ସମ୍ମାନ କି ଅସମ୍ମାନ।

ଏହା ଯେଉଁ ଭାଷା ବ୍ୟବହାର କରିଛି, ତହିଁରୁ କିଛି ନମୁନା ଦେଖାଯାଉ –

(କ) ନେଇ ଯାଆ…ନେଇଯାଆରେ…ଭଲ ହେଲା, ରାଣ୍ଡୀର ‘ଜରତା’ ଦୋଷ କଟିଗଲା; କିନ୍ତୁ ତୋ ବଂଶକୁ ବ୍ରହ୍ମଶାପ ନିର୍ବଂଶ କରଦେବରେ ଶୂଦ୍ର ପୁଅ! ……..ଶଳା, ତୁ ଯଦି ବ୍ରାହ୍ମଣ ହେବୁ, ଜଙ୍ଗଲୀ ନିଷାଦ କିଏ ହେବରେ ଶଳା ! କଣ୍ଡୁରୁଣୀ ମରିୟାଇଛି ବୋଲି, ବ୍ରହ୍ମଣୀ ପାଖରେ ବ୍ରାହ୍ମଣ ବୋଲାଉଛୁ। ଶଳା ବ୍ୟାଧ, ତତେ ଆଜି ସଲିଳ ସମାଧି ଦେବୁ । (ପୃଷ୍ଠା: ୩୩)
(ଖ) କଣ୍ଡରାଙ୍କ ପାଖରେ, ସେଇ ମାଟିରେ ବସି ବ୍ରାହ୍ମଣ ସନ୍ତାନ ପାଠ ପଢ଼ିବ, ଏ କସ୍ମିନ କାଳେ ହୋଇପାରିବ ନାହିଁ । (ପୃ: ୫୩)
(ଗ) ଶଳା ମୋଟା ବୁଦ୍ଧିଆ କେଉଟ । କିଛି ବିଚାର ବୁଦ୍ଧି ଅଛି ! (ପୃ: ୫୫)
(ଘ) ପାଣ କଣ୍ଡରାକୁ ଛୁଇଁ ରାଜ୍ୟ ସାରା ବୁଲିଆସି ମା’ଙ୍କ ଘରେ ପଶିବୁ? (ପୃ: ୧୫୨)
(ଙ) ଚୁପ୍ ଶଳା । ନୁଁ ତୋ ସାତ ଜନ୍ମର ନନା ନୁହେଁରେ ଶଳାର ଶଳଆ । ମୋ ବାପ କେବେ ମନ କରି ନଥିବ ତୋ ମା କଣ୍ଡୁରୁଣୀ ଘରର କବାଟ କିଳିବାକୁ । ଶଳା ହେଡ଼ାଖିଆ….. (ପୃ: ୨୩୧)
(ଚ) ଶଳା ତୁ ବ୍ରାହ୍ମଣ ନା ହାଡ଼ିରେ ଶଳା? (ପୃ: ୨୩୨)
(ଛ) ସେ ନିଜେ ଅସ୍ପୃଶ୍ୟ – ମୁସଲମାନଙ୍କୁ ଛୁଇଁଲେ ଅସ୍ପୃଶ୍ୟତା ଦୁଇଗୁଣ ହୋଇଯିବ । ବିଧର୍ମୀ ମୁସଲମାନ ଯେତେ ଜ୍ଞାନୀ, ଗୁଣୀ ହେଲେ ସୁଦ୍ଧା କରଣ, ବ୍ରାହ୍ମଣଙ୍କ ପରି ଉଚ୍ଚବର୍ଣ୍ଣର ହିନ୍ଦୁମାନଙ୍କ ନିକଟରେ ଗ୍ରହଣଯୋଗ୍ୟ ନୁହନ୍ତି । (ପୃ: ୨୫୬)
(ଜ) ଜଣେ ପୁରପୁରୁଷ ସାଙ୍ଗରେ, ଏତେ ଲୋକଙ୍କ ଆଖି ଆଗରେ ଜଣେ ଝିଅମଣିଷ ଛୁଆଁଛୁଇଁ କରିବ, ସେ ନିଶ୍ଚେ ବେଶ୍ୟା ହୋଇଥିବ । (ପୃ: ୨୫୯)
(ଝ) ହେଡ଼ାଖିଆ କଣ୍ଡରା…..(ପୃ: ୨୬୦)
(ଞ) ସୁନା ଝିଅ । ତୁ କ’ଣ ଗୋଖଣୀ ପରି ନାକରେ ଗୁଣା ଝୁଲେଇବାକୁ ଜନ୍ମ ହୋଇଛୁ ? ତୋର ଜନ୍ମ ଅନ୍ୟ କାମ ପାଇଁ ହୋଇଛି । (ପୃ: ୨୭୧)
(ଟ) ସବୁ ଅସ୍ପୃଶ୍ୟମାନଙ୍କ ପରି ମୁସଲମାନ ମାନେ ବି ଅସ୍ପୃଶ୍ୟ, ବରଂ ଗୋରୁ ଖାଇବା ପାଇଁ ବେଶି ହୀନ । (ପୃ: ୩୦୦)
(ଠ) ପେଟକୁ ଯେତେବେଳେ ଦାନା ନମିଳେ ସେତେବେଳେ ପାଣ ପଠାଣ ଏକ ଜାତି । ….ହଁ, ହଁ । ପଣ୍ଡିତ ନେହେରୁ । ତାଙ୍କ ଝିଅ ପଠାଣ ଘରେ ବାହା ହୋଇଛି? ହେତ୍ କ’ଣ ଯେ କହେ ବେଣୁଜୀବନ ! ବ୍ରାହ୍ମଣ କନ୍ୟା ଏତେବଡ଼ ମଣିଷର ଝିଅ ହୋଇ, ପଠାଣ ଘରକୁ ବୋହୁ ହୋଇଯିବ? (ପୃ: ୫୧୫)

ଏ ସବୁ କ’ଣ ଓଡ଼ିଆର ସର୍ବଶ୍ରେଷ୍ଠ ସାହିତ୍ୟ ରୂପ?

ଏ ସବୁ ତ କେବଳ କିଛି ନମୁନା !

ଜାତି ବିଦ୍ବେଷ, ନାରୀ ବିଦ୍ବେଷ ଓ ଧର୍ମ ବିଦ୍ବେଷ ଦ୍ବାରା ଏ ପୁସ୍ତକ ଯେପରି ପ୍ରଦୂଷିତ, ଅଶ୍ଳୀଳ ଶବ୍ଦରେ ସେପରି ଭରା ଏହାର ଭାଷା।

ଦୁଃଖ ଓ ଲଜ୍ଜାର କଥା, ଏହି ପୁସ୍ତକକୁ ୨୦୦୭ରୁ ୨୦୦୯ ମଧ୍ୟରେ ପ୍ରକାଶିତ ସମସ୍ତ ଓଡ଼ିଆ ପୁସ୍ତକ ଭିତରେ ସର୍ବଶ୍ରେଷ୍ଠ ବୋଲି ସମ୍ମାନିତ କରିଛି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ।

ଏ ସମ୍ମାନ ଦ୍ବାରା ଓଡ଼ିଆ ଭାଷା ପ୍ରତି ସମ୍ମାନ କି ଅସମ୍ମାନ ପ୍ରଦର୍ଶନ କରାଯାଇଛି, ତାହା ନିରୂପଣ କରିବାର ଅଧିକାର ପ୍ରତି ଓଡ଼ିଆର ଏପରି ଜନ୍ମଗତ ଯେ, କୌଣସି ଅଦାଲତର କୌଣସି ନିଷ୍ପତ୍ତିକୁ ତାହା ଅପେକ୍ଷା ରଖେନାହିଁ ।

ଓଡ଼ିଶାରେ ଗଣତନ୍ତ୍ରର ଭୟଙ୍କର ଗଳରୋଧ

ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାଯକ

ଓଡ଼ିଶାରେ ସରକାର ଓ ସାମ୍ବାଦିକ ମୁହାଁମୁହିଁ ହେବା ଏହା ପୂର୍ବରୁ କେବେ ଘଟି ନ ଥିଲା । ମାତ୍ର ଏବେ ଏହା ଘଟୁଛି; କାରଣ, ଗଣତନ୍ତ୍ରର ଗଳରୋଧକୁ ସାମ୍ବାଦିକମାନେ ବିରୋଧ କରୁଛନ୍ତି ।

ନବୀନ ପଟ୍ଟନାୟକଙ୍କ ସରକାର ନିଜ ଅପଶାସନକୁ ଘୋଡ଼ାଇବା ପାଇଁ ଯେଉଁ ସବୁ ପଦ୍ଧତ୍ତି ଆପଣାଇଛନ୍ତି ତହିଁରେ ମୁଖ୍ୟ ହେଉଛି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମନରେ ଭୟ ସୃଷ୍ଟିକରି ତଥ୍ୟ ପ୍ରକଟନରୁ ସେମାନଙ୍କୁ ନିବୃତ୍ତ କରାଇବାର ଅପଚେଷ୍ଟା । ଫଳରେ ପ୍ରେସ୍ ସ୍ବାଧୀନତା ବିପନ୍ନ ହୋଇଛି ପ୍ରଚଣ୍ଡ ଭାବେ, ଯହିଁର ନିରାକରଣ ପାଇଁ ଓଡ଼ିଶାର ସାମ୍ବାଦିକମାନେ ମିଡ଼ିଆ ୟୁନିଟି ଫର ଫ୍ରିଡ଼ମ୍ ଅଫ୍ ପ୍ରେସ୍ (Media Unity for Freedom of Press, ସଂକ୍ଷେପରେ MUFP) ନାମକ ଏକ ଐକ୍ୟ ମଞ୍ଚ (ଏହାପରଠୁଁ ଐକ୍ୟ ମଞ୍ଚ) ଗଠନ କରି ନିର୍ଯ୍ୟାତିତ ସାମ୍ବାଦିକମାନଙ୍କ ମନୋବଳ ବଢ଼ାଉଛନ୍ତି ଓ ସରକାରୀ ଜୁଲୁମ ବିରୁଦ୍ଧରେ ଜନମତ ଜାଗ୍ରତ କରାଇ ଚାଲିଛନ୍ତି । ଏହି ଐକ୍ୟ ମଞ୍ଚର ଡାକରାରେ ଓଡ଼ିଶାର ସମସ୍ତ ବିରୋଧୀ ଦଳ, ଏପରିକି ପରସ୍ପରର ଘୋର ବିରୋଧୀ ବି.ଜେ.ପି. ଓ ବାମପନ୍ଥୀ ଦଳଗୁଡ଼ିକ ନିଜ ନିଜ ଦଳୀୟ ପାତାକା ନ ନେଇ ଏକାଠି ହେବା ଓ ଏହି ପ୍ରକ୍ରିୟାରେ ଓଡ଼ିଶା ଗଣ ସମାଜ ପରି ବୃହତ୍ତର ଜନ ମଞ୍ଚ ଜନ୍ମ ନେବା ସରକାରଙ୍କ ମୁଣ୍ଡବଥା ବଢ଼ାଇଦେଇଛି । ଅଥଚ, ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସରକାର ଅଧିକରୁ ଅଧିକ ଜୁଲୁମ ଚଳାଇଚାଲିଛନ୍ତି ସାମ୍ବାଦିକମାନଙ୍କ ଉପରେ

ନିକଟତମ କାଳରେ ଢେଙ୍କାନାଳ ଜିଲ୍ଲାରେ ଏପରି ଘଟଣା ଘଟିଛି । ସେଠାରେ ଶୋଷଣର ଯନ୍ତା ସାଜିଥିବା ଭୂଷଣ ଲୁହା କାରଖାନାରେ ଶ୍ରମିକ ଧର୍ମଘଟର ଖବର ପାଇ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ଦୁଇଜଣ ସାମ୍ବାଦିକ – ପ୍ରଦୀପ ସେନାପତି (ଇଟିଭି) ଓ ଜୟନ୍ତ ନାଥ (ସମ୍ବାଦ) – କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ସଲାସୁତରାରେ ମିଛ ମକଦ୍ଦମାରେ ଫସିଛନ୍ତି । ଏହି ଦୁଇ ସାମ୍ବାଦିକ ଶ୍ରମିକମାନଙ୍କୁ ଉସୁକାଇ ଧର୍ମଘଟ କରାଇଛନ୍ତି ବୋଲି କାରଖାନା କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ହେତୁ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଋଜୁ ହୋଇଥିବା ପୋଲିସ କହୁଛି । ଶ୍ରମ ଆଇନ ଉଲଂଘନ କରିଚାଲିଥିବା ଏକ କାରଖାନାର କର୍ତ୍ତୃପକ୍ଷଙ୍କ କଥା ପୋଲିସପାଇଁ ବେଦର ଗାର ହୋଇଥିବାବେଳେ ଦୁଇ ସମ୍ବାଦିକଙ୍କ କଥା କାହିଁକି ଗ୍ରହଣଯୋଗ୍ୟ ହୋଇନାହିଁ, ତହିଁର ତର୍ଜମା କଲେ ସନ୍ଦେହ ଘନିଭୁତ ହୁଏ ଯେ, ସମ୍ବାଦିକମାନଙ୍କୁ ଭୟଭୀତ କରାଇ ରଖିବାକୁ ସରକାର ଚଳାଇଥିବା କ୍ରମାଗତ ଷଡ଼ଯନ୍ତ୍ରର ଏହା ଏକ ଅଂଶବିଶେଷ ମାତ୍ର ।

କ୍ରମାଗତ ଷଡ଼ଯନ୍ତ୍ର

ଅନୁପମ ଭାରତର କାଶୀପୁର ପ୍ରତିନିଧି ଶ୍ରୀ କୀତ୍ତିର୍ ଚନ୍ଦ୍ର ସାହୁଙ୍କୁ ଦେଶଦ୍ରୋହ ଅଭିଯୋଗରେ ପୋଲିସ ଫସାଇବା ଦିନରୁ ଏ ଷଡ଼ଯନ୍ତ୍ରର ଧାରା ଧରା ପଡ଼ିଛି । ୨୦୦୪ ଫେବୃୟାରୀ ମାସରେ ତାଙ୍କୁ ଗିରଫ କରି ସେ ନକ୍ସଲପନ୍ଥୀଙ୍କ ସହ ସମ୍ପୃକ୍ତ ଥିବା ଦର୍ଶାଇ ଦୌରା ସୁପର୍ଦ୍ଦ କରାୟାଇଥିଲା । କିନ୍ତୁ ଆଦିତ୍ୟ ବିର୍ଲା ଶିଳ୍ପ ଗୋଷ୍ଠୀର ଉତ୍କଳ ଆଲୁମିନା ପ୍ଳାଣ୍ଟ୍ ଦ୍ବାରା କ୍ଷତିଗ୍ରସ୍ତ ଆଦିବାସୀମାନଙ୍କ ଦୁରାବସ୍ଥା ସମ୍ପର୍କରେ ସମ୍ବାଦ ପରିବେଷଣ କରୁଥିବା ହେତୁ ତାଙ୍କୁ ଏପରି ମିଛ ମକଦ୍ଦମାରେ ଫସା ୟାଇଥିବା ସ୍ଥାନୀୟ ଲୋକେ ଜାଣନ୍ତି ।

ଖତୁରାମ ସୁନାନି ଓ ମେଘନାଦ ଖର୍ସେଲ୍

ଅନାହାର କ୍ଳିଷ୍ଟ ସିନାପାଲି ବ୍ଳକ୍ । ସେଠି ପେଟ ବିକଳରେ ଲୋକେ ଝିଙ୍କିରି ନାମକ ଏକ ପ୍ରକାରର କଅଁଳିଆ ପଥର ଖାଉଥିବା ଦେଖି ସେହି ହୃଦୟବିଦାରକ ଦୃଶ୍ୟର ଚିତ୍ରୋତ୍ତଳନ କରିଥିଲେ ଏହି ଦୁଇ ସାମ୍ବାଦିକ ଓ ଏପରିଭାବେ ଭୋକ ଦାଉ ସହିଯାଉଥିବାଥିବା ଗ୍ରାମବାସୀମାନଙ୍କ ଦୁଃଖର ସବିଶେଷ ବିବରଣୀ ବି ସଂଗ୍ରହ କରିଥିଲେ। ଗଣମାଧ୍ୟମରେ ତାହା ପ୍ରସାରିତ ହେବା ପରେ ପରେ ସମ୍ପୃକ୍ତ ଗାଁରେ ରାତି ଅଧିଆ ଖାଦ୍ୟଦ୍ରବ୍ୟ ରଖି ଓ ନଳକୂପ ଖୋଳି ସରକାର ନିଜ ଚର୍ମରକ୍ଷାପାଇଁ ତ ଚେଷ୍ଟା କଲେ; କିନ୍ତୁ ଏହି ଉଭୟ ସାମ୍ବାଦିକଙ୍କ ବିରୁଦ୍ଧରେ ଅବିଳମ୍ବେ ଆରମ୍ଭ ହେଲା ଦେଶଦ୍ରୋହ ଅଭିଯୋଗରେ ମକଦ୍ଦମା, ୨୦୦୭ ମଇ ମାସରେ ପୋଲିସ ସେମାନଙ୍କୁ ଗିରଫ କଲା ପରେ ।

ଲେନିନ୍ ରାୟ

ଓଡ଼ିଆ ପତ୍ରିକା ‘ନିଶାନ’ର ସମ୍ପାଦକ । ସରକାରୀ ଦୁରାଚାର ଉପରେ ଆଲୋକପାତ କରୁଥିବା ହେତୁ ତାଙ୍କୁ ସାବାଡ଼ କରିବାକୁ ମସୁଧା ଚାଲିଥିଲା । ଯୋଗକୁ, କନ୍ଧମାଳରେ ଧର୍ମ ନାମରେ ଘଟିଥିବା ରକ୍ତକ୍ଷୟକୁ ସମାଲୋଚନା କରି ସେ ଏକ ଲେଖା ପ୍ରକାଶ କଲେ। ପୋଲିସ ଆଖିରେ ସେ ବନିଗଲେ ମାଓବାଦୀ ଓ ୨୦୦୮ ଡିସେମ୍ବର ୮ରେ ଗିରଫ ହୋଇ ନିର୍ଯ୍ୟାତିତ ହେଲେ, ହାଜତରେ ସଢ଼ିଲେ ।

ଲକ୍ଷ୍ମଣ ଚୌଧୁରୀ

ସରକାରଙ୍କ ଗେହ୍ଲାପୁଅ ବନି ମୋହନା ଥାନାର ଭାରପ୍ରାପ୍ତ ଅଧିକାରୀ ଚୋରା ଗଞ୍ଜେଇ କାରବାର ଚଳାଇଥିଲେ । ସମ୍ବାଦର ସ୍ଥାନୀଯ ପ୍ରତିନିଧି ଭାବେ ଚୌଧୁରୀ ଏହି ଅପରାଧର ଚିତ୍ର ପରିବେଷଣ କରି ତାଙ୍କୁ ଓ ଶାସକ ଦଳକୁ ଅଡୁଆରେ ପକାଇଦେଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ୨୦୦୯ ସେପ୍ଟେମ୍ବର ୨୦ରେ ଗିରଫ କରାଯାଇ ହାଜତକୁ ପଠାଗଲା । MUFP ଏହାର ଦୃଢ଼ ପ୍ରତିବାଦ କରିବା ଫଳରେ ଭିଜିଲାନ୍ସ ପୋଲିସ ଥାନା ଅଧିକାରୀଙ୍କ ଉପରେ ନଜର ରଖି ଗଞ୍ଜେଇ କାରବାର ବେଳେ ଘଟଣାସ୍ଥଳରୁ ତାଙ୍କୁ ଧରିଲେ। MUFP ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇ ଚୌଧୁରୀଙ୍କୁ ମିଥ୍ୟା ମକଦ୍ଦମା କବଳରୁ ଉଦ୍ଧାର କରିବାକୁ ଯେତେ ନିବେଦନ କଲେ ବି ସେ ନ ଶୁଣି ସାବ୍ୟସ୍ତ କରିଦେଲେ କି, ତାଙ୍କ ଦଳର ସଲାସୁତରାରେ ଚାଲିଥିବା ଚୋରା ଗଞ୍ଜେଇ କାରବାରକୁ ଧରାପକାଇଥିବାରୁ ସାମ୍ବାଦିକଜଣକ ଯଦି ଦେଶଦ୍ରୋହ କରିଥିବା ପୋଲିସ ଭାବିଲା, ତେବେ ତାହାହିଁ ନିଶ୍ଚୟ ଠିକ୍ । ଓଡ଼ିଶା ହାଇକୋଟର୍ ଏଥିରେ ହସ୍ତକ୍ଷେପ କରିଛନ୍ତି।

ଶ୍ବେତ ପତ୍ର

ସାମ୍ବାଦିକମାନଙ୍କ ଉପରେ ବଢ଼ିଚାଲିଥିବା ନିର୍ଯ୍ୟାତନାରେ ଅତିଷ୍ଠ ହୋଇ MUFP ଏକ ଶ୍ବେତ ପତ୍ର ପ୍ରକାଶ କରିଛି ଗତ ବର୍ଷ ମାଚ୍ଚର୍ ମାସରେ । ଗୋଟିଏ ଗଣତନ୍ତ୍ରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସଚରାଚର ସମ୍ମାନିତ ସାମ୍ବାଦିକମାନଙ୍କ ଐକ୍ୟ ମଞ୍ଚର ଏପରି ଏକ ଶ୍ବେତ ପତ୍ର ସରକାରଙ୍କୁ ନିଶ୍ଚୟ ତାଙ୍କ ଭୁଲ୍ ସୁଧାରିବାକୁ ପ୍ରଚୋଦିତ କରିଥାନ୍ତା । ଏବଂ ଏହା ପରେ ହୁଏତ ଏହିପରି ଭୁଲ୍ ୟେପରି ନ ହୁଏ ସରକାର ନିଶ୍ଚିତ କରିଥାନ୍ତେ। ମାତ୍ର ଓଡ଼ିଶାରେ ଏପରି ଏକ ସରକାର ଚାଲିଛି ଯେ ଏହି ଶ୍ବେତ ପତ୍ରର ବି କୌଣସି ପ୍ରଭାବ ପଡ଼ିନାହିଁ ତାଙ୍କ ଉପରେ।

ବିଦେଶୀ କବଳରୁ ଭାରତ ମୁକ୍ତ ହେବାର ସାମ୍ବତ୍ସରିକ ଉତ୍ସବ ମାତ୍ର ୧୪ ଦିନ ବାକି ଥିବାବେଳେ, ୨୦୧୧ ଅଗଷ୍ଟ ୧ ତାରିଖରେ ହିଁ ଜୁନାଗଡ଼ର ଚାଷୀମାନଙ୍କ ଉପରେ ଚାଲିଥିବା ନିର୍ଯ୍ୟାତନାର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ପୋଲିସର ନିର୍ମମ ଲାଠିମାଡ଼ ଏହାର ପ୍ରମାଣ ଦିଏ ।

ନୂଆବର୍ଷରେ ବି ସେହି ପୁରୁଣା ଆଚରଣ

ପୁରୁଣା ବର୍ଷ ବଦଳି ନୂଆ ବର୍ଷ ୨୦୧୨ ଆସି ସାରିଛି। ମାତ୍ର ଓଡ଼ିଶା ସରକାରଙ୍କ ସାମ୍ବାଦିକ ବିରୋଧୀ ମତଲବ ଓ ଆଚରଣ ବଦଳି ନାହିଁ। ଢେଙ୍କାନାଳରେ କାରଖାନା ଖୋଲିଥିବା ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ଶୋଷଣାଭ୍ୟାସ ବିରୁଦ୍ଧରେ ସୃଷ୍ଟି ହୋଇଥିବା ଶ୍ରମିକ ଅଶାନ୍ତିର ଖବର ନେବାକୁ ଯାଇଥିବା ଦୁଇ ଜଣ ସାମ୍ବାଦିକଙ୍କ ବିରୁଦ୍ଧରେ ଶ୍ରମିକ ଧର୍ମଘଟକୁ ପ୍ରୋତ୍ସାହିତ କରୁଥିବା ପରି ମିଥ୍ୟା ଅଭିଯୋଗରେ ଗତ ୩ ତାରିଖରେ ପୋଲିସ ଯେପରି ମାମଲା ଋଜୁ କରିଛି ଏବଂ ସେମାନଙ୍କୁ ଗିରଫ କରିବାକୁ ସଜବାଜ ହେଉଛି ତାହାହିଁ ତହିଁର ପ୍ରମାଣ । ଏହି ମାମଲା ପଞ୍ଜିକରଣ ପଛରେ ଯଦି ସରକାରୀ ଷଡ଼ଯନ୍ତ୍ର ନ ଥାନ୍ତା ତେବେ ଦୁଇ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମିଛ ମକଦ୍ଦମାରେ ଫସାଇବାକୁ ଉଦ୍ୟମ କରିଥିବା ଅପରାଧରେ ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ହିଁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରନ୍ତାଣି ।

ଓଡ଼ିଶାରେ ଗଣତନ୍ତ୍ରର ଏପରି ଭୟଙ୍କର ଗଳ ରୋଧ କେବେ ବି ଘଟି ନ ଥିଲା ।

Follow

Get every new post delivered to your Inbox.